Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ମଇ 2027 › ମଇ 1

ଅର୍ଥୋଡକ୍ସ ପଞ୍ଜିକା · 18 ଅପ୍ରେଲ (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 1 ମଇ 2027

ଶନିବାର · ପବିତ୍ର ସପ୍ତାହ

ପର୍ବ ଓ ସନ୍ଥ

ମହାନ ଓ ପବିତ୍ର ଶନିବାର

ମହା ଉପବାସ

କଠୋର ଉପବାସ (ଶୁଖିଲା ଆହାର: ରୁଟି, ପନିପରିବା, ଫଳ)

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ପ୍ରଭାତୀ ପ୍ରାର୍ଥନା (ଭବିଷ୍ୟଦ୍‌ବାଣୀ)

ଯିହି 37:1–14

1ସଦାପ୍ରଭୁଙ୍କ ହସ୍ତ ମୋʼ ଉପରେ ଅଧିଷ୍ଠିତ ହେଲା ଓ ସେ ତାହାଙ୍କ ଆତ୍ମାରେ ମୋତେ ବାହାରକୁ ନେଇଯାଇ ଉପତ୍ୟକାର ମଧ୍ୟସ୍ଥଳୀରେ ବସାଇଲେ; ଆଉ, ତାହା ଅସ୍ଥିରେ ପରିପୂର୍ଣ୍ଣ ଥିଲା। 2ତହୁଁ ସେ ସେହି ଅସ୍ଥିସକଳର ନିକଟ ଦେଇ ଚାରିଆଡ଼େ ମୋତେ ଗମନ କରାଇଲେ; ଆଉ ଦେଖ, ସେହି ପ୍ରଶସ୍ତ ଉପତ୍ୟକାରେ ଅନେକ ଅସ୍ଥି ଥିଲା; ପୁଣି, ଦେଖ, ସେହି ସବୁ ଅତିଶୟ ଶୁଷ୍କ ଥିଲା। 3ତହିଁରେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଏହି ସକଳ ଅସ୍ଥି କି ସଜୀବ ହୋଇପାରେ?” ଏଥିରେ ମୁଁ ଉତ୍ତର କଲି, “ହେ ପ୍ରଭୁ, ସଦାପ୍ରଭୁ, ଆପଣ ତାହା ଜାଣନ୍ତି।” 4ପୁନର୍ବାର ସେ ମୋତେ କହିଲେ, “ତୁମ୍ଭେ ଏହି ସକଳ ଅସ୍ଥିର ଉଦ୍ଦେଶ୍ୟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି ସେମାନଙ୍କୁ କୁହ, ‘ହେ ଶୁଷ୍କ ଅସ୍ଥିସକଳ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ। 5ପ୍ରଭୁ, ସଦାପ୍ରଭୁ ଏହି ସକଳ ଅସ୍ଥିକୁ ଏହି କଥା କହନ୍ତି; ଦେଖ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ପ୍ରାଣବାୟୁ ପ୍ରବେଶ କରାଇବା ଓ ତୁମ୍ଭେମାନେ ଜୀବିତ ହେବ। 6ପୁଣି, ଆମ୍ଭେ ତୁମ୍ଭମାନଙ୍କ ଉପରେ ପେଶୀରଜ୍ଜୁ ଦେବା ଓ ତୁମ୍ଭମାନଙ୍କ ଉପରେ ମାଂସ ଉତ୍ପନ୍ନ କରିବା, ଆଉ ଚର୍ମରେ ତୁମ୍ଭମାନଙ୍କୁ ଆଚ୍ଛାଦନ କରିବା ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରାଣବାୟୁ ଦେବା, ଆଉ ତୁମ୍ଭେମାନେ ଜୀବିତ ହେବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।’” 7ଏଥିରେ ମୋତେ ଯେପରି ଆଜ୍ଞା ଦିଆଯାଇଥିଲା, ତଦନୁସାରେ ମୁଁ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲି; ପୁଣି, ମୁଁ ପ୍ରଚାର କରୁ କରୁ ଏକ ଶବ୍ଦ ହେଲା ଓ ଦେଖ, ଭୂମିକମ୍ପ ହେଲା, ଆଉ ଅସ୍ଥିସକଳ ଏକତ୍ର ହୋଇ ପ୍ରତ୍ୟେକ ଅସ୍ଥି ଆପଣା ଅସ୍ଥିରେ ସଂଯୁକ୍ତ ହେଲା। 8ତହିଁରେ ମୁଁ ନିରୀକ୍ଷଣ କଲି, ଆଉ ଦେଖ, ସେହି ସବୁ ଅସ୍ଥି ଉପରେ ପେଶୀରଜ୍ଜୁ ହେଲା ଓ ମାଂସ ଉତ୍ପନ୍ନ ହେଲା, ପୁଣି, ଚର୍ମ ସେହି ସବୁକୁ ଆଚ୍ଛାଦନ କଲା; ମାତ୍ର ସେହି ସବୁର ମଧ୍ୟରେ ପ୍ରାଣବାୟୁ ନ ଥିଲା। 9ତହିଁରେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ବାୟୁ ଉଦ୍ଦେଶ୍ୟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର, ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର ଓ ବାୟୁକୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ହେ ପ୍ରାଣବାୟୁ, ଚତୁର୍ଦ୍ଦିଗରୁ ଆସ ଓ ଏହି ହତ ଲୋକମାନେ ଯେପରି ଜୀବିତ ହେବେ, ଏଥିପାଇଁ ସେମାନଙ୍କ ଉପରେ ବହ।” 10ତହୁଁ ସେ ମୋତେ ଯେପରି ଆଜ୍ଞା କଲେ, ତଦନୁସାରେ ମୁଁ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତେ, ପ୍ରାଣବାୟୁ ସେମାନଙ୍କ ମଧ୍ୟକୁ ଆସିଲା, ଆଉ ସେମାନେ ଜୀବିତ ହେଲେ ଓ ଅତିଶୟ ମହାନ ସୈନ୍ୟବାହିନୀ ହୋଇ ଆପଣା ଆପଣା ଚରଣରେ ଠିଆ ହେଲେ। 11ତେବେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଏହି ଅସ୍ଥିସକଳ ସମୁଦାୟ ଇସ୍ରାଏଲ ବଂଶ ଅଟନ୍ତି; ଦେଖ, ସେମାନେ କହନ୍ତି, ଆମ୍ଭମାନଙ୍କର ଅସ୍ଥିସବୁ ଶୁଷ୍କ ହୋଇଅଛି, ଆମ୍ଭମାନଙ୍କର ଭରସା ନଷ୍ଟ ହୋଇଅଛି; ଆମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ଉଚ୍ଛିନ୍ନ ହୋଇଅଛୁ। 12ଏଥିପାଇଁ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ଆମ୍ଭର ଲୋକେ, ଦେଖ, ଆମ୍ଭେ ତୁମ୍ଭମାନଙ୍କର କବର ମୁକ୍ତ କରିବା ଓ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କ କବରରୁ ବାହାର କରାଇବା, ଆଉ ତୁମ୍ଭମାନଙ୍କୁ ଇସ୍ରାଏଲ ଦେଶକୁ ଆଣିବା। 13ପୁଣି, ହେ ଆମ୍ଭର ଲୋକେ, ଆମ୍ଭେ ତୁମ୍ଭମାନଙ୍କର କବର ମୁକ୍ତ କରି ତୁମ୍ଭମାନଙ୍କୁ ତୁମ୍ଭମାନଙ୍କ କବରରୁ ବାହାର କରାଇଲେ, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ। 14ଆଉ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ଆପଣା ଆତ୍ମା ଦେବା, ତହିଁରେ ତୁମ୍ଭେମାନେ ଜୀବିତ ହେବ, ପୁଣି, ଆମ୍ଭେ ତୁମ୍ଭମାନଙ୍କ ନିଜ ଦେଶରେ ତୁମ୍ଭମାନଙ୍କୁ ବସାଇବା; ତହିଁରେ ଆମ୍ଭେ ସଦାପ୍ରଭୁ ଏହା କହିଅଛୁ ଓ ସଫଳ କରିଅଛୁ ବୋଲି ତୁମ୍ଭେମାନେ ଜାଣିବ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”

ପ୍ରଭାତୀ ପ୍ରାର୍ଥନା: ପତ୍ର

ପ୍ର.କରି 5:6–8 · ଗାଲା 3:13–14

6ତୁମ୍ଭମାନଙ୍କର ଏପରି ଗର୍ବ କରିବା ଭଲ ନୁହେଁ। ତୁମ୍ଭେମାନେ କି ଜାଣ ନାହିଁ ଯେ, ଅଳ୍ପ ଖମୀର ସମସ୍ତ ମଇଦା ପିଣ୍ଡୁଳାକୁ ଖମୀରମୟ କରିଦିଏ? 7ତୁମ୍ଭେମାନେ ତ ଖମୀରଶୂନ୍ୟ ଲୋକ, ଏଣୁ ଯେପରି ତୁମ୍ଭେମାନେ ନୂଆ ପିଣ୍ଡୁଳା ହୋଇପାର, ଏଥିପାଇଁ ପୁରୁଣା ଖମୀର ବାହାର କରିପକାଅ; କାରଣ ଆମ୍ଭମାନଙ୍କ ନିସ୍ତାର ପର୍ବର ମେଷଶାବକ, ଅର୍ଥାତ୍‍ ଖ୍ରୀଷ୍ଟ, ମଧ୍ୟ ବଳୀକୃତ ହୋଇଅଛନ୍ତି। 8ଅତଏବ ଆସ, ଆମ୍ଭେମାନେ ପୁରାତନ ଖମୀର କିଅବା ଦୁଷ୍ଟତା ଓ କୁକର୍ମରୂପ ଖମୀର ଦ୍ୱାରା ପର୍ବ ପାଳନ ନ କରି ସରଳତା ଓ ସତ୍ୟରୂପ ଖମୀରଶୂନ୍ୟ ରୁଟି ଦ୍ୱାରା ପର୍ବ ପାଳନ କରୁ। 3:13ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅବ୍ରହାମଙ୍କର ଆଶୀର୍ବାଦ ଯେପରି ଅଣଯିହୁଦୀମାନଙ୍କ ପ୍ରତି ବର୍ତ୍ତେ, ପୁଣି ଆମ୍ଭେମାନେ ଯେପରି ବିଶ୍ୱାସ ହେତୁ ପ୍ରତିଜ୍ଞାତ ଆତ୍ମା ପ୍ରାପ୍ତ ହେଉ, 14ଏଥିପାଇଁ ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ଅଭିଶପ୍ତ ହୋଇ ମୋଶାଙ୍କ ବ୍ୟବସ୍ଥାର ଅଭିଶାପରୁ ଆମ୍ଭମାନଙ୍କୁ ମୂଲ୍ୟ ଦେଇ ମୁକ୍ତ କଲେ; କାରଣ ଯେପରି ପବିତ୍ର ଶାସ୍ତ୍ରରେ ଲେଖାଅଛି, ଯେ କେହି ଖୁଣ୍ଟରେ ଟଙ୍ଗାଯାଏ, ସେ ଅଭିଶପ୍ତ।

ପ୍ରଭାତୀ ପ୍ରାର୍ଥନା: ସୁସମାଚାର

ମାଥି 27:62–66

62ତହିଁ ଆରଦିନ, ଅର୍ଥାତ୍‍ ଆୟୋଜନ-ଦିବସର ପରବର୍ତ୍ତୀ ଦିନ ପ୍ରଧାନ ଯାଜକ ଓ ଫାରୂଶୀମାନେ ପୀଲାତଙ୍କ ପାଖରେ ଏକତ୍ର ହୋଇ କହିଲେ, 63ମହାଶୟ, ଆମ୍ଭମାନଙ୍କର ମନେ ପଡ଼ୁଅଛି, ସେହି ପ୍ରବଞ୍ଚକ ଜୀବିତ ଥିବା ସମୟରେ କହିଥିଲା, ତିନି ଦିନ ପରେ ମୁଁ ଉଠିବି। 64ଅତଏବ, ତୃତୀୟ ଦିବସ ପର୍ଯ୍ୟନ୍ତ ସମାଧି ସୁରକ୍ଷିତ ହେବା ନିମନ୍ତେ ଆଜ୍ଞା କରନ୍ତୁ, ନୋହିଲେ କେଜାଣି ତାହାର ଶିଷ୍ୟମାନେ ଆସି ତାହାକୁ ଚୋରି କରି ଲୋକଙ୍କୁ କହିବେ, ସେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ତାହାହେଲେ ପ୍ରଥମ ପ୍ରବଞ୍ଚନା ଅପେକ୍ଷା ଶେଷ ପ୍ରବଞ୍ଚନା ଅଧିକ ମନ୍ଦ ହେବ। 65ପୀଲାତ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କର ପ୍ରହରୀ-ଦଳ ଅଛି, ତୁମ୍ଭେମାନେ ଯାଇ ଯଥାସାଧ୍ୟ ତାହା ସୁରକ୍ଷା କର। 66ତେଣୁ ସେମାନେ ଯାଇ ପ୍ରହରୀ-ଦଳ ସହିତ ସେହି ପ୍ରସ୍ତରରେ ମୁଦ୍ରାଙ୍କ ଦେଇ ସମାଧି ସୁରକ୍ଷିତ କଲେ।

ସନ୍ଧ୍ୟା ପ୍ରାର୍ଥନା: ପାଠ (ପ୍ରଥମ ପାଠ)

ଆଦି 1:1–13

1ଆଦ୍ୟରେ ପରମେଶ୍ୱର ସ୍ୱର୍ଗସମୂହ ଓ ପୃଥିବୀକୁ ସୃଷ୍ଟି କଲେ। 2ପୃଥିବୀ ନିର୍ଜନ ଓ ଶୂନ୍ୟ ଥିଲା, ଆଉ ଗଭୀର ଜଳ ଉପରେ ଅନ୍ଧକାର ଥିଲା; ପୁଣି, ପରମେଶ୍ୱରଙ୍କ ଆତ୍ମା ଜଳ ଉପରେ ବ୍ୟାପ୍ତ ଥିଲେ। 3ଏଥିଉତ୍ତାରେ ପରମେଶ୍ୱର କହିଲେ, “ଦୀପ୍ତି ହେଉ,” ତହିଁରେ ଦୀପ୍ତି ହେଲା। 4ଆଉ ପରମେଶ୍ୱର ଦୀପ୍ତିକୁ ଦେଖିଲେ ଯେ ତାହା ଉତ୍ତମ; ତହୁଁ ପରମେଶ୍ୱର ଅନ୍ଧକାରରୁ ଦୀପ୍ତିକୁ ଭିନ୍ନ କଲେ। 5ପୁଣି, ପରମେଶ୍ୱର ଦୀପ୍ତିର ନାମ “ଦିବସ,” ଓ ଅନ୍ଧକାରର ନାମ “ରାତ୍ରି” ଦେଲେ। ତହୁଁ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ପ୍ରଥମ ଦିବସ ହେଲା। 6ଏଥିଉତ୍ତାରେ ପରମେଶ୍ୱର କହିଲେ, “ଜଳ ମଧ୍ୟରେ ଶୂନ୍ୟ ଜାତ ହୋଇ ଜଳକୁ ଦୁଇ ଭାଗରେ ଭିନ୍ନ କରୁ।” 7ଏହିରୂପେ ପରମେଶ୍ୱର ଶୂନ୍ୟ ନିର୍ମାଣ କରି ଶୂନ୍ୟର ଊର୍ଦ୍ଧ୍ୱସ୍ଥ ଜଳରୁ ଶୂନ୍ୟର ଅଧଃସ୍ଥ ଜଳକୁ ଭିନ୍ନ କଲେ; ତହିଁରେ ସେହିରୂପ ହେଲା। 8ଆଉ ପରମେଶ୍ୱର ସେହି ଶୂନ୍ୟର ନାମ “ଆକାଶମଣ୍ଡଳ” ଦେଲେ। ପୁଣି, ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ଦ୍ୱିତୀୟ ଦିବସ ହେଲା। 9ଏଥିଉତ୍ତାରେ ପରମେଶ୍ୱର କହିଲେ, “ଆକାଶମଣ୍ଡଳର ଅଧଃସ୍ଥ ସମଗ୍ର ଜଳ ଏକ ସ୍ଥାନରେ ସଂଗୃହୀତ ହେଉ ଓ ସ୍ଥଳ ପ୍ରକାଶ ହେଉ,” ତହିଁରେ ସେହିରୂପ ହେଲା। 10ପୁଣି, ପରମେଶ୍ୱର ସ୍ଥଳର ନାମ “ପୃଥିବୀ,” ଓ ଜଳରାଶିର ନାମ “ସମୁଦ୍ର” ଦେଲେ; ଆଉ ପରମେଶ୍ୱର ତାହା ଉତ୍ତମ ଦେଖିଲେ। 11ଏଉତ୍ତାରୁ ପରମେଶ୍ୱର କହିଲେ, “ପୃଥିବୀ ତୃଣ ଓ ସବୀଜ ଶାକ ଓ ବୀଜ ସମ୍ବଳିତ ସ୍ୱ ସ୍ୱ ଜାତି ଅନୁଯାୟୀ ଫଳୋତ୍ପାଦକ ଫଳବୃକ୍ଷ ଭୂମି ଉପରେ ଉତ୍ପନ୍ନ କରୁ,” ତହିଁରେ ସେପରି ହେଲା। 12ଅର୍ଥାତ୍‍, ପୃଥିବୀ ତୃଣ ଓ ସ୍ୱ ସ୍ୱ ଜାତି ଅନୁସାରେ ବୀଜଉତ୍ପାଦକ ଶାକ ଓ ସ୍ୱ ସ୍ୱ ଜାତି ଅନୁସାରେ ସବୀଜ ଫଳୋତ୍ପାଦକ ବୃକ୍ଷ ଉତ୍ପନ୍ନ କଲା; ପୁଣି, ପରମେଶ୍ୱର ତାହା ଉତ୍ତମ ଦେଖିଲେ। 13ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ତୃତୀୟ ଦିବସ ହେଲା।

ସନ୍ଧ୍ୟା ପ୍ରାର୍ଥନା: ପାଠ (ଦ୍ୱିତୀୟ ପାଠ)

ଯିଶା 60:1–16

1ଉଠ, ଦୀପ୍ତିମତୀ ହୁଅ, କାରଣ ତୁମ୍ଭର ଦୀପ୍ତି ଉପସ୍ଥିତ ଓ ସଦାପ୍ରଭୁଙ୍କର ପ୍ରତାପ ତୁମ୍ଭ ଉପରେ ଉଦିତ ହୋଇଅଛି। 2କାରଣ, ଦେଖ, ଅନ୍ଧକାର ପୃଥିବୀକୁ ଓ ଘୋର ଅନ୍ଧକାର ଗୋଷ୍ଠୀବର୍ଗଙ୍କୁ ଆଚ୍ଛନ୍ନ କରିବ; ମାତ୍ର ତୁମ୍ଭ ଉପରେ ସଦାପ୍ରଭୁ ଉଦିତ ହେବେ ଓ ତାହାଙ୍କର ପ୍ରତାପ ତୁମ୍ଭ ଉପରେ ଦେଖାଯିବ। 3ପୁଣି, ଅନ୍ୟ ଦେଶୀୟମାନେ ତୁମ୍ଭର ଦୀପ୍ତି ନିକଟକୁ ଓ ରାଜାଗଣ ତୁମ୍ଭ ଅରୁଣୋଦୟର ଆଲୁଅ ନିକଟକୁ ଆସିବେ। 4ତୁମ୍ଭେ ଅନାଇ ଚତୁର୍ଦ୍ଦିଗ ଦେଖ, ସେମାନେ ସମସ୍ତେ ଏକତ୍ର ହେଉଅଛନ୍ତି, ସେମାନେ ତୁମ୍ଭ ନିକଟକୁ ଆସୁଅଛନ୍ତି; ତୁମ୍ଭର ପୁତ୍ରଗଣ ଦୂରରୁ ଆସିବେ ଓ ତୁମ୍ଭର କନ୍ୟାଗଣ ସେମାନଙ୍କ ବାହୁରେ ଅଣାଯିବେ। 5ସେତେବେଳେ ତୁମ୍ଭେ ତାହା ଦେଖି ଦୀପ୍ତିମାନ ହେବ ଓ ତୁମ୍ଭର ହୃଦୟ ଧୁକୁ ଧୁକୁ ହୋଇ ପ୍ରଫୁଲ୍ଲିତ ହେବ; କାରଣ ସମୁଦ୍ରର ଦ୍ରବ୍ୟରାଶି ତୁମ୍ଭଆଡ଼େ ଫେରାଯିବ, ଅନ୍ୟଦେଶୀୟମାନଙ୍କର ସମ୍ପତ୍ତି ତୁମ୍ଭ ନିକଟକୁ ଆସିବ। 6ଅପାର ଓଟ, ମିଦୀୟନ ଓ ଐଫାର ଦ୍ରୁତଗାମୀ-ଉଷ୍ଟ୍ର, ତୁମ୍ଭକୁ ଆବୃତ କରିବେ; ସେହି ସବୁ ଶିବା ଦେଶରୁ ଆସିବେ; ସେମାନେ ସୁବର୍ଣ୍ଣ, କୁନ୍ଦୁରୁ ଆଣିବେ ଓ ସଦାପ୍ରଭୁଙ୍କର ପ୍ରଶଂସା ପ୍ରଚାର କରିବେ। 7କେଦାରର ସମଗ୍ର ମେଷପଲ ତୁମ୍ଭ ନିକଟରେ ଏକତ୍ରୀକୃତ ହେବେ, ନବାୟୋତ୍‍ର ମେଷଗଣ ତୁମ୍ଭର ପରିଚର୍ଯ୍ୟା କରିବେ; ସେମାନେ ସୁଗ୍ରାହ୍ୟ ହୋଇ ଆମ୍ଭ ଯଜ୍ଞବେଦିର ଉପରକୁ ଆସିବେ, ପୁଣି ଆମ୍ଭେ ଆପଣାର ଭୂଷଣ ସ୍ୱରୂପ ଗୃହକୁ ଭୂଷିତ କରିବା। 8ମେଘର ନ୍ୟାୟ ଓ ଆପଣା ଆପଣା ଭାଡ଼ିକୁ ଉଡ଼ନ୍ତା କପୋତଗଣର ନ୍ୟାୟ ଉଡ଼ି ଆସୁଅଛନ୍ତି ଯେ ଏମାନେ, ଏମାନେ କିଏ? 9ନିଶ୍ଚୟ ଦ୍ୱୀପସମୂହ ଆମ୍ଭର ଅପେକ୍ଷା କରିବେ, ପୁଣି ତର୍ଶୀଶର ଜାହାଜସକଳ ଅଗ୍ରଗାମୀ ହୋଇ ଆପଣା ଆପଣା ସଙ୍ଗରେ ସେମାନଙ୍କର ରୌପ୍ୟ ଓ ସୁବର୍ଣ୍ଣ ନେଇ, ତୁମ୍ଭ ସନ୍ତାନଗଣକୁ ଦୂରରୁ ଆଣି, ତୁମ୍ଭ ପରମେଶ୍ୱର ସଦାପ୍ରଭୁଙ୍କ ନାମ ନିମନ୍ତେ ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କ ନିମନ୍ତେ ଆସିବେ, କାରଣ ସେ ତୁମ୍ଭକୁ ଶୋଭିତ କରିଅଛନ୍ତି। 10ପୁଣି, ବିଦେଶୀୟମାନେ ତୁମ୍ଭର ପ୍ରାଚୀର ନିର୍ମାଣ କରିବେ ଓ ସେମାନଙ୍କର ରାଜାଗଣ ତୁମ୍ଭର ପରିଚର୍ଯ୍ୟା କରିବେ; କାରଣ ଆମ୍ଭେ ଆପଣା କୋପରେ ତୁମ୍ଭକୁ ପ୍ରହାର କଲୁ, ମାତ୍ର ଆପଣା ଅନୁଗ୍ରହରେ ଆମ୍ଭେ ତୁମ୍ଭ ପ୍ରତି କରୁଣା କରିଅଛୁ। 11ଅନ୍ୟଦେଶୀୟମାନଙ୍କର ସମ୍ପତ୍ତି ଓ ତହିଁ ସଙ୍ଗେ ସେମାନଙ୍କର ରାଜାଗଣ ବନ୍ଦୀ ହୋଇ ଯେପରି ତୁମ୍ଭ ନିକଟକୁ ଅଣାଯିବେ, ଏଥିପାଇଁ ତୁମ୍ଭ ନଗରର ଦ୍ୱାରସକଳ ନିରନ୍ତର ମୁକ୍ତ ଥିବ, ଦିବାରାତ୍ର ସେହି ସବୁ ବନ୍ଦ ହେବ ନାହିଁ। 12କାରଣ ଯେଉଁ ଦେଶ ଓ ରାଜ୍ୟ ତୁମ୍ଭର ସେବା ନ କରିବ, ତାହା ବିନଷ୍ଟ ହେବ, ହଁ, ସେହି ଦେଶସକଳ ନିଃଶେଷ ରୂପେ ଧ୍ୱଂସିତ ହେବ। 13ଲିବାନୋନର ଗୌରବ ତୁମ୍ଭ ନିକଟକୁ ଆସିବ, ଦେବଦାରୁ, ତିଧର, ତାଶୂର ବୃକ୍ଷ ଏକତ୍ର ହୋଇ ଆମ୍ଭର ପବିତ୍ର ସ୍ଥାନ ସୁଶୋଭିତ କରିବା ପାଇଁ ଆସିବେ, ପୁଣି ଆମ୍ଭେ ଆପଣା ପାଦପୀଠର ସ୍ଥାନ ଗୌରବାନ୍ୱିତ କରିବା। 14ଆଉ, ଯେଉଁମାନେ ତୁମ୍ଭକୁ କ୍ଲେଶ ଦେଲେ, ସେମାନଙ୍କର ସନ୍ତାନଗଣ ନତ ହୋଇ ତୁମ୍ଭ ନିକଟକୁ ଆସିବେ ଓ ଯେଉଁମାନେ ତୁମ୍ଭକୁ ତୁଚ୍ଛ କଲେ, ସେମାନେ ସମସ୍ତେ ତୁମ୍ଭ ପଦ ତଳେ ପ୍ରଣାମ କରିବେ; ଆଉ, ସେମାନେ ତୁମ୍ଭକୁ ସଦାପ୍ରଭୁଙ୍କର ନଗରୀ, ଇସ୍ରାଏଲର ଧର୍ମସ୍ୱରୂପଙ୍କର ସିୟୋନ ବୋଲି ସମ୍ବୋଧନ କରିବେ। 15ତୁମ୍ଭେ ପରିତ୍ୟକ୍ତା ଓ ଘୃଣିତା ହେବାରୁ କେହି ତୁମ୍ଭର ମଧ୍ୟଦେଇ ଯାତାୟାତ କଲା ନାହିଁ, ତହିଁର ପରିବର୍ତ୍ତେ ଆମ୍ଭେ ତୁମ୍ଭକୁ ଅନନ୍ତକାଳସ୍ଥାୟୀ ଗୌରବ ଓ ଅନେକ ପୁରୁଷ ପରମ୍ପରାର ଆନନ୍ଦ ସ୍ୱରୂପ କରିବା। 16ତୁମ୍ଭେ ଅନ୍ୟଦେଶୀୟମାନଙ୍କର ଦୁଗ୍ଧ ପାନ କରିବ ଓ ରାଜାଗଣର ସ୍ତନ ଚୁଷିବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ତୁମ୍ଭର ତ୍ରାଣକର୍ତ୍ତା ଓ ତୁମ୍ଭର ମୁକ୍ତିଦାତା, ଯାକୁବର ବଳଦାତା ଅଟୁ, ଏହା ତୁମ୍ଭେ ଜାଣିବ।

ସନ୍ଧ୍ୟା ପ୍ରାର୍ଥନା: ପାଠ (ତୃତୀୟ ପାଠ)

ଯାତ୍ରା 12:1–11

1ଏଥିଉତ୍ତାରେ ମିସର ଦେଶରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, 2“ଏହି ମାସ ତୁମ୍ଭମାନଙ୍କର ପ୍ରଧାନ ମାସ ଓ ବର୍ଷର ପ୍ରଥମ ମାସ ହେବ। 3ତୁମ୍ଭେମାନେ ଇସ୍ରାଏଲୀୟ ସମଗ୍ର ମଣ୍ଡଳୀକୁ ଏହି କଥା କୁହ, ଏହି ମାସର ଦଶମ ଦିନରେ ତୁମ୍ଭମାନଙ୍କର ପ୍ରତ୍ୟେକ ମନୁଷ୍ୟ ପିତୃଗୃହାନୁସାରେ ପ୍ରତ୍ୟେକ ପରିବାର ନିମନ୍ତେ ଏକ ଏକ ମେଷଶାବକ ନେବ। 4ଆଉ, ଗୋଟିଏ ମେଷଶାବକ ନେବା ନିମନ୍ତେ ଯଦି କୌଣସି ପରିଜନ ଅଳ୍ପ ହେବ, ତେବେ ସେ ଓ ତାହାର ଗୃହ ନିକଟବର୍ତ୍ତୀ ପ୍ରତିବାସୀ, ପ୍ରାଣୀଗଣର ସଂଖ୍ୟାନୁସାରେ ଏକ ମେଷଶାବକ ନେବେ; ତୁମ୍ଭେମାନେ ପ୍ରତ୍ୟେକ ଜଣର ଭୋଜନ ଶକ୍ତି ଅନୁସାରେ ମେଷଶାବକର ଅଟକଳ କରିବ। 5ତୁମ୍ଭେମାନେ ମେଷପଲ ବା ଛାଗପଲ ମଧ୍ୟରୁ ଶାବକ ନେବ; ତାହା ନିର୍ଦ୍ଦୋଷ, ଏକ ବର୍ଷୀୟ ଓ ପୁଂଶାବକ ହେବ; 6ସେହି ମାସର ଚତୁର୍ଦ୍ଦଶ ଦିନ ଯାଏ ତାକୁ ବନ୍ଦ କରି ରଖିବ; ଏଥିଉତ୍ତାରେ ଇସ୍ରାଏଲ-ମଣ୍ଡଳୀର ସମସ୍ତ ସମାଜ ସନ୍ଧ୍ୟାକାଳରେ ସେହି ଶାବକକୁ ବଧ କରିବେ। 7ପୁଣି, ଲୋକମାନେ ତାହାର କିଛି ରକ୍ତ ନେଇ ଯେଉଁ ଯେଉଁ ଗୃହ ମଧ୍ୟରେ ମେଷ ଭୋଜନ କରିବେ, ସେହି ସେହି ଗୃହ ଦ୍ୱାରର ଦୁଇ ବାଜୁବନ୍ଧ ଓ କପାଳୀ ଉପରେ ତାହା ଲଗାଇବେ। 8ଆଉ ସେହି ରାତ୍ରିରେ ତାହାର ମାଂସ ଭୋଜନ କରିବେ; ଅଗ୍ନିରେ ଦଗ୍ଧ କରି ତାଡ଼ିଶୂନ୍ୟ ରୁଟି ଓ ପିତା ଶାକ ସହିତ ତାହା ଭୋଜନ କରିବେ। 9ତୁମ୍ଭେମାନେ ସେହି ମାଂସ ଅପକ୍ୱ କିମ୍ବା ଜଳରେ ସିଦ୍ଧ କରି ଭୋଜନ କରିବ ନାହିଁ, ମାତ୍ର ଅଗ୍ନିରେ ତାହାର ମୁଣ୍ଡ ଓ ଜଙ୍ଘ ଶରୀର ସମେତ ଦଗ୍ଧ କରି ଭୋଜନ କରିବ। 10ପୁଣି, ପ୍ରଭାତ ଯାଏ ତହିଁର କିଛି ରଖିବ ନାହିଁ; ଯଦି ପ୍ରଭାତ ପର୍ଯ୍ୟନ୍ତ କିଛି ଅବଶିଷ୍ଟ ରହିବ, ତାହା ଅଗ୍ନିରେ ଭସ୍ମସାତ୍‍ କରିବ। 11ଏହି ପ୍ରକାରେ ତୁମ୍ଭେମାନେ ତାହା ଚଞ୍ଚଳ ଭୋଜନ କରିବ, କାରଣ ତୁମ୍ଭେମାନେ କଟିବନ୍ଧନ କରି ପାଦରେ ପାଦୁକା ଦେଇ ହସ୍ତରେ ଯଷ୍ଟି ଘେନି ଯାତ୍ରା କରିବା ନିମନ୍ତେ ପ୍ରସ୍ତୁତ ହେବ; ଏହା ସଦାପ୍ରଭୁଙ୍କର ନିସ୍ତାର ପର୍ବ।

ସନ୍ଧ୍ୟା ପ୍ରାର୍ଥନା: ପାଠ (ଚତୁର୍ଥ ପାଠ)

ଯୂନ 1:1–4:11

1ଅମିତ୍ତୟଙ୍କ ପୁତ୍ର ଯୂନସଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। 2“ଉଠ, ନୀନିବୀ ମହାନଗରକୁ ଯାଅ ଓ ତହିଁ ବିରୁଦ୍ଧରେ ଘୋଷଣା କର; କାରଣ ସେମାନଙ୍କର ଦୁଷ୍ଟତା ଆମ୍ଭ ସମ୍ମୁଖରେ ଉପସ୍ଥିତ ହୋଇଅଛି।” 3ମାତ୍ର ଯୂନସ ସଦାପ୍ରଭୁଙ୍କ ଛାମୁରୁ ତର୍ଶୀଶକୁ ପଳାଇ ଯିବା ନିମନ୍ତେ ଉଠିଲେ ଓ ଯାଫୋ ନଗରକୁ ଯାଇ ତର୍ଶୀଶଗାମୀ ଏକ ଜାହାଜ ପାଇଲେ; ତହୁଁ ସେ ତହିଁର ଭଡ଼ା ଦେଇ ସଦାପ୍ରଭୁଙ୍କ ଛାମୁରୁ ତର୍ଶୀଶକୁ ସେମାନଙ୍କ ସଙ୍ଗେ ଯିବା ନିମନ୍ତେ ସେହି ଜାହାଜରେ ଚଢ଼ିଲେ। 4ମାତ୍ର ସଦାପ୍ରଭୁ ସମୁଦ୍ରକୁ ପ୍ରଚଣ୍ଡ ବାୟୁ ପ୍ରେରଣ କଲେ, ତହିଁରେ ସମୁଦ୍ରରେ ଏପରି ପ୍ରବଳ ତୋଫାନ ହେଲା ଯେ, ଜାହାଜ ଭାଙ୍ଗିଯିବା ପରି ହେଲା। 5ସେତେବେଳେ ନାବିକମାନେ, ଭୀତ ହୋଇ ପ୍ରତ୍ୟେକ ଲୋକ ଆପଣା ଆପଣା ଦେବତା ନିକଟରେ ପ୍ରାର୍ଥନା କଲେ; ପୁଣି, ସେମାନେ ଜାହାଜକୁ ହାଲୁକା କରିବା ପାଇଁ ତନ୍ମଧ୍ୟସ୍ଥ ଦ୍ରବ୍ୟାଦି ସମୁଦ୍ରରେ ପକାଇଦେଲେ। ମାତ୍ର, ଯୂନସ ଜାହାଜର ଅନ୍ତରସ୍ଥ ଭାଗକୁ ଯାଇଥିଲେ; ଆଉ, ଶୟନ କରି ଘୋର ନିଦ୍ରାରେ ମଗ୍ନ ହୋଇଥିଲେ। 6ତହିଁରେ ଜାହାଜର ଅଧ୍ୟକ୍ଷ ତାଙ୍କ ନିକଟକୁ ଆସି କହିଲେ, “ହେ ନିଦ୍ରାଳୁ, କଅଣ କରୁଅଛ? ଉଠ, ତୁମ୍ଭ ଦେବତାଙ୍କ ନିକଟରେ ପ୍ରାର୍ଥନା କର, କେଜାଣି ତୁମ୍ଭର ଦେବତା ଆମ୍ଭମାନଙ୍କ ବିଷୟରେ ମନୋଯୋଗ କରିବେ ଓ ଆମ୍ଭେମାନେ ବିନଷ୍ଟ ନୋହିବୁ।” 7ପୁଣି, ନାବିକମାନେ ପ୍ରତ୍ୟେକେ ଆପଣା ଆପଣା ସଙ୍ଗୀକୁ କହିଲେ, “କାହା ହେତୁରୁ ଏହି ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟୁଅଛି ଏହା ଜାଣିବା ନିମନ୍ତେ ଆସ, ଆମ୍ଭେମାନେ ଗୁଲିବାଣ୍ଟ କରୁ।” ତହୁଁ ସେମାନେ ଗୁଲିବାଣ୍ଟ କରନ୍ତେ, ଯୂନସଙ୍କ ନାମରେ ଗୁଲି ଉଠିଲା। 8ସେତେବେଳେ ସେମାନେ ତାଙ୍କୁ କହିଲେ, “କାହା ହେତୁରୁ ଏହି ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟିଅଛି, ତାହା ଆମ୍ଭମାନଙ୍କୁ କୁହ; ତୁମ୍ଭେ କେଉଁ ବ୍ୟବସାୟୀ ଓ କେଉଁଠାରୁ ଆସିଅଛ? ତୁମ୍ଭର କେଉଁ ଦେଶ? ଓ ତୁମ୍ଭେ କେଉଁ ଗୋଷ୍ଠୀର ଲୋକ?” 9ତହିଁରେ ସେ ସେମାନଙ୍କୁ କହିଲେ, “ମୁଁ ଜଣେ ଏବ୍ରୀୟ; ପୁଣି, ଯେ ସମୁଦ୍ର ଓ ଶୁଷ୍କ ଭୂମିର ସୃଷ୍ଟି କରିଅଛନ୍ତି, ସେହି ସ୍ୱର୍ଗସ୍ଥ ପରମେଶ୍ୱର ସଦାପ୍ରଭୁଙ୍କୁ ମୁଁ ଭୟ କରେ।” 10ଏଥିରେ ସେହି ଲୋକମାନେ ମହାଭୀତ ହୋଇ ତାଙ୍କୁ କହିଲେ, “ତୁମ୍ଭେ ଏ କି କର୍ମ କରିଅଛ? କାରଣ ସେ ଜଣାଇଥିବାରୁ ସେମାନେ ଜାଣିଥିଲେ ଯେ, ସେ ସଦାପ୍ରଭୁଙ୍କ ଛାମୁରୁ ପଳାଉଅଛନ୍ତି।” 11ସେତେବେଳେ ସେମାନେ ତାଙ୍କୁ କହିଲେ, “ସମୁଦ୍ର ଯେପରି ଆମ୍ଭମାନଙ୍କ ପ୍ରତି ସୁସ୍ଥିର ହେବ, ଏଥିପାଇଁ ଆମ୍ଭେମାନେ ତୁମ୍ଭ ପ୍ରତି କଅଣ କରିବା?” କାରଣ, ସମୁଦ୍ର ବେଳକୁ ବେଳ ପ୍ରଚଣ୍ଡତର ହୋଇ ବଢ଼ିଲା। 12ତହିଁରେ ସେ ସେମାନଙ୍କୁ କହିଲେ, “ମୋତେ ଧରି ସମୁଦ୍ରରେ ପକାଇଦିଅ; ତହିଁରେ ସମୁଦ୍ର ତୁମ୍ଭମାନଙ୍କ ପ୍ରତି ସୁସ୍ଥିର ହେବ; କାରଣ ମୋʼ ସକାଶୁ ତୁମ୍ଭମାନଙ୍କ ନିକଟରେ ଏହି ମହାତୋଫାନ ଉପସ୍ଥିତ ହୋଇଅଛି ବୋଲି ମୁଁ ଜାଣେ।” 13ତଥାପି ସେହି ଲୋକମାନେ କୂଳକୁ ଫେରିଯିବା ନିମନ୍ତେ ବଡ଼ ଯତ୍ନରେ ଆହୁଲା ପକାଇଲେ; ମାତ୍ର ସେମାନେ ପାରିଲେ ନାହିଁ; କାରଣ ସମୁଦ୍ର ସେମାନଙ୍କ ପ୍ରତିକୂଳରେ ବେଳକୁ ବେଳ ପ୍ରଚଣ୍ଡତର ହୋଇ ବଢ଼ିଲା। 14ଏହେତୁରୁ ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ଆମ୍ଭେମାନେ ବିନତି କରୁଅଛୁ, ହେ ସଦାପ୍ରଭୁ, ଆମ୍ଭେମାନେ ବିନତି କରୁଅଛୁ, ଏହି ମନୁଷ୍ୟର ପ୍ରାଣ ସକାଶୁ ଆମ୍ଭେମାନେ ବିନଷ୍ଟ ନ ହେଉ, ପୁଣି ନିରପରାଧର ରକ୍ତପାତ-ଦୋଷ ଆମ୍ଭମାନଙ୍କ ଉପରେ ନ ବର୍ତ୍ତାଅ; କାରଣ ହେ ସଦାପ୍ରଭୁ, ତୁମ୍ଭେ ଆପଣା ଇଚ୍ଛାମତ କାର୍ଯ୍ୟ କରିଅଛ।” 15ଏଥିରେ ସେମାନେ ଯୂନସଙ୍କୁ ଧରି ସମୁଦ୍ରରେ ପକାଇଦେଲେ; ପୁଣି, ସମୁଦ୍ର ଆପଣା ପ୍ରଚଣ୍ଡତାରୁ ନିବୃତ୍ତ ହେଲା। 16ଏଥିରେ ସେହି ଲୋକମାନେ ସଦାପ୍ରଭୁଙ୍କୁ ଅତିଶୟ ଭୟ କଲେ ଓ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କଲେ ଓ ନାନା ମାନତ କଲେ। 17ପୁଣି, ଯେତେବେଳେ ସେମାନେ ଯୂନସଙ୍କୁ ସମୁଦ୍ରରେ ପକାଇଦେଲେ, ତାହାଙ୍କୁ ଗିଳିବା ନିମନ୍ତେ ସଦାପ୍ରଭୁ ଏକ ବୃହତ ମତ୍ସ୍ୟ ନିରୂପଣ କଲେ; ପୁଣି, ଯୂନସ ସେହି ମତ୍ସ୍ୟ ଉଦରରେ ତିନି ଦିନ ଓ ତିନି ରାତ୍ର ରହିଲେ। 2:1ସେତେବେଳେ ଯୂନସ ସେହି ମତ୍ସ୍ୟ ଉଦରରେ ଥାଇ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ। 2ଆଉ, ସେ କହିଲେ, “ମୁଁ ଆପଣା ଦୁଃଖ ସକାଶୁ ସଦାପ୍ରଭୁଙ୍କୁ ଡାକିଲି, ତହିଁରେ ସେ ମୋତେ ଉତ୍ତର ଦେଲେ, ମୁଁ ପାତାଳର ଉଦରରୁ ପ୍ରାର୍ଥନା କଲି, ତୁମ୍ଭେ ମୋର ରବ ଶୁଣିଲ। 3କାରଣ ତୁମ୍ଭେ ସମୁଦ୍ର ଗର୍ଭର ଗଭୀର ଜଳରେ ମୋତେ ନିକ୍ଷେପ କଲ, ତହିଁରେ ସ୍ରୋତ ମୋତେ ଚାରିଆଡ଼େ ଘେରିଲା; ତୁମ୍ଭର ଢେଉ ଓ ତରଙ୍ଗସବୁ ମୋʼ ଉପର ଦେଇ ଗଲା। 4ଆଉ, ମୁଁ କହିଲି, ମୁଁ ତୁମ୍ଭ ଦୃଷ୍ଟିଗୋଚରରୁ ଦୂରୀକୃତ ହୋଇଅଛି; ତଥାପି ମୁଁ ପୁନର୍ବାର ତୁମ୍ଭ ପବିତ୍ର ମନ୍ଦିର ଆଡ଼େ ଦୃଷ୍ଟିପାତ କରିବି। 5ଜଳରାଶି ପ୍ରାଣ ପର୍ଯ୍ୟନ୍ତ ହିଁ ମୋତେ ଘେରିଲା; ଗଭୀର ସାଗର ମୋତେ ଚାରିଆଡ଼େ ଘେରିଲା; ସମୁଦ୍ରର ଦଳ ମୋʼ ମସ୍ତକର ଚାରିଆଡ଼େ ଜଡ଼ିତ ହେଲା। 6ମୁଁ ପର୍ବତଗଣର ମୂଳ ପର୍ଯ୍ୟନ୍ତ ତଳକୁ ଗଲି; ମୋʼ ପଶ୍ଚାତ୍‍ ପୃଥିବୀ ଆପଣାର ଅର୍ଗଳସକଳ ଚିରକାଳ ନିମନ୍ତେ ରୁଦ୍ଧ କଲା; ତଥାପି ହେ ସଦାପ୍ରଭୁ, ମୋʼ ପରମେଶ୍ୱର, ତୁମ୍ଭେ ଗର୍ତ୍ତରୁ ମୋʼ ପ୍ରାଣକୁ ବାହାର କରି ଆଣିଲ। 7ମୋʼ ମଧ୍ୟରେ ମୋʼ ପ୍ରାଣ ମୂର୍ଚ୍ଛିତ ହେବା ବେଳେ ମୁଁ ସଦାପ୍ରଭୁଙ୍କୁ ସ୍ମରଣ କଲି; ପୁଣି, ମୋʼ ପ୍ରାର୍ଥନା ତୁମ୍ଭ ନିକଟରେ, ତୁମ୍ଭ ପବିତ୍ର ମନ୍ଦିରରେ ଉପସ୍ଥିତ ହେଲା। 8ଯେଉଁମାନେ ଅସାର ପ୍ରତିମାଗଣକୁ ମାନନ୍ତି, ସେମାନେ ନିଜ ଦୟାନିଧିଙ୍କୁ ପରିତ୍ୟାଗ କରନ୍ତି। 9ମାତ୍ର ମୁଁ ଧନ୍ୟବାଦ ସହିତ ତୁମ୍ଭ ଉଦ୍ଦେଶ୍ୟରେ ବଳିଦାନ କରିବି; ମୁଁ ଯାହା ମାନତ କରିଅଛି, ତାହା ପରିଶୋଧ କରିବି; ପରିତ୍ରାଣ ସଦାପ୍ରଭୁଙ୍କଠାରୁ ହୁଏ।” 10ଏଥିରେ ସଦାପ୍ରଭୁ ସେହି ମତ୍ସ୍ୟକୁ ଆଜ୍ଞା କରନ୍ତେ, ସେ ଯୂନସଙ୍କୁ ଶୁଷ୍କ ଭୂମିରେ ଉଦ୍ଗାର କଲା। 3:1ଏଥିଉତ୍ତାରେ ଦ୍ୱିତୀୟ ଥର ସଦାପ୍ରଭୁଙ୍କର ଏହି ବାକ୍ୟ ଯୂନସଙ୍କ ନିକଟରେ ଉପସ୍ଥିତ ହେଲା; 2“ଉଠ, ନୀନିବୀ ମହାନଗରକୁ ଯାଅ, ପୁଣି ଯାହା ଘୋଷଣା କରିବା ପାଇଁ ଆମ୍ଭେ ତୁମ୍ଭକୁ ଆଜ୍ଞା କରୁ, ତାହା ସେହି ନଗର ଉଦ୍ଦେଶ୍ୟରେ ପ୍ରଚାର କର।” 3ତହିଁରେ ଯୂନସ ଉଠି ସଦାପ୍ରଭୁଙ୍କ ବାକ୍ୟାନୁସାରେ ନୀନିବୀକୁ ଗଲେ। ନୀନିବୀ ତିନି ଦିନ ଯାତ୍ରାର ପଥ, ଅତି ବଡ଼ ନଗର ଥିଲା। 4ପୁଣି, ଯୂନସ ନଗରରେ ପ୍ରବେଶ କରିବାର ଆରମ୍ଭ କରି, ଏକ ଦିନର ପଥ ଯାଇ ଉଚ୍ଚସ୍ୱରରେ ଘୋଷଣା କରି କହିଲେ, “ଯଥା, ଆଉ ଚାଳିଶ ଦିନ ଗତ ହେଲେ ନୀନିବୀ ବିନଷ୍ଟ ହେବ।” 5ତହିଁରେ ନୀନିବୀର ଲୋକମାନେ ପରମେଶ୍ୱରଙ୍କଠାରେ ବିଶ୍ୱାସ କଲେ ଓ ଉପବାସ ଘୋଷଣା କରି ବଡ଼ଠାରୁ ସାନ ପର୍ଯ୍ୟନ୍ତ ସମସ୍ତେ ଚଟବସ୍ତ୍ର ପିନ୍ଧିଲେ। 6ଏଥିଉତ୍ତାରେ ଏହିସବୁ ବାର୍ତ୍ତା ନୀନିବୀ ରାଜା ନିକଟରେ ଉପସ୍ଥିତ ହୁଅନ୍ତେ, ସେ ଆପଣା ସିଂହାସନରୁ ଉଠିଲା ଓ ଆପଣାର ବସ୍ତ୍ର କାଢ଼ି ଚଟ ପିନ୍ଧି ପାଉଁଶରେ ବସିଲେ। 7ପୁଣି, ରାଜାର ଓ ଅଧ୍ୟକ୍ଷମାନଙ୍କର ଆଜ୍ଞାନୁସାରେ ସେ ନୀନିବୀର ସର୍ବତ୍ର ଏହି କଥା ଘୋଷଣା ଓ ପ୍ରଚାର କରାଇଲା, ଯଥା, “ମନୁଷ୍ୟ କି ପଶୁ କିଅବା ଗୋମେଷାଦି ପଲ କେହି କିଛି ଆସ୍ୱାଦନ ନ କରୁ; ସେମାନେ ଭୋଜନ କି ଜଳ ପାନ ନ କରନ୍ତୁ; 8ମାତ୍ର ମନୁଷ୍ୟ ଓ ପଶୁ ଚଟ ପରିଧାନ କରି ଯଥାଶକ୍ତି ପରମେଶ୍ୱରଙ୍କୁ ଡାକନ୍ତୁ; ଆହୁରି, ପ୍ରତ୍ୟେକ ଲୋକ ଆପଣା ଆପଣା କୁପଥରୁ ଓ ସେମାନଙ୍କ ହସ୍ତସ୍ଥିତ ଦୌରାତ୍ମ୍ୟରୁ ବିମୁଖ ହେଉନ୍ତୁ। 9କେଜାଣି ପରମେଶ୍ୱର ଫେରି ଦୁଃଖିତ ହୋଇ ଆପଣା ପ୍ରଚଣ୍ଡ କ୍ରୋଧରୁ ନିବୃତ୍ତ ହେବେ, ତହିଁରେ ଆମ୍ଭେମାନେ ବିନଷ୍ଟ ହେବା ନାହିଁ।” 10ତହୁଁ ସେମାନେ ଯେ ଆପଣା ଆପଣା କୁପଥରୁ ଫେରିଲେ, ସେମାନଙ୍କର ଏହି କର୍ମ ପରମେଶ୍ୱର ଦେଖିଲେ; ପୁଣି, ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବେ ବୋଲି କହିଥିଲେ, ପରମେଶ୍ୱର ସେହି ବିଷୟରେ ଦୁଃଖିତ ହୋଇ ତାହା ଘଟାଇଲେ ନାହିଁ। 4:1ମାତ୍ର ଯୂନସ ଏଥିରେ ମହା ଅସନ୍ତୁଷ୍ଟ ଓ କ୍ରୁଦ୍ଧ ହେଲେ। 2ଆଉ, ସେ ସଦାପ୍ରଭୁଙ୍କର ନିକଟରେ ପ୍ରାର୍ଥନା କରି କହିଲେ, “ହେ ସଦାପ୍ରଭୁ, ବିନତି କରେ, ମୁଁ ସ୍ୱଦେଶରେ ଥିବା ବେଳେ କି ଏହି କଥା କହି ନ ଥିଲି? ଏଥିପାଇଁ ଶୀଘ୍ର କରି ତର୍ଶୀଶକୁ ପଳାଇଲି; କାରଣ ତୁମ୍ଭେ ଯେ କୃପାମୟ, ସ୍ନେହଶୀଳ, କ୍ରୋଧରେ ଧୀର, ଦୟାରେ ମହାନ ଓ ଅମଙ୍ଗଳର ବିଷୟରେ ଅନିଚ୍ଛୁକ ପରମେଶ୍ୱର ଅଟ, ଏହା ମୁଁ ଜାଣିଲି। 3ଏହେତୁ ହେ ସଦାପ୍ରଭୁ, ବିନତି କରେ, ଏବେ ମୋʼ ପ୍ରାଣ ମୋʼ ଠାରୁ ନିଅ; କାରଣ ବଞ୍ଚିବା ଅପେକ୍ଷା ମୋର ମରିବାର ଭଲ।” 4ତହିଁରେ ସଦାପ୍ରଭୁ କହିଲେ, “ତୁମ୍ଭେ କ୍ରୋଧ କରି କି ଭଲ କରୁଅଛ?” 5ତେବେ ଯୂନସ ନଗର ବାହାରକୁ ଯାଇ ନଗରର ପୂର୍ବ ଦିଗରେ ବସିଲେ, ପୁଣି ସେଠାରେ ଗୋଟିଏ କୁଟୀର ନିର୍ମାଣ କରି ନଗରର କି ଦଶା ହୁଅଇ, ଏହା ଦେଖିବା ପାଇଁ ତହିଁର ଛାୟା ତଳେ ବସିଲେ। 6ତହିଁରେ ସଦାପ୍ରଭୁ ପରମେଶ୍ୱର ଗୋଟିଏ କଖାରୁ ଲତା ନିରୂପଣ କଲେ, ପୁଣି ଯୂନସଙ୍କୁ ତାଙ୍କ ଦୁର୍ଗତିରୁ ଉଦ୍ଧାର କରିବା ନିମନ୍ତେ ତାହା ଯେପରି ତାଙ୍କ ମସ୍ତକ ଉପରେ ଛାୟା କରିବ, ଏଥିପାଇଁ ସେ ଲତାକୁ ବଢ଼ାଇ ତାଙ୍କ ଉପରେ ଆଣିଲେ। ଏଥିରେ ଯୂନସ ସେହି କଖାରୁ ଲତା ସକାଶୁ ବଡ଼ ଆହ୍ଲାଦିତ ହେଲେ। 7ମାତ୍ର ତହିଁ ଆରଦିନ ସୂର୍ଯ୍ୟୋଦୟ ସମୟରେ ପରମେଶ୍ୱର ଏକ କୀଟ ନିରୂପଣ କଲେ, ସେହି କୀଟ କଖାରୁ ଲତାକୁ କାଟି ଦିଅନ୍ତେ, ତାହା ଶୁଷ୍କ ହୋଇଗଲା। 8ପୁଣି, ସୂର୍ଯ୍ୟୋଦୟ ସମୟରେ ପରମେଶ୍ୱର ପୂର୍ବୀୟ ଝଞ୍ଜା ବାୟୁ ନିରୂପଣ କଲେ; ଆଉ, ଯୂନସଙ୍କ ମସ୍ତକରେ ଏପରି ଖରା ଲାଗିଲା ଯେ, ସେ କ୍ଳାନ୍ତ ହୋଇ ଆପଣାର ମୃତ୍ୟୁ-ପ୍ରାର୍ଥନା କରି କହିଲେ, “ବଞ୍ଚିବା ଅପେକ୍ଷା ମୋର ମରିବାର ଭଲ।” 9ଏଥିରେ ପରମେଶ୍ୱର ଯୂନସଙ୍କୁ କହିଲେ, “ତୁମ୍ଭେ କଖାରୁ ଲତା ସକାଶୁ କ୍ରୋଧ କରି କି ଭଲ କରୁଅଛ?” ତହିଁରେ ସେ କହିଲେ, “ମରଣ ପର୍ଯ୍ୟନ୍ତ ହିଁ କ୍ରୋଧ କରିବାର ମୋର ଭଲ।” 10ପୁଣି, ସଦାପ୍ରଭୁ କହିଲେ, “ଏହି କଖାରୁ ଲତା ପ୍ରତି ତୁମ୍ଭର ଦୟା ହୋଇଅଛି, ତହିଁ ପାଇଁ ତୁମ୍ଭେ ପରିଶ୍ରମ କରି ନାହଁ, କିଅବା ତାହା ବଢ଼ାଇ ନାହଁ; ତାହା ଏକ ରାତ୍ରିରେ ଉତ୍ପନ୍ନ ହେଲା ଓ ଏକ ରାତ୍ରିରେ ବିନଷ୍ଟ ହେଲା। 11ତେବେ ଯହିଁ ମଧ୍ୟରେ ଦକ୍ଷିଣ ଓ ବାମ ହସ୍ତର ପ୍ରଭେଦ ନ ଜାଣିବାର ଏକ ଲକ୍ଷ କୋଡ଼ିଏ ହଜାରରୁ ଅଧିକ ଲୋକ ଓ ଅନେକ ପଶୁ ଅଛନ୍ତି, ସେହି ନୀନିବୀ ମହାନଗର ପ୍ରତି ଆମ୍ଭେ କି ଦୟା ନ କରିବା?”

ସନ୍ଧ୍ୟା ପ୍ରାର୍ଥନା: ପାଠ (ପଞ୍ଚମ ପାଠ)

ଯିହୋ 5:10–15

10ଇସ୍ରାଏଲ-ସନ୍ତାନଗଣ ଗିଲ୍‍ଗଲ୍‍ରେ ଛାଉଣି ସ୍ଥାପନ କଲେ; ପୁଣି ସେମାନେ ସେହି ମାସର ଚତୁର୍ଦ୍ଦଶ ଦିନ ସନ୍ଧ୍ୟା ବେଳେ ଯିରୀହୋ ପଦାରେ ନିସ୍ତାର ପର୍ବ ପାଳନ କଲେ। 11ଆଉ ନିସ୍ତାର ପର୍ବର ପରଦିନ ସେମାନେ ଦେଶର ପୁରାତନ ଶସ୍ୟ ଭୋଜନ କଲେ, ସେହି ଦିନ ତାଡ଼ିଶୂନ୍ୟ ରୁଟି ଓ ଭଜା ଶସ୍ୟ ଖାଇଲେ। 12ପୁଣି ଦେଶର ପୁରାତନ ଶସ୍ୟ ଭୋଜନ କରିବାର ପରଦିନ ମାନ୍ନା ନିବୃତ୍ତ ହେଲା; ତହୁଁ ଇସ୍ରାଏଲ-ସନ୍ତାନଗଣ ଆଉ ମାନ୍ନା ପାଇଲେ ନାହିଁ; ମାତ୍ର ସେମାନେ ସେହି ବର୍ଷ କିଣାନ ଦେଶର ଫଳ ଭୋଜନ କଲେ। 13ପୁଣି ଯିହୋଶୂୟ ଯିରୀହୋ ନିକଟରେ ଥିବା ବେଳେ ଏପରି ହେଲା ଯେ, ସେ ଚକ୍ଷୁ ମେଲାଇ ଅନାଇଲେ, ଆଉ ଦେଖ, ନିଷ୍କୋଷ ଖଡ୍ଗ ହସ୍ତ ଏକ ପୁରୁଷ ତାଙ୍କ ସମ୍ମୁଖରେ ଛିଡ଼ା ହେଲେ; ଏଥିରେ ଯିହୋଶୂୟ ତାଙ୍କ ନିକଟକୁ ଯାଇ ତାଙ୍କୁ ପଚାରିଲେ, “ତୁମ୍ଭେ ଆମ୍ଭମାନଙ୍କ ପକ୍ଷ କି ଆମ୍ଭମାନଙ୍କ ବିପକ୍ଷମାନଙ୍କ ପକ୍ଷ?” 14ତହୁଁ ସେ କହିଲେ, “ନା; ମାତ୍ର ଆମ୍ଭେ ସଦାପ୍ରଭୁଙ୍କ ସୈନ୍ୟର ସେନାପତି, ଏବେ ଆସିଲୁ;” ତହିଁରେ ଯିହୋଶୂୟ ଭୂମିରେ ମୁହଁ ମାଡ଼ି ପଡ଼ି ପ୍ରଣାମ କରି ତାହାଙ୍କୁ କହିଲେ, “ମୋହର ପ୍ରଭୁ ଆପଣା ଦାସକୁ କି ଆଜ୍ଞା ଦେଉଅଛନ୍ତି?” 15ତହୁଁ ସଦାପ୍ରଭୁଙ୍କ ସୈନ୍ୟର ସେନାପତି ଯିହୋଶୂୟଙ୍କୁ କହିଲେ, “ତୁମ୍ଭ ପାଦରୁ ପାଦୁକା କାଢ଼, କାରଣ ଯେଉଁ ସ୍ଥାନରେ ତୁମ୍ଭେ ଠିଆ ହେଉଅଛ, ତାହା ପବିତ୍ର।” ଆଉ ଯିହୋଶୂୟ ସେପରି କଲେ।

ସନ୍ଧ୍ୟା ପ୍ରାର୍ଥନା: ପାଠ (ଷଷ୍ଠ ପାଠ)

ଯାତ୍ରା 13:20–15:19

20ଏଥିଉତ୍ତାରେ ସେମାନେ ସୁକ୍କୋତଠାରୁ ଯାତ୍ରା କରି ପ୍ରାନ୍ତର-ଧାରସ୍ଥିତ ଏଥମରେ ଛାଉଣି କଲେ। 21ସେମାନେ ଯେପରି ଦିବସରେ ଓ ରାତ୍ରିରେ ଯାତ୍ରା କରି ପାରିବେ, ଏଥିପାଇଁ ସଦାପ୍ରଭୁ ଦିବସରେ ପଥ କଢ଼ାଇବା ନିମନ୍ତେ ମେଘ ସ୍ତମ୍ଭରେ ଓ ରାତ୍ରିରେ ଦୀପ୍ତି ଦେବା ନିମନ୍ତେ ଅଗ୍ନିସ୍ତମ୍ଭରେ ଥାଇ ସେମାନଙ୍କ ଆଗେ ଆଗେ ଯାତ୍ରା କଲେ; 22ସେ ଲୋକମାନଙ୍କ ସମ୍ମୁଖରୁ ଦିବସରେ ମେଘସ୍ତମ୍ଭ ଓ ରାତ୍ରିରେ ଅଗ୍ନିସ୍ତମ୍ଭ ସ୍ଥାନାନ୍ତର କଲେ ନାହିଁ। 14:1ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 2“ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ, ତୁମ୍ଭେମାନେ ଫେରି ପୀହହୀରୋତର ପୂର୍ବ ଦିଗରେ ମିଗ୍‍ଦୋଲ ଓ ସମୁଦ୍ର ମଧ୍ୟରେ ଛାଉଣି ସ୍ଥାପନ କର; ତୁମ୍ଭେମାନେ ବାଲ-ସଫୋନ ଆଗରେ, ଅର୍ଥାତ୍‍, ତାହାର ସମ୍ମୁଖରେ ସମୁଦ୍ର ନିକଟରେ ଛାଉଣି ସ୍ଥାପନ କର। 3ତହିଁରେ ଫାରୋ ଇସ୍ରାଏଲ-ସନ୍ତାନଗଣ ବିଷୟରେ କହିବ, ‘ସେମାନେ ଦେଶ ମଧ୍ୟରେ ଧନ୍ଦଳା ହୋଇ ରହିଅଛନ୍ତି ଓ ପ୍ରାନ୍ତର ସେମାନଙ୍କ ପଥ ରୁଦ୍ଧ କରିଅଛି।’ 4ଆଉ, ଆମ୍ଭେ ଫାରୋର ହୃଦୟ କଠିନ କରିବା, ତହିଁରେ ସେ ସେମାନଙ୍କ ପଛେ ପଛେ ଦୌଡ଼ିବ; ପୁଣି, ଆମ୍ଭେ ଫାରୋ ଓ ତାହାର ସକଳ ସୈନ୍ୟ ଦ୍ୱାରା ସମ୍ଭ୍ରମ ପାଇବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ, ଏହା ମିସରୀୟ ଲୋକମାନେ ଜାଣିବେ।” ତହୁଁ ସେମାନେ ସେହିପରି କଲେ। 5ଏଥିଉତ୍ତାରେ ଲୋକମାନେ ପଳାଇଅଛନ୍ତି, ଏହି ସମ୍ବାଦ ମିସରୀୟ ରାଜାଙ୍କୁ ଜଣାଯାଆନ୍ତେ, ଲୋକମାନଙ୍କ ବିଷୟରେ ଫାରୋଙ୍କର ଓ ତାଙ୍କର ଦାସମାନଙ୍କ ଅନ୍ତଃକରଣ ପରିବର୍ତ୍ତିତ ହେଲା; ତହୁଁ ସେମାନେ କହିଲେ, “ଆମ୍ଭେମାନେ ଏ କି କର୍ମ କରିଅଛୁ? କାହିଁକି ଇସ୍ରାଏଲକୁ ଆପଣାମାନଙ୍କ ଦାସତ୍ୱରୁ ଛାଡ଼ି ଦେଇଅଛୁ?” 6ତହୁଁ ରାଜା ଆପଣା ରଥ ପ୍ରସ୍ତୁତ କରାଇଲେ ଓ ଆପଣା ଲୋକମାନଙ୍କୁ ସଙ୍ଗରେ ନେଲେ। 7ପୁଣି, ଛଅ ଶହ ବଛା ରଥ ଓ ମିସରୀୟମାନଙ୍କର ସମସ୍ତ ରଥ ଓ ପ୍ରତ୍ୟେକ ରଥରେ ଯୋଦ୍ଧାମାନଙ୍କୁ ନେଲେ। 8ଆଉ ସଦାପ୍ରଭୁ ମିସରୀୟ ରାଜା ଫାରୋଙ୍କର ହୃଦୟ କଠିନ କରନ୍ତେ, ସେ ଇସ୍ରାଏଲ-ସନ୍ତାନଗଣର ପଛେ ପଛେ ଗୋଡ଼ାଇଲେ; ସେତେବେଳେ ଇସ୍ରାଏଲ ସନ୍ତାନମାନେ ଊର୍ଦ୍ଧ୍ୱ ହସ୍ତରେ ଯାତ୍ରା କରୁଥିଲେ। 9ତହୁଁ ମିସରୀୟମାନେ, ଅର୍ଥାତ୍‍, ଫାରୋଙ୍କର ସମସ୍ତ ଅଶ୍ୱ, ରଥ ଓ ଅଶ୍ୱାରୂଢ଼ ସୈନ୍ୟଗଣ ସେମାନଙ୍କ ପଛେ ପଛେ ଦୌଡ଼ି ବାଲ-ସଫୋନ ଅଗ୍ରତେ ପୀହହୀରୋତ ନିକଟରେ ସମୁଦ୍ର ତୀରରେ ସେମାନେ ଛାଉଣି କରିବା ସମୟରେ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ। 10ଆଉ ଫାରୋ ନିକଟବର୍ତ୍ତୀ ହୁଅନ୍ତେ, ଇସ୍ରାଏଲ-ସନ୍ତାନଗଣ ଅନାଇ ଆପଣାମାନଙ୍କ ପଶ୍ଚାତ୍‍ ପଶ୍ଚାତ୍‍ ଆଗମନକାରୀ ମିସରୀୟମାନଙ୍କୁ ଦେଖି ଅତିଶୟ ଭୀତ ହେଲେ, ପୁଣି, ଇସ୍ରାଏଲ ସନ୍ତାନମାନେ ସଦାପ୍ରଭୁଙ୍କୁ ଡାକ ପକାଇଲେ। 11ପୁଣି, ମୋଶାଙ୍କୁ କହିଲେ, “ମିସରରେ କବର ନ ଥିଲା ବୋଲି କି ପ୍ରାନ୍ତରରେ ତୁମ୍ଭେ ଆମ୍ଭମାନଙ୍କୁ ମାରିବାକୁ ଆଣିଲ? ଆମ୍ଭମାନଙ୍କ ସଙ୍ଗରେ ଏରୂପ ବ୍ୟବହାର କରି ଆମ୍ଭମାନଙ୍କୁ ମିସରରୁ କାହିଁକି ବାହାର କରି ଆଣିଲ? 12ଆମ୍ଭମାନଙ୍କୁ ରହିବାକୁ ଦିଅ, ‘ଆମ୍ଭେମାନେ ମିସରୀୟମାନଙ୍କର ଦାସ୍ୟକର୍ମ କରିବା, କାରଣ ପ୍ରାନ୍ତରରେ ମରିବା ଅପେକ୍ଷା ମିସରୀୟମାନଙ୍କର ସେବା କରିବା ଆମ୍ଭମାନଙ୍କର ମଙ୍ଗଳ, ଆମ୍ଭେମାନେ କି ମିସରରେ ତୁମ୍ଭଙ୍କୁ ଏହି କଥା କହି ନ ଥିଲୁ?’” 13ତହୁଁ ମୋଶା ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ଭୟ କର ନାହିଁ, ସୁସ୍ଥିର ହୁଅ; ସଦାପ୍ରଭୁ ଆଜି କିପରି ତୁମ୍ଭମାନଙ୍କୁ ଉଦ୍ଧାର କରିବେ, ତାହା ଦେଖ; ତୁମ୍ଭେମାନେ ଆଜି ଯେପରି ମିସରୀୟମାନଙ୍କୁ ଦେଖୁଅଛ, ସେପରି ଅନନ୍ତକାଳ ପର୍ଯ୍ୟନ୍ତ ଆଉ କେବେ ଦେଖିବ ନାହିଁ। 14ସଦାପ୍ରଭୁ ତୁମ୍ଭମାନଙ୍କ ନିମନ୍ତେ ଯୁଦ୍ଧ କରିବେ, ତୁମ୍ଭେମାନେ ନୀରବ ରହିବ।” 15ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଆମ୍ଭଙ୍କୁ କାହିଁକି ଡାକୁଅଛ? ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ, ସେମାନେ ଅଗ୍ରସର ହେଉନ୍ତୁ। 16ପୁଣି, ତୁମ୍ଭେ ଆପଣା ଯଷ୍ଟି ଉଠାଅ ଓ ସମୁଦ୍ର ଉପରେ ହସ୍ତ ବିସ୍ତାର କରି ତାହା ଦୁଇ ଭାଗ କର; ତହିଁରେ ଇସ୍ରାଏଲ-ସନ୍ତାନଗଣ ଶୁଷ୍କ ପଥ ଦେଇ ସମୁଦ୍ର ମଧ୍ୟରେ ପ୍ରବେଶ କରିବେ। 17ପୁଣି, ଆମ୍ଭେ, ଦେଖ, ଆମ୍ଭେ ମିସରୀୟମାନଙ୍କ ହୃଦୟ କଠିନ କରନ୍ତେ, ସେମାନେ ସେମାନଙ୍କ ପଛେ ପଛେ ଯିବେ, ତହିଁରେ ଆମ୍ଭେ ଫାରୋ ଓ ତାହାର ସମସ୍ତ ସୈନ୍ୟ, ରଥ ଓ ଅଶ୍ୱାରୂଢ଼ ଲୋକମାନଙ୍କ ଦ୍ୱାରା ସମ୍ଭ୍ରମ ପ୍ରାପ୍ତ ହେବା। 18ଆଉ ଫାରୋ, ତାହାର ରଥ ଓ ତାହାର ଅଶ୍ୱାରୂଢ଼ ଲୋକମାନଙ୍କ ଦ୍ୱାରା ସମ୍ଭ୍ରମ ପ୍ରାପ୍ତ ହେଲା ଉତ୍ତାରେ ଆମ୍ଭେ ଯେ ସଦାପ୍ରଭୁ, ଏହା ମିସରୀୟ ଲୋକମାନେ ଜାଣିବେ।” 19ସେତେବେଳେ ଇସ୍ରାଏଲୀୟ ଦଳର ଅଗ୍ରଗାମୀ ପରମେଶ୍ୱରଙ୍କ ଦୂତ ସ୍ଥାନାନ୍ତର ହୋଇ ସେମାନଙ୍କର ପଶ୍ଚାଦ୍‍ଗାମୀ ହେଲେ, ପୁଣି, ମେଘସ୍ତମ୍ଭ ସେମାନଙ୍କ ସମ୍ମୁଖରୁ ସ୍ଥାନାନ୍ତର ହୋଇ ସେମାନଙ୍କ ପଛେ ଛିଡ଼ା ହେଲା। 20ସେହି ମେଘସ୍ତମ୍ଭ ମିସରୀୟ ଦଳ ଓ ଇସ୍ରାଏଲୀୟ ଦଳ ମଧ୍ୟକୁ ଆସିଲା, ପୁଣି, ମେଘ ଓ ଅନ୍ଧକାର ହେଲେ ହେଁ ତାହା ରାତ୍ରିକୁ ଆଲୋକମୟ କଲା; ଏଥିପାଇଁ ସମସ୍ତ ରାତ୍ରି ଏକ ଦଳ ଅନ୍ୟ ଦଳ ନିକଟକୁ ଆସି ପାରିଲେ ନାହିଁ। 21ଏଥିଉତ୍ତାରେ ମୋଶା ସମୁଦ୍ର ଉପରେ ଆପଣା ହସ୍ତ ବିସ୍ତାର କରନ୍ତେ, ସଦାପ୍ରଭୁ ସେହି ସମସ୍ତ ରାତ୍ରି ପ୍ରବଳ ପୂର୍ବୀୟ ବାୟୁ ଦ୍ୱାରା ସମୁଦ୍ରକୁ ପଶ୍ଚାତ୍‍ ହଟାଇ ଶୁଷ୍କ କଲେ ଓ ଜଳ ଦୁଇ ଭାଗ ହେଲା। 22ତହିଁରେ ଇସ୍ରାଏଲ-ସନ୍ତାନଗଣ ଶୁଷ୍କ ପଥ ଦେଇ ସମୁଦ୍ର ମଧ୍ୟରେ ଗମନ କଲେ, ପୁଣି, ସେମାନଙ୍କ ଦକ୍ଷିଣରେ ଓ ବାମରେ ଜଳ ପ୍ରାଚୀର ତୁଲ୍ୟ ହେଲା। 23ଏଥିଉତ୍ତାରେ ମିସରୀୟମାନେ, ଅର୍ଥାତ୍‍, ଫାରୋଙ୍କର ସମସ୍ତ ଅଶ୍ୱ, ରଥ, ଓ ଅଶ୍ୱାରୂଢ଼ ଲୋକ ସମସ୍ତେ ଦୌଡ଼ି ସେମାନଙ୍କ ପଛେ ପଛେ ସମୁଦ୍ରରେ ପ୍ରବେଶ କଲେ। 24ମାତ୍ର ରାତ୍ରିର ଶେଷ ପ୍ରହରରେ ସଦାପ୍ରଭୁ ଅଗ୍ନି ଓ ମେଘସ୍ତମ୍ଭ ଦେଇ ମିସରୀୟମାନଙ୍କ ସୈନ୍ୟକୁ ଅନାଇଲେ ଓ ମିସରୀୟମାନଙ୍କ ସୈନ୍ୟକୁ ଅସ୍ତବ୍ୟସ୍ତ କଲେ। 25ସେ ସେମାନଙ୍କ ରଥର ଚକ୍ର ବାହାର କରି ପକାନ୍ତେ, ସେମାନେ ଅତି କଷ୍ଟରେ ରଥ ଚଳାଇଲେ; ତହିଁରେ ମିସରୀୟ ଲୋକମାନେ କହିଲେ, “ଆସ, ଆମ୍ଭେମାନେ ଇସ୍ରାଏଲ ସମ୍ମୁଖରୁ ପଳାଇ ଯାଉ; କାରଣ ସଦାପ୍ରଭୁ ସେମାନଙ୍କର ସପକ୍ଷ ହୋଇ ମିସରୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛନ୍ତି।” 26ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ସମୁଦ୍ର ଉପରେ ଆପଣା ହସ୍ତ ବିସ୍ତାର କର; ତହିଁରେ ମିସରୀୟମାନଙ୍କ, ସେମାନଙ୍କ ରଥ ଓ ଅଶ୍ୱାରୂଢ଼ ଲୋକମାନଙ୍କ ଉପରେ ପୁନର୍ବାର ଜଳ ଆସିବ।” 27ତହୁଁ ମୋଶା ସମୁଦ୍ର ଉପରେ ହସ୍ତ ବିସ୍ତାର କଲେ, ଆଉ ପ୍ରଭାତ ସମୟକୁ ସମୁଦ୍ର ପୁନର୍ବାର ସମାନ ହେବାକୁ ଲାଗିଲା; ତହୁଁ ମିସରୀୟମାନେ ଉଜାଣି ପଳାୟନ କରନ୍ତେ, ସଦାପ୍ରଭୁ ସମୁଦ୍ର ମଧ୍ୟରେ ସେମାନଙ୍କୁ ନିକ୍ଷେପ କଲେ। 28ପୁଣି, ଜଳ ପୁନର୍ବାର ଆସି ସେମାନଙ୍କ ରଥ ଓ ଅଶ୍ୱାରୂଢ଼ ଲୋକମାନଙ୍କୁ ଆଚ୍ଛାଦନ କଲା; ତହିଁରେ ଫାରୋଙ୍କର ଯେଉଁସବୁ ସୈନ୍ୟ ସେମାନଙ୍କ ପଛେ ପଛେ ସମୁଦ୍ର ମଧ୍ୟରେ ପ୍ରବେଶ କରିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ମଧ୍ୟ ଅବଶିଷ୍ଟ ରହିଲା ନାହିଁ। 29ମାତ୍ର ଇସ୍ରାଏଲ-ସନ୍ତାନଗଣ ଶୁଷ୍କ ପଥରେ ସମୁଦ୍ର ମଧ୍ୟଦେଇ ଗମନ କଲେ; ପୁଣି, ଜଳ ସେମାନଙ୍କ ବାମ ଓ ଦକ୍ଷିଣରେ ପ୍ରାଚୀର ତୁଲ୍ୟ ହେଲା। 30ଏହି ପ୍ରକାରେ ସେହି ଦିନ ସଦାପ୍ରଭୁ ମିସରୀୟମାନଙ୍କ ହସ୍ତରୁ ଇସ୍ରାଏଲଙ୍କୁ ରକ୍ଷା କଲେ ଓ ଇସ୍ରାଏଲ ମିସରୀୟମାନଙ୍କୁ ସମୁଦ୍ର ତୀରରେ ମୃତ ଦେଖିଲେ। 31ସଦାପ୍ରଭୁ ମିସରୀୟମାନଙ୍କ ବିରୁଦ୍ଧରେ ଏହି ଯେଉଁ ମହତ୍ କର୍ମ କଲେ, ତାହା ଇସ୍ରାଏଲ ଦେଖିଲେ; ତହିଁରେ ଲୋକମାନେ ସଦାପ୍ରଭୁଙ୍କୁ ଭୟ କରି ସଦାପ୍ରଭୁଙ୍କଠାରେ ଓ ତାହାଙ୍କ ଦାସ ମୋଶାଙ୍କଠାରେ ବିଶ୍ୱାସ କଲେ। 15:1ସେତେବେଳେ ମୋଶା ଓ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତ ଗାନ କଲେ, ଯଥା, “ଆମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବା, କାରଣ ସେ ଅତିଶୟ ଉନ୍ନତ ହୋଇଅଛନ୍ତି; ସେ ଅଶ୍ୱ ଓ ଅଶ୍ୱାରୋହୀଙ୍କୁ ସମୁଦ୍ରରେ ନିକ୍ଷେପ କରିଅଛନ୍ତି। 2ସଦାପ୍ରଭୁ ଆମ୍ଭର ବଳ ଓ ଗାନ, ପୁଣି, ସେ ଆମ୍ଭର ପରିତ୍ରାଣ ହୋଇଅଛନ୍ତି; ସେ ଆମ୍ଭର ପରମେଶ୍ୱର, ଆମ୍ଭେ ତାହାଙ୍କର ପ୍ରଶଂସା କରିବା; ସେ ଆମ୍ଭର ପୈତୃକ ପରମେଶ୍ୱର, ଆମ୍ଭେ ତାହାଙ୍କର ଗୁଣାନୁବାଦ କରିବା। 3ସଦାପ୍ରଭୁ ଯୁଦ୍ଧବୀର; ସଦାପ୍ରଭୁ ତାହାଙ୍କର ନାମ। 4ସେ ଫାରୋଙ୍କର ରଥ ଓ ସୈନ୍ୟଗଣକୁ ସମୁଦ୍ରରେ ନିକ୍ଷେପ କରିଅଛନ୍ତି; ପୁଣି, ତାଙ୍କର ବଛା ବୀରମାନେ ସୂଫ ସାଗରରେ ନିମଗ୍ନ ହୋଇଅଛନ୍ତି। 5ଗଭୀର ଜଳ ସେମାନଙ୍କୁ ଆଚ୍ଛାଦନ କରିଅଛି, ସେମାନେ ପ୍ରସ୍ତର ତୁଲ୍ୟ ଅଗାଧ ଜଳରେ ବୁଡ଼ିଗଲେ। 6ହେ ସଦାପ୍ରଭୁ, ତୁମ୍ଭର ଦକ୍ଷିଣ ହସ୍ତ ବଳରେ ଗୌରବାନ୍ୱିତ; ହେ ସଦାପ୍ରଭୁ, ତୁମ୍ଭର ଦକ୍ଷିଣ ହସ୍ତ ଶତ୍ରୁକୁ ଚୂର୍ଣ୍ଣ କରେ, 7ତୁମ୍ଭେ ଆପଣା ଉତ୍କୃଷ୍ଟ ମହିମାରେ ଆପଣା ପ୍ରତିକୂଳାଚାରୀମାନଙ୍କୁ ନିପାତ କରିଥାଅ; ତୁମ୍ଭେ ଆପଣା କ୍ରୋଧାଗ୍ନି ପଠାଅ, ତାହା ସେମାନଙ୍କୁ ନଡ଼ା ପରି ଗ୍ରାସ କରେ। 8ତୁମ୍ଭ ନାସିକାର ନିଃଶ୍ୱାସ ଦ୍ୱାରା ଜଳ ରାଶୀକୃତ ହେଲା; ସ୍ରୋତସକଳ ସେତୁ ପରି ଛିଡ଼ା ହୋଇ ରହିଲା; ସମୁଦ୍ର ମଧ୍ୟସ୍ଥଳରେ ଗଭୀର ଜଳ ଜମାଟ ହୋଇଗଲା। 9ଶତ୍ରୁ କହିଲା: ‘ଆମ୍ଭେ ପଛେ ପଛେ ଗୋଡ଼ାଇବା, ଆମ୍ଭେ ସେମାନଙ୍କୁ ଧରିବା, ଆମ୍ଭେ ଲୁଟିତ ଦ୍ରବ୍ୟ ବିଭାଗ କରି ନେବା; ସେମାନଙ୍କ ଉପରେ ଆମ୍ଭର ଅଭିଳାଷ ପୂର୍ଣ୍ଣ ହେବ; ଆମ୍ଭେ ଆପଣା ଖଡ୍ଗ ନିଷ୍କୋଷ କରିବା, ଆମ୍ଭର ହସ୍ତ ସେମାନଙ୍କୁ ବିନାଶ କରିବ।’ 10ମାତ୍ର ତୁମ୍ଭେ ଆପଣା ନିଃଶ୍ୱାସ ଦ୍ୱାରା ଫୁଙ୍କି ଦେଲ, ସମୁଦ୍ର ସେମାନଙ୍କୁ ଆଚ୍ଛାଦନ କଲା, ସେମାନେ ସୀସା ପରି ଗଭୀର ଜଳରେ ବୁଡ଼ିଗଲେ। 11ହେ ସଦାପ୍ରଭୁ, ଦେବଗଣ ମଧ୍ୟରେ ତୁମ୍ଭ ତୁଲ୍ୟ କିଏ? ତୁମ୍ଭ ସମାନ ପବିତ୍ରତାରେ ଆଦରଣୀୟ, ପ୍ରଶଂସାରେ ଭୟାନକ ଓ ଆଶ୍ଚର୍ଯ୍ୟକ୍ରିୟାକାରୀ କିଏ? 12ତୁମ୍ଭେ ଆପଣା ଦକ୍ଷିଣ ହସ୍ତ ବିସ୍ତାର କଲ, ପୃଥିବୀ ସେମାନଙ୍କୁ ଗ୍ରାସ କଲା। 13ତୁମ୍ଭେ ଆପଣା ଦୟାରେ ନିଜ ମୁକ୍ତ ଲୋକମାନଙ୍କୁ ଗମନ କରାଉଅଛ, ତୁମ୍ଭେ ଆପଣା ପରାକ୍ରମରେ ସେମାନଙ୍କୁ ପଥ କଢ଼ାଇ ତୁମ୍ଭ ପବିତ୍ର ନିବାସ ସ୍ଥାନକୁ ନେଇ ଯାଉଅଛ। 14ଲୋକମାନେ ଏହା ଶୁଣିଅଛନ୍ତି, ସେମାନେ କମ୍ପୁଅଛନ୍ତି; ବେଦନା ପଲେଷ୍ଟୀୟ ନିବାସୀମାନଙ୍କୁ ଆକ୍ରାନ୍ତ କରିଅଛି। 15ସେତେବେଳେ ଇଦୋମର ରାଜଗଣ ବିହ୍ୱଳ ହେଲେ; କମ୍ପ ମୋୟାବର ବଳବାନ ଲୋକଙ୍କୁ ଆକ୍ରମଣ କରୁଅଛି; କିଣାନ ନିବାସୀ ସମସ୍ତେ ତରଳି ଯାଇଅଛନ୍ତି। 16ତ୍ରାସ ଓ ଆଶଙ୍କା ସେମାନଙ୍କ ଉପରେ ପଡ଼ୁଅଛି; ହେ ସଦାପ୍ରଭୁ, ଯେପର୍ଯ୍ୟନ୍ତ ତୁମ୍ଭ ଲୋକମାନେ ଚାଲିଯାଇ ନାହାନ୍ତି, ଯେପର୍ଯ୍ୟନ୍ତ ତୁମ୍ଭ କ୍ରୀତ ଲୋକମାନେ ଚାଲିଯାଇ ନାହାନ୍ତି, ସେପର୍ଯ୍ୟନ୍ତ ତୁମ୍ଭ ବାହୁ ବଳ ଦ୍ୱାରା ସେମାନେ ପ୍ରସ୍ତର ନ୍ୟାୟ ସ୍ତବ୍ଧ ହୋଇ ରହିଅଛନ୍ତି। 17ହେ ସଦାପ୍ରଭୁ, ତୁମ୍ଭେ ଆପଣା ନିବାସ ନିମନ୍ତେ ଯେଉଁ ସ୍ଥାନ ପ୍ରସ୍ତୁତ କରିଅଛ, ପ୍ରଭୁ, ତୁମ୍ଭର ହସ୍ତ ଯେଉଁ ଧର୍ମଧାମ ସ୍ଥାପନ କରିଅଛି, ତୁମ୍ଭେ ସେମାନଙ୍କୁ ଆଣି ଆପଣାର ସେହି ଅଧିକାର-ପର୍ବତରେ ରୋପଣ କରିବ। 18ସଦାପ୍ରଭୁ ଯୁଗାନୁକ୍ରମେ ଅନନ୍ତକାଳ ରାଜତ୍ୱ କରିବେ।” 19କାରଣ ଫାରୋଙ୍କର ଅଶ୍ୱ, ରଥ ଓ ଅଶ୍ୱାରୂଢ଼ ଲୋକମାନେ ସମୁଦ୍ର ମଧ୍ୟରେ ପ୍ରବେଶ କରନ୍ତେ, ସଦାପ୍ରଭୁ ସେମାନଙ୍କ ଉପରେ ପୁନର୍ବାର ସମୁଦ୍ର ଜଳ ଆଣିଲେ; ମାତ୍ର ଇସ୍ରାଏଲ ସନ୍ତାନମାନେ ଶୁଷ୍କ ପଥ ଦେଇ ସମୁଦ୍ର ମଧ୍ୟରେ ଗମନ କଲେ।

ସନ୍ଧ୍ୟା ପ୍ରାର୍ଥନା: ପାଠ (ସପ୍ତମ ପାଠ)

ସିଫ 3:8–15

8ଏହେତୁ ସଦାପ୍ରଭୁ କହନ୍ତି, “ଆମ୍ଭେ ଲୁଟିବା ପାଇଁ ଉଠିବା ଦିନ ପର୍ଯ୍ୟନ୍ତ ତୁମ୍ଭେମାନେ ଆମ୍ଭ ଅପେକ୍ଷାରେ ଥାଅ; କାରଣ ଆମ୍ଭେ ଆପଣା କୋପ ଓ ପ୍ରଚଣ୍ଡ କ୍ରୋଧ ରାଜ୍ୟସକଳର ଉପରେ ଢାଳିବା ନିମନ୍ତେ ଯେପରି ସେମାନଙ୍କୁ ଏକତ୍ର କରିବା, ଏଥିପାଇଁ ଗୋଷ୍ଠୀଗଣକୁ ସଂଗ୍ରହ କରିବାକୁ ଆମ୍ଭର ସ୍ଥିର ବିଚାର ଅଛି; କାରଣ ଆମ୍ଭର ଅନ୍ତର୍ଜ୍ୱାଳାରୂପ ଅଗ୍ନିରେ ସମୁଦାୟ ପୃଥିବୀ ଗ୍ରାସିତ ହେବ। 9ଯେହେତୁ ଗୋଷ୍ଠୀଗଣ ଯେପରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବେ ଓ ଏକ ମନରେ ତାହାଙ୍କର ସେବା କରିବେ, ଏଥିପାଇଁ ସେହି ସମୟରେ ଆମ୍ଭେ ସେମାନଙ୍କୁ ଏକ ବିଶୁଦ୍ଧ ଭାଷା ଦେବା। 10ଆମ୍ଭର ପ୍ରାର୍ଥନାକାରୀମାନେ ଓ ଆମ୍ଭ ଛିନ୍ନଭିନ୍ନ (ଲୋକଙ୍କର) କନ୍ୟା କୂଶ ଦେଶସ୍ଥ ନଦୀସବୁର ସେପାରିରୁ ଆମ୍ଭର ନୈବେଦ୍ୟ ଆଣିବେ। 11ତୁମ୍ଭେ ଆପଣାର ଯେଉଁସବୁ କ୍ରିୟାରେ ଆମ୍ଭର ଆଜ୍ଞାଲଙ୍ଘନ କରିଅଛ, ତହିଁ ସକାଶୁ ସେହି ଦିନ ତୁମ୍ଭେ ଲଜ୍ଜିତ ନୋହିବ; କାରଣ ସେସମୟରେ ଆମ୍ଭେ ତୁମ୍ଭ ମଧ୍ୟରୁ ତୁମ୍ଭର ଦର୍ପଯୁକ୍ତ ଉଲ୍ଲାସକାରୀମାନଙ୍କୁ ଦୂର କରିବା ଓ ତୁମ୍ଭେ ଆମ୍ଭ ପବିତ୍ର ପର୍ବତରେ ଆଉ ଅହଙ୍କାରୀ ନୋହିବ। 12ମାତ୍ର ଆମ୍ଭେ ତୁମ୍ଭ ମଧ୍ୟରେ କ୍ଳେଶଯୁକ୍ତ ଓ ଦରିଦ୍ର ଏକ ଗୋଷ୍ଠୀକୁ ରଖିବା, ଆଉ ସେମାନେ ସଦାପ୍ରଭୁଙ୍କ ନାମରେ ନିର୍ଭର ରଖିବେ। 13ଇସ୍ରାଏଲର ଅବଶିଷ୍ଟାଂଶ ଲୋକମାନେ ଅଧର୍ମ କରିବେ ନାହିଁ, କିଅବା ମିଥ୍ୟା କହିବେ ନାହିଁ; ଅଥବା ପ୍ରତାରକ ଜିହ୍ୱା ସେମାନଙ୍କ ମୁଖରେ ଦେଖାଯିବ ନାହିଁ; କାରଣ ସେମାନେ ଚରିବେ ଓ ଶୟନ କରିବେ, ଆଉ କେହି ସେମାନଙ୍କୁ ଭୟ ଦେଖାଇବ ନାହିଁ।” 14ଗୋ ସିୟୋନ କନ୍ୟେ, ଗାନ କର; ହେ ଇସ୍ରାଏଲ, ଜୟଧ୍ୱନି କର; ଗୋ ଯିରୂଶାଲମ କନ୍ୟେ, ଆନନ୍ଦ କର ଓ ସର୍ବାନ୍ତଃକରଣରେ ଉଲ୍ଲାସ କର। 15ସଦାପ୍ରଭୁ ତୁମ୍ଭର ଦଣ୍ଡସବୁ ଦୂର କରିଅଛନ୍ତି, ସେ ତୁମ୍ଭର ଶତ୍ରୁକୁ ଦୂର କରିଅଛନ୍ତି; ଇସ୍ରାଏଲର ରାଜା ସଦାପ୍ରଭୁ ତୁମ୍ଭ ମଧ୍ୟବର୍ତ୍ତୀ ଅଛନ୍ତି, ତୁମ୍ଭେ ଆଉ ଅମଙ୍ଗଳର ଭୟ ପାଇବ ନାହିଁ।

ସନ୍ଧ୍ୟା ପ୍ରାର୍ଥନା: ପାଠ (ଅଷ୍ଟମ ପାଠ)

ପ୍ର.ରା 17:8–24

8ଏଥିଉତ୍ତାରେ ତାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, 9ଯଥା, “ଉଠ, ସୀଦୋନର ସାରିଫତ୍‍କୁ ଯାଇ ସେଠାରେ ବାସ କର। ଦେଖ, ଆମ୍ଭେ ସେଠାସ୍ଥିତ ଏକ ବିଧବା ସ୍ତ୍ରୀକୁ ତୁମ୍ଭକୁ ପ୍ରତିପୋଷଣ କରିବା ପାଇଁ ଆଜ୍ଞା ଦେଇଅଛୁ।” 10ତହିଁରେ ସେ ଉଠି ସାରିଫତ୍‍କୁ ଗଲେ ଓ ସେ ନଗର-ଦ୍ୱାର ନିକଟରେ ଉପସ୍ଥିତ ହୁଅନ୍ତେ, ଦେଖ, ଏକ ବିଧବା ସ୍ତ୍ରୀ ସେଠାରେ କାଠ ସାଉଣ୍ଟୁଅଛି; ତହୁଁ ସେ ତାହାକୁ ଡାକି କହିଲେ, “ବିନୟ କରୁଅଛି, ଗୋଟିଏ ପାତ୍ରରେ କିଛି ଜଳ ଆଣ, ମୁଁ ପାନ କରିବି।” 11ଏଣୁ ସେ ସ୍ତ୍ରୀ ତାହା ଆଣିବା ପାଇଁ ଯିବା ବେଳେ ସେ ତାହାକୁ ପୁନର୍ବାର ଡାକି କହିଲେ, “ବିନୟ କରୁଅଛି, ମୋʼ ପାଇଁ ଖଣ୍ଡେ ରୁଟି ହାତରେ ଆଣ।” 12ତହୁଁ ସେ କହିଲା, “ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଜୀବିତ ଥିବା ପ୍ରମାଣେ ମୋʼ ଠାରେ ଗୋଟିଏ ପିଠା ନାହିଁ, କେବଳ କଳସରେ ମୁଠିଏ ମଇଦା ଓ ପାତ୍ରରେ ଅଳ୍ପ ତେଲ ଅଛି; ଆଉ ଦେଖ, ମୁଁ ଦୁଇ ଖଣ୍ଡ କାଠ ସାଉଣ୍ଟୁଅଛି, ଯେପରି ତାହା ନେଇଯାଇ ମୋʼ ପାଇଁ ଓ ମୋʼ ପୁତ୍ର ପାଇଁ ପାକ କରି ଖାଇବୁ, ତହିଁ ଉତ୍ତାରେ ମରିବୁ।” 13ଏଥିରେ ଏଲୀୟ ତାହାକୁ କହିଲେ, “ଭୟ କର ନାହିଁ; ଯାହା କହିଲ, ତାହା ଯାଇ କର; ମାତ୍ର ତହିଁରୁ ପ୍ରଥମେ ମୋʼ ପାଇଁ ଗୋଟିଏ ସାନ ପିଠା କରି ମୋʼ ନିକଟକୁ ଆଣ, ତହିଁ ଉତ୍ତାରେ ତୁମ୍ଭ ପାଇଁ ଓ ତୁମ୍ଭ ପୁତ୍ର ପାଇଁ କର। 14କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଯେପର୍ଯ୍ୟନ୍ତ ସଦାପ୍ରଭୁ ଭୂମିରେ ବୃଷ୍ଟି ନ ବର୍ଷାନ୍ତି, ସେଦିନ ପର୍ଯ୍ୟନ୍ତ ମଇଦା-କଳସ ଶୂନ୍ୟ ହେବ ନାହିଁ, କିଅବା ପାତ୍ରରେ ତୈଳର ଅଭାବ ହେବ ନାହିଁ।” 15ତହିଁରେ ସେ ଯାଇ ଏଲୀୟଙ୍କ ବାକ୍ୟାନୁସାରେ କଲା; ପୁଣି, ସେ ଓ ଏଲୀୟ ଓ ସେହି ସ୍ତ୍ରୀର ପରିଜନ ଅନେକ ଦିନ ଯାଏ ଭୋଜନ କଲେ। 16ଏଲୀୟଙ୍କ ଦ୍ୱାରା ସଦାପ୍ରଭୁଙ୍କ କଥିତ ବାକ୍ୟାନୁସାରେ ମଇଦା-କଳସ ଶୂନ୍ୟ ହେଲା ନାହିଁ, କିଅବା ପାତ୍ରରେ ତୈଳର ଅଭାବ ହେଲା ନାହିଁ। 17ଏହିସବୁ ଘଟଣା ଉତ୍ତାରେ ଗୃହର କର୍ତ୍ତ୍ରୀ ସେହି ସ୍ତ୍ରୀର ପୁତ୍ର ପୀଡ଼ିତ ହେଲା; ପୁଣି, ତାହାର ପୀଡ଼ା ଏପରି ପ୍ରବଳ ହେଲା ଯେ, ତାହାଠାରେ ଶ୍ୱାସବାୟୁ ରହିଲା ନାହିଁ। 18ତହିଁରେ ସେ ସ୍ତ୍ରୀ ଏଲୀୟଙ୍କୁ କହିଲା, “ହେ ପରମେଶ୍ୱରଙ୍କ ଲୋକ, ତୁମ୍ଭ ସଙ୍ଗେ ମୋହର କଅଣ ଅଛି? ତୁମ୍ଭେ ମୋହର ପାପ ସ୍ମରଣ କରାଇବାକୁ ଓ ମୋʼ ପୁତ୍ରକୁ ବଧ କରିବାକୁ ଆସିଅଛ!” 19ତହୁଁ ଏଲୀୟ ତାହାକୁ କହିଲେ, “ମୋତେ ତୁମ୍ଭ ପୁତ୍ରକୁ ଦିଅ।” ତହିଁରେ ସେ ତାହା କୋଳରୁ ବାଳକକୁ ନେଇ ଆପଣା ରହିବା ଉପର କୋଠରିକୁ ଘେନିଯାଇ ଆପଣା ଶଯ୍ୟାରେ ତାହାକୁ ଶୁଆଇଲେ। 20ପୁଣି, ସେ ସଦାପ୍ରଭୁଙ୍କୁ ଡାକି କହିଲେ, “ହେ ସଦାପ୍ରଭୋ, ମୋʼ ପରମେଶ୍ୱର, ମୁଁ ଯେଉଁ ବିଧବାର ଗୃହରେ ପ୍ରବାସ କରୁଅଛି, ତୁମ୍ଭେ ତାହାର ପୁତ୍ରକୁ ବଧ କରି ତାହା ପ୍ରତି ହିଁ କʼଣ ଅମଙ୍ଗଳ ଘଟାଇଲ?” 21ତହୁଁ ବାଳକ ଉପରେ ସେ ତିନି ଥର ଆପଣାକୁ ଲମ୍ବାଇଲେ, ଆଉ ସେ ସଦାପ୍ରଭୁଙ୍କୁ ଡାକି କହିଲେ, “ହେ ସଦାପ୍ରଭୋ, ମୋʼ ପରମେଶ୍ୱର, ମୁଁ ବିନୟ କରୁଅଛି, ଏହି ବାଳକର ପ୍ରାଣ ତାହା ମଧ୍ୟକୁ ଫେରିଆସୁ।” 22ଏଥିରେ ସଦାପ୍ରଭୁ ଏଲୀୟଙ୍କର ରବରେ କର୍ଣ୍ଣପାତ କଲେ; ପୁଣି, ବାଳକର ପ୍ରାଣ ପୁନର୍ବାର ତାହା ମଧ୍ୟକୁ ଆସନ୍ତେ, ସେ ପୁନର୍ଜୀବିତ ହେଲା। 23ତହୁଁ ଏଲୀୟ ବାଳକକୁ ନେଇ କୋଠରିରୁ ଓହ୍ଲାଇ ଗୃହକୁ ଆଣି ତାହାର ମାତାର ହସ୍ତରେ ତାହାକୁ ସମର୍ପଣ କଲେ; ପୁଣି, ଏଲୀୟ କହିଲେ, “ଏହି ଦେଖ, ତୁମ୍ଭର ପୁତ୍ର ଜୀବିତ ହେଲା।” 24ଏଥିରେ ସେ ସ୍ତ୍ରୀ ଏଲୀୟଙ୍କୁ କହିଲା, “ତୁମ୍ଭେ ଯେ ପରମେଶ୍ୱରଙ୍କ ଲୋକ ଓ ତୁମ୍ଭ ମୁଖରେ ସଦାପ୍ରଭୁଙ୍କ ବାକ୍ୟ ଯେ ସତ୍ୟ, ଏହା ଏବେ ମୁଁ ଜାଣିଲି।”

ସନ୍ଧ୍ୟା ପ୍ରାର୍ଥନା: ପାଠ (ନବମ ପାଠ)

ଯିଶା 61:10–62:5

10ମୁଁ ସଦାପ୍ରଭୁଙ୍କଠାରେ ଅତିଶୟ ଆନନ୍ଦ କରିବି; ମୋର ପ୍ରାଣ ମୋʼ ପରମେଶ୍ୱରଙ୍କଠାରେ ଉଲ୍ଲସିତ ହେବ; କାରଣ ବର ଯେପରି ଭୂଷଣରେ ଆପଣାକୁ ଭୂଷିତ କରେ ଓ କନ୍ୟା ଯେପରି ଆପଣା ରତ୍ନରେ ଆପଣାକୁ ଭୂଷିତା କରେ, ସେହିପରି ସେ ପରିତ୍ରାଣରୂପ ବସ୍ତ୍ରରେ ମୋତେ ବସ୍ତ୍ରାନ୍ୱିତ କରିଅଛନ୍ତି ଓ ଧର୍ମରୂପ ରାଜବସ୍ତ୍ରରେ ମୋତେ ଆଚ୍ଛାଦିତ କରିଅଛନ୍ତି। 11କାରଣ ଭୂମି ଯେପରି ଆପଣା ଅଙ୍କୁର ବାହାର କରେ ଓ ଉଦ୍ୟାନ ଯେପରି ଆପଣା ମଧ୍ୟରେ ବୁଣାଯିବା ପଦାର୍ଥସବୁ ଅଙ୍କୁରିତ କରେ, ସେହିପରି ପ୍ରଭୁ ସଦାପ୍ରଭୁ ସମଗ୍ର ଦେଶୀୟମାନଙ୍କ ସାକ୍ଷାତରେ ଧର୍ମ ଓ ପ୍ରଶଂସା ଅଙ୍କୁରିତ କରିବେ। 62:1ଯେପର୍ଯ୍ୟନ୍ତ ସିୟୋନର ଧର୍ମ ଦୀପ୍ତିର ନ୍ୟାୟ ଓ ତାହାର ପରିତ୍ରାଣ ଜ୍ୱଳନ୍ତ ପ୍ରଦୀପର ନ୍ୟାୟ ପ୍ରକଟ ନ ହୁଏ, ସେପର୍ଯ୍ୟନ୍ତ ଆମ୍ଭେ ତାହା ନିମନ୍ତେ ନୀରବ ହେବା ନାହିଁ ଓ ଯିରୂଶାଲମ ନିମନ୍ତେ ବିଶ୍ରାମ କରିବା ନାହିଁ। 2ପୁଣି, ଅନ୍ୟ ଦେଶୀୟମାନେ ତୁମ୍ଭର ଧର୍ମ ଓ ସକଳ ରାଜା ତୁମ୍ଭର ପ୍ରତାପ ଦେଖିବେ; ଆଉ, ତୁମ୍ଭେ ସଦାପ୍ରଭୁଙ୍କ ମୁଖ ଦ୍ୱାରା ଏକ ନୂତନ ନାମରେ ଖ୍ୟାତ ହେବ। 3ଆହୁରି, ତୁମ୍ଭେ ସଦାପ୍ରଭୁଙ୍କ ହସ୍ତରେ ଗୋଟିଏ ସୁନ୍ଦର ମୁକୁଟ ସ୍ୱରୂପ ଓ ତୁମ୍ଭ ପରମେଶ୍ୱରଙ୍କ ହସ୍ତରେ ଗୋଟିଏ ରାଜକିରୀଟ ସ୍ୱରୂପ ହେବ। 4ତୁମ୍ଭେ ପରିତ୍ୟକ୍ତା ବୋଲି ଆଉ ନାମ ପାଇବ ନାହିଁ, କିଅବା ତୁମ୍ଭର ଦେଶ ଅନାଥା ବୋଲି ଆଉ ଡକାଯିବ ନାହିଁ; ମାତ୍ର ତୁମ୍ଭେ ହିପ୍ସୀବା (ସନ୍ତୋଷଜନିକା) ଓ ତୁମ୍ଭର ଦେଶ ବୀୟଲା (ବିବାହିତା) ନାମରେ ଖ୍ୟାତ ହେବ; କାରଣ ସଦାପ୍ରଭୁ ତୁମ୍ଭଠାରେ ସନ୍ତୋଷ ପାଆନ୍ତି ଓ ତୁମ୍ଭ ଦେଶ ବିବାହିତା ହେବ। 5ଯୁବା ଲୋକ ଯେପରି କୁମାରୀକୁ ବିବାହ କରେ, ସେହିପରି ତୁମ୍ଭର ପୁତ୍ରଗଣ ତୁମ୍ଭକୁ ବିବାହ କରିବେ; ପୁଣି ବର ଯେପରି କନ୍ୟାଠାରେ ଆନନ୍ଦ କରେ, ସେହିପରି ତୁମ୍ଭର ପରମେଶ୍ୱର ତୁମ୍ଭଠାରେ ଆନନ୍ଦ କରିବେ।

ସନ୍ଧ୍ୟା ପ୍ରାର୍ଥନା: ପାଠ (ଦଶମ ପାଠ)

ଆଦି 22:1–18

1ଏହି ସମସ୍ତ ଘଟଣା ଉତ୍ତାରେ ପରମେଶ୍ୱର ଅବ୍ରହାମଙ୍କର ପରୀକ୍ଷା ନିମନ୍ତେ କହିଲେ, “ହେ ଅବ୍ରହାମ।” ତହିଁରେ ସେ ଉତ୍ତର କଲେ, “ଦେଖନ୍ତୁ, ମୁଁ ଏଠାରେ ଅଛି।” 2ସେତେବେଳେ ସେ କହିଲେ, “ତୁମ୍ଭେ ଏବେ ଆପଣା ପୁତ୍ରକୁ, ତୁମ୍ଭର ଅଦ୍ୱିତୀୟ ପୁତ୍ରକୁ, ଅର୍ଥାତ୍‍, ତୁମ୍ଭେ ଯାହାକୁ ସ୍ନେହ କର, ସେହି ଇସ୍‌ହାକକୁ ଘେନି ମୋରୀୟା ଦେଶକୁ ଯାଅ; ପୁଣି, ଆମ୍ଭେ ସେହି ଦେଶରେ ଯେଉଁ ପର୍ବତ କହିବା, ସେହି ପର୍ବତ ଉପରେ ତାହାକୁ ହୋମାର୍ଥେ ବଳିଦାନ କର।” 3ତହିଁରେ ଅବ୍ରହାମ ପ୍ରଭାତରେ ଉଠି ଗଧ ସଜାଇ ଦୁଇ ଜଣ ଦାସ ଓ ଆପଣା ପୁତ୍ର ଇସ୍‌ହାକକୁ ସଙ୍ଗରେ ନେଲେ, ଆଉ ହୋମ ନିମନ୍ତେ କାଠ କାଟି ପରମେଶ୍ୱରଙ୍କ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାତ୍ରା କଲେ। 4ଏଥିଉତ୍ତାରେ ତୃତୀୟ ଦିନରେ ଅବ୍ରହାମ ଅନାଇ ଦୂରରୁ ସେହି ସ୍ଥାନ ଦେଖିଲେ। 5ସେତେବେଳେ ଅବ୍ରହାମ ସେହି ଦାସମାନଙ୍କୁ କହିଲେ, “ତୁମ୍ଭେମାନେ ଏହି ସ୍ଥାନରେ ଗଧ ସହିତ ଥାଅ, ମୁଁ ଓ ବାଳକ ଦୁହେଁ ସେ ସ୍ଥାନକୁ ଯାଇ ଆରାଧନା କରି ପଛେ ତୁମ୍ଭମାନଙ୍କ ନିକଟକୁ ଫେରି ଆସିବା।” 6ତହୁଁ ଅବ୍ରହାମ ଯଜ୍ଞକାଷ୍ଠ ଘେନି ଆପଣା ପୁତ୍ର ଇସ୍‌ହାକର ସ୍କନ୍ଧରେ ଦେଇ ନିଜ ହସ୍ତରେ ଅଗ୍ନି ଓ ଛୁରିକା ଘେନିଲେ, ପୁଣି, ଦୁହେଁ ଏକତ୍ର ଚାଲିଗଲେ। 7ଆଉ ଇସ୍‌ହାକ ଆପଣା ପିତା ଅବ୍ରହାମଙ୍କୁ ଡାକି କହିଲା, “ହେ ମୋହର ପିତଃ।” ତହିଁରେ ସେ ଉତ୍ତର କଲେ, “ପୁତ୍ର, ଦେଖ, ମୁଁ ଏଠାରେ।” ସେତେବେଳେ ସେ ପଚାରିଲା, “ଏହି ଦେଖ, ଅଗ୍ନି ଓ କାଷ୍ଠ, ମାତ୍ର ହୋମ ନିମନ୍ତେ ମେଣ୍ଢାଛୁଆ କାହିଁ?” 8ତହିଁରେ ଅବ୍ରହାମ କହିଲେ, “ପୁତ୍ର, ପରମେଶ୍ୱର ଆପେ ହୋମ ପାଇଁ ମେଣ୍ଢାଛୁଆ ଯୋଗାଇବେ।” ତହୁଁ ଦୁହେଁ ଏକତ୍ର ଚାଲିଗଲେ। 9ଆଉ ପରମେଶ୍ୱରଙ୍କ ନିରୂପିତ ସ୍ଥାନରେ ଉପସ୍ଥିତ ହୁଅନ୍ତେ, ଅବ୍ରହାମ ସେଠାରେ ଏକ ଯଜ୍ଞବେଦି ନିର୍ମାଣ କରି ତହିଁ ଉପରେ କାଠ ସଜାଡ଼ି ଆପଣା ପୁତ୍ର ଇସ୍‌ହାକକୁ ବାନ୍ଧି ବେଦିର କାଠ ଉପରେ ଶୁଆଇଲେ। 10ଏଥିଉତ୍ତାରେ ଅବ୍ରହାମ ହସ୍ତ ବିସ୍ତାରି ପୁତ୍ରକୁ ବଧ କରିବା ନିମନ୍ତେ ଛୁରିକା ଧରିଲେ। 11ଏପରି ସମୟରେ ଆକାଶରୁ ସଦାପ୍ରଭୁଙ୍କ ଦୂତ ତାଙ୍କୁ ଡାକି କହିଲେ, “ହେ ଅବ୍ରହାମ, ହେ ଅବ୍ରହାମ!” ତହିଁରେ ସେ କହିଲେ, “ଦେଖନ୍ତୁ, ମୁଁ ଏଠାରେ।” 12ତହିଁରେ ସେ କହିଲେ, “ତୁମ୍ଭେ ସେହି ବାଳକର ପ୍ରତିକୂଳରେ ହସ୍ତ ବିସ୍ତାର କର ନାହିଁ ଓ ତାହା ପ୍ରତି କିଛି କର ନାହିଁ; କାରଣ ପରମେଶ୍ୱରଙ୍କ ପ୍ରତି ତୁମ୍ଭର ଭୟ ଅଛି, ଏହା ଏବେ ଆମ୍ଭେ ବୁଝିଲୁ; ଯେହେତୁ ତୁମ୍ଭେ ଆମ୍ଭଙ୍କୁ ଆପଣାର ପୁତ୍ର, ଆପଣାର ଏକମାତ୍ର ପୁତ୍ର ଦେବାକୁ ହିଁ ଅସମ୍ମତ ନୋହିଲ।” 13ସେତେବେଳେ ଅବ୍ରହାମ ଅନାଇ ଆପଣା ପଛଆଡ଼ ବୁଦାର ଲତାରେ ବଦ୍ଧଶୃଙ୍ଗ ଗୋଟିଏ ମେଷ ଦେଖିଲେ; ତହିଁରେ ଅବ୍ରହାମ ଯାଇ ସେହି ମେଷକୁ ଆଣି ଆପଣା ପୁତ୍ର ବଦଳେ ତାକୁ ହୋମ ନିମନ୍ତେ ଉତ୍ସର୍ଗ କଲେ। 14ପୁଣି, ଅବ୍ରହାମ ସେହି ସ୍ଥାନର ନାମ “ଯିହୋବାଃ-ଯିରି” ରଖିଲେ। ଏଥିପାଇଁ ଆଜି ପର୍ଯ୍ୟନ୍ତ ଲୋକେ କହନ୍ତି, “ପର୍ବତରେ ସଦାପ୍ରଭୁ ଯୋଗାଇବେ।” 15ଆଉ ସଦାପ୍ରଭୁଙ୍କ ଦୂତ ଦ୍ୱିତୀୟ ଥର ଆକାଶରୁ ଅବ୍ରହାମଙ୍କୁ ଡାକି କହିଲେ, 16“ସଦାପ୍ରଭୁ କହୁଅଛନ୍ତି, ତୁମ୍ଭେ ଆମ୍ଭଙ୍କୁ ଆପଣାର ପୁତ୍ର, ଆପଣାର ଏକମାତ୍ର ପୁତ୍ର ଦେବାକୁ ଅସମ୍ମତ ନୋହିଲ; 17ତୁମ୍ଭର ଏହି କର୍ମ ସକାଶୁ ଆମ୍ଭେ ଆପଣା ନାମରେ ଶପଥ କରି କହୁଅଛୁ, ଆମ୍ଭେ ତୁମ୍ଭକୁ ଅବଶ୍ୟ ଆଶୀର୍ବାଦ କରି ଆକାଶସ୍ଥ ତାରାଗଣ ଓ ସମୁଦ୍ରର ବାଲି ପରି ତୁମ୍ଭର ବଂଶ ଅତିଶୟ ବୃଦ୍ଧି କରିବା; ତୁମ୍ଭର ବଂଶ ଶତ୍ରୁଗଣର ନଗର-ଦ୍ୱାର ଅଧିକାର କରିବେ। 18ପୁଣି, ପୃଥିବୀସ୍ଥ ସମସ୍ତ ଜାତି ତୁମ୍ଭର ବଂଶ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ; ଯେହେତୁ ତୁମ୍ଭେ ଆମ୍ଭର ବାକ୍ୟ ପାଳନ କରିଅଛ।”

ସନ୍ଧ୍ୟା ପ୍ରାର୍ଥନା: ପାଠ (11ତମ ପାଠ)

ଯିଶା 61:1–9

1ପ୍ରଭୁ ସଦାପ୍ରଭୁଙ୍କର ଆତ୍ମା ମୋʼ ଠାରେ ଅଧିଷ୍ଠାନ କରନ୍ତି; କାରଣ ନମ୍ର ଲୋକମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ପାଇଁ ସଦାପ୍ରଭୁ ମୋତେ ଅଭିଷିକ୍ତ କରିଅଛନ୍ତି; ସେ ଭଗ୍ନାନ୍ତଃକରଣ ଲୋକମାନଙ୍କର କ୍ଷତ ବାନ୍ଧିବାକୁ, ବନ୍ଦୀ ଲୋକମାନଙ୍କ ପ୍ରତି ମୁକ୍ତି ଓ କାରାବଦ୍ଧ ଲୋକମାନଙ୍କ ପ୍ରତି କାରାଗାର ମୁକ୍ତ ହେବାର କଥା ପ୍ରଚାର କରିବାକୁ; 2ସଦାପ୍ରଭୁଙ୍କର ଗ୍ରାହ୍ୟ ବର୍ଷ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରତିଶୋଧର ଦିନ ଘୋଷଣା କରିବାକୁ; ଶୋକାର୍ତ୍ତ ସମସ୍ତଙ୍କୁ ସାନ୍ତ୍ୱନା କରିବାକୁ; 3ସିୟୋନର ଶୋକାର୍ତ୍ତ ଲୋକମାନଙ୍କ ପାଇଁ ନିରୂପଣ କରିବାକୁ, ଅର୍ଥାତ୍‍, ଭସ୍ମର ପରିବର୍ତ୍ତେ ଭୂଷଣ, ଦୁଃଖର ପରିବର୍ତ୍ତେ ସୁଖରୂପ ତୈଳ, ଅବସନ୍ନ ଆତ୍ମାର ପରିବର୍ତ୍ତେ ପ୍ରଶଂସାରୂପ ବସ୍ତ୍ର ପ୍ରଦାନ କରିବାକୁ ସେ ମୋତେ ପ୍ରେରଣ କରିଅଛନ୍ତି; ତହିଁରେ ସଦାପ୍ରଭୁ ଯେପରି ଗୌରବାନ୍ୱିତ ହେବେ, ଏଥିପାଇଁ ସେମାନେ ଧର୍ମରୂପ ବୃକ୍ଷ ଓ ତାହାଙ୍କର ଉଦ୍ୟାନ ବୋଲି ବିଖ୍ୟାତ ହେବେ। 4ପୁଣି, ସେମାନେ ପୁରାତନ ଧ୍ୱଂସିତ ସ୍ଥାନସବୁ ନିର୍ମାଣ କରିବେ, ପୂର୍ବକାଳର ନଷ୍ଟ ସ୍ଥାନସବୁ ଉଠାଇବେ, ଆଉ ସେମାନେ ଧ୍ୱଂସିତ ଓ ଅନେକ ପୁରୁଷ ପରମ୍ପରାର ନଷ୍ଟ ନଗରସକଳ ନୂତନ କରିବେ। 5ପୁଣି, ଅପରିଚିତ ଲୋକମାନେ ତୁମ୍ଭମାନଙ୍କର ପଲ ଚରାଇବା ପାଇଁ ଠିଆ ହେବେ ଓ ବିଦେଶୀୟମାନେ ତୁମ୍ଭମାନଙ୍କର ଶସ୍ୟକ୍ଷେତ୍ରର ଓ ଦ୍ରାକ୍ଷାକ୍ଷେତ୍ରର କୃଷକ ହେବେ। 6ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କର ଯାଜକ ବୋଲି ବିଖ୍ୟାତ ହେବ; ଲୋକମାନେ ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପରିଚାରକ ବୋଲି ଡାକିବେ; ତୁମ୍ଭେମାନେ ଅନ୍ୟ ଦେଶୀୟମାନଙ୍କ ସମ୍ପତ୍ତି ଭୋଗ କରିବ ଓ ସେମାନଙ୍କ ଐଶ୍ୱର୍ଯ୍ୟରେ ତୁମ୍ଭେମାନେ ଦର୍ପ କରିବ। 7ତୁମ୍ଭେମାନେ ଲଜ୍ଜାର ପରିବର୍ତ୍ତେ ଦୁଇଗୁଣ ସମ୍ମାନ ପାଇବ; ପୁଣି, ଅପମାନର ପରିବର୍ତ୍ତେ ସେମାନେ ଆପଣା ଆପଣା ଅଧିକାରରେ ଆନନ୍ଦ କରିବେ; ଏନିମନ୍ତେ ସେମାନେ ଆପଣାମାନଙ୍କ ଦେଶରେ ଦୁଇଗୁଣ ଅଂଶ ପାଇବେ; ସେମାନଙ୍କର ଅନନ୍ତକାଳସ୍ଥାୟୀ ଆହ୍ଲାଦ ହେବ। 8କାରଣ ଆମ୍ଭେ ସଦାପ୍ରଭୁ ନ୍ୟାୟବିଚାର ଭଲ ପାଉ, ଆମ୍ଭେ ଅଧର୍ମଯୁକ୍ତ ଅପହରଣ ଘୃଣା କରୁ; ଆଉ, ଆମ୍ଭେ ସତ୍ୟରେ ସେମାନଙ୍କୁ ପ୍ରତିଫଳ ଦେବା ଓ ସେମାନଙ୍କ ସହିତ ଅନନ୍ତକାଳସ୍ଥାୟୀ ଏକ ନିୟମ କରିବା। 9ପୁଣି, ସେମାନଙ୍କ ବଂଶ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଓ ସେମାନଙ୍କ ସନ୍ତାନଗଣ ଗୋଷ୍ଠୀସମୂହର ମଧ୍ୟରେ ବିଖ୍ୟାତ ହେବେ; ସେମାନେ ସଦାପ୍ରଭୁଙ୍କର ଆଶୀର୍ବାଦ ପ୍ରାପ୍ତ ବଂଶ ବୋଲି ସେମାନଙ୍କୁ ଦେଖିବା ଲୋକ ସମସ୍ତେ ସ୍ୱୀକାର କରିବେ।

ସନ୍ଧ୍ୟା ପ୍ରାର୍ଥନା: ପାଠ (12ତମ ପାଠ)

ଦ୍ଵି.ରା 4:8–37

8ଏଥିଉତ୍ତାରେ ଦିନକରେ ଇଲୀଶାୟ ଶୂନେମ ନଗରକୁ ଗଲେ, ସେଠାରେ ଏକ ଧନବତୀ ସ୍ତ୍ରୀ ଥିଲା; ଆଉ ସେ ଇଲୀଶାୟଙ୍କୁ ଅନ୍ନ ଭୋଜନ ନିମନ୍ତେ ପ୍ରବର୍ତ୍ତାଇଲା। ଏଥିଉତ୍ତାରେ ଇଲୀଶାୟ ଯେତେ ଥର ସେହି ପଥ ଦେଇ ଗଲେ, ସେତେଥର ଅନ୍ନ ଭୋଜନ ନିମନ୍ତେ ସେଠାକୁ ଗଲେ। 9ଏଥିଉତ୍ତାରେ ସେହି ସ୍ତ୍ରୀ ଆପଣା ସ୍ୱାମୀକୁ କହିଲା, “ଦେଖ, ମୁଁ ଜାଣି ପାରୁଅଛି, ଏହି ଯେଉଁ ଲୋକ ନିତ୍ୟ ଆମ୍ଭମାନଙ୍କ ନିକଟ ଦେଇ ଗତାୟାତ କରୁଅଛନ୍ତି, ସେ ପରମେଶ୍ୱରଙ୍କର ଏକ ପବିତ୍ର ଲୋକ ଅଟନ୍ତି। 10ମୁଁ ବିନୟ କରୁଅଛି, ଆମ୍ଭେମାନେ ପ୍ରାଚୀର ଉପରେ ଗୋଟିଏ ସାନ କୋଠରି ନିର୍ମାଣ କରୁ ଓ ତହିଁରେ ତାଙ୍କ ପାଇଁ ଗୋଟିଏ ଖଟ, ମେଜ, ଆସନ ଓ ଦୀପରୁଖା ରଖୁ; ତହୁଁ ସେ ଆମ୍ଭମାନଙ୍କ ନିକଟକୁ ଆସିବା ବେଳେ ସେଠାରେ ରହିବେ।” 11ଦିନକରେ ଇଲୀଶାୟ ସେଠାକୁ ଆସିଲେ, ଆଉ ସେହି କୋଠରିକୁ ଯାଇ ଶୟନ କଲେ। 12ପୁଣି ସେ ଆପଣା ଦାସ ଗିହେଜୀକୁ କହିଲେ, “ଏହି ଶୁନେମୀୟା ସ୍ତ୍ରୀକୁ ଡାକ।” ତହୁଁ ସେ ତାହାକୁ ଡାକନ୍ତେ, ସେ ସ୍ତ୍ରୀ ତାଙ୍କ ସମ୍ମୁଖରେ ଠିଆ ହେଲା। 13ଏଥିରେ ଇଲୀଶାୟ ଗିହେଜୀକୁ କହିଲେ, “ତାଙ୍କୁ କୁହ, ଦେଖ, ତୁମ୍ଭେ ଏସମସ୍ତ ଚିନ୍ତାରେ ଆମ୍ଭମାନଙ୍କ ନିମନ୍ତେ ଚିନ୍ତିତ ହୋଇଅଛ; ମୁଁ ତୁମ୍ଭ ନିମନ୍ତେ କʼଣ କରି ପାରିବି? ମୋତେ ତୁମ୍ଭ ସପକ୍ଷରେ ରାଜା କିମ୍ବା ସେନାପତିଙ୍କ ନିକଟରେ କିଛି କହିବାକୁ ଇଚ୍ଛା କରୁଅଛ କି?” ତହୁଁ ସେ ଉତ୍ତର କଲା, “ମୁଁ ନିଜ ଲୋକଙ୍କ ମଧ୍ୟରେ ବାସ କରୁଅଛି।” 14ପୁଣି ଇଲୀଶାୟ କହିଲେ, “ତେବେ ତାହା ପାଇଁ କʼଣ କରାଯିବ?” ତହିଁରେ ଗିହେଜୀ ଉତ୍ତର କଲା, “ତାହାର ପୁତ୍ର ନାହିଁ ଓ ତାହାର ସ୍ୱାମୀ ବୃଦ୍ଧ।” 15ତେବେ ଇଲୀଶାୟ କହିଲେ, “ତାଙ୍କୁ ଡାକ।” ଏଣୁ ସେ ତାଙ୍କୁ ଡାକନ୍ତେ, ସେ ଦ୍ୱାରରେ ଠିଆ ହେଲା। 16ତହୁଁ ଇଲୀଶାୟ କହିଲେ, “ଏହି ଋତୁ ପୁନର୍ବାର ଉପସ୍ଥିତ ହେବା ସମୟରେ ତୁମ୍ଭେ ପୁତ୍ରକୁ କୋଳ କରିବ।” ଏଥିରେ ସେ ସ୍ତ୍ରୀ କହିଲା, “ନା, ହେ ମୋର ପ୍ରଭୋ, ହେ ପରମେଶ୍ୱରଙ୍କ ଲୋକ, ଆପଣା ଦାସୀକୁ ଆପଣ ମିଥ୍ୟା ନ କହନ୍ତୁ।” 17ଏଥିଉତ୍ତାରେ ଇଲୀଶାୟଙ୍କର ବାକ୍ୟାନୁସାରେ ସେହି ସ୍ତ୍ରୀ ଗର୍ଭଧାରଣ କରି ଉକ୍ତ ଋତୁ ପୁନର୍ବାର ଉପସ୍ଥିତ ହେବା ସମୟରେ ଏକ ପୁତ୍ର ପ୍ରସବ କଲା। 18ପୁଣି ବାଳକ ବଢ଼ିଲା ଉତ୍ତାରେ ଦିନକରେ ସେ ଶସ୍ୟଚ୍ଛେଦକମାନଙ୍କ ନିକଟରେ ଆପଣା ପିତା ନିକଟକୁ ଗଲା। 19ଆଉ ସେ ଆପଣା ପିତାଙ୍କୁ କହିଲା, “ମୋʼ ମସ୍ତକ, ମୋʼ ମସ୍ତକ।” ତହୁଁ ପିତା ଆପଣା ଦାସକୁ କହିଲା, “ତାହାର ମାତା ନିକଟକୁ ତାହାକୁ ଉଠାଇ ନେଇଯାଅ।” 20ଆଉ ସେ ତାହାକୁ ଉଠାଇ ନେଇ ତାହାର ମାତା ନିକଟକୁ ଆଣନ୍ତେ, ବାଳକ ମଧ୍ୟାହ୍ନ ପର୍ଯ୍ୟନ୍ତ ତାହାର କୋଳରେ ବସି ମରିଗଲା। 21ଏଥିରେ ମାତା ଉପରକୁ ଯାଇ ପରମେଶ୍ୱରଙ୍କ ଲୋକଙ୍କ ଖଟରେ ତାହାକୁ ଶୁଆଇ ଦ୍ୱାର ବନ୍ଦ କରି ବାହାରି ଆସିଲା। 22ପୁଣି ସେ ଆପଣା ସ୍ୱାମୀକୁ ଡାକି କହିଲା, “ମୁଁ ବିନୟ କରୁଅଛି, ଦାସମାନଙ୍କ ମଧ୍ୟରୁ ଜଣକୁ ଓ ଗର୍ଦ୍ଦଭୀରୁ ଗୋଟିଏ ମୋʼ ନିକଟକୁ ପଠାଇଦିଅ, ମୁଁ ପରମେଶ୍ୱରଙ୍କ ଲୋକଙ୍କ ନିକଟକୁ ଦୌଡ଼ିଯାଇ ଫେରି ଆସିବି।” 23ତହିଁରେ ତାହାର ସ୍ୱାମୀ କହିଲା, “ତୁମ୍ଭେ କାହିଁକି ତାଙ୍କ ନିକଟକୁ ଆଜି ଯିବ? ଏ ତ ଅମାବାସ୍ୟା ନୁହେଁ କି ବିଶ୍ରାମବାର ନୁହେଁ।” ଏଥିରେ ସେ କହିଲା, “ଭଲ ହେବ।” 24ତହୁଁ ସେ ଗର୍ଦ୍ଦଭୀ ସଜାଇ ଆପଣା ଦାସକୁ କହିଲା, “ଅଡ଼ାଇ ଚାଲ; ମୋʼ ଆଜ୍ଞା ବିନା ଚଲାଇବାରେ ଢିଲା କର ନାହିଁ।” 25ଏହିରୂପେ ସେ ଯାଇ କର୍ମିଲ ପର୍ବତରେ ପରମେଶ୍ୱରଙ୍କ ଲୋକଙ୍କ ନିକଟରେ ପହଞ୍ଚିଲା। ତହିଁରେ ପରମେଶ୍ୱରଙ୍କ ଲୋକ ଦୂରରୁ ତାହାକୁ ଦେଖି ଆପଣା ଦାସ ଗିହେଜୀକୁ କହିଲେ, “ଦେଖ, ସେଠାରେ ଶୁନେମୀୟା ସ୍ତ୍ରୀ; 26ମୁଁ ବିନୟ କରୁଅଛି, ଦୌଡ଼ିଯାଇ ତାହାକୁ ସାକ୍ଷାତ କରି ପଚାର, ତୁମ୍ଭର ସମସ୍ତ ବିଷୟ ମଙ୍ଗଳ ତ? ତୁମ୍ଭ ସ୍ୱାମୀର ମଙ୍ଗଳ ତ? ବାଳକର ମଙ୍ଗଳ ତ?” ତହୁଁ ସେ ଉତ୍ତର କଲା, “ମଙ୍ଗଳ।” 27ଏଥିଉତ୍ତାରେ ସେ ପର୍ବତରେ ପରମେଶ୍ୱରଙ୍କ ଲୋକଙ୍କ ନିକଟକୁ ଆସି ତାଙ୍କ ଚରଣ ଧରି ରହିଲା। ତହିଁରେ ଗିହେଜୀ ତାହାକୁ ଛଡ଼ାଇ ଦେବା ପାଇଁ ନିକଟକୁ ଆସିଲା; ମାତ୍ର ପରମେଶ୍ୱରଙ୍କ ଲୋକ କହିଲେ, “ତାହାକୁ ଛାଡ଼ିଦିଅ; କାରଣ ତାହାର ଅନ୍ତରରେ ତାହାର ପ୍ରାଣ ଶୋକାକୁଳ ହୋଇଅଛି; ମାତ୍ର ସଦାପ୍ରଭୁ ମୋʼ ଠାରୁ ତାହା ଗୋପନରେ ରଖିଅଛନ୍ତି, ପୁଣି ତାହା ମୋତେ ଜଣାଇ ନାହାନ୍ତି।” 28ଏଥିରେ ସେ ସ୍ତ୍ରୀ କହିଲା, “ମୋʼ ପ୍ରଭୁଙ୍କୁ ମୁଁ କʼଣ ପୁତ୍ର ମାଗିଥିଲି? ମୁଁ କି କହି ନ ଥିଲି, ମୋତେ ପ୍ରତାରଣା ନ କର?” 29ତହୁଁ ଇଲୀଶାୟ ଗିହେଜୀକୁ କହିଲେ, “ଆପଣା ଅଣ୍ଟା ବାନ୍ଧ ଓ ଆପଣା ହସ୍ତରେ ମୋହର ଯଷ୍ଟି ନେଇ ଆପଣା ବାଟେ ଚାଲିଯାଅ; ଯଦି ତୁମ୍ଭେ କୌଣସି ଲୋକକୁ ସାକ୍ଷାତ କର, ତାହାକୁ ନମସ୍କାର କର ନାହିଁ; ଆଉ ଯଦି କେହି ତୁମ୍ଭକୁ ନମସ୍କାର କରନ୍ତି, ତାହାକୁ ଫେରି ଉତ୍ତର ଦିଅ ନାହିଁ; ପୁଣି ମୋʼ ଯଷ୍ଟି ସେହି ବାଳକର ମୁଖ ଉପରେ ରଖ।” 30ଏଥିରେ ବାଳକର ମାତା କହିଲା, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଆପଣଙ୍କୁ ଛାଡ଼ିବି ନାହିଁ।” ତେଣୁ ଇଲୀଶାୟ ଉଠି ତାହାର ପଛେ ପଛେ ଗଲେ। 31ଏଥିମଧ୍ୟରେ ଗିହେଜୀ ସେମାନଙ୍କ ଆଗେ ଯାଇ ବାଳକର ମୁଖ ଉପରେ ଯଷ୍ଟି ରଖିଲା; ମାତ୍ର କୌଣସି ରବ କି ଶ୍ରବଣ ହେଲା ନାହିଁ। ଏହେତୁ ଗିହେଜୀ ଇଲୀଶାୟଙ୍କୁ ସାକ୍ଷାତ କରିବା ପାଇଁ ଫେରିଆସି ତାଙ୍କୁ ଜଣାଇ କହିଲା, “ବାଳକ ଜାଗି ନାହିଁ।” 32ତହୁଁ ଇଲୀଶାୟ ସେ ଗୃହକୁ ଆସନ୍ତେ, ଦେଖ, ବାଳକ ମରି ତାଙ୍କର ଶଯ୍ୟାରେ ଶୋଇଅଛି। 33ଏହେତୁ ସେ ଭିତରକୁ ଯାଇ ନିଜେ ଓ ବାଳକ ଉଭୟେ ରହି ଦ୍ୱାର ବନ୍ଦ କରି ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। 34ଆଉ ସେ ଉପରକୁ ଯାଇ ବାଳକ ଉପରେ ଶୟନ କଲେ ଓ ତାହା ମୁଖ ଉପରେ ଆପଣା ମୁଖ ଓ ତାହା ଚକ୍ଷୁ ଉପରେ ଆପଣା ଚକ୍ଷୁ ଓ ତାହା ହସ୍ତ ଉପରେ ଆପଣା ହସ୍ତ ରଖିଲେ; ଏରୂପେ ସେ ଆପଣାକୁ ବାଳକ ଉପରେ ଲମ୍ବମାନ କଲେ; ତହିଁରେ ବାଳକର ଶରୀର ଉଷ୍ଣ ହେବାକୁ ଲାଗିଲା। 35ଏଥିରେ ଇଲୀଶାୟ ଫେରି ଗୃହ ମଧ୍ୟରେ ଏଣେତେଣେ ଥରେ ବୁଲିଲେ; ତହୁଁ ଉପରକୁ ଯାଇ ବାଳକ ଉପରେ ଆପଣାକୁ ଲମ୍ବମାନ କଲେ; ତହିଁରେ ବାଳକ ସାତ ଥର ଛିଙ୍କିଲା ଓ ବାଳକ ଚକ୍ଷୁ ଫିଟାଇଲା। 36ଏଥିରେ ସେ ଗିହେଜୀକୁ ଡାକି କହିଲେ, “ସେହି ଶୁନେମୀୟା ସ୍ତ୍ରୀକୁ ଡାକ।” ତହୁଁ ସେ ତାହାକୁ ଡାକିଲା। ଆଉ ସେ ତାଙ୍କ ନିକଟକୁ ଆସନ୍ତେ, ସେ କହିଲେ, “ତୁମ୍ଭ ପୁତ୍ରକୁ ନିଅ।” 37ସେତେବେଳେ ସେ ସ୍ତ୍ରୀ ଭିତରକୁ ଯାଇ ତାଙ୍କର ଚରଣରେ ଭୂମିଷ୍ଠ ପ୍ରଣାମ କଲା ଓ ଆପଣା ପୁତ୍ରକୁ ନେଇ ବାହାରକୁ ଗଲା।

ସନ୍ଧ୍ୟା ପ୍ରାର୍ଥନା: ପାଠ (13ତମ ପାଠ)

ଯିଶା 63:11–64:5

11ସେତେବେଳେ ସେମାନେ ପୁରାତନ କାଳ, ମୋଶା ଓ ଆପଣା ଲୋକମାନଙ୍କୁ ସ୍ମରଣ କରି କହିଲେ, ଯେ ଆପଣା ପଲର ରକ୍ଷକମାନଙ୍କ ସହିତ ସେମାନଙ୍କୁ ସମୁଦ୍ର ପାର କରାଇ ଆଣିଲେ, ସେ କାହାନ୍ତି? ଯେ ସେମାନଙ୍କ ଅନ୍ତରରେ ଆପଣା ପବିତ୍ର ଆତ୍ମା ରଖିଲେ, 12ଯେ ମୋଶାଙ୍କ ଡାହାଣରେ ଆପଣାର ପ୍ରତାପାନ୍ୱିତ ବାହୁ ଗମନ କରାଇଲେ, ଯେ ଆପଣା ନିମନ୍ତେ ଅନନ୍ତକାଳସ୍ଥାୟୀ ନାମ ସ୍ଥାପନାର୍ଥେ, ସେମାନଙ୍କ ସମ୍ମୁଖରେ ଜଳକୁ ବିଭକ୍ତ କଲେ, 13ଯେ ପ୍ରାନ୍ତରରେ ଗମନ କରିବା ଅଶ୍ୱ ତୁଲ୍ୟ ଗଭୀର ସାଗର ମଧ୍ୟରେ ସେମାନଙ୍କୁ ଗମନ କରାଇଲେ ଓ ସେମାନେ ଝୁଣ୍ଟିଲେ ନାହିଁ, ସେ କାହାନ୍ତି? 14ଉପତ୍ୟକାକୁ ଓହ୍ଲାଇ ଯିବା ପଶୁପଲ ତୁଲ୍ୟ ସଦାପ୍ରଭୁଙ୍କ ଆତ୍ମା ସେମାନଙ୍କୁ ବିଶ୍ରାମ କରାଇଲେ; ଏହି ପ୍ରକାରେ ତୁମ୍ଭେ ଆପଣା ନିମନ୍ତେ ଏକ ଗୌରବାନ୍ୱିତ ନାମ ସ୍ଥାପନାର୍ଥେ ଆପଣା ଲୋକମାନଙ୍କୁ ଗମନ କରାଇଲ। 15ଏବେ ସ୍ୱର୍ଗରୁ ଅବଲୋକନ କର, ତୁମ୍ଭ ପବିତ୍ରତାର ଓ ତୁମ୍ଭ ପ୍ରତାପର ବସତି-ସ୍ଥାନରୁ ଦୃଷ୍ଟିପାତ କର; ତୁମ୍ଭର ଉଦ୍‍ଯୋଗ ଓ ତୁମ୍ଭର ବିକ୍ରମକାର୍ଯ୍ୟସବୁ କାହିଁ? ତୁମ୍ଭ ଅନ୍ତଃକରଣର ବ୍ୟଥା ଓ ତୁମ୍ଭର ସ୍ନେହସବୁ ମୋʼ ପ୍ରତି ନିବୃତ୍ତ ହୋଇଅଛି। 16ଯଦ୍ୟପି ଅବ୍ରହାମ ଆମ୍ଭମାନଙ୍କୁ ଜାଣନ୍ତି ନାହିଁ ଓ ଇସ୍ରାଏଲ ଆମ୍ଭମାନଙ୍କୁ ସ୍ୱୀକାର କରନ୍ତି ନାହିଁ, ତଥାପି ତୁମ୍ଭେ ତ ଆମ୍ଭମାନଙ୍କର ପିତା; ହେ ସଦାପ୍ରଭୋ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ; ଅନନ୍ତ କାଳରୁ ଆମ୍ଭମାନଙ୍କର ମୁକ୍ତିଦାତା ବୋଲି ତୁମ୍ଭର ନାମ ଅଛି। 17ହେ ସଦାପ୍ରଭୋ, ଆମ୍ଭମାନଙ୍କୁ ତୁମ୍ଭ ପଥରୁ କାହିଁକି ଭ୍ରାନ୍ତ କରାଉଅଛ ଓ ତୁମ୍ଭକୁ ଭୟ କରିବା ପ୍ରତି ଆମ୍ଭମାନଙ୍କ ଅନ୍ତଃକରଣକୁ କଠିନ କରାଉଅଛ? ଆପଣା ଦାସମାନଙ୍କର, ଆପଣା ଅଧିକାର ସ୍ୱରୂପ ଗୋଷ୍ଠୀଗଣର ସକାଶୁ ଫେର। 18ତୁମ୍ଭର ପବିତ୍ର ଲୋକମାନେ କେବଳ ଅଳ୍ପ କାଳ ତାହା ଅଧିକାର କଲେ; ଆମ୍ଭମାନଙ୍କର ବିପକ୍ଷମାନେ ତୁମ୍ଭର ପବିତ୍ର ଧାମ ପଦ ତଳେ ଦଳି ପକାଇଅଛନ୍ତି। 19ଯେଉଁମାନଙ୍କ ଉପରେ ତୁମ୍ଭେ କେବେ କର୍ତ୍ତୃତ୍ୱ କରି ନାହଁ, ଯେଉଁମାନେ ତୁମ୍ଭ ନାମରେ କେବେ ଖ୍ୟାତ ହୋଇ ନ ଥିଲେ, ଏପରି ଲୋକମାନଙ୍କ ତୁଲ୍ୟ ଆମ୍ଭେମାନେ ହୋଇଅଛୁ। 64:1ଆହା, ଅନ୍ୟ ଦେଶୀୟମାନେ ଯେପରି ତୁମ୍ଭ ସାକ୍ଷାତରେ କମ୍ପମାନ ହେବେ, ଏଥିପାଇଁ ତୁମ୍ଭ ବିପକ୍ଷଗଣକୁ ତୁମ୍ଭ ନାମ ଜ୍ଞାତ କରାଇବା ନିମନ୍ତେ, 2ଅଗ୍ନି ଝାଟି ଜ୍ୱଳାଇବା ପରି, ଅଗ୍ନି ଜଳ ଫୁଟାଇବା ପରି ଯଦି ତୁମ୍ଭେ ଆକାଶମଣ୍ଡଳ ବିଦୀର୍ଣ୍ଣ କରି ଓହ୍ଲାଇ ଆସନ୍ତ ଓ ପର୍ବତଗଣ ତୁମ୍ଭ ସାକ୍ଷାତରେ ପ୍ରବାହିତ ହୁଅନ୍ତେ! 3ଯେତେବେଳେ ତୁମ୍ଭେ ଆମ୍ଭମାନଙ୍କର ଅନପେକ୍ଷିତ ଭୟାନକ କ୍ରିୟା କଲ, ସେତେବେଳେ ତୁମ୍ଭେ ଓହ୍ଲାଇ ଆସିଲ, ପର୍ବତଗଣ ତୁମ୍ଭ ସାକ୍ଷାତରେ ପ୍ରବାହିତ ହେଲେ। 4କାରଣ ଯେ ଆପଣା ଅପେକ୍ଷାକାରୀ ପକ୍ଷରେ କାର୍ଯ୍ୟ ସାଧନ କରନ୍ତି, ଲୋକେ ପ୍ରାଚୀନ କାଳରୁ ତୁମ୍ଭ ଛଡ଼ା ଅନ୍ୟ ପରମେଶ୍ୱର ବିଷୟ ଶୁଣି ନାହାନ୍ତି, ଅଥବା କର୍ଣ୍ଣ ଜ୍ଞାତ ହୋଇ ନାହିଁ, କିଅବା ଚକ୍ଷୁ ଦେଖି ନାହିଁ। 5ଯେଉଁ ଲୋକ ଆନନ୍ଦରେ ଧର୍ମାଚରଣ କରେ, ଯେଉଁମାନେ ତୁମ୍ଭ ପଥରେ ତୁମ୍ଭକୁ ସ୍ମରଣ କରନ୍ତି, ତୁମ୍ଭେ ସେମାନଙ୍କ ସହିତ ସାକ୍ଷାତ କରିଥାଅ; ଦେଖ, ତୁମ୍ଭେ କ୍ରୁଦ୍ଧ ଥିଲ ଓ ଆମ୍ଭେମାନେ ପାପ କଲୁ; ଆମ୍ଭେମାନେ ଦୀର୍ଘ କାଳ ତହିଁରେ ରହିଅଛୁ, ଆମ୍ଭେମାନେ କି ପରିତ୍ରାଣ ପାଇବା?

ସନ୍ଧ୍ୟା ପ୍ରାର୍ଥନା: ପାଠ (14ତମ ପାଠ)

ଯିରି 31:31–34

31ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ସହିତ ଏକ ନୂତନ ନିୟମ ସ୍ଥାପନ କରିବା, ଏପରି ସମୟ ଆସୁଅଛି; 32ମିସର ଦେଶରୁ ସେମାନଙ୍କର ପୂର୍ବପୁରୁଷଗଣକୁ ବାହାର କରି ଆଣିବା ନିମନ୍ତେ ଆମ୍ଭେ ସେମାନଙ୍କର ହସ୍ତ ଧରିବା ଦିନ ସେମାନଙ୍କ ସହିତ ଆମ୍ଭର କୃତ ନିୟମାନୁସାରେ ନୁହେଁ, ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କ ସ୍ୱାମୀ ହେଲେ ହେଁ ସେମାନେ ଆମ୍ଭର ସେହି ନିୟମ ଲଙ୍ଘନ କଲେ। 33ମାତ୍ର ସଦାପ୍ରଭୁ କହନ୍ତି, ସେହି ସକଳ ଦିନର ଉତ୍ତାରେ ଆମ୍ଭେ ଇସ୍ରାଏଲ ବଂଶ ସହିତ ଏହି ନିୟମ ସ୍ଥିର କରିବା; ଆମ୍ଭେ ସେମାନଙ୍କ ଅନ୍ତରରେ ଆମ୍ଭର ବ୍ୟବସ୍ଥା ରଖିବା ଓ ସେମାନଙ୍କ ହୃଦୟରେ ଆମ୍ଭେ ତାହା ଲେଖିବା; ଆଉ, ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ; 34ପୁଣି, ତୁମ୍ଭେମାନେ ପରମେଶ୍ୱରଙ୍କୁ ଜ୍ଞାତ ହୁଅ ବୋଲି କହି ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀକୁ ଓ ପ୍ରତ୍ୟେକେ ଆପଣା ଆପଣା ଭ୍ରାତାକୁ ଆଉ ଶିକ୍ଷା ଦେବେ ନାହିଁ; କାରଣ ସଦାପ୍ରଭୁ କହନ୍ତି, ସେମାନଙ୍କର କ୍ଷୁଦ୍ରତମଠାରୁ ମହତ୍ତମ ପର୍ଯ୍ୟନ୍ତ ସମସ୍ତେ ଆମ୍ଭକୁ ଜ୍ଞାତ ହେବେ; ଯେହେତୁ ଆମ୍ଭେ ସେମାନଙ୍କର ଅପରାଧ କ୍ଷମା କରିବା ଓ ସେମାନଙ୍କର ପାପ ଆମ୍ଭେ ଆଉ ସ୍ମରଣ କରିବା ନାହିଁ।”

ସନ୍ଧ୍ୟା ପ୍ରାର୍ଥନା: ପାଠ (15ତମ ପାଠ)

ଦାନି 3

ପତ୍ର

ରୋମୀ 6:3–11

3ଆମ୍ଭେମାନେ ଯେତେ ଲୋକ ଖ୍ରୀଷ୍ଟ ଯୀଶୁଙ୍କଠାରେ ବାପ୍ତିଜିତ ହୋଇଅଛୁ, ସମସ୍ତେ ଯେ ତାହାଙ୍କ ମରଣରେ ବାପ୍ତିଜିତ ହୋଇଅଛୁ, ଏହା କି ତୁମ୍ଭେମାନେ ଜାଣ ନାହିଁ? 4ଅତଏବ, ଆମ୍ଭେମାନେ ବାପ୍ତିସ୍ମ ଦ୍ୱାରା ମରଣରେ ତାହାଙ୍କ ସହିତ ସମାଧି ପାଇଅଛୁ, ଯେପରି ଖ୍ରୀଷ୍ଟ ପିତାଙ୍କ ଗୌରବ ଦ୍ୱାରା ମୃତମାନଙ୍କ ମଧ୍ୟରୁ ଯେଉଁ ପ୍ରକାରେ ଉତ୍ଥାପିତ ହେଲେ, ଆମ୍ଭେମାନେ ମଧ୍ୟ ସେହି ପ୍ରକାରେ ଜୀବନର ନୂତନ ଭାବରେ ଆଚରଣ କରୁ; 5କାରଣ ଯଦି ଆମ୍ଭେମାନେ ତାହାଙ୍କ ମୃତ୍ୟୁର ସାଦୃଶ୍ୟରେ ମୃତ୍ୟୁଭୋଗ କରି ତାହାଙ୍କ ସହିତ ଏକୀଭୂତ ହୋଇଅଛୁ, ତାହାହେଲେ ନିଶ୍ଚୟ ତାହାଙ୍କ ପୁନରୁତ୍ଥାନର ସାଦୃଶ୍ୟରେ ମଧ୍ୟ ଉତ୍ଥିତ ହୋଇ ତାହାଙ୍କ ସହିତ ଏକୀଭୂତ ହେବା। 6ଯେପରି ଆମ୍ଭେମାନେ ଆଉ ପାପର ଦାସତ୍ୱରେ ନ ରହୁ, ଏଥିପାଇଁ ପାପର ଶରୀର ବିନଷ୍ଟ ହେବା ନିମନ୍ତେ ଆମ୍ଭମାନଙ୍କର ପୁରାତନ ସ୍ୱଭାବ ଯେ ତାହାଙ୍କ ସହିତ କ୍ରୁଶରେ ହତ ହୋଇଅଛି, 7ଏହା ତ ଆମ୍ଭେମାନେ ଜାଣୁ, କାରଣ ଯେ ମରିଅଛି, ସେ ପାପରୁ ମୁକ୍ତ ହୋଇଅଛି। 8କିନ୍ତୁ ଆମ୍ଭେମାନେ ଯଦି ଖ୍ରୀଷ୍ଟଙ୍କ ସହିତ ମରିଅଛୁ, ତାହାହେଲେ ଆମ୍ଭେମାନେ ଯେ ତାହାଙ୍କ ସହିତ ମଧ୍ୟ ବଞ୍ଚିବା, ଏହା ଆମ୍ଭେମାନେ ବିଶ୍ୱାସ କରୁ। 9ଖ୍ରୀଷ୍ଟ ମୃତମାନଙ୍କ ମଧ୍ୟରୁ ଉତ୍ଥାପିତ ହେବାରୁ ଯେ ଆଉ କେବେ ମରିବେ ନାହିଁ, ଏହା ତ ଆମ୍ଭେମାନେ ଜାଣୁ; ତାହାଙ୍କ ଉପରେ ମୃତ୍ୟୁର ଆଉ କର୍ତ୍ତୃତ୍ୱ ନାହିଁ। 10କାରଣ ସେ ଯେଉଁ ମୃତ୍ୟୁଭୋଗ କଲେ, ତଦ୍ୱାରା ସେ ଥରେ ହିଁ ପାପ ପ୍ରତି ମୃତ ହେଲେ; କିନ୍ତୁ ସେ ଯେଉଁ ଜୀବନରେ ଜୀବିତ, ସେଥିରେ ସେ ଈଶ୍ବରଙ୍କ ପ୍ରତି ଜୀବିତ ଅଟନ୍ତି। 11ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆପଣା ଆପଣାକୁ ପାପ ପ୍ରତି ମୃତ, କିନ୍ତୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଥାଇ ଈଶ୍ବରଙ୍କ ପ୍ରତି ଜୀବିତ ବୋଲି ଗଣନା କର।

ସୁସମାଚାର

ମାଥି 28:1–20

1ବିଶ୍ରାମବାର ଶେଷ ହେଲା ପରେ ସପ୍ତାହର ପ୍ରଥମ ଦିନର ପ୍ରତ୍ୟୁଷରେ ମଗ୍‌ଦଲୀନୀ ମରୀୟମ ଓ ଅନ୍ୟ ମରୀୟମ ସମାଧି ଦେଖିବାକୁ ଆସିଲେ। 2ଆଉ ଦେଖ, ମହା ଭୂମିକମ୍ପ ହେଲା, କାରଣ ପ୍ରଭୁଙ୍କର ଜଣେ ଦୂତ ସ୍ୱର୍ଗରୁ ଓହ୍ଲାଇ ଆସି ସେହି ପଥର ଖଣ୍ଡିକ ଗଡ଼ାଇଦେଇ ତାହା ଉପରେ ବସିଲେ। 3ତାହାଙ୍କ ରୂପ ବିଜୁଳି ପରି ଓ ତାହାଙ୍କର ବସ୍ତ୍ର ହିମ ପରି ଧଳା ରଙ୍ଗ ଥିଲା, 4ପୁଣି, ତାହାଙ୍କ ଭୟରେ ପ୍ରହରୀମାନେ କମ୍ପମାନ ହୋଇ ମୃତବ୍ୟକ୍ତିମାନଙ୍କ ପରି ହେଲେ। 5କିନ୍ତୁ ଦୂତ ସ୍ତ୍ରୀଲୋକମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଭୟ କର ନାହିଁ, କାରଣ ତୁମ୍ଭେମାନେ ଯେ କ୍ରୁଶରେ ହତ ଯୀଶୁଙ୍କୁ ଖୋଜୁଅଛ, ତାହା ମୁଁ ଜାଣେ। 6ସେ ଏଠାରେ ନାହାନ୍ତି, କାରଣ ସେ ଯେପରି କହିଥିଲେ, ସେହିପରି ଉଠିଅଛନ୍ତି। ଆସ, ସେ ଯେଉଁଠାରେ ଶୋଇଥିଲେ ସେହି ସ୍ଥାନ ଦେଖ। 7ଆଉ, ତୁମ୍ଭେମାନେ ଶୀଘ୍ର ଯାଇ ତାହାଙ୍କ ଶିଷ୍ୟମାନଙ୍କୁ କୁହ, ସେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ପୁଣି, ଦେଖ, ସେ ତୁମ୍ଭମାନଙ୍କ ଆଗେ ଗାଲିଲୀକୁ ଯାଉଅଛନ୍ତି, ସେଠାରେ ତୁମ୍ଭେମାନେ ତାହାଙ୍କର ଦର୍ଶନ ପାଇବ; ଦେଖ, ମୁଁ ତୁମ୍ଭମାନଙ୍କୁ କହିଲି। 8ଏଥିରେ ସେମାନେ ଭୟ ଓ ମହାନନ୍ଦରେ ସମାଧି ନିକଟରୁ ଶୀଘ୍ର ଚାଲିଯାଇ ତାହାଙ୍କ ଶିଷ୍ୟମାନଙ୍କୁ ସମ୍ବାଦ ଦେବା ପାଇଁ ଦୌଡ଼ିଲେ। 9ଆଉ ଦେଖ, ଯୀଶୁ ସେମାନଙ୍କୁ ସାକ୍ଷାତ କରି କହିଲେ, “ତୁମ୍ଭମାନଙ୍କର ମଙ୍ଗଳ ହେଉ।” ତହୁଁ ସେମାନେ ନିକଟକୁ ଆସି ତାହାଙ୍କ ପାଦ ଧରି ତାହାଙ୍କୁ ପ୍ରଣାମ କଲେ। 10ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ଭୟ କର ନାହିଁ, ତୁମ୍ଭେମାନେ ଯାଇ ମୋହର ଭାଇମାନଙ୍କୁ ଜଣାଅ, ସେମାନେ ଗାଲିଲୀକୁ ଯାଆନ୍ତୁ; ସେଠାରେ ସେମାନେ ମୋହର ଦର୍ଶନ ପାଇବେ।” 11ସେମାନେ ଯାଉଥିବା ସମୟରେ, ଦେଖ, ପ୍ରହରୀ-ଦଳ ମଧ୍ୟରେ କେତେକ ଜଣ ନଗରକୁ ଯାଇ ସେହି ସମସ୍ତ ଘଟଣାର ବିବରଣ ପ୍ରଧାନ ଯାଜକମାନଙ୍କୁ ଜଣାଇଲେ। 12ସେମାନେ ପ୍ରାଚୀନବର୍ଗ ସହିତ ଏକତ୍ର ହୋଇ ମନ୍ତ୍ରଣା କଲା ପରେ ସେହି ସୈନ୍ୟମାନଙ୍କୁ ବହୁତ ଟଙ୍କା ଦେଇ କହିଲେ, 13ତୁମ୍ଭେମାନେ କୁହ, ଆମ୍ଭେମାନେ ଶୋଇପଡ଼ିଥିବା ସମୟରେ ତାହାଙ୍କର ଶିଷ୍ୟମାନେ ରାତିରେ ଆସି ତାହାଙ୍କୁ ଚୋରି କରି ନେଇଗଲେ। 14ପୁଣି, ଏ କଥା ଯେବେ ଶାସନକର୍ତ୍ତାଙ୍କ କର୍ଣ୍ଣଗୋଚର ହୁଏ, ତାହାହେଲେ ଆମ୍ଭେମାନେ ତାହାଙ୍କୁ ବୁଝାଇ ତୁମ୍ଭମାନଙ୍କୁ ଚିନ୍ତାରୁ ମୁକ୍ତ କରିବା। 15ସେଥିରେ ସେମାନେ ଟଙ୍କା ନେଇ ଯେପରି ଶିକ୍ଷା ପାଇଥିଲେ, ସେହିପରି କଲେ। ଏଣୁ ଏହି କଥା ଯିହୁଦୀମାନଙ୍କ ମଧ୍ୟରେ ବ୍ୟାପିଯାଇ ଆଜି ପର୍ଯ୍ୟନ୍ତ ପ୍ରଚଳିତ ଅଛି। 16କିନ୍ତୁ ଏକାଦଶ ଶିଷ୍ୟ ଗାଲିଲୀକୁ ଯାଇ, ଯୀଶୁ ଯେଉଁ ପର୍ବତ ବିଷୟ ସେମାନଙ୍କୁ କହିଥିଲେ, ସେହି ପର୍ବତକୁ ଗଲେ। 17ଆଉ, ସେମାନେ ତାହାଙ୍କୁ ଦେଖି ପ୍ରଣାମ କଲେ, ମାତ୍ର କେହି କେହି ସନ୍ଦେହ କଲେ। 18ପୁଣି, ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, “ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ଦିଆଯାଇଅଛି। 19ଅତଏବ, ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ, 20ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି, ସେହିସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର; ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି।”

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଅପ୍ରେଲ 18 ନାଗରିକ ପଞ୍ଜିକାର ମଇ 1। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର