Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅପ୍ରେଲ 2027 › ଅପ୍ରେଲ 6

ଅର୍ଥୋଡକ୍ସ ପଞ୍ଜିକା · 24 ମାର୍ଚ୍ଚ (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 6 ଅପ୍ରେଲ 2027

ମଙ୍ଗଳବାର · ମହା ଉପବାସର ଚତୁର୍ଥ ସପ୍ତାହ · ସ୍ୱର 3

ପର୍ବ ଓ ସନ୍ଥ

Forefeast of the Annunciation

ମହା ଉପବାସ

କଠୋର ଉପବାସ (ଶୁଖିଲା ଆହାର: ରୁଟି, ପନିପରିବା, ଫଳ)

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ଷଷ୍ଠ ଘଣ୍ଟା

ଯିଶା 25:1–9

1ହେ ସଦାପ୍ରଭୋ, ତୁମ୍ଭେ ମୋହର ପରମେଶ୍ୱର; ମୁଁ ତୁମ୍ଭର ଗୌରବ କରିବି, ମୁଁ ତୁମ୍ଭ ନାମର ପ୍ରଶଂସା କରିବି; କାରଣ ତୁମ୍ଭେ ଆଶ୍ଚର୍ଯ୍ୟକ୍ରିୟା, ଅର୍ଥାତ୍‍, ପୁରାତନ କାଳର ମନ୍ତ୍ରଣାସବୁ ବିଶ୍ୱସ୍ତତାରେ ଓ ସତ୍ୟରେ ସାଧନ କରିଅଛ। 2ଯେହେତୁ ତୁମ୍ଭେ ନଗରକୁ ଢିପି, ପ୍ରାଚୀର-ବେଷ୍ଟିତ ନଗରକୁ କାନ୍ଥଡ଼ା କରିଅଛ; ବିଦେଶୀମାନଙ୍କ ରାଜପୁରୀକୁ ବିନଷ୍ଟ କରିଅଛ; ତାହା ଆଉ କେବେ ନିର୍ମିତ ହେବ ନାହିଁ। 3ଏଥିପାଇଁ ବଳବାନ ଲୋକମାନେ ତୁମ୍ଭର ଗୌରବ କରିବେ ଓ ଭୟଙ୍କର ଗୋଷ୍ଠୀୟମାନଙ୍କ ନଗର ତୁମ୍ଭଙ୍କୁ ଭୟ କରିବ। 4କାରଣ ତୁମ୍ଭେ ଦରିଦ୍ରର ଦୃଢ଼ ଦୁର୍ଗ, ଦୀନହୀନର ସଙ୍କଟ ସମୟରେ ତାହାର ଦୃଢ଼ ଦୁର୍ଗ, ଭୟଙ୍କର ଲୋକମାନଙ୍କ ଶ୍ୱାସବାୟୁ ପ୍ରବଳ ବତାସ ତୁଲ୍ୟ ପ୍ରାଚୀରରେ ଲାଗିବା ବେଳେ ପ୍ରବଳ ବତାସ ନିବାରକ ଆଶ୍ରୟ, ତାପ ନିବାରକ ଛାୟା ହୋଇଅଛ। 5ଯେପରି ତୁମ୍ଭେ ଶୁଷ୍କ ଦେଶରେ ତାପକୁ, ସେହିପରି ବିଦେଶୀମାନଙ୍କର କୋଳାହଳକୁ ନିବାରଣ କରିବ; ଯେପରି ମେଘର ଛାୟା ଦ୍ୱାରା ତାପ, ସେହିପରି ଭୟଙ୍କର ଲୋକମାନଙ୍କର ଗାୟନ ଧ୍ୱନି କ୍ଷାନ୍ତ କରାଯିବ। 6ପୁଣି, ସୈନ୍ୟାଧିପତି ସଦାପ୍ରଭୁ ଏହି ପର୍ବତରେ ଯାବତୀୟ ଗୋଷ୍ଠୀ ନିମନ୍ତେ ଉତ୍ତମ ଉତ୍ତମ ଖାଦ୍ୟଦ୍ରବ୍ୟର ଏକ ଭୋଜ, ପୁରାତନ ଦ୍ରାକ୍ଷାରସର, ମେଦପୂର୍ଣ୍ଣ ଉତ୍ତମ ଖାଦ୍ୟଦ୍ରବ୍ୟର, ସୁନିର୍ମଳୀକୃତ ପୁରାତନ ଦ୍ରାକ୍ଷାରସର ଏକ ଭୋଜ ପ୍ରସ୍ତୁତ କରିବେ। 7ଆଉ, ସର୍ବଗୋଷ୍ଠୀୟମାନଙ୍କ ଉପରେ ଯେଉଁ ଓଢ଼ଣା ପଡ଼ିଅଛି ଓ ସର୍ବଦେଶୀୟମାନଙ୍କ ଉପରେ ଯେଉଁ ଆବରକ ବସ୍ତ୍ର ପ୍ରସାରିତ ହୋଇଅଛି, ତାହା ସେ ଏହି ପର୍ବତରେ ବିନାଶ କରିବେ। 8ସେ ମୃତ୍ୟୁକୁ ଅନନ୍ତକାଳ ନିମନ୍ତେ ଗ୍ରାସ କରିଅଛନ୍ତି ଓ ପ୍ରଭୁ, ସଦାପ୍ରଭୁ, ସମସ୍ତଙ୍କ ମୁଖରୁ ଲୋତକ ଜଳ ପୋଛି ଦେବେ ଓ ସମୁଦାୟ ପୃଥିବୀରୁ ଆପଣା ଲୋକମାନଙ୍କର ଦୁର୍ନାମ ଦୂର କରିବେ; କାରଣ ସଦାପ୍ରଭୁ ଏହି କଥା କହିଅଛନ୍ତି। 9ପୁଣି, ସେହି ଦିନ ଏହି କଥା କୁହାଯିବ, “ଦେଖ, ଏହି ଆମ୍ଭମାନଙ୍କର ପରମେଶ୍ୱର; ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ ଓ ସେ ଆମ୍ଭମାନଙ୍କୁ ଉଦ୍ଧାର କରିବେ; ଏ ସଦାପ୍ରଭୁ ଅଟନ୍ତି; ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ, ଆମ୍ଭେମାନେ ତାହାଙ୍କ କୃତ ପରିତ୍ରାଣରେ ଆନନ୍ଦିତ ହୋଇ ଉଲ୍ଲାସ କରିବୁ।”

ସନ୍ଧ୍ୟା ପ୍ରାର୍ଥନା: ପାଠ

ଆଦି 9:8–17

8ଏଥିଉତ୍ତାରେ ପରମେଶ୍ୱର ନୋହଙ୍କୁ ଓ ତାଙ୍କର ସଙ୍ଗୀ ପୁତ୍ରମାନଙ୍କୁ କହିଲେ, 9“ଦେଖ, ତୁମ୍ଭମାନଙ୍କ ସହିତ ଓ ତୁମ୍ଭମାନଙ୍କ ଭବିଷ୍ୟତ ବଂଶ ସହିତ ଓ ତୁମ୍ଭମାନଙ୍କ ସଙ୍ଗୀ ସମସ୍ତ ଜୀବଜନ୍ତୁ ସହିତ, 10ଅର୍ଥାତ୍‍, ଜାହାଜରୁ ବହିର୍ଗତ ଗ୍ରାମ୍ୟ ଓ ବନ୍ୟ ପଶୁ ଓ ପକ୍ଷୀ ପ୍ରଭୃତି ପୃଥିବୀସ୍ଥ ସମସ୍ତ ପ୍ରାଣୀ ସହିତ ଆମ୍ଭେ ଆପଣା ନିୟମ ସ୍ଥିର କରୁଅଛୁ। 11ଆମ୍ଭେ ତୁମ୍ଭମାନଙ୍କ ସହିତ ଏହି ନିୟମ ସ୍ଥିର କରିବୁ, ସମସ୍ତ ପ୍ରାଣୀ ଜଳପ୍ଳାବନ ଦ୍ୱାରା ଆଉ ଉଚ୍ଛିନ୍ନ ହେବେ ନାହିଁ; ପୁଣି, ପୃଥିବୀକୁ ବିନାଶ କରିବା ପାଇଁ ଆଉ ଜଳପ୍ଳାବନ ହେବ ନାହିଁ।” 12ପୁନଶ୍ଚ, ପରମେଶ୍ୱର କହିଲେ, “ଆମ୍ଭେ ତୁମ୍ଭମାନଙ୍କ ସହିତ ଓ ତୁମ୍ଭମାନଙ୍କ ସଙ୍ଗୀ ସମସ୍ତ ପ୍ରାଣୀବର୍ଗ ସହିତ ପୁରୁଷାନୁକ୍ରମେ ଅନନ୍ତକାଳ ପର୍ଯ୍ୟନ୍ତ ଯେଉଁ ନିୟମ ସ୍ଥିର କଲୁ, ତହିଁର ଚିହ୍ନ ଏହି; 13ଆମ୍ଭେ ମେଘରେ ଆପଣା ଧନୁ ସ୍ଥାପନ କରୁଅଛୁ, ତାହା ପୃଥିବୀ ସହିତ ଆମ୍ଭ ନିୟମର ଚିହ୍ନ ହେବ। 14ଯେତେବେଳେ ଆମ୍ଭେ ପୃଥିବୀ ଉପରେ ମେଘ ସଞ୍ଚାର କରିବା, ସେତେବେଳେ ସେହି ଧନୁ ମେଘରେ ଦେଖାଯିବ; 15ତହିଁରେ ତୁମ୍ଭମାନଙ୍କ ସହିତ ଓ ମାଂସବିଶିଷ୍ଟ ସମୁଦାୟ ପ୍ରାଣୀ ସହିତ ଆମ୍ଭର ଯେଉଁ ନିୟମ ଅଛି, ତାହା ଆମ୍ଭର ସ୍ମରଣ ହେବ, ତହିଁରେ ସବୁ ପ୍ରାଣୀର ବିନାଶାର୍ଥେ ଜଳପ୍ଳାବନ ଆଉ ହେବ ନାହିଁ। 16ପୁଣି, ମେଘଧନୁ ହେଲେ, ଆମ୍ଭେ ତାହା ପ୍ରତି ଦୃଷ୍ଟିପାତ କରିବା, ତହିଁରେ ପୃଥିବୀସ୍ଥ ମାଂସବିଶିଷ୍ଟ ସମସ୍ତ ପ୍ରାଣୀ ସହିତ ପରମେଶ୍ୱରଙ୍କର ଯେଉଁ ଅନନ୍ତକାଳସ୍ଥାୟୀ ନିୟମ ଅଛି, ତାହା ଆମ୍ଭେ ସ୍ମରଣ କରିବା।” 17ପରମେଶ୍ୱର ନୋହଙ୍କୁ କହିଲେ, “ପୃଥିବୀସ୍ଥ ମାଂସବିଶିଷ୍ଟ ସମସ୍ତ ପ୍ରାଣୀ ସହିତ ଆମ୍ଭେ ଯେଉଁ ନିୟମ ସ୍ଥିର କରିଅଛୁ, ତହିଁର ଏହି ଚିହ୍ନ ହେବ।”

ସନ୍ଧ୍ୟା ପ୍ରାର୍ଥନା: ପାଠ

ହିତୋ 12:8–22

8ମନୁଷ୍ୟ ଆପଣା ସୁବୁଦ୍ଧି ଅନୁସାରେ ପ୍ରଶଂସା ପାଇବ, ମାତ୍ର ଯାହାର କୁଟିଳ ଅନ୍ତଃକରଣ, ସେ ତୁଚ୍ଛୀକୃତ ହେବ। 9ଯେଉଁ ଲୋକ ତୁଚ୍ଛୀକୃତ, ଆଉ ଯାହାର ଦାସ ଅଛି, ସେ ଖାଦ୍ୟହୀନ ଆତ୍ମପ୍ରଶଂସୀଠାରୁ ଶ୍ରେଷ୍ଠ। 10ଧାର୍ମିକ ମନୁଷ୍ୟ ଆପଣା ପଶୁର ପ୍ରାଣକୁ ଆଦର କରେ, ମାତ୍ର ଦୁଷ୍ଟମାନଙ୍କର କରୁଣା ନିଷ୍ଠୁର। 11ଯେ ଆପଣା ଭୂମି ଚାଷ କରେ, ସେ ଯଥେଷ୍ଟ ଆହାର ପାଇବ; ମାତ୍ର ଯେ ଅସାର ବିଷୟରେ ପ୍ରବୃତ୍ତ ହୁଏ, ସେ ବୁଦ୍ଧିହୀନ। 12ଦୁଷ୍ଟ ଲୋକ କୁକର୍ମକାରୀମାନଙ୍କ ଜାଲକୁ ଲୋଭ କରେ; ମାତ୍ର ଧାର୍ମିକର ମୂଳ ଫଳଦାୟକ। 13ଦୁଷ୍ଟ ଆପଣା ଓଷ୍ଠର ଅଧର୍ମ ସକାଶୁ ଫାନ୍ଦରେ ପଡିଥାଏ, ମାତ୍ର ଧାର୍ମିକ ଦୁଃଖରୁ ଉଦ୍ଧାର ପାଇବ। 14ମନୁଷ୍ୟ ଆପଣା ମୁଖର ଫଳ ଦ୍ୱାରା ମଙ୍ଗଳରେ ପରିତୃପ୍ତ ହେବ, ପୁଣି, ମନୁଷ୍ୟର ହସ୍ତକୃତ କର୍ମଫଳ ତାହାକୁ ଦିଆଯିବ। 15ଅଜ୍ଞାନର ପଥ ତାହାର ନିଜ ଦୃଷ୍ଟିରେ ଯଥାର୍ଥ; ମାତ୍ର ଯେ ଜ୍ଞାନବାନ, ସେ ପରାମର୍ଶ ଶୁଣେ। 16ଅଜ୍ଞାନର ବିରକ୍ତି ହଠାତ୍‍ ପ୍ରକାଶ ପାଏ; ମାତ୍ର ଚତୁର ଲୋକ ଲଜ୍ଜା ଢାଙ୍କେ। 17ସତ୍ୟ ସାକ୍ଷୀ ନ୍ୟାୟ ପ୍ରକାଶ କରେ; ମାତ୍ର ମିଥ୍ୟାସାକ୍ଷୀ ପ୍ରବଞ୍ଚନା ପ୍ରକାଶ କରେ। 18କାହାର କାହାର ବାଚାଳତା ଖଡ୍ଗାଘାତ ପରି; ମାତ୍ର ଜ୍ଞାନୀର ଜିହ୍ୱା ସ୍ୱାସ୍ଥ୍ୟଜନକ। 19ସତ୍ୟବାଦୀ ଓଷ୍ଠ ନିତ୍ୟସ୍ଥାୟୀ ହେବ; ମାତ୍ର ମିଥ୍ୟାବାଦୀ ଜିହ୍ୱା ପଲକ ମାତ୍ର। 20ଅନିଷ୍ଟ ଚିନ୍ତାକାରୀର ହୃଦୟରେ ପ୍ରବଞ୍ଚନା ଥାଏ; ମାତ୍ର ଶାନ୍ତି-ପରାମର୍ଶଦାତାମାନଙ୍କର ଆନନ୍ଦ ହୁଏ। 21ଧାର୍ମିକ ପ୍ରତି କୌଣସି ବିପଦ ଘଟିବ ନାହିଁ; ମାତ୍ର ଦୁଷ୍ଟ ଲୋକ ଅନିଷ୍ଟରେ ପରିପୂର୍ଣ୍ଣ ହେବ। 22ମିଥ୍ୟାବାଦୀ ଓଷ୍ଠ ସଦାପ୍ରଭୁଙ୍କ ଘୃଣା ବିଷୟ; ମାତ୍ର ଯେଉଁମାନେ ସତ୍ୟ ବ୍ୟବହାର କରନ୍ତି, ସେମାନେ ତାହାଙ୍କର ତୁଷ୍ଟିକର।

ସନ୍ଧ୍ୟା ପ୍ରାର୍ଥନା: ପାଠ (ଶୁଭସମ୍ବାଦ ପର୍ବ ପାଇଁ)

ଆଦି 28:10–17

10ଏଥିଉତ୍ତାରେ ଯାକୁବ ବେର୍‍ଶେବାରୁ ବାହାରି ହାରଣ ଆଡ଼କୁ ଯାତ୍ରା କଲା। 11ପୁଣି, ସୂର୍ଯ୍ୟାସ୍ତ ହେବାରୁ ସେ କୌଣସି ଏକ ସ୍ଥାନରେ ରାତ୍ରି କ୍ଷେପଣ କଲା; ପୁଣି, ସେ ସେହି ସ୍ଥାନର ଖଣ୍ଡିଏ ପ୍ରସ୍ତର ନେଇ ମସ୍ତକ ତଳେ ଦେଇ ନିଦ୍ରା ଯିବା ନିମନ୍ତେ ସେହି ସ୍ଥାନରେ ଶୟନ କଲା। 12ତହିଁରେ ସେ ସ୍ୱପ୍ନରେ ପୃଥିବୀରେ ସ୍ଥାପିତ ଗୋଟିଏ ସୋପାନ ଦେଖିଲା, ତହିଁର ମସ୍ତକ ଗଗନସ୍ପର୍ଶୀ; ପୁଣି, ଦେଖ, ତାହା ଦେଇ ପରମେଶ୍ୱରଙ୍କ ଦୂତଗଣ ଆରୋହଣ ଓ ଅବରୋହଣ କରୁଅଛନ୍ତି। 13ଆଉ ଦେଖ, ସଦାପ୍ରଭୁ ତହିଁ ଉପରେ ଠିଆ ହୋଇ କହିଲେ, “ଆମ୍ଭେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଅବ୍ରହାମର ପରମେଶ୍ୱର ଓ ଇସ୍‌ହାକର ପରମେଶ୍ୱର ଅଟୁ; ତୁମ୍ଭେ ଏହି ଯେଉଁ ଦେଶରେ ଶୟନ କରୁଅଛ, ତାହା ଆମ୍ଭେ ତୁମ୍ଭକୁ ଓ ତୁମ୍ଭ ବଂଶକୁ ଦେବା। 14ତୁମ୍ଭର ବଂଶ ପୃଥିବୀର ଧୂଳି ପରି (ଅସଂଖ୍ୟ) ହେବେ, ପୁଣି, ତୁମ୍ଭେ ପୂର୍ବ ଓ ପଶ୍ଚିମ ଓ ଉତ୍ତର ଓ ଦକ୍ଷିଣ, ଚାରିଆଡ଼େ ବୃଦ୍ଧି ପାଇବ; ପୁଣି, ତୁମ୍ଭଠାରୁ ଓ ତୁମ୍ଭ ବଂଶଠାରୁ ପୃଥିବୀସ୍ଥ ଯାବତୀୟ ବଂଶ ଆଶୀର୍ବାଦ ପାଇବେ। 15ପୁଣି, ଦେଖ, ଆମ୍ଭେ ତୁମ୍ଭର ସହାୟ ଅଟୁ, ଆଉ ତୁମ୍ଭେ ଯେଉଁ ଯେଉଁ ସ୍ଥାନକୁ ଯିବ, ସେହି ସେହି ସ୍ଥାନରେ ଆମ୍ଭେ ତୁମ୍ଭକୁ ରକ୍ଷା କରିବା ଓ ପୁନର୍ବାର ତୁମ୍ଭକୁ ଏ ଦେଶକୁ ଆଣିବା; କାରଣ ଆମ୍ଭେ ଯାହା ତୁମ୍ଭକୁ କହିଅଛୁ, ତାହା ସଫଳ ନ କରିବା ପର୍ଯ୍ୟନ୍ତ ଆମ୍ଭେ ତୁମ୍ଭକୁ ପରିତ୍ୟାଗ କରିବା ନାହିଁ।” 16ଏଥିଉତ୍ତାରେ ନିଦ୍ରା ଭଙ୍ଗ ହୁଅନ୍ତେ, ଯାକୁବ ଜାଗ୍ରତ ହୋଇ କହିଲା, “ଅବଶ୍ୟ ଏହି ସ୍ଥାନରେ ସଦାପ୍ରଭୁ ଅଛନ୍ତି; ମାତ୍ର ମୁଁ ତାହା ଜାଣିଲି ନାହିଁ।” 17ପୁଣି, ସେ ଭୀତ ହୋଇ ଆହୁରି କହିଲା, “ଏ କିପରି ଭୟାନକ ସ୍ଥାନ! ଏ ତ ନିତାନ୍ତ ପରମେଶ୍ୱରଙ୍କର ଗୃହ, ଏହି ତ ସ୍ୱର୍ଗର ଦ୍ୱାର।”

ସନ୍ଧ୍ୟା ପ୍ରାର୍ଥନା: ପାଠ (ଶୁଭସମ୍ବାଦ ପର୍ବ ପାଇଁ)

ଯିହି 43:27–44:4

27ପୁଣି, ସେମାନେ ସେସକଳ ଦିନ ସମାପ୍ତ କଲା ଉତ୍ତାରେ ଅଷ୍ଟମ ଦିନଠାରୁ ଯାଜକମାନେ ଯଜ୍ଞବେଦି ଉପରେ ତୁମ୍ଭମାନଙ୍କର ହୋମାର୍ଥକ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ, ତହିଁରେ ଆମ୍ଭେ ତୁମ୍ଭମାନଙ୍କୁ ଗ୍ରହଣ କରିବା, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।” 44:1ଏଉତ୍ତାରେ ସେ ମୋତେ ପବିତ୍ର ସ୍ଥାନର ପୂର୍ବାଭିମୁଖ ବାହାର ଦ୍ୱାର ବାଟରେ ଫେରାଇ ଆଣିଲେ, ପୁଣି, ଦ୍ୱାର ବନ୍ଦ ଥିଲା। 2ପୁଣି, ସଦାପ୍ରଭୁ ମୋତେ କହିଲେ, “ଏହି ଦ୍ୱାର ବନ୍ଦ ରହିବ, ତାହା ମୁକ୍ତ ହେବ ନାହିଁ, କିଅବା କୌଣସି ମନୁଷ୍ୟ ତାହା ଦେଇ ପ୍ରବେଶ କରିବ ନାହିଁ, କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ତାହା ଦେଇ ପ୍ରବେଶ କରିଅଛନ୍ତି; ଏଥିପାଇଁ ତାହା ବନ୍ଦ ରହିବ। 3କେବଳ ଅଧିପତି, ଅଧିପତି ବୋଲି ସଦାପ୍ରଭୁଙ୍କ ସମ୍ମୁଖରେ ଆହାର କରିବା ପାଇଁ ତହିଁ ମଧ୍ୟରେ ବସିବେ; ସେ ଦ୍ୱାରର ବାରଣ୍ଡା ପଥ ଦେଇ ପ୍ରବେଶ କରିବେ ଓ ସେହି ପଥ ଦେଇ ବାହାରି ଯିବେ।” 4ତେବେ ସେ ଉତ୍ତର ଦ୍ୱାର ପଥରେ ମୋତେ ଗୃହ ସମ୍ମୁଖକୁ ଆଣିଲେ; ତହିଁରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସଦାପ୍ରଭୁଙ୍କ ଗୃହ ସଦାପ୍ରଭୁଙ୍କ ପ୍ରତାପରେ ପରିପୂର୍ଣ୍ଣ ଥିଲା; ତହିଁରେ ମୁଁ ମୁହଁ ମାଡ଼ି ପଡ଼ିଲି।

ସନ୍ଧ୍ୟା ପ୍ରାର୍ଥନା: ପାଠ (ଶୁଭସମ୍ବାଦ ପର୍ବ ପାଇଁ)

ହିତୋ 9:1–11

1ଜ୍ଞାନ ଆପଣା ଗୃହ ନିର୍ମାଣ କରିଅଛି, ସେ ତାହାର ସପ୍ତସ୍ତମ୍ଭ ଖୋଳିଅଛି; 2ସେ ଆପଣା ପଶୁସବୁ ବଧ କରିଅଛି; ସେ ଆପଣା ଦ୍ରାକ୍ଷାରସ ମିଶ୍ରିତ କରିଅଛି; ସେ ଆପଣା ମେଜ ମଧ୍ୟ ସଜାଇଅଛି। 3ସେ ଆପଣା ଦାସୀମାନଙ୍କୁ ପଠାଇଅଛି, ସେ ନଗରର ସର୍ବୋଚ୍ଚ ସ୍ଥାନରୁ ଡାକି କହେ, 4“ଯେଉଁ ଜଣ ଅବୋଧ, ସେ ଏଠାକୁ ଆସୁ;” ପୁଣି, ଯେଉଁ ଜନ ନିର୍ବୋଧ, ତାହାକୁ ସେ କହେ, 5“ଆସ, ମୋହର ଭକ୍ଷ୍ୟ ଭୋଜନ କର ଓ ମୋହର ମିଶ୍ରିତ ଦ୍ରାକ୍ଷାରସ ପାନ କର। 6ହେ ଅବୋଧ ଲୋକମାନେ, ଅବୋଧମାନଙ୍କର ସଙ୍ଗ ପରିତ୍ୟାଗ କରି ଜୀବନ ରକ୍ଷା କର; ପୁଣି, ସୁବିବେଚନାର ପଥରେ ଚାଲ।” 7ଯେ ନିନ୍ଦକକୁ ଶିକ୍ଷା ଦିଏ, ସେ ଆପେ ଲଜ୍ଜା ପାଏ; ପୁଣି, ଯେ ଦୁଷ୍ଟକୁ ଅନୁଯୋଗ କରେ, ସେ ନିଜେ କଳଙ୍କ ପାଏ। 8ନିନ୍ଦକକୁ ଅନୁଯୋଗ କର ନାହିଁ, କଲେ, ସେ ତୁମ୍ଭକୁ ଘୃଣା କରିବ, ଜ୍ଞାନୀକୁ ଅନୁଯୋଗ କର, ତହିଁରେ ସେ ତୁମ୍ଭକୁ ପ୍ରେମ କରିବ। 9ଜ୍ଞାନୀକୁ ଉପଦେଶ ଦେଲେ, ସେ ଆହୁରି ଜ୍ଞାନବାନ ହେବ, ପୁଣି, ଧାର୍ମିକକୁ ଶିକ୍ଷା ଦେଲେ, ତାହାର ପାଣ୍ଡିତ୍ୟ ବୃଦ୍ଧି ପାଇବ। 10ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ, ପୁଣି, ଧର୍ମସ୍ୱରୂପଙ୍କ ବିଷୟକ ଜ୍ଞାନ ହିଁ ସୁବିବେଚନା ଅଟେ। 11ଯେହେତୁ ମୋʼ ଦ୍ୱାରା ତୁମ୍ଭର ଦିନ ବୃଦ୍ଧି ପାଇବ, ପୁଣି, ତୁମ୍ଭ ଆୟୁର ବର୍ଷ ବଢ଼ିବ।

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ମାର୍ଚ୍ଚ 24 ନାଗରିକ ପଞ୍ଜିକାର ଅପ୍ରେଲ 6। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର