Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ନଭେମ୍ବର 2027 › ନଭେମ୍ବର 21

ଅର୍ଥୋଡକ୍ସ ପଞ୍ଜିକା · 8 ନଭେମ୍ବର (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 21 ନଭେମ୍ବର 2027

ରବିବାର · ସ୍ୱର 5

ପର୍ବ ଓ ସନ୍ଥ

ପେଣ୍ଟିକଷ୍ଟ ପରେ 22ତମ ରବିବାର

ଉପବାସ

ଉପବାସ ନାହିଁ

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ସନ୍ଧ୍ୟା ପ୍ରାର୍ଥନା: ପାଠ

ଯିହୋ 5:13–15

13ପୁଣି ଯିହୋଶୂୟ ଯିରୀହୋ ନିକଟରେ ଥିବା ବେଳେ ଏପରି ହେଲା ଯେ, ସେ ଚକ୍ଷୁ ମେଲାଇ ଅନାଇଲେ, ଆଉ ଦେଖ, ନିଷ୍କୋଷ ଖଡ୍ଗ ହସ୍ତ ଏକ ପୁରୁଷ ତାଙ୍କ ସମ୍ମୁଖରେ ଛିଡ଼ା ହେଲେ; ଏଥିରେ ଯିହୋଶୂୟ ତାଙ୍କ ନିକଟକୁ ଯାଇ ତାଙ୍କୁ ପଚାରିଲେ, “ତୁମ୍ଭେ ଆମ୍ଭମାନଙ୍କ ପକ୍ଷ କି ଆମ୍ଭମାନଙ୍କ ବିପକ୍ଷମାନଙ୍କ ପକ୍ଷ?” 14ତହୁଁ ସେ କହିଲେ, “ନା; ମାତ୍ର ଆମ୍ଭେ ସଦାପ୍ରଭୁଙ୍କ ସୈନ୍ୟର ସେନାପତି, ଏବେ ଆସିଲୁ;” ତହିଁରେ ଯିହୋଶୂୟ ଭୂମିରେ ମୁହଁ ମାଡ଼ି ପଡ଼ି ପ୍ରଣାମ କରି ତାହାଙ୍କୁ କହିଲେ, “ମୋହର ପ୍ରଭୁ ଆପଣା ଦାସକୁ କି ଆଜ୍ଞା ଦେଉଅଛନ୍ତି?” 15ତହୁଁ ସଦାପ୍ରଭୁଙ୍କ ସୈନ୍ୟର ସେନାପତି ଯିହୋଶୂୟଙ୍କୁ କହିଲେ, “ତୁମ୍ଭ ପାଦରୁ ପାଦୁକା କାଢ଼, କାରଣ ଯେଉଁ ସ୍ଥାନରେ ତୁମ୍ଭେ ଠିଆ ହେଉଅଛ, ତାହା ପବିତ୍ର।” ଆଉ ଯିହୋଶୂୟ ସେପରି କଲେ।

ସନ୍ଧ୍ୟା ପ୍ରାର୍ଥନା: ପାଠ

ବିଚାର 6:2, 7, 11–24

2ତେଣୁ ମିଦୀୟନୀୟମାନଙ୍କ ହସ୍ତ ଇସ୍ରାଏଲ ବିରୁଦ୍ଧରେ ପ୍ରବଳ ହେଲା; ପୁଣି ମିଦୀୟନୀୟମାନଙ୍କ ସକାଶୁ ଇସ୍ରାଏଲ-ସନ୍ତାନଗଣ ପର୍ବତସ୍ଥ ଗୋହିରୀ ଓ ଗୁମ୍ଫା ଓ ଦୁର୍ଗମ ସ୍ଥାନମାନଙ୍କରେ ବସା କଲେ। 7ଏଥିରେ ଇସ୍ରାଏଲ-ସନ୍ତାନଗଣ ମିଦୀୟନ ସକାଶୁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରନ୍ତେ, 11ଏଥିଉତ୍ତାରେ ସଦାପ୍ରଭୁଙ୍କର ଦୂତ ଆସି ଅବୀୟେଷ୍ରୀୟ ଯୋୟାଶ୍‍ର ଅଧିକାରସ୍ଥ ଅଫ୍ରାରେ ଅଲୋନ ବୃକ୍ଷ ମୂଳରେ ବସିଲେ; ସେହି ସମୟରେ ତାହାର ପୁତ୍ର ଗିଦିୟୋନ୍‍ ମିଦୀୟନୀୟମାନଙ୍କଠାରୁ ଗହମ ଲୁଚାଇବା ପାଇଁ ଦ୍ରାକ୍ଷାରସ-କୁଣ୍ଡ ଭିତରେ ତାହା ମଳୁଥିଲେ। 12ତହିଁରେ ସଦାପ୍ରଭୁଙ୍କ ଦୂତ ତାହାକୁ ଦର୍ଶନ ଦେଇ କହିଲେ, “ହେ ମହାବିକ୍ରମଶାଳୀ ଲୋକ, ସଦାପ୍ରଭୁ ତୁମ୍ଭ ସଙ୍ଗେ ଅଛନ୍ତି।” 13ଏଥିରେ ଗିଦିୟୋନ୍‍ ତାହାଙ୍କୁ କହିଲେ, ହେ ମୋହର ପ୍ରଭୋ, ଯେବେ ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗେ ଥାଆନ୍ତି, ତେବେ ଆମ୍ଭମାନଙ୍କ ପ୍ରତି ଏହିସବୁ ଘଟିଅଛି କାହିଁକି? ପୁଣି ସଦାପ୍ରଭୁ ଆମ୍ଭମାନଙ୍କୁ କି ମିସରରୁ ଆଣି ନାହାନ୍ତି, ଏହା କହି ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଆମ୍ଭମାନଙ୍କ ଆଗରେ ତାହାଙ୍କର ଯେସବୁ ଆଶ୍ଚର୍ଯ୍ୟକ୍ରିୟାର କୀର୍ତ୍ତନ କରିଥିଲେ, ସେସବୁ କାହିଁ? ମାତ୍ର ଏବେ ସଦାପ୍ରଭୁ ଆମ୍ଭମାନଙ୍କୁ ତ୍ୟାଗ କରିଅଛନ୍ତି ଓ ଆମ୍ଭମାନଙ୍କୁ ମିଦୀୟନର ହସ୍ତରେ ସମର୍ପଣ କରିଅଛନ୍ତି। 14ସେତେବେଳେ ସଦାପ୍ରଭୁ ତାଙ୍କୁ ଅନାଇ କହିଲେ, “ତୁମ୍ଭେ ଆପଣା ଏହି ବଳରେ ଯାଇ ମିଦୀୟନ ହସ୍ତରୁ ଇସ୍ରାଏଲକୁ ଉଦ୍ଧାର କର; ଆମ୍ଭେ କି ତୁମ୍ଭକୁ ପଠାଇ ନାହୁଁ?” 15ତହୁଁ ସେ ତାହାଙ୍କୁ କହିଲେ, “ହେ ପ୍ରଭୋ, ମୁଁ କାହିଁରେ ଇସ୍ରାଏଲକୁ ଉଦ୍ଧାର କରିବି? ଦେଖ, ମନଃଶି (ବଂଶ) ମଧ୍ୟରେ ମୋହର ପରିବାର ସବୁଠାରୁ କ୍ଷୀଣ, ପୁଣି ମୋʼ ପିତୃଗୃହ ମଧ୍ୟରେ ମୁଁ ସବୁଠୁଁ କନିଷ୍ଠ।” 16ତେବେ ସଦାପ୍ରଭୁ ତାହାକୁ କହିଲେ, “ଆମ୍ଭେ ନିଶ୍ଚୟ ତୁମ୍ଭ ସଙ୍ଗେ ହେବା, ତହିଁରେ ତୁମ୍ଭେ ମିଦୀୟନୀୟମାନଙ୍କୁ ଏପରି ସଂହାର କରିବ ଯେପରି ଏକ ଜଣକୁ ସଂହାର କରୁଅଛ।” 17ତହୁଁ ସେ ତାହାଙ୍କୁ କହିଲେ, “ଯେବେ ମୁଁ ଆପଣଙ୍କ ଦୃଷ୍ଟିରେ ଏବେ ଅନୁଗ୍ରହ ପାଇଲି, ତେବେ ଆପଣ ଯେ ମୋହର ସଙ୍ଗରେ କଥା କହୁଅଛନ୍ତି, ତହିଁର ଏକ ଚିହ୍ନ ମୋତେ ଦେଖାଉନ୍ତୁ। 18ବିନୟ କରୁଅଛି, ମୁଁ ଆପଣା ଭେଟି ଘେନିଆସି ଆପଣଙ୍କ ସମ୍ମୁଖରେ ଥୋଇବା ପର୍ଯ୍ୟନ୍ତ ଏ ସ୍ଥାନରୁ ପ୍ରସ୍ଥାନ କରନ୍ତୁ ନାହିଁ।” ତହିଁରେ ସେ କହିଲେ, “ତୁମ୍ଭେ ଫେରି ଆସିବା ଯାଏ ଆମ୍ଭେ ରହିବା।” 19ତହୁଁ ଗିଦିୟୋନ୍‍ ଭିତରକୁ ଯାଇ ଏକ ଛେଳିଛୁଆ ଓ ଏକ ଐଫା ମଇଦାର ତାଡ଼ିଶୂନ୍ୟ ପିଠା ପ୍ରସ୍ତୁତ କଲେ; ମାଂସ ଗୋଟିଏ ଡାଲାରେ ଓ ଝୋଳ ଗୋଟିଏ କହ୍ରାଇରେ ରଖି ବାହାରେ ତାହାଙ୍କ ନିକଟକୁ ଆଣି ଅଲୋନ ବୃକ୍ଷ ମୂଳେ ଥୋଇଲେ। 20ତହୁଁ ପରମେଶ୍ୱରଙ୍କ ଦୂତ ତାଙ୍କୁ କହିଲେ, “ଏହି ମାଂସ ଓ ତାଡ଼ିଶୂନ୍ୟ ପିଠାସବୁ ନେଇ ଏହି ଶୈଳ ଉପରେ ରଖ ଓ ତହିଁ ଉପରେ ଝୋଳ ଢାଳ;” ତହୁଁ ସେ ସେପରି କଲେ। 21ତେବେ ସଦାପ୍ରଭୁଙ୍କ ଦୂତ ଆପଣା ହସ୍ତସ୍ଥିତ ଯଷ୍ଟିର ଅଗ୍ର ବଢ଼ାଇ ସେହି ମାଂସ ଓ ତାଡ଼ିଶୂନ୍ୟ ପିଠା ସ୍ପର୍ଶ କଲେ; ଏଥିରେ ସେହି ଶୈଳରୁ ଅଗ୍ନି ବାହାରି ସେହି ମାଂସ ଓ ତାଡ଼ିଶୂନ୍ୟ ପିଠା ଦଗ୍ଧ କଲା; ତହୁଁ ସଦାପ୍ରଭୁଙ୍କ ଦୂତ ତାହାର ଦୃଷ୍ଟିଗୋଚରରୁ ପ୍ରସ୍ଥାନ କଲେ। 22ତହିଁରେ ସେ ଯେ ସଦାପ୍ରଭୁଙ୍କ ଦୂତ, ଏହା ଗିଦିୟୋନ୍‍ ବୁଝିଲେ; ପୁଣି ଗିଦିୟୋନ୍‍ କହିଲେ, “ହାୟ ହାୟ! ହେ ପ୍ରଭୋ ସଦାପ୍ରଭୋ, ମୁଁ ସମ୍ମୁଖାସମ୍ମୁଖୀ ହୋଇ ସଦାପ୍ରଭୁଙ୍କ ଦୂତଙ୍କୁ ଦେଖିଲି।” 23ତହିଁରେ ସଦାପ୍ରଭୁ ତାଙ୍କୁ କହିଲେ, “ତୁମ୍ଭର ଶାନ୍ତି ହେଉ; ଭୟ ନ କର; ତୁମ୍ଭେ ମରିବ ନାହିଁ।” 24ତହୁଁ ଗିଦିୟୋନ୍‍ ସେଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କଲେ, ତହିଁର ନାମ ଯିହୋବାଃ ଶାଲୋମ୍‍ ରଖିଲେ; ତାହା ଅବୀୟେଷ୍ରୀୟମାନଙ୍କ ଅଫ୍ରାରେ ଆଜି ପର୍ଯ୍ୟନ୍ତ ଅଛି।

ସନ୍ଧ୍ୟା ପ୍ରାର୍ଥନା: ପାଠ

ଯିଶା 14:7–20

7ସମୁଦାୟ ପୃଥିବୀ ଶାନ୍ତ ଓ ସୁସ୍ଥିର ହୋଇଅଛି; ସେମାନେ ଆନନ୍ଦରେ ଗାନ କରୁଅଛନ୍ତି। 8ହଁ, ଦେବଦାରୁ ଓ ଲିବାନୋନର ଏରସ ବୃକ୍ଷସକଳ ତୁମ୍ଭ ବିଷୟରେ ଆନନ୍ଦ କରି କହନ୍ତି, ‘ତୁମ୍ଭେ ଭୂମିସାତ୍‍ ହେବାଠାରୁ କୌଣସି ଛେଦନକର୍ତ୍ତା ଆମ୍ଭମାନଙ୍କ ପ୍ରତିକୂଳରେ ଆସି ନାହିଁ।’ 9ତୁମ୍ଭ ଆଗମନ ସମୟରେ ତୁମ୍ଭ ସଙ୍ଗେ ସାକ୍ଷାତ କରିବା ପାଇଁ ଅଧଃସ୍ଥ ପାତାଳ ଚାଳିତ ହୁଏ; ତାହା ତୁମ୍ଭ ନିମନ୍ତେ ମୃତମାନଙ୍କୁ, ପୃଥିବୀର ପ୍ରଧାନମାନଙ୍କୁ ହିଁ ଜଗାଏ; ତାହା ଗୋଷ୍ଠୀବର୍ଗର ରାଜାସକଳକୁ ସେମାନଙ୍କ ସିଂହାସନରୁ ଉଠାଇଅଛି। 10ସେମାନେ ସମସ୍ତେ ଉତ୍ତର ଦେଇ ତୁମ୍ଭକୁ କହିବେ, ‘ତୁମ୍ଭେ ମଧ୍ୟ କʼଣ ଆମ୍ଭମାନଙ୍କ ପରି କ୍ଷୀଣବଳ ହେଲ? ତୁମ୍ଭେ କʼଣ ଆମ୍ଭମାନଙ୍କର ସମାନ ହେଲ?’ 11ତୁମ୍ଭର ଐଶ୍ୱର୍ଯ୍ୟ ଓ ତୁମ୍ଭ ନେବଲ ଯନ୍ତ୍ରର ସ୍ୱର ପାତାଳ ପର୍ଯ୍ୟନ୍ତ ଅବରୋହିତ ହୋଇଅଛି; କୀଟ ତୁମ୍ଭ ତଳେ ପ୍ରସାରିତ (ବିଛଣା) ଓ କୃମି ତୁମ୍ଭର ଆଚ୍ଛାଦନ ହୋଇଅଛି। 12ହେ ପ୍ରଭାତୀତାରା, ପ୍ରତ୍ୟୁଷର ପୁତ୍ର! ତୁମ୍ଭେ କିପରି ସ୍ୱର୍ଗରୁ ପତିତ ହେଲ! ଗୋଷ୍ଠୀଗଣକୁ ତୁମ୍ଭେ ଯେ ନତ କରିଥିଲ, ତୁମ୍ଭେ କିପରି ଭୂମିରେ ନିକ୍ଷିପ୍ତ ହେଲ! 13ପୁଣି, ତୁମ୍ଭେ ମନେ ମନେ କହିଥିଲ, ‘ଆମ୍ଭେ ସ୍ୱର୍ଗାରୋହଣ କରିବା, ଆମ୍ଭେ ପରମେଶ୍ୱରଙ୍କ ନକ୍ଷତ୍ରଗଣର ଊର୍ଦ୍ଧ୍ୱରେ ଆପଣା ସିଂହାସନ ଉଚ୍ଚୀକୃତ କରିବା; ଆମ୍ଭେ ଉତ୍ତର ଦିଗର ପ୍ରାନ୍ତସ୍ଥିତ ସମାଗମ ପର୍ବତରେ ଉପବିଷ୍ଟ ହେବା; 14ଆମ୍ଭେ ମେଘମାଳର ଉଚ୍ଚସ୍ଥଳୀର ଊର୍ଦ୍ଧ୍ୱକୁ ଆରୋହଣ କରିବା; ଆମ୍ଭେ ସର୍ବୋପରିସ୍ଥଙ୍କର ତୁଲ୍ୟ ହେବା।’ 15ମାତ୍ର ତୁମ୍ଭେ ପାତାଳକୁ, ଗର୍ତ୍ତର ପ୍ରାନ୍ତ ସୀମାକୁ ଅବରୋହିତ ହେବ। 16ଯେଉଁମାନେ ତୁମ୍ଭକୁ ଦେଖନ୍ତି, ସେମାନେ ସୂକ୍ଷ୍ମ ରୂପେ ନିରୀକ୍ଷଣ କରି ତୁମ୍ଭ ବିଷୟ ବିବେଚନା କରି କହିବେ, ‘ଯେ ପୃଥିବୀକୁ କମ୍ପାନ୍ୱିତ କଲା, ଯେ ରାଜ୍ୟସମୂହକୁ ଥରହର କରାଇଲା; 17ଯେ ଜଗତକୁ ଅରଣ୍ୟ ତୁଲ୍ୟ କଲା ଓ ତହିଁର ନଗରସମୂହକୁ ଉତ୍ପାଟନ କଲା; ଯେ ଆପଣା ବନ୍ଦୀଗଣକୁ ସେମାନଙ୍କ ଗୃହକୁ ଯିବାକୁ ଛାଡ଼ିଲା ନାହିଁ, ସେ କି ଏହି ପୁରୁଷ?’ 18ଗୋଷ୍ଠୀବର୍ଗର ରାଜାଗଣ, ସେମାନଙ୍କର ସମସ୍ତେ ହିଁ, ସମ୍ଭ୍ରମରେ ଆପଣା ଆପଣା ଗୃହରେ ଶୟନ କରୁଅଛନ୍ତି। 19ମାତ୍ର ତୁମ୍ଭେ ଘୃଣିତ ଶାଖା ତୁଲ୍ୟ, ଖଡ୍ଗବିଦ୍ଧ ଓ ଗର୍ତ୍ତର ପ୍ରସ୍ତର ମଧ୍ୟରେ ନିକ୍ଷିପ୍ତ ହତ ଲୋକ ଦ୍ୱାରା ଆଚ୍ଛାଦିତ ହୋଇ, ଆପଣା କବରଠାରୁ ଦୂରରେ ନିକ୍ଷିପ୍ତ ହୋଇଅଛ; ତୁମ୍ଭେ ପଦଦଳିତ ଶବ ତୁଲ୍ୟ ହୋଇଅଛ। 20ତୁମ୍ଭେ ସେମାନଙ୍କ ସଙ୍ଗେ କବରସ୍ଥ ହେବ ନାହିଁ, କାରଣ ତୁମ୍ଭେ ଆପଣା ଦେଶ ଉଚ୍ଛିନ୍ନ କରିଅଛ, ତୁମ୍ଭେ ଆପଣା ଲୋକମାନଙ୍କୁ ବଧ କରିଅଛ, କୁକ୍ରିୟାକାରୀମାନଙ୍କ ବଂଶର ନାମ ଅନନ୍ତକାଳ ଉଲ୍ଲିଖିତ ହେବ ନାହିଁ।

ପ୍ରଭାତୀ ପ୍ରାର୍ଥନାର 11ତମ ସୁସମାଚାର

ଯୋହ 21:15–25

15ସେମାନେ ଭୋଜନ କଲା ଉତ୍ତାରେ ଯୀଶୁ ଶିମୋନ ପିତରଙ୍କୁ ପଚାରିଲେ, “ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କଅଣ ମୋତେ ଏମାନଙ୍କଠାରୁ ଅଧିକ ପ୍ରେମ କରୁଅଛ?” ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି। ସେ ତାହାଙ୍କୁ କହିଲେ, “ମୋହର ମେଷଶାବକମାନଙ୍କୁ ଚରାଅ।” 16ସେ ପୁନର୍ବାର ଦ୍ୱିତୀୟ ଥର ତାହାଙ୍କୁ ପଚାରିଲେ, “ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କଅଣ ମୋତେ ପ୍ରେମ କରୁଅଛ?” ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି। ସେ ତାହାଙ୍କୁ କହିଲେ, “ମୋହର ମେଷମାନଙ୍କୁ ପ୍ରତିପାଳନ କର।” 17ସେ ତୃତୀୟ ଥର ତାହାଙ୍କୁ ପଚାରିଲେ, “ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କଅଣ ମୋତେ ସ୍ନେହ କରୁଅଛ? ତୁମ୍ଭେ କଅଣ ମୋତେ ସ୍ନେହ କରୁଅଛ,” ଏହା କହି ସେ ତୃତୀୟ ଥର ପିତରଙ୍କୁ ପଚାରିବାରୁ ସେ ଦୁଃଖିତ ହୋଇ ତାହାଙ୍କୁ କହିଲେ, ପ୍ରଭୁ, ଆପଣ ସମସ୍ତ ବିଷୟ ଜାଣନ୍ତି; ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି। ଯୀଶୁ ତାହାଙ୍କୁ କହିଲେ, “ମୋହର ମେଷମାନଙ୍କୁ ଚରାଅ। 18ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ଯୁବକ ଥିବା ସମୟରେ ତୁମ୍ଭେ ଆପଣା କଟି ବନ୍ଧନ କରି ଯେଉଁ ଆଡ଼େ ଇଚ୍ଛା, ସେହି ଆଡ଼େ ଭ୍ରମଣ କରୁଥିଲ, କିନ୍ତୁ ବୃଦ୍ଧ ହେଲେ ତୁମ୍ଭେ ଆପଣା ହସ୍ତ ବିସ୍ତାର କରିବ ଓ ଅନ୍ୟ ଜଣେ ତୁମ୍ଭର କଟି ବନ୍ଧନ କରି, ଯେଉଁ ଆଡ଼େ ତୁମ୍ଭର ଇଚ୍ଛା ନ ଥିବ, ସେଆଡ଼େ ତୁମ୍ଭକୁ ଘେନିଯିବ।” 19ସେ କେଉଁ ପ୍ରକାର ମୃତ୍ୟୁଭୋଗ ଦ୍ୱାରା ଈଶ୍ବରଙ୍କୁ ଗୌରବାନ୍ୱିତ କରିବେ, ସେଥିର ସୂଚନା ଦେଇ ସେ ଏହା କହିଲେ। ଏହା କହିଲା ଉତ୍ତାରେ ସେ ତାହାଙ୍କୁ କହିଲେ, “ମୋହର ଅନୁଗାମୀ ହୁଅ।” 20ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ ଓ ଯେ ମଧ୍ୟ ରାତ୍ରିଭୋଜ ସମୟରେ ତାହାଙ୍କ ବକ୍ଷସ୍ଥଳରେ ଆଉଜିପଡ଼ି, ପ୍ରଭୁ, ଆପଣଙ୍କୁ କିଏ ଶତ୍ରୁ ହସ୍ତରେ ସମର୍ପଣ କରିବ ବୋଲି ପଚାରିଥିଲେ, ସେହି ଶିଷ୍ୟଙ୍କୁ ପିତର ବୁଲିପଡ଼ି ପଛରେ ଆସୁଥିବା ଦେଖିଲେ। 21ପିତର ତାହାଙ୍କୁ ଦେଖି ଯୀଶୁଙ୍କୁ ପଚାରିଲେ, ପ୍ରଭୁ, ଏହାର ବିଷୟରେ କଅଣ? 22ଯୀଶୁ ତାହାଙ୍କୁ କହିଲେ, “ମୋହର ଆଗମନ ପର୍ଯ୍ୟନ୍ତ ସେ ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତାହାହେଲେ ସେଥିରେ ତୁମ୍ଭର କଅଣ ଅଛି? ତୁମ୍ଭେ ମୋହର ଅନୁଗାମୀ ହୁଅ।” 23ସେଥିରେ ସେହି ଶିଷ୍ୟ ଯେ ମରିବ ନାହିଁ, ଭାଇମାନଙ୍କ ମଧ୍ୟରେ ଏହି କଥା ବ୍ୟାପିଗଲା, ମାତ୍ର ସେ ମରିବ ନାହିଁ ବୋଲି ଯୀଶୁ ତାହାଙ୍କୁ କହି ନ ଥିଲେ, “କିନ୍ତୁ ମୋହର ଆଗମନ ପର୍ଯ୍ୟନ୍ତ ସେ ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତାହାହେଲେ ସେଥିରେ ତୁମ୍ଭର କଅଣ ଅଛି” ବୋଲି କହିଥିଲେ। 24ଯେ ଏହି ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି ଓ ଏହି ସମସ୍ତ ଲେଖିଅଛନ୍ତି, ସେ ସେହି ଶିଷ୍ୟ; ଆଉ, ତାହାଙ୍କ ସାକ୍ଷ୍ୟ ଯେ ସତ୍ୟ, ତାହା ଆମ୍ଭେମାନେ ଜାଣୁ। 25ପୁଣି, ଯୀଶୁ ଆହୁରି ଅନେକ ଅନେକ କର୍ମ ମଧ୍ୟ କରିଥିଲେ; ସେହିସବୁ ଯଦି ଗୋଟି ଗୋଟି କରି ଲେଖା ଯାଆନ୍ତା, ତାହାହେଲେ ଏତେ ପୁସ୍ତକ ଲେଖା ହୁଅନ୍ତା ଯେ, ମୋହର ବିଚାରରେ ସମୁଦାୟ ଜଗତରେ ସୁଦ୍ଧା ସେହିସବୁ ରଖିବା ନିମନ୍ତେ ସ୍ଥାନ ହୁଅନ୍ତା ନାହିଁ।

ପତ୍ର

ଗାଲା 6:11–18

11ଦେଖ, କିପରି ବଡ଼ ବଡ଼ ଅକ୍ଷରରେ ମୋହର ନିଜ ହସ୍ତରେ ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଅଛି। 12ଯେଉଁମାନେ ବାହ୍ୟ କ୍ରିୟାକର୍ମ ଦ୍ୱାରା ସୁଖ୍ୟାତି ପାଇବାକୁ ଇଚ୍ଛା କରନ୍ତି, ସେମାନେ ତୁମ୍ଭମାନଙ୍କୁ ସୁନ୍ନତ ହେବା ପାଇଁ ବାଧ୍ୟ କରନ୍ତି; ଖ୍ରୀଷ୍ଟଙ୍କ କ୍ରୁଶ ହେତୁ ସେମାନେ ଯେପରି ତାଡ଼ନା ଭୋଗ ନ କରନ୍ତି, କେବଳ ସେଥିନିମନ୍ତେ ତାହା କରନ୍ତି। 13କାରଣ ଯେଉଁମାନେ ସୁନ୍ନତ ବିଧି ସମର୍ଥନ କରନ୍ତି, ସେମାନେ ନିଜେ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ପାଳନ କରନ୍ତି ନାହିଁ, ବରଂ ସେମାନେ ଯେପରି ତୁମ୍ଭମାନଙ୍କ ଶରୀର ସମ୍ବନ୍ଧରେ ଗର୍ବ କରିପାରନ୍ତି, ଏଥିପାଇଁ ସେମାନେ ତୁମ୍ଭମାନଙ୍କୁ ସୁନ୍ନତ କରାଇବାକୁ ଇଚ୍ଛା କରନ୍ତି। 14କିନ୍ତୁ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶ ବ୍ୟତୀତ ଆଉ କାହିଁରେ ଦର୍ପ କରିବା ମୋʼଠାରୁ ଦୂରେ ଥାଉ; ତାହାଙ୍କ ଦ୍ୱାରା ଜଗତ ମୋʼ ପ୍ରତି ଓ ମୁଁ ଜଗତ ପ୍ରତି କ୍ରୁଶରେ ହତ ହୋଇଅଛି। 15କାରଣ ସୁନ୍ନତ କିମ୍ବା ଅସୁନ୍ନତ କିଛି ନୁହେଁ, କିନ୍ତୁ ନୂତନ ସୃଷ୍ଟି ହିଁ ସାର। 16ଆଉ, ଯେତେ ଲୋକ ଏହି ନିୟମାନୁସାରେ ଆଚରଣ କରନ୍ତି, ସେମାନଙ୍କ ଉପରେ ଓ ଈଶ୍ବରଙ୍କର ଇସ୍ରାଏଲ ଉପରେ ଶାନ୍ତି ଓ ଦୟା ବର୍ତ୍ତୁ। 17ଆଜିଠାରୁ କେହି ଆଉ ମୋତେ କଷ୍ଟ ନ ଦେଉ, କାରଣ ମୁଁ ମୋହର ଶରୀରରେ ଯୀଶୁଙ୍କ କ୍ଷତଦାଗ ବହନ କରୁଅଛି। 18ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ। ଆମେନ୍‍।

ପତ୍ର (ଦୂତମାନଙ୍କ ପାଇଁ)

ଏବ୍ରୀ 2:2–10

2କାରଣ ଦୂତମାନଙ୍କ ଦ୍ୱାରା କଥିତ ବାକ୍ୟ ଯଦି ଅଟଳ ହୋଇ ରହିଲା, ଆଉ ପ୍ରତ୍ୟେକ ଆଜ୍ଞାଲଙ୍ଘନ ଓ ଅବାଧ୍ୟତା ଯଥାର୍ଥ ଦଣ୍ଡ ପାଇଲା, 3ତେବେ ଏପରି ମହାପରିତ୍ରାଣ ଅବହେଳା କଲେ ଆମ୍ଭେମାନେ କିପରି ରକ୍ଷା ପାଇବା? ତାହା ତ ପ୍ରଥମରେ ପ୍ରଭୁଙ୍କ ଦ୍ୱାରା କଥିତ ହୋଇ ଶ୍ରବଣ କରିଥିବା ବ୍ୟକ୍ତିମାନଙ୍କ ଦ୍ୱାରା ଆମ୍ଭମାନଙ୍କ ନିକଟରେ ପ୍ରମାଣସିଦ୍ଧ ହେଲା; 4ସେ ସମ୍ବନ୍ଧରେ ଈଶ୍ବର ମଧ୍ୟ ଆପଣା ଇଚ୍ଛାନୁସାରେ ନାନା ଚିହ୍ନ ଓ ଅଦ୍ଭୁତ କର୍ମ ପୁଣି, ବିବିଧ ଶକ୍ତିର କାର୍ଯ୍ୟ ଓ ପବିତ୍ର ଆତ୍ମାଙ୍କ ଅନ୍ୟାନ୍ୟ ଦାନ ଦ୍ୱାରା ସାକ୍ଷ୍ୟ ଦେଇଅଛନ୍ତି। 5କାରଣ ଯାହା ଭାବି ଜଗତର କଥା ଆମ୍ଭେମାନେ କହୁଅଛୁ, ତାହା ଈଶ୍ବର ଦୂତମାନଙ୍କ ଅଧୀନ କରି ନାହାନ୍ତି। 6କିନ୍ତୁ ଜଣେ କୌଣସି ସ୍ଥାନରେ ଏହି କଥା କହି ସାକ୍ଷ୍ୟ ଦେଇଅଛନ୍ତି, “ମନୁଷ୍ୟ କିଏ, ଯେ ତୁମ୍ଭେ ତାହାକୁ ସ୍ମରଣ କରିଥାଅ? ମନୁଷ୍ୟ-ସନ୍ତାନ କିଏ, ଯେ ତୁମ୍ଭେ ତାହାର ଯତ୍ନ ନେଇଥାଅ? 7ତୁମ୍ଭେ ଦୂତମାନଙ୍କଠାରୁ ତାହାକୁ ଅଳ୍ପ ନ୍ୟୂନ କରିଅଛ, ତୁମ୍ଭେ ତାହାକୁ ଗୌରବ ଓ ସମ୍ଭ୍ରମରୂପ ମୁକୁଟରେ ଭୂଷିତ କରିଅଛ, 8ତୁମ୍ଭେ ତାହାର ଅଧୀନ କରି ସମସ୍ତ ବିଷୟ ପାଦ ତଳେ ରଖିଅଛ।” ପ୍ରକୃତରେ ସେ ସମସ୍ତ ବିଷୟକୁ ତାହାର ବଶୀଭୂତ କରିବାରେ କୌଣସି ବିଷୟକୁ ତାହାର ବଶୀଭୂତ ନ କରି ଛାଡ଼ି ନାହାନ୍ତି। ଆମ୍ଭେମାନେ ଏପର୍ଯ୍ୟନ୍ତ ସମସ୍ତ ବିଷୟ ତାହାର ବଶୀଭୂତ ହୋଇଥିବାର ଦେଖୁ ନାହୁଁ ସତ, 9କିନ୍ତୁ ଦୂତମାନଙ୍କ ଅପେକ୍ଷା ଯେ ଅଳ୍ପ ସମୟ ନ୍ୟୂନୀକୃତ ହୋଇଥିଲେ, ତାହାଙ୍କୁ, ଅର୍ଥାତ୍‍, ଯୀଶୁଙ୍କୁ ମୃତ୍ୟୁର ଦୁଃଖଭୋଗ ହେତୁ ଗୌରବ ଓ ସମ୍ଭ୍ରମରୂପ ମୁକୁଟ ପରିଧାନ କରିଥିବାର ଦେଖୁଅଛୁ, ଯେପରି ଈଶ୍ବରଙ୍କ ଅନୁଗ୍ରହରେ ପ୍ରତ୍ୟେକ ମନୁଷ୍ୟ ନିମନ୍ତେ ସେ ମୃତ୍ୟୁ ଆସ୍ୱାଦନ କରନ୍ତି। 10କାରଣ ଯାହାଙ୍କ ନିମନ୍ତେ ଓ ଯାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ, ଅନେକ ସନ୍ତାନଙ୍କୁ ଗୌରବରେ ପ୍ରବେଶ କରାଇବାରେ ସେମାନଙ୍କ ପରିତ୍ରାଣର କର୍ତ୍ତା ଯୀଶୁଙ୍କ ଦୁଃଖଭୋଗ ଦ୍ୱାରା ସିଦ୍ଧ କରିବା ଈଶ୍ବରଙ୍କର ଉପଯୁକ୍ତ ଥିଲା।

ସୁସମାଚାର

ଲୂକ 8:41–56

41ଆଉ, ଦେଖ, ଯାଈରସ ନାମକ ଜଣେ ବ୍ୟକ୍ତି ଆସିଲେ; ସେ ସମାଜଗୃହର ଅଧ୍ୟକ୍ଷ ଥିଲେ। ସେ ଯୀଶୁଙ୍କ ପାଦ ତଳେ ପଡ଼ି ଆପଣା ଗୃହକୁ ଆସିବା ନିମନ୍ତେ ତାହାଙ୍କୁ ବିନତି କଲେ, 42କାରଣ ତାହାଙ୍କର ପ୍ରାୟ ବାର ବର୍ଷ ବୟସର ଏକମାତ୍ର କନ୍ୟା ଥିଲା, ଆଉ ସେ ମୃତପ୍ରାୟ ହୋଇଥିଲା। କିନ୍ତୁ ସେ ଯାଉଥିବା ସମୟରେ ଲୋକସମୂହ ତାହାଙ୍କ ଉପରେ ମାଡ଼ିପଡ଼ୁଥିଲେ। 43ସେତେବେଳେ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦର ରୋଗରେ ଜଣେ ସ୍ତ୍ରୀଲୋକ, ଯେ ସମସ୍ତ ପୁଞ୍ଜି ସୁସ୍ଥ ହେବା ପାଇଁ ବୈଦ୍ୟମାନଙ୍କଠାରେ ଖର୍ଚ୍ଚ କରିଥିଲା କିନ୍ତୁ ସୁସ୍ଥ ହୋଇପାରି ନ ଥିଲା, 44ସେ ପଛଆଡ଼ୁ ଆସି ତାହାଙ୍କ ବସ୍ତ୍ରର ଝୁମ୍ପା ଛୁଇଁଲା, ଆଉ, ସେହିକ୍ଷଣି ତାହାର ରକ୍ତସ୍ରାବ ବନ୍ଦ ହେଲା। 45ସେଥିରେ ଯୀଶୁ କହିଲେ, “କିଏ ମୋତେ ଛୁଇଁଲା?” ମାତ୍ର ସମସ୍ତେ ଅସ୍ୱୀକାର କରନ୍ତେ, ପିତର କହିଲେ, ହେ ଗୁରୁ, ଲୋକସମୂହ ଯନ୍ତାଯନ୍ତି ହୋଇ ଆପଣଙ୍କ ଉପରେ ମାଡ଼ିପଡ଼ୁଅଛନ୍ତି। 46କିନ୍ତୁ ଯୀଶୁ କହିଲେ, “କେହି ଜଣେ ମୋତେ ଛୁଇଁଲା, କାରଣ ମୋʼଠାରୁ ଶକ୍ତି ବାହାରିଗଲା ବୋଲି ମୁଁ ଜାଣିଲି।” 47ଯେତେବେଳେ ସ୍ତ୍ରୀଲୋକଟି ଦେଖିଲା ଯେ, ସେ ଲୁଚି ରହି ପାରିଲା ନାହିଁ, ସେତେବେଳେ ସେ ଥରି ଥରି ଆସି ତାହାଙ୍କ ପାଦ ତଳେ ପଡ଼ି, କାହିଁକି ତାହାଙ୍କୁ ଛୁଇଁଲା ପୁଣି, କିପରି ସେହିକ୍ଷଣି ସୁସ୍ଥ ହେଲା, ତାହା ସମସ୍ତ ଲୋକଙ୍କ ସାକ୍ଷାତରେ ପ୍ରକାଶ କଲା। 48ସେଥିରେ ଯୀଶୁ ତାହାଙ୍କୁ କହିଲେ, “ଝିଅ, ତୋହର ବିଶ୍ୱାସ ତୋତେ ସୁସ୍ଥ କରିଅଛି, ଶାନ୍ତିରେ ଚାଲିଯା।” 49ସେ ଏହି କଥା କହୁଥିବା ସମୟରେ ସମାଜଗୃହର ଅଧ୍ୟକ୍ଷଙ୍କ ଘରୁ ଜଣେ ଆସି କହିଲା, ଆପଣଙ୍କ ଝିଅ ମରିଗଲାଣି, ଗୁରୁଙ୍କୁ ଆଉ କଷ୍ଟ ଦିଅନ୍ତୁ ନାହିଁ। 50କିନ୍ତୁ ଯୀଶୁ ଏହା ଶୁଣି ତାହାଙ୍କୁ ଉତ୍ତର ଦେଲେ, “ଭୟ କର ନାହିଁ କେବଳ ବିଶ୍ୱାସ କର, ଆଉ ସେ ବଞ୍ଚିବ।” 51ପୁଣି, ସେ ଗୃହକୁ ଆସି ପିତର, ଯୋହନ ଓ ଯାକୁବ, ପୁଣି, ବାଳିକାର ପିତାମାତାଙ୍କ ବିନା ଆଉ କାହାକୁ ଆପଣା ସାଙ୍ଗରେ ଭିତରକୁ ଯିବା ପାଇଁ ଦେଲେ ନାହିଁ। 52ମାତ୍ର ସମସ୍ତେ ତାହା ପାଇଁ ରୋଦନ କରୁ କରୁ ଛାତିରେ ମାରିହେଉଥିଲେ। ସେଥିରେ ସେ କହିଲେ, “ରୋଦନ କର ନାହିଁ; ସେ ମରି ନାହିଁ, ମାତ୍ର ଶୋଇପଡ଼ିଅଛି।” 53କିନ୍ତୁ ସେ ମରିଯାଇଅଛି ବୋଲି ଜାଣିଥିବାରୁ ସେମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ। 54ମାତ୍ର ସେ ତାହାର ହାତ ଧରି ଡାକି କହିଲେ, “ଆଗୋ ବାଳିକା, ଉଠ।” 55ସେଥିରେ ତାହାର ଆତ୍ମା ଫେରିଆସିଲା ଆଉ ସେ ସେହିକ୍ଷଣି ଉଠିଲା, ପୁଣି, ସେ ତାହାକୁ କିଛି ଖାଇବାକୁ ଦେବା ପାଇଁ ଆଜ୍ଞା ଦେଲେ। 56ଏଥିରେ ତାହାର ପିତାମାତା ଆଚମ୍ଭିତ ହେଲେ; କିନ୍ତୁ ସେହି ଘଟଣାର କଥା କାହାକୁ ନ କହିବା ପାଇଁ ସେ ସେମାନଙ୍କୁ ଆଜ୍ଞା ଦେଲେ।

ସୁସମାଚାର (ଦୂତମାନଙ୍କ ପାଇଁ)

ଲୂକ 10:16–21

16ଯେ ତୁମ୍ଭମାନଙ୍କର କଥା ଶୁଣେ, ସେ ମୋʼ କଥା ଶୁଣେ, ପୁଣି, ଯେ ତୁମ୍ଭମାନଙ୍କୁ ଅଗ୍ରାହ୍ୟ କରେ, ସେ ମୋତେ ଅଗ୍ରାହ୍ୟ କରେ, ଆଉ ଯେ ମୋତେ ଅଗ୍ରାହ୍ୟ କରେ, ସେ ମୋʼ ପ୍ରେରଣକର୍ତ୍ତାଙ୍କୁ ଅଗ୍ରାହ୍ୟ କରେ। 17ଏଥିଉତ୍ତାରେ ସେହି ସତୁରି ଜଣ ଫେରିଆସି ଆନନ୍ଦରେ କହିଲେ, ପ୍ରଭୁ, ଭୂତମାନେ ସୁଦ୍ଧା ଆପଣଙ୍କ ନାମରେ ଆମ୍ଭମାନଙ୍କ ବଶୀଭୂତ ଅଟନ୍ତି। 18କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ବିଜୁଳି ପରି ସ୍ୱର୍ଗରୁ ଶୟତାନକୁ ପଡ଼ିବା ମୁଁ ଦେଖୁଥିଲି। 19ଦେଖ, ମୁଁ ତୁମ୍ଭମାନଙ୍କୁ ସାପ ଓ ବିଛା ଉପରେ ଚାଲିବାକୁ କ୍ଷମତା ଦେଇଅଛି, ପୁଣି, ଶତ୍ରୁର ସମସ୍ତ ଶକ୍ତି ଉପରେ ମଧ୍ୟ କ୍ଷମତା ଦେଇଅଛି, ଆଉ କିଛି ହେଲେ କୌଣସି ପ୍ରକାରେ ତୁମ୍ଭମାନଙ୍କର କ୍ଷତି କରିବ ନାହିଁ। 20ତଥାପି ଆତ୍ମାମାନେ ଯେ ତୁମ୍ଭମାନଙ୍କର ବଶୀଭୂତ ଅଟନ୍ତି, ଏଥିରେ ଆନନ୍ଦ କର ନାହିଁ, କିନ୍ତୁ ତୁମ୍ଭମାନଙ୍କ ନାମ ଯେ ସ୍ୱର୍ଗରେ ଲେଖାଅଛି, ଏଥିରେ ଆନନ୍ଦ କର।” 21ସେହି ସମୟରେ ସେ ପବିତ୍ର ଆତ୍ମାଙ୍କଠାରେ ଉଲ୍ଲସିତ ହୋଇ କହିଲେ, “ପିତା ସ୍ୱର୍ଗ ଓ ପୃଥିବୀର ପ୍ରଭୁ, ତୁମ୍ଭେ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କଠାରୁ ଏହି ସମସ୍ତ ବିଷୟ ଗୁପ୍ତ ରଖି ଶିଶୁମାନଙ୍କ ନିକଟରେ ପ୍ରକାଶ କଲ, ଏଥିନିମନ୍ତେ ତୁମ୍ଭର ପ୍ରଶଂସା କରୁଅଛି; ହଁ, ପିତା, କାରଣ ଏହା ତୁମ୍ଭ ଦୃଷ୍ଟିରେ ସନ୍ତୋଷର ବିଷୟ ହେଲା।”

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ନଭେମ୍ବର 8 ନାଗରିକ ପଞ୍ଜିକାର ନଭେମ୍ବର 21। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର