Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ମାର୍ଚ୍ଚ 2027 › ମାର୍ଚ୍ଚ 9

ଅର୍ଥୋଡକ୍ସ ପଞ୍ଜିକା · 24 ଫେବୃଆରୀ (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 9 ମାର୍ଚ୍ଚ 2027

ମଙ୍ଗଳବାର · ପନିର-ତ୍ୟାଗ ସପ୍ତାହ · ସ୍ୱର 7

ପର୍ବ ଓ ସନ୍ଥ

ପନିର-ତ୍ୟାଗ ସପ୍ତାହର ମଙ୍ଗଳବାର

ପନିର ସପ୍ତାହ

ମାଂସ ନାହିଁ; ଦୁଗ୍ଧଜାତ, ଅଣ୍ଡା ଓ ମାଛ ଚଳିବ

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ସନ୍ଧ୍ୟା ପ୍ରାର୍ଥନା: ପାଠ (ଅଗ୍ରଦୂତଙ୍କ ପାଇଁ)

ଯିଶା 40; ଯିଶା 41; ଯିଶା 45; ଯିଶା 48; ଯିଶା 54 (ବଛାଯାଇଥିବା ପଦ)

ସନ୍ଧ୍ୟା ପ୍ରାର୍ଥନା: ପାଠ (ଅଗ୍ରଦୂତଙ୍କ ପାଇଁ)

ମଲାଖି 3; ମଲାଖି 4 (ବଛାଯାଇଥିବା ପଦ)

ସନ୍ଧ୍ୟା ପ୍ରାର୍ଥନା: ପାଠ (ଅଗ୍ରଦୂତଙ୍କ ପାଇଁ)

ଏହି ଅନୁବାଦରେ ନାହିଁ

ପ୍ରଭାତୀ ପ୍ରାର୍ଥନା: ସୁସମାଚାର (ଅଗ୍ରଦୂତଙ୍କ ପାଇଁ)

ଲୂକ 7:17–30

17ପୁଣି, ଯୀଶୁଙ୍କ ବିଷୟରେ ଏହି ସମ୍ବାଦ ସମସ୍ତ ଯିହୂଦିୟା ପ୍ରଦେଶ ଓ ଚାରିପାଖର ସମସ୍ତ ଅଞ୍ଚଳରେ ବ୍ୟାପିଗଲା। 18ପରେ ବାପ୍ତିଜକ ଯୋହନଙ୍କ ଶିଷ୍ୟମାନେ ଏହି ସମସ୍ତ ବିଷୟ ତାହାଙ୍କୁ ଜଣାଇଲେ। 19ସେଥିରେ ଯୋହନ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ପାଖକୁ ଡାକି ପ୍ରଭୁଙ୍କ ନିକଟକୁ ଏହା କହି ପଠାଇଲେ, ଆପଣ କଅଣ ସେହି ବ୍ୟକ୍ତି ଯାହାଙ୍କର ଆଗମନ ହେବ, ନା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ? 20ସେହି ଲୋକମାନେ ତାହାଙ୍କ ନିକଟକୁ ଆସି କହିଲେ, ବାପ୍ତିଜକ ଯୋହନ ଆମ୍ଭମାନଙ୍କୁ ଆପଣଙ୍କ ନିକଟକୁ ଏହା କହି ପଠାଇଅଛନ୍ତି, ଯାହାଙ୍କର ଆଗମନ ହେବ, ସେହି ବ୍ୟକ୍ତି କି ଆପଣ, ଅବା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ? 21ସେହି ସମୟରେ ସେ ଅନେକଙ୍କୁ ରୋଗ, କଷ୍ଟ ଓ ମନ୍ଦ-ଆତ୍ମାମାନଙ୍କଠାରୁ ସୁସ୍ଥ କଲେ, ପୁଣି, ଅନେକ ଅନ୍ଧମାନଙ୍କୁ ଦେଖିବାର ଶକ୍ତି ଦେଲେ। 22ସେ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ଯାଇ, ଯାହା ଯାହା ଦେଖିଅଛ ଓ ଶୁଣିଅଛ, ସେହିସବୁ ଯୋହନଙ୍କୁ ଜଣାଅ; ଅନ୍ଧମାନେ ଦେଖି ପାରନ୍ତି, ଖଞ୍ଜମାନେ ଚାଲି ପାରନ୍ତି, କୁଷ୍ଠରୋଗୀମାନେ ଶୁଚି ହୁଅନ୍ତି, ବଧିରମାନେ ଶୁଣି ପାରନ୍ତି, ମୃତମାନେ ଜୀବିତ ହୁଅନ୍ତି, ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ; 23ଆଉ, ଯେଉଁ ବ୍ୟକ୍ତି ମୋʼ ଠାରେ ବାଧାର କାରଣ ପାଏ ନାହିଁ, ସେ ଧନ୍ୟ। 24ଯୋହନଙ୍କ ଦୂତମାନେ ଯିବା ପରେ ଯୀଶୁ ଯୋହନଙ୍କ ବିଷୟରେ ଲୋକମାନଙ୍କୁ କହିବାକୁ ଲାଗିଲେ, ତୁମ୍ଭେମାନେ କଅଣ ଦେଖିବା ପାଇଁ ମରୁଭୂମିକୁ ବାହାରିଯାଇଥିଲ, କଅଣ ପବନରେ ଦୋହଲୁଥିବା ଗୋଟିଏ ନଳ? 25ତାହା ନ ହେଲେ ତୁମ୍ଭେମାନେ କଅଣ ଦେଖିବା ପାଇଁ ବାହାରିଯାଇଥିଲ? କଅଣ ଦାମୀ ବସ୍ତ୍ର ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ? ଦେଖ, ଯେଉଁମାନେ ସୁନ୍ଦର ବସ୍ତ୍ର ପିନ୍ଧନ୍ତି ଏବଂ ସୁଖରେ ସମୟ କଟାନ୍ତି, ସେମାନେ ରାଜପ୍ରାସାଦରେ ଥାଆନ୍ତି। 26ତାହା ନ ହେଲେ କଅଣ ଦେଖିବା ନିମନ୍ତେ ବାହାରି ଯାଇଥିଲ? କଅଣ ଜଣେ ଭାବବାଦୀଙ୍କୁ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଭାବବାଦୀଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ ବ୍ୟକ୍ତିଙ୍କୁ। 27ଯାହାଙ୍କ ବିଷୟରେ ଏହା ଲେଖାଅଛି, ‘ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପଠାଉଅଛୁ, ସେ ତୁମ୍ଭ ସମ୍ମୁଖରେ ତୁମ୍ଭର ପଥ ପ୍ରସ୍ତୁତ କରିବ, ଏ ସେହି ବ୍ୟକ୍ତି।’ 28ମୁଁ ତୁମ୍ଭମାନଙ୍କୁ କହୁଅଛି, ସ୍ତ୍ରୀଗର୍ଭରୁ ଜନ୍ମ ହୋଇଥିବା ସମସ୍ତଙ୍କ ମଧ୍ୟରେ ଯୋହନଙ୍କଠାରୁ ମହାନ କେହି ନାହାନ୍ତି; ତଥାପି ଈଶ୍ବରଙ୍କ ରାଜ୍ୟରେ ଯେ କ୍ଷୁଦ୍ରତମ, ସେ ତାହାଙ୍କଠାରୁ ମହାନ।” 29ଏହା ଶୁଣି ସମସ୍ତ ଲୋକ, ଏପରିକି କରଗ୍ରାହୀମାନେ ସୁଦ୍ଧା ଯୋହନଙ୍କ ବାପ୍ତିସ୍ମରେ ବାପ୍ତିଜିତ ହୋଇଥିବାରୁ ଈଶ୍ବରଙ୍କୁ ଯଥାର୍ଥ ବୋଲି ସ୍ୱୀକାର କଲେ; 30କିନ୍ତୁ ଫାରୂଶୀମାନେ ଓ ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞମାନେ ତାହାଙ୍କ ଦ୍ୱାରା ବାପ୍ତିଜିତ ନ ହୋଇ ନିଜ ନିଜ ବିଷୟରେ ଈଶ୍ବରଙ୍କ ଯୋଜନା ଅଗ୍ରାହ୍ୟ କଲେ।

ପତ୍ର

ଯିହୂ 1:1–10

1ଯିହୂଦା, ଯୀଶୁ ଖ୍ରୀଷ୍ଟଙ୍କ ଜଣେ ଦାସ ଓ ଯାକୁବଙ୍କ ଭାଇ, ଯେଉଁମାନେ ଆହୂତ ଓ ପିତା ଈଶ୍ବରଙ୍କ ପ୍ରିୟପାତ୍ର, ପୁଣି, ଯୀଶୁ ଖ୍ରୀଷ୍ଟଙ୍କ ନିମନ୍ତେ ସୁରକ୍ଷିତ, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି। 2ତୁମ୍ଭମାନଙ୍କ ପ୍ରତି ଦୟା, ଶାନ୍ତି ଓ ପ୍ରେମ ପ୍ରଚୁରଭାବେ ବର୍ତ୍ତୁ। 3ହେ ପ୍ରିୟମାନେ, ମୁଁ ଆମ୍ଭମାନଙ୍କର ସାଧାରଣ ପରିତ୍ରାଣ ସମ୍ବନ୍ଧରେ ତୁମ୍ଭମାନଙ୍କ ନିକଟକୁ କିଛି ଲେଖିବାକୁ ବିଶେଷ ଯତ୍ନଶୀଳ ହୋଇ ସାଧୁମାନଙ୍କ ନିକଟରେ ଏକାଥରକେ ସମର୍ପିତ ବିଶ୍ୱାସ ସପକ୍ଷରେ ପ୍ରାଣପଣରେ ଯୁଦ୍ଧ କରିବା ଓ ତୁମ୍ଭମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଲେଖିବା ଆବଶ୍ୟକ ମନେ କଲି। 4କାରଣ ପ୍ରାଚୀନ ଶାସ୍ତ୍ରମାନଙ୍କରେ ଦଣ୍ଡର ପାତ୍ର ବୋଲି ବର୍ଣ୍ଣିତ ହୋଇଥିବା କେତେକ ଲୋକ ତୁମ୍ଭମାନଙ୍କ ମଧ୍ୟରେ ଗୁପ୍ତରେ ପ୍ରବେଶ କରିଅଛନ୍ତି; ସେମାନେ ଅଧାର୍ମିକ, ଆମ୍ଭମାନଙ୍କ ଈଶ୍ବରଙ୍କ ଅନୁଗ୍ରହକୁ ବିପରୀତ ଭାବରେ କାମୁକତାରେ ବ୍ୟବହାର କରନ୍ତି, ପୁଣି, ଆମ୍ଭମାନଙ୍କର ଏକମାତ୍ର କର୍ତ୍ତା ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଅସ୍ୱୀକାର କରନ୍ତି। 5ଯଦ୍ୟପି ତୁମ୍ଭେମାନେ ସମସ୍ତ ବିଷୟ ସମ୍ପୂର୍ଣ୍ଣ ରୂପେ ଜାଣିଅଛ, ତଥାପି ମୁଁ ତୁମ୍ଭମାନଙ୍କୁ ସ୍ମରଣ କରାଇବାକୁ ଇଚ୍ଛା କରେ ଯେ, ପ୍ରଭୁ ମିସର ଦେଶରୁ ଲୋକମାନଙ୍କୁ ଉଦ୍ଧାର କଲେ, ଆଉ ଯେଉଁମାନେ ବିଶ୍ୱାସ କଲେ ନାହିଁ, ପରେ ସେମାନଙ୍କୁ ବିନାଶ କଲେ। 6ପୁଣି, ଯେଉଁ ଦୂତମାନେ ଆପଣା ଆପଣା ଉଚ୍ଚପଦ ନ ରଖି ନିଜ ନିଜ ବାସସ୍ଥାନ ପରିତ୍ୟାଗ କଲେ, ସେମାନଙ୍କୁ ସେ ମହା ବିଚାର ଦିନ ପର୍ଯ୍ୟନ୍ତ ଅନନ୍ତସ୍ଥାୟୀ ବନ୍ଧନରେ ଆବଦ୍ଧ କରି ଅନ୍ଧକାରମୟ ସ୍ଥାନରେ ରଖିଅଛନ୍ତି। 7ସେହିପରି ସଦୋମ ଓ ଗମୋରା ପୁଣି, ସେମାନଙ୍କ ଚତୁର୍ଦ୍ଦିଗସ୍ଥ ନଗରନିବାସୀମାନେ ବ୍ୟଭିଚାର ଓ ଅସ୍ୱାଭାବିକ କାମୁକତାରେ ଆସକ୍ତ ହେବାରୁ ଅନନ୍ତ ଅଗ୍ନିରୂପ ଦଣ୍ଡ ଭୋଗ କରି ଦୃଷ୍ଟାନ୍ତ ସ୍ୱରୂପ ହୋଇଅଛନ୍ତି। 8ତଥାପି ଏହି ସ୍ୱପ୍ନଦର୍ଶକମାନେ ମଧ୍ୟ ସେହିପରି ଶରୀରକୁ ଅଶୁଚି କରନ୍ତି, ଅଧିକାରୀମାନଙ୍କର ଅବଜ୍ଞା କରନ୍ତି ଓ ଅଲୌକିକ ଶକ୍ତିମାନଙ୍କର ନିନ୍ଦା କରନ୍ତି। 9କିନ୍ତୁ ପ୍ରଧାନ ଦୂତ ମୀଖାୟେଲ ମୋଶାଙ୍କ ଶବ ବିଷୟରେ ଶୟତାନ ସହିତ ବାଦାନୁବାଦ କରିବା ସମୟରେ ନିନ୍ଦା କରି ତାହାର ବିଚାର କରିବାକୁ ସାହସୀ ନ ହୋଇ, କେବଳ ଏତିକି କହିଲେ, ପ୍ରଭୁ ତୁମ୍ଭକୁ ଧମକ ଦିଅନ୍ତୁ। 10ଅନ୍ୟ ପକ୍ଷରେ ଏମାନେ ଯେଉଁ ସମସ୍ତ ବିଷୟ ଜାଣନ୍ତି ନାହିଁ, ସେହି ସବୁର ନିନ୍ଦା କରନ୍ତି, ପୁଣି, ଅଜ୍ଞାନ ପଶୁ ପରି ଯାହା ଯାହା ସ୍ୱାଭାବିକ ଭାବେ ବୁଝନ୍ତି, ସେ ସବୁ ଦ୍ୱାରା ବିନଷ୍ଟ ହୁଅନ୍ତି।

ପତ୍ର (ଅଗ୍ରଦୂତଙ୍କ ପାଇଁ)

ଦ୍ଵି.କରି 4:6–15

6ଯେଣୁ ଅନ୍ଧକାରରୁ ଦୀପ୍ତି ପ୍ରକାଶ ପାଉ ବୋଲି ଆଜ୍ଞା ଦେଇଥିଲେ ଯେଉଁ ଈଶ୍ବର, ସେ ଖ୍ରୀଷ୍ଟଙ୍କ ମୁଖରେ ପ୍ରକାଶିତ ଈଶ୍ବରଙ୍କ ଗୌରବମୟ ଜ୍ଞାନର ଆଲୋକ ଦେଖାଇବା ନିମନ୍ତେ ଆମ୍ଭମାନଙ୍କ ହୃଦୟରେ ଆଲୋକ ପ୍ରକାଶ କରିଅଛନ୍ତି। 7ମାତ୍ର ମହାଶକ୍ତି ଯେ ଈଶ୍ବରଙ୍କର, ପୁଣି, ତାହା ଯେ ଆମ୍ଭମାନଙ୍କଠାରୁ ଉତ୍ପନ୍ନ ନୁହେଁ, ଏହା ଯେପରି ପ୍ରକାଶ ପାଏ, ଏଥିନିମନ୍ତେ ଆମ୍ଭେମାନେ ଏହି ଧନ ମୃତ୍ତିକା ପାତ୍ରରେ ପାଇଅଛୁ; 8ଆମ୍ଭେମାନେ ସର୍ବପ୍ରକାରେ କ୍ଳେଶଭୋଗ କରୁଅଛୁ, ତଥାପି ଅବରୁଦ୍ଧ ନୋହୁଁ; ହତବୁଦ୍ଧି ହେଉଅଛୁ, ତଥାପି ନିରାଶ ନୋହୁଁ; 9ତାଡ଼ନା ପ୍ରାପ୍ତ ହେଉଅଛୁ, ତଥାପି ପରିତ୍ୟକ୍ତ ନୋହୁଁ; ଅଧଃପତିତ ହେଉଅଛୁ, ତଥାପି ବିନଷ୍ଟ ନୋହୁଁ; 10ଆମ୍ଭେମାନେ ସର୍ବଦା ଯୀଶୁଙ୍କ ମୃତ୍ୟୁଭୋଗ ଶରୀରରେ ଅନୁଭବ କରୁଅଛୁ, ଯେପରି ଯୀଶୁଙ୍କ ଜୀବନ ମଧ୍ୟ ଆମ୍ଭମାନଙ୍କ ଶରୀରରେ ପ୍ରକାଶିତ ହୁଏ। 11କାରଣ ଯୀଶୁଙ୍କ ଜୀବନ ଯେପରି ଆମ୍ଭମାନଙ୍କ ମର୍ତ୍ତ୍ୟ ଶରୀରରେ ପ୍ରକାଶିତ ହୁଏ, ଏଥିପାଇଁ ଆମ୍ଭେମାନେ ଜୀବିତ ହେଲେ ହେଁ ସର୍ବଦା ଯୀଶୁଙ୍କ ସକାଶେ ମୃତ୍ୟୁମୁଖରେ ସମର୍ପିତ ହେଉଅଛୁ। 12ଏହି ପ୍ରକାରେ ଆମ୍ଭମାନଙ୍କଠାରେ ମୃତ୍ୟୁ, କିନ୍ତୁ ତୁମ୍ଭମାନଙ୍କଠାରେ ଜୀବନ କାର୍ଯ୍ୟ ସାଧନ କରୁଅଛି। 13“ମୁଁ ବିଶ୍ୱାସ କଲି, ଏଣୁ କଥା କହିଲି,” ଶାସ୍ତ୍ରରେ ଏହି ଲିଖିତ ବାକ୍ୟ ଅନୁସାରେ ସେହି ବିଶ୍ୱାସଜନକ ଆତ୍ମା ପାଇଥିବାରୁ ଆମ୍ଭେମାନେ ମଧ୍ୟ ବିଶ୍ୱାସ କରୁ, ଏଣୁ ମଧ୍ୟ କଥା କହୁ; 14କାରଣ ଆମ୍ଭେମାନେ ଜାଣୁ, ପ୍ରଭୁ ଯୀଶୁଙ୍କୁ ଯେ ଉଠାଇଲେ, ସେ ଆମ୍ଭମାନଙ୍କୁ ମଧ୍ୟ ଯୀଶୁଙ୍କ ସହିତ ଉଠାଇବେ ଓ ତାହାଙ୍କ ଛାମୁରେ ତୁମ୍ଭମାନଙ୍କ ସହିତ ଉପସ୍ଥିତ କରିବେ। 15ଯେଣୁ ସମସ୍ତ ବିଷୟ ତୁମ୍ଭମାନଙ୍କ ସକାଶେ ହେଉଅଛି, ସେହିପରି ଅନେକ ଲୋକଙ୍କଠାରେ ଅନୁଗ୍ରହ ଅତ୍ୟଧିକ ବୃଦ୍ଧି ପାଇ ଈଶ୍ବରଙ୍କ ଗୌରବାର୍ଥେ ବହୁଳ ଧନ୍ୟବାଦର କାରଣ ହେଉ।

ସୁସମାଚାର

ଲୂକ 22:39–42, 45–23:1

39ସେ ବାହାରି ଆପଣା ଧାରାନୁସାରେ ଜୀତ ପର୍ବତକୁ ଗଲେ, ଆଉ ଶିଷ୍ୟମାନେ ମଧ୍ୟ ତାହାଙ୍କ ପଛେ ପଛେ ଗଲେ। 40ସେହି ସ୍ଥାନରେ ଉପସ୍ଥିତ ହୋଇ ସେ ସେମାନଙ୍କୁ କହିଲେ, “ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ପ୍ରାର୍ଥନା କର।” 41ଆଉ ସେ ସେମାନଙ୍କଠାରୁ ପ୍ରାୟ ଶହେ ହାତ ଦୂରକୁ ଯାଇ ଆଣ୍ଠୁପାତି ଏହି ପ୍ରାର୍ଥନା କରିବାକୁ ଲାଗିଲେ, 42“ହେ ପିତା, ଯଦି ତୁମ୍ଭର ଇଚ୍ଛା ଥାଏ, ତେବେ ଏହି ପାନପାତ୍ର ମୋʼଠାରୁ ଦୂର କର; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ସଫଳ ହେଉ।” 45ଆଉ ସେ ପ୍ରାର୍ଥନାରୁ ଉଠି ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ ଦୁଃଖ ହେତୁ ନିଦ୍ରିତ ଦେଖିଲେ; 46ପୁଣି, ସେ ସେମାନଙ୍କୁ କହିଲେ, “କାହିଁକି ଶୋଉଅଛ? ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଉଠି ପ୍ରାର୍ଥନା କର।” 47ସେ କଥା କହୁଥିବା ସମୟରେ, ଦେଖ, ଲୋକସମୂହ ଆସି ଉପସ୍ଥିତ ହେଲେ, ଆଉ ଦ୍ୱାଦଶଙ୍କ ମଧ୍ୟରୁ ଯିହୂଦା ନାମକ ଜଣେ ସେମାନଙ୍କ ଆଗେ ଆଗେ ଆସି ଯୀଶୁଙ୍କୁ ଚୁମ୍ବନ କରିବାକୁ ତାହାଙ୍କ ପାଖକୁ ଗଲା। 48କିନ୍ତୁ ଯୀଶୁ ତାହାକୁ କହିଲେ, “ହେ ଯିହୂଦା, ଚୁମ୍ବନ ଦ୍ୱାରା କି ମନୁଷ୍ୟପୁତ୍ରଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରୁଅଛ?” 49ଏଥିରେ କଅଣ, ତାହା ଦେଖି ତାହାଙ୍କ ସଙ୍ଗୀମାନେ କହିଲେ, ପ୍ରଭୁ, ଆମ୍ଭେମାନେ କଅଣ ଖଡ୍ଗରେ ଆଘାତ କରିବା? 50ଆଉ ସେମାନଙ୍କ ମଧ୍ୟରୁ ଜଣେ ମହାଯାଜକଙ୍କ ଦାସକୁ ଖଣ୍ଡାରେ ଆଘାତ କରି ତାହାର ଡାହାଣ କାନ କାଟିପକାଇଲେ। 51କିନ୍ତୁ ଯୀଶୁ ଉତ୍ତର ଦେଲେ, “ଏତିକି ସହିଥାଅ;” ପୁଣି, ସେ ତାହାର କାନ ଛୁଇଁ ତାହାକୁ ସୁସ୍ଥ କଲେ। 52ଆଉ, ଯୀଶୁ ତାହାଙ୍କ ବିରୁଦ୍ଧରେ ଆସିଥିବା ପ୍ରଧାନ ଯାଜକ, ମନ୍ଦିରର ସେନାପତି ଓ ପ୍ରାଚୀନମାନଙ୍କୁ କହିଲେ, “ଡକାଇତ ବିରୁଦ୍ଧରେ ବାହାରିବା ପରି ଖଣ୍ଡା ଓ ଠେଙ୍ଗା ଘେନି ତୁମ୍ଭେମାନେ କଅଣ ବାହାରି ଆସିଲ? 53ମୁଁ ପ୍ରତିଦିନ ତୁମ୍ଭମାନଙ୍କ ସହିତ ମନ୍ଦିରରେ ଥିବା ସମୟରେ ତୁମ୍ଭେମାନେ ମୋ ବିରୁଦ୍ଧରେ ହାତ ବଢ଼ାଇଲ ନାହିଁ; କିନ୍ତୁ ଏହା ତୁମ୍ଭମାନଙ୍କର ସମୟ ଓ ଅନ୍ଧକାରର କର୍ତ୍ତାପଣ।” 54ପରେ ସେମାନେ ତାହାଙ୍କୁ ଘେନିଯାଇ ମହାଯାଜକଙ୍କ ଗୃହକୁ ଆଣିଲେ; କିନ୍ତୁ ପିତର ଦୂରରେ ରହି ପଛେ ପଛେ ଗଲେ। 55ଆଉ ସେମାନେ ପ୍ରାଙ୍ଗଣ ମଧ୍ୟସ୍ଥଳରେ ନିଆଁ ଜାଳି ଏକାଠି ବସନ୍ତେ ପିତର ସେମାନଙ୍କ ମଧ୍ୟରେ ବସି ରହିଲେ। 56ଜଣେ ଦାସୀ ତାହାଙ୍କୁ ନିଆଁ ପାଖରେ ବସିଥିବା ଦେଖି ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲା, ଏ ଲୋକଟା ମଧ୍ୟ ତାହା ସାଙ୍ଗରେ ଥିଲା। 57କିନ୍ତୁ ସେ ଅସ୍ୱୀକାର କରି କହିଲେ, ହେ ନାରୀ, ମୁଁ ତାହାକୁ ଜାଣେ ନାହିଁ। 58ଅଳ୍ପ ସମୟ ଉତ୍ତାରେ ଆଉ ଜଣେ ତାହାଙ୍କୁ ଦେଖି କହିଲା, ତୁମ୍ଭେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ। କିନ୍ତୁ ପିତର କହିଲେ, ନାହିଁ, ଭାଇ, ମୁଁ ନୁହେଁ। 59ପ୍ରାୟ ଘଣ୍ଟାକ ପରେ ଆଉ ଜଣେ ଦୃଢ଼ ଭାବରେ କହିବାକୁ ଲାଗିଲା, ଏ ଲୋକଟା ମଧ୍ୟ ନିଶ୍ଚୟ ତାହା ସଙ୍ଗରେ ଥିଲା, କାରଣ ସେ ତ ଗାଲିଲୀୟ ଲୋକ। 60କିନ୍ତୁ ପିତର କହିଲେ, ଭାଇ, ତୁମ୍ଭେ ଯାହା କହୁଅଛ, ମୁଁ ତାହା ଜାଣେ ନାହିଁ। ସେହିକ୍ଷଣି ସେ କହୁ କହୁ କୁକୁଡ଼ା ରାବିଲା; 61ପୁଣି, ପ୍ରଭୁ ବୁଲିପଡ଼ି ପିତରଙ୍କୁ ଏକଦୃଷ୍ଟିରେ ଚାହିଁଲେ; ସେଥିରେ “ଆଜି କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ,” ଏହି ଯେଉଁ କଥା ପ୍ରଭୁ ପିତରଙ୍କୁ କହିଥିଲେ ତାହା ତାହାଙ୍କ ମନରେ ପଡ଼ିଲା, 62ଆଉ ସେ ବାହାରକୁ ଯାଇ ଅତ୍ୟନ୍ତ ବ୍ୟାକୁଳ ହୋଇ ରୋଦନ କଲେ। 63ଆଉ ଯେଉଁ ଲୋକମାନେ ଯୀଶୁଙ୍କୁ ଧରି ରଖିଥିଲେ, ସେମାନେ ତାହାଙ୍କୁ ପ୍ରହାର କରୁ କରୁ ପରିହାସ କଲେ, 64ପୁଣି, ତାହାଙ୍କ ମୁହଁ ଘୋଡ଼ାଇ ତାହାଙ୍କୁ ପଚାରିବାକୁ ଲାଗିଲେ, ତୁ ପରା ଭାବବାଦୀ! କହ ତ କିଏ ତୋତେ ମାଇଲା? 65ପୁଣି, ସେମାନେ ଆହୁରି ଅନେକ କଥା ତାହାଙ୍କ ବିରୁଦ୍ଧରେ କହି ତାହାଙ୍କର ନିନ୍ଦା କରିବାକୁ ଲାଗିଲେ। 66ସକାଳ ହେଲାକ୍ଷଣି ଲୋକମାନଙ୍କର ପ୍ରାଚୀନବର୍ଗ ପୁଣି, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଏକତ୍ର ହୋଇ ଆପଣାମାନଙ୍କ ମହାସଭାକୁ ତାହାଙ୍କୁ ଘେନିଯାଇ କହିଲେ, ତୁମ୍ଭେ ଯଦି ଖ୍ରୀଷ୍ଟ, ତେବେ ଆମ୍ଭମାନଙ୍କୁ କୁହ। 67କିନ୍ତୁ ସେ ସେମାନଙ୍କୁ କହିଲେ, “ମୁଁ ଯଦି ଆପଣମାନଙ୍କୁ କହେ, ଆପଣମାନେ ତ ବିଶ୍ୱାସ କରିବେ ନାହିଁ; 68ପୁଣି, ମୁଁ ଯଦି ପ୍ରଶ୍ନ କରେ, ଆପଣମାନେ ଉତ୍ତର ଦେବେ ନାହିଁ। 69କିନ୍ତୁ ଏହାପରେ ମନୁଷ୍ୟପୁତ୍ର ଈଶ୍ବରଙ୍କ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହେବେ।” 70ସେଥିରେ ସମସ୍ତେ ପଚାରିଲେ, ତେବେ ତୁମ୍ଭେ କଅଣ ଈଶ୍ବରଙ୍କ ପୁତ୍ର? ସେ ସେମାନଙ୍କୁ କହିଲେ, “ମୁଁ ସେହି ବୋଲି ଆପଣମାନେ କହୁଅଛନ୍ତି।” 71ତେଣୁ ସେମାନେ କହିଲେ, ସାକ୍ଷ୍ୟରେ ଆମ୍ଭମାନଙ୍କର ଆଉ କଅଣ ପ୍ରୟୋଜନ? ଆମ୍ଭେମାନେ ତ ଆପେ ଆପେ ତାହାର ନିଜ ମୁଖରୁ ଏହା ଶୁଣିଲୁ। 23:1ପରେ ସଭାରେ ସମସ୍ତେ ଉଠି ପୀଲାତଙ୍କ ନିକଟକୁ ଯୀଶୁଙ୍କୁ ଘେନିଗଲେ।

ସୁସମାଚାର (ଅଗ୍ରଦୂତଙ୍କ ପାଇଁ)

ମାଥି 11:2–15

2ଏଥିମଧ୍ୟରେ ବାପ୍ତିଜକ ଯୋହନ ଖ୍ରୀଷ୍ଟଙ୍କ କର୍ମର ବିବରଣ କାରାଗାରରେ ଶୁଣି ଆପଣା ଶିଷ୍ୟମାନଙ୍କ ଦ୍ୱାରା ତାହାଙ୍କୁ ପଚାରି ପଠାଇଲେ, 3ଯାହାଙ୍କର ଆଗମନ ହେବ, ସେହି ବ୍ୟକ୍ତି କି ଆପଣ, ଅବା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ? 4ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ଯାଇ, ଯାହା ଯାହା ଶୁଣିଅଛ ଓ ଦେଖିଅଛ, ସେହିସବୁ ଯୋହନଙ୍କୁ ଜଣାଅ; 5ଅନ୍ଧମାନେ ଦୃଷ୍ଟି ପାଆନ୍ତି, ଖଞ୍ଜମାନେ ଗମନ କରନ୍ତି, କୁଷ୍ଠରୋଗୀମାନେ ଶୁଚି ହୁଅନ୍ତି, ବଧିରମାନେ ଶ୍ରବଣ କରନ୍ତି, ମୃତମାନେ ଉତ୍ଥାପିତ ହୁଅନ୍ତି, ପୁଣି, ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ; 6ଆଉ, ଯେ କେହି ମୋʼ ଠାରେ ବିଘ୍ନର କାରଣ ନ ପାଏ, ସେ ଧନ୍ୟ।” 7ସେମାନେ ଚାଲିଯାଉଥିବା ସମୟରେ ଯୀଶୁ ଯୋହନଙ୍କ ସମ୍ବନ୍ଧରେ ଲୋକସମୂହକୁ କହିବାକୁ ଲାଗିଲେ, “ତୁମ୍ଭେମାନେ କଅଣ ଦେଖିବା ପାଇଁ ପ୍ରାନ୍ତରକୁ ବାହାରିଯାଇଥିଲ? କଅଣ ପବନରେ ଦୋହଲୁଥିବା ଗୋଟିଏ ନଳ? 8ତାହାହେଲେ ତୁମ୍ଭେମାନେ କଅଣ ଦେଖିବା ପାଇଁ ବାହାରିଯାଇଥିଲ? କଅଣ ସୂକ୍ଷ୍ମ ବସ୍ତ୍ର ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ? ଦେଖ, ଯେଉଁମାନେ ସୂକ୍ଷ୍ମ ବସ୍ତ୍ର ପିନ୍ଧନ୍ତି, ସେମାନେ ରାଜପ୍ରାସାଦରେ ଥାଆନ୍ତି। 9ତାହା ନ ହେଲେ କି ନିମନ୍ତେ ବାହାରିଯାଇଥିଲ? କଅଣ ଜଣେ ଭାବବାଦୀଙ୍କୁ ଦେଖିବାକୁ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଭାବବାଦୀଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ ବ୍ୟକ୍ତିଙ୍କୁ; 10ଯାହାଙ୍କ ବିଷୟରେ ଏହା ଲେଖାଅଛି, ‘ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପଠାଉଅଛୁ, ସେ ତୁମ୍ଭ ସମ୍ମୁଖରେ ତୁମ୍ଭର ପଥ ପ୍ରସ୍ତୁତ କରିବ, ଏ ସେହି ବ୍ୟକ୍ତି।’ 11ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସ୍ତ୍ରୀଗର୍ଭଜାତ ସମସ୍ତଙ୍କ ମଧ୍ୟରେ ବାପ୍ତିଜକ ଯୋହନଙ୍କଠାରୁ ମହାନ କେହି ଉତ୍ପନ୍ନ ହୋଇ ନାହାନ୍ତି; ତଥାପି ସ୍ୱର୍ଗରାଜ୍ୟରେ ଯେ କ୍ଷୁଦ୍ରତମ, ସେ ତାହାଙ୍କଠାରୁ ମହାନ। 12ଆଉ, ବାପ୍ତିଜକ ଯୋହନଙ୍କ ସମୟଠାରୁ ଆଜି ପର୍ଯ୍ୟନ୍ତ ସ୍ୱର୍ଗରାଜ୍ୟ ବଳରେ ଆକ୍ରାନ୍ତ ହେଉଅଛି; ପୁଣି, ବଳରେ ଆକ୍ରମଣକାରୀମାନେ ପରାକ୍ରମରେ ତାହା ଅଧିକାର କରୁଅଛନ୍ତି। 13କାରଣ ସମସ୍ତ ଭାବବାଦୀ ଓ ମୋଶାଙ୍କ ବ୍ୟବସ୍ଥା ବାପ୍ତିଜକ ଯୋହନଙ୍କ ସମୟ ପର୍ଯ୍ୟନ୍ତ ଭାବବାଣୀ କରୁଥିଲେ। 14ଆଉ, ତୁମ୍ଭେମାନେ ଯେବେ ଗ୍ରହଣ କରିବାକୁ ଇଚ୍ଛା କର, ତେବେ ଯେଉଁ ଏଲୀୟଙ୍କ ଆସିବାର ଅଛି, ଏ ସେହି। 15ଯାହାର କାନ ଅଛି, ସେ ଶୁଣୁ।

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଫେବୃଆରୀ 24 ନାଗରିକ ପଞ୍ଜିକାର ମାର୍ଚ୍ଚ 9। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର