Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅପ୍ରେଲ 2027 › ଅପ୍ରେଲ 14

ଅର୍ଥୋଡକ୍ସ ପଞ୍ଜିକା · 1 ଅପ୍ରେଲ (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 14 ଅପ୍ରେଲ 2027

ବୁଧବାର · ମହା ଉପବାସର ପଞ୍ଚମ ସପ୍ତାହ · ସ୍ୱର 4

ପର୍ବ ଓ ସନ୍ଥ

Venerable Mary of Egypt

ମହା ଉପବାସ

ଉପବାସ: ତେଲ ସହିତ

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ଷଷ୍ଠ ଘଣ୍ଟା

ଯିଶା 41:4–14

4ଆଦ୍ୟରୁ ପୁରୁଷକୁ ପୁରୁଷ ଆହ୍ୱାନ କରି କିଏ ଏ କାର୍ଯ୍ୟ ସାଧନ କରିଅଛନ୍ତି? ଆମ୍ଭେ ସଦାପ୍ରଭୁ ଆଦି, ପୁଣି ଶେଷକାଳୀନ ଲୋକମାନଙ୍କର ସଙ୍ଗରେ ହେଁ ଆମ୍ଭେ ସେହି ଅଟୁ। 5ଦ୍ୱୀପଗଣ ଦେଖି ଭୀତ ହେଲେ; ପୃଥିବୀର ପ୍ରାନ୍ତସକଳ କମ୍ପିତ ହେଲେ; ସେମାନେ ନିକଟବର୍ତ୍ତୀ ହୋଇ ଆସିଲେ। 6ସେମାନେ ପ୍ରତ୍ୟେକେ ଆପଣା ପ୍ରତିବାସୀର ସାହାଯ୍ୟ କଲେ ଓ “ସାହସିକ ହୁଅ” ବୋଲି ପ୍ରତ୍ୟେକେ ଆପଣା ଭାଇକୁ କହିଲେ। 7ଏହିରୂପେ ସୂତ୍ରଧର ସ୍ୱର୍ଣ୍ଣକାରକୁ ସାହସ ଦେଲା ଓ ହାତୁଡ଼ିରେ ସମାନ କରିବା ଲୋକ “ଯୋଡ଼ କର୍ମ ଉତ୍ତମ ହୋଇଅଛି” ବୋଲି କହି, ନେହାଇରେ ପିଟିବା ଲୋକକୁ ଆଶ୍ୱାସ ଦେଲା; ପୁଣି, ପ୍ରତିମାଟି ଯେପରି ଟଳଟଳ ନ ହୁଏ, ଏଥିପାଇଁ ସେ କଣ୍ଟାରେ ତାହା ଦୃଢ଼ କଲା। 8ମାତ୍ର ହେ ଆମ୍ଭର ଦାସ ଇସ୍ରାଏଲ, ଆମ୍ଭର ମନୋନୀତ ଯାକୁବ, ଆମ୍ଭର ବନ୍ଧୁ ଅବ୍ରହାମର ବଂଶ; 9ଆମ୍ଭେ ତୁମ୍ଭକୁ ଧରି ପୃଥିବୀର ପ୍ରାନ୍ତକୁ ଆଣିଅଛୁ ଓ ପୃଥିବୀର ସୀମାରୁ ତୁମ୍ଭକୁ ଆହ୍ୱାନ କରି କହିଅଛୁ, “ତୁମ୍ଭେ ଆମ୍ଭର ଦାସ, ଆମ୍ଭେ ତୁମ୍ଭକୁ ମନୋନୀତ କରିଅଛୁ ଓ ଦୂର କରି ନାହୁଁ;” 10ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ; ନିରାଶ ହୁଅ ନାହିଁ, କାରଣ ଆମ୍ଭେ ତୁମ୍ଭର ପରମେଶ୍ୱର; ଆମ୍ଭେ ତୁମ୍ଭକୁ ସବଳ କରିବା; ହଁ, ଆମ୍ଭେ ତୁମ୍ଭର ସାହାଯ୍ୟ କରିବା; ହଁ, ଆମ୍ଭେ ଆପଣା ଧର୍ମସ୍ୱରୂପ ଦକ୍ଷିଣ ହସ୍ତରେ ତୁମ୍ଭକୁ ଧରି ରଖିବା। 11ଦେଖ, ଯେଉଁମାନେ ତୁମ୍ଭ ପ୍ରତି କୁପିତ ଅଛନ୍ତି, ସେମାନେ ସମସ୍ତେ ଲଜ୍ଜିତ ଓ ବିବ୍ରତ ହେବେ; ଯେଉଁମାନେ ତୁମ୍ଭ ସଙ୍ଗେ ବିରୋଧ କରନ୍ତି, ସେମାନେ ଅବସ୍ତୁ ତୁଲ୍ୟ ହୋଇ ବିନଷ୍ଟ ହେବେ। 12ଯେଉଁମାନେ ତୁମ୍ଭ ସଙ୍ଗେ ବିରୋଧ କରନ୍ତି, ତୁମ୍ଭେ ସେମାନଙ୍କୁ ଅନ୍ୱେଷଣ କରିବ, ମାତ୍ର ସେମାନଙ୍କର ଉଦ୍ଦେଶ୍ୟ ପାଇବ ନାହିଁ; ଯେଉଁମାନେ ତୁମ୍ଭ ସଙ୍ଗେ ଯୁଦ୍ଧ କରନ୍ତି, ସେମାନେ ଅବସ୍ତୁ ତୁଲ୍ୟ ଓ ଅକିଞ୍ଚନା ହେବେ। 13କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର, ତୁମ୍ଭ ଦକ୍ଷିଣ ହସ୍ତ ଧରି ତୁମ୍ଭକୁ କହିବା, “ଭୟ କର ନାହିଁ; ଆମ୍ଭେ ତୁମ୍ଭର ସାହାଯ୍ୟ କରିବା।” 14ହେ କୀଟ ସ୍ୱରୂପ ଯାକୁବ ଓ ହେ ଇସ୍ରାଏଲୀୟ ନରଗଣ, ଭୟ କର ନାହିଁ; ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭର ସାହାଯ୍ୟ କରିବା ଓ ଇସ୍ରାଏଲର ଧର୍ମସ୍ୱରୂପ ତୁମ୍ଭର ମୁକ୍ତିଦାତା ଅଟନ୍ତି।

ସନ୍ଧ୍ୟା ପ୍ରାର୍ଥନା: ପାଠ

ଆଦି 17:1–9

1ଅବ୍ରାମଙ୍କର ଅନେଶ୍ୱତ ବର୍ଷ ବୟସରେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଇ କହିଲେ, “ଆମ୍ଭେ ସର୍ବଶକ୍ତିମାନ ପରମେଶ୍ୱର; ଆମ୍ଭ ଛାମୁରେ ଧର୍ମାଚରଣ କରି ତୁମ୍ଭେ ସିଦ୍ଧ ହୁଅ। 2ଆମ୍ଭେ ତୁମ୍ଭ ସହିତ ଆପଣା ନିୟମ ସ୍ଥିର କରି ତୁମ୍ଭକୁ ଅତିଶୟ ବୃଦ୍ଧି କରିବା।” 3ତହିଁରେ ଅବ୍ରାମ ମୁହଁ ମାଡ଼ି ପଡ଼ନ୍ତେ, ପରମେଶ୍ୱର ତାଙ୍କ ସହିତ ଆଳାପ କରି କହିଲେ, 4“ଦେଖ, ଆମ୍ଭେ ତୁମ୍ଭ ସହିତ ଆପଣା ନିୟମ ସ୍ଥିର କରୁଅଛୁ, ତୁମ୍ଭେ ଅନେକ ଗୋଷ୍ଠୀର ଆଦିପୁରୁଷ ହେବ। 5ପୁଣି, ତୁମ୍ଭ ନାମ ଅବ୍ରାମ ଆଉ ରହିବ ନାହିଁ, ମାତ୍ର ଅବ୍ରହାମ ହେବ। ଯେହେତୁ ଆମ୍ଭେ ତୁମ୍ଭକୁ ଅନେକ ଗୋଷ୍ଠୀର ଆଦିପିତା କଲୁ। 6ଆମ୍ଭେ ତୁମ୍ଭକୁ ଅତିଶୟ ବୃଦ୍ଧି କରିବା, ତୁମ୍ଭଠାରୁ ଅନେକ ଗୋଷ୍ଠୀଜାତ କରାଇବା ଓ ରାଜାମାନେ ତୁମ୍ଭଠାରୁ ଉତ୍ପନ୍ନ ହେବେ। 7ଆମ୍ଭେ ତୁମ୍ଭ ସହିତ ଓ ତୁମ୍ଭ ଭବିଷ୍ୟତ ବଂଶ-ପରମ୍ପରା ସହିତ ଯେଉଁ ନିୟମ ସ୍ଥିର କଲୁ, ତାହା ଅନନ୍ତକାଳସ୍ଥାୟୀ ହେବ। ତହିଁରେ ଆମ୍ଭେ ତୁମ୍ଭର ଓ ତୁମ୍ଭ ଭବିଷ୍ୟତ ବଂଶର ପରମେଶ୍ୱର ହେବା। 8ପୁଣି, ତୁମ୍ଭେ ଏବେ ଏହି ଯେଉଁ କିଣାନ ଦେଶରେ ପ୍ରବାସ କରୁଅଛ, ତହିଁର ସମୁଦାୟ ଆମ୍ଭେ ତୁମ୍ଭକୁ ଓ ତୁମ୍ଭର ଭବିଷ୍ୟତ ବଂଶକୁ ଅନନ୍ତକାଳୀନ ଅଧିକାର ନିମନ୍ତେ ଦେବା ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା।” 9ପରମେଶ୍ୱର ଅବ୍ରହାମଙ୍କୁ ଆହୁରି କହିଲେ, “ତୁମ୍ଭେ ଆମ୍ଭର ନିୟମ ପାଳନ କରିବ; ତୁମ୍ଭେ ଓ ତୁମ୍ଭର ଭବିଷ୍ୟତ ବଂଶ ପୁରୁଷାନୁକ୍ରମେ ତାହା ପାଳନ କରିବେ।

ସନ୍ଧ୍ୟା ପ୍ରାର୍ଥନା: ପାଠ

ହିତୋ 15:20–16:9

20ଜ୍ଞାନୀ ପୁତ୍ର ପିତାର ଆହ୍ଲାଦ ଜନ୍ମାଏ; ମାତ୍ର ମୂର୍ଖ ପୁତ୍ର ଆପଣା ମାତାକୁ ତୁଚ୍ଛ କରେ। 21ନିର୍ବୋଧ ପ୍ରତି ଅଜ୍ଞାନତା ଆନନ୍ଦଜନକ; ମାତ୍ର ବୁଦ୍ଧିମାନ ଲୋକ ଆପଣା ଗତି ସରଳ କରେ। 22ମନ୍ତ୍ରଣା ଅଭାବରେ ସଂକଳ୍ପ ବିଫଳ ହୁଏ; ମାତ୍ର ବହୁତ ମନ୍ତ୍ରୀ ଦ୍ୱାରା ତାହା ସ୍ଥିରୀକୃତ ହୁଏ। 23ଆପଣା ମୁଖର ଉତ୍ତରରେ ମନୁଷ୍ୟର ଆନନ୍ଦ ହୁଏ, ପୁଣି ଯଥାକାଳର କଥା କିପରି ଉତ୍ତମ! 24ନୀଚସ୍ଥିତ ପାତାଳକୁ ତ୍ୟାଗ କରିବା ପାଇଁ ବୁଦ୍ଧିମାନ ଲୋକ ନିମନ୍ତେ ଜୀବନର ପଥ ଊର୍ଦ୍ଧ୍ୱଗାମୀ। 25ଗର୍ବୀ ଲୋକର ଗୃହ ସଦାପ୍ରଭୁ ଉପାଡ଼ି ପକାଇବେ; ମାତ୍ର ବିଧବାର ସୀମା ସେ ସ୍ଥିର କରିବେ; 26କୁସଂକଳ୍ପ ସଦାପ୍ରଭୁଙ୍କ ନିକଟରେ ଘୃଣାର ବିଷୟ; ମାତ୍ର ମନୋହର କଥା ଶୁଚି। 27ଲୋଭୀ ଆପଣା ପରିଜନକୁ ଦୁଃଖ ଦିଏ, ମାତ୍ର ଯେଉଁ ଲୋକ ଲାଞ୍ଚ ଘୃଣା କରେ, ସେ ବଞ୍ଚିବ। 28ଧାର୍ମିକର ମନ ବିବେଚନା କରି ଉତ୍ତର ଦିଏ; ମାତ୍ର ଦୁଷ୍ଟମାନଙ୍କ ମୁଖ ମନ୍ଦ କଥା ଢାଳି ପକାଏ। 29ସଦାପ୍ରଭୁ ଦୁଷ୍ଟମାନଙ୍କଠାରୁ ଦୂରରେ ଥାଆନ୍ତି; ପୁଣି, ଧାର୍ମିକମାନଙ୍କର ପ୍ରାର୍ଥନା ସେ ଶୁଣନ୍ତି। 30ଚକ୍ଷୁର ଦୀପ୍ତି ମନକୁ ଆନନ୍ଦିତ କରେ; ପୁଣି, ଉତ୍ତମ ସମାଚାର ହାଡ଼ର ପୁଷ୍ଟି କରେ। 31ଯେଉଁ କର୍ଣ୍ଣ ଜୀବନଦାୟକ ଅନୁଯୋଗ ଶୁଣେ, ତାହା ଜ୍ଞାନୀମାନଙ୍କ ମଧ୍ୟରେ ବାସ କରେ। 32ଯେଉଁ ଲୋକ ଶାସନ ଅଗ୍ରାହ୍ୟ କରେ, ସେ ଆପଣା ପ୍ରାଣକୁ ତୁଚ୍ଛ କରେ; ମାତ୍ର ଅନୁଯୋଗ ଯେ ଶୁଣେ, ସେ ବୁଦ୍ଧି ପାଏ। 33ସଦାପ୍ରଭୁ ବିଷୟକ ଭୟ ଜ୍ଞାନଜନକ ଉପଦେଶ; ପୁଣି, ନମ୍ରତା ସମ୍ଭ୍ରମର ସମ୍ମୁଖରେ ଥାଏ। 16:1ଅନ୍ତଃକରଣର କଳ୍ପନା ମନୁଷ୍ୟର ଅଟେ; ମାତ୍ର ଜିହ୍ୱାର ଉତ୍ତର ସଦାପ୍ରଭୁଙ୍କଠାରୁ ହୁଏ। 2ମନୁଷ୍ୟର ସମସ୍ତ ଗତି ଆପଣା ଦୃଷ୍ଟିରେ ନିର୍ମଳ; ମାତ୍ର ସଦାପ୍ରଭୁ ଆତ୍ମାମାନଙ୍କୁ ତୌଲନ୍ତି। 3ସଦାପ୍ରଭୁଙ୍କୁ ତୁମ୍ଭର କାର୍ଯ୍ୟ ସମର୍ପଣ କର, ତହିଁରେ ତୁମ୍ଭର ସଂକଳ୍ପ ସ୍ଥିରୀକୃତ ହେବ। 4ସଦାପ୍ରଭୁ ପ୍ରତ୍ୟେକ ବିଷୟକୁ ତହିଁର ନିଜ ଉଦ୍ଦେଶ୍ୟ ସାଧନ ନିମନ୍ତେ କରିଅଛନ୍ତି; ଦୁଷ୍ଟକୁ ମଧ୍ୟ ଦୁର୍ଦ୍ଦିନ ନିମନ୍ତେ। 5ମନରେ ଗର୍ବୀ ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କଠାରେ ଘୃଣିତ, ହାତ ଧରାଧରି ହେଲେ ହେଁ ସେ ଅଦଣ୍ଡିତ ନୋହିବ। 6ଦୟା ଓ ସତ୍ୟତାରେ ପାପର ପ୍ରାୟଶ୍ଚିତ୍ତ ହୁଏ, ପୁଣି, ସଦାପ୍ରଭୁ ବିଷୟକ ଭୟ ଦ୍ୱାରା ମନୁଷ୍ୟମାନେ କୁକ୍ରିୟା ତ୍ୟାଗ କରନ୍ତି। 7ମନୁଷ୍ୟର ଗତି ସଦାପ୍ରଭୁଙ୍କର ତୁଷ୍ଟିକର ହେଲେ, ସେ ତାହାର ଶତ୍ରୁମାନଙ୍କୁ ମଧ୍ୟ ତାହା ସହିତ ଶାନ୍ତିରେ ବାସ କରାନ୍ତି। 8ଅନ୍ୟାୟ ସହିତ ପ୍ରଚୁର ଆୟରୁ ଧାର୍ମିକତା ସହିତ ଅଳ୍ପ ଭଲ। 9ମନୁଷ୍ୟର ମନ ଆପଣା ପଥ ବିଷୟ କଳ୍ପନା କରେ; ମାତ୍ର ସଦାପ୍ରଭୁ ତାହାର ଗତି ନିରୂପଣ କରନ୍ତି।

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଅପ୍ରେଲ 1 ନାଗରିକ ପଞ୍ଜିକାର ଅପ୍ରେଲ 14। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର