ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅପ୍ରେଲ 2027 › ଅପ୍ରେଲ 21
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 21 ଅପ୍ରେଲ 2027
ବୁଧବାର · ପାସ୍କା କାଳର ଚତୁର୍ଥ ସପ୍ତାହ
ପର୍ବ ଓ ସନ୍ଥ
ପାସ୍କା କାଳର ଚତୁର୍ଥ ସପ୍ତାହର ବୁଧବାର
ଇଚ୍ଛାଧୀନ ସ୍ମୃତି ଦିବସ · ଉପାସନାର ରଙ୍ଗ: ଧଳା
କ୍ୟାଣ୍ଟରବେରୀର ସନ୍ଥ ଆନସେଲ୍ମ, ଧର୍ମାଧ୍ୟକ୍ଷ ଓ ମଣ୍ଡଳୀର ଆଚାର୍ଯ୍ୟ · ଇଚ୍ଛାଧୀନ ସ୍ମୃତି ଦିବସ
ଦିନର ପାଠ
ପ୍ରଥମ ପାଠ
24କିନ୍ତୁ ଈଶ୍ବରଙ୍କ ବାକ୍ୟ ବୃଦ୍ଧି ପାଇ ଅଧିକ ବ୍ୟାପିବାକୁ ଲାଗିଲା। 25ପରେ ବର୍ଣ୍ଣବ୍ବା ଓ ଶାଉଲ ଆପଣାମାନଙ୍କର ସେବାକାର୍ଯ୍ୟ ସମାପ୍ତ କରି ମାର୍କ ଉପନାମପ୍ରାପ୍ତ ଯୋହନଙ୍କୁ ସାଙ୍ଗରେ ଘେନି ଯିରୂଶାଲମ ସହରରୁ ବାହୁଡ଼ିଗଲେ। 13:1ସେତେବେଳେ ଆନ୍ତିୟଖିଆସ୍ଥିତ ମଣ୍ଡଳୀରେ ବର୍ଣ୍ଣବ୍ବା, ଶିମିୟୋନ, ଯାହାଙ୍କୁ ନିଗର ବୋଲି କହନ୍ତି, କୂରୀଣୀୟ ଲୂକୀୟ, ସାମନ୍ତରାଜା ହେରୋଦଙ୍କ ସହପାଳିତ ମନହେମ୍ ଓ ଶାଉଲ, ଏହିପରି ଭାବବାଦୀ ଓ ଶିକ୍ଷକମାନେ ଥିଲେ। 2ସେମାନେ ପ୍ରଭୁଙ୍କ ସେବା ଓ ଉପବାସ କରୁଥିବା ସମୟରେ ପବିତ୍ର ଆତ୍ମା କହିଲେ, ଯେଉଁ କର୍ମ ନିମନ୍ତେ ଆମ୍ଭେ ବର୍ଣ୍ଣବ୍ବା ଓ ଶାଉଲକୁ ଆହ୍ୱାନ କରିଅଛୁ, ସେଥିପାଇଁ ସେମାନଙ୍କୁ ପୃଥକ୍ କର। 3ସେଥିରେ ସେମାନେ ଉପବାସ ଓ ପ୍ରାର୍ଥନା କଲା ଉତ୍ତାରେ ସେମାନଙ୍କ ଉପରେ ହସ୍ତାର୍ପଣ କରି ସେମାନଙ୍କୁ ବିଦାୟ ଦେଲେ। 4ଏହି ପ୍ରକାରେ ସେମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ପ୍ରେରିତ ହୋଇ ସେଲୂକିଆକୁ ଗଲେ; ସେଠାରୁ ସେମାନେ ଜାହାଜରେ ଚଢ଼ି ସାଇପ୍ରସ୍ ଦ୍ବୀପକୁ ଗଲେ। 5ସେମାନେ ସାଲାମି ସହରରେ ପହଞ୍ଚିଲା ଉତ୍ତାରେ ଯିହୁଦୀମାନଙ୍କ ସମସ୍ତ ସମାଜଗୃହରେ ଈଶ୍ବରଙ୍କ ବାକ୍ୟ ପ୍ରଚାର କରିବାକୁ ଲାଗିଲେ; ଆଉ ଯୋହନ ମଧ୍ୟ ପରିଚାରକସ୍ୱରୂପେ ସେମାନଙ୍କ ସହିତ ଥିଲେ।
ପ୍ରତିଉତ୍ତର ଗୀତ
1ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଗାନାର୍ଥକ ଗୀତ। ପରମେଶ୍ୱର ଆମ୍ଭମାନଙ୍କୁ ଦୟା କରନ୍ତୁ ଓ ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ ଓ ଆମ୍ଭମାନଙ୍କ ପ୍ରତି ଆପଣା ମୁଖ ପ୍ରସନ୍ନ କରନ୍ତୁ। [ସେଲା] 2ତହିଁରେ ପୃଥିବୀରେ ତୁମ୍ଭର ପଥ ଓ ସମୁଦାୟ ଗୋଷ୍ଠୀ ମଧ୍ୟରେ ତୁମ୍ଭର ପରିତ୍ରାଣ ଜଣାଯିବ। 4ଦେଶୀୟମାନେ ଆହ୍ଲାଦିତ ହେଉନ୍ତୁ ଓ ଆନନ୍ଦ ସକାଶୁ ଗାନ କରନ୍ତୁ; କାରଣ ତୁମ୍ଭେ ନ୍ୟାୟରେ ଗୋଷ୍ଠୀୟବର୍ଗର ବିଚାର କରିବ ଓ ପୃଥିବୀରେ ଦେଶୀୟମାନଙ୍କୁ ଶାସନ କରିବ। [ସେଲା] 5ହେ ପରମେଶ୍ୱର, ଗୋଷ୍ଠୀୟମାନେ ତୁମ୍ଭର ପ୍ରଶଂସା କରନ୍ତୁ; ଯାବତୀୟ ଗୋଷ୍ଠୀ ତୁମ୍ଭର ପ୍ରଶଂସା କରନ୍ତୁ। 7ପରମେଶ୍ୱର ଆମ୍ଭମାନଙ୍କୁ ଆଶୀର୍ବାଦ କରିବେ; ପୁଣି, ପୃଥିବୀର ସମସ୍ତ ପ୍ରାନ୍ତ ତାହାଙ୍କୁ ଭୟ କରିବେ।
ସୁସମାଚାର
44ଯୀଶୁ ଉଚ୍ଚସ୍ୱରରେ କହିଲେ, “ଯେ ମୋʼ ଠାରେ ବିଶ୍ୱାସ କରେ, ସେ କେବଳ ମୋʼ ଠାରେ ବିଶ୍ୱାସ କରେ ନାହିଁ, ମାତ୍ର ମୋହର ପ୍ରେରଣକର୍ତ୍ତାଙ୍କଠାରେ ବିଶ୍ୱାସ କରେ; 45ଆଉ, ଯେ ମୋତେ ଦର୍ଶନ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଦର୍ଶନ କରେ। 46ଯେ କେହି ମୋʼ ଠାରେ ବିଶ୍ୱାସ କରେ, ସେ ଯେପରି ଅନ୍ଧକାରରେ ବାସ ନ କରେ, ଏଥିପାଇଁ ମୁଁ ଜଗତକୁ ଜ୍ୟୋତିଃ ହୋଇ ଆସିଅଛି। 47କେହି ଯଦି ମୋହର ବାକ୍ୟ ଶୁଣି ପାଳନ କରେ ନାହିଁ, ତାହାହେଲେ ମୁଁ ତାହାର ବିଚାର କରେ ନାହିଁ; କାରଣ ମୁଁ ଜଗତର ବିଚାର କରିବାକୁ ନ ଆସି ବରଂ ଜଗତକୁ ପରିତ୍ରାଣ କରିବାକୁ ଆସିଅଛି। 48ଯେ ମୋତେ ଅଗ୍ରାହ୍ୟ କରେ ଓ ମୋହର ବାକ୍ୟ ଗ୍ରହଣ କରେ ନାହିଁ, ତାହାର ବିଚାରକର୍ତ୍ତା ଅଛି; ମୁଁ ଯେଉଁ ବାକ୍ୟ କହିଅଛି, ତାହା ଶେଷ ଦିନରେ ତାହାର ବିଚାର କରିବ। 49କାରଣ ମୁଁ ଆପଣାଠାରୁ କହି ନାହିଁ, ମାତ୍ର ମୁଁ କଅଣ କହିବି ଓ କଅଣ ବ୍ୟକ୍ତ କରିବି, ତାହା ମୋହର ପ୍ରେରଣକର୍ତ୍ତା ପିତା ମୋତେ ଆଜ୍ଞା ଦେଇଅଛନ୍ତି; 50ପୁଣି, ତାହାଙ୍କ ଆଜ୍ଞା ଯେ ଅନନ୍ତ ଜୀବନ, ଏହା ମୁଁ ଜାଣେ। ଅତଏବ, ମୁଁ ଯେ ଯେ କଥା କହେ, ପିତା ମୋତେ ଯେପରି କହିଅଛନ୍ତି, ସେହିପରି କହେ।”
ଆଜିର ସନ୍ଥ
- କ୍ୟାଣ୍ଟରବେରୀର ସନ୍ଥ ଆନସେଲ୍ମ, ଧର୍ମାଧ୍ୟକ୍ଷ ଓ ମଣ୍ଡଳୀର ଆଚାର୍ଯ୍ୟ
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର