Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ନଭେମ୍ବର 2027 › ନଭେମ୍ବର 21

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 21 ନଭେମ୍ବର 2027

ରବିବାର · ସାଧାରଣ କାଳର 34ତମ ସପ୍ତାହ

ପର୍ବ ଓ ସନ୍ଥ

ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ, ବିଶ୍ୱର ରାଜା

ମହାପର୍ବ · ଉପାସନାର ରଙ୍ଗ: ଧଳା

ଦିନର ପାଠ

ପ୍ରଥମ ପାଠ

ଦାନି 7:13–14

13ମୁଁ ରାତ୍ରିକାଳର ଦର୍ଶନରେ ଦେଖିଲି, ଆଉ ଦେଖ, ମନୁଷ୍ୟପୁତ୍ର ନ୍ୟାୟ ଏକ ପୁରୁଷ ଆକାଶର ମେଘରେ ଆସିଲେ; ସେ ଅନେକ କାଳର ସେହି ବୃଦ୍ଧଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ, ସେମାନେ ତାହାଙ୍କ ଛାମୁକୁ ତାହାଙ୍କୁ ଆଣିଲେ। 14ପୁଣି, ସମୁଦାୟ ଗୋଷ୍ଠୀ, ଦେଶବାସୀ ଓ ଭାଷାବାଦୀମାନେ ଯେପରି ତାହାଙ୍କର ସେବା କରିବେ, ଏଥିପାଇଁ ତାହାଙ୍କୁ କର୍ତ୍ତୃତ୍ୱ, ମହିମା ଓ ରାଜ୍ୟ ଦତ୍ତ ହେଲା; ତାହାଙ୍କର କର୍ତ୍ତୃତ୍ୱ ଅନନ୍ତକାଳୀନ କର୍ତ୍ତୃତ୍ୱ, ତାହା ଲୁପ୍ତ ହେବ ନାହିଁ, ଆଉ ତାହାଙ୍କର ରାଜ୍ୟ ଅବିନାଶ୍ୟ।

ପ୍ରତିଉତ୍ତର ଗୀତ

ଗୀତ 93:1–2, 5

1ସଦାପ୍ରଭୁ ରାଜ୍ୟ କରନ୍ତି; ସେ ମହିମାରେ ବସ୍ତ୍ରାନ୍ୱିତ; ସଦାପ୍ରଭୁ ବସ୍ତ୍ରାନ୍ୱିତ ହୋଇ ବଳରେ ଆପଣା କଟି ବାନ୍ଧି ଅଛନ୍ତି; ଜଗତ ମଧ୍ୟ ଏପରି ସ୍ଥାପିତ ଯେ, ତାହା ବିଚଳିତ ହୋଇ ନ ପାରେ। 2ତୁମ୍ଭ ସିଂହାସନ ପୂର୍ବଠାରୁ ସ୍ଥାପିତ; ତୁମ୍ଭେ ଅନାଦିକାଳରୁ ବିଦ୍ୟମାନ। 5ତୁମ୍ଭର ପ୍ରମାଣ-ବାକ୍ୟ ଅତି ନିଶ୍ଚିତ; ହେ ସଦାପ୍ରଭୋ, ପବିତ୍ରତା ସର୍ବଦା ତୁମ୍ଭ ଗୃହର ଶୋଭା।

ଦ୍ୱିତୀୟ ପାଠ

ପ୍ରକା 1:5–8

5ପୁଣି, ବିଶ୍ୱସ୍ତ ସାକ୍ଷୀ, ମୃତମାନଙ୍କ ମଧ୍ୟରୁ ପ୍ରଥମଜାତ ଓ ପୃଥିବୀର ରାଜାମାନଙ୍କ ରାଜା ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ। ଯେ ଆମ୍ଭମାନଙ୍କୁ ପ୍ରେମ କରି ଆପଣା ରକ୍ତ ଦ୍ୱାରା ଆମ୍ଭମାନଙ୍କୁ ଆମ୍ଭମାନଙ୍କ ପାପରୁ ମୁକ୍ତ କରିଅଛନ୍ତି, 6ପୁଣି, ଆମ୍ଭମାନଙ୍କୁ ଗୋଟିଏ ରାଜକୁଳ ପରି ଆପଣା ଈଶ୍ବର ଓ ପିତାଙ୍କ ନିକଟରେ ଯାଜକ ସ୍ୱରୂପେ ନିଯୁକ୍ତ କରିଅଛନ୍ତି, ତାହାଙ୍କ ଗୌରବ ଓ ପରାକ୍ରମ ଯୁଗେ ଯୁଗେ ହେଉ। ଆମେନ୍‍। 7“ଦେଖ, ସେ ମେଘମାଳାରେ ଆଗମନ କରୁଅଛନ୍ତି, ପ୍ରତ୍ୟେକ ଚକ୍ଷୁ ତାହାଙ୍କୁ ଦର୍ଶନ କରିବ, ଯେଉଁମାନେ ତାହାଙ୍କୁ ବିନ୍ଧିଥିଲେ, ସେମାନେ ମଧ୍ୟ ଦର୍ଶନ କରିବେ, ଆଉ ପୃଥିବୀର ସମସ୍ତ ଗୋଷ୍ଠୀ ତାହାଙ୍କ ଆଗମନ ସକାଶେ ବିଳାପ କରିବେ। ହଁ, ସେହିପରି ହେଉ, ଆମେନ୍‍।” 8“ଯେ ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ, ଯେ ସର୍ବଶକ୍ତିମାନ,” ସେହି ପ୍ରଭୁ ଈଶ୍ବର କହନ୍ତି, “ଆମ୍ଭେ ଆରମ୍ଭ ଓ ଶେଷ।”

ସୁସମାଚାର

ଯୋହ 18:33–37

33ଅତଏବ, ପୀଲାତ ପୁନର୍ବାର ପ୍ରାସାଦ ମଧ୍ୟରେ ପ୍ରବେଶ କରି ଯୀଶୁଙ୍କୁ ଡାକି ତାହାଙ୍କୁ ପଚାରିଲେ, ତୁମ୍ଭେ କଅଣ ଯିହୁଦୀମାନଙ୍କର ରାଜା? 34ଯୀଶୁ ଉତ୍ତର ଦେଲେ, “ଆପଣ କଅଣ ନିଜରୁ ଏହା କହୁଅଛନ୍ତି, ନା ଅନ୍ୟମାନେ ମୋʼ ସମ୍ବନ୍ଧରେ ଆପଣଙ୍କୁ ଏହା କହିଅଛନ୍ତି?” 35ପୀଲାତ ଉତ୍ତର ଦେଲେ, ଆମ୍ଭେ କଅଣ ଜଣେ ଯିହୁଦୀ? ତୁମ୍ଭର ସ୍ୱଜାତି ଓ ପ୍ରଧାନ ଯାଜକମାନେ ତୁମ୍ଭକୁ ଆମ୍ଭ ହସ୍ତରେ ସମର୍ପଣ କରିଅଛନ୍ତି; ତୁମ୍ଭେ କଅଣ କରିଅଛ? 36ଯୀଶୁ ଉତ୍ତର ଦେଲେ, “ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ନୁହେଁ; ଯଦି ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ହୋଇଥାଆନ୍ତା, ତାହାହେଲେ ମୁଁ ଯେପରି ଯିହୁଦୀମାନଙ୍କ ହସ୍ତରେ ସମର୍ପିତ ନ ହୁଅନ୍ତି, ସେଥିପାଇଁ ମୋହର ପରିଚାରକମାନେ ଯୁଦ୍ଧ କରନ୍ତେ; କିନ୍ତୁ ମୋହର ରାଜ୍ୟ ପ୍ରକୃତରେ ତତ୍‍ସମ୍ବନ୍ଧୀୟ ନୁହେଁ।” 37ସେଥିରେ ପୀଲାତ ତାହାଙ୍କୁ ପଚାରିଲେ, ତାହାହେଲେ ତୁମ୍ଭେ କଅଣ ଜଣେ ରାଜା ନୁହଁ? ଯୀଶୁ ଉତ୍ତର ଦେଲେ, “ଆପଣ ତ କହୁଅଛନ୍ତି, ମୁଁ ଜଣେ ରାଜା। ମୁଁ ଯେପରି ସତ୍ୟ ପକ୍ଷରେ ସାକ୍ଷ୍ୟ ଦିଏ, ଏଥିନିମନ୍ତେ ମୁଁ ଜନ୍ମ ହୋଇଅଛି ଓ ଜଗତକୁ ଆସିଅଛି। ଯେ କେହି ସତ୍ୟର ସନ୍ତାନ, ସେ ମୋହର କଥା ଶୁଣେ।”

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର