Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ମାର୍ଚ୍ଚ 2027 › ମାର୍ଚ୍ଚ 29

ଅର୍ଥୋଡକ୍ସ ପଞ୍ଜିକା · 16 ମାର୍ଚ୍ଚ (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 29 ମାର୍ଚ୍ଚ 2027

ସୋମବାର · ମହା ଉପବାସର ତୃତୀୟ ସପ୍ତାହ · ସ୍ୱର 2

ପର୍ବ ଓ ସନ୍ଥ

Martyr Sabinus of Egypt († 287)

ମହା ଉପବାସ

କଠୋର ଉପବାସ (ଶୁଖିଲା ଆହାର: ରୁଟି, ପନିପରିବା, ଫଳ)

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ଷଷ୍ଠ ଘଣ୍ଟା

ଯିଶା 8:13–9:7

13ସୈନ୍ୟାଧିପତି ସଦାପ୍ରଭୁଙ୍କୁ ହିଁ ତୁମ୍ଭେମାନେ ପବିତ୍ର ରୂପେ ମାନ୍ୟ କରିବ, ପୁଣି, ସେ ତୁମ୍ଭମାନଙ୍କର ଭୟସ୍ଥାନ ହେଉନ୍ତୁ ଓ ସେ ତୁମ୍ଭମାନଙ୍କର ତ୍ରାସଭୂମି ହେଉନ୍ତୁ। 14ତହିଁରେ ସେ ପବିତ୍ର ଆଶ୍ରୟ ସ୍ୱରୂପ ହେବେ, ମାତ୍ର ଇସ୍ରାଏଲର ଉଭୟ ବଂଶ ପ୍ରତି ବିଘ୍ନଜନକ ପ୍ରସ୍ତର ଓ ବାଧାଜନକ ପାଷାଣ ହେବେ, ଯିରୂଶାଲମ ନିବାସୀମାନଙ୍କ ପ୍ରତି ଫାଶ ଓ ଫାନ୍ଦ ସ୍ୱରୂପ ହେବେ। 15ଆଉ, ଅନେକ ଲୋକ ତଦ୍ଦ୍ୱାରା ବିଘ୍ନ ପାଇ ପତିତ ଓ ଭଗ୍ନ ହେବେ ଓ ଫାନ୍ଦରେ ପଡ଼ି ଧରାଯିବେ।” 16ତୁମ୍ଭେ ଏହି ପ୍ରମାଣ-ବାକ୍ୟ ବାନ୍ଧ, ମୋʼ ଶିଷ୍ୟମାନଙ୍କ ମଧ୍ୟରେ ବ୍ୟବସ୍ଥା ମୁଦ୍ରାଙ୍କିତ କର। 17ପୁଣି, ଯେ ଯାକୁବ-ବଂଶଠାରୁ ଆପଣା ମୁଖ ଆଚ୍ଛାଦନ କରନ୍ତି, ମୁଁ ସେହି ସଦାପ୍ରଭୁଙ୍କର ଅପେକ୍ଷା କରିବି ଓ ତାହାଙ୍କ ପାଇଁ ଅନାଇ ରହିବି। 18ଦେଖ, ମୁଁ ଓ ସଦାପ୍ରଭୁଙ୍କ ଦ୍ୱାରା ମୋତେ ଦତ୍ତ ସନ୍ତାନଗଣ ସିୟୋନ ପର୍ବତ ନିବାସୀ ସୈନ୍ୟାଧିପତି ସଦାପ୍ରଭୁଙ୍କଠାରୁ ଇସ୍ରାଏଲ ମଧ୍ୟରେ ଚିହ୍ନ ଓ ଅଦ୍ଭୁତ ଲକ୍ଷଣ ସ୍ୱରୂପ ଅଟୁ। 19ପୁଣି, ଯେତେବେଳେ ସେମାନେ ତୁମ୍ଭମାନଙ୍କୁ କହିବେ, “ଯେଉଁ ଭୂତୁଡ଼ିଆ ଓ ଗୁଣିଆମାନେ ଗଣ ଗଣ ଓ ଫୁସ୍‍ ଫୁସ୍‍ କରି କହନ୍ତି,” ସେମାନଙ୍କର ଅନ୍ଵେଷଣ କର; (ତୁମ୍ଭେମାନେ କୁହ) “ଲୋକମାନେ କʼଣ ଆପଣାମାନଙ୍କ ପରମେଶ୍ୱରଙ୍କ ଅନ୍ଵେଷଣ କରିବେ ନାହିଁ? ସେମାନେ କʼଣ ଜୀବିତମାନଙ୍କ ସପକ୍ଷରେ ମୃତମାନଙ୍କର ଅନ୍ଵେଷଣ କରିବେ?” 20ବ୍ୟବସ୍ଥା ଓ ପ୍ରମାଣ-ବାକ୍ୟରେ ଅନ୍ଵେଷଣ କର। ଯଦି ସେମାନେ ଏହି ବାକ୍ୟାନୁସାରେ କଥା ନ କହନ୍ତି, ତେବେ ନିଶ୍ଚୟ ସେମାନଙ୍କ ନିମନ୍ତେ ଅରୁଣୋଦୟ ନାହିଁ। 21ପୁଣି, ସେମାନେ ଅତି କଠିନ ଓ କ୍ଷୁଧିତ ହୋଇ ଦେଶ ମଧ୍ୟଦେଇ ଗମନ କରିବେ, ଆଉ କ୍ଷୁଧିତ ହେଲେ, ସେମାନେ ବିରକ୍ତ ହୋଇ ଆପଣାମାନଙ୍କ ରାଜାଙ୍କ ଦ୍ୱାରା ଓ ଆପଣାମାନଙ୍କ ପରମେଶ୍ୱରଙ୍କ ଦ୍ୱାରା ଅଭିଶାପ ଦେଇ ଊର୍ଦ୍ଧ୍ୱ ଆଡ଼କୁ ଆପଣା ଆପଣା ମୁଖ କରିବେ; 22ପୁଣି, ସେମାନେ ଭୂମି ଆଡ଼େ ନିରୀକ୍ଷଣ କରିବେ, ଆଉ ଦେଖ, ସଙ୍କଟ ଓ ଅନ୍ଧକାର, ଯାତନାରୂପ ତିମିର; ପୁଣି, ସେମାନେ ନିବିଡ଼ ଅନ୍ଧକାରକୁ ତାଡ଼ିତ ହେବେ। 9:1ମାତ୍ର ପୂର୍ବେ (ଯେଉଁ ଦେଶ) ବେଦନାଗ୍ରସ୍ତ ଥିଲା, ତାହା ଅନ୍ଧକାର ହୋଇ ରହିବ ନାହିଁ। ପୂର୍ବକାଳରେ ସେ ସବୂଲୂନ ଦେଶ ଓ ନପ୍ତାଲି ଦେଶକୁ ତୁଚ୍ଛନୀୟ କରିଥିଲେ, ମାତ୍ର ଶେଷ କାଳରେ ସେ ତାହାକୁ ସମୁଦ୍ର ପଥର ନିକଟବର୍ତ୍ତୀ, ଯର୍ଦ୍ଦନର ସେପାରିସ୍ଥ, ଗୋଷ୍ଠୀଗଣର ଗାଲିଲୀକୁ ସମ୍ଭ୍ରାନ୍ତ କରିବେ। 2ଯେଉଁ ଗୋଷ୍ଠୀ ଅନ୍ଧକାରରେ ଭ୍ରମଣ କଲେ, ସେମାନେ ମହା ଆଲୁଅ ଦେଖିଅଛନ୍ତି; ଯେଉଁମାନେ ମୃତ୍ୟୁଚ୍ଛାୟାରୂପ ଦେଶରେ ବାସ କଲେ, ସେମାନଙ୍କ ଉପରେ ଦୀପ୍ତି ଉଦିତ ହୋଇଅଛି। 3ତୁମ୍ଭେ ସେହି ଦେଶୀୟ ଲୋକଙ୍କୁ ବହୁସଂଖ୍ୟକ କରି ସେମାନଙ୍କର ଆନନ୍ଦ ବୃଦ୍ଧି କରିଅଛ; ସେମାନେ ଶସ୍ୟ ଛେଦନର ଆନନ୍ଦ ପ୍ରାୟ ଆନନ୍ଦ କରନ୍ତି, ଲୁଟିତ ବିଭାଗ କରିବା ସମୟର ତୁଲ୍ୟ ଉଲ୍ଲାସିତ ହୁଅନ୍ତି, 4କାରଣ ମିଦୀୟନର ଦିନରେ ଯେପରି, ସେହିପରି ତୁମ୍ଭେ ତାହାର ଭାର ସ୍ୱରୂପ ଯୁଆଳି ଓ ତାହାର ସ୍କନ୍ଧସ୍ଥିତ ବାହୁଙ୍ଗି, ତାହାର ଉପଦ୍ରବକାରୀର ଦଣ୍ଡ ଭାଙ୍ଗି ପକାଇଅଛ। 5ଏହେତୁ କଳହରେ ସଜ୍ଜିତ ଲୋକର ସମସ୍ତ ଅସ୍ତ୍ରଶସ୍ତ୍ର ଓ ରକ୍ତରେ ଜଡ଼ିତ ବସ୍ତ୍ରସବୁ ଜ୍ୱଳନୀୟ ଦ୍ରବ୍ୟ, ଅଗ୍ନି ପାଇଁ କାଷ୍ଠ ସ୍ୱରୂପ ହେବ। 6କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମିଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱଭାର ଥୁଆଯିବ; ପୁଣି, ତାହାଙ୍କର ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତିରାଜା ହେବ। 7ତାହାଙ୍କ କର୍ତ୍ତୃତ୍ୱବୃଦ୍ଧି ଓ ଶାନ୍ତିର ସୀମା ରହିବ ନାହିଁ, ସେ ଦାଉଦଙ୍କର ସିଂହାସନରେ ଓ ତାହାଙ୍କର ରାଜ୍ୟରେ ଉପବିଷ୍ଟ ହୋଇ ନ୍ୟାୟବିଚାର ଓ ଧାର୍ମିକତାରେ ଏହି କ୍ଷଣଠାରୁ ଅନନ୍ତକାଳ ପର୍ଯ୍ୟନ୍ତ ତାହା ସୁସ୍ଥିର ଓ ସୁଦୃଢ଼ କରିବେ। ସୈନ୍ୟାଧିପତି ସଦାପ୍ରଭୁଙ୍କ ଉଦ୍‍ଯୋଗ ଏହା ସାଧନ କରିବ।

ସନ୍ଧ୍ୟା ପ୍ରାର୍ଥନା: ପାଠ

ଆଦି 6:9–22

9ନୋହଙ୍କର ବଂଶାବଳୀ ଏହି। ନୋହ ଆପଣା ସେହି ସମୟର ଲୋକମାନଙ୍କ ମଧ୍ୟରେ ଧାର୍ମିକ ଓ ସାଧୁ ଲୋକ ଥିଲେ; ନୋହ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ। 10ନୋହ, ଶେମ ଓ ହାମ ଓ ଯେଫତ୍‍, ଏହି ତିନି ପୁତ୍ରଙ୍କୁ ଜାତ କଲେ। 11ସେହି ସମୟରେ ପୃଥିବୀ ପରମେଶ୍ୱରଙ୍କ ସାକ୍ଷାତରେ ଭ୍ରଷ୍ଟ ଥିଲା ଓ ପୃଥିବୀ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ଥିଲା। 12ପୁଣି, ପରମେଶ୍ୱର ପୃଥିବୀରେ ଦୃଷ୍ଟିପାତ କରି ଦେଖିଲେ ଯେ, ତାହା ଭ୍ରଷ୍ଟ ହୋଇଅଛି; ଯେହେତୁ ପୃଥିବୀସ୍ଥ ସମସ୍ତ ପ୍ରାଣୀ ଭ୍ରଷ୍ଟାଚାରୀ ହୋଇଅଛନ୍ତି। 13ତହୁଁ ପରମେଶ୍ୱର ନୋହଙ୍କୁ କହିଲେ, “ଆମ୍ଭ ଗୋଚରରେ ସମୁଦାୟ ପ୍ରାଣୀର ଅନ୍ତିମକାଳ ଉପସ୍ଥିତ ହେଲା; ଯେହେତୁ ସେମାନଙ୍କ ଦ୍ୱାରା ପୃଥିବୀ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ହୋଇଅଛି; ପୁଣି, ଦେଖ, ଆମ୍ଭେ ପୃଥିବୀ ସହିତ ସେମାନଙ୍କୁ ବିନଷ୍ଟ କରିବା। 14ତୁମ୍ଭେ ଆପଣା ନିମନ୍ତେ ଦେବଦାରୁ ଜାତୀୟ ବୃକ୍ଷର କାଷ୍ଠରେ ଗୋଟିଏ ଜାହାଜ ନିର୍ମାଣ କର; ତହିଁ ମଧ୍ୟରେ ନାନା କୋଠରି ବନାଇ ତହିଁର ଭିତର ଓ ବାହାର ଝୁଣା ଦ୍ୱାରା ଲେପନ କର। 15ତାହା ଏହି ପ୍ରକାରେ ନିର୍ମାଣ କରିବ; ଦୀର୍ଘରେ ତିନି ଶହ ହାତ, ପ୍ରସ୍ଥରେ ପଚାଶ ହାତ, ଉଚ୍ଚରେ ତିରିଶ ହାତ ହେବ। 16ଉପରରୁ ଏକ ହାତ ଛାଡ଼ି ଝରକା କରିବ, ଆଉ ତହିଁର ପାର୍ଶ୍ୱରେ ଦ୍ୱାର ରଖିବ; ଆଉ ତହିଁର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ତଳ ବନାଇବ। 17ପୁଣି, ଆକାଶ ତଳେ ପ୍ରାଣବାୟୁ ବିଶିଷ୍ଟ ଯେତେ ଜୀବଜନ୍ତୁ ଅଛନ୍ତି, ସେହି ସବୁ ବିନଷ୍ଟ କରିବା ନିମନ୍ତେ, ଆମ୍ଭେ, ଦେଖ, ଆମ୍ଭେ ପୃଥିବୀ ଉପରେ ଜଳପ୍ଳାବନ କରିବା, ତହିଁରେ ପୃଥିବୀର ସମସ୍ତ ପ୍ରାଣୀ ପ୍ରାଣତ୍ୟାଗ କରିବେ। 18ମାତ୍ର ଆମ୍ଭେ ତୁମ୍ଭ ସହିତ ଆପଣା ନିୟମ ସ୍ଥିର କରିବା; ତହିଁରେ ତୁମ୍ଭେ ଆପଣା ପୁତ୍ରମାନଙ୍କୁ ଓ ଭାର୍ଯ୍ୟା ଓ ପୁତ୍ରବଧୂମାନଙ୍କୁ ସଙ୍ଗରେ ଘେନି ଜାହାଜରେ ପ୍ରବେଶ କରିବ। 19ପୁଣି, ପ୍ରାଣରକ୍ଷାର୍ଥେ ସର୍ବପ୍ରକାର ଜୀବଜନ୍ତୁର ଏକ ଏକ ଦମ୍ପତି ଆପଣା ସଙ୍ଗରେ ଘେନି ଜାହାଜରେ ପ୍ରବେଶ କରିବ। 20ସର୍ବପ୍ରକାର ପକ୍ଷୀ ଓ ସର୍ବପ୍ରକାର ପଶୁ ଓ ସର୍ବପ୍ରକାର ଉରୋଗାମୀ ଜନ୍ତୁ ପ୍ରତ୍ୟେକ ଜାତି ଅନୁସାରେ ଏକ ଏକ ଦମ୍ପତି ଜୀବନରକ୍ଷାର୍ଥେ ତୁମ୍ଭ ନିକଟକୁ ଆସିବେ। 21ଆଉ ତୁମ୍ଭେ ଆପଣାର ଓ ସେମାନଙ୍କର ଆହାର ନିମନ୍ତେ ସର୍ବପ୍ରକାର ଖାଦ୍ୟସାମଗ୍ରୀ ଆଣି ଆପଣା ନିକଟରେ ସଞ୍ଚୟ କରିବ।” 22ତହିଁରେ ନୋହ ସେରୂପ କଲେ; ପରମେଶ୍ୱରଙ୍କ ଆଜ୍ଞାନୁସାରେ ସେ ସମସ୍ତ କର୍ମ କଲେ।

ସନ୍ଧ୍ୟା ପ୍ରାର୍ଥନା: ପାଠ

ହିତୋ 8:1–21

1ଜ୍ଞାନ କʼଣ ଡାକେ ନାହିଁ? ବୁଦ୍ଧି କʼଣ ଉଚ୍ଚସ୍ୱର କରେ ନାହିଁ? 2ସେ ପଥପାର୍ଶ୍ୱସ୍ଥ ଉଚ୍ଚସ୍ଥାନ ମୁଣ୍ଡରେ, ବାଟସବୁର ସଂଯୋଗ ସ୍ଥାନରେ ଠିଆ ହୁଏ। 3ସେ ନଗର-ଦ୍ୱାର ନିକଟରେ, ନଗରର ପ୍ରବେଶ-ଦ୍ୱାରରେ, ଦ୍ୱାରର ପ୍ରବେଶ ସ୍ଥାନରେ ଥାଇ ଉଚ୍ଚସ୍ୱରେ ଡାକି କହେ, 4“ହେ ମନୁଷ୍ୟଗଣ, ମୁଁ ତୁମ୍ଭମାନଙ୍କୁ ଡାକୁଅଛି; ପୁଣି, ମନୁଷ୍ୟ-ସନ୍ତାନଗଣ ପ୍ରତି ମୋହର ରବ ଅଛି। 5ହେ ନିର୍ବୋଧ ଲୋକେ, ସତର୍କତାର କଥା ବୁଝ; ହେ ମୂର୍ଖ ଲୋକେ, ତୁମ୍ଭେମାନେ ସୁବିବେକୀମନା ହୁଅ। 6ଶୁଣ, ଯେହେତୁ ମୁଁ ଉତ୍କୃଷ୍ଟ ବିଷୟ କହିବି; ମୁଁ ଓଷ୍ଠାଧର ଫିଟାଇ ଯଥାର୍ଥ କଥା କହିବି। 7ଯେହେତୁ ମୋହର ମୁଖ ସତ୍ୟ କହିବ, ଦୁଷ୍ଟତା ମୋʼ ଓଷ୍ଠାଧରର ଘୃଣାର ବିଷୟ। 8ମୋʼ ମୁଖର ସମସ୍ତ କଥା ଧର୍ମମୟ; ତହିଁ ମଧ୍ୟରେ ବକ୍ର କିମ୍ବା କୁଟିଳ କିଛି ନାହିଁ। 9ଯେ ତାହା ବୁଝେ, ତାହା ପ୍ରତି ସେହି ସବୁ ସ୍ପଷ୍ଟ; ପୁଣି, ବିଦ୍ୟାପ୍ରାପ୍ତ ଲୋକଙ୍କ ପ୍ରତି ତାହା ଯଥାର୍ଥ ଅଟେ। 10ରୂପା ଅପେକ୍ଷା ମୋହର ଉପଦେଶ ଏବଂ ମନୋନୀତ ସୁବର୍ଣ୍ଣ ଅପେକ୍ଷା ଜ୍ଞାନ ଗ୍ରହଣ କର। 11ଯେହେତୁ ଜ୍ଞାନ ମୁକ୍ତାଠାରୁ ଉତ୍ତମ ଓ ସମସ୍ତ ଇଷ୍ଟବସ୍ତୁ ତାହା ସଙ୍ଗେ ତୁଲ୍ୟ ହେବାକୁ ଯୋଗ୍ୟ ନୁହେଁ। 12ମୁଁ ଜ୍ଞାନ, ସତର୍କତାକୁ ଆପଣା ବାସସ୍ଥାନ କରିଅଛି, ପୁଣି, ଜ୍ଞାନ ଓ ପରିଣାମଦର୍ଶିତା ପାଇଥାଏ। 13ସଦାପ୍ରଭୁଙ୍କ ବିଷୟକ ଭୟ, ମନ୍ଦତା ପ୍ରତି ଘୃଣା; ଅହଙ୍କାର, ଦାମ୍ଭିକତା ଓ କୁପଥ ଏବଂ କୁଟିଳ ମୁଖ ମୁଁ ଘୃଣା କରେ। 14ମନ୍ତ୍ରଣା ଓ ତତ୍ତ୍ୱଜ୍ଞାନ ମୋʼ ଠାରେ ଥାଏ; ମୁଁ ହିଁ ସୁବିବେଚନା; ମୋʼ ଠାରେ ବଳ ଅଛି। 15ମୋʼ ଦ୍ୱାରା ରାଜାମାନେ ରାଜତ୍ୱ କରନ୍ତି ଓ ଭୂପତିମାନେ ଯଥାର୍ଥ ବିଚାର କରନ୍ତି। 16ମୋʼ ଦ୍ୱାରା ଅଧିପତିମାନେ, କୁଳୀନମାନେ ଓ ପୃଥିବୀର ସମସ୍ତ ବିଚାରକର୍ତ୍ତୃଗଣ ଶାସନ କରନ୍ତି। 17ଯେଉଁମାନେ ମୋତେ ପ୍ରେମ କରନ୍ତି, ମୁଁ ସେମାନଙ୍କୁ ପ୍ରେମ କରେ, ପୁଣି ଯେଉଁମାନେ ଯତ୍ନରେ ମୋହର ଅନ୍ୱେଷଣ କରନ୍ତି, ସେମାନେ ମୋତେ ପାଇବେ। 18ମୋʼ ଠାରେ ଧନ ଓ ସମ୍ଭ୍ରମ, ପୁଣି, ଅକ୍ଷୟ ସମ୍ପତ୍ତି ଓ ଧାର୍ମିକତା ଅଛି। 19ମୋହର ଫଳ ସୁବର୍ଣ୍ଣ, ହଁ, ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ଉତ୍ତମ; ପୁଣି, ମୋହର ଆୟ ଉତ୍କୃଷ୍ଟ ରୂପା ଅପେକ୍ଷା ଭଲ। 20ମୁଁ ଧାର୍ମିକତାର ମାର୍ଗରେ, ବିଚାରର ପଥ ମଧ୍ୟରେ ଗମନ କରେ, 21ଆଉ ଯେଉଁମାନେ ମୋତେ ପ୍ରେମ କରନ୍ତି, ସେମାନଙ୍କୁ ସାରା ସମ୍ପତ୍ତିର ଅଧିକାରୀ କରେ ଓ ସେମାନଙ୍କ ଭଣ୍ଡାର ପରିପୂର୍ଣ୍ଣ କରେ;

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ମାର୍ଚ୍ଚ 16 ନାଗରିକ ପଞ୍ଜିକାର ମାର୍ଚ୍ଚ 29। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର