Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ପାଖାପାଖି ରାଜାବଳୀ ଓ ବଂଶାବଳୀ › ଶଲୋମନ

ପାଖାପାଖି ରାଜାବଳୀ ଓ ବଂଶାବଳୀ · ଶଲୋମନ

ଶଲୋମନ ଗିବୀୟୋନ୍‍ରେ ଜ୍ଞାନ ମାଗନ୍ତି

ପ୍ର.ରା 3:4–15 · ଦ୍ଵି.ବଂ 1:2–13

ପ୍ରଥମ ରାଜାବଳୀ

ପ୍ର.ରା 3:4–15

4ପୁଣି, ରାଜା ବଳିଦାନ କରିବା ନିମନ୍ତେ ଗିବୀୟୋନ୍‍ ନଗରକୁ ଗଲେ; କାରଣ ତାହା ବଡ଼ ଉଚ୍ଚସ୍ଥଳୀ ଥିଲା; ଶଲୋମନ ସେହି ଯଜ୍ଞବେଦି ଉପରେ ଏକ ସହସ୍ର ହୋମବଳି ଉତ୍ସର୍ଗ କଲେ।

5ଗିବୀୟୋନ୍‍ରେ ସଦାପ୍ରଭୁ ରାତ୍ରିରେ ସ୍ୱପ୍ନ ଦ୍ୱାରା ଶଲୋମନଙ୍କୁ ଦର୍ଶନ ଦେଲେ; ଆଉ, ପରମେଶ୍ୱର କହିଲେ, “ଆମ୍ଭେ ତୁମ୍ଭକୁ କଅଣ ଦେବା, ତାହା ମାଗ।”

6ତହିଁରେ ଶଲୋମନ କହିଲେ, “ତୁମ୍ଭ ଦାସ ଆମ୍ଭ ପିତା ଦାଉଦ ତୁମ୍ଭ ଛାମୁରେ ସତ୍ୟତା ଓ ଧାର୍ମିକତା ଓ ମନର ସରଳତାରେ ତୁମ୍ଭ ସହିତ ଗମନାଗମନ କରିବା ପ୍ରମାଣେ ତୁମ୍ଭେ ତାଙ୍କ ପ୍ରତି ମହାଦୟା ପ୍ରକାଶ କଲ; ଆହୁରି ତୁମ୍ଭେ ତାଙ୍କ ପାଇଁ ଏହି ମହାଦୟା ରଖିଅଛ ଯେ, ଆଜିର ନ୍ୟାୟ ତାଙ୍କର ସିଂହାସନରେ ବସିବା ପାଇଁ ତାଙ୍କୁ ଏକ ପୁତ୍ର ଦେଇଅଛ।

7ଏବେ ହେ ସଦାପ୍ରଭୋ, ମୋହର ପରମେଶ୍ୱର, ତୁମ୍ଭେ ମୋʼ ପିତା ଦାଉଦଙ୍କ ପଦରେ ଆପଣାର ଏହି ଦାସକୁ ରାଜା କରିଅଛ; ମାତ୍ର, ମୁଁ ତ କ୍ଷୁଦ୍ର ବାଳକ; କିପରି ବାହାରକୁ ଯିବାକୁ ଓ ଭିତରକୁ ଆସିବାକୁ ହୁଏ, ତାହା ମୁଁ ଜାଣେ ନାହିଁ।

8ଆଉ ତୁମ୍ଭର ଦାସ ତୁମ୍ଭ ମନୋନୀତ ଲୋକମାନଙ୍କ ମଧ୍ୟରେ ଅଛି, ସେମାନେ ବାହୁଲ୍ୟ ସକାଶୁ ଅଗଣ୍ୟ ଓ ଅସଂଖ୍ୟ ଏକ ମହାଗୋଷ୍ଠୀ ଅଟନ୍ତି।

9ଏହେତୁ ଯେପରି ଆମ୍ଭେ ଭଲ ଓ ମନ୍ଦର ପ୍ରଭେଦ ଜାଣି ପାରିବୁ, ଏଥିପାଇଁ ତୁମ୍ଭ ଲୋକମାନଙ୍କର ବିଚାର କରିବା ନିମନ୍ତେ ତୁମ୍ଭର ଏହି ଦାସକୁ ଜ୍ଞାନୀ ମନ ଦିଅ; କାରଣ, ତୁମ୍ଭର ଏହି ମହାଗୋଷ୍ଠୀର ବିଚାର କରିବାକୁ କିଏ ସମର୍ଥ?”

10ଶଲୋମନ ଯେ ଏହି ବିଷୟ ମାଗିଲେ, ଏହି କଥାରେ ପ୍ରଭୁ ସନ୍ତୁଷ୍ଟ ହେଲେ।

11ଏଥିରେ ପରମେଶ୍ୱର ତାଙ୍କୁ କହିଲେ, “ତୁମ୍ଭେ ଏହି ବିଷୟ ମାଗିଅଛ, ପୁଣି, ଆପଣା ନିମନ୍ତେ ଦୀର୍ଘାୟୁ ମାଗି ନାହଁ; କିଅବା ଆପଣା ନିମନ୍ତେ ଐଶ୍ୱର୍ଯ୍ୟ ମାଗି ନାହଁ; ଅଥବା ଆପଣା ଶତ୍ରୁମାନଙ୍କର ପ୍ରାଣ ମାଗି ନାହଁ; ମାତ୍ର ବିଚାର କରିବା ପାଇଁ ଆପଣା ନିମନ୍ତେ ଜ୍ଞାନ ମାଗିଅଛ;

12ଏହେତୁ ଦେଖ, ଆମ୍ଭେ ତୁମ୍ଭ ବାକ୍ୟାନୁସାରେ କଲୁ; ଦେଖ, ଆମ୍ଭେ ତୁମ୍ଭକୁ ଏପରି ଜ୍ଞାନ ଓ ବୁଦ୍ଧିବିଶିଷ୍ଟ ମନ ଦେଲୁ ଯେ, ତୁମ୍ଭ ପୂର୍ବେ ତୁମ୍ଭ ସମାନ କେହି ହୋଇ ନାହିଁ, କିଅବା ତୁମ୍ଭ ଉତ୍ତାରେ ତୁମ୍ଭ ସମାନ କେହି ଉତ୍ପନ୍ନ ହେବ ନାହିଁ।

13ଆହୁରି ତୁମ୍ଭେ ଯେଉଁ ଐଶ୍ୱର୍ଯ୍ୟ ଓ ପ୍ରତାପ ମାଗି ନାହଁ, ସେହି ଦୁଇ ମଧ୍ୟ ଆମ୍ଭେ ତୁମ୍ଭକୁ ଏପରି ଦେଲୁ ଯେ, ତୁମ୍ଭର ଯାବଜ୍ଜୀବନ ରାଜାମାନଙ୍କ ମଧ୍ୟରେ କେହି ତୁମ୍ଭ ସମାନ ହେବ ନାହିଁ।

14ପୁଣି, ତୁମ୍ଭ ପିତା ଦାଉଦ ଯେପରି ଗମନ କଲା, ସେପରି ତୁମ୍ଭେ ଯଦି ଆମ୍ଭର ବିଧି ଓ ଆଜ୍ଞା ପାଳନ କରିବା ପାଇଁ ଆମ୍ଭ ପଥରେ ଗମନ କରିବ, ତେବେ ଆମ୍ଭେ ତୁମ୍ଭର ଆୟୁଷ ବୃଦ୍ଧି କରିବା।”

15ଏଉତ୍ତାରେ ଶଲୋମନ ଜାଗ୍ରତ ହୁଅନ୍ତେ, ଦେଖ, ଏହା ସ୍ୱପ୍ନ-ମାତ୍ର; ତହୁଁ ସେ ଯିରୂଶାଲମକୁ ଯାଇ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ସମ୍ମୁଖରେ ଠିଆ ହୋଇ ହୋମବଳି ଉତ୍ସର୍ଗ କଲେ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ଆପଣା ସମସ୍ତ ଦାସଙ୍କ ନିମନ୍ତେ ଏକ ଭୋଜ କଲେ।

ଦ୍ୱିତୀୟ ବଂଶାବଳୀ

ଦ୍ଵି.ବଂ 1:2–13

2ପୁଣି ଶଲୋମନ ସମଗ୍ର ଇସ୍ରାଏଲକୁ, ସହସ୍ର ଓ ଶତପତିମାନଙ୍କୁ, ବିଚାରକର୍ତ୍ତୃଗଣକୁ ଓ ସମୁଦାୟ ଇସ୍ରାଏଲ ମଧ୍ୟରେ ପିତୃବଂଶର ପ୍ରଧାନ ପ୍ରତ୍ୟେକ ଅଧିପତିଙ୍କୁ ଆଜ୍ଞା ଦେଲେ।

3ତହୁଁ ଶଲୋମନ ଓ ତାଙ୍କ ସଙ୍ଗେ ସମଗ୍ର ସମାଜ ଗିବୀୟୋନ୍‍ସ୍ଥିତ ଉଚ୍ଚସ୍ଥଳୀକି ଗଲେ; କାରଣ ସଦାପ୍ରଭୁଙ୍କ ସେବକ ମୋଶାଙ୍କ ଦ୍ୱାରା ପ୍ରାନ୍ତରରେ ନିର୍ମିତ ପରମେଶ୍ୱରଙ୍କ ସମାଗମ-ତମ୍ବୁ ସେଠାରେ ଥିଲା।

4ମାତ୍ର ଦାଉଦ କିରୀୟଥ୍‍-ଯିୟାରୀମ୍‍ଠାରୁ ପରମେଶ୍ୱରଙ୍କ ସିନ୍ଦୁକ ନିମନ୍ତେ ଆପଣାର ପ୍ରସ୍ତୁତ ସ୍ଥାନକୁ ତାହା ଆଣିଥିଲେ, କାରଣ ସେ ତହିଁ ନିମନ୍ତେ ଯିରୂଶାଲମରେ ଏକ ତମ୍ବୁ ସ୍ଥାପନ କରିଥିଲେ।

5ଆଉ ହୂରର ପୌତ୍ର ଊରିର ପୁତ୍ର ବତ୍ସଲେଲ ଯେଉଁ ପିତ୍ତଳମୟ ଯଜ୍ଞବେଦି ନିର୍ମାଣ କରିଥିଲା, ତାହା ସେଠାସ୍ଥିତ ସଦାପ୍ରଭୁଙ୍କ ଆବାସ ସମ୍ମୁଖରେ ଥିଲା; ପୁଣି ଶଲୋମନ ଓ ସମାଜ ତହିଁ ନିକଟରେ ଅନ୍ୱେଷଣ କଲେ।

6ପୁଣି, ଶଲୋମନ ସେଠାକୁ, ସମାଗମ-ତମ୍ବୁ ନିକଟସ୍ଥ ସଦାପ୍ରଭୁଙ୍କ ସମ୍ମୁଖବର୍ତ୍ତୀ ପିତ୍ତଳମୟ ଯଜ୍ଞବେଦିକୁ ଯାଇ ତହିଁ ଉପରେ ଏକ ସହସ୍ର ହୋମବଳି ଉତ୍ସର୍ଗ କଲେ।

7ସେହି ରାତ୍ରି ପରମେଶ୍ୱର ଶଲୋମନଙ୍କୁ ଦର୍ଶନ ଦେଇ କହିଲେ, “ଆମ୍ଭେ ତୁମ୍ଭକୁ କʼଣ ଦେବା, ତାହା ମାଗ।”

8ତହିଁରେ ଶଲୋମନ ପରମେଶ୍ୱରଙ୍କୁ କହିଲେ, “ତୁମ୍ଭେ ମୋʼ ପିତା ଦାଉଦଙ୍କ ପ୍ରତି ମହାଦୟା ପ୍ରକାଶ କରିଅଛ ଓ ତାଙ୍କର ପଦରେ ମୋତେ ରାଜା କରିଅଛ।

9ଏବେ, ହେ ସଦାପ୍ରଭୋ ପରମେଶ୍ୱର, ମୋʼ ପିତା ଦାଉଦଙ୍କ ପ୍ରତି ତୁମ୍ଭର ପ୍ରତିଜ୍ଞା ସ୍ଥିରୀକୃତ ହେଉ; କାରଣ ତୁମ୍ଭେ ପୃଥିବୀର ଧୂଳି ତୁଲ୍ୟ ବହୁସଂଖ୍ୟକ ଏକ ଗୋଷ୍ଠୀ ଉପରେ ମୋତେ ରାଜା କରିଅଛ।

10ମୁଁ ଯେପରି ଏହି ଲୋକମାନଙ୍କ ସମ୍ମୁଖରେ ବାହାରେ ଯିବାକୁ ଭିତରେ ଆସିବାକୁ ପାରିବି, ଏଥିପାଇଁ ମୋତେ ଜ୍ଞାନ ଓ ବୁଦ୍ଧି ଦିଅ; କାରଣ ଏପରି ବୃହତ ତୁମ୍ଭର ଏହି ଗୋଷ୍ଠୀକୁ କିଏ ବିଚାର କରି ପାରିବ?”

11ତହିଁରେ ପରମେଶ୍ୱର ଶଲୋମନଙ୍କୁ କହିଲେ, “ତୁମ୍ଭେ ଧନ, ସମ୍ପତ୍ତି, କି ସମ୍ଭ୍ରମ, କିଅବା ତୁମ୍ଭ ଘୃଣାକାରୀମାନଙ୍କ ପ୍ରାଣ, ଅଥବା ଦୀର୍ଘାୟୁ ହିଁ ମାଗି ନାହଁ; ମାତ୍ର ଆମ୍ଭେ ଆପଣାର ଯେଉଁ ଲୋକମାନଙ୍କ ଉପରେ ତୁମ୍ଭକୁ ରାଜା କରିଅଛୁ, ସେମାନଙ୍କ ବିଚାର କରିବା ନିମନ୍ତେ ଆପଣା ପାଇଁ ଜ୍ଞାନ ବୁଦ୍ଧି ମାଗିଅଛ;

12ଏଣୁ ଏହି କଥା ତୁମ୍ଭର ହୃଦ୍‍ଗତ ହେବାରୁ ଜ୍ଞାନ ଓ ବୁଦ୍ଧି ତୁମ୍ଭକୁ ଦତ୍ତ ହେଲା; ପୁଣି ଆମ୍ଭେ ତୁମ୍ଭକୁ ଏପରି ଧନ ଓ ସମ୍ପତ୍ତି ଓ ସମ୍ଭ୍ରମ ଦେବା ଯେ, ତୁମ୍ଭର ପୂର୍ବବର୍ତ୍ତୀ ରାଜାମାନଙ୍କ ମଧ୍ୟରୁ କେହି ସେପରି ପାଇ ନାହିଁ, କି ତୁମ୍ଭ ଉତ୍ତାରେ ଆଉ କେହି ସେପରି ପାଇବ ନାହିଁ।”

13ତହୁଁ ଶଲୋମନ ଗିବୀୟୋନ୍‍ସ୍ଥିତ ଉଚ୍ଚସ୍ଥଳୀର ଯାତ୍ରାରୁ ଓ ସମାଗମ-ତମ୍ବୁ ସମ୍ମୁଖରୁ ଯିରୂଶାଲମକୁ ଆସିଲେ; ଆଉ ସେ ଇସ୍ରାଏଲ ଉପରେ ରାଜ୍ୟ କଲେ।

ଚିହ୍ନିତ: ଆପଣ ପଢ଼ୁଥିବା ଅନୁବାଦରେ ପ୍ରତ୍ୟେକ ବିବରଣରେ ଥିବା ଶବ୍ଦ। ସବୁଠାରୁ ବାରମ୍ବାର ଶବ୍ଦ (“ଓ”, “ସେ”) ଚିହ୍ନିତ ହୁଏ ନାହିଁ; ଅନ୍ୟ ରୂପରେ ଥିବା ଶବ୍ଦ ଚିହ୍ନିତ ନ ହୋଇପାରେ।

ଉତ୍ସ: OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର