ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅପ୍ରେଲ 2027 › ଅପ୍ରେଲ 13
ଅର୍ଥୋଡକ୍ସ ପଞ୍ଜିକା · 31 ମାର୍ଚ୍ଚ (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 13 ଅପ୍ରେଲ 2027
ମଙ୍ଗଳବାର · ମହା ଉପବାସର ପଞ୍ଚମ ସପ୍ତାହ · ସ୍ୱର 4
ପର୍ବ ଓ ସନ୍ଥ
St. Hypatius the Wonderworker and Bishop of Gangra († c. 326)
ମହା ଉପବାସ
କଠୋର ଉପବାସ (ଶୁଖିଲା ଆହାର: ରୁଟି, ପନିପରିବା, ଫଳ)
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ଷଷ୍ଠ ଘଣ୍ଟା
18ତେବେ ତୁମ୍ଭେମାନେ କାହା ସଙ୍ଗେ ପରମେଶ୍ୱରଙ୍କୁ ତୁଳନା କରିବ? ଅବା କେଉଁ ମୂର୍ତ୍ତିକୁ ତାହାଙ୍କ ସଦୃଶ କରିବ? 19ଶିଳ୍ପକର ପ୍ରତିମା ଛାଞ୍ଚରେ ଢାଳେ ଓ ସ୍ୱର୍ଣ୍ଣକାର ସୁବର୍ଣ୍ଣରେ ତାହା ମଣ୍ଡନ କରେ, ଆଉ ତହିଁ ନିମନ୍ତେ ରୂପା ଜଞ୍ଜିର ପ୍ରସ୍ତୁତ କରେ। 20ଯେଉଁ ଲୋକ ଏହି ପ୍ରକାର ଉପହାର ପାଇଁ ଅତି ଦରିଦ୍ର, ସେ ଅପଚ୍ୟ କୌଣସି କାଷ୍ଠ ମନୋନୀତ କରେ, ସେ ଅଟଳ ଏକ ଖୋଦିତ ପ୍ରତିମା ନିର୍ମାଣ କରିବା ପାଇଁ ଜଣେ ନିପୁଣ ଶିଳ୍ପକରର ଅନ୍ୱେଷଣ କରେ। 21ତୁମ୍ଭେମାନେ କି ଜାଣି ନାହଁ? ତୁମ୍ଭେମାନେ କି ଶୁଣି ନାହଁ? ଆଦ୍ୟକାଳରୁ କି ତୁମ୍ଭମାନଙ୍କୁ ଜ୍ଞାତ କରାଯାଇ ନାହିଁ? ପୃଥିବୀର ପତ୍ତନଠାରୁ କି ତୁମ୍ଭେମାନେ ବୁଝି ନାହଁ? 22ସେ ଭୂମଣ୍ଡଳର ଉପରେ ଉପବିଷ୍ଟ ଓ ତନ୍ନିବାସୀଗଣ ଫଡ଼ିଙ୍ଗ ସ୍ୱରୂପ; ସେ ଚନ୍ଦ୍ରାତପ ତୁଲ୍ୟ ଆକାଶମଣ୍ଡଳ ପ୍ରସାରନ୍ତି, ପୁଣି ବସତି ନିମନ୍ତେ ତମ୍ବୁ ତୁଲ୍ୟ ତାହା ବିସ୍ତାରନ୍ତି; 23ସେ ଭୂପତିମାନଙ୍କୁ ଅକିଞ୍ଚିତ କରନ୍ତି; ସେ ପୃଥିବୀର ବିଚାରକର୍ତ୍ତାମାନଙ୍କୁ ମୂଲ୍ୟହୀନ କରନ୍ତି। 24ହଁ, ସେମାନେ ରୋପିତ ହୋଇ ନାହାନ୍ତି; ହଁ, ସେମାନେ ବୁଣାଯାଇ ନାହାନ୍ତି; ହଁ, ସେମାନଙ୍କ ଗଣ୍ଡିର ଚେର ଭୂମିରେ ମାଡ଼ି ନାହିଁ, ଆହୁରି ସେ ସେମାନଙ୍କ ଉପରେ ଫୁଙ୍କ ଦିଅନ୍ତି, ତହିଁରେ ସେମାନେ ଶୁଷ୍କ ହୁଅନ୍ତି ଓ ଘୂର୍ଣ୍ଣିବାୟୁ ନଡ଼ା ପରି ସେମାନଙ୍କୁ ଉଡ଼ାଇ ନିଏ। 25ଏହେତୁ ସେହି ଧର୍ମସ୍ୱରୂପ କହନ୍ତି, ଆମ୍ଭେ ଯାହାର ସମାନ ହୋଇ ପାରିବୁ, ଏପରି କାହା ସଙ୍ଗରେ ତୁମ୍ଭେମାନେ ଆମ୍ଭର ଉପମା ଦେବ? 26ଊର୍ଦ୍ଧ୍ୱଦୃଷ୍ଟି କରି ଦେଖ, ଏହି ସମସ୍ତଙ୍କୁ କିଏ ସୃଷ୍ଟି କରିଅଛନ୍ତି? ସେ ସୈନ୍ୟସମୂହର ନ୍ୟାୟ ସଂଖ୍ୟାନୁସାରେ ସେମାନଙ୍କୁ ବାହାର କରି ଆଣନ୍ତି; ସେ, ସମସ୍ତର ନାମ ଧରି ସେମାନଙ୍କୁ ଡାକନ୍ତି; ତାହାଙ୍କ ପରାକ୍ରମର ମାହାତ୍ମ୍ୟ ଦ୍ୱାରା ଓ ସେ ଶକ୍ତିରେ ପ୍ରବଳ ହେବା ସକାଶୁ ସେମାନଙ୍କର ଗୋଟିଏ ହେଁ ଅନୁପସ୍ଥିତ ହୁଏ ନାହିଁ। 27“ଆମ୍ଭର ପଥ ସଦାପ୍ରଭୁଙ୍କଠାରୁ ଗୁପ୍ତ ଓ ଆମ୍ଭର ବିଚାର ଆମ୍ଭ ପରମେଶ୍ୱରଙ୍କ ଜ୍ଞାନର ଅତୀତ,” ହେ ଯାକୁବ, ତୁମ୍ଭେ କାହିଁକି ଏହା କହୁଅଛ, ହେ ଇସ୍ରାଏଲ, ତୁମ୍ଭେ କାହିଁକି ଏହା କହୁଅଛ? 28ତୁମ୍ଭେ କି ଜାଣି ନାହଁ? ତୁମ୍ଭେ କି ଶୁଣି ନାହଁ? ପୃଥିବୀର ପ୍ରାନ୍ତସକଳର ସୃଷ୍ଟିକର୍ତ୍ତା ଅନାଦି ଅନନ୍ତ ପରମେଶ୍ୱର ସଦାପ୍ରଭୁ କ୍ଳାନ୍ତ ହୁଅନ୍ତି ନାହିଁ, କିମ୍ବା ଶ୍ରାନ୍ତ ହୁଅନ୍ତି ନାହିଁ; ତାହାଙ୍କର ବୁଦ୍ଧି ବୋଧର ଅଗମ୍ୟ। 29ସେ କ୍ଳାନ୍ତ ଲୋକକୁ ଶକ୍ତି ଦିଅନ୍ତି ଓ ବଳହୀନ ଲୋକର ବଳ ବଢ଼ାଇ ଦିଅନ୍ତି। 30ତରୁଣମାନେ ହେଁ କ୍ଳାନ୍ତ ଓ ଶ୍ରାନ୍ତ ହେବେ, ପୁଣି ଯୁବକମାନେ ନିତାନ୍ତ ପଡ଼ିଯିବେ; 31ମାତ୍ର ଯେଉଁମାନେ ସଦାପ୍ରଭୁଙ୍କର ଅପେକ୍ଷା କରନ୍ତି, ସେମାନେ ନୂଆ ନୂଆ ବଳ ପାଇବେ; ସେମାନେ ଉତ୍କ୍ରୋଶ ପକ୍ଷୀ ପରି ପକ୍ଷରେ ଉପରକୁ ଉଠିବେ; ସେମାନେ ଶ୍ରାନ୍ତ ନ ହୋଇ ଦୌଡ଼ିବେ; ସେମାନେ କ୍ଳାନ୍ତ ନ ହୋଇ ଗମନ କରିବେ।
ସନ୍ଧ୍ୟା ପ୍ରାର୍ଥନା: ପାଠ
1ସେହି ଘଟଣା ଉତ୍ତାରେ ଦର୍ଶନ ଦ୍ୱାରା ସଦାପ୍ରଭୁଙ୍କର ବାକ୍ୟ ଅବ୍ରାମଙ୍କ ନିକଟରେ ଉପସ୍ଥିତ ହେଲା, “ହେ ଅବ୍ରାମ, ଭୟ କର ନାହିଁ, ଆମ୍ଭେ ତୁମ୍ଭର ଢାଲ ଓ ମହାପୁରସ୍କାର ସ୍ୱରୂପ।” 2ତହିଁରେ ଅବ୍ରାମ ଉତ୍ତର କଲେ, “ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ମୋତେ କʼଣ ଦେବ? ମୁଁ ତ ନିଃସନ୍ତାନ ହୋଇ ପ୍ରସ୍ଥାନ କରୁଅଛି, ପୁଣି, ଦମ୍ମେଶକୀୟ ଇଲୀୟେଜର ମୋʼ ଗୃହର ଧନାଧିକାରୀ ଅଟେ।” 3ପୁଣି, ଅବ୍ରାମ କହିଲେ, “ଦେଖ, ତୁମ୍ଭେ ମୋତେ ସନ୍ତାନ ଦେଲ ନାହିଁ, ଏଣୁ ମୋʼ ଗୃହଜାତ କୌଣସି ଲୋକ ମୋହର ଉତ୍ତରାଧିକାରୀ ହେବ।” 4ସେତେବେଳେ ତାଙ୍କ ପ୍ରତି ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, “ଦେଖ, ସେହି ବ୍ୟକ୍ତି ତୁମ୍ଭର ଉତ୍ତରାଧିକାରୀ ହେବ ନାହିଁ; ମାତ୍ର ଯେ ତୁମ୍ଭ ଔରସରେ ଜାତ ହେବ, ସେହି ତୁମ୍ଭର ଉତ୍ତରାଧିକାରୀ ହେବ।” 5ଏଥିଉତ୍ତାରେ ସଦାପ୍ରଭୁ ତାଙ୍କୁ ବାହାରକୁ ଆଣି କହିଲେ, “ତୁମ୍ଭେ ଆକାଶକୁ ଦୃଷ୍ଟି କରି ଯଦି ତାରାସମୂହ ଗଣିପାର, ତେବେ ଗଣି କୁହ।” ସେ ଆହୁରି କହିଲେ, “ଏହି ପ୍ରକାର ତୁମ୍ଭର ବଂଶ ହେବ।” 6ସେତେବେଳେ ଅବ୍ରାମ ସଦାପ୍ରଭୁଙ୍କଠାରେ ବିଶ୍ୱାସ କରନ୍ତେ, ସେ ତାଙ୍କ ପକ୍ଷରେ ତାକୁ ଧାର୍ମିକତା ବୋଲି ଗଣନା କଲେ। 7ଏଥିଉତ୍ତାରେ ସଦାପ୍ରଭୁ ତାଙ୍କୁ କହିଲେ, “ଯେ ତୁମ୍ଭର ଅଧିକାର ନିମନ୍ତେ ଏହି ଦେଶ ଦେବା ପାଇଁ କଲ୍ଦୀୟମାନଙ୍କ ଊରଠାରୁ ଆଣିଲେ, ସେହି ସଦାପ୍ରଭୁ ଆମ୍ଭେ।” 8ତହୁଁ ଅବ୍ରାମ କହିଲେ, “ହେ ପ୍ରଭୋ ସଦାପ୍ରଭୋ, ମୁଁ ଯେ ଏ ଦେଶର ଅଧିକାରୀ ହେବି, ତାହା ମୁଁ କିପରି ଜାଣିବି?” 9ସଦାପ୍ରଭୁ କହିଲେ, “ତୁମ୍ଭେ ତିନି ବର୍ଷର ଗୋଟିଏ ଗାଭୀ ଓ ତିନି ବର୍ଷର ଗୋଟିଏ ଛାଗୀ ଓ ତିନି ବର୍ଷର ଗୋଟିଏ ମେଷ ଓ ଗୋଟିଏ ଘୁଘୁ ଓ ଗୋଟିଏ କପୋତ ଛୁଆ ଆମ୍ଭ ନିକଟକୁ ଆଣ।” 10ତହିଁରେ ଅବ୍ରାମ ସେହି ସବୁ ତାହାଙ୍କ ନିକଟକୁ ଆଣି ଦୁଇ ଖଣ୍ଡ କରି ଖଣ୍ଡକ ଆଗରେ ଅନ୍ୟ ଖଣ୍ଡ ରଖିଲେ; ମାତ୍ର ପକ୍ଷୀମାନଙ୍କୁ ଦୁଇ ଖଣ୍ଡ କଲେ ନାହିଁ। 11ଏଥିଉତ୍ତାରେ ହିଂସ୍ରକ ପକ୍ଷୀଗଣ ସେହି ମୃତ ଶବମାନଙ୍କ ଉପରେ ପଡ଼ନ୍ତେ, ଅବ୍ରାମ ସେମାନଙ୍କୁ ଅଡ଼ାଇ ଦେଲେ। 12ପୁଣି, ସୂର୍ଯ୍ୟାସ୍ତ ସମୟରେ ଅବ୍ରାମ ଅତି ନିଦ୍ରିତ ହୋଇ ଘୋର ଅନ୍ଧକାରରେ ଭୟଗ୍ରସ୍ତ ହେଲେ। 13ସେତେବେଳେ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ତୁମ୍ଭର ସନ୍ତାନଗଣ ଚାରି ଶହ ବର୍ଷ ଅନ୍ୟ ଦେଶରେ ପ୍ରବାସୀ ହୋଇ ଦାସ୍ୟକର୍ମ କରି କ୍ଳେଶ ଭୋଗ କରିବେ; ଏହା ନିଶ୍ଚିତ ଜାଣିବ; 14ମାତ୍ର ସେମାନେ ଯେଉଁ ଦେଶୀୟ ଲୋକମାନଙ୍କର ଦାସ୍ୟକର୍ମ କରିବେ, ଆମ୍ଭେ ସେମାନଙ୍କର ବିଚାର କରିବା; ତହିଁ ଉତ୍ତାରେ ସେମାନେ ବହୁତ ଧନ ଘେନି ସେହି ଦେଶରୁ ବାହାର ହେବେ। 15ମାତ୍ର ତୁମ୍ଭେ କୁଶଳରେ ଆପଣା ପୂର୍ବପୁରୁଷମାନଙ୍କ ନିକଟକୁ ଯିବ ଓ ଉତ୍ତମ ବୃଦ୍ଧାବସ୍ଥାରେ କବରପ୍ରାପ୍ତ ହେବ।
ସନ୍ଧ୍ୟା ପ୍ରାର୍ଥନା: ପାଠ
7ଜ୍ଞାନବାନର ଓଷ୍ଠାଧର ବିଦ୍ୟା ବିତରଣ କରେ; ମାତ୍ର ମୂର୍ଖର ମନ ସେପରି କରେ ନାହିଁ। 8ଦୁଷ୍ଟମାନଙ୍କ ବଳିଦାନ ସଦାପ୍ରଭୁଙ୍କଠାରେ ଘୃଣାର ବିଷୟ ଅଟେ; ମାତ୍ର ସରଳ ଲୋକଙ୍କର ପ୍ରାର୍ଥନା ତାହାଙ୍କର ତୁଷ୍ଟିକର। 9ଦୁଷ୍ଟର ଗତି ସଦାପ୍ରଭୁଙ୍କର ଘୃଣାର ବିଷୟ; ମାତ୍ର ଧାର୍ମିକତାର ଅନୁଗାମୀକୁ ସେ ପ୍ରେମ କରନ୍ତି। 10ବିପଥଗାମୀ ପ୍ରତି ଦୁଃଖଦାୟକ ଶାସ୍ତି ଘଟେ; ପୁଣି, ଯେଉଁ ଲୋକ ଅନୁଯୋଗ ଘୃଣା କରେ, ସେ ମରିବ। 11ପାତାଳ ଓ ବିନାଶ ସ୍ଥାନ ସଦାପ୍ରଭୁଙ୍କ ଅଗ୍ରବର୍ତ୍ତୀ ଥାଏ; ତେବେ ମନୁଷ୍ୟ-ସନ୍ତାନଗଣର ଅନ୍ତଃକରଣ କି ତତୋଧିକ ନୁହେଁ? 12ନିନ୍ଦକ ଅନୁଯୋଗ ପାଇବାକୁ ଭଲ ପାଏ ନାହିଁ, ସେ ଜ୍ଞାନୀର ନିକଟକୁ ଯାଏ ନାହିଁ। 13ଆନନ୍ଦିତ ମନ ମୁଖକୁ ପ୍ରଫୁଲ୍ଲ କରେ; ପୁଣି, ମନର ଶୋକରେ ଆତ୍ମା ଭଗ୍ନ ହୁଏ। 14ବୁଦ୍ଧିମାନର ମନ ଜ୍ଞାନ ଖୋଜେ; ମାତ୍ର ମୂର୍ଖମାନଙ୍କ ମୁଖ ଅଜ୍ଞାନତା ଆହାର କରେ। 15ଦୁଃଖୀ ଲୋକର ସବୁ ଦିନ ଅମଙ୍ଗଳ; ମାତ୍ର ଯେ ହୃଷ୍ଟଚିତ୍ତ, ତାହାର ନିତ୍ୟ ଭୋଜ। 16ଅଶାନ୍ତିଯୁକ୍ତ ବହୁ ସମ୍ପତ୍ତି ଅପେକ୍ଷା ସଦାପ୍ରଭୁଙ୍କ ଭୟଯୁକ୍ତ ଅଳ୍ପତା ଭଲ। 17ହିଂସା ସହିତ ହୃଷ୍ଟପୁଷ୍ଟ ଗୋମାଂସ ଭୋଜ ଅପେକ୍ଷା ପ୍ରେମ ଥିବା ସ୍ଥାନରେ ଶାକାନ୍ନ ଭଲ। 18କ୍ରୋଧୀ ଲୋକ କଳି ଜନ୍ମାଏ; ପୁଣି, କୋପ କରିବାକୁ ଧୀର ଲୋକ ବିବାଦ କ୍ଷାନ୍ତ କରେ। 19ଅଳସର ବାଟ କଣ୍ଟାବାଡ଼ ପରି, ମାତ୍ର ସରଳାଚାରୀର ପଥ ରାଜଦାଣ୍ଡ ତୁଲ୍ୟ କରାଯାଏ।
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ମାର୍ଚ୍ଚ 31 ନାଗରିକ ପଞ୍ଜିକାର ଅପ୍ରେଲ 13। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର