Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ପାଖାପାଖି ସୁସମାଚାର › ଯିରୂଶାଲମ ଅଭିମୁଖେ ବାଟରେ

ପାଖାପାଖି ସୁସମାଚାର · ଯିରୂଶାଲମ ଅଭିମୁଖେ ବାଟରେ

ରୂପାନ୍ତର

ମାଥି 17:1–8 · ମାର୍କ 9:2–8 · ଲୂକ 9:28–36

ମାଥିଉ

ମାଥି 17:1–8

1ଛଅ ଦିନ ପରେ ଯୀଶୁ ପିତର, ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ସାଙ୍ଗରେ ନେଇ ପୃଥକ୍ କରି ଗୋଟିଏ ଉଚ୍ଚ ପର୍ବତକୁ ନେଇଗଲେ।

2ଆଉ ସେ ସେମାନଙ୍କ ଆଗରେ ରୂପାନ୍ତରିତ ହେଲେ; ତାହାଙ୍କର ମୁଖ ସୂର୍ଯ୍ୟ ପରି ଉଜ୍ଜ୍ୱଳ ଓ ତାହାଙ୍କ ବସ୍ତ୍ର ଆଲୋକ ପରି ଶୁଭ୍ରବର୍ଣ୍ଣ ହେଲା।

3ପୁଣି, ଦେଖ, ମୋଶା ଓ ଏଲୀୟ ତାହାଙ୍କ ସହିତ କଥାବାର୍ତ୍ତା କରୁଥିବା ସେମାନଙ୍କୁ ଦେଖାଗଲା।

4ସେଥିରେ ପିତର ଯୀଶୁଙ୍କୁ ଉତ୍ତର ଦେଲେ, ହେ ପ୍ରଭୁ, ଆମ୍ଭେମାନେ ଯେ ଏ ସ୍ଥାନରେ ଅଛୁ, ଏହା ଉତ୍ତମ; ଆପଣଙ୍କର ଇଚ୍ଛା ହେଲେ ମୁଁ ଏଠାରେ ତିନୋଟି କୁଟୀର ନିର୍ମାଣ କରିବି, ଆପଣଙ୍କ ପାଇଁ ଗୋଟିଏ, ମୋଶାଙ୍କ ପାଇଁ ଗୋଟିଏ ଓ ଏଲୀୟଙ୍କ ପାଇଁ ଗୋଟିଏ।

5ସେ ଏହି କଥା କହୁ କହୁ, ଦେଖ, ଖଣ୍ଡେ ମେଘ ସେମାନଙ୍କୁ ଆଚ୍ଛାଦନ କଲା, ଆଉ ଦେଖ, ସେହି ମେଘରୁ ଏହି ବାଣୀ ହେଲା, “ଏ ଆମ୍ଭର ପ୍ରିୟ ପୁତ୍ର ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ ଏହାଙ୍କ ବାକ୍ୟ ଶୁଣ।”

6ଏହା ଶୁଣି ଶିଷ୍ୟମାନେ ମୁହଁ ମାଡ଼ି ପଡ଼ିଗଲେ ଓ ଅତିଶୟ ଭୀତ ହେଲେ।

7ସେଥିରେ ଯୀଶୁ ଆସି ସେମାନଙ୍କୁ ସ୍ପର୍ଶ କରି କହିଲେ, “ଉଠ, ଭୟ କର ନାହିଁ।”

8ପୁଣି, ସେମାନେ ଉପରକୁ ଚାହିଁ କେବଳ ଯୀଶୁଙ୍କ ବିନା ଆଉ କାହାରିକୁ ଦେଖିଲେ ନାହିଁ।

ମାର୍କ

ମାର୍କ 9:2–8

2ଛଅ ଦିନ ପରେ ଯୀଶୁ କେବଳ ପିତର, ଯାକୁବ ଓ ଯୋହନଙ୍କୁ ସାଙ୍ଗରେ ନେଇ ଅନ୍ତର ହୋଇ ସେମାନଙ୍କୁ ଗୋଟିଏ ଉଚ୍ଚ ପର୍ବତକୁ ନେଇଗଲେ।

3ଆଉ ସେ ସେମାନଙ୍କ ସାକ୍ଷାତରେ ରୂପାନ୍ତରିତ ହେଲେ, ତାହାଙ୍କ ବସ୍ତ୍ର ଏପରି ଉଜ୍ଜ୍ୱଳ ଓ ଅତିଶୟ ଶୁଭ୍ରବର୍ଣ୍ଣ ହେଲା ଯେ, ପୃଥିବୀର କୌଣସି ରଜକ ସେପରି ଶୁଭ୍ରବର୍ଣ୍ଣ କରିପାରେ ନାହିଁ।

4ପୁଣି, ମୋଶା ଏବଂ ଏଲୀୟ ଯୀଶୁଙ୍କ ସାଙ୍ଗରେ କଥାବାର୍ତ୍ତା କରୁଥିବାର ସେମାନେ ଦେଖିଲେ।

5ସେଥିରେ ପିତର ଯୀଶୁଙ୍କୁ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ଯେ ଏ ସ୍ଥାନରେ ଅଛୁ, ଏହା ଉତ୍ତମ; ଆମ୍ଭେମାନେ ତିନୋଟି କୁଟୀର ନିର୍ମାଣ କରୁ, ଆପଣଙ୍କ ପାଇଁ ଗୋଟିଏ ମୋଶାଙ୍କ ପାଇଁ ଗୋଟିଏ ଓ ଏଲୀୟଙ୍କ ପାଇଁ ଗୋଟିଏ।

6କାରଣ ଯୀଶୁ କି ଉତ୍ତର ଦେବେ ବୋଲି ଜାଣି ନ ଥିଲେ, ସେଥିପାଇଁ ସେମାନେ ଅତ୍ୟନ୍ତ ଭୀତ ହୋଇଥିଲେ।

7ପୁଣି, ଖଣ୍ଡେ ମେଘ ଆସି ସେମାନଙ୍କୁ ଆଚ୍ଛାଦନ କଲା, ଆଉ ସେହି ମେଘରୁ ଏହି ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କ ବାକ୍ୟ ଶ୍ରବଣ କର।

8ପୁଣି, ହଠାତ୍‍ ସେମାନେ ଚାରିଆଡ଼େ ଚାହିଁ ସେମାନଙ୍କ ସାଙ୍ଗରେ କେବଳ ଯୀଶୁଙ୍କ ବିନା ଆଉ କାହାରିକୁ ଦେଖିଲେ ନାହିଁ।

ଲୂକ

ଲୂକ 9:28–36

28ଏହି ସମସ୍ତ ଘଟଣାର ପ୍ରାୟ ଆଠ ଦିନ ପରେ ସେ ପିତର, ଯୋହନ ଓ ଯାକୁବଙ୍କୁ ସାଙ୍ଗରେ ନେଇ ପ୍ରାର୍ଥନା କରିବା ନିମନ୍ତେ ପର୍ବତ ଉପରକୁ ଗଲେ।

29ପୁଣି, ସେ ପ୍ରାର୍ଥନା କରୁଥିବା ସମୟରେ ତାହାଙ୍କ ମୁଖର ରୂପ ପରିବର୍ତ୍ତିତ ହେଲା ଏବଂ ତାହାଙ୍କ ବସ୍ତ୍ର ଧଳା ଓ ଅତ୍ୟନ୍ତ ଆଲୋକମୟ ହେଲା।

30ଆଉ ଦେଖ, ମୋଶା ଓ ଏଲୀୟ, ଏହି ଦୁଇ ବ୍ୟକ୍ତି ତାହାଙ୍କ ସହିତ କଥାବାର୍ତ୍ତା କରିବାକୁ ଲାଗିଲେ;

31ସେମାନେ ଗୌରବରେ ଦର୍ଶନ ଦେଇ, ସେ ଯିରୂଶାଲମ ସହରରେ ଯେଉଁ ମହାପ୍ରସ୍ଥାନ କରିବାକୁ ଉଦ୍ୟତ ଥିଲେ, ସେ ବିଷୟରେ କହିଲେ।

32ସେତେବେଳେ ପିତର ଓ ତାହାଙ୍କ ସଙ୍ଗୀମାନେ ନିଦ୍ରାରେ ଭାରାକ୍ରାନ୍ତ ଥିଲେ; କିନ୍ତୁ ସେମାନେ ନିଦ୍ରାରୁ ଉଠନ୍ତେ ତାହାଙ୍କ ଗୌରବ ଓ ତାହାଙ୍କ ସହିତ ଠିଆ ହୋଇଥିବା ସେହି ଦୁଇ ଜଣ ବ୍ୟକ୍ତିଙ୍କୁ ଦେଖିଲେ।

33ପୁଣି, ସେମାନେ ତାହାଙ୍କଠାରୁ ବାହାରିବା ସମୟରେ ପିତର ଯୀଶୁଙ୍କୁ କହିବାକୁ ଲାଗିଲେ, ହେ ଗୁରୁ, ଆମ୍ଭେମାନେ ଯେ ଏ ସ୍ଥାନରେ ଅଛୁ, ଏହା ଉତ୍ତମ; ଆମ୍ଭେମାନେ ତିନୋଟି କୁଟୀର ନିର୍ମାଣ କରୁ, ଆପଣଙ୍କ ପାଇଁ ଗୋଟିଏ, ମୋଶାଙ୍କ ପାଇଁ ଗୋଟିଏ ଓ ଏଲୀୟଙ୍କ ପାଇଁ ଗୋଟିଏ। କିନ୍ତୁ ସେ କଅଣ କହୁଅଛନ୍ତି, ତାହା ଜାଣିଲେ ନାହିଁ।

34ସେ ଏହା କହୁ କହୁ ଖଣ୍ଡେ ମେଘ ଆସି ସେମାନଙ୍କୁ ଆଚ୍ଛାଦନ କଲା, ଆଉ ସେମାନେ ମେଘରେ ପ୍ରବେଶ କରିବା ସମୟରେ ଭୟ କଲେ।

35ପୁଣି, ସେହି ମେଘରୁ ଏହି ବାଣୀ ହେଲା, ଏ ଆମ୍ଭର ପୁତ୍ର, ଆମ୍ଭର ମନୋନୀତ, ଏହାଙ୍କ ବାକ୍ୟ ଶୁଣ।

36ଆଉ, ସେହି ବାଣୀ ହେଲା ଉତ୍ତାରେ ଯୀଶୁ ଏକାକୀ ଦେଖାଗଲେ। ପୁଣି, ସେମାନେ ନୀରବ ରହିଲେ, ଆଉ ଯାହା ଯାହା ଦେଖିଥିଲେ, ସେଥିର କୌଣସି କଥା ସେ ସମୟରେ କାହାକୁ କହିଲେ ନାହିଁ।

ଚିହ୍ନିତ: ଆପଣ ପଢ଼ୁଥିବା ଅନୁବାଦରେ ପ୍ରତ୍ୟେକ ବିବରଣରେ ଥିବା ଶବ୍ଦ। ସବୁଠାରୁ ବାରମ୍ବାର ଶବ୍ଦ (“ଓ”, “ସେ”) ଚିହ୍ନିତ ହୁଏ ନାହିଁ; ଅନ୍ୟ ରୂପରେ ଥିବା ଶବ୍ଦ ଚିହ୍ନିତ ନ ହୋଇପାରେ।

ଉତ୍ସ: OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର