Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ପାଖାପାଖି ରାଜାବଳୀ ଓ ବଂଶାବଳୀ › ହିଜକୀୟଠାରୁ ଯୋଶୀୟ ପର୍ଯ୍ୟନ୍ତ

ପାଖାପାଖି ରାଜାବଳୀ ଓ ବଂଶାବଳୀ · ହିଜକୀୟଠାରୁ ଯୋଶୀୟ ପର୍ଯ୍ୟନ୍ତ

ଯିହୁଦାର ରାଜା ମନଃଶି

ଦ୍ଵି.ରା 21:1–18 · ଦ୍ଵି.ବଂ 33:1–20

ଦ୍ୱିତୀୟ ରାଜାବଳୀ

ଦ୍ଵି.ରା 21:1–18

1ମନଃଶି ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବାର ବର୍ଷ ବୟସ୍କ ଥିଲେ ଓ ସେ ଯିରୂଶାଲମରେ ପଞ୍ଚାବନ ବର୍ଷ ରାଜ୍ୟ କଲେ ଆଉ ତାଙ୍କର ମାତାଙ୍କ ନାମ ହୀଫ୍ସୀବା ଥିଲା।

2ପୁଣି ସଦାପ୍ରଭୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଦୂର କରି ଦେଇଥିଲେ, ସେମାନଙ୍କର ଘୃଣାଯୋଗ୍ୟ କ୍ରିୟାନୁସାରେ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।

3କାରଣ ତାଙ୍କର ପିତା ହିଜକୀୟ ଯେଉଁ ଉଚ୍ଚସ୍ଥଳୀମାନ ବିନାଶ କରିଥିଲେ, ସେ ପୁନର୍ବାର ତାହାସବୁ ନିର୍ମାଣ କଲେ ଓ ଇସ୍ରାଏଲର ରାଜା ଆହାବ ଯେପରି କରିଥିଲେ, ସେପରି ସେ ବାଲ୍‍ ନିମନ୍ତେ ଯଜ୍ଞବେଦିମାନ ପ୍ରସ୍ତୁତ କଲେ, ଓ ଆଶେରା ମୂର୍ତ୍ତି ନିର୍ମାଣ କଲେ, ଓ ଆକାଶସ୍ଥ ବାହିନୀ ସକଳକୁ ପୂଜା କରି ସେମାନଙ୍କର ସେବା କଲେ।

4“ପୁଣି ଆମ୍ଭେ ଯିରୂଶାଲମରେ ଆପଣା ନାମ ସ୍ଥାପନ କରିବା” ବୋଲି ସଦାପ୍ରଭୁ ଯେଉଁ ଗୃହ ବିଷୟରେ କହିଥିଲେ, ସଦାପ୍ରଭୁଙ୍କ ସେହି ଗୃହରେ ସେ ଯଜ୍ଞବେଦିମାନ ନିର୍ମାଣ କଲେ।

5ଆହୁରି ସେ ସଦାପ୍ରଭୁଙ୍କ ଗୃହର ଦୁଇ ପ୍ରାଙ୍ଗଣରେ ଆକାଶସ୍ଥ ବାହିନୀ ସକଳ ନିମନ୍ତେ ଯଜ୍ଞବେଦିମାନ ନିର୍ମାଣ କଲେ।

6ପୁଣି ସେ ଆପଣା ପୁତ୍ରକୁ ଅଗ୍ନି ମଧ୍ୟଦେଇ ଗମନ କରାଇଲେ ଓ ଶୁଭାଶୁଭ କହିବାର ବିଦ୍ୟା, ଓ ଗଣକତା ବ୍ୟବହାର କଲେ, ଆଉ ଭୂତୁଡ଼ିଆ ଓ ଗୁଣିଆମାନଙ୍କ ସହିତ ସମ୍ପର୍କ ରଖିଲେ। ସେ ସଦାପ୍ରଭୁଙ୍କୁ ବିରକ୍ତ କରିବା ନିମନ୍ତେ ତାହାଙ୍କ ଦୃଷ୍ଟିରେ ବହୁତ କୁକର୍ମ କଲେ।

7ଆହୁରି ସେ ମନ୍ଦିରରେ ଆପଣା ନିର୍ମିତ ଆଶେରାର ଖୋଦିତ ମୂର୍ତ୍ତି ସ୍ଥାପନ କଲେ। ସେହି ମନ୍ଦିର ବିଷୟରେ ସଦାପ୍ରଭୁ ଦାଉଦଙ୍କୁ ଓ ତାଙ୍କର ପୁତ୍ର ଶଲୋମନଙ୍କୁ କହିଥିଲେ, “ଏହି ଗୃହରେ ଓ ଇସ୍ରାଏଲର ସମୁଦାୟ ଗୋଷ୍ଠୀ ମଧ୍ୟରୁ ଆମ୍ଭର ମନୋନୀତ ଯିରୂଶାଲମରେ ଆମ୍ଭେ ଆପଣା ନାମ ଚିରକାଳ ସ୍ଥାପନ କରିବା।

8ପୁଣି ଆମ୍ଭେ ସେମାନଙ୍କୁ ଯେଉଁ ସମସ୍ତ ଆଜ୍ଞା ଦେଇଅଛୁ ଓ ଆମ୍ଭ ସେବକ ମୋଶା ସେମାନଙ୍କୁ ଯେସମସ୍ତ ବ୍ୟବସ୍ଥା ଆଜ୍ଞା କରିଅଛି, କେବଳ ତଦନୁସାରେ ଆଚରଣ କରିବାକୁ ଯଦି ସେମାନେ ମନୋଯୋଗୀ ହେବେ, ତେବେ ଆମ୍ଭେ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଅଛୁ, ତହିଁରୁ ଇସ୍ରାଏଲର ପାଦକୁ ଆଉ ଭ୍ରମଣ କରାଇବା ନାହିଁ।”

9ମାତ୍ର ସେମାନେ ଶୁଣିଲେ ନାହିଁ; ପୁଣି ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରେ ଯେଉଁ ଦେଶୀୟମାନଙ୍କୁ ବିନାଶ କରିଥିଲେ, ସେମାନଙ୍କ ଅପେକ୍ଷା ଅଧିକ କୁକର୍ମ କରିବାକୁ ମନଃଶି ସେମାନଙ୍କୁ ଭୁଲାଇଲେ।

10ଏଥିରେ ସଦାପ୍ରଭୁ ଆପଣା ସେବକ ଭବିଷ୍ୟଦ୍‍ବକ୍ତାଗଣ ଦ୍ୱାରା ଏହି କଥା କହିଲେ,

11“ଯିହୁଦାର ରାଜା ମନଃଶି ଏହି ସକଳ ଘୃଣାଯୋଗ୍ୟ କର୍ମ କରିଅଛି ଓ ତାହାର ପୂର୍ବେ ଯେଉଁ ଇମୋରୀୟମାନେ ଥିଲେ, ସେମାନଙ୍କ ଅପେକ୍ଷା ଅଧିକ ଦୁଷ୍କର୍ମ କରିଅଛି ଓ ଯିହୁଦାକୁ ମଧ୍ୟ ଆପଣା ପ୍ରତିମାଗଣ ଦ୍ୱାରା ପାପ କରାଇଅଛି।

12ଏହେତୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଦେଖ, ଆମ୍ଭେ ଯିରୂଶାଲମ ଓ ଯିହୁଦା ଉପରେ ଏପରି ଅମଙ୍ଗଳ ଆଣିବା ଯେ, କେହି ତାହା ଶୁଣିଲେ ତାହାର ଦୁଇ କର୍ଣ୍ଣ ଝାଁ ଝାଁ ହେବ।

13ପୁଣି ଆମ୍ଭେ ଯିରୂଶାଲମ ଉପରେ ଶମରୀୟାର ରଜ୍ଜୁ ଓ ଆହାବ-ବଂଶର ଓଳମ ଟାଣିବା ଓ ମନୁଷ୍ୟ ଯେପରି ଥାଳୀ ପୋଛେ, ଆଉ ପୋଛୁ ପୋଛୁ ତାହା ଓଲଟପାଲଟ କରେ, ସେପରି ଆମ୍ଭେ ଯିରୂଶାଲମକୁ ପୋଛି ପକାଇବା।

14ଆଉ ଆମ୍ଭେ ଆପଣା ଅଧିକାରର ଅବଶିଷ୍ଟାଂଶକୁ ଦୂର କରିବା ଓ ସେମାନଙ୍କୁ ସେମାନଙ୍କ ଶତ୍ରୁଗଣ ହସ୍ତରେ ସମର୍ପଣ କରିବା। ତହିଁରେ ସେମାନେ ଆପଣା ଶତ୍ରୁ ସମସ୍ତଙ୍କର ମୃଗୟା ଓ ଲୁଟ ସ୍ୱରୂପ ହେବେ।

15କାରଣ ସେମାନେ ଆମ୍ଭ ଦୃଷ୍ଟିରେ କୁକର୍ମ କରିଅଛନ୍ତି ଓ ସେମାନେ ଆପଣା ପିତୃଗଣ ମିସରରୁ ବାହାରି ଆସିବାର ଦିନଠାରୁ ଆଜି ପର୍ଯ୍ୟନ୍ତ ଆମ୍ଭକୁ ବିରକ୍ତ କରିଅଛନ୍ତି।”

16ଆହୁରି ମନଃଶି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କରି ଆପଣାର ସେହି ପାପ ଦ୍ୱାରା ଯିହୁଦାକୁ ପାପ କରାଇବା ଛଡ଼ା ସେ ବହୁତ ନିର୍ଦ୍ଦୋଷ ରକ୍ତପାତ କରି ଯିରୂଶାଲମକୁ ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ରକ୍ତରେ ପରିପୂର୍ଣ୍ଣ କଲେ।

17ଏହି ମନଃଶିଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଓ ତାଙ୍କର ପାପ କʼଣ ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?

18ଏଥିଉତ୍ତାରେ ମନଃଶି ମୃତ୍ୟୁବରଣ କଲେ ଓ ଆପଣା ଗୃହର ଉଦ୍ୟାନରେ, ଅର୍ଥାତ୍‍, ଉଷର ଉଦ୍ୟାନରେ କବରପ୍ରାପ୍ତ ହେଲେ। ତହୁଁ ତାଙ୍କର ପୁତ୍ର ଆମୋନ୍‍ ତାଙ୍କର ପଦରେ ରାଜ୍ୟ କଲେ।

ଦ୍ୱିତୀୟ ବଂଶାବଳୀ

ଦ୍ଵି.ବଂ 33:1–20

1ମନଃଶି ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବାର ବର୍ଷ ବୟସ୍କ ଥିଲେ ଓ ସେ ଯିରୂଶାଲମରେ ପଞ୍ଚାବନ ବର୍ଷ ରାଜ୍ୟ କଲେ।

2ପୁଣି, ସଦାପ୍ରଭୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଦୂର କରି ଦେଇଥିଲେ, ସେମାନଙ୍କ ଘୃଣାଯୋଗ୍ୟ କ୍ରିୟାନୁସାରେ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।

3କାରଣ ତାଙ୍କର ପିତା ହିଜକୀୟ ଯେଉଁ ଉଚ୍ଚସ୍ଥଳୀମାନ ଭାଙ୍ଗି ପକାଇଥିଲେ, ସେ ପୁନର୍ବାର ତାହାସବୁ ନିର୍ମାଣ କଲେ ଓ ସେ ବାଲ୍‍ଦେବଗଣ ନିମନ୍ତେ ଯଜ୍ଞବେଦି ପ୍ରସ୍ତୁତ କଲେ ଓ ଆଶେରା ମୂର୍ତ୍ତି ନିର୍ମାଣ କଲେ ଓ ଆକାଶସ୍ଥ ସକଳ ବାହିନୀକୁ ପୂଜା କରି ସେମାନଙ୍କର ସେବା କଲେ।

4ପୁଣି, “ଯିରୂଶାଲମରେ ଆମ୍ଭର ନାମ ସଦାକାଳ ସ୍ଥାପିତ ହେବ” ବୋଲି ସଦାପ୍ରଭୁ ଯେଉଁ ଗୃହ ବିଷୟରେ କହିଥିଲେ, ସଦାପ୍ରଭୁଙ୍କ ସେହି ଗୃହରେ ସେ ଯଜ୍ଞବେଦିମାନ ନିର୍ମାଣ କଲେ।

5ଆହୁରି, ସେ ସଦାପ୍ରଭୁଙ୍କ ଗୃହର ଦୁଇ ପ୍ରାଙ୍ଗଣରେ ଆକାଶସ୍ଥ ସକଳ ବାହିନୀ ନିମନ୍ତେ ଯଜ୍ଞବେଦି ନିର୍ମାଣ କଲେ।

6ମଧ୍ୟ ସେ ହିନ୍ନୋମ ପୁତ୍ରର ଉପତ୍ୟକାରେ ଆପଣା ସନ୍ତାନସନ୍ତତିମାନଙ୍କୁ ଅଗ୍ନି ମଧ୍ୟଦେଇ ଗମନ କରାଇଲେ; ଆଉ, ସେ ଶୁଭାଶୁଭ କହିବାର ବିଦ୍ୟା ଓ ଗଣକତା ବ୍ୟବହାର କଲେ ଓ ମାୟାକର୍ମ କଲେ, ପୁଣି ଭୂତୁଡ଼ିଆ ଓ ଗୁଣିଆମାନଙ୍କ ସହିତ ବ୍ୟବହାର କଲେ; ସେ ସଦାପ୍ରଭୁଙ୍କୁ ବିରକ୍ତ କରିବା ନିମନ୍ତେ ତାହାଙ୍କ ଦୃଷ୍ଟିରେ ବହୁତ କୁକର୍ମ କଲେ।

7ଆଉ, ସେ ଆପଣା ନିର୍ମିତ ଦେବତାର ଖୋଦିତ ପ୍ରତିମା ପରମେଶ୍ୱରଙ୍କ ଗୃହରେ ସ୍ଥାପନ କଲେ; ସେହି ଗୃହ ବିଷୟରେ ପରମେଶ୍ୱର ଦାଉଦଙ୍କୁ ଓ ତାଙ୍କ ପୁତ୍ର ଶଲୋମନଙ୍କୁ କହିଥିଲେ, “ଏହି ଗୃହରେ ଓ ଇସ୍ରାଏଲର ସମୁଦାୟ ଗୋଷ୍ଠୀ ମଧ୍ୟରୁ ଆମ୍ଭର ମନୋନୀତ ଯିରୂଶାଲମରେ ଆମ୍ଭେ ଆପଣା ନାମ ସଦାକାଳ ସ୍ଥାପନ କରିବା;

8ପୁଣି, ଆମ୍ଭେ ସେମାନଙ୍କୁ ଯେସମସ୍ତ ଆଜ୍ଞା ଦେଇଅଛୁ, ଅର୍ଥାତ୍‍, ମୋଶାର ହସ୍ତ ଦ୍ୱାରା ଯେସମସ୍ତ ବ୍ୟବସ୍ଥା, ବିଧି ଓ ବିଧାନ ଦେଇଅଛୁ, କେବଳ ତଦନୁସାରେ କର୍ମ କରିବା ପାଇଁ ଯେବେ ସେମାନେ ମନୋଯୋଗୀ ହେବେ, ତେବେ ଆମ୍ଭେ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିମନ୍ତେ ଯେଉଁ ଦେଶ ନିରୂପଣ କରିଅଛୁ, ତହିଁରୁ ଇସ୍ରାଏଲର ପାଦକୁ ଆଉ ସ୍ଥାନାନ୍ତରିତ କରିବା ନାହିଁ।”

9ମାତ୍ର ମନଃଶି ଯିହୁଦା ଓ ଯିରୂଶାଲମ ନିବାସୀମାନଙ୍କୁ ବିପଥଗାମୀ କରାଇଲେ, ତହିଁରେ ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଯେଉଁ ଦେଶୀୟମାନଙ୍କୁ ବିନାଶ କରିଥିଲେ, ସେମାନଙ୍କ କ୍ରିୟା ଅପେକ୍ଷା ସେମାନେ ଅଧିକ କୁକ୍ରିୟା କଲେ।

10ତହୁଁ ସଦାପ୍ରଭୁ ମନଃଶି ଓ ତାଙ୍କର ଲୋକମାନଙ୍କୁ ନାନା କଥା କହିଲେ, ମାତ୍ର ସେମାନେ କିଛି ମନୋଯୋଗ କଲେ ନାହିଁ।

11ଏହେତୁ ସଦାପ୍ରଭୁ ସେମାନଙ୍କ ପ୍ରତିକୂଳରେ ଅଶୂରୀୟ ରାଜାର ସେନାପତିମାନଙ୍କୁ ଆଣିଲେ, ତହିଁରେ ସେମାନେ ମନଃଶିଙ୍କୁ ବେଡ଼ିରେ ଧରି ଶିକୁଳିରେ ବାନ୍ଧି ବାବିଲକୁ ନେଇଗଲେ।

12ପୁଣି, ସେ ଦୁଃଖରେ ଥିବା ବେଳେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କର ଅନ୍ୱେଷଣ କଲେ ଓ ଆପଣା ପୂର୍ବପୁରୁଷଗଣର ପରମେଶ୍ୱରଙ୍କ ଛାମୁରେ ଆପଣାକୁ ଅତିଶୟ ନମ୍ର କଲେ।

13ଆଉ, ସେ ତାହାଙ୍କ ନିକଟରେ ପ୍ରାର୍ଥନା କରନ୍ତେ, ସେ ତାଙ୍କ ପ୍ରତି ପ୍ରସନ୍ନ ହେଲେ ଓ ତାଙ୍କର ନିବେଦନ ଶୁଣି ତାଙ୍କୁ ପୁନର୍ବାର ତାଙ୍କର ରାଜ୍ୟ ଯିରୂଶାଲମକୁ ଆଣିଲେ। ସେତେବେଳେ ମନଃଶି ଜାଣିଲେ ଯେ, ସଦାପ୍ରଭୁ ପରମେଶ୍ୱର ଅଟନ୍ତି।

14ଏଥିଉତ୍ତାରେ ସେ ଗୀହୋନର ପଶ୍ଚିମ ପାର୍ଶ୍ଵରେ ଉପତ୍ୟକା ମଧ୍ୟରେ ମତ୍ସ୍ୟ ଦ୍ୱାରର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ଦାଉଦ-ନଗରର ବାହାର-ପ୍ରାଚୀର ନିର୍ମାଣ କଲେ; ଆଉ, ସେ ଓଫଲର ଚତୁର୍ଦ୍ଦିଗ ବେଷ୍ଟନ କରି ପ୍ରାଚୀର ଅତି ଉଚ୍ଚ କଲେ ଓ ଯିହୁଦାର ପ୍ରାଚୀର-ବେଷ୍ଟିତ ନଗରସମୂହରେ ବିକ୍ରମୀ ସେନାପତିମାନଙ୍କୁ ନିଯୁକ୍ତ କଲେ।

15ଆଉ, ସେ ଅନ୍ୟ ଦେବଗଣକୁ ଓ ସଦାପ୍ରଭୁଙ୍କ ଗୃହସ୍ଥିତ ପ୍ରତିମାକୁ ଦୂର କଲେ ଓ ସେ ସଦାପ୍ରଭୁଙ୍କ ଗୃହର ପର୍ବତରେ ଓ ଯିରୂଶାଲମରେ ଆପଣାର ନିର୍ମିତ ସମସ୍ତ ଯଜ୍ଞବେଦି ନଗରର ବାହାରେ ପକାଇଦେଲେ।

16ପୁଣି, ସେ ସଦାପ୍ରଭୁଙ୍କ ଯଜ୍ଞବେଦି ନିର୍ମାଣ କରି ତହିଁ ପରେ ମଙ୍ଗଳାର୍ଥକ ଓ ପ୍ରଶଂସାର୍ଥକ ବଳି ଉତ୍ସର୍ଗ କଲେ ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସେବା କରିବା ପାଇଁ ଯିହୁଦାକୁ ଆଜ୍ଞା କଲେ।

17ତଥାପି ଲୋକମାନେ ଉଚ୍ଚସ୍ଥଳୀରେ ବଳିଦାନ କଲେ, ମାତ୍ର ତାହା କେବଳ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ କଲେ।

18ଏହି ମନଃଶିଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ଆପଣା ପରମେଶ୍ୱରଙ୍କ ନିକଟରେ ତାଙ୍କର ପ୍ରାର୍ଥନା ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମରେ ତାଙ୍କ ପ୍ରତି ଉକ୍ତ ଦର୍ଶକମାନଙ୍କ ବାକ୍ୟ, ଏହିସବୁ ଇସ୍ରାଏଲର ରାଜାମାନଙ୍କ ଇତିହାସରେ ଲିଖିତ ଅଛି।

19ମଧ୍ୟ ତାଙ୍କର ପ୍ରାର୍ଥନା ଓ ପରମେଶ୍ୱର ତାଙ୍କ ପ୍ରତି କିପରି ପ୍ରସନ୍ନ ହେଲେ ଓ ତାଙ୍କର ସକଳ ପାପ ଓ ସତ୍ୟ-ଲଙ୍ଘନ ଓ ସେ ଆପଣାକୁ ନମ୍ର କରିବା ପୂର୍ବେ ଯେଉଁ ଯେଉଁ ସ୍ଥାନରେ ଉଚ୍ଚସ୍ଥଳୀ ନିର୍ମାଣ କରିଥିଲେ, ଆଉ ଆଶେରା ମୂର୍ତ୍ତି ଓ ଖୋଦିତ ପ୍ରତିମା ସ୍ଥାପନ କରିଥିଲେ; ଦେଖ, ତାହାସବୁ ହୋଶେୟର ପୁସ୍ତକରେ ଲିଖିତ ଅଛି।

20ଏଥିଉତ୍ତାରେ ମନଃଶିଙ୍କ ମୃତ୍ୟୁ ପରେ, ଲୋକମାନେ ତାଙ୍କୁ ତାଙ୍କର ନିଜ ଗୃହରେ କବର ଦେଲେ; ତହୁଁ ତାଙ୍କର ପୁତ୍ର ଆମୋନ୍‍ ତାଙ୍କର ପଦରେ ରାଜ୍ୟ କଲେ।

ଚିହ୍ନିତ: ଆପଣ ପଢ଼ୁଥିବା ଅନୁବାଦରେ ପ୍ରତ୍ୟେକ ବିବରଣରେ ଥିବା ଶବ୍ଦ। ସବୁଠାରୁ ବାରମ୍ବାର ଶବ୍ଦ (“ଓ”, “ସେ”) ଚିହ୍ନିତ ହୁଏ ନାହିଁ; ଅନ୍ୟ ରୂପରେ ଥିବା ଶବ୍ଦ ଚିହ୍ନିତ ନ ହୋଇପାରେ।

ଉତ୍ସ: OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର