Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ପାଖାପାଖି ରାଜାବଳୀ ଓ ବଂଶାବଳୀ › ଯିହୁଦାର ରାଜାଗଣ

ପାଖାପାଖି ରାଜାବଳୀ ଓ ବଂଶାବଳୀ · ଯିହୁଦାର ରାଜାଗଣ

ଯୋୟାଶ୍‍ଙ୍କ ଅନ୍ତ

ଦ୍ଵି.ରା 12:17–21 · ଦ୍ଵି.ବଂ 24:23–27

ଦ୍ୱିତୀୟ ରାଜାବଳୀ

ଦ୍ଵି.ରା 12:17–21

17ସେସମୟରେ ଅରାମର ରାଜା ହସାୟେଲ ଯାତ୍ରା କରି ଗାଥ୍‍ ବିରୁଦ୍ଧରେ ଯୁଦ୍ଧ କରି ତାହା ହସ୍ତଗତ କଲା; ତହିଁ ଉତ୍ତାରେ ହସାୟେଲ ଯିରୂଶାଲମ ଆଡ଼କୁ ଯିବା ପାଇଁ ମୁଖ କଲା।

18ତହିଁରେ ଯିହୁଦାର ରାଜା ଯୋୟାଶ୍‍ ଆପଣା ପୂର୍ବପୁରୁଷ ଯିହୋଶାଫଟ୍‍ ଓ ଯିହୋରାମ୍‍ ଓ ଅହସୀୟ, ଯିହୁଦାର ଏହି ରାଜାମାନଙ୍କ ପ୍ରତିଷ୍ଠିତ ସମସ୍ତ ପବିତ୍ରୀକୃତ ବସ୍ତୁ ଓ ଆପଣାର ପବିତ୍ରୀକୃତ ବସ୍ତୁ ଓ ସଦାପ୍ରଭୁଙ୍କ ଗୃହର ଭଣ୍ଡାରରେ ଓ ରାଜଗୃହସ୍ଥ ଭଣ୍ଡାରରେ ପ୍ରାପ୍ତ ସମସ୍ତ ସ୍ୱର୍ଣ୍ଣ ନେଇ ଅରାମର ରାଜା ହସାୟେଲ ନିକଟକୁ ପଠାଇଲେ; ତହୁଁ ସେ ଯିରୂଶାଲମରୁ ବାହାରିଗଲା।

19ଏହି ଯୋୟାଶ୍‍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା କʼଣ ଯିହୁଦାର ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?

20ଏଥିଉତ୍ତାରେ ତାଙ୍କର ଦାସମାନେ ଉଠି ଚକ୍ରାନ୍ତ କରି ସିଲ୍ଲାକୁ ଯିବା ପଥରେ ମିଲ୍ଲୋ ନାମକ ଗୃହରେ ଯୋୟାଶ୍‍ଙ୍କୁ ବଧ କଲେ।

21ଶିମୀୟତର ପୁତ୍ର ଯୋଷାଖର୍‍ ଓ ଶୋମରର ପୁତ୍ର ଯିହୋଷାବଦ୍‍ ନାମକ ତାଙ୍କର ଏହି ଦାସମାନେ ତାଙ୍କୁ ଆଘାତ କରନ୍ତେ, ସେ ମଲେ; ତହିଁରେ ସେମାନେ ଦାଉଦ-ନଗରରେ ଯୋୟାଶ୍‍ଙ୍କୁ ତାଙ୍କର ପିତୃଲୋକଙ୍କ ସହିତ କବର ଦେଲେ; ପୁଣି ତାଙ୍କ ପୁତ୍ର ଅମତ୍‍ସୀୟ ତାଙ୍କ ପଦରେ ରାଜ୍ୟ କଲେ।

ଦ୍ୱିତୀୟ ବଂଶାବଳୀ

ଦ୍ଵି.ବଂ 24:23–27

23ଏଥିଉତ୍ତାରେ ବର୍ଷ ଶେଷରେ ଅରାମୀୟ ସୈନ୍ୟ ତାଙ୍କର ପ୍ରତିକୂଳରେ ଆସିଲେ; ପୁଣି ସେମାନେ ଯିହୁଦା ଓ ଯିରୂଶାଲମକୁ ଆସି ଲୋକମାନଙ୍କ ମଧ୍ୟରୁ ସେମାନଙ୍କ ସମସ୍ତ ଅଧିପତିଙ୍କୁ ବିନାଶ କଲେ ଓ ସେମାନଙ୍କଠାରୁ ସକଳ ଲୁଟଦ୍ରବ୍ୟ ନେଇ ଦମ୍ମେଶକର ରାଜା ନିକଟକୁ ପଠାଇଲେ।

24ଅରାମୀୟ ସୈନ୍ୟ ଅଳ୍ପ ଲୋକଦଳ ନେଇ ଆସିଥିଲେ; ତଥାପି ସଦାପ୍ରଭୁ ସେମାନଙ୍କ ହସ୍ତରେ ମହାସୈନ୍ୟଦଳକୁ ସମର୍ପଣ କଲେ, କାରଣ ସେମାନେ ସଦାପ୍ରଭୁ ଆପଣାମାନଙ୍କ ପିତୃଗଣର ପରମେଶ୍ୱରଙ୍କୁ ପରିତ୍ୟାଗ କରିଥିଲେ। ଏହିରୂପେ ସେମାନେ ଯୋୟାଶ୍‍ଙ୍କ ଉପରେ ଦଣ୍ଡାଜ୍ଞା ସଫଳ କଲେ।

25ଆଉ, ସେମାନେ ତାଙ୍କ ନିକଟରୁ ପ୍ରସ୍ଥାନ କଲା ଉତ୍ତାରେ ତାଙ୍କର ନିଜ ଦାସମାନେ ଯିହୋୟାଦା ଯାଜକର ପୁତ୍ରମାନଙ୍କ ରକ୍ତପାତ ସକାଶୁ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରି ତାଙ୍କର ଶଯ୍ୟାରେ ତାଙ୍କୁ ବଧ କରନ୍ତେ, ସେ ମଲେ, କାରଣ ଅରାମୀୟ ସୈନ୍ୟ ତାଙ୍କୁ ମହାପୀଡ଼ିତାବସ୍ଥାରେ ଛାଡ଼ି ଯାଇଥିଲେ; ତହିଁରେ ଲୋକମାନେ ତାଙ୍କୁ ଦାଉଦ-ନଗରରେ କବର ଦେଲେ, ମାତ୍ର ରାଜାମାନଙ୍କ କବରରେ କବର ଦେଲେ ନାହିଁ।

26ଅମ୍ମୋନୀୟା ଶିମୀୟତର ପୁତ୍ର ସାବଦ୍‍ ଓ ମୋୟାବ ବଂଶୀୟା ଶିମ୍ରୀତର ପୁତ୍ର ଯିହୋଷାବଦ୍‍, ଏମାନେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରିଥିଲେ।

27ତାଙ୍କ ପୁତ୍ରମାନଙ୍କ କଥା ଓ ତାଙ୍କ ଉପରେ ଥିବା ଭାରର ଗୁରୁତ୍ୱ ଓ ପରମେଶ୍ୱରଙ୍କ ଗୃହର ପୁନଃନିର୍ମାଣ ବିବରଣ, ଦେଖ, ଏସବୁ ରାଜାବଳୀ ପୁସ୍ତକର ଟୀକାରେ ଲିଖିତ ଅଛି। ଏଉତ୍ତାରେ ତାଙ୍କର ପୁତ୍ର ଅମତ୍‍ସୀୟ ତାଙ୍କ ପଦରେ ରାଜ୍ୟ କଲେ।

ଚିହ୍ନିତ: ଆପଣ ପଢ଼ୁଥିବା ଅନୁବାଦରେ ପ୍ରତ୍ୟେକ ବିବରଣରେ ଥିବା ଶବ୍ଦ। ସବୁଠାରୁ ବାରମ୍ବାର ଶବ୍ଦ (“ଓ”, “ସେ”) ଚିହ୍ନିତ ହୁଏ ନାହିଁ; ଅନ୍ୟ ରୂପରେ ଥିବା ଶବ୍ଦ ଚିହ୍ନିତ ନ ହୋଇପାରେ।

ଉତ୍ସ: OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର