ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅପ୍ରେଲ 2027 › ଅପ୍ରେଲ 20
ଅର୍ଥୋଡକ୍ସ ପଞ୍ଜିକା · 7 ଅପ୍ରେଲ (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 20 ଅପ୍ରେଲ 2027
ମଙ୍ଗଳବାର · ମହା ଉପବାସର ଷଷ୍ଠ ସପ୍ତାହ · ସ୍ୱର 5
ପର୍ବ ଓ ସନ୍ଥ
Venerable George the Confessor, Metropolitan of Mitylene († after 820)
ମହା ଉପବାସ
କଠୋର ଉପବାସ (ଶୁଖିଲା ଆହାର: ରୁଟି, ପନିପରିବା, ଫଳ)
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ଷଷ୍ଠ ଘଣ୍ଟା
6ଏଣୁ ସେ କହନ୍ତି, “ତୁମ୍ଭେ ଯେ ଯାକୁବର ଗୋଷ୍ଠୀବର୍ଗକୁ ଉତ୍ଥାପନ କରିବା ପାଇଁ ଓ ଇସ୍ରାଏଲର ରକ୍ଷିତ ଲୋକମାନଙ୍କୁ ପୁନର୍ବାର ଆଣିବା ପାଇଁ ଆମ୍ଭର ସେବକ ହେବ, ଏହା ଅତି କ୍ଷୁଦ୍ର ବିଷୟ; ତୁମ୍ଭେ ପୃଥିବୀର ସୀମା ପର୍ଯ୍ୟନ୍ତ ଯେପରି ଆମ୍ଭର କୃତ ପରିତ୍ରାଣ ସ୍ୱରୂପ ହେବ, ଏଥିପାଇଁ ଆମ୍ଭେ ତୁମ୍ଭକୁ ଅନ୍ୟଦେଶୀୟମାନଙ୍କର ଦୀପ୍ତି ସ୍ୱରୂପ ମଧ୍ୟ କରିବା।” 7ଯାହାକୁ ମନୁଷ୍ୟ ଅବଜ୍ଞା କରେ, ଯାହାକୁ ଦେଶୀୟ ଲୋକମାନେ ଘୃଣା କରନ୍ତି, ଯେ ଶାସନକର୍ତ୍ତାମାନଙ୍କର ଦାସ, ତାହାକୁ ଇସ୍ରାଏଲର ମୁକ୍ତିଦାତା ଓ ତାହାର ଧର୍ମସ୍ୱରୂପ ସଦାପ୍ରଭୁ ଏହି କଥା କହନ୍ତି, “ବିଶ୍ୱାସନୀୟ ଓ ଇସ୍ରାଏଲର ଧର୍ମସ୍ୱରୂପ ଯେଉଁ ସଦାପ୍ରଭୁ ତୁମ୍ଭକୁ ମନୋନୀତ କରିଅଛନ୍ତି, ତାହାଙ୍କ ସକାଶୁ ରାଜାମାନେ ତୁମ୍ଭକୁ ଦେଖିଲେ ଉଠିବେ; ଅଧିପତିମାନେ ତୁମ୍ଭକୁ ପ୍ରଣାମ କରିବେ।” 8ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଗ୍ରାହ୍ୟ ସମୟରେ ତୁମ୍ଭକୁ ଉତ୍ତର ଦେଇଅଛୁ ଓ ପରିତ୍ରାଣ ଦିନରେ ଆମ୍ଭେ ତୁମ୍ଭର ସାହାଯ୍ୟ କରିଅଛୁ; ପୁଣି, ଆମ୍ଭେ ତୁମ୍ଭକୁ ରକ୍ଷା କରିବା ଓ ଦେଶର ଉନ୍ନତି ସାଧନ ନିମନ୍ତେ, ଲୋକମାନଙ୍କୁ ସେମାନଙ୍କର ଧ୍ୱଂସିତ ଉତ୍ତରାଧିକାର ଭୋଗ କରାଇବା ନିମନ୍ତେ ଆମ୍ଭେ ତୁମ୍ଭକୁ ଲୋକମାନଙ୍କର ନିୟମ ସ୍ୱରୂପ ନିଯୁକ୍ତ କରିବା; 9ତୁମ୍ଭେ ‘ବନ୍ଦୀଗଣକୁ ବାହାରି ଯାଅ’ ବୋଲି, ଅନ୍ଧକାରସ୍ଥିତ ଲୋକମାନଙ୍କୁ ‘ଆପଣାମାନଙ୍କୁ ଦେଖାଅ’ ବୋଲି କହିବ। ସେମାନେ ପଥରେ ଚରିବେ ଓ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀସକଳ ସେମାନଙ୍କର ଚରାସ୍ଥାନ ହେବ। 10ସେମାନେ କ୍ଷୁଧାର୍ତ୍ତ କି ତୃଷାର୍ତ୍ତ ହେବେ ନାହିଁ; କିଅବା ଗ୍ରୀଷ୍ମ ଅଥବା ସୂର୍ଯ୍ୟତାପ ସେମାନଙ୍କୁ କାଟିବ ନାହିଁ; କାରଣ ଯେ ସେମାନଙ୍କୁ ଦୟା କରନ୍ତି, ସେ ସେମାନଙ୍କୁ ଚଳାଇବେ, ଜଳ ନିର୍ଝର ନିକଟ ଦେଇ ସେ ସେମାନଙ୍କୁ କଢ଼ାଇ ନେବେ।
ସନ୍ଧ୍ୟା ପ୍ରାର୍ଥନା: ପାଠ
3ଏଥିଉତ୍ତାରେ ସଦାପ୍ରଭୁ ଯାକୁବକୁ କହିଲେ, “ତୁମ୍ଭେ ଆପଣା ପୈତୃକ ଦେଶରେ ଜ୍ଞାତିମାନଙ୍କ ନିକଟକୁ ଫେରିଯାଅ, ଆମ୍ଭେ ତୁମ୍ଭର ସହବର୍ତ୍ତୀ ହେବା।” 4ଏଣୁ ଯାକୁବ କ୍ଷେତ୍ରରେ ପଶୁପଲ ନିକଟକୁ ରାହେଲ ଓ ଲେୟାକୁ ଡକାଇ କହିଲା, 5“ମୁଁ ଦେଖୁଅଛି, ତୁମ୍ଭମାନଙ୍କ ପିତାଙ୍କର ମୁଖ ମୋʼ ପ୍ରତି ପୂର୍ବ ପରି ନୁହେଁ; ମାତ୍ର ମୋହର ପୈତୃକ ପରମେଶ୍ୱର ମୋହର ସହାୟ ଅଟନ୍ତି। 6ମୁଁ ଆପଣାର ସବୁ ବଳ ଦେଇ ତୁମ୍ଭମାନଙ୍କ ପିତାଙ୍କର ଦାସ୍ୟକର୍ମ କରିଅଛି, ଏହା ତୁମ୍ଭେମାନେ ଜାଣ। 7ତଥାପି ତୁମ୍ଭମାନଙ୍କ ପିତା ମୋତେ ପ୍ରବଞ୍ଚନା କରି ଦଶ ଥର ମୋହର ବେତନ ପରିବର୍ତ୍ତନ କରିଅଛନ୍ତି; ମାତ୍ର ପରମେଶ୍ୱର ତାଙ୍କୁ ମୋହର କ୍ଷତି କରିବାକୁ ଦେଇ ନାହାନ୍ତି। 8ଯେହେତୁ ‘ଚିତ୍ରବିଚିତ୍ର ପଶୁଗଣ ତୁମ୍ଭର ବେତନ ସ୍ୱରୂପ ହେବେ,’ ସେ ଆପେ ଯେତେବେଳେ ଏହି କଥା କହିଲେ, ସେତେବେଳେ ସମସ୍ତ ପଶୁ ଚିତ୍ରବିଚିତ୍ର ଛୁଆ ପ୍ରସବ କଲେ; ପୁଣି, ‘ରେଖାଙ୍କିତ ପଶୁଗଣ ତୁମ୍ଭର ବେତନ ସ୍ୱରୂପ ହେବେ,’ ସେ ଯେତେବେଳେ ଏହା କହିଲେ, ସେତେବେଳେ ସମସ୍ତ ପଶୁ ରେଖାଙ୍କିତ ଛୁଆ ପ୍ରସବ କଲେ। 9ଏହିରୂପେ ପରମେଶ୍ୱର ତୁମ୍ଭମାନଙ୍କ ପିତାଙ୍କର ପଶୁଧନ ନେଇ ମୋତେ ଦେଲେ। 10କାରଣ ପଶୁମାନଙ୍କ ଗର୍ଭଧାରଣ ସମୟରେ ମୁଁ ସ୍ୱପ୍ନରେ ଅନାଇ ଦେଖିଲି, ଦେଖ, ପଲ ସଙ୍ଗମକାରୀ ସମସ୍ତ ଛାଗଳ ରେଖାଙ୍କିତ ଓ ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ। 11ସେତେବେଳେ ପରମେଶ୍ୱରଙ୍କ ଦୂତ ସ୍ୱପ୍ନରେ ମୋତେ ‘ଯାକୁବ’ ବୋଲି ଡାକନ୍ତେ, ମୁଁ କହିଲି, ‘ଦେଖନ୍ତୁ, ମୁଁ ଏଠାରେ।’ 12ତହିଁରେ ସେ କହିଲେ, ‘ଏବେ ଅନାଇ ଦେଖ, ପଲ ସଙ୍ଗମକାରୀ ସମସ୍ତ ଛାଗଳ ରେଖାଙ୍କିତ, ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ; ଯେହେତୁ ତୁମ୍ଭ ପ୍ରତି ଲାବନ ଯେରୂପ ବ୍ୟବହାର କରଇ, ତାହା ଆମ୍ଭେ ଦେଖିଲୁ। 13ଯେଉଁଠାରେ ତୁମ୍ଭେ ଗୋଟିଏ ସ୍ତମ୍ଭ ଅଭିଷେକ କରିଅଛ ଓ ଆମ୍ଭ ନିକଟରେ ମାନତ କରିଅଛ, ସେହି ବେଥେଲ୍ର ପରମେଶ୍ୱର ଆମ୍ଭେ; ଏବେ ଉଠି ଏହି ଦେଶ ପରିତ୍ୟାଗ କରି ଆପଣା ଜ୍ଞାତିମାନଙ୍କ ଦେଶକୁ ଫେରିଯାଅ!’” 14ତହିଁରେ ରାହେଲ ଓ ଲେୟା ଉତ୍ତର କଲେ, “ପିତାଙ୍କ ଗୃହରେ ଆମ୍ଭମାନଙ୍କର କି ଆଉ କିଛି ବାଣ୍ଟ ଓ ଅଧିକାର ଅଛି? 15ଆମ୍ଭେମାନେ କି ତାଙ୍କ ନିକଟରେ ବିଦେଶିନୀ ରୂପେ ଗଣ୍ୟ ନୋହୁଁ? ଯେହେତୁ ସେ ଆମ୍ଭମାନଙ୍କୁ ବିକ୍ରି କରି ଆମ୍ଭମାନଙ୍କର ମୂଲ୍ୟ ସମ୍ପୂର୍ଣ୍ଣ ରୂପେ ଭୋଗ କରିଅଛନ୍ତି। 16ଏହେତୁ ପରମେଶ୍ୱର ଆମ୍ଭମାନଙ୍କ ପିତାଙ୍କଠାରୁ ଯେଉଁସବୁ ଧନ ନେଇଅଛନ୍ତି, ସେହି ସବୁ ଆମ୍ଭମାନଙ୍କର ଓ ଆମ୍ଭମାନଙ୍କ ସନ୍ତାନଗଣର। ଏଣୁ ପରମେଶ୍ୱର ତୁମ୍ଭକୁ ଯାହା କହିଲେ, ତୁମ୍ଭେ ତାହା କର।”
ସନ୍ଧ୍ୟା ପ୍ରାର୍ଥନା: ପାଠ
3ବଳିଦାନ ଅପେକ୍ଷା ନ୍ୟାୟ ଓ ସୁବିଚାର ସଦାପ୍ରଭୁଙ୍କର ଅଧିକ ଗ୍ରାହ୍ୟ। 4ଦୁଷ୍ଟ ଲୋକମାନଙ୍କ ପ୍ରଦୀପ ସ୍ୱରୂପ ଯେ ଅହଙ୍କାର-ଦୃଷ୍ଟି ଓ ଗର୍ବିତ ମନ, ତାହା ପାପଜନକ। 5କର୍ମଶୀଳର ସଂକଳ୍ପରୁ କେବଳ ପ୍ରଚୁରତା ଜନ୍ମେ ମାତ୍ର ପ୍ରତ୍ୟେକ ହଠାତ୍ କର୍ମକାରୀ କେବଳ ଅଭାବ ଆଡ଼େ ଯାଏ। 6ମିଥ୍ୟାବାଦୀ ଓଷ୍ଠ ଦ୍ୱାରା ପ୍ରାପ୍ତ ଧନ ଏଣେତେଣେ ଚାଳିତ ବାଷ୍ପ ତୁଲ୍ୟ, ଯେଉଁମାନେ ତାହା ଅନ୍ୱେଷଣ କରନ୍ତି, ସେମାନେ ମୃତ୍ୟୁ ଅନ୍ୱେଷଣ କରନ୍ତି। 7ଦୁଷ୍ଟମାନଙ୍କର ଦୌରାତ୍ମ୍ୟ ସେମାନଙ୍କୁ ଉଡ଼ାଇ ଘେନିଯିବ; ଯେହେତୁ ସେମାନେ ନ୍ୟାୟ କରିବାକୁ ନାସ୍ତି କରନ୍ତି। 8ଦୋଷରେ ଭାରାକ୍ରାନ୍ତ ଲୋକର ପଥ ଅତିଶୟ ବକ୍ର; ମାତ୍ର ପବିତ୍ର ଲୋକର କର୍ମ ସଳଖ। 9କଳିହୁଡ଼ୀ ସ୍ତ୍ରୀ ସଙ୍ଗରେ ପ୍ରଶସ୍ତ ଗୃହରେ ବାସ କରିବା ଅପେକ୍ଷା ଛାତର ଏକ କୋଣରେ ବାସ କରିବା ଭଲ। 10ଦୁଷ୍ଟ ଲୋକର ମନ ଅନିଷ୍ଟ ପାଞ୍ଚେ, ପୁଣି, ତାହାର ଦୃଷ୍ଟିରେ ତାହାର ପ୍ରତିବାସୀ କିଛି ଅନୁଗ୍ରହ ପାଏ ନାହିଁ। 11ନିନ୍ଦକକୁ ଦଣ୍ଡ ଦେଲେ, ନିର୍ବୋଧ ଲୋକ ବୁଦ୍ଧିମାନ ହୁଏ; ପୁଣି, ବୁଦ୍ଧିମାନକୁ ବୁଝାଇଦେଲେ, ସେ ଜ୍ଞାନବାନ ହୁଏ। 12ଧାର୍ମିକ ଲୋକ ଦୁଷ୍ଟର ବଂଶ ବିଷୟ ବିବେଚନା କରେ; ସେହି ଦୁଷ୍ଟ ଲୋକମାନେ କିପରି ଉତ୍ପାଟିତ ହୋଇ ସର୍ବନାଶ ହୁଅନ୍ତି, ଏହା ସୁବିବେଚନା କରେ। 13ଯେଉଁ ଲୋକ ଦୀନହୀନର ଡାକରେ କର୍ଣ୍ଣ ରୁଦ୍ଧ କରେ, ସେ ମଧ୍ୟ ଆପେ ଡାକିବ, କିନ୍ତୁ ଉତ୍ତର ପାଇବ ନାହିଁ। 14ଗୁପ୍ତରେ ଦାନ ଦେଲେ କ୍ରୋଧ ଶାନ୍ତ ହୁଏ, ପୁଣି, ଅଣ୍ଟିରେ ଦତ୍ତ ଲାଞ୍ଚ ପ୍ରଚଣ୍ଡ କୋପ ଶାନ୍ତ କରେ। 15ନ୍ୟାୟ ଆଚରଣ ଧାର୍ମିକ ପ୍ରତି ଆନନ୍ଦର ବିଷୟ; ମାତ୍ର ତାହା କୁକର୍ମକାରୀମାନଙ୍କ ପ୍ରତି ବିନାଶଜନକ। 16ଯେ ବୁଦ୍ଧିର ପଥ ଛାଡ଼ି ଭ୍ରମଣ କରେ, ସେ ପ୍ରେତମାନଙ୍କ ସଭାରେ ବାସ କରିବ। 17ଯେଉଁ ଲୋକ ଆମୋଦ ଭଲ ପାଏ, ସେ ଦରିଦ୍ର ହେବ; ପୁଣି, ଯେ ଦ୍ରାକ୍ଷାରସ ଓ ତୈଳ ଭଲ ପାଏ, ସେ ଧନବାନ ହେବ ନାହିଁ। 18ଦୁଷ୍ଟ ଲୋକ ଧାର୍ମିକର ମୁକ୍ତିର ମୂଲ୍ୟ ସ୍ୱରୂପ; ପୁଣି, ବିଶ୍ୱାସଘାତକ ସରଳ ଲୋକଙ୍କର ବଦଳି ସ୍ୱରୂପ। 19କଳହକାରିଣୀ ଓ ଚିଡ଼ିଚିଡ଼ିଆ ସ୍ତ୍ରୀ ସଙ୍ଗରେ ବାସ କରିବା ଅପେକ୍ଷା ନିର୍ଜନ ଭୂମିରେ ବସତି କରିବାର ଭଲ। 20ଜ୍ଞାନବାନର ଗୃହରେ ବହୁମୂଲ୍ୟ ସମ୍ପତ୍ତି ଓ ତୈଳ ଥାଏ; ମାତ୍ର ମୂର୍ଖ ଲୋକ ତାହା ଗ୍ରାସ କରେ। 21ଯେଉଁ ଜନ ଧାର୍ମିକତା ଓ ଦୟାର ପଶ୍ଚାଦ୍ବର୍ତ୍ତୀ, ସେ ଜୀବନ ଓ ଧାର୍ମିକତା ଓ ସମ୍ମାନ ପାଏ।
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଅପ୍ରେଲ 7 ନାଗରିକ ପଞ୍ଜିକାର ଅପ୍ରେଲ 20। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର