ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅପ୍ରେଲ 2027 › ଅପ୍ରେଲ 4
ଅର୍ଥୋଡକ୍ସ ପଞ୍ଜିକା · 22 ମାର୍ଚ୍ଚ (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 4 ଅପ୍ରେଲ 2027
ରବିବାର · ସ୍ୱର 3
ପର୍ବ ଓ ସନ୍ଥ
ମହା ଉପବାସର ତୃତୀୟ ରବିବାର
ବହୁମୂଲ୍ୟ କ୍ରୁଶର ବନ୍ଦନା
ମହା ଉପବାସ
ଉପବାସ: ତେଲ ସହିତ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ପ୍ରଭାତୀ ପ୍ରାର୍ଥନାର 11ତମ ସୁସମାଚାର
15ସେମାନେ ଭୋଜନ କଲା ଉତ୍ତାରେ ଯୀଶୁ ଶିମୋନ ପିତରଙ୍କୁ ପଚାରିଲେ, “ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କଅଣ ମୋତେ ଏମାନଙ୍କଠାରୁ ଅଧିକ ପ୍ରେମ କରୁଅଛ?” ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି। ସେ ତାହାଙ୍କୁ କହିଲେ, “ମୋହର ମେଷଶାବକମାନଙ୍କୁ ଚରାଅ।” 16ସେ ପୁନର୍ବାର ଦ୍ୱିତୀୟ ଥର ତାହାଙ୍କୁ ପଚାରିଲେ, “ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କଅଣ ମୋତେ ପ୍ରେମ କରୁଅଛ?” ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି। ସେ ତାହାଙ୍କୁ କହିଲେ, “ମୋହର ମେଷମାନଙ୍କୁ ପ୍ରତିପାଳନ କର।” 17ସେ ତୃତୀୟ ଥର ତାହାଙ୍କୁ ପଚାରିଲେ, “ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କଅଣ ମୋତେ ସ୍ନେହ କରୁଅଛ? ତୁମ୍ଭେ କଅଣ ମୋତେ ସ୍ନେହ କରୁଅଛ,” ଏହା କହି ସେ ତୃତୀୟ ଥର ପିତରଙ୍କୁ ପଚାରିବାରୁ ସେ ଦୁଃଖିତ ହୋଇ ତାହାଙ୍କୁ କହିଲେ, ପ୍ରଭୁ, ଆପଣ ସମସ୍ତ ବିଷୟ ଜାଣନ୍ତି; ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି। ଯୀଶୁ ତାହାଙ୍କୁ କହିଲେ, “ମୋହର ମେଷମାନଙ୍କୁ ଚରାଅ। 18ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ଯୁବକ ଥିବା ସମୟରେ ତୁମ୍ଭେ ଆପଣା କଟି ବନ୍ଧନ କରି ଯେଉଁ ଆଡ଼େ ଇଚ୍ଛା, ସେହି ଆଡ଼େ ଭ୍ରମଣ କରୁଥିଲ, କିନ୍ତୁ ବୃଦ୍ଧ ହେଲେ ତୁମ୍ଭେ ଆପଣା ହସ୍ତ ବିସ୍ତାର କରିବ ଓ ଅନ୍ୟ ଜଣେ ତୁମ୍ଭର କଟି ବନ୍ଧନ କରି, ଯେଉଁ ଆଡ଼େ ତୁମ୍ଭର ଇଚ୍ଛା ନ ଥିବ, ସେଆଡ଼େ ତୁମ୍ଭକୁ ଘେନିଯିବ।” 19ସେ କେଉଁ ପ୍ରକାର ମୃତ୍ୟୁଭୋଗ ଦ୍ୱାରା ଈଶ୍ବରଙ୍କୁ ଗୌରବାନ୍ୱିତ କରିବେ, ସେଥିର ସୂଚନା ଦେଇ ସେ ଏହା କହିଲେ। ଏହା କହିଲା ଉତ୍ତାରେ ସେ ତାହାଙ୍କୁ କହିଲେ, “ମୋହର ଅନୁଗାମୀ ହୁଅ।” 20ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ ଓ ଯେ ମଧ୍ୟ ରାତ୍ରିଭୋଜ ସମୟରେ ତାହାଙ୍କ ବକ୍ଷସ୍ଥଳରେ ଆଉଜିପଡ଼ି, ପ୍ରଭୁ, ଆପଣଙ୍କୁ କିଏ ଶତ୍ରୁ ହସ୍ତରେ ସମର୍ପଣ କରିବ ବୋଲି ପଚାରିଥିଲେ, ସେହି ଶିଷ୍ୟଙ୍କୁ ପିତର ବୁଲିପଡ଼ି ପଛରେ ଆସୁଥିବା ଦେଖିଲେ। 21ପିତର ତାହାଙ୍କୁ ଦେଖି ଯୀଶୁଙ୍କୁ ପଚାରିଲେ, ପ୍ରଭୁ, ଏହାର ବିଷୟରେ କଅଣ? 22ଯୀଶୁ ତାହାଙ୍କୁ କହିଲେ, “ମୋହର ଆଗମନ ପର୍ଯ୍ୟନ୍ତ ସେ ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତାହାହେଲେ ସେଥିରେ ତୁମ୍ଭର କଅଣ ଅଛି? ତୁମ୍ଭେ ମୋହର ଅନୁଗାମୀ ହୁଅ।” 23ସେଥିରେ ସେହି ଶିଷ୍ୟ ଯେ ମରିବ ନାହିଁ, ଭାଇମାନଙ୍କ ମଧ୍ୟରେ ଏହି କଥା ବ୍ୟାପିଗଲା, ମାତ୍ର ସେ ମରିବ ନାହିଁ ବୋଲି ଯୀଶୁ ତାହାଙ୍କୁ କହି ନ ଥିଲେ, “କିନ୍ତୁ ମୋହର ଆଗମନ ପର୍ଯ୍ୟନ୍ତ ସେ ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତାହାହେଲେ ସେଥିରେ ତୁମ୍ଭର କଅଣ ଅଛି” ବୋଲି କହିଥିଲେ। 24ଯେ ଏହି ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି ଓ ଏହି ସମସ୍ତ ଲେଖିଅଛନ୍ତି, ସେ ସେହି ଶିଷ୍ୟ; ଆଉ, ତାହାଙ୍କ ସାକ୍ଷ୍ୟ ଯେ ସତ୍ୟ, ତାହା ଆମ୍ଭେମାନେ ଜାଣୁ। 25ପୁଣି, ଯୀଶୁ ଆହୁରି ଅନେକ ଅନେକ କର୍ମ ମଧ୍ୟ କରିଥିଲେ; ସେହିସବୁ ଯଦି ଗୋଟି ଗୋଟି କରି ଲେଖା ଯାଆନ୍ତା, ତାହାହେଲେ ଏତେ ପୁସ୍ତକ ଲେଖା ହୁଅନ୍ତା ଯେ, ମୋହର ବିଚାରରେ ସମୁଦାୟ ଜଗତରେ ସୁଦ୍ଧା ସେହିସବୁ ରଖିବା ନିମନ୍ତେ ସ୍ଥାନ ହୁଅନ୍ତା ନାହିଁ।
ପତ୍ର
14ଅତଏବ ସ୍ୱର୍ଗସମୂହ ମଧ୍ୟ ଦେଇ ଗମନ କରିଅଛନ୍ତି ଯେ ଈଶ୍ବରଙ୍କ ପୁତ୍ର ଯୀଶୁ, ସେ ଆମ୍ଭମାନଙ୍କର ପ୍ରଧାନ ମହାଯାଜକ ହେବାରୁ ଆସ, ଆମ୍ଭେମାନେ ଆମ୍ଭମାନଙ୍କ ବିଶ୍ୱାସମତକୁ ଦୃଢ଼ ଭାବରେ ଧାରଣ କରୁ। 15କାରଣ ଯେ ଆମ୍ଭମାନଙ୍କ ଦୁର୍ବଳତାରେ ଆମ୍ଭମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ଅସମର୍ଥ, ଆମ୍ଭମାନଙ୍କର ଏପରି ମହାଯାଜକ ନାହାନ୍ତି, ବରଂ ସେ ପାପରହିତ ହୋଇ ଆମ୍ଭମାନଙ୍କ ପରି ସର୍ବତୋଭାବେ ପରୀକ୍ଷିତ ହେଲେ। 16ଅତଏବ ଆସ, କୃପାପ୍ରାପ୍ତି ନିମନ୍ତେ ପୁଣି, ଉପଯୁକ୍ତ ସମୟରେ ଉପକାରକଙ୍କ ଦୟା ପାଇବା ନିମନ୍ତେ ଆମ୍ଭେମାନେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଯାଉ। 5:1କାରଣ ପ୍ରତ୍ୟେକ ମହାଯାଜକ ଯେପରି ପାପ ନିମନ୍ତେ ନୈବେଦ୍ୟ ଓ ବଳି ଉତ୍ସର୍ଗ କରିପାରନ୍ତି, ସେଥିପାଇଁ ସେ ମନୁଷ୍ୟମାନଙ୍କ ମଧ୍ୟରୁ ନୀତ ହୋଇ ଈଶ୍ବରଙ୍କ ସେବା ସମ୍ବନ୍ଧରେ ମନୁଷ୍ୟମାନଙ୍କ ପକ୍ଷରେ ନିଯୁକ୍ତ ହୁଅନ୍ତି। 2ସେ ଅଜ୍ଞାନ ଓ ଭ୍ରାନ୍ତ ଲୋକମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ସମର୍ଥ, କାରଣ ସେ ନିଜେ ମଧ୍ୟ ଦୁର୍ବଳତା ବିଶିଷ୍ଟ; 3ଏଥିସକାଶୁ ଲୋକମାନଙ୍କ ନିମନ୍ତେ ଯେପରି, ଆପଣା ନିମନ୍ତେ ମଧ୍ୟ ସେହିପରି ପାପାର୍ଥକ ବଳି ଉତ୍ସର୍ଗ କରିବା ତାହାଙ୍କ ଆବଶ୍ୟକ। 4ଆଉ କେହି ଏହି ସମ୍ଭ୍ରାନ୍ତ ପଦ ନିଜେ ଗ୍ରହଣ କରନ୍ତି ନାହିଁ, କିନ୍ତୁ ହାରୋଣ ଯେପରି ଆହୂତ, ସେପରି ଈଶ୍ବରଙ୍କ ଦ୍ୱାରା ଆହୂତ ହେବା ଆବଶ୍ୟକ। 5ସେହିପରି ଖ୍ରୀଷ୍ଟ ମଧ୍ୟ ମହାଯାଜକ ପଦର ଗୌରବ ନିଜେ ଅନ୍ୱେଷଣ କରି ନ ଥିଲେ, କିନ୍ତୁ ଈଶ୍ବର ତାହାଙ୍କୁ ସେହି ଗୌରବର ପଦ ଦେଇଥିଲେ, କାରଣ ସେ ତାହାଙ୍କୁ କହିଥିଲେ, “ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଇଅଛୁ।” 6ପୁଣି, ସେ ଅନ୍ୟ ସ୍ଥାନରେ ମଧ୍ୟ କହନ୍ତି, “ତୁମ୍ଭେ ମଲ୍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ଯାଜକ ଅଟ।”
ସୁସମାଚାର
34ତତ୍ପରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଲୋକସମୂହକୁ ନିକଟକୁ ଡାକି କହିଲେ, “କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ। 35କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋହର ଓ ସୁସମାଚାର ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ। 36ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ନିଜ ଜୀବନ ହରାଏ, ତେବେ ତାହାର କି ଲାଭ? 37ପୁଣି, ମନୁଷ୍ୟ ଆପଣା ଜୀବନ ବଦଳରେ କଅଣ ଦେଇ ପାରେ? 38ଯେଣୁ ଯେ କେହି ଏହି କାଳର ବ୍ୟଭିଚାରୀ ଓ ପାପିଷ୍ଠ ଲୋକମାନଙ୍କ ମଧ୍ୟରେ ମୋହର ଓ ମୋହର ବାକ୍ୟ ବିଷୟରେ ଲଜ୍ଜାବୋଧ କରେ, ମନୁଷ୍ୟପୁତ୍ର ଯେତେବେଳେ ପବିତ୍ର ଦୂତମାନଙ୍କ ସହିତ ଆପଣା ପିତାଙ୍କ ମହିମାରେ ଆଗମନ କରିବେ, ସେତେବେଳେ ସେ ମଧ୍ୟ ତାହା ବିଷୟରେ ଲଜ୍ଜାବୋଧ କରିବେ।” 9:1ପୁନଶ୍ଚ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଈଶ୍ବରଙ୍କ ରାଜ୍ୟକୁ ପରାକ୍ରମରେ ଉପସ୍ଥିତ ନ ଦେଖିବା ପର୍ଯ୍ୟନ୍ତ ଏଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଆସ୍ୱାଦ ପାଇବେ ନାହିଁ।
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ମାର୍ଚ୍ଚ 22 ନାଗରିକ ପଞ୍ଜିକାର ଅପ୍ରେଲ 4। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର