Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ମାର୍ଚ୍ଚ 2027 › ମାର୍ଚ୍ଚ 29

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 29 ମାର୍ଚ୍ଚ 2027

ସୋମବାର · ପାସ୍କା ଅଷ୍ଟାହ

ପର୍ବ ଓ ସନ୍ଥ

ପାସ୍କା ଅଷ୍ଟାହର ସୋମବାର

ମହାପର୍ବ · ଉପାସନାର ରଙ୍ଗ: ଧଳା

ଦିନର ପାଠ

ପ୍ରଥମ ପାଠ

ପ୍ରେରି 2:14, 22–33

14କିନ୍ତୁ ପିତର ଏଗାର ଜଣ ପ୍ରେରିତମାନଙ୍କ ସହିତ ଠିଆ ହୋଇ ଉଚ୍ଚସ୍ୱରରେ ସେମାନଙ୍କ ନିକଟରେ ବକ୍ତୃତା ଦେଇ କହିଲେ, ହେ ଯିହୁଦୀ ଲୋକେ, ଓ ଯିରୂଶାଲମ ନିବାସୀ ସମସ୍ତେ, ଆପଣମାନେ ଏହା ଜାଣନ୍ତୁ ଓ ମୋହର କଥା ଶୁଣନ୍ତୁ। 22ହେ ଇସ୍ରାଏଲୀୟ ଲୋକମାନେ, ଏହି ସମସ୍ତ କଥା ଶୁଣନ୍ତୁ। ନାଜରିତୀୟ ଯୀଶୁ ନାନା ଶକ୍ତିର କାର୍ଯ୍ୟ, ଅଦ୍ଭୁତ କର୍ମ ଓ ଲକ୍ଷଣ ଦ୍ୱାରା ଆପଣମାନଙ୍କ ନିକଟରେ ଈଶ୍ବରଙ୍କ ପ୍ରେରିତ ବ୍ୟକ୍ତି ବୋଲି ପ୍ରମାଣିତ ହୋଇଅଛନ୍ତି, ତାହାଙ୍କ ଦ୍ୱାରା ଈଶ୍ବର ଯେ ଆପଣାମାନଙ୍କ ମଧ୍ୟରେ ଏହି ସମସ୍ତ କର୍ମ କରିଅଛନ୍ତି, ଏହା ଅାପଣମାନେ ନିଜେ ଜାଣନ୍ତି; 23ସେହି ବ୍ୟକ୍ତି ଈଶ୍ବରଙ୍କ ନିରୂପିତ ସଙ୍କଳ୍ପ ଓ ପୂର୍ବାଜ୍ଞାନୁସାରେ ସମର୍ପିତ ହୁଅନ୍ତେ, ଆପଣମାନେ ତାହାଙ୍କୁ ଅଧାର୍ମିକମାନଙ୍କ ହସ୍ତ ଦ୍ୱାରା କ୍ରୁଶାର୍ପଣ କରି ବଧ କରିଥିଲେ; 24କିନ୍ତୁ ଈଶ୍ବର ମୃତ୍ୟୁର ବନ୍ଧନରୁ ମୁକ୍ତ କରି ତାହାଙ୍କୁ ଉଠାଇଅଛନ୍ତି, କାରଣ ସେ ଯେ ମୃତ୍ୟୁ ଦ୍ୱାରା ଆବଦ୍ଧ ରହିବେ ତାହା ଅସମ୍ଭବ। 25ଦାଉଦ ତ ତାହାଙ୍କ ବିଷୟରେ କହନ୍ତି, “‘ମୁଁ ସର୍ବଦା ମୋହର ସମ୍ମୁଖରେ ପ୍ରଭୁଙ୍କୁ ଦର୍ଶନ କରୁଥିଲି, କାରଣ ମୁଁ ଯେପରି ବିଚଳିତ ନ ହୁଏ, ସେଥିପାଇଁ ସେ ମୋହର ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି। 26ତେଣୁ ମୋହର ହୃଦୟ ପ୍ରଫୁଲ୍ଲ ଓ ମୋହର ଜିହ୍ୱା ଉଲ୍ଲସିତ ହେଲା, ଆହୁରି ମୋହର ଶରୀର ମଧ୍ୟ ଭରସାରେ ବାସ କରିବ, 27କାରଣ ତୁମ୍ଭେ ମୋହର ପ୍ରାଣକୁ ପାତାଳରେ ପରିତ୍ୟାଗ କରିବ ନାହିଁ, କିଅବା ଆପଣା ପବିତ୍ର ଜଣକୁ କ୍ଷୟ ପାଇବାକୁ ଦେବ ନାହିଁ। 28ତୁମ୍ଭେ ମୋତେ ଜୀବନର ପଥ ଜ୍ଞାତ କରାଇଅଛ, ତୁମ୍ଭେ ଆପଣା ଛାମୁରେ ମୋତେ ଆନନ୍ଦରେ ପୂର୍ଣ୍ଣ କରିବ।’” 29ହେ ଭାଇମାନେ, ପିତୃକୁଳପତି ଦାଉଦଙ୍କ ବିଷୟରେ ମୁଁ ଆପଣମାନଙ୍କୁ ମୁକ୍ତ କଣ୍ଠରେ କହିପାରେ ଯେ, ସେ ମଲେ, ପୁଣି, ସମାଧିପ୍ରାପ୍ତ ହେଲେ, ଆଉ ତାଙ୍କର ସମାଧି-ସ୍ଥାନ ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କ ମଧ୍ୟରେ ଅଛି। 30ରାଜା ଦାଉଦ ଜଣେ ଭାବବାଦୀ ଭାବରେ ତାହାଙ୍କର ଔରସଜାତ ଜଣଙ୍କୁ ତାହାଙ୍କ ସିଂହାସନରେ ବସାଇବା ପାଇଁ ଈଶ୍ବର ତାହାଙ୍କ ନିକଟରେ ଶପଥ କରି ପ୍ରତିଜ୍ଞା କରିଥିଲେ ବୋଲି ଜାଣିଥିଲେ। 31ଏହା ଜାଣିବାରୁ ସେ ଭବିଷ୍ୟତ ଦର୍ଶନ ଦ୍ୱାରା ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ବିଷୟରେ କହିଥିଲେ, କାରଣ ସେ ପାତାଳରେ ପରିତ୍ୟକ୍ତ ହେଲେ ନାହିଁ, କିଅବା ତାହାଙ୍କ ଶରୀର କ୍ଷୟ ପାଇଲା ନାହିଁ। 32ଏହି ଯୀଶୁଙ୍କୁ ଈଶ୍ବର ଉଠାଇଅଛନ୍ତି, ସେହି ବିଷୟରେ ଆମ୍ଭେମାନେ ସମସ୍ତେ ସାକ୍ଷୀ। 33ଅତଏବ, ଈଶ୍ବର ଯୀଶୁଙ୍କୁ ଉନ୍ନତ କରି ତାହାଙ୍କ ଦକ୍ଷିଣ ପାର୍ଶ୍ୱରେ ବସାଇ ତାହାଙ୍କ ସହିତ ରାଜତ୍ୱ କରିବାକୁ ଅଧିକାର ଦେଲେ, ଏବଂ ସେ ଆମ୍ଭମାନଙ୍କୁ ପିତାଙ୍କ ଦ୍ୱାରା ପ୍ରତିଜ୍ଞାତ ପବିତ୍ର ଆତ୍ମାଙ୍କୁ ଦେଲେ ଯାହାଙ୍କୁ ଆପଣମାନେ ଦେଖୁଅଛନ୍ତି ଓ ଶୁଣୁଅଛନ୍ତି।

ପ୍ରତିଉତ୍ତର ଗୀତ

ଗୀତ 16:1–2, 5, 7–11

1ଦାଉଦଙ୍କର ମିକ୍ତାମ୍‍ (ଗୀତରତ୍ନ।) ହେ ପରମେଶ୍ୱର, ମୋତେ ରକ୍ଷା କର; କାରଣ ମୁଁ ତୁମ୍ଭଠାରେ ଶରଣ ନିଏ। 2ମୁଁ ସଦାପ୍ରଭୁଙ୍କୁ କହିଅଛି, “ତୁମ୍ଭେ ମୋହର ପ୍ରଭୁ, ତୁମ୍ଭ ବିନା ମୋହର କୌଣସି ମଙ୍ଗଳ ନାହିଁ।” 5ସଦାପ୍ରଭୁ ମୋହର ଅଧିକାରର ଓ ପାନପାତ୍ରର ବାଣ୍ଟ ସ୍ୱରୂପ; ତୁମ୍ଭେ ମୋହର ବାଣ୍ଟ ସ୍ଥିର କରୁଅଛ। 7ମୁଁ ସଦାପ୍ରଭୁଙ୍କର ଧନ୍ୟବାଦ କରିବି, ଯେ ମୋତେ ପରାମର୍ଶ ଦେଇଅଛନ୍ତି; ଆହୁରି, ରାତ୍ରିକାଳରେ ମୋହର ଚିତ୍ତ ମୋତେ ଉପଦେଶ ଦିଏ। 8ମୁଁ ସର୍ବଦା ସଦାପ୍ରଭୁଙ୍କୁ ଆପଣା ସମ୍ମୁଖରେ ରଖିଅଛି; ସେ ମୋହର ଦକ୍ଷିଣ ପାଖରେ ଥିବାରୁ ମୁଁ ବିଚଳିତ ହେବି ନାହିଁ। 9ଏଥିପାଇଁ ମୋହର ଅନ୍ତଃକରଣ ଆନନ୍ଦିତ ଓ ମୋହର ଗୌରବ ଉଲ୍ଲସିତ ହୁଅଇ; ମୋʼ ଶରୀର ମଧ୍ୟ ନିରାପଦରେ ବାସ କରିବ। 10କାରଣ ତୁମ୍ଭେ ମୋʼ ପ୍ରାଣକୁ ପାତାଳରେ ପରିତ୍ୟାଗ କରିବ ନାହିଁ; କିଅବା ତୁମ୍ଭେ ଆପଣା ପବିତ୍ର ଜନକୁ କ୍ଷୟ ପାଇବାକୁ ଦେବ ନାହିଁ। 11ତୁମ୍ଭେ ମୋତେ ଜୀବନର ପଥ ଦେଖାଇବ; ତୁମ୍ଭ ସମ୍ମୁଖରେ ଆନନ୍ଦର ପୂର୍ଣ୍ଣତା ଥାଏ; ତୁମ୍ଭ ଦକ୍ଷିଣ ପାଖରେ ନିତ୍ୟ ସୁଖଭୋଗ ଥାଏ।

ସୁସମାଚାର

ମାଥି 28:8–15

8ଏଥିରେ ସେମାନେ ଭୟ ଓ ମହାନନ୍ଦରେ ସମାଧି ନିକଟରୁ ଶୀଘ୍ର ଚାଲିଯାଇ ତାହାଙ୍କ ଶିଷ୍ୟମାନଙ୍କୁ ସମ୍ବାଦ ଦେବା ପାଇଁ ଦୌଡ଼ିଲେ। 9ଆଉ ଦେଖ, ଯୀଶୁ ସେମାନଙ୍କୁ ସାକ୍ଷାତ କରି କହିଲେ, “ତୁମ୍ଭମାନଙ୍କର ମଙ୍ଗଳ ହେଉ।” ତହୁଁ ସେମାନେ ନିକଟକୁ ଆସି ତାହାଙ୍କ ପାଦ ଧରି ତାହାଙ୍କୁ ପ୍ରଣାମ କଲେ। 10ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ଭୟ କର ନାହିଁ, ତୁମ୍ଭେମାନେ ଯାଇ ମୋହର ଭାଇମାନଙ୍କୁ ଜଣାଅ, ସେମାନେ ଗାଲିଲୀକୁ ଯାଆନ୍ତୁ; ସେଠାରେ ସେମାନେ ମୋହର ଦର୍ଶନ ପାଇବେ।” 11ସେମାନେ ଯାଉଥିବା ସମୟରେ, ଦେଖ, ପ୍ରହରୀ-ଦଳ ମଧ୍ୟରେ କେତେକ ଜଣ ନଗରକୁ ଯାଇ ସେହି ସମସ୍ତ ଘଟଣାର ବିବରଣ ପ୍ରଧାନ ଯାଜକମାନଙ୍କୁ ଜଣାଇଲେ। 12ସେମାନେ ପ୍ରାଚୀନବର୍ଗ ସହିତ ଏକତ୍ର ହୋଇ ମନ୍ତ୍ରଣା କଲା ପରେ ସେହି ସୈନ୍ୟମାନଙ୍କୁ ବହୁତ ଟଙ୍କା ଦେଇ କହିଲେ, 13ତୁମ୍ଭେମାନେ କୁହ, ଆମ୍ଭେମାନେ ଶୋଇପଡ଼ିଥିବା ସମୟରେ ତାହାଙ୍କର ଶିଷ୍ୟମାନେ ରାତିରେ ଆସି ତାହାଙ୍କୁ ଚୋରି କରି ନେଇଗଲେ। 14ପୁଣି, ଏ କଥା ଯେବେ ଶାସନକର୍ତ୍ତାଙ୍କ କର୍ଣ୍ଣଗୋଚର ହୁଏ, ତାହାହେଲେ ଆମ୍ଭେମାନେ ତାହାଙ୍କୁ ବୁଝାଇ ତୁମ୍ଭମାନଙ୍କୁ ଚିନ୍ତାରୁ ମୁକ୍ତ କରିବା। 15ସେଥିରେ ସେମାନେ ଟଙ୍କା ନେଇ ଯେପରି ଶିକ୍ଷା ପାଇଥିଲେ, ସେହିପରି କଲେ। ଏଣୁ ଏହି କଥା ଯିହୁଦୀମାନଙ୍କ ମଧ୍ୟରେ ବ୍ୟାପିଯାଇ ଆଜି ପର୍ଯ୍ୟନ୍ତ ପ୍ରଚଳିତ ଅଛି।

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର