Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ପାଖାପାଖି ରାଜାବଳୀ ଓ ବଂଶାବଳୀ › ଶଲୋମନ

ପାଖାପାଖି ରାଜାବଳୀ ଓ ବଂଶାବଳୀ · ଶଲୋମନ

ଶଲୋମନ ଓ ହୂରମ୍‍ ନିର୍ମାଣର ପ୍ରସ୍ତୁତି କରନ୍ତି

ପ୍ର.ରା 5:1–12 · ଦ୍ଵି.ବଂ 2:1–16

ପ୍ରଥମ ରାଜାବଳୀ

ପ୍ର.ରା 5:1–12

1ଏଥିଉତ୍ତାରେ ସୋରର ରାଜା ହୂରମ୍‍ ଶଲୋମନଙ୍କ ନିକଟକୁ ଆପଣା ଦାସମାନଙ୍କୁ ପଠାଇଲା; କାରଣ ଲୋକମାନେ ତାଙ୍କ ପିତାଙ୍କର ବଦଳେ ତାଙ୍କୁ ରାଜାଭିଷିକ୍ତ କଲେ ବୋଲି ସେ ଶୁଣିଥିଲା; ଆଉ ଦାଉଦ ସର୍ବଦା ହୂରମ୍‍ର ପ୍ରିୟପାତ୍ର ଥିଲେ।

2ଏଣୁ ଶଲୋମନ ହୂରମ୍‍ ନିକଟକୁ ଏହି କଥା କହି ପଠାଇଲେ,

3“ଆପଣ ଜାଣନ୍ତି, ମୋʼ ପିତା ଦାଉଦ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ଗୋଟିଏ ଗୃହ ନିର୍ମାଣ କରି ପାରିଲେ ନାହିଁ, କାରଣ ସଦାପ୍ରଭୁ (ଶତ୍ରୁମାନଙ୍କୁ) ତାଙ୍କର ପଦତଳସ୍ଥ କରିବା ପର୍ଯ୍ୟନ୍ତ ତାଙ୍କ ଚାରିଆଡ଼େ ଯୁଦ୍ଧ ଘେରିଥିଲା।

4ମାତ୍ର ଏବେ ସଦାପ୍ରଭୁ ମୋʼ ପରମେଶ୍ୱର ଚତୁର୍ଦ୍ଦିଗରେ ମୋତେ ବିଶ୍ରାମ ଦେଇଅଛନ୍ତି; ବିପକ୍ଷ କେହି ନାହିଁ, ବା ବିପଦ-ଘଟଣା କିଛି ନାହିଁ।

5ଏହେତୁ ଦେଖନ୍ତୁ, ସଦାପ୍ରଭୁ ମୋʼ ପରମେଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ମୁଁ ଗୋଟିଏ ଗୃହ ନିର୍ମାଣ କରିବାକୁ ମନସ୍ଥ କରୁଅଛି, କାରଣ ସଦାପ୍ରଭୁ ମୋʼ ପିତା ଦାଉଦଙ୍କୁ କହିଥିଲେ, ‘ଆମ୍ଭେ ତୁମ୍ଭ ବଦଳେ ତୁମ୍ଭର ଯେଉଁ ପୁତ୍ରକୁ ତୁମ୍ଭ ସିଂହାସନରେ ବସାଇବା, ସେ ଆମ୍ଭ ନାମ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବ।’

6ଏଣୁ ଏବେ ମୋʼ ପାଇଁ ଲିବାନୋନରୁ ଏରସ ବୃକ୍ଷ କାଟିବାକୁ ଆପଣ ଲୋକମାନଙ୍କୁ ଆଜ୍ଞା ଦେଉନ୍ତୁ; ପୁଣି, ମୋʼ ଦାସମାନେ ଆପଣଙ୍କ ଦାସମାନଙ୍କ ସଙ୍ଗରେ ଥିବେ; ଆଉ ଆପଣ ଯାହା କହିବେ, ତଦନୁସାରେ ଆପଣଙ୍କ ଦାସମାନଙ୍କ ପାଇଁ ମୁଁ ଆପଣଙ୍କୁ ମୂଲ ଦେବି; କାରଣ, ଆପଣ ଜାଣନ୍ତି ଯେ, କାଠ କାଟିବା କାର୍ଯ୍ୟରେ ସୀଦୋନୀୟମାନଙ୍କ ପରି ନିପୁଣ ଲୋକ ଆମ୍ଭମାନଙ୍କ ମଧ୍ୟରେ କେହି ନାହିଁ।”

7ସେତେବେଳେ ହୂରମ୍‍ ଶଲୋମନଙ୍କର ଏହି କଥା ଶୁଣନ୍ତେ, ଅତି ଆନନ୍ଦିତ ହୋଇ କହିଲା, “ସଦାପ୍ରଭୁ ଆଜି ଧନ୍ୟ ହେଉନ୍ତୁ, ସେ ଏହି ମହାଗୋଷ୍ଠୀ ଉପରେ ଦାଉଦଙ୍କୁ ଏକ ଜ୍ଞାନବାନ ପୁତ୍ର ଦେଇଅଛନ୍ତି।”

8ଏଉତ୍ତାରେ ହୂରମ୍‍ ଶଲୋମନଙ୍କ ନିକଟକୁ କହି ପଠାଇଲା, “ଆପଣ ମୋʼ ନିକଟକୁ ଯେଉଁ କଥା କହି ପଠାଇଲେ, ତାହା ମୁଁ ଶୁଣିଲି; ମୁଁ ଏରସ ଓ ଦେବଦାରୁ କାଷ୍ଠ ବିଷୟରେ ଆପଣଙ୍କର ସମସ୍ତ ବାଞ୍ଛା ସଫଳ କରିବି।

9ମୋʼ ଦାସମାନେ ଲିବାନୋନଠାରୁ ସମୁଦ୍ର ପର୍ଯ୍ୟନ୍ତ ତାହା ଆଣିବେ; ପୁଣି, ଆପଣ ଯେଉଁ ସ୍ଥାନ ନିରୂପଣ କରିବେ, ସେଠାକୁ ମୁଁ ଭେଳା ବାନ୍ଧି ସମୁଦ୍ର ପଥରେ ପଠାଇ ସେଠାରେ ତାହା ଫିଟାଇଦେବି, ତହୁଁ ଆପଣ ନେଇଯିବେ; ଆଉ ଆପଣ ମୋʼ ଗୃହ ପାଇଁ ଖାଦ୍ୟଦ୍ରବ୍ୟ ଯୋଗାଇ ମୋʼ ବାଞ୍ଛା ସଫଳ କରିବେ।”

10ଏହିରୂପେ ହୂରମ୍‍ ଶଲୋମନଙ୍କର ସମସ୍ତ ବାଞ୍ଛାନୁସାରେ ତାଙ୍କୁ ଏରସ ଓ ଦେବଦାରୁ କାଷ୍ଠ ଦେଲା।

11ପୁଣି, ଶଲୋମନ ହୂରମ୍‍ ଗୃହର ଖାଦ୍ୟ ନିମନ୍ତେ ତାହାକୁ କୋଡ଼ିଏ ହଜାର ମହଣ ଗହମ ଓ କୋଡ଼ିଏ ହଜାର ମହଣ ପେଷା ତେଲ ଦେଲେ; ଏହିରୂପେ ବର୍ଷକୁ ବର୍ଷ ଶଲୋମନ ହୂରମ୍‍କୁ ଦେଲେ।

12ପୁଣି, ସଦାପ୍ରଭୁ ଆପଣା ପ୍ରତିଜ୍ଞାନୁସାରେ ଶଲୋମନଙ୍କୁ ଜ୍ଞାନ ଦେଲେ; ଆଉ ହୂରମ୍‍ ଓ ଶଲୋମନଙ୍କ ମଧ୍ୟରେ ସନ୍ଧି ଥିଲା ଓ ସେ ଦୁହେଁ ପରସ୍ପର ନିୟମ କଲେ।

ଦ୍ୱିତୀୟ ବଂଶାବଳୀ

ଦ୍ଵି.ବଂ 2:1–16

1ଏଥିଉତ୍ତାରେ ଶଲୋମନ ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ ଏକ ଗୃହ ଓ ଆପଣା ରାଜ୍ୟ ପାଇଁ ଏକ ଗୃହ ନିର୍ମାଣ କରିବାକୁ ମନସ୍ଥ କଲେ।

2ପୁଣି ଶଲୋମନ ଭାରବହନାର୍ଥେ ସତୁରି ହଜାର ଲୋକ ଓ ପର୍ବତରେ ଅଶୀ ହଜାର କଟାଳି ଲୋକ ଓ ସେମାନଙ୍କ କାର୍ଯ୍ୟର ତତ୍ତ୍ୱାବଧାରଣ ନିମନ୍ତେ ତିନି ହଜାର ଛଅ ଶହ ଲୋକ ନିଯୁକ୍ତ କଲେ।

3ଆଉ ଶଲୋମନ ସୋରର ରାଜା ହୂରମ୍‍ ନିକଟକୁ ଲୋକ ପଠାଇ କହିଲେ, “ଆପଣ ମୋʼ ପିତା ଦାଉଦଙ୍କ ପ୍ରତି ଯେପରି ବ୍ୟବହାର କରିଥିଲେ ଓ ତାଙ୍କ ବସତି-ଗୃହର ନିର୍ମାଣ ନିମନ୍ତେ ଏରସ କାଷ୍ଠ ପଠାଇଥିଲେ, ସେହିପରି ମୋʼ ପ୍ରତି ବ୍ୟବହାର କରନ୍ତୁ।

4ଦେଖନ୍ତୁ, ମୁଁ ସଦାପ୍ରଭୁ ମୋʼ ପରମେଶ୍ୱରଙ୍କ ନାମ ନିମନ୍ତେ ଗୋଟିଏ ଗୃହ ନିର୍ମାଣ କରିବାକୁ ଉଦ୍ୟତ ଅଛି, ତାହାଙ୍କ ସମ୍ମୁଖରେ ସୁଗନ୍ଧି ଧୂପ ଜ୍ୱଳାଇବା ପାଇଁ ଓ ନିତ୍ୟ ଦର୍ଶନୀୟ ରୁଟି ପାଇଁ, ପ୍ରତି ପ୍ରଭାତରେ ଓ ସନ୍ଧ୍ୟାରେ, ବିଶ୍ରାମବାରରେ ଓ ଅମାବାସ୍ୟାରେ ଓ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିରୂପିତ ପର୍ବସବୁରେ ହୋମବଳି ନିମନ୍ତେ ତାହା ମୁଁ ପ୍ରତିଷ୍ଠା କରିବି। ଏହା ଇସ୍ରାଏଲ ପ୍ରତି ନିତ୍ୟ ଏକ ବିଧି ଅଟେ।

5ଆଉ ମୁଁ ଯେଉଁ ଗୃହ ନିର୍ମାଣ କରିବି, ତାହା ବୃହତ ହେବ; କାରଣ ସମସ୍ତ ଦେବତାଠାରୁ ଆମ୍ଭମାନଙ୍କ ପରମେଶ୍ୱର ମହାନ ଅଟନ୍ତି।

6ମାତ୍ର ତାହାଙ୍କ ନିମନ୍ତେ ଗୃହ ନିର୍ମାଣ କରିବାକୁ କିଏ ସମର୍ଥ? ଯେହେତୁ ସ୍ୱର୍ଗ ଓ ସ୍ୱର୍ଗର ସ୍ୱର୍ଗ ହିଁ ତାହାଙ୍କୁ ଧାରଣ କରି ନ ପାରେ; ତେବେ ମୁଁ କିଏ ଯେ, ତାହାଙ୍କ ପାଇଁ ଗୃହ ନିର୍ମାଣ କରିବି? କେବଳ ତାହାଙ୍କ ସମ୍ମୁଖରେ ଧୂପ ଜ୍ୱଳାଇବା ପାଇଁ ତାହା କରିବି।

7ଏହେତୁ ମୋʼ ପିତା ଦାଉଦଙ୍କ ଦ୍ୱାରା ନିଯୁକ୍ତ ଯେଉଁ ନିପୁଣ ଲୋକମାନେ ଯିହୁଦାରେ ଓ ଯିରୂଶାଲମରେ ମୋʼ ନିକଟରେ ଅଛନ୍ତି, ସେମାନଙ୍କ ସଙ୍ଗେ ସୁନା, ରୂପା, ପିତ୍ତଳ, ଲୁହା, ଧୂମ୍ର, ସିନ୍ଦୂର ଓ ନୀଳ ସୂତ୍ରର କର୍ମରେ ଓ ସର୍ବପ୍ରକାର ଖୋଦନ-କର୍ମରେ ନିପୁଣ ଏକ ଲୋକକୁ ମୋʼ ନିକଟକୁ ପଠାଉନ୍ତୁ।

8ଆହୁରି ଲିବାନୋନରୁ ଏରସ କାଷ୍ଠ ଓ ଦେବଦାରୁ କାଷ୍ଠ ଓ ଚନ୍ଦନ କାଷ୍ଠ ମୋʼ ନିକଟକୁ ପଠାଉନ୍ତୁ; କାରଣ ମୁଁ ଜାଣେ, ଆପଣଙ୍କ ଦାସମାନେ ଲିବାନୋନରେ କାଷ୍ଠ କାଟିବାରେ ନିପୁଣ;

9ଆଉ ଦେଖନ୍ତୁ, ମୋʼ ଦାସମାନେ ମଧ୍ୟ ପ୍ରଚୁର କାଷ୍ଠ ପ୍ରସ୍ତୁତ କରିବା ପାଇଁ ଆପଣଙ୍କ ଦାସମାନଙ୍କ ସଙ୍ଗେ ରହିବେ; ଯେହେତୁ ମୁଁ ଯେଉଁ ଗୃହ ନିର୍ମାଣ କରିବାକୁ ଉଦ୍ୟତ ଅଛି, ତାହା ଆଶ୍ଚର୍ଯ୍ୟ ଓ ବୃହତ ହେବ।

10ଆଉ ଦେଖନ୍ତୁ, ମୁଁ ଆପଣଙ୍କ ଦାସ କାଠକଟାଳୀମାନଙ୍କୁ କୋଡ଼ିଏ ହଜାର ମହଣ ମଳା ଗହମ ଓ କୋଡ଼ିଏ ହଜାର ମହଣ ଯବ ଓ କୋଡ଼ିଏ ହଜାର ମହଣ ଦ୍ରାକ୍ଷାରସ ଓ କୋଡ଼ିଏ ହଜାର ମହଣ ତୈଳ ଦେବି।”

11ତହିଁରେ ସୋରର ରାଜା ହୂରମ୍‍ ଶଲୋମନଙ୍କ ନିକଟକୁ ଏହି ଉତ୍ତର ଲେଖି ପଠାଇଲା, “ସଦାପ୍ରଭୁ ଆପଣା ଲୋକମାନଙ୍କୁ ପ୍ରେମ କରନ୍ତି, ଏହେତୁ ସେମାନଙ୍କ ଉପରେ ସେ ତୁମ୍ଭକୁ ରାଜା କରିଅଛନ୍ତି।”

12ହୂରମ୍‍ ଆହୁରି କହିଲା, “ସ୍ୱର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ ହେଉନ୍ତୁ, ସେ ସଦାପ୍ରଭୁଙ୍କ ନିମନ୍ତେ ଏକ ଗୃହ ଓ ଆପଣା ରାଜ୍ୟ ନିମନ୍ତେ ଏକ ଗୃହ ନିର୍ମାଣ କରିବା ପାଇଁ ଦାଉଦ ରାଜାଙ୍କୁ ବୁଦ୍ଧି ଓ ବିବେଚନାବିଶିଷ୍ଟ ଏକ ଜ୍ଞାନବାନ ପୁତ୍ର ଦେଇଅଛନ୍ତି।

13ଏବେ ମୁଁ ମୋʼ ପିତା ହୂରମ୍‍ଙ୍କର ଏକ ଜଣ ନିପୁଣ ବୁଦ୍ଧିମାନ ଲୋକ ପଠାଇଲି,

14ସେ ଦାନ୍ ବଂଶୀୟା ଏକ ସ୍ତ୍ରୀର ପୁତ୍ର, ତାହାର ପିତା ସୋରୀୟ ଲୋକ ଥିଲା, ସେ ସୁନା, ରୂପା, ପିତ୍ତଳ, ଲୁହା, ପ୍ରସ୍ତର, କାଷ୍ଠ ଓ ଧୂମ, ନୀଳ, କ୍ଷୌମ ଓ ସିନ୍ଦୂର ବର୍ଣ୍ଣ ସୂତ୍ରର କାର୍ଯ୍ୟରେ, ମଧ୍ୟ ସର୍ବପ୍ରକାର ଖୋଦନ କାର୍ଯ୍ୟ ଓ ସର୍ବପ୍ରକାର କଳ୍ପନାର କାର୍ଯ୍ୟ କରିବାକୁ ନିପୁଣ; ତାହାକୁ ଆପଣଙ୍କ ନିପୁଣ ଲୋକମାନଙ୍କ ମଧ୍ୟରେ ଓ ଆପଣଙ୍କ ପିତା ମୋʼ ପ୍ରଭୁ ଦାଉଦଙ୍କ ନିପୁଣ ଲୋକମାନଙ୍କ ମଧ୍ୟରେ ସ୍ଥାନ ଦିଆଯାଉ।

15ଏହେତୁ ମୋʼ ପ୍ରଭୁ ଯେଉଁ ଗହମ ଓ ଯବ, ତୈଳ ଓ ଦ୍ରାକ୍ଷାରସ ବିଷୟ କହିଅଛନ୍ତି, ତାହା ସେ ଆପଣା ଦାସମାନଙ୍କ ନିକଟକୁ ପଠାଇ ଦେଉନ୍ତୁ;

16ତହିଁରେ ଆପଣଙ୍କ ଯେତେ କାଷ୍ଠ ପ୍ରୟୋଜନ ହେବ, ତାହା ଆମ୍ଭେମାନେ ଲିବାନୋନରୁ କାଟିବୁ; ଆଉ ଆମ୍ଭେମାନେ ଭେଳା ବାନ୍ଧି ସମୁଦ୍ର ପଥରେ ଯାଫୋରେ ଆପଣଙ୍କ ନିକଟରେ ପହଞ୍ଚାଇ ଦେବୁ; ତହୁଁ ଆପଣ ତାହା ଯିରୂଶାଲମକୁ ନେଇଯିବେ।”

ଚିହ୍ନିତ: ଆପଣ ପଢ଼ୁଥିବା ଅନୁବାଦରେ ପ୍ରତ୍ୟେକ ବିବରଣରେ ଥିବା ଶବ୍ଦ। ସବୁଠାରୁ ବାରମ୍ବାର ଶବ୍ଦ (“ଓ”, “ସେ”) ଚିହ୍ନିତ ହୁଏ ନାହିଁ; ଅନ୍ୟ ରୂପରେ ଥିବା ଶବ୍ଦ ଚିହ୍ନିତ ନ ହୋଇପାରେ।

ଉତ୍ସ: OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର