ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅପ୍ରେଲ 2027 › ଅପ୍ରେଲ 5
ଅର୍ଥୋଡକ୍ସ ପଞ୍ଜିକା · 23 ମାର୍ଚ୍ଚ (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 5 ଅପ୍ରେଲ 2027
ସୋମବାର · ମହା ଉପବାସର ଚତୁର୍ଥ ସପ୍ତାହ · ସ୍ୱର 3
ପର୍ବ ଓ ସନ୍ଥ
Martyr Nikon in Sicily and his 199 Disciples († 251)
ମହା ଉପବାସ
କଠୋର ଉପବାସ (ଶୁଖିଲା ଆହାର: ରୁଟି, ପନିପରିବା, ଫଳ)
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ଷଷ୍ଠ ଘଣ୍ଟା
24ସୈନ୍ୟାଧିପତି ସଦାପ୍ରଭୁ ଶପଥ କରି କହିଅଛନ୍ତି, “ଆମ୍ଭେ ଯାହା ଭାବିଅଛୁ, ନିଶ୍ଚୟ ତଦ୍ରୂପ ଘଟିବ ଓ ଆମ୍ଭେ ଯେପରି ମନ୍ତ୍ରଣା କରିଅଛୁ, ସେହିପରି ସ୍ଥିର ହେବ; 25ଆମ୍ଭେ ଆପଣା ଦେଶରେ ଅଶୂରୀୟକୁ ଭଗ୍ନ କରିବା ଓ ଆପଣା ପର୍ବତ ଉପରେ ତାହାକୁ ପଦ ତଳେ ଦଳିତ କରିବା; ତେବେ ଲୋକମାନଙ୍କଠାରୁ ତାହାର ଯୁଆଳି ଓ ସେମାନଙ୍କ ସ୍କନ୍ଧରୁ ତାହାର ଭାର ଦୂରୀକୃତ ହେବ।” 26ସମୁଦାୟ ପୃଥିବୀ ବିଷୟରେ ଏହି ମନ୍ତ୍ରଣା ସ୍ଥିର ହୋଇଅଛି ଓ ଏହି ହସ୍ତ ସମସ୍ତ ଗୋଷ୍ଠୀ ଉପରେ ବିସ୍ତୀର୍ଣ୍ଣ ହୋଇଅଛି। 27କାରଣ ସୈନ୍ୟାଧିପତି ସଦାପ୍ରଭୁ ମନ୍ତ୍ରଣା କରିଅଛନ୍ତି, ଆଉ ତାହା କିଏ ଅନ୍ୟଥା କରିବ? ଓ ତାହାଙ୍କର ହସ୍ତ ବିସ୍ତାରିତ ହୋଇଅଛି, ଆଉ କିଏ ତାହା ଫେରାଇବ? 28ଯେଉଁ ବର୍ଷରେ ଆହସ୍ ରାଜାଙ୍କର ମୃତ୍ୟୁ ହେଲା, ସେହି ବର୍ଷର ଏହି ଭାବବାଣୀ। 29“ହେ ପଲେଷ୍ଟୀୟେ, ଯେଉଁ ଦଣ୍ଡ ତୁମ୍ଭକୁ ପ୍ରହାର କଲା, ତାହା ଭଗ୍ନ ହୋଇଅଛି ବୋଲି ତୁମ୍ଭେ ସମସ୍ତେ ଆନନ୍ଦ କର ନାହିଁ; କାରଣ ସର୍ପର ମୂଳରୁ କାଳସର୍ପ ଉତ୍ପନ୍ନ ହେବ ଓ ଅଗ୍ନିମୟ ଉଡ଼ନ୍ତା ସର୍ପ ତାହାର ଫଳ ହେବ। 30ପୁଣି, ଦରିଦ୍ରର ପ୍ରଥମଜାତ ସନ୍ତାନ ଭୋଜନ କରିବ ଓ ଦୀନହୀନମାନେ ନିରାପଦରେ ଶୟନ କରିବେ; ପୁଣି, ଆମ୍ଭେ ଦୁର୍ଭିକ୍ଷ ଦ୍ୱାରା ତୁମ୍ଭର ମୂଳ ନଷ୍ଟ କରିବା ଓ ତୁମ୍ଭର ଅବଶିଷ୍ଟାଂଶ ସଂହାରିତ ହେବ। 31ହେ ନଗର-ଦ୍ୱାର, ହାହାକାର କର; ହେ ନଗର, କ୍ରନ୍ଦନ କର; ହେ ପଲେଷ୍ଟୀୟେ, ତୁମ୍ଭର ସମୁଦାୟ ତରଳି ଯାଇଅଛି; କାରଣ ଉତ୍ତର ଦିଗରୁ ଧୂମ ଆସୁଅଛି ଓ କେହି ଆପଣା ନିରୂପିତ ସମୟରେ ଦୂରରେ ଠିଆ ହେଉ ନାହିଁ।” 32ଆଉ, ଏହି ଗୋଷ୍ଠୀର ଦୂତଗଣକୁ କି ଉତ୍ତର ଦିଆଯିବ? ଏହି ଯେ, “ସଦାପ୍ରଭୁ ସିୟୋନର ଭିତ୍ତିମୂଳ ସ୍ଥାପନ କରିଅଛନ୍ତି ଓ ତହିଁ ମଧ୍ୟରେ ତାହାଙ୍କର ଦୁଃଖଗ୍ରସ୍ତ ଲୋକମାନେ ଆଶ୍ରୟ ନିଅନ୍ତି।”
ସନ୍ଧ୍ୟା ପ୍ରାର୍ଥନା: ପାଠ
21ତହିଁରେ ସଦାପ୍ରଭୁ ତହିଁର ସୁଗନ୍ଧ ଆଘ୍ରାଣ କରି ମନେ ମନେ କହିଲେ, “ଆମ୍ଭେ ମନୁଷ୍ୟ ସକାଶୁ ଆଉ ପୃଥିବୀକୁ ଅଭିଶାପ ଦେବା ନାହିଁ; ଯଦ୍ୟପି ବାଲ୍ୟକାଳଠାରୁ ମନୁଷ୍ୟ ମନର କଳ୍ପନା ମନ୍ଦ, ତଥାପି ଆମ୍ଭେ ଯେପରି କରିଅଛୁ, ସେହିପରି ଆଉ ଥରେ କେବେ ହେଁ ସବୁ ପ୍ରାଣୀଙ୍କୁ ବିନଷ୍ଟ କରିବା ନାହିଁ। 22ପୁଣି, ଯେପର୍ଯ୍ୟନ୍ତ ପୃଥିବୀ ଥିବ, ସେପର୍ଯ୍ୟନ୍ତ ବୁଣାକଟାର ସମୟ, ଶୀତ ଓ ଗ୍ରୀଷ୍ମ, ପୁଣି, ଗ୍ରୀଷ୍ମ ଓ ଶୀତକାଳ, ଆଉ ଦିବସ ଓ ରାତ୍ରି, ଏହିସବୁର ନିବୃତ୍ତି ହେବ ନାହିଁ।” 9:1ଏଥିଉତ୍ତାରେ ପରମେଶ୍ୱର ନୋହ ଓ ତାଙ୍କ ପୁତ୍ରମାନଙ୍କୁ ଆଶୀର୍ବାଦ କରି କହିଲେ, “ତୁମ୍ଭେମାନେ ପ୍ରଜାବନ୍ତ ଓ ବହୁବଂଶ ହୋଇ ପୃଥିବୀକୁ ପରିପୂର୍ଣ୍ଣ କର। 2ପୃଥିବୀସ୍ଥ ସମସ୍ତ ପଶୁ ଓ ଖେଚର ପକ୍ଷୀ ଓ ଭୂଚର ଓ ଉରୋଗାମୀ ଜନ୍ତୁ ଓ ସମୁଦ୍ରର ମତ୍ସ୍ୟ, ସମସ୍ତେ ତୁମ୍ଭମାନଙ୍କଠାରୁ ଭୀତ ଓ ଶଙ୍କାଯୁକ୍ତ ହେବେ; ସେହି ସମସ୍ତ ତୁମ୍ଭମାନଙ୍କ ହସ୍ତରେ ସମର୍ପିତ ଅଟନ୍ତି। 3ପ୍ରତ୍ୟେକ ଗମନଶୀଳ ପ୍ରାଣୀ ତୁମ୍ଭମାନଙ୍କର ଖାଦ୍ୟ ହେବ, ଆମ୍ଭେ ହରିତ୍ ଶାକ ପରି ଏହି ସମସ୍ତ ତୁମ୍ଭମାନଙ୍କୁ ଦେଲୁ। 4ମାତ୍ର ତୁମ୍ଭେମାନେ ସପ୍ରାଣ (ଅର୍ଥାତ୍) ସରକ୍ତ ମାଂସ ଖାଇବ ନାହିଁ। 5ପୁଣି, ଆମ୍ଭେ ତୁମ୍ଭମାନଙ୍କ ଜୀବନରୂପ ରକ୍ତପାତର ପରିଶୋଧ ନିତାନ୍ତ ନେବା; ପ୍ରତ୍ୟେକ ପଶୁଠାରୁ ହେଉ କି ମନୁଷ୍ୟଠାରୁ ହେଉ, ତାହାରି ପରିଶୋଧ ନେବା; ଆମ୍ଭେ ପ୍ରତ୍ୟେକ ମନୁଷ୍ୟର ଭ୍ରାତାଠାରୁ ମନୁଷ୍ୟର ପ୍ରାଣର ପରିଶୋଧ ନେବା। 6ଯେକେହି ମନୁଷ୍ୟର ରକ୍ତପାତ କରିବ, ମନୁଷ୍ୟ ଦ୍ୱାରା ତାହାର ରକ୍ତପାତ କରାଯିବ; ଯେହେତୁ ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ନିର୍ମାଣ କରିଅଛନ୍ତି। 7ତୁମ୍ଭେମାନେ ପ୍ରଜାବନ୍ତ ଓ ବହୁବଂଶ ହୁଅ, ଆଉ ପୃଥିବୀକୁ ପରିପୂର୍ଣ୍ଣ କରି ବର୍ଦ୍ଧିଷ୍ଣୁ ହୁଅ।”
ସନ୍ଧ୍ୟା ପ୍ରାର୍ଥନା: ପାଠ
19ଯେଉଁ ଲୋକ ଧାର୍ମିକତାରେ ଅଟଳ ଥାଏ, ସେ ଜୀବନ ପାଇବ; ପୁଣି, କୁକର୍ମର ପଛେ ଯେ ଧାଏଁ, ସେ ଆପଣା ମୃତ୍ୟୁ ଘଟାଏ। 20କୁଟିଳମନା ଲୋକେ ସଦାପ୍ରଭୁଙ୍କର ଘୃଣାପାତ୍ର, ମାତ୍ର ସରଳାଚାରୀମାନେ ତାହାଙ୍କର ତୁଷ୍ଟିକର। 21ମନ୍ଦ ଲୋକ ହାତ ଧରାଧରି ହେଲେ ହେଁ ଅଦଣ୍ଡିତ ନୋହିବେ, ମାତ୍ର ଧାର୍ମିକର ବଂଶ ରକ୍ଷାପ୍ରାପ୍ତ ହେବେ। 22ଘୁଷୁରିର ଥୋମଣିରେ ଯେପରି ସୁବର୍ଣ୍ଣ ନଥ, ସେପରି ସୁବିଚାରତ୍ୟାଗିନୀ ରୂପବତୀ ସ୍ତ୍ରୀ। 23ଧାର୍ମିକମାନଙ୍କ ବାଞ୍ଛାର ଫଳ କେବଳ ମଙ୍ଗଳ, ମାତ୍ର ଦୁଷ୍ଟମାନଙ୍କ ଭରସାର ଫଳ କ୍ରୋଧ। 24କେହି କେହି ବିତରଣ କରି ଆହୁରି ବଢ଼ନ୍ତି, ପୁଣି, କେହି କେହି ଉଚିତ ବ୍ୟୟ ଅସ୍ୱୀକାର କଲେ ହେଁ ତହିଁରୁ କେବଳ ଅଭାବ ଜନ୍ମେ। 25ଦାନଶୀଳ ପ୍ରାଣୀ ପରିତୃପ୍ତ ହେବ, ଆହୁରି, ଜଳସେଚନକାରୀ ଆପେ ମଧ୍ୟ ଜଳରେ ସେଚିତ ହେବ। 26ଶସ୍ୟ ଯେ ଅଟକ କରି ରଖେ, ତାହାକୁ ଲୋକମାନେ ଅଭିଶାପ ଦେବେ, ମାତ୍ର ଯେଉଁ ବ୍ୟକ୍ତି ତାହା ବିକ୍ରୟ କରେ, ତାହାର ମସ୍ତକରେ ଆଶୀର୍ବାଦ ବର୍ତ୍ତେ। 27ଯେଉଁ ବ୍ୟକ୍ତି ଯତ୍ନରେ ହିତ ଚେଷ୍ଟା କରେ, ସେ ଅନୁଗ୍ରହ ପାଏ, ପୁଣି ଯେ ପରର ମନ୍ଦ କରିବାକୁ ଖୋଜେ, ତାହା ପ୍ରତି ତାହା ହିଁ ଘଟିବ। 28ଆପଣା ଧନରେ ଯେ ନିର୍ଭର ରଖେ, ସେ ପତିତ ହେବ; ମାତ୍ର ଧାର୍ମିକ ଲୋକ ସତେଜ ପତ୍ର ପରି ପ୍ରଫୁଲ୍ଲ ହେବ। 29ଆପଣା ପରିବାରକୁ ଯେ ଦୁଃଖ ଦିଏ, ସେ ବାୟୁରୂପ ଅଧିକାର ପାଏ; ପୁଣି, ଅଜ୍ଞାନ ବିଜ୍ଞ ବ୍ୟକ୍ତିର ଦାସ ହେବ। 30ଧାର୍ମିକର ଫଳ ଜୀବନଦାୟକ ବୃକ୍ଷ ଅଟେ, ପୁଣି, ଯେ ଜ୍ଞାନବାନ, ସେ ଅନ୍ୟମାନଙ୍କର ଆତ୍ମା ଲାଭ କରେ। 31ଦେଖ, ପୃଥିବୀରେ ଧାର୍ମିକଗଣ ହିଁ ପ୍ରତିଫଳ ପାʼନ୍ତି, ତେବେ ଦୁଷ୍ଟ ଓ ପାପୀଗଣ କʼଣ ତତୋଧିକ ପାଇବେ ନାହିଁ? 12:1ଯେଉଁ ଲୋକ ଅନୁଶାସନ ଭଲ ପାଏ, ସେ ଜ୍ଞାନ ଭଲ ପାଏ; ମାତ୍ର ଯେ ଅନୁଯୋଗ ଘୃଣା କରେ, ସେ ପଶୁ ତୁଲ୍ୟ। 2ସତ୍ଲୋକ ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପାଇବ, ମାତ୍ର କୁକଳ୍ପନାକାରୀକୁ ସେ ଦୋଷୀ କରିବେ। 3ଦୁଷ୍ଟତା ଦ୍ୱାରା କୌଣସି ମନୁଷ୍ୟ ସୁସ୍ଥିର ହେବ ନାହିଁ, କିନ୍ତୁ ଧାର୍ମିକର ମୂଳ କେବେ ଘୁଞ୍ଚା ଯିବ ନାହିଁ। 4ଗୁଣବତୀ ସ୍ତ୍ରୀ ଆପଣା ସ୍ୱାମୀର ମୁକୁଟ ସ୍ୱରୂପ; ମାତ୍ର ଲଜ୍ଜାଦାୟିନୀ ସ୍ତ୍ରୀ ତାହାର ହାଡ଼ସବୁର କ୍ଷୟ ସ୍ୱରୂପ। 5ଧାର୍ମିକମାନଙ୍କର ସଂକଳ୍ପ ଯଥାର୍ଥ; ମାତ୍ର ଦୁଷ୍ଟମାନଙ୍କର ପରାମର୍ଶ ପ୍ରବଞ୍ଚନାଯୁକ୍ତ। 6ଦୁଷ୍ଟମାନେ ରକ୍ତପାତ କରିବା ପାଇଁ ଛକି ବସିବାର କଥା କହନ୍ତି, ମାତ୍ର ସରଳ ଲୋକମାନଙ୍କର ମୁଖ ସେମାନଙ୍କୁ ରକ୍ଷା କରେ।
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ମାର୍ଚ୍ଚ 23 ନାଗରିକ ପଞ୍ଜିକାର ଅପ୍ରେଲ 5। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର