Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ମାର୍ଚ୍ଚ 2027 › ମାର୍ଚ୍ଚ 8

ଅର୍ଥୋଡକ୍ସ ପଞ୍ଜିକା · 23 ଫେବୃଆରୀ (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 8 ମାର୍ଚ୍ଚ 2027

ସୋମବାର · ପନିର-ତ୍ୟାଗ ସପ୍ତାହ · ସ୍ୱର 7

ପର୍ବ ଓ ସନ୍ଥ

ପନିର-ତ୍ୟାଗ ସପ୍ତାହର ସୋମବାର

ପନିର ସପ୍ତାହ

ମାଂସ ନାହିଁ; ଦୁଗ୍ଧଜାତ, ଅଣ୍ଡା ଓ ମାଛ ଚଳିବ

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ପତ୍ର

ତୃ. ଯୋହ 1:1–15

1ପ୍ରାଚୀନ ଯେ ମୁଁ, ପ୍ରିୟତମ ଗାୟଙ୍କ ନିକଟକୁ ପତ୍ର ଲେଖୁଅଛି; ତାହାଙ୍କୁ ମୁଁ ସତ୍ୟ ରୂପେ ପ୍ରେମ କରେ। 2ପ୍ରିୟ ବନ୍ଧୁ, ତୁମ୍ଭ ଜୀବନର ଯେପରି ମଙ୍ଗଳ ହେଉଅଛି, ସେହିପରି ସର୍ବ ବିଷୟରେ ତୁମ୍ଭର ମଙ୍ଗଳ ହେଉ ଏବଂ ତୁମ୍ଭେ ସ୍ୱାସ୍ଥ୍ୟ ଭୋଗ କରୁଥାଅ, ଏହା ମୋହର ପ୍ରାର୍ଥନା। 3କାରଣ ଭାଇମାନେ ଆସି ଯେତେବେଳେ ସତ୍ୟ ପ୍ରତି ତୁମ୍ଭର ନିଷ୍ଠାଭାବ, ଅର୍ଥାତ୍‍ ସତ୍ୟରେ ତୁମ୍ଭର ଆଚରଣ ବିଷୟରେ ସାକ୍ଷ୍ୟ ଦେଲେ, ସେତେବେଳେ ମୁଁ ବିଶେଷ ଆନନ୍ଦିତ ହେଲି। 4ମୋହର ସନ୍ତାନମାନେ ଯେ ସତ୍ୟରେ ଆଚରଣ କରୁଅଛନ୍ତି, ଏହା ଶୁଣିବାଠାରୁ ମୋହର ଆନନ୍ଦର ଆଉ ବଡ଼ ବିଷୟ ନାହିଁ। 5ପ୍ରିୟ ବନ୍ଧୁ, ତୁମ୍ଭେ ଆପଣା ଭ୍ରାତୃଗଣ ପ୍ରତି ଏବଂ ବିଶେଷତଃ ବିଦେଶୀ ଭ୍ରାତୃଗଣ ପ୍ରତି ଯାହା କରୁଅଛ, ତାହା ବିଶ୍ୱସ୍ତ ଭାବରେ କରୁଅଛ। 6ସେମାନେ ମଣ୍ଡଳୀ ନିକଟରେ ତୁମ୍ଭ ପ୍ରେମ ବିଷୟରେ ସାକ୍ଷ୍ୟ ଦେଇଅଛନ୍ତି; ତୁମ୍ଭେ ଯଦି ସେମାନଙ୍କୁ ଈଶ୍ବରଙ୍କ ଯୋଗ୍ୟ ଉପକାର ଦେଇ ବାଟ ବଳାଇଦିଅ, ତେବେ ଉତ୍ତମ କାର୍ଯ୍ୟ କରିବ, 7ଯେଣୁ ସେମାନେ ଅଣଯିହୁଦୀମାନଙ୍କଠାରୁ କିଛି ହିଁ ଗ୍ରହଣ ନ କରି ଖ୍ରୀଷ୍ଟଙ୍କ ନାମ ସକାଶେ ବାହାରି ଅଛନ୍ତି। 8ଅତଏବ, ଆମ୍ଭେମାନେ ଯେପରି ସତ୍ୟ ସକାଶେ ସେମାନଙ୍କର ସହକର୍ମୀ ହୋଇପାରୁ, ଏଥିନିମନ୍ତେ ସେମାନଙ୍କର ଉପକାର କରିବା ଆମ୍ଭମାନଙ୍କର କର୍ତ୍ତବ୍ୟ। 9ମୁଁ ମଣ୍ଡଳୀ ନିକଟକୁ କିଛି ଲେଖିଲି; ମାତ୍ର ଦୀୟତ୍ରଫା ମଣ୍ଡଳୀ ମଧ୍ୟରେ ପ୍ରଧାନ ହେବାକୁ ଭଲ ପାଇ ଆମ୍ଭମାନଙ୍କୁ ଅଗ୍ରାହ୍ୟ କରେ। 10ସେ ଆମ୍ଭମାନଙ୍କ ବିରୁଦ୍ଧରେ ମନ୍ଦ କଥା କହି ଆମ୍ଭମାନଙ୍କ ନିନ୍ଦା କରେ, ପୁଣି, ସେଥିରେ ତୃପ୍ତ ନ ହୋଇ ନିଜେ ଭାଇମାନଙ୍କର ଆତିଥ୍ୟ କରେ ନାହିଁ, ପୁଣି, ଅନ୍ୟମାନେ ତାହା କରିବାକୁ ଇଚ୍ଛା କଲେ ସେମାନଙ୍କୁ ମନା କରେ, ଆଉ ମଣ୍ଡଳୀରୁ ସେମାନଙ୍କୁ ଉଚ୍ଛିନ୍ନ କରେ; ଏଣୁ ମୁଁ ଗଲେ ତାହାର ଏହି ସମସ୍ତ କୃତ କର୍ମ ସ୍ମରଣରେ ଆଣିବି। 11ପ୍ରିୟ ବନ୍ଧୁ, ତୁମ୍ଭେ ଦୁଷ୍କର୍ମର ଅନୁକାରୀ ନ ହୋଇ ସତ୍କର୍ମର ଅନୁକାରୀ ହୁଅ। ଯେ ସତ୍କର୍ମ କରେ, ସେ ଈଶ୍ବରଙ୍କଠାରୁ ଜାତ; ଯେ ଦୁଷ୍କର୍ମ କରେ, ସେ ଈଶ୍ବରଙ୍କୁ ଦର୍ଶନ କରି ନାହିଁ। 12ଦୀମିତ୍ରୀୟଙ୍କ ସପକ୍ଷରେ ସମସ୍ତେ ସାକ୍ଷ୍ୟ ଦେଇଅଛନ୍ତି; ସତ୍ୟ ନିଜେ ସୁଦ୍ଧା ସାକ୍ଷ୍ୟ ଦେଇଅଛି; ଆମ୍ଭେମାନେ ମଧ୍ୟ ସାକ୍ଷ୍ୟ ଦେଉଅଛୁ, ଆଉ ଆମ୍ଭମାନଙ୍କ ସାକ୍ଷ୍ୟ ଯେ ସତ୍ୟ; ଏହା ତୁମ୍ଭେ ଜାଣୁଅଛ। 13ତୁମ୍ଭ ନିକଟକୁ ମୋହର ଅନେକ ବିଷୟ ଲେଖିବାକୁ ଅଛି, କିନ୍ତୁ କାଳି ଓ କଲମରେ ତାହା ଲେଖିବାକୁ ଇଚ୍ଛା କରୁ ନାହିଁ। 14ମୋହର ଆଶା ଯେ, ଶୀଘ୍ର ତୁମ୍ଭ ସହିତ ଦେଖା ହେବ, ଆଉ ଆମ୍ଭେମାନେ ମୁଖାମୁଖି ହୋଇ କଥାବାର୍ତ୍ତା କରିବା। 15ତୁମ୍ଭ ପ୍ରତି ଶାନ୍ତି ହେଉ; ମିତ୍ରମାନେ ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି। ପ୍ରତ୍ୟେକଙ୍କ ନାମ ଘେନି ମିତ୍ରମାନଙ୍କୁ ନମସ୍କାର ଜଣାଅ।

ସୁସମାଚାର

ଲୂକ 19:29–40; 22:7–39

29ଆଉ ଯେତେବେଳେ ସେ ଜୀତ ପର୍ବତ ପାଖରେ ଥିବା ବୈଥ୍‌ଫାଗୀ ଓ ବେଥନୀୟା ଗ୍ରାମ ନିକଟରେ ଉପସ୍ଥିତ ହେଲେ, ସେତେବେଳେ ସେ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଏହି କଥା କହି ପଠାଇଲେ, 30“ତୁମ୍ଭମାନଙ୍କ ସମ୍ମୁଖରେ ଥିବା ସେହି ଗ୍ରାମକୁ ଯାଅ; ସେଥିରେ ପ୍ରବେଶ କରିବା ସମୟରେ, ଯାହା ଉପରେ କେହି କେବେ ବସି ନାହିଁ; ଏପରି ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବାର ଦେଖିବ; ତାହାକୁ ଫିଟାଇ ନେଇଆସ। 31ଆଉ ଯଦି କେହି ତୁମ୍ଭମାନଙ୍କୁ ‘କାହିଁକି ଫିଟାଉଅଛ’ ବୋଲି ପଚାରେ, ତେବେ ଏପରି କହିବ, ‘କାରଣ ଏହାଠାରେ ପ୍ରଭୁଙ୍କର ଆବଶ୍ୟକ ଅଛି।’” 32ସେଥିରେ ପଠାଯାଇଥିବା ଲୋକେ ଯାଇ, ଯୀଶୁ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖିଲେ। 33ପୁଣି, ସେମାନେ ଗଧଛୁଆକୁ ଫିଟାଉଥିବା ସମୟରେ ତାହାର ମାଲିକମାନେ ସେମାନଙ୍କୁ ପଚାରିଲେ, କାହିଁକି ଗଧଛୁଆକୁ ଫିଟାଉଅଛ? 34ସେମାନେ କହିଲେ, କାରଣ ଏହାଠାରେ ପ୍ରଭୁଙ୍କର ଆବଶ୍ୟକ ଅଛି। 35ପୁଣି, ସେମାନେ ତାହାକୁ ଯୀଶୁଙ୍କ ନିକଟକୁ ଆଣି ତାହା ଉପରେ ଆପଣା ଆପଣା ଲୁଗା ପକାଇ ଯୀଶୁଙ୍କୁ ବସାଇଲେ। 36ଆଉ ସେ ଯାତ୍ରା କରୁଥିବା ସମୟରେ ଲୋକେ ବାଟରେ ଆପଣା ଆପଣା ଲୁଗା ବିଛାଇ ଦେବାକୁ ଲାଗିଲେ। 37ପୁଣି, ସେ ଯେତେବେଳେ ଜୀତ ପର୍ବତର ଗଡ଼ାଣି ସ୍ଥାନର ନିକଟବର୍ତ୍ତୀ ହେଲେ, ସେତେବେଳେ ସମୁଦାୟ ଶିଷ୍ୟଦଳ ଦେଖିଥିବା ସମସ୍ତ ମହତର କାର୍ଯ୍ୟ ନିମନ୍ତେ ଆନନ୍ଦରେ ଉଚ୍ଚସ୍ୱର କରି ଈଶ୍ବରଙ୍କ ପ୍ରଶଂସା କରୁ କରୁ କହିଲେ, 38ପ୍ରଭୁଙ୍କ ନାମରେ ଯେଉଁ ରାଜା ଆସୁଅଛନ୍ତି, ସେ ଧନ୍ୟ। ସ୍ୱର୍ଗରେ ଶାନ୍ତି ଓ ଊର୍ଦ୍ଧ୍ୱଲୋକରେ ମହିମା। 39ସେଥିରେ ଲୋକମାନଙ୍କ ମଧ୍ୟରୁ କେତେ ଜଣ ଫାରୂଶୀ ତାହାଙ୍କୁ କହିଲେ, ହେ ଗୁରୁ, ଆପଣଙ୍କ ଶିଷ୍ୟମାନଙ୍କୁ ଧମକ ଦିଅନ୍ତୁ। 40ସେ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ କହୁଅଛି, ଏମାନେ ତୁନି ହୋଇ ରହିଲେ, ପଥରଗୁଡ଼ାକ ପାଟି କରିବେ।” 22:7ପରେ ଯେଉଁ ଦିନ ନିସ୍ତାର ପର୍ବର ମେଷଶାବକ ବଳିଦାନ କରିବାକୁ ହୁଏ, ଖମୀରଶୂନ୍ୟ ରୁଟି ପର୍ବର ସେହି ଦିନ ଉପସ୍ଥିତ ହେଲା; 8ଆଉ ସେ ପିତର ଓ ଯୋହନଙ୍କୁ ଏହା କହି ପଠାଇଲେ, “ଆମ୍ଭେମାନେ ଯେପରି ଭୋଜନ କରିପାରିବୁ, ଏଥିପାଇଁ ତୁମ୍ଭେମାନେ ଯାଇ ଆମ୍ଭମାନଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କର।” 9ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି? 10ଯୀଶୁ ସେମାନଙ୍କୁ କହିଲେ, “ଦେଖ, ତୁମ୍ଭେମାନେ ନଗରରେ ପ୍ରବେଶ କରନ୍ତେ ଜଳକୁମ୍ଭ ଘେନି ଯାଉଥିବା ଜଣେ ଲୋକ ତୁମ୍ଭମାନଙ୍କୁ ଭେଟିବ; ସେ ଯେଉଁ ଗୃହରେ ପ୍ରବେଶ କରିବ, ତାହାର ପଛେ ପଛେ ଯାଇ ଗୃହର କର୍ତ୍ତାଙ୍କୁ କହିବ, 11‘ଗୁରୁ ଆପଣଙ୍କୁ ପଚାରୁଅଛନ୍ତି, ମୁଁ ମୋହର ଶିଷ୍ୟମାନଙ୍କ ସହିତ ଯେଉଁଠାରେ ନିସ୍ତାର ପର୍ବର ଭୋଜ ପାଳନ କରିବି, ସେହି ଅତିଥିଶାଳା କାହିଁ?’ 12ସେଥିରେ ସେ ତୁମ୍ଭମାନଙ୍କୁ ସୁସଜ୍ଜିତ ଗୋଟିଏ ଉପରିସ୍ଥ ବୃହତ କୋଠରୀ ଦେଖାଇଦେବେ; ସେ ସ୍ଥାନରେ ପ୍ରସ୍ତୁତ କର।” 13ଆଉ, ସେହି ଦୁଇ ଜଣ ଶିଷ୍ୟ ଯାଇ, ଯୀଶୁ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ। 14ପୁଣି, ନିସ୍ତାର ପର୍ବର ସମୟ ଉପସ୍ଥିତ ହୁଅନ୍ତେ, ଯୀଶୁ ଓ ତାହାଙ୍କ ସଙ୍ଗେ ପ୍ରେରିତମାନେ ଭୋଜନ କରିବାକୁ ବସିଲେ। 15ଆଉ ସେ ସେମାନଙ୍କୁ କହିଲେ, “ମୋହର ଦୁଃଖଭୋଗ ପୂର୍ବେ ମୁଁ ତୁମ୍ଭମାନଙ୍କ ସହିତ ଏହି ନିସ୍ତାରଭୋଜ ପାଳନ କରିବାକୁ ଏକାନ୍ତ ବାଞ୍ଛା କଲି। 16କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ବରଙ୍କ ରାଜ୍ୟରେ ଏହା ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ମୁଁ ଆଉ କେବେ ହେଁ ତାହା ଭୋଜନ କରିବି ନାହିଁ।” 17ପୁଣି, ସେ ପାନପାତ୍ର ଗ୍ରହଣ କରି ଧନ୍ୟବାଦ ଦେଇ କହିଲେ, “ଏହା ନେଇ ଆପଣା ଆପଣା ମଧ୍ୟରେ ଭାଗ କର, 18କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ବରଙ୍କ ରାଜ୍ୟ ନ ଆସିବା ପର୍ଯ୍ୟନ୍ତ ମୁଁ ଆଜିଠାରୁ ଦ୍ରାକ୍ଷାଫଳର ରସ ଆଉ ପାନ କରିବି ନାହିଁ।” 19ପୁଣି, ସେ ରୁଟି ଘେନି ଧନ୍ୟବାଦ ଦେଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, “ତୁମ୍ଭମାନଙ୍କ ନିମନ୍ତେ ଦତ୍ତ ହେଉଥିବା ମୋହର ଶରୀର ଏହି; ମୋତେ ସ୍ମରଣ କରିବା ନିମନ୍ତେ ଏହା କର।” 20ଭୋଜନ ଉତ୍ତାରେ ସେହିପରି ସେ ପାନପାତ୍ର ଘେନି କହିଲେ, “ଏହି ପାନପାତ୍ର ତୁମ୍ଭମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ। 21କିନ୍ତୁ ଦେଖ, ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛି, ତାହାର ହସ୍ତ ମୋʼ ସହିତ ମେଜ ଉପରେ ଅଛି। 22କାରଣ ଯେପରି ନିରୂପିତ ହୋଇଅଛି, ମନୁଷ୍ୟପୁତ୍ର ସେହିପରି ପ୍ରୟାଣ କରୁଅଛନ୍ତି ସତ୍ୟ, ତଥାପି ଯେଉଁ ଲୋକ ଦ୍ୱାରା ସେ ଶତ୍ରୁ ହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ, ସେ ଦଣ୍ଡର ପାତ୍ର!” 23ତେଣୁ ସେମାନଙ୍କ ମଧ୍ୟରୁ କିଏ ଏହା କରିବାକୁ ଯାଉଅଛି, ସେ ବିଷୟରେ ସେମାନେ ପରସ୍ପର ବାଦାନୁବାଦ କରିବାକୁ ଲାଗିଲେ। 24ପୁଣି, ସେମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ବୋଲି ଗଣିତ, ସେ ବିଷୟରେ ସେମାନଙ୍କ ମଧ୍ୟରେ ବିବାଦ ଘଟିଲା। 25ସେଥିରେ ସେ ସେମାନଙ୍କୁ କହିଲେ, “ଅଣଯିହୁଦୀମାନଙ୍କ ରାଜାମାନେ ସେମାନଙ୍କ ଉପରେ ପ୍ରଭୁତ୍ୱ କରନ୍ତି, ଆଉ ଯେଉଁମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି, ସେମାନେ ଲୋକ-ସେବକ ବୋଲି ଖ୍ୟାତ ହୁଅନ୍ତି। 26କିନ୍ତୁ ତୁମ୍ଭେମାନେ ସେପ୍ରକାର ହୁଅ ନାହିଁ, ମାତ୍ର ତୁମ୍ଭମାନଙ୍କ ମଧ୍ୟରେ ଯେ ଜ୍ୟେଷ୍ଠ, ସେ କନିଷ୍ଠ ପରି ହେଉ, ପୁଣି, ଯେ ନେତା, ସେ ସେବକ ପରି ହେଉ। 27କାରଣ କିଏ ଶ୍ରେଷ୍ଠ? ଯେ ଭୋଜନ ନିମନ୍ତେ ମେଜରେ ବସିଅଛି, ନା ଯେ ସେବକ? ଭୋଜନ ନିମନ୍ତେ ମେଜରେ ବସିଅଛି, ସେ କି ଶ୍ରେଷ୍ଠ ନୁହଁନ୍ତି? କିନ୍ତୁ ମୁଁ ତୁମ୍ଭମାନଙ୍କ ମଧ୍ୟରେ ଜଣେ ସେବକ ପରି ଅଛି। 28ମାତ୍ର ତୁମ୍ଭେମାନେ ମୋହର ସମସ୍ତ ପରୀକ୍ଷାରେ ମୋʼ ସହିତ ରହି ଆସିଅଛ; 29ଏଣୁ ମୋହର ପିତା ଯେପରି ମୋ ନିମନ୍ତେ ରାଜ୍ୟ ନିରୂପଣ କଲେ, ମୁଁ ମଧ୍ୟ ସେପରି ତୁମ୍ଭମାନଙ୍କ ନିମନ୍ତେ ନିରୂପଣ କରୁଅଛି, 30ଯେପରି ତୁମ୍ଭେମାନେ ମୋହର ରାଜ୍ୟରେ ମୋ ମେଜରେ ଭୋଜନପାନ କରିବ, ପୁଣି, ସିଂହାସନରେ ଉପବେଶନ କରି ଇସ୍ରାଏଲର ଦ୍ୱାଦଶ ଗୋଷ୍ଠୀକୁ ଶାସନ କରିବ।” 31“ଶିମୋନ, ଶିମୋନ, ଦେଖ, ଗହମକୁ ଚାଲୁଣୀରେ ଚଲାଇବା ପରି ଶୟତାନ ତୁମ୍ଭମାନଙ୍କୁ ଚଲାଇବାକୁ ଅନୁମତି ପାଇଅଛି; 32କିନ୍ତୁ ତୁମ୍ଭର ବିଶ୍ୱାସ ଯେପରି ଲୋପ ନ ହୁଏ, ଏଥିପାଇଁ ମୁଁ ତୁମ୍ଭ ନିମନ୍ତେ ନିବେଦନ କଲି; ପୁଣି, ତୁମ୍ଭେ ଫେରିଲା ଉତ୍ତାରେ ଆପଣା ଭାଇମାନଙ୍କୁ ସୁସ୍ଥିର କର।” 33ମାତ୍ର ସେ ତାହାଙ୍କୁ କହିଲେ, ହେ ପ୍ରଭୁ, ମୁଁ ଆପଣଙ୍କ ସହିତ କାରାଗାରକୁ ଯିବାକୁ ଓ ମୃତ୍ୟୁଭୋଗ କରିବାକୁ ପ୍ରସ୍ତୁତ ଅଛି। 34କିନ୍ତୁ ସେ କହିଲେ, “ହେ ପିତର, ମୁଁ ତୁମ୍ଭକୁ କହୁଅଛି, ଆଜି କୁକୁଡ଼ା ନ ଡାକୁଣୁ ତୁମ୍ଭେ ଯେ ମୋତେ ଜାଣ, ଏହା ତିନି ଥର ଅସ୍ୱୀକାର କରିବ।” 35ଆଉ, ସେ ସେମାନଙ୍କୁ କହିଲେ, “ଯେତେବେଳେ ମୁଁ ତୁମ୍ଭମାନଙ୍କୁ ଗାଞ୍ଜିଆ, ଝୋଲି ଓ ଜୋତା ବିନା ପଠାଇଥିଲି, ସେତେବେଳେ ତୁମ୍ଭମାନଙ୍କର କି କିଛି ଅଭାବ ହୋଇଥିଲା?” ସେମାନେ କହିଲେ, କିଛି ନାହିଁ। 36ସେଥିରେ ସେ ସେମାନଙ୍କୁ କହିଲେ, “ମାତ୍ର ଏବେ, ଯାହାର ଟଙ୍କା ରଖିବାର ମୁଣା ଅଛି, ସେ ତାହା ନେଉ, ସେହି ପ୍ରକାରେ ଝୋଲି ମଧ୍ୟ ନେଉ, ଆଉ ଯାହାର ନାହିଁ, ସେ ଆପଣା ବସ୍ତ୍ରଖଣ୍ଡକ ବିକି ଖଣ୍ଡା କିଣୁ। 37କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେପରି ଶାସ୍ତ୍ରରେ ଲେଖାଅଛି, ‘ତାହା ମୋʼଠାରେ ସିଦ୍ଧ ହେବା ଆବଶ୍ୟକ; ସେ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ,’ ଯେଣୁ ମୋ ସମ୍ବନ୍ଧୀୟ କଥା ସିଦ୍ଧ ହେଉଅଛି।” 38ସେଥିରେ ସେମାନେ କହିଲେ, ପ୍ରଭୁ ଦେଖନ୍ତୁ, ଏଠାରେ ଦୁଇଟା ଖଣ୍ଡା ଅଛି। ପୁଣି, ସେ ସେମାନଙ୍କୁ କହିଲେ, “ଯଥେଷ୍ଟ।” 39ସେ ବାହାରି ଆପଣା ଧାରାନୁସାରେ ଜୀତ ପର୍ବତକୁ ଗଲେ, ଆଉ ଶିଷ୍ୟମାନେ ମଧ୍ୟ ତାହାଙ୍କ ପଛେ ପଛେ ଗଲେ।

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଫେବୃଆରୀ 23 ନାଗରିକ ପଞ୍ଜିକାର ମାର୍ଚ୍ଚ 8। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର