Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜୁନ 2027 › ଜୁନ 19

ଅର୍ଥୋଡକ୍ସ ପଞ୍ଜିକା · 6 ଜୁନ (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 19 ଜୁନ 2027

ଶନିବାର · ପାସ୍କାର ସପ୍ତମ ସପ୍ତାହ · ସ୍ୱର 6

ପର୍ବ ଓ ସନ୍ଥ

ସ୍ମରଣ ଶନିବାର

ଉପବାସ

ଉପବାସ ନାହିଁ

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ପତ୍ର (ପରଲୋକଗତମାନଙ୍କ ପାଇଁ)

ପ୍ର.ଥେସ 4:13–17

13ହେ ଭାଇମାନେ, ଭରସାହୀନ ଅନ୍ୟ ସମସ୍ତଙ୍କ ପରି ତୁମ୍ଭେମାନେ ଯେପରି ଶୋକାକୁଳ ନ ହୁଅ, ଏଥିନିମନ୍ତେ ମହାନିଦ୍ରାପ୍ରାପ୍ତ ଲୋକମାନଙ୍କ ବିଷୟରେ ତୁମ୍ଭେମାନେ ଯେ ଅଜ୍ଞ ଥାଅ, ଏହା ଆମ୍ଭମାନଙ୍କ ଇଚ୍ଛା ନୁହେଁ। 14କାରଣ ଯଦି ଆମ୍ଭେମାନେ ବିଶ୍ୱାସ କରୁ ଯେ, ଯୀଶୁ ମୃତ୍ୟୁଭୋଗ କରି ପୁନର୍ବାର ଉଠିଅଛନ୍ତି, ତେବେ ଈଶ୍ବର ଯେ ଯୀଶୁଙ୍କ ଦ୍ୱାରା ମହାନିଦ୍ରାପ୍ରାପ୍ତ ଲୋକମାନଙ୍କୁ ସେହି ପ୍ରକାରେ ତାହାଙ୍କ ସାଙ୍ଗରେ ଆଣିବେ, ଏହା ମଧ୍ୟ ବିଶ୍ୱାସ କରିବା ଉଚିତ। 15ଯେଣୁ ଆମ୍ଭେମାନେ ପ୍ରଭୁଙ୍କ ବାକ୍ୟାନୁସାରେ ତୁମ୍ଭମାନଙ୍କୁ ଏହା କହୁଅଛୁ, ଆମ୍ଭେମାନେ ଯେତେ ଲୋକ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ଜୀବିତ ରହି ଅବଶିଷ୍ଟ ଥିବୁ, ଆମ୍ଭେମାନେ କୌଣସି ପ୍ରକାରେ ମହାନିଦ୍ରାପ୍ରାପ୍ତ ଲୋକଙ୍କର ଅଗ୍ରଗାମୀ ହେବୁ ନାହିଁ। 16କାରଣ ପ୍ରଭୁ ଆପେ ଆଦେଶ ଦେଇ ପ୍ରଧାନ ଦୂତଙ୍କ ସ୍ୱର ଓ ଈଶ୍ବରଙ୍କ ତୂରୀବାଦ୍ୟ ସହିତ ସ୍ୱର୍ଗରୁ ଅବତରଣ କରିବେ, ସେଥିରେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଥାଇ ମରିଅଛନ୍ତି, ସେମାନେ ପ୍ରଥମରେ ଉଠିବେ; 17ପରେ ଆମ୍ଭେମାନେ ଯେତେ ଲୋକ ଜୀବିତ ରହି ଅବଶିଷ୍ଟ ଥିବୁ, ପ୍ରଭୁଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଆମ୍ଭେମାନେ ସେମାନଙ୍କ ସହ ମେଘମାଳାରେ ଶୂନ୍ୟମଣ୍ଡଳକୁ ନୀତ ହେବୁ; ଏହି ପ୍ରକାରେ ଆମ୍ଭେମାନେ ସର୍ବଦା ପ୍ରଭୁଙ୍କ ସହିତ ରହିବୁ।

ପତ୍ର

ପ୍ରେରି 28:1–31

1ଆମ୍ଭେମାନେ ରକ୍ଷା ପାଇଲା ପରେ ସେହି ଦ୍ୱୀପ ମେଲିତୀ ବୋଲି ଜାଣିଲୁ। 2ଆଉ, ବର୍ବରମାନେ ଆମ୍ଭମାନଙ୍କ ପ୍ରତି ଅସାଧାରଣ ଦୟା ଦେଖାଇଲେ, କାରଣ ବୃଷ୍ଟି ଓ ଶୀତ ହେଉଥିବାରୁ ସେମାନେ ଅଗ୍ନି ଜାଳି ଆମ୍ଭ ସମସ୍ତଙ୍କୁ ଅଭ୍ୟର୍ଥନା କଲେ। 3କିନ୍ତୁ ପାଉଲ ବିଡ଼ାଏ କାଠ ଗୋଟାଇ ନିଆଁ ଉପରେ ପକାନ୍ତେ, ତାତି ହେତୁ ଗୋଟାଏ କାଳସର୍ପ ବାହାରି ତାହାଙ୍କ ହାତରେ କାମୁଡ଼ି ଲାଗିରହିଲା। 4ବର୍ବରମାନେ ତାହାଙ୍କ ହାତରେ ସେହି ଜନ୍ତୁଟା ଝୁଲିଥିବାର ଦେଖି ପରସ୍ପର କହିବାକୁ ଲାଗିଲେ, ଏ ଲୋକଟା ନିଶ୍ଚୟ ଖୁଣୀ, ସମୁଦ୍ରରୁ ରକ୍ଷା ପାଇଲେ ସୁଦ୍ଧା ଧର୍ମ ଏହାକୁ ବଞ୍ଚିବାକୁ ଦେଲେ ନାହିଁ। 5କିନ୍ତୁ ପାଉଲ ଜନ୍ତୁଟାକୁ ଝାଡ଼ି ନିଆଁରେ ପକାଇଦେଲେ, ଆଉ ତାଙ୍କର କିଛି କ୍ଷତି ହେଲା ନାହିଁ। 6ସେ ଯେ ଫୁଲିଯିବେ କିମ୍ବା ହଠାତ୍‍ ମରି ପଡ଼ିଯିବେ, ଏହା ସେମାନେ ଅପେକ୍ଷା କରୁଥିଲେ; ମାତ୍ର ଅନେକ ବେଳ ପର୍ଯ୍ୟନ୍ତ ଅପେକ୍ଷାରେ ରହିଲା ପରେ ତାହାଙ୍କ ପ୍ରତି କୌଣସି ଅନିଷ୍ଟ ନ ଘଟିବାର ଦେଖି ସେମାନେ ନିଜ ନିଜ ମନ ବଳାଇ କହିଲେ, ଏ ଜଣେ ଦେବତା। 7ସେହି ସ୍ଥାନ ନିକଟରେ ପୁବ୍ଲିୟ ନାମକ ସେହି ଦ୍ୱୀପର ପ୍ରଧାନ ବ୍ୟକ୍ତିଙ୍କ ଗୃହ ଓ ଭୂମି ଥିଲା; ସେ ଆମ୍ଭମାନଙ୍କୁ ଗ୍ରହଣ କରି ତିନି ଦିନ ପର୍ଯ୍ୟନ୍ତ ସାଦରେ ଆମ୍ଭମାନଙ୍କର ଆତିଥ୍ୟସତ୍କାର କଲେ। 8ସେହି ସମୟରେ ପୁବ୍ଲିୟଙ୍କର ପିତା ଜ୍ୱର ଓ ଆମାଶୟ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲେ, ଆଉ ପାଉଲ ଭିତରକୁ ତାହାଙ୍କ ନିକଟକୁ ଯାଇ ପ୍ରାର୍ଥନା କଲେ ଓ ତାହାଙ୍କ ଉପରେ ହାତ ଥୋଇ ତାହାଙ୍କୁ ସୁସ୍ଥ କଲେ। 9ଏହି ଘଟଣା ପରେ ସେହି ଦ୍ୱୀପରେ ଥିବା ଅବଶିଷ୍ଟ ପୀଡ଼ିତମାନେ ମଧ୍ୟ ଆସି ସୁସ୍ଥ ହେଲେ; 10ସେମାନେ ମଧ୍ୟ ଆମ୍ଭମାନଙ୍କୁ ବହୁତ ସମ୍ମାନ ଦ୍ୱାରା ସମାଦର କଲେ, ପୁଣି, ଆମ୍ଭମାନଙ୍କର ପ୍ରସ୍ଥାନ କରିବା ସମୟରେ ଆମ୍ଭମାନଙ୍କ ପ୍ରୟୋଜନୀୟ ପଦାର୍ଥସବୁ ଯୋଗାଇଦେଲେ। 11ତିନି ମାସ ପରେ ଆମ୍ଭେମାନେ ଗୋଟିଏ ଆଲେକ୍‍ଜାଣ୍ଡ୍ରୀୟ ଜାହାଜରେ ଚଢ଼ି ଯାତ୍ରା କଲୁ, ସେହି ଜାହାଜ ଏହି ଦ୍ୱୀପରେ ଶୀତକାଳ କଟାଇଥିଲା, ତାହାର ଚିହ୍ନ ମିଥୁନ। 12ସୁରାକୂସାରେ ପହଞ୍ଚି ଆମ୍ଭେମାନେ ସେଠାରେ ତିନି ଦିନ ରହିଲୁ, 13ପୁଣି, ସେ ସ୍ଥାନରୁ ବୁଲି ରେଗୀୟ ବନ୍ଦରରେ ପହଞ୍ଚିଲୁ ଦିନକ ପରେ ଦକ୍ଷିଣା ପବନ ବହିବାରୁ ଦ୍ୱିତୀୟ ଦିନରେ ପୁତେଅଲି ସହରକୁ ଆସିଲୁ; 14ସେ ସ୍ଥାନରେ ଆମ୍ଭେମାନେ ଭାଇମାନଙ୍କୁ ଭେଟିଲୁ, ଆଉ ସେମାନଙ୍କ ସହିତ ସାତ ଦିନ ରହିବା ପାଇଁ ସେମାନେ ଆମ୍ଭମାନଙ୍କୁ ଅନୁରୋଧ କଲେ; ଏହି ପ୍ରକାରେ ଆମ୍ଭେମାନେ ରୋମରେ ପହଞ୍ଚିଲୁ। 15ଭାଇମାନେ ଆମ୍ଭମାନଙ୍କ ସମ୍ବାଦ ପାଇ ସେହି ସ୍ଥାନରୁ ଆପ୍ପୀୟଙ୍କ ହାଟ ଓ ତିନି ସରେଇଘର ପର୍ଯ୍ୟନ୍ତ ଆମ୍ଭମାନଙ୍କୁ ଭେଟିବା ପାଇଁ ଆସିଲେ, ପୁଣି, ପାଉଲ ସେମାନଙ୍କୁ ଦେଖି ଈଶ୍ବରଙ୍କ ଧନ୍ୟବାଦ କରି ସାହସ ପାଇଲେ। 16ଆଉ ଆମ୍ଭେମାନେ ରୋମରେ ପ୍ରବେଶ କରନ୍ତେ, ପାଉଲଙ୍କୁ ନିଜ ପ୍ରହରୀ ସୈନ୍ୟ ସହିତ ସ୍ୱତନ୍ତ୍ର ବାସ କରିବା ନିମନ୍ତେ ଅନୁମତି ଦିଆଗଲା। 17ତିନି ଦିନ ପରେ ସେ ଯିହୁଦୀମାନଙ୍କ ପ୍ରଧାନ ପ୍ରଧାନ ବ୍ୟକ୍ତିଙ୍କୁ ଡାକି ଏକତ୍ର କଲେ, ଆଉ ସେମାନେ ଏକତ୍ର ହୁଅନ୍ତେ ସେ ସେମାନଙ୍କୁ କହିଲେ, ହେ ଭାଇମାନେ, ଯଦ୍ୟପି ମୁଁ ସ୍ୱଜାତି ବିରୁଦ୍ଧରେ କିମ୍ବା ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ରୀତିନୀତି ବିରୁଦ୍ଧରେ କିଛି କରି ନ ଥିଲି, ତଥାପି ଯିରୂଶାଲମ ସହରରୁ ବନ୍ଦୀରୂପେ ରୋମୀୟମାନଙ୍କ ହସ୍ତରେ ସମର୍ପିତ ହେଲି। 18ସେମାନେ ମୋହର ବିଚାର କରି ମୋʼଠାରେ ପ୍ରାଣଦଣ୍ଡର କୌଣସି କାରଣ ନ ଥିବାରୁ ମୋତେ ମୁକ୍ତି ଦେବାକୁ ଇଚ୍ଛା କରୁଥିଲେ; 19କିନ୍ତୁ ଯିହୁଦୀମାନେ ସେଥିର ବିରୁଦ୍ଧରେ କହିବାରୁ ମୁଁ କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରିବାକୁ ବାଧ୍ୟ ହେଲି; ମୋହର ଯେ ସ୍ୱଜାତି ବିରୁଦ୍ଧରେ ଅଭିଯୋଗ କରିବାର କିଛି ଥିଲା, ତାହା ନୁହେଁ। 20ଅତଏବ ଏହି କାରଣରୁ ମୁଁ ଆପଣମାନଙ୍କୁ ମୋ ସହିତ ସାକ୍ଷାତ ଓ କଥାବାର୍ତ୍ତା କରିବାକୁ ଅନୁରୋଧ କଲି, କାରଣ ଇସ୍ରାଏଲର ଭରସା ଯୋଗୁଁ ମୁଁ ଏହି ଜଞ୍ଜିରରେ ବନ୍ଧାଯାଇଅଛି। 21ସେଥିରେ ସେମାନେ ତାହାଙ୍କୁ କହିଲେ, ଆପଣଙ୍କ ସମ୍ବନ୍ଧରେ ଯିହୂଦିୟା ପ୍ରଦେଶରୁ ଆମ୍ଭେମାନେ କୌଣସି ପତ୍ର ପାଇ ନାହୁଁ, କି ଭାଇମାନଙ୍କ ମଧ୍ୟରୁ କେହି ଏଠାକୁ ଆସି ଆପଣଙ୍କ ବିଷୟରେ କୌଣସି ମନ୍ଦ ସମ୍ବାଦ ଦେଇ ନାହାନ୍ତି ବା କହି ନାହାନ୍ତି। 22କିନ୍ତୁ ଆପଣଙ୍କ ଭାବ କଅଣ, ତାହା ଆମ୍ଭେମାନେ ଆପଣଙ୍କଠାରୁ ଶୁଣିବାକୁ ଇଚ୍ଛା କରୁଅଛୁ; କାରଣ ଏହି ଦଳ ସମ୍ବନ୍ଧରେ ଆମ୍ଭେ ଜାଣୁ ଯେ, ସର୍ବତ୍ର ତାହା ବିରୁଦ୍ଧରେ କଥା କୁହାଯାଉଅଛି। 23ଏଥିରେ ସେମାନେ ତାହାଙ୍କ ସହିତ ଗୋଟିଏ ଦିନ ନିରୂପଣ କରି ବହୁସଂଖ୍ୟାରେ ତାହାଙ୍କ ବସାକୁ ଆସିଲେ, ଆଉ ସେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କ ନିକଟରେ ବ୍ୟାଖ୍ୟା କରି ଈଶ୍ବରଙ୍କ ରାଜ୍ୟ ସମ୍ବନ୍ଧରେ ସାକ୍ଷ୍ୟ ଦେଲେ, ପୁଣି, ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀଙ୍କ ଶାସ୍ତ୍ର ନେଇ ଯୀଶୁଙ୍କ ସମ୍ବନ୍ଧରେ ସେମାନଙ୍କ ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କଲେ। 24ସେଥିରେ କେହି କେହି କୁହାଯାଇଥିବା ବିଷୟରେ ବିଶ୍ୱାସ କଲେ, କିନ୍ତୁ କେହି କେହି ବିଶ୍ୱାସ କଲେ ନାହିଁ। 25ପୁଣି, ସେମାନେ ନିଜ ନିଜ ମଧ୍ୟରେ ଏକମତ ନ ହେବାରୁ ବିଦାୟ ନେଲେ; ସେମାନଙ୍କ ଯିବା ପୂର୍ବେ ପାଉଲ ଏହି ଗୋଟିଏ କଥା କହିଲେ, ଆପଣମାନଙ୍କ ପିତୃପୁରୁଷମାନଙ୍କୁ ଭାବବାଦୀ ଯିଶାଇୟଙ୍କ ଦ୍ୱାରା ପବିତ୍ର ଆତ୍ମା ଯଥାର୍ଥ ରୂପେ କହିଥିଲେ, 26“ଏହି ଲୋକମାନଙ୍କ ପାଖକୁ ଯାଇ କୁହ, ‘ତୁମ୍ଭେମାନେ ଶୁଣୁ ଶୁଣୁ ଶୁଣିବ, କିନ୍ତୁ କୌଣସି ପ୍ରକାରେ ବୁଝିବ ନାହିଁ, ପୁଣି, ଦେଖୁ ଦେଖୁ ଦେଖିବ, କିନ୍ତୁ କୌଣସି ପ୍ରକାରେ ଜ୍ଞାତ ହେବ ନାହିଁ; 27କାରଣ ଏହି ଲୋକଙ୍କର ହୃଦୟ ଜଡ଼ ହେଲା, ସେମାନେ କାନରେ କଷ୍ଟରେ ଶୁଣିଲେ ଓ ନିଜ ନିଜ ଆଖି ବୁଜିଲେ, ଯେପରି ସେମାନେ ଆଖିରେ ଦେଖିବେ ନାହିଁ ଓ କାନରେ ଶୁଣିବେ ନାହିଁ, ଆଉ ହୃଦୟରେ ବୁଝିବେ ନାହିଁ, ପୁଣି, ଫେରି ଆସିବେ ନାହିଁ, ଆଉ ଆମ୍ଭେ ସେମାନଙ୍କୁ ସୁସ୍ଥ କରିବୁ ନାହିଁ।’” 28ଅତଏବ ଈଶ୍ବରଙ୍କ ଏହି ପରିତ୍ରାଣ ଅଣଯିହୁଦୀମାନଙ୍କ ନିକଟକୁ ଯେ ପ୍ରେରିତ ହୋଇଅଛି, ଆପଣମାନେ ଏହା ଜ୍ଞାତ ହୁଅନ୍ତୁ; ସେମାନେ ମଧ୍ୟ ଶ୍ରବଣ କରିବେ। 29[ଆଉ ସେ ଏହିସବୁ କଥା କହନ୍ତେ ଯିହୁଦୀମାନେ ନିଜ ନିଜ ମଧ୍ୟରେ ବାଦାନୁବାଦ କରୁ କରୁ ପ୍ରସ୍ଥାନ କଲେ।] 30ସେ ସମ୍ପୂର୍ଣ୍ଣ ଦୁଇ ବର୍ଷ ପର୍ଯ୍ୟନ୍ତ ଆପଣା ଭଡ଼ାଘରେ ରହିଲେ, 31ପୁଣି, ଯେତେ ଲୋକ ତାହାଙ୍କ ନିକଟକୁ ଆସୁଥିଲେ, ସମସ୍ତଙ୍କୁ ସେ ଗ୍ରହଣ କରି ପୂର୍ଣ୍ଣ ସାହସରେ ଓ ନିର୍ବିଘ୍ନରେ ଈଶ୍ବରଙ୍କ ରାଜ୍ୟର କଥା ପ୍ରଚାର କରୁଥିଲେ ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ବିଷୟସବୁ ଶିକ୍ଷା ଦେଉଥିଲେ।

ପତ୍ର (ପରଲୋକଗତମାନଙ୍କ ପାଇଁ (ଅନ୍ୟ ପାଠ))

ପ୍ର.କରି 15:47–57

47ପ୍ରଥମ ମନୁଷ୍ୟ ପାର୍ଥିବ, ମୃତ୍ତିକାରେ ନିର୍ମିତ, ଦ୍ୱିତୀୟ ମନୁଷ୍ୟ ସ୍ୱର୍ଗରୁ ଆଗତ। 48ଯେଉଁମାନେ ମୃତ୍ତିକାରେ ନିର୍ମିତ, ସେମାନେ ମୃତ୍ତିକାରେ ନିର୍ମିତ ସେହି ମନୁଷ୍ୟ ତୁଲ୍ୟ, ପୁଣି, ଯେଉଁମାନେ ସ୍ୱର୍ଗୀୟ, ସେମାନେ ସ୍ୱର୍ଗରୁ ଆଗତ ସେହି ବ୍ୟକ୍ତି ତୁଲ୍ୟ। 49ଆଉ, ଆମ୍ଭେମାନେ ଯେପରି ମୃତ୍ତିକାରେ ନିର୍ମିତ ସେହି ମନୁଷ୍ୟର ପ୍ରତିମୂର୍ତ୍ତି ଧାରଣ କରିଅଛୁ, ସେପରି ସେହି ସ୍ୱର୍ଗୀୟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ମଧ୍ୟ ଧାରଣ କରିବା। 50ହେ ଭାଇମାନେ, ମୁଁ ଏହା କହୁଅଛି, ରକ୍ତ-ମାଂସ ଈଶ୍ବରଙ୍କ ରାଜ୍ୟ ଅଧିକାର କରିପାରେ ନାହିଁ, କିମ୍ବା କ୍ଷୟ ଅକ୍ଷୟତାକୁ ଅଧିକାର କରେ ନାହିଁ। 51ଦେଖ, ମୁଁ ତୁମ୍ଭମାନଙ୍କୁ ଗୋଟିଏ ନିଗୂଢ଼ କଥା କହୁଅଛି, ଆମ୍ଭେମାନେ ସମସ୍ତେ ମହାନିଦ୍ରାପ୍ରାପ୍ତ ହେବା ନାହିଁ, 52କିନ୍ତୁ ଏକ ମୁହୂର୍ତ୍ତରେ, ଚକ୍ଷୁର ପଲକରେ, ଶେଷ ତୂରୀଧ୍ୱନୀରେ ଆମ୍ଭେମାନେ ସମସ୍ତେ ପରିବର୍ତ୍ତିତ ହେବା; କାରଣ ତୂରୀ ବାଜିବ, ଆଉ ମୃତମାନେ ଅକ୍ଷୟ ହୋଇ ଉତ୍ଥିତ ହେବେ, ପୁଣି, ଆମ୍ଭେମାନେ ପରିବର୍ତ୍ତିତ ହେବା। 53କାରଣ ଏହି କ୍ଷୟ ଶରୀରକୁ ଅକ୍ଷୟତାରୂପ ବସ୍ତ୍ର ପରିଧାନ କରିବାକୁ ହେବ, ଆଉ ଏହି ମର୍ତ୍ତ୍ୟ ଶରୀରକୁ ଅମରତାରୂପ ବସ୍ତ୍ର ପରିଧାନ କରିବାକୁ ହେବ। 54କିନ୍ତୁ ଏହି କ୍ଷୟ ଶରୀର ଅକ୍ଷୟରୂପ ବସ୍ତ୍ର ଓ ଏହି ମର୍ତ୍ତ୍ୟ ଶରୀର ଅମରତାରୂପ ବସ୍ତ୍ର ପରିଧାନ କଲା ଉତ୍ତାରେ ଶାସ୍ତ୍ରରେ ଏହି ଲିଖିତ ବାକ୍ୟ ସଫଳ ହେବ, 55“ଜୟ ମୃତ୍ୟୁକୁ ଗ୍ରାସ କରିଅଛି।” “ରେ ମୃତ୍ୟୁ, କାହିଁ ତୋର ଜୟ? ରେ ମୃତ୍ୟୁ, କାହିଁ ତୋର ନାହୁଡ଼?” 56ମୃତ୍ୟୁର ନାହୁଡ଼ ପାପ, ଆଉ ପାପର ବଳ ମୋଶାଙ୍କ ବ୍ୟବସ୍ଥା; 57କିନ୍ତୁ ଯେଉଁ ଈଶ୍ବର ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭମାନଙ୍କୁ ଜୟ ପ୍ରଦାନ କରନ୍ତି, ତାହାଙ୍କର ଧନ୍ୟବାଦ ହେଉ।

ସୁସମାଚାର (ପରଲୋକଗତମାନଙ୍କ ପାଇଁ)

ଯୋହ 5:24–30

24ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ମୋହର ବାକ୍ୟ ଶୁଣି ମୋହର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି, ପୁଣି, ସେ ବିଚାରିତ ନ ହୋଇ ବରଂ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛି। 25ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେଉଁ ସମୟରେ ମୃତମାନେ ଈଶ୍ବରଙ୍କ ପୁତ୍ରଙ୍କ ସ୍ୱର ଶୁଣିବେ ଓ ଯେଉଁମାନେ ଶୁଣିବେ, ସେମାନେ ଜୀବିତ ହେବେ ଏପରି ସମୟ ଆସୁଅଛି, ପୁଣି, ବର୍ତ୍ତମାନ ସୁଦ୍ଧା ଉପସ୍ଥିତ। 26କାରଣ ପିତା ଯେପରି ସ୍ୱୟଂଜୀବୀ, ସେହିପରି ସେ ପୁତ୍ରଙ୍କୁ ମଧ୍ୟ ସ୍ୱୟଂଜୀବୀ ହେବାକୁ ଦେଇଅଛନ୍ତି; 27ଆଉ, ସେ ମନୁଷ୍ୟପୁତ୍ର ହେବାରୁ ସେ ତାହାଙ୍କୁ ବିଚାର କରିବାର ଅଧିକାର ଦେଲେ। 28ଏଥିରେ ଚମତ୍କୃତ ହୁଅ ନାହିଁ, କାରଣ ଯେଉଁ ସମୟରେ ସମାଧିସ୍ଥ ସମସ୍ତେ ତାହାଙ୍କ ସ୍ୱର ଶୁଣିବେ ଏବଂ ଯେଉଁମାନେ ସତ୍କର୍ମ କରିଅଛନ୍ତି, 29ସେମାନେ ଜୀବନର ପୁନରୁତ୍ଥାନ ନିମନ୍ତେ ଓ ଯେଉଁମାନେ ଅସତ୍‌ କର୍ମ କରିଅଛନ୍ତି, ସେମାନେ ଦଣ୍ଡର ପୁନରୁତ୍ଥାନ ନିମନ୍ତେ ବାହାର ହୋଇ ଆସିବେ, ଏପରି ସମୟ ଆସୁଅଛି।” 30“ମୁଁ ନିଜେ କିଛି କରିପାରେ ନାହିଁ; ମୁଁ ଯେପରି ଶୁଣେ, ସେହିପରି ବିଚାର କରେ, ଆଉ ମୋହର ବିଚାର ଯଥାର୍ଥ, କାରଣ ମୁଁ ଆପଣାର ଇଚ୍ଛା ସାଧନ କରିବାକୁ ଚେଷ୍ଟା ନ କରି ମୋହର ପ୍ରେରଣକର୍ତ୍ତାଙ୍କର ଇଚ୍ଛା ସାଧନ କରିବାକୁ ଚେଷ୍ଟା କରେ।

ସୁସମାଚାର

ଯୋହ 21:15–25

15ସେମାନେ ଭୋଜନ କଲା ଉତ୍ତାରେ ଯୀଶୁ ଶିମୋନ ପିତରଙ୍କୁ ପଚାରିଲେ, “ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କଅଣ ମୋତେ ଏମାନଙ୍କଠାରୁ ଅଧିକ ପ୍ରେମ କରୁଅଛ?” ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି। ସେ ତାହାଙ୍କୁ କହିଲେ, “ମୋହର ମେଷଶାବକମାନଙ୍କୁ ଚରାଅ।” 16ସେ ପୁନର୍ବାର ଦ୍ୱିତୀୟ ଥର ତାହାଙ୍କୁ ପଚାରିଲେ, “ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କଅଣ ମୋତେ ପ୍ରେମ କରୁଅଛ?” ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି। ସେ ତାହାଙ୍କୁ କହିଲେ, “ମୋହର ମେଷମାନଙ୍କୁ ପ୍ରତିପାଳନ କର।” 17ସେ ତୃତୀୟ ଥର ତାହାଙ୍କୁ ପଚାରିଲେ, “ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କଅଣ ମୋତେ ସ୍ନେହ କରୁଅଛ? ତୁମ୍ଭେ କଅଣ ମୋତେ ସ୍ନେହ କରୁଅଛ,” ଏହା କହି ସେ ତୃତୀୟ ଥର ପିତରଙ୍କୁ ପଚାରିବାରୁ ସେ ଦୁଃଖିତ ହୋଇ ତାହାଙ୍କୁ କହିଲେ, ପ୍ରଭୁ, ଆପଣ ସମସ୍ତ ବିଷୟ ଜାଣନ୍ତି; ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି। ଯୀଶୁ ତାହାଙ୍କୁ କହିଲେ, “ମୋହର ମେଷମାନଙ୍କୁ ଚରାଅ। 18ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ଯୁବକ ଥିବା ସମୟରେ ତୁମ୍ଭେ ଆପଣା କଟି ବନ୍ଧନ କରି ଯେଉଁ ଆଡ଼େ ଇଚ୍ଛା, ସେହି ଆଡ଼େ ଭ୍ରମଣ କରୁଥିଲ, କିନ୍ତୁ ବୃଦ୍ଧ ହେଲେ ତୁମ୍ଭେ ଆପଣା ହସ୍ତ ବିସ୍ତାର କରିବ ଓ ଅନ୍ୟ ଜଣେ ତୁମ୍ଭର କଟି ବନ୍ଧନ କରି, ଯେଉଁ ଆଡ଼େ ତୁମ୍ଭର ଇଚ୍ଛା ନ ଥିବ, ସେଆଡ଼େ ତୁମ୍ଭକୁ ଘେନିଯିବ।” 19ସେ କେଉଁ ପ୍ରକାର ମୃତ୍ୟୁଭୋଗ ଦ୍ୱାରା ଈଶ୍ବରଙ୍କୁ ଗୌରବାନ୍ୱିତ କରିବେ, ସେଥିର ସୂଚନା ଦେଇ ସେ ଏହା କହିଲେ। ଏହା କହିଲା ଉତ୍ତାରେ ସେ ତାହାଙ୍କୁ କହିଲେ, “ମୋହର ଅନୁଗାମୀ ହୁଅ।” 20ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ ଓ ଯେ ମଧ୍ୟ ରାତ୍ରିଭୋଜ ସମୟରେ ତାହାଙ୍କ ବକ୍ଷସ୍ଥଳରେ ଆଉଜିପଡ଼ି, ପ୍ରଭୁ, ଆପଣଙ୍କୁ କିଏ ଶତ୍ରୁ ହସ୍ତରେ ସମର୍ପଣ କରିବ ବୋଲି ପଚାରିଥିଲେ, ସେହି ଶିଷ୍ୟଙ୍କୁ ପିତର ବୁଲିପଡ଼ି ପଛରେ ଆସୁଥିବା ଦେଖିଲେ। 21ପିତର ତାହାଙ୍କୁ ଦେଖି ଯୀଶୁଙ୍କୁ ପଚାରିଲେ, ପ୍ରଭୁ, ଏହାର ବିଷୟରେ କଅଣ? 22ଯୀଶୁ ତାହାଙ୍କୁ କହିଲେ, “ମୋହର ଆଗମନ ପର୍ଯ୍ୟନ୍ତ ସେ ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତାହାହେଲେ ସେଥିରେ ତୁମ୍ଭର କଅଣ ଅଛି? ତୁମ୍ଭେ ମୋହର ଅନୁଗାମୀ ହୁଅ।” 23ସେଥିରେ ସେହି ଶିଷ୍ୟ ଯେ ମରିବ ନାହିଁ, ଭାଇମାନଙ୍କ ମଧ୍ୟରେ ଏହି କଥା ବ୍ୟାପିଗଲା, ମାତ୍ର ସେ ମରିବ ନାହିଁ ବୋଲି ଯୀଶୁ ତାହାଙ୍କୁ କହି ନ ଥିଲେ, “କିନ୍ତୁ ମୋହର ଆଗମନ ପର୍ଯ୍ୟନ୍ତ ସେ ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତାହାହେଲେ ସେଥିରେ ତୁମ୍ଭର କଅଣ ଅଛି” ବୋଲି କହିଥିଲେ। 24ଯେ ଏହି ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି ଓ ଏହି ସମସ୍ତ ଲେଖିଅଛନ୍ତି, ସେ ସେହି ଶିଷ୍ୟ; ଆଉ, ତାହାଙ୍କ ସାକ୍ଷ୍ୟ ଯେ ସତ୍ୟ, ତାହା ଆମ୍ଭେମାନେ ଜାଣୁ। 25ପୁଣି, ଯୀଶୁ ଆହୁରି ଅନେକ ଅନେକ କର୍ମ ମଧ୍ୟ କରିଥିଲେ; ସେହିସବୁ ଯଦି ଗୋଟି ଗୋଟି କରି ଲେଖା ଯାଆନ୍ତା, ତାହାହେଲେ ଏତେ ପୁସ୍ତକ ଲେଖା ହୁଅନ୍ତା ଯେ, ମୋହର ବିଚାରରେ ସମୁଦାୟ ଜଗତରେ ସୁଦ୍ଧା ସେହିସବୁ ରଖିବା ନିମନ୍ତେ ସ୍ଥାନ ହୁଅନ୍ତା ନାହିଁ।

ସୁସମାଚାର (ପରଲୋକଗତମାନଙ୍କ ପାଇଁ (ଅନ୍ୟ ପାଠ))

ଯୋହ 6:35–39

35ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ମୁଁ ସେହି ଜୀବନଦାୟକ ଆହାର; ଯେ ମୋʼ ନିକଟକୁ ଆସେ, ସେ କଦାପି କ୍ଷୁଧିତ ହେବ ନାହିଁ, ଆଉ ଯେ ମୋʼଠାରେ ବିଶ୍ୱାସ କରେ, ସେ କଦାପି ତୃଷିତ ହେବ ନାହିଁ। 36କିନ୍ତୁ ତୁମ୍ଭେମାନେ ମୋତେ ଦେଖିଲେ ହେଁ ଯେ ବିଶ୍ୱାସ କରୁ ନାହଁ, ଏହା ମୁଁ ତୁମ୍ଭମାନଙ୍କୁ କହିଅଛି। 37ପିତା ଯେଉଁ ସମସ୍ତଙ୍କୁ ମୋତେ ଦାନ କରନ୍ତି, ସେମାନେ ମୋʼ ନିକଟକୁ ଆସିବେ; ଆଉ, ଯେ ମୋʼ ନିକଟକୁ ଆସେ, ତାହାକୁ ମୁଁ କୌଣସି ପ୍ରକାରେ ବାହାର କରିଦେବି ନାହିଁ; 38କାରଣ ମୁଁ ନିଜ ଇଚ୍ଛା ସାଧନ କରିବାକୁ ଅବତରଣ ନ କରି ବରଂ ମୋହର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ସାଧନ କରିବାକୁ ସ୍ୱର୍ଗରୁ ଅବତରଣ କରିଅଛି। 39ଆଉ, ମୋହର ପ୍ରେରଣକର୍ତ୍ତା ଯେଉଁ ସମସ୍ତଙ୍କୁ ମୋତେ ଦାନ କରିଅଛନ୍ତି, ସେମାନଙ୍କ ମଧ୍ୟରୁ କାହାକୁ ହିଁ ଯେପରି ମୁଁ ନ ହରାଇ ବରଂ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି, ଏହା ତାହାଙ୍କର ଇଚ୍ଛା।

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଜୁନ 6 ନାଗରିକ ପଞ୍ଜିକାର ଜୁନ 19। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର