ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅପ୍ରେଲ 2027 › ଅପ୍ରେଲ 21
ଅର୍ଥୋଡକ୍ସ ପଞ୍ଜିକା · 8 ଅପ୍ରେଲ (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 21 ଅପ୍ରେଲ 2027
ବୁଧବାର · ମହା ଉପବାସର ଷଷ୍ଠ ସପ୍ତାହ · ସ୍ୱର 5
ପର୍ବ ଓ ସନ୍ଥ
Apostles of the Seventy Herodion (Rodion), Agabus, Asyncritus, Rufus, Phlegon and Hermes (1st C)
ମହା ଉପବାସ
କଠୋର ଉପବାସ (ଶୁଖିଲା ଆହାର: ରୁଟି, ପନିପରିବା, ଫଳ)
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ଷଷ୍ଠ ଘଣ୍ଟା
1“ମୁକ୍ତ କଣ୍ଠରେ ଘୋଷଣା କର, ସ୍ୱର ଊଣା କର ନାହିଁ, ତୂରୀ ପରି ଆପଣା ରବ ଉଠାଅ, ଆମ୍ଭ ଲୋକମାନଙ୍କୁ ସେମାନଙ୍କ ଅଧର୍ମ ଓ ଯାକୁବ ବଂଶକୁ ସେମାନଙ୍କ ପାପସବୁ ଜଣାଅ। 2ତଥାପି ସେମାନେ ପ୍ରତିଦିନ ଆମ୍ଭର ଅନ୍ୱେଷଣ କରନ୍ତି ଓ ଆମ୍ଭ ପଥ ବିଷୟ ଜାଣିବାକୁ ସନ୍ତୁଷ୍ଟ ହୁଅନ୍ତି; ଯେଉଁ ଗୋଷ୍ଠୀୟ ଲୋକେ ଧର୍ମକର୍ମ କରନ୍ତି ଓ ଆପଣାମାନଙ୍କ ପରମେଶ୍ୱରଙ୍କର ବିଧାନ ତ୍ୟାଗ କରି ନାହାନ୍ତି, ସେମାନଙ୍କ ପରି ସେମାନେ ଧର୍ମ ବିଧାନ ବିଷୟ ଆମ୍ଭକୁ ପଚାରନ୍ତି ଓ ପରମେଶ୍ୱରଙ୍କର ନିକଟକୁ ଆସିବାକୁ ସନ୍ତୁଷ୍ଟ ହୁଅନ୍ତି। 3ସେମାନେ କୁହନ୍ତି, ‘ଆମ୍ଭେମାନେ କାହିଁକି ଉପବାସ କରିଅଛୁ ଓ ତୁମ୍ଭେ ଦୃଷ୍ଟି କରୁ ନାହଁ?’ ଆମ୍ଭେମାନେ କାହିଁକି ଆପଣା ଆପଣା ପ୍ରାଣକୁ କ୍ଲେଶ ଦେଇଅଛୁ ଓ ତୁମ୍ଭେ ମନୋଯୋଗ କରୁ ନାହଁ? ଦେଖ, ତୁମ୍ଭେମାନେ ଉପବାସ ଦିନ ଆପଣା ସୁଖ ଚେଷ୍ଟା କରୁଅଛ ଓ ବଳପୂର୍ବକ ସବୁ ପରିଶ୍ରମ ନେଉଅଛ। 4ଦେଖ, ତୁମ୍ଭେମାନେ ବିବାଦ ଓ କଳହ ନିମନ୍ତେ, ଆଉ ଦୁଷ୍ଟତାରୂପ ମୁଷ୍ଟି ଦ୍ୱାରା ଆଘାତ କରିବା ନିମନ୍ତେ ଉପବାସ କରୁଅଛ; ତୁମ୍ଭମାନଙ୍କର ରବ ଊର୍ଦ୍ଧ୍ୱରେ ଯେପରି ଶୁଣାଯିବ, ଏପରି ଉପବାସ ଆଜି ତୁମ୍ଭେମାନେ କରୁ ନାହଁ। 5ଏହି ପ୍ରକାର ଉପବାସ, ମନୁଷ୍ୟ ଆପଣା ପ୍ରାଣକୁ କ୍ଲେଶ ଦେବା ନିମନ୍ତେ ଏହି ପ୍ରକାର ଦିନ, ଆମ୍ଭେ କʼଣ ମନୋନୀତ କରିଅଛୁ? ନଳବୃକ୍ଷ ପରି ମସ୍ତକ ନୁଆଁଇବାର, ପୁଣି ଚଟବସ୍ତ୍ର ଓ ଭସ୍ମ ଆପଣା ତଳେ ବିଛାଇବାର, ଏହାକୁ ତୁମ୍ଭେ ଉପବାସ ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ କି ଗ୍ରାହ୍ୟ ଦିନ ବୋଲି କହିବ? 6ଦୁଷ୍ଟତାରୂପ ବନ୍ଧନ ଫିଟାଇ ଦେବାର, ଯୁଆଳିର ବନ୍ଧନ ମୁକ୍ତ କରିବାର ଓ ଉପଦ୍ରବଗ୍ରସ୍ତ ଲୋକମାନଙ୍କୁ ମୁକ୍ତ କରି ଛାଡ଼ିଦେବାର, ପୁଣି ପ୍ରତ୍ୟେକ ଯୁଆଳି ଭଗ୍ନ କରିବାର, 7କ୍ଷୁଧିତ ଲୋକକୁ ତୁମ୍ଭର ଖାଦ୍ୟ ବଣ୍ଟନ କରିବାର, ଓ ତାଡ଼ିତ ଦୁଃଖୀଲୋକକୁ ଆପଣା ଗୃହକୁ ଆଣିବାର, ତୁମ୍ଭେ ଉଲଙ୍ଗକୁ ଦେଖିଲେ, ତାହାକୁ ବସ୍ତ୍ର ପିନ୍ଧାଇବାର ଓ ତୁମ୍ଭର ନିଜ ବଂଶୀୟ ଲୋକଠାରୁ ଆପଣାକୁ ନ ଲୁଚାଇବାର, ଏହି ପ୍ରକାର ଉପବାସ ଆମ୍ଭେ କି ମନୋନୀତ କରି ନାହୁଁ? 8ଏହା କଲେ, ଅରୁଣ ତୁଲ୍ୟ ତୁମ୍ଭର ଦୀପ୍ତି ପ୍ରକାଶ ପାଇବ ଓ ତୁମ୍ଭର ଆରୋଗ୍ୟ ଶୀଘ୍ର ଅଙ୍କୁରିତ ହେବ; ପୁଣି, ତୁମ୍ଭର ଧର୍ମ ତୁମ୍ଭର ଅଗ୍ରବର୍ତ୍ତୀ ହେବ; ସଦାପ୍ରଭୁଙ୍କର ପ୍ରତାପ ତୁମ୍ଭର ପଶ୍ଚାଦ୍ବର୍ତ୍ତୀ ହେବ। 9ସେତେବେଳେ ତୁମ୍ଭେ ଡାକିବ ଓ ସଦାପ୍ରଭୁ ଉତ୍ତର ଦେବେ; ତୁମ୍ଭେ ଆର୍ତ୍ତସ୍ୱର କରିବ, ଆଉ ସେ କହିବେ, ‘ଆମ୍ଭେ ଉପସ୍ଥିତ ଅଛୁ।’ ଯଦି ତୁମ୍ଭେ ଆପଣା ମଧ୍ୟରୁ ଯୁଆଳି, ଅଙ୍ଗୁଳି ତର୍ଜ୍ଜନ ଓ ଅଧର୍ମ ବାକ୍ୟ ଦୂର କର; 10ପୁଣି, ଯଦି କ୍ଷୁଧିତର ପ୍ରତି ତୁମ୍ଭର ପ୍ରାଣ ଆକର୍ଷିତ ହୁଏ ଓ ତୁମ୍ଭେ ଦୁଃଖିତର ପ୍ରାଣକୁ ତୃପ୍ତ କର, ତେବେ ଅନ୍ଧକାରରେ ତୁମ୍ଭର ଦୀପ୍ତି ଉଦିତ ହେବ ଓ ତୁମ୍ଭର ଅନ୍ଧକାର ମଧ୍ୟାହ୍ନର ସମାନ ହେବ; 11ଆଉ, ସଦାପ୍ରଭୁ ନିତ୍ୟ ତୁମ୍ଭକୁ ପଥ କଢ଼ାଇ ନେବେ ଓ ମରୁଭୂମିରେ ତୁମ୍ଭ ପ୍ରାଣକୁ ତୃପ୍ତ କରିବେ ଓ ତୁମ୍ଭ ଅସ୍ଥିସକଳକୁ ବଳିଷ୍ଠ କରିବେ; ତହିଁରେ ତୁମ୍ଭେ ଜଳ ସିଞ୍ଚିତ ଉଦ୍ୟାନ ତୁଲ୍ୟ ଓ ଜଳାଭାବ ନ ଥିବା ନିର୍ଝର ତୁଲ୍ୟ ହେବ।
ସନ୍ଧ୍ୟା ପ୍ରାର୍ଥନା: ପାଠ
26ଏଥିଉତ୍ତାରେ ଯୋଷେଫ ଗୃହକୁ ଆସନ୍ତେ, ସେମାନେ ହସ୍ତସ୍ଥିତ ଭେଟି ଦ୍ରବ୍ୟ ତାଙ୍କ ନିକଟକୁ ଗୃହ ମଧ୍ୟରେ ଆଣି ତାଙ୍କୁ ଭୂମିଷ୍ଠ ପ୍ରମାଣ କଲେ। 27ତହୁଁ ଯୋଷେଫ ସେମାନଙ୍କର ମଙ୍ଗଳ ବାର୍ତ୍ତା ପଚାରି କହିଲେ, “ତୁମ୍ଭମାନଙ୍କର ପିତା କି କୁଶଳରେ ଅଛନ୍ତି? ତୁମ୍ଭେମାନେ ଯେଉଁ ବୃଦ୍ଧ ଲୋକଙ୍କର କଥା କହୁଥିଲ, ସେ କି ଆଜି ପର୍ଯ୍ୟନ୍ତ ବଞ୍ଚିଅଛନ୍ତି?” 28ସେମାନେ କହିଲେ, “ଆପଣଙ୍କ ଦାସ ଆମ୍ଭମାନଙ୍କ ପିତା କୁଶଳରେ ଅଛନ୍ତି, ସେ ଆଜି ପର୍ଯ୍ୟନ୍ତ ବଞ୍ଚିଅଛନ୍ତି।” ତହୁଁ ସେମାନେ ମସ୍ତକ ନତ କରି ପ୍ରଣାମ କଲେ। 29ସେତେବେଳେ ଯୋଷେଫ ଅନାଇ ଆପଣା ସହୋଦର ବିନ୍ୟାମୀନ୍କୁ ଦେଖି କହିଲେ, “ତୁମ୍ଭେମାନେ ଯେଉଁ ସାନ ଭାଇର କଥା କହିଥିଲ, ସେ କି ଏହି?” ଆଉ ସେ କହିଲେ, “ହେ ଆମ୍ଭର ପୁତ୍ର, ପରମେଶ୍ୱର ତୁମ୍ଭଙ୍କୁ ଅନୁଗ୍ରହ କରନ୍ତୁ।” 30ତହୁଁ ଭାଇ ପ୍ରତି ଯୋଷେଫଙ୍କର ଅନ୍ତଃକରଣ ସ୍ନେହରେ ଉତ୍ତପ୍ତ ହେବାରୁ ସେ ଶୀଘ୍ର ରୋଦନ କରିବାକୁ ସ୍ଥାନ ଖୋଜିଲେ; ପୁଣି, ସେ ଆପଣା କୋଠରିରେ ପ୍ରବେଶ କରି ସେଠାରେ ରୋଦନ କଲେ। 31ଏଥିଉତ୍ତାରେ ସେ ମୁଖ ପ୍ରକ୍ଷାଳନ କରି ବାହାରକୁ ଆସିଲେ, ପୁଣି, ଆପଣାକୁ ସମ୍ଭାଳି “ଭକ୍ଷ୍ୟଦ୍ରବ୍ୟ ପରିବେଷଣ କରିବା ନିମନ୍ତେ” ଆଜ୍ଞା ଦେଲେ। 45:1ଏଥିରେ ଯୋଷେଫ ଆପଣା ନିକଟରେ ଠିଆ ହୋଇଥିବା ଲୋକମାନଙ୍କ ସାକ୍ଷାତରେ ଆପଣାକୁ ସମ୍ଭାଳି ନ ପାରି ଉଚ୍ଚସ୍ୱରରେ କହିଲେ, “ଆମ୍ଭ ସମ୍ମୁଖରୁ ସବୁ ଲୋକଙ୍କୁ ବାହାର କର।” ତହୁଁ କେହି ତାଙ୍କ ନିକଟରେ ନ ରହନ୍ତେ, ଯୋଷେଫ ଭାଇମାନଙ୍କ ସାକ୍ଷାତରେ ଆପଣାର ପରିଚୟ ଦେବାକୁ ଲାଗିଲେ। 2ସେ ଉଚ୍ଚସ୍ୱରରେ ଏପରି ରୋଦନ କଲେ ଯେ, ମିସରୀୟମାନେ ଓ ଫାରୋଙ୍କ ଗୃହସ୍ଥିତ ଲୋକମାନେ ତାହା ଶୁଣି ପାରିଲେ। 3ଯୋଷେଫ ଆପଣା ଭାଇମାନଙ୍କୁ କହିଲେ, “ମୁଁ ଯୋଷେଫ; ମୋʼ ପିତା କି ଆଜି ପର୍ଯ୍ୟନ୍ତ ବଞ୍ଚିଅଛନ୍ତି?” ଏଥିରେ ତାଙ୍କର ଭାଇମାନେ ତାଙ୍କ ସାକ୍ଷାତରେ ଭୟଭୀତ ହେବାରୁ କିଛି ଉତ୍ତର ଦେଇ ପାରିଲେ ନାହିଁ। 4ଏଥିଉତ୍ତାରେ ଯୋଷେଫ ଆପଣା ଭାଇମାନଙ୍କୁ କହିଲେ, “ବିନୟ କରୁଅଛି, ମୋʼ ପାଖକୁ ଆସ,” ତହିଁରେ ସେମାନେ ପାଖକୁ ଯାଆନ୍ତେ, ସେ କହିଲେ, “ମୁଁ ତୁମ୍ଭମାନଙ୍କର ଭାଇ ଯୋଷେଫ, ଯାହାକୁ ତୁମ୍ଭେମାନେ ମିସରଗାମୀ ଲୋକମାନଙ୍କୁ ବିକ୍ରୟ କରିଥିଲ। 5ମାତ୍ର, ତୁମ୍ଭେମାନେ ମୋତେ ଏଠାକୁ ଆସିବା ପାଇଁ ବିକ୍ରୟ କଲ ବୋଲି ଏବେ ଦୁଃଖିତ ଓ ଆପଣା ଆପଣା ପ୍ରତି ବିରକ୍ତ ହୁଅ ନାହିଁ; କାରଣ ପରମେଶ୍ୱର ପ୍ରାଣ ବଞ୍ଚାଇବା ନିମନ୍ତେ ତୁମ୍ଭମାନଙ୍କ ଆଗେ ମୋତେ ପଠାଇଲେ। 6ଦେଖ, କେବଳ ଦୁଇ ବର୍ଷ ହେଲା ଦେଶରେ ଦୁର୍ଭିକ୍ଷ ହୋଇଅଛି; ଆହୁରି ପାଞ୍ଚ ବର୍ଷ ବାକି ଅଛି, ତହିଁ ମଧ୍ୟରେ ଚାଷ କି ଶସ୍ୟର ଚ୍ଛେଦନ ହେବ ନାହିଁ। 7ଏଥିପାଇଁ ପରମେଶ୍ୱର ପୃଥିବୀରେ ତୁମ୍ଭମାନଙ୍କୁ ଅବଶିଷ୍ଟାଂଶ ରୂପେ ରକ୍ଷା କରିବାକୁ ଓ ମହା ଉଦ୍ଧାର ଉପଲକ୍ଷ୍ୟରେ ତୁମ୍ଭମାନଙ୍କୁ ପ୍ରାଣରେ ବଞ୍ଚାଇବାକୁ ତୁମ୍ଭମାନଙ୍କ ଆଗେ ମୋତେ ପଠାଇଅଛନ୍ତି। 8ଏନିମନ୍ତେ ତୁମ୍ଭେମାନେ ଯେ ମୋତେ ଏ ସ୍ଥାନକୁ ପଠାଇଅଛ, ତାହା ନୁହେଁ, ପରମେଶ୍ୱର ପଠାଇଅଛନ୍ତି; ପୁଣି, ସେ ମୋତେ ଫାରୋଙ୍କର ପିତା ଓ ତାଙ୍କ ଗୃହର ପ୍ରଭୁ ଓ ସମସ୍ତ ମିସର ଦେଶର କର୍ତ୍ତା କରିଅଛନ୍ତି। 9ଏଣୁ ତୁମ୍ଭେମାନେ ଶୀଘ୍ର ମୋʼ ପିତାଙ୍କ ନିକଟକୁ ଯାଇ ତାଙ୍କୁ କୁହ, ‘ତୁମ୍ଭର ପୁତ୍ର ଯୋଷେଫ ଏହିପରି କହିଅଛି, ପରମେଶ୍ୱର ମୋତେ ସମସ୍ତ ମିସର ଦେଶର ବିଶିଷ୍ଟ ବ୍ୟକ୍ତି କରିଅଛନ୍ତି; ତୁମ୍ଭେ ମୋʼ ନିକଟକୁ ଆସ, ବିଳମ୍ବ କର ନାହିଁ। 10ତୁମ୍ଭେ ପୁତ୍ର, ପୌତ୍ର ଓ ଗୋମେଷାଦି ସର୍ବସ୍ୱ ସହିତ ଗୋଶନ ପ୍ରଦେଶରେ ବାସ କରି ମୋହର ନିକଟବର୍ତ୍ତୀ ହେବ। 11ସେହି ସ୍ଥାନରେ, ମୁଁ ତୁମ୍ଭଙ୍କୁ ପ୍ରତିପାଳନ କରିବି; କାରଣ ଆଉ ପାଞ୍ଚ ବର୍ଷ ଦୁର୍ଭିକ୍ଷ ରହିବ; ନୋହିଲେ ତୁମ୍ଭର ଓ ତୁମ୍ଭ ପରିବାରାଦି ସମସ୍ତଙ୍କର ଦରିଦ୍ର ଦଶା ଘଟିବ।’” 12“ଦେଖ, ମୋହର ମୁଖ ତୁମ୍ଭମାନଙ୍କୁ ଏ କଥା କହୁଅଛି, ଏହା ତୁମ୍ଭମାନଙ୍କ ଚକ୍ଷୁ ଓ ମୋʼ ସହୋଦର ବିନ୍ୟାମୀନ୍ର ଚକ୍ଷୁ ଦେଖୁଅଛି। 13ଏଣୁ ତୁମ୍ଭେମାନେ ଏହି ମିସର ଦେଶରେ ମୋହର ଐଶ୍ୱର୍ଯ୍ୟାଦି ଯାହା ଯାହା ଦେଖୁଅଛ, ସେ ସମସ୍ତ ମୋʼ ପିତାଙ୍କୁ ଜଣାଇ ତାଙ୍କୁ ଶୀଘ୍ର ଏଠାକୁ ଆଣିବ।” 14ଏଥିଉତ୍ତାରେ ସେ ଆପଣା ସହୋଦର ବିନ୍ୟାମୀନ୍ର ଗଳା ଧରି ରୋଦନ କଲେ, ପୁଣି, ବିନ୍ୟାମୀନ୍ ତାଙ୍କର ଗଳା ଧରି ରୋଦନ କଲା। 15ପୁଣି, ଯୋଷେଫ ଅନ୍ୟ ଭାଇମାନଙ୍କୁ ଚୁମ୍ବନ କଲେ ଓ ସେମାନଙ୍କୁ ଧରି ରୋଦନ କଲେ। ଏଥିଉତ୍ତାରେ ତାଙ୍କର ଭାଇମାନେ ତାଙ୍କ ସଙ୍ଗରେ ଆଳାପ କରିବାକୁ ଲାଗିଲେ। 16ଆଉ “ଯୋଷେଫଙ୍କର ଭାଇମାନେ ଆସିଅଛନ୍ତି,” ଜନରବ ଫାରୋଙ୍କର ଗୃହରେ ଶୁଣାଯାଆନ୍ତେ, ଫାରୋ ଓ ତାଙ୍କର ଦାସ ସମସ୍ତେ ସନ୍ତୁଷ୍ଟ ହେଲେ।
ସନ୍ଧ୍ୟା ପ୍ରାର୍ଥନା: ପାଠ
23ଯେ ଆପଣା ମୁଖ ଓ ଜିହ୍ୱା ରକ୍ଷା କରେ, ସେ କ୍ଳେଶରୁ ଆପଣା ପ୍ରାଣ ରକ୍ଷା କରେ। 24ଅହଙ୍କାରୀ ଓ ଦାମ୍ଭିକ ଲୋକ ନିନ୍ଦକ ନାମରେ ବିଖ୍ୟାତ, ସେ ଅହଙ୍କାରର ଗାରିମାରେ କର୍ମ କରେ। 25ଅଳସୁଆର ବାଞ୍ଛିତ ବିଷୟ ତାହାର ମୃତ୍ୟୁ ଘଟାଏ; କାରଣ ତାହାର ହସ୍ତ କର୍ମ କରିବାକୁ ନାସ୍ତି କରେ। 26କେହି କେହି ଦିନସାରା ଅତ୍ୟନ୍ତ ଲୋଭ କରନ୍ତି; ମାତ୍ର ଧାର୍ମିକ ଲୋକ ଦାନ କରେ, କାତର ହୁଏ ନାହିଁ। 27ଦୁଷ୍ଟମାନଙ୍କର ବଳିଦାନ ଘୃଣାର ବିଷୟ, ମାତ୍ର ସେ କୁଅଭିପ୍ରାୟରେ ଆଣିଲେ ତାହା କେତେ ଅଧିକ ଘୃଣିତ। 28ମିଥ୍ୟାସାକ୍ଷୀ ବିନଷ୍ଟ ହେବ; ମାତ୍ର ଯେଉଁ ଲୋକ ଶୁଣେ, ସେ ଅଖଣ୍ଡ୍ୟ କଥା କହିବ। 29ଦୁଷ୍ଟ ଲୋକ ଆପଣା ମୁଖ କଠିନ କରେ, ମାତ୍ର ସରଳ ଲୋକ ଆପଣା ବାଟ ସୁସ୍ଥିର କରେ। 30ସଦାପ୍ରଭୁଙ୍କ ବିରୁଦ୍ଧରେ କୌଣସି ଜ୍ଞାନ କିମ୍ବା ବୁଦ୍ଧି କିମ୍ବା ମନ୍ତ୍ରଣା ନାହିଁ। 31ଯୁଦ୍ଧ ଦିନ ପାଇଁ ଅଶ୍ୱ ସୁସଜ୍ଜିତ ହୁଏ; ମାତ୍ର ଜୟ ସଦାପ୍ରଭୁଙ୍କଠାରୁ ହୁଏ। 22:1ବହୁତ ଧନ ଅପେକ୍ଷା ସୁନାମ ମନୋନୀତ ହେବା ଯୋଗ୍ୟ, ପୁଣି, ରୂପା ଓ ସୁନା ଅପେକ୍ଷା ସ୍ନେହସୂଚକ ଅନୁଗ୍ରହ ଉତ୍ତମ। 2ଧନବାନ ଓ ଦରିଦ୍ର ଏକତ୍ର ମିଳନ୍ତି; ସଦାପ୍ରଭୁ ସେସମସ୍ତଙ୍କର ସୃଷ୍ଟିକର୍ତ୍ତା। 3ଚତୁର ଲୋକ ବିପଦ ଦେଖି ଆପଣାକୁ ଲୁଚାଏ; ମାତ୍ର ଅବୋଧ ଲୋକମାନେ ଆଗ ବଢ଼ି ଶାସ୍ତି ପାଆନ୍ତି। 4ନମ୍ରତାର ଓ ସଦାପ୍ରଭୁଙ୍କ ବିଷୟକ ଭୟର ପୁରସ୍କାର ଧନ, ସମ୍ମାନ ଓ ଜୀବନ ଅଟେ।
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଅପ୍ରେଲ 8 ନାଗରିକ ପଞ୍ଜିକାର ଅପ୍ରେଲ 21। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର