ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅପ୍ରେଲ 2027 › ଅପ୍ରେଲ 23
ଅର୍ଥୋଡକ୍ସ ପଞ୍ଜିକା · 10 ଅପ୍ରେଲ (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 23 ଅପ୍ରେଲ 2027
ଶୁକ୍ରବାର · ମହା ଉପବାସର ଷଷ୍ଠ ସପ୍ତାହ · ସ୍ୱର 5
ପର୍ବ ଓ ସନ୍ଥ
Martyrs Terence, Pompius, and with them Africanus, Macarius, Xeno, Alexander and the other 33 beheaded at Carthage († c.249-251)
ମହା ଉପବାସ
କଠୋର ଉପବାସ (ଶୁଖିଲା ଆହାର: ରୁଟି, ପନିପରିବା, ଫଳ)
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ଷଷ୍ଠ ଘଣ୍ଟା
10ହେ ଯିରୂଶାଲମକୁ ପ୍ରେମକାରୀ ସମସ୍ତେ, ତୁମ୍ଭେମାନେ ତାହା ସହିତ ଆନନ୍ଦ କର ଓ ତାହା ନିମନ୍ତେ ଉଲ୍ଲାସ କର; ତାହା ବିଷୟରେ ଶୋକକାରୀ ସମସ୍ତେ, ତୁମ୍ଭେମାନେ ଆନନ୍ଦ ସକାଶୁ ତାହା ସହିତ ଉଲ୍ଲାସ କର; 11ତହିଁରେ ତୁମ୍ଭେମାନେ ତାହାର ସାନ୍ତ୍ୱନାରୂପ ସ୍ତନ୍ୟପାନ କରି ତୃପ୍ତ ହେବ; ତୁମ୍ଭେମାନେ ଦୁଗ୍ଧ ଦୁହିଁ ତାହାର ଐଶ୍ୱର୍ଯ୍ୟର ବାହୁଲ୍ୟରେ ଆନନ୍ଦିତ ହେବ।” 12କାରଣ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ତାହା ଆଡ଼କୁ ନଦୀ ତୁଲ୍ୟ ଶାନ୍ତି ଓ ଉଚ୍ଛୁଳିବା ସ୍ରୋତ ତୁଲ୍ୟ ନାନା ଦେଶୀୟମାନଙ୍କ ଐଶ୍ୱର୍ଯ୍ୟ ବହାଇବା, ପୁଣି ତୁମ୍ଭେମାନେ ତହିଁରୁ ସ୍ତନ୍ୟପାନ କରିବ ଓ ତୁମ୍ଭେମାନେ ବାହୁରେ ବୁହାଯିବ ଓ ଆଣ୍ଠୁ ଉପରେ ନଚାଯିବ। 13ଯେପରି ଜଣକୁ ତାହାର ମାତା ସାନ୍ତ୍ୱନା କରେ, ସେହିପରି ଆମ୍ଭେ ତୁମ୍ଭମାନଙ୍କୁ ସାନ୍ତ୍ୱନା କରିବା ଓ ତୁମ୍ଭେମାନେ ଯିରୂଶାଲମରେ ସାନ୍ତ୍ୱନା ପାଇବ। 14ପୁଣି, ତୁମ୍ଭେମାନେ ଏହା ଦେଖିବ ଓ ତୁମ୍ଭମାନଙ୍କର ହୃଦୟ ପ୍ରଫୁଲ୍ଲ ହେବ, ଆଉ ତୁମ୍ଭମାନଙ୍କର ଅସ୍ଥି ନବୀନ ତୃଣ ତୁଲ୍ୟ ସତେଜ ହେବ; ପୁଣି, ସଦାପ୍ରଭୁଙ୍କର ହସ୍ତ ତାହାଙ୍କ ଦାସମାନଙ୍କ ପକ୍ଷରେ ପ୍ରକାଶିତ ହେବ ଓ ସେ ଆପଣା ଶତ୍ରୁମାନଙ୍କ ବିରୁଦ୍ଧରେ କୋପାନ୍ୱିତ ହେବେ। 15କାରଣ ଦେଖ, ମହାତାପରେ ଆପଣାର କ୍ରୋଧ ଓ ପ୍ରଜ୍ୱଳିତ ଅଗ୍ନି ଦ୍ୱାରା ଆପଣା ଭର୍ତ୍ସନା ପ୍ରତିଦାନ କରିବା ପାଇଁ ସଦାପ୍ରଭୁ ଅଗ୍ନି ସହକାରେ ଆଗମନ କରିବେ ଓ ତାହାଙ୍କର ରଥସବୁ ଘୂର୍ଣ୍ଣିବାୟୁ ତୁଲ୍ୟ ହେବ। 16କାରଣ ସଦାପ୍ରଭୁ ଅଗ୍ନି ଦ୍ୱାରା ଓ ଆପଣା ଖଡ୍ଗ ଦ୍ୱାରା ଯାବତୀୟ ମର୍ତ୍ତ୍ୟ ସହିତ ବିବାଦ ନିଷ୍ପନ୍ନ କରିବେ; ତହିଁରେ ସଦାପ୍ରଭୁଙ୍କ ଦ୍ୱାରା ହତ ଲୋକ ଅନେକ ହେବେ। 17ସଦାପ୍ରଭୁ କହନ୍ତି, ଯେଉଁମାନେ ମଧ୍ୟବର୍ତ୍ତୀ ଏକ ଜଣର ପଶ୍ଚାତ୍ ଉଦ୍ୟାନକୁ ଯିବା ପାଇଁ ଆପଣାମାନଙ୍କୁ ପବିତ୍ର ଓ ଶୁଚି କରନ୍ତି, ଶୂକର ମାଂସ ଓ ଘୃଣ୍ୟ ଦ୍ରବ୍ୟ ଓ ମୂଷା ଖାଆନ୍ତି, ସେମାନେ ଏକତ୍ର ବିନଷ୍ଟ ହେବେ। 18କାରଣ ଆମ୍ଭେ ସେମାନଙ୍କର କ୍ରିୟା ଓ କଳ୍ପନାସବୁ ଜାଣୁ; ସର୍ବଦେଶୀୟ ଓ ଭାଷାବାଦୀ ଲୋକଙ୍କୁ ଆମ୍ଭର ସଂଗ୍ରହ କରିବାର ସମୟ ଆସୁଅଛି ଓ ସେମାନେ ଆସି ଆମ୍ଭର ମହିମା ଦେଖିବେ। 19ପୁଣି, ଆମ୍ଭେ ସେମାନଙ୍କ ମଧ୍ୟରେ ଏକ ଚିହ୍ନ ସ୍ଥାପନ କରିବା ଓ ସେମାନଙ୍କ ମଧ୍ୟରୁ ରକ୍ଷାପ୍ରାପ୍ତ ଲୋକମାନଙ୍କୁ ଆମ୍ଭେ ନାନା ଦେଶୀୟମାନଙ୍କ ନିକଟକୁ, ତର୍ଶୀଶ, ପୂଲ୍ ଓ ଲୁଦ୍, ଯେଉଁମାନେ ଧନୁର୍ଦ୍ଧାରୀ, ତୁବଲ୍ ଓ ଯବନ, ଇତ୍ୟାଦି ଯେଉଁ ଦୂରସ୍ଥ ଦ୍ୱୀପଗଣ ଆମ୍ଭର ସୁଖ୍ୟାତି ବିଷୟ କେବେ ଶୁଣି ନାହାନ୍ତି, କିଅବା ଆମ୍ଭର ପ୍ରତାପ ଦେଖି ନାହାନ୍ତି, ସେମାନଙ୍କ ନିକଟକୁ ପ୍ରେରଣ କରିବା ଓ ସେମାନେ ନାନା ଦେଶୀୟମାନଙ୍କ ମଧ୍ୟରେ ଆମ୍ଭର ମହିମା ପ୍ରକାଶ କରିବେ। 20ପୁଣି, ସଦାପ୍ରଭୁ କହନ୍ତି, ଇସ୍ରାଏଲର ସନ୍ତାନଗଣ ଯେପରି ଶୁଚି ପାତ୍ରରେ ସଦାପ୍ରଭୁଙ୍କ ଗୃହକୁ ଉପହାର ଆଣନ୍ତି, ସେହିପରି ସେମାନେ ତୁମ୍ଭମାନଙ୍କର ଭ୍ରାତା ସମସ୍ତଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ନିମନ୍ତେ, ସର୍ବଦେଶୀୟମାନଙ୍କ ମଧ୍ୟରୁ ସେମାନଙ୍କୁ ଅଶ୍ୱ, ରଥ ଓ ଚୌଦଳ, ଖଚର ଓ ଦ୍ରୁତଗାମୀ ପଶୁମାନଙ୍କ ଉପରେ ଆମ୍ଭର ପବିତ୍ର ପର୍ବତ ଯିରୂଶାଲମକୁ ଆଣିବେ। 21ଆହୁରି, ଆମ୍ଭେ ସେମାନଙ୍କ ମଧ୍ୟରୁ ଯାଜକ ଓ ଲେବୀୟ ହେବା ନିମନ୍ତେ ଲୋକ ଗ୍ରହଣ କରିବା, ଏହା ସଦାପ୍ରଭୁ କହନ୍ତି। 22କାରଣ ଆମ୍ଭେ ଯେଉଁ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ନିର୍ମାଣ କରିବା, ତାହା ଯେପରି ଆମ୍ଭ ସମ୍ମୁଖରେ ସ୍ଥାୟୀ ହେବ, ସେହିପରି ତୁମ୍ଭମାନଙ୍କର ବଂଶ ଓ ତୁମ୍ଭମାନଙ୍କର ନାମ ସ୍ଥାୟୀ ହେବ, ଏହା ସଦାପ୍ରଭୁ କହନ୍ତି। 23ଆଉ, ଏକ ଅମାବାସ୍ୟାଠାରୁ ଅନ୍ୟ ଅମାବାସ୍ୟା ପର୍ଯ୍ୟନ୍ତ ଓ ଏକ ବିଶ୍ରାମବାରଠାରୁ ଅନ୍ୟ ବିଶ୍ରାମବାର ପର୍ଯ୍ୟନ୍ତ ଯାବତୀୟ ମର୍ତ୍ତ୍ୟ ଆମ୍ଭ ସମ୍ମୁଖରେ ଭଜନା କରିବା ପାଇଁ ଆସିବେ, ଏହା ସଦାପ୍ରଭୁ କହନ୍ତି। 24ପୁଣି, ସେମାନେ ବାହାରେ ଯାଇ, ଯେଉଁମାନେ ଆମ୍ଭ ବିରୁଦ୍ଧରେ ଅଧର୍ମ କରିଅଛନ୍ତି, ସେହି ଲୋକମାନଙ୍କର ଶବ ଦେଖିବେ; କାରଣ ସେମାନଙ୍କର କୀଟ ମରିବ ନାହିଁ, କିଅବା ସେମାନଙ୍କର ଅଗ୍ନି ନିର୍ବାଣ ହେବ ନାହିଁ; ପୁଣି, ସେମାନେ ସମସ୍ତ ମର୍ତ୍ତ୍ୟର ଘୃଣାସ୍ପଦ ହେବେ।”
ସନ୍ଧ୍ୟା ପ୍ରାର୍ଥନା: ପାଠ
33ଏହିରୂପେ ଯାକୁବ ଆପଣା ପୁତ୍ରମାନଙ୍କୁ ଆଜ୍ଞା ଦେବାର ସମାପ୍ତ କଲା ଉତ୍ତାରେ ଶଯ୍ୟାରେ ଦୁଇ ପାଦ ଏକତ୍ର କରି ପ୍ରାଣତ୍ୟାଗ କଲେ ଓ ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହେଲେ। 50:1ସେତେବେଳେ ଯୋଷେଫ ଆପଣା ପିତାଙ୍କର ମୁଖରେ ମୁଖ ଦେଇ ରୋଦନ କରି ଚୁମ୍ବନ କଲେ। 2ପୁଣି, ଯୋଷେଫ ଆପଣା ପିତାଙ୍କର ଶବ ପୂତିଘ୍ନ ଦ୍ରବ୍ୟାକ୍ତ କରିବା ପାଇଁ ଆପଣା ଦାସ ବୈଦ୍ୟମାନଙ୍କୁ ଆଜ୍ଞା ଦେଲେ; ତହିଁରେ ବୈଦ୍ୟମାନେ ଇସ୍ରାଏଲଙ୍କର ଶବକୁ ପୂତିଘ୍ନ ଦ୍ରବ୍ୟ ଯୁକ୍ତ କଲେ। 3ତାହା ପାଇଁ ଚାଳିଶ ଦିନ ଲାଗିଲା; ଯେହେତୁ ପୂତିଘ୍ନ ଦ୍ରବ୍ୟାକ୍ତ କରିବାକୁ ଚାଳିଶ ଦିନ ଲାଗେ; ପୁଣି, ମିସରୀୟ ଲୋକମାନେ ତାଙ୍କ ନିମନ୍ତେ ସତୁରି ଦିନ ଯାଏ ଶୋକ କଲେ। 4ସେହି ଶୋକ ଦିନ ଗତ ହୁଅନ୍ତେ, ଯୋଷେଫ ଫାରୋଙ୍କର ପରିଜନଙ୍କୁ କହିଲେ, “ଯଦି ମୁଁ ତୁମ୍ଭମାନଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଥାଏ, ତେବେ ବିନୟ କରୁଅଛି, ଫାରୋଙ୍କ କର୍ଣ୍ଣଗୋଚରେ ଏହି କଥା କୁହ, 5ମୋʼ ପିତା ମୋତେ ଶପଥ କରାଇ କହିଅଛନ୍ତି, ‘ଦେଖ, ଆମ୍ଭେ ମଲେ, କିଣାନ ଦେଶରେ ଆପଣା ନିମନ୍ତେ ଯେଉଁ କବର ଖନନ କରିଅଛୁ, ତହିଁରେ ଆମ୍ଭକୁ କବର ଦେବ।’ ଏଣୁ ଏବେ ମୋତେ ଯିବାକୁ ଦିଅନ୍ତୁ, ମୁଁ ପିତାଙ୍କୁ କବର ଦେଇ ପୁନର୍ବାର ଆସିବି।” 6ତହିଁରେ ଫାରୋ କହିଲେ, “ଯାଅ, ତୁମ୍ଭ ପିତା ତୁମ୍ଭକୁ ଯେଉଁ ଶପଥ କରାଇଅଛନ୍ତି, ତୁମ୍ଭେ ତଦନୁସାରେ ତାଙ୍କୁ କବର ଦିଅ।” 7ତହୁଁ ଯୋଷେଫ ଆପଣା ପିତାଙ୍କୁ କବର ଦେବାକୁ ଯାତ୍ରା କଲେ; ତହିଁରେ ଫାରୋଙ୍କର ଦାସମାନେ ଓ ତାଙ୍କ ଗୃହର ପ୍ରଧାନ ଲୋକମାନେ ଓ ମିସର ଦେଶର ପ୍ରଧାନ ଲୋକମାନେ, 8ପୁଣି, ଯୋଷେଫଙ୍କର ସମସ୍ତ ପରିବାର ଓ ତାଙ୍କର ଭ୍ରାତୃଗଣ ଓ ତାଙ୍କର ପିତୃପରିବାର ତାଙ୍କ ସଙ୍ଗେ ଗମନ କଲେ; ଗୋଶନ ପ୍ରଦେଶରେ ସେମାନେ କେବଳ ଆପଣାମାନଙ୍କ ବାଳକଗଣ ଓ ମେଷପଲ ଓ ଗୋପଲ ଛାଡ଼ିଗଲେ। 9ତାଙ୍କ ସଙ୍ଗରେ ରଥ ଓ ଅଶ୍ୱାରୋହୀଗଣ ଗମନ ଗଲେ; ତହିଁରେ ଅତିଶୟ ସମାରୋହ ହେଲା। 10ଏଥିଉତ୍ତାରେ ସେମାନେ ଯର୍ଦ୍ଦନ ପାରସ୍ଥ ଆଟଦର ଖଳାରେ ଉପସ୍ଥିତ ହୁଅନ୍ତେ, ସେଠାରେ ମହା ବିଳାପ କରି ରୋଦନ କଲେ; ଯୋଷେଫ ସେଠାରେ ଆପଣା ପିତାଙ୍କ ଲାଗି ସାତ ଦିନ ପର୍ଯ୍ୟନ୍ତ ଶୋକ କଲେ। 11ପୁଣି, ସେହି ଦେଶ ନିବାସୀ କିଣାନୀୟ ଲୋକମାନେ ଆଟଦର ଖଳାରେ ସେମାନଙ୍କର ଏରୂପ ଶୋକ ଦେଖି କହିଲେ, “ମିସରୀୟମାନଙ୍କର ଏ ଅତି ଦାରୁଣ ଶୋକ,” ତେଣୁକରି ଯର୍ଦ୍ଦନ ପାରସ୍ଥ ସେହି ସ୍ଥାନ ଆବେଲ୍ ମିସର ନାମରେ ବିଖ୍ୟାତ ହେଲା। 12ଏଥିଉତ୍ତାରେ ଯାକୁବ ଆପଣା ପୁତ୍ରମାନଙ୍କୁ ଯେପରି ଆଜ୍ଞା ଦେଇଥିଲେ, ସେମାନେ ତାଙ୍କ ପ୍ରତି ତଦନୁସାରେ କଲେ; 13ଅର୍ଥାତ୍, ତାଙ୍କର ପୁତ୍ରମାନେ ତାଙ୍କୁ କିଣାନ ଦେଶକୁ ନେଇ ମକ୍ପେଲା କ୍ଷେତ୍ରରେ ମଧ୍ୟବର୍ତ୍ତୀ ଗୁହାରେ କବର ଦେଲେ; ସେହି ଗୁହା ମମ୍ରିର ସମ୍ମୁଖସ୍ଥ କ୍ଷେତ୍ର ସହିତ କବର ସ୍ଥାନାଧିକାର ନିମିତ୍ତ ହିତ୍ତୀୟ ଇଫ୍ରୋଣଠାରୁ ଅବ୍ରହାମଙ୍କ ଦ୍ୱାରା କ୍ରୀତ ହୋଇଥିଲା। 14ଯୋଷେଫ ଆପଣା ପିତାଙ୍କୁ କବର ଦେଲା ଉତ୍ତାରେ ସେ ଓ ତାଙ୍କର ଭ୍ରାତୃଗଣ ପ୍ରଭୃତି ଯେତେ ଲୋକ ତାଙ୍କ ପିତାଙ୍କର କବର ଦେବାକୁ ତାଙ୍କ ସଙ୍ଗେ ଯାଇଥିଲେ, ସମସ୍ତେ ମିସରକୁ ପ୍ରତ୍ୟାଗମନ କଲେ। 15ଆଉ ଆପଣାମାନଙ୍କର ପିତା ମରିଅଛନ୍ତି, ଏହା ଦେଖି ଯୋଷେଫଙ୍କର ଭାଇମାନେ କହିଲେ, “କେଜାଣି ଯୋଷେଫ ଆମ୍ଭମାନଙ୍କୁ ଘୃଣା କରିବ, ପୁଣି, ଆମ୍ଭେମାନେ ତାହାର ଯେସକଳ ମନ୍ଦ କରିଅଛୁ, ତହିଁର ସମ୍ପୂର୍ଣ୍ଣ ପ୍ରତିଫଳ ଆମ୍ଭମାନଙ୍କୁ ଦେବ।” 16ଏହେତୁ ସେମାନେ ଯୋଷେଫଙ୍କ ନିକଟକୁ ଏହି କଥା କହି ପଠାଇଲେ, “ତୁମ୍ଭ ପିତା ମୃତ୍ୟୁ ପୂର୍ବରେ ଆମ୍ଭମାନଙ୍କୁ ଏହା କହିଥିଲେ, ତୁମ୍ଭେମାନେ ‘ଯୋଷେଫକୁ ଏହି କଥା କହିବ, 17ତୁମ୍ଭ ଭାଇମାନେ ତୁମ୍ଭର ମନ୍ଦ କରିଅଛନ୍ତି; ମାତ୍ର ତୁମ୍ଭେ ଅନୁଗ୍ରହ କରି ସେମାନଙ୍କର ସେହି ଅଧର୍ମ ଓ ପାପ ମାର୍ଜନା କରିବ;’ ଏଥିପାଇଁ ଆମ୍ଭେମାନେ ବିନୟ କରୁଅଛୁ, ତୁମ୍ଭ ପୈତୃକ ପରମେଶ୍ୱରଙ୍କ ଦାସଗଣର ଅଧର୍ମ ମାର୍ଜନା କର।” ସେମାନେ ଏହି କଥା କହିବା ବେଳେ ଯୋଷେଫ କାନ୍ଦିବାକୁ ଲାଗିଲେ। 18ଏଥିଉତ୍ତାରେ ତାଙ୍କର ଭାଇମାନେ ତାଙ୍କ ଆଗକୁ ଯାଇ ପ୍ରଣାମ କରି କହିଲେ, “ଦେଖ, ଆମ୍ଭେମାନେ ତୁମ୍ଭର ଦାସ।” 19ତହିଁରେ ଯୋଷେଫ ସେମାନଙ୍କୁ କହିଲେ, “ତୁମ୍ଭେମାନେ କିଛି ଭୟ କର ନାହିଁ, ମୁଁ କʼଣ ପରମେଶ୍ୱରଙ୍କର ପ୍ରତିନିଧି? 20ତୁମ୍ଭେମାନେ ମୋʼ ବିରୁଦ୍ଧରେ ମନ୍ଦ କଳ୍ପନା କରିଥିଲ ପ୍ରମାଣ, ମାତ୍ର ପରମେଶ୍ୱର ତାହା ମଙ୍ଗଳର କଳ୍ପନା କଲେ; ଏବେ ଯେପରି ଦେଖୁଅଛ, ସେପରି ଅନେକ ଲୋକଙ୍କର ପ୍ରାଣରକ୍ଷା କରିବାକୁ ତାହାଙ୍କର ଅଭିପ୍ରାୟ ଥିଲା। 21ଏଥିପାଇଁ ତୁମ୍ଭେମାନେ ଏବେ ଭୀତ ହୁଅ ନାହିଁ, ମୁଁ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ବାଳକଗଣକୁ ପ୍ରତିପାଳନ କରିବି।” ଏହି ପ୍ରକାରେ ଚିତ୍ତ ପ୍ରବୋଧକ କଥା କହି ସେ ସେମାନଙ୍କୁ ସାନ୍ତ୍ୱନା ଦେଲେ। 22ଏଥିଉତ୍ତାରେ ଯୋଷେଫ ଓ ତାଙ୍କର ପିତୃପରିବାର ମିସରରେ ବାସ କରି ରହିଲେ; ଯୋଷେଫ ଶହେ ଦଶ ବର୍ଷ ଜୀବିତ ରହିଲେ। 23ଯୋଷେଫ ଇଫ୍ରୟିମର ତୃତୀୟ ପୁରୁଷ ପର୍ଯ୍ୟନ୍ତ ସନ୍ତାନସନ୍ତତି ଦେଖିଲେ; ପୁଣି, ଯୋଷେଫ ମନଃଶିର ମାଖୀର ନାମକ ପୁତ୍ରର ଶିଶୁସନ୍ତାନମାନଙ୍କୁ “କୋଳ କଲେ।” 24ଏଥିଉତ୍ତାରେ ଯୋଷେଫ ଭାଇମାନଙ୍କୁ କହିଲେ, “ମୁଁ ମରୁଅଛି, ମାତ୍ର ପରମେଶ୍ୱର ଅବଶ୍ୟ ତୁମ୍ଭମାନଙ୍କର ତତ୍ତ୍ୱାବଧାନ କରିବେ, ପୁଣି, ଏହି ଦେଶରୁ ତୁମ୍ଭମାନଙ୍କୁ ବାହାର କରି ଯେଉଁ ଦେଶ ଦେବା ପାଇଁ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ନିକଟରେ ଶପଥ କରିଅଛନ୍ତି, ସେହି ଦେଶକୁ ତୁମ୍ଭମାନଙ୍କୁ ନେଇଯିବେ।” 25ଆହୁରି ଯୋଷେଫ ଇସ୍ରାଏଲଙ୍କର ସନ୍ତାନମାନଙ୍କୁ ଏହି ଶପଥ କରାଇ କହିଲେ, “ପରମେଶ୍ୱର ଅବଶ୍ୟ ତୁମ୍ଭମାନଙ୍କର ତତ୍ତ୍ୱାବଧାନ କରିବେ, ସେହି ସମୟରେ ତୁମ୍ଭେମାନେ ଏ ସ୍ଥାନରୁ ମୋହର ଅସ୍ଥି ନେଇଯିବ।” 26ଏହି ପ୍ରକାରେ ଯୋଷେଫ ଶହେ ଦଶ ବର୍ଷ ବୟସରେ ମଲେ; ତହିଁରେ ସେମାନେ ତାଙ୍କର ଶବକୁ ପୂତିଘ୍ନ ଦ୍ରବ୍ୟ ଯୁକ୍ତ କରି ମିସର ଦେଶରେ ଏକ ସିନ୍ଦୁକ ମଧ୍ୟରେ ରଖିଲେ।
ସନ୍ଧ୍ୟା ପ୍ରାର୍ଥନା: ପାଠ
8ଘୁଙ୍ଗା ଲୋକଙ୍କ ପକ୍ଷରେ, ସମସ୍ତ ଅନାଥଙ୍କ ପକ୍ଷରେ, ଆପଣା ମୁଖ ଫିଟାଅ। 9ମୁଖ ଫିଟାଇ ଯଥାର୍ଥ ବିଚାର କର, ପୁଣି, ଦୁଃଖୀ ଓ ଦରିଦ୍ରମାନଙ୍କର ସୁବିଚାର କର। 10ଗୁଣବତୀ ସ୍ତ୍ରୀ କିଏ ପାଇ ପାରେ? ମୁକ୍ତାଠାରୁ ହିଁ ତାହାର ମୂଲ୍ୟ ଅଧିକ। 11ତାହାର ସ୍ୱାମୀର ହୃଦୟ ତାହାଠାରେ ନିର୍ଭର କରେ, ପୁଣି, ତାହାର ଲାଭର ଅଭାବ ହୁଏ ନାହିଁ। 12ସେ ଜୀବନଯାଏ ସ୍ୱାମୀର କ୍ଷତି ନ କରି ମଙ୍ଗଳ କରେ। 13ସେ ମେଷଲୋମ ଓ ମସିନା ଖୋଜି ସନ୍ତୋଷରେ ଆପଣା ହସ୍ତରେ କର୍ମ କରେ। 14ସେ ବାଣିଜ୍ୟ-ଜାହାଜ ତୁଲ୍ୟ; ସେ ଦୂରରୁ ଆପଣା ଆହାର ଆଣେ। 15ମଧ୍ୟ ସେ ରାତ୍ରି ଥାଉ ଥାଉ ଉଠେ ଓ ଆପଣା ପରିଜନ ସମସ୍ତଙ୍କ ନିମନ୍ତେ ଖାଦ୍ୟ ପ୍ରସ୍ତୁତ କରେ ଓ ଦାସୀଗଣଙ୍କୁ ନିରୂପିତ କର୍ମ ଦିଏ। 16ସେ କ୍ଷେତ୍ରର ବିଷୟ ବୁଝି ତାହା କିଣେ, ସେ ଆପଣା ହସ୍ତର ଫଳ ଦେଇ ଦ୍ରାକ୍ଷାକ୍ଷେତ୍ର ରୋପଣ କରେ। 17ସେ ବଳରେ ଆପଣା ଅଣ୍ଟା ବାନ୍ଧେ ଓ ଆପଣା ବାହୁ ବଳବାନ କରେ। 18ଆପଣା ବ୍ୟାପାର ଯେ ଲାଭଜନକ, ଏହା ସେ ବୁଝେ; ପୁଣି, ରାତ୍ରିକାଳରେ ତାହାର ପ୍ରଦୀପ ଲିଭିଯାଏ ନାହିଁ। 19ସେ ଚରଖାକୁ ହାତ ବଢ଼ାଏ, ପୁଣି, ତାହାର ହସ୍ତ ତାକୁଡ଼ି ଧରେ। 20ସେ ଦୁଃଖୀ ଲୋକମାନଙ୍କ ପ୍ରତି ମୁକ୍ତହସ୍ତା ହୁଏ ଓ ଦରିଦ୍ରମାନଙ୍କ ପ୍ରତି ଆପଣା ହାତ ବଢ଼ାଏ। 21ସେ ହିମ ଲାଗି ଆପଣା ପରିବାର ବିଷୟରେ ଭୟ କରେ ନାହିଁ; ଯେହେତୁ ତାହାର ସମସ୍ତ ପରିବାର ସିନ୍ଦୂର ବର୍ଣ୍ଣ ବସ୍ତ୍ର ପିନ୍ଧନ୍ତି। 22ସେ ଆପଣା ନିମନ୍ତେ ଚିତ୍ରବିଚିତ୍ର ଆଚ୍ଛାଦନ ବସ୍ତ୍ର ପ୍ରସ୍ତୁତ କରେ, ପୁଣି, ସେ ଶୁଭ୍ର କ୍ଷୌମବସ୍ତ୍ର ଓ ଧୂମ୍ରବର୍ଣ୍ଣ ବସ୍ତ୍ର ପିନ୍ଧେ। 23ତାହାର ସ୍ୱାମୀ ଦେଶୀୟ ପ୍ରାଚୀନମାନଙ୍କ ସଙ୍ଗେ ନଗର-ଦ୍ୱାରରେ ବସିବା ବେଳେ ଚିହ୍ନାଯାଏ। 24ସେ ସୂକ୍ଷ୍ମ ବସ୍ତ୍ର ପ୍ରସ୍ତୁତ କରି ବିକ୍ରୟ କରେ, ପୁଣି, ବଣିକମାନଙ୍କ ହସ୍ତରେ କଟିବନ୍ଧନ ସମର୍ପଣ କରେ। 25ବଳ ଓ ଶୋଭା ତାହାର ବସ୍ତ୍ର ସ୍ୱରୂପ; ପୁଣି, ଭବିଷ୍ୟତକାଳ ବିଷୟରେ ସେ ହାସ୍ୟ କରେ। 26ସେ ଜ୍ଞାନରେ ଆପଣା ମୁଖ ଫିଟାଏ; ତାହାର ଜିହ୍ୱାରେ ଦୟାର ବ୍ୟବସ୍ଥା ଥାଏ। 27ସେ ଆପଣା ପରିବାରର ଆଚରଣରେ ମନୋଯୋଗ କରେ, ପୁଣି, ଆଳସ୍ୟର ଆହାର ଖାଏ ନାହିଁ। 28ତାହାର ସନ୍ତାନମାନେ ଉଠି ତାହାକୁ ଧନ୍ୟ ଧନ୍ୟ କହନ୍ତି ଓ ତାହାର ସ୍ୱାମୀ ହିଁ ତାହାକୁ (ଏରୂପ) ପ୍ରଶଂସା କରେ; 29“ଅନେକ କନ୍ୟା ଗୁଣ ଦେଖାଇଅଛନ୍ତି, ମାତ୍ର ତୁମ୍ଭେ ସେସମସ୍ତଙ୍କ ଅପେକ୍ଷା ଶ୍ରେଷ୍ଠ।” 30ଲାବଣ୍ୟ ପ୍ରବଞ୍ଚନାଜନକ ଓ ସୌନ୍ଦର୍ଯ୍ୟ ଅସାର; ମାତ୍ର ଯେଉଁ ସ୍ତ୍ରୀ ସଦାପ୍ରଭୁଙ୍କୁ ଭୟ କରେ, ସେ ପ୍ରଶଂସିତା ହେବ। 31ତାହାର ହାତର ଫଳ ତାହାକୁ ଦିଅ, ପୁଣି, ତାହାର ନିଜ କର୍ମ ନଗର-ଦ୍ୱାରରେ ତାହାର ପ୍ରଶଂସା କରୁ।
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଅପ୍ରେଲ 10 ନାଗରିକ ପଞ୍ଜିକାର ଅପ୍ରେଲ 23। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର