Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅପ୍ରେଲ 2027 › ଅପ୍ରେଲ 13

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 13 ଅପ୍ରେଲ 2027

ମଙ୍ଗଳବାର · ପାସ୍କା କାଳର ତୃତୀୟ ସପ୍ତାହ

ପର୍ବ ଓ ସନ୍ଥ

ପାସ୍କା କାଳର ତୃତୀୟ ସପ୍ତାହର ମଙ୍ଗଳବାର

ଇଚ୍ଛାଧୀନ ସ୍ମୃତି ଦିବସ · ଉପାସନାର ରଙ୍ଗ: ଧଳା

ସନ୍ଥ ମାର୍ଟିନ୍ ପ୍ରଥମ, ପୋପ୍ ଓ ଶହୀଦ · ଇଚ୍ଛାଧୀନ ସ୍ମୃତି ଦିବସ

ଦିନର ପାଠ

ପ୍ରଥମ ପାଠ

ପ୍ରେରି 7:51–8:1

51ହେ ଦାମ୍ଭିକମାନେ ପୁଣି, ଅସୁନ୍ନତି ହୃଦୟ ଓ କର୍ଣ୍ଣ ବିଶିଷ୍ଟ ଲୋକେ, ଆପଣମାନେ ସର୍ବଦା ପବିତ୍ର ଆତ୍ମାଙ୍କର ପ୍ରତିରୋଧ କରୁଅଛନ୍ତି; ଆପଣମାନଙ୍କର ପିତୃ-ପୁରୁଷମାନେ ଯେପରି ଆପଣମାନେ ମଧ୍ୟ ସେହିପରି। 52ଭାବବାଦୀମାନଙ୍କ ମଧ୍ୟରୁ କାହାକୁ ଆପଣମାନଙ୍କର ପିତୃ-ପୁରୁଷମାନେ ତାଡ଼ନା କରି ନ ଥିଲେ? ଯେଉଁମାନେ ସେହି ଧାର୍ମିକ ବ୍ୟକ୍ତିଙ୍କ ଆଗମନ ବିଷୟରେ ପୂର୍ବରୁ ଜଣାଇଥିଲେ, ସେମାନଙ୍କୁ ସେମାନେ ବଧ କଲେ; ଏବେ ଆପଣମାନେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରି ବଧ କରିଅଛନ୍ତି; 53ଆପଣମାନେ ଦୂତମାନଙ୍କ ଦ୍ୱାରା ଆଦିଷ୍ଟ ବ୍ୟବସ୍ଥା ପାଇଥିଲେ, କିନ୍ତୁ ତାହା ପାଳନ କଲେ ନାହିଁ।” 54ଏହି ସମସ୍ତ କଥା ଶୁଣି ସେମାନେ ଅତିଶୟ ରାଗିଗଲେ, ପୁଣି, ତାହାଙ୍କ ପ୍ରତି ଦାନ୍ତ କଡ଼ମଡ଼ କରିବାକୁ ଲାଗିଲେ। 55କିନ୍ତୁ ସେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ସ୍ୱର୍ଗ ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁଲେ, ଆଉ ଈଶ୍ବରଙ୍କ ମହିମା ଓ ଯୀଶୁଙ୍କୁ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିବା ଦେଖି କହିଲେ, 56“ଦେଖନ୍ତୁ, ମୁଁ ସ୍ୱର୍ଗକୁ ଖୋଲା ହୋଇଥିବା ଓ ମନୁଷ୍ୟପୁତ୍ରଙ୍କୁ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିବା ଦେଖୁଅଛି।” 57କିନ୍ତୁ ସେମାନେ ଉଚ୍ଚସ୍ୱରରେ ଚିତ୍କାର କରି ଆପଣା ଆପଣା କର୍ଣ୍ଣ ବନ୍ଦ କଲେ, ଆଉ ଏକସଙ୍ଗରେ ତାହାଙ୍କ ଉପରେ ମାଡ଼ିପଡ଼ିଲେ, 58ପୁଣି, ସେମାନେ ତାହାଙ୍କୁ ନଗରରୁ ବାହାର କରିଦେଇ ପଥର ଫୋପାଡ଼ି ମାରିବାକୁ ଲାଗିଲେ; ଆଉ, ସାକ୍ଷୀମାନେ ଶାଉଲ ନାମକ ଜଣେ ଯୁବକଙ୍କ ପାଦ ପାଖରେ ଆପଣା ଆପଣା ବସ୍ତ୍ର ରଖିଲେ। 59ଯେତେବେଳେ ସେମାନେ ସ୍ତିଫାନଙ୍କୁ ପଥର ଫୋପାଡ଼ି ମାରୁଥିଲେ, ସେତେବେଳେ ସେ ପ୍ରାର୍ଥନା କରି କହିଲେ, “ହେ ପ୍ରଭୁ ଯୀଶୁ, ମୋହର ଆତ୍ମା ଗ୍ରହଣ କର।” 60ପୁଣି, ସେ ଆଣ୍ଠୋଇପଡ଼ି ଉଚ୍ଚସ୍ୱରରେ ଡାକି କହିଲେ, ହେ ପ୍ରଭୁ, ଏହି ପାପ ଏମାନଙ୍କ ବିରୁଦ୍ଧରେ ଗଣନା କର ନାହିଁ। ସେ ଏହା କହି ମହାନିଦ୍ରା ପ୍ରାପ୍ତ ହେଲେ। 8:1ଶାଉଲ, ସ୍ତିଫାନଙ୍କ ହତ୍ୟାରେ ଏକମତ ଥିଲେ। ସେହି ଦିନ ଯିରୂଶାଲମ ସହରରେ ଥିବା ମଣ୍ଡଳୀ ପ୍ରତି ଅତିଶୟ ତାଡ଼ନା ଘଟିଲା; ସେଥିରେ ପ୍ରେରିତମାନଙ୍କ ଛଡ଼ା ଅନ୍ୟସମସ୍ତେ ଯିହୂଦିୟା ପ୍ରଦେଶ ଓ ଶମିରୋଣ ଅଞ୍ଚଳ ସମୂହର ଚାରିଆଡ଼େ ଛିନ୍ନଭିନ୍ନ ହୋଇଗଲେ।

ପ୍ରତିଉତ୍ତର ଗୀତ

ଗୀତ 31:2–3, 5–7, 16, 20

2ମୋʼ ପ୍ରତି ଆପଣା କର୍ଣ୍ଣ ଡେର; ଶୀଘ୍ର ମୋତେ ଉଦ୍ଧାର କର; ତୁମ୍ଭେ ମୋʼ ପ୍ରତି ଦୃଢ଼ ଶୈଳ, ମୋହର ପରିତ୍ରାଣାର୍ଥକ ଦୁର୍ଗରୂପ ଗୃହ ହୁଅ। 3କାରଣ ତୁମ୍ଭେ ମୋହର ଶୈଳ ଓ ମୋହର ଦୁର୍ଗ ଅଟ; ଏଥିପାଇଁ ନିଜ ନାମ ସକାଶୁ ମୋତେ ପଥ ଦେଖାଇ କଢ଼ାଇ ନିଅ। 5ମୁଁ ତୁମ୍ଭ ହସ୍ତରେ ଆପଣା ଆତ୍ମା ସମର୍ପଣ କରେ; ହେ ସଦାପ୍ରଭୋ, ସତ୍ୟମୟ ପରମେଶ୍ୱର, ତୁମ୍ଭେ ମୋତେ ମୁକ୍ତ କରିଅଛ। 6ଯେଉଁମାନେ ଅସାର ପ୍ରତିମାଗଣକୁ ମାନନ୍ତି, ସେମାନଙ୍କୁ ମୁଁ ଘୃଣା କରେ; ମାତ୍ର ମୁଁ ସଦାପ୍ରଭୁଙ୍କଠାରେ ନିର୍ଭର ରଖେ। 7ମୁଁ ତୁମ୍ଭ ଦୟାରେ ଆନନ୍ଦ ଓ ଉଲ୍ଲାସ କରିବି; କାରଣ ତୁମ୍ଭେ ମୋହର କ୍ଳେଶ ଦେଖିଅଛ; ତୁମ୍ଭେ ଦୁର୍ଦ୍ଦଶା ସମୟରେ ମୋʼ ପ୍ରାଣର ତତ୍ତ୍ୱ ନେଇଅଛ। 16ଆପଣା ଦାସ ପ୍ରତି ଆପଣା ମୁଖ ପ୍ରସନ୍ନ କର; ଆପଣା ସ୍ନେହପୂର୍ଣ୍ଣ କରୁଣାରେ ମୋତେ ପରିତ୍ରାଣ କର। 20ତୁମ୍ଭେ ମନୁଷ୍ୟର ସବୁ କୁମନ୍ତ୍ରଣାରୁ ସେମାନଙ୍କୁ ଆପଣା ଶ୍ରୀଛାମୁର ଅନ୍ତରାଳରେ ଲୁଚାଇବ; ତୁମ୍ଭେ ଜିହ୍ୱାସମୂହର ବିରୋଧରୁ ସେମାନଙ୍କୁ ଆପଣା ଆବାସରେ ଗୋପନ କରି ରଖିବ।

ସୁସମାଚାର

ଯୋହ 6:30–35

30ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତାହାହେଲେ ଆପଣ ଚିହ୍ନସ୍ୱରୂପ କଅଣ କରୁଅଛନ୍ତି ଯେ, ତାହା ଦେଖି ଆମ୍ଭେମାନେ ଆପଣଙ୍କୁ ବିଶ୍ୱାସ କରିପାରୁ? 31ଆପଣ କଅଣ ସାଧନ କରୁଅଛନ୍ତି? ଆମ୍ଭମାନଙ୍କର ପିତୃ-ପୁରୁଷ ପ୍ରାନ୍ତରରେ ମାନ୍ନା ଭୋଜନ କରୁଥିଲେ, ଯେପରି ଲେଖାଅଛି, ଭୋଜନ କରିବା ନିମନ୍ତେ ସେ ସେମାନଙ୍କୁ ସ୍ୱର୍ଗରୁ ଆହାର ଦେଲେ। 32ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୋଶା ତୁମ୍ଭମାନଙ୍କୁ ସ୍ୱର୍ଗରୁ ଆହାର ଦେଇ ନାହାନ୍ତି, କିନ୍ତୁ ମୋହର ପିତା ତୁମ୍ଭମାନଙ୍କୁ ସ୍ୱର୍ଗରୁ ପ୍ରକୃତ ଆହାର ଦିଅନ୍ତି; 33କାରଣ ଯେଉଁ ଆହାର ସ୍ୱର୍ଗରୁ ଅବତରଣ କରି ଜଗତକୁ ଜୀବନ ପ୍ରଦାନ କରେ, ତାହା ଈଶ୍ବରଦତ୍ତ ଆହାର।” 34ସେମାନେ ତାହାଙ୍କୁ କହିଲେ, ପ୍ରଭୁ, ସବୁବେଳେ ଆମ୍ଭମାନଙ୍କୁ ଏହି ଆହାର ଦିଅନ୍ତୁ। 35ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ମୁଁ ସେହି ଜୀବନଦାୟକ ଆହାର; ଯେ ମୋʼ ନିକଟକୁ ଆସେ, ସେ କଦାପି କ୍ଷୁଧିତ ହେବ ନାହିଁ, ଆଉ ଯେ ମୋʼଠାରେ ବିଶ୍ୱାସ କରେ, ସେ କଦାପି ତୃଷିତ ହେବ ନାହିଁ।

ଆଜିର ସନ୍ଥ

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର