Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ସେପ୍ଟେମ୍ବର 2027 › ସେପ୍ଟେମ୍ବର 29

ଅର୍ଥୋଡକ୍ସ ପଞ୍ଜିକା · 16 ସେପ୍ଟେମ୍ବର (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 29 ସେପ୍ଟେମ୍ବର 2027

ବୁଧବାର · ପେଣ୍ଟିକଷ୍ଟ ପରେ 15ତମ ସପ୍ତାହ · ସ୍ୱର 5

ପର୍ବ ଓ ସନ୍ଥ

Afterfeast of the Exaltation of the Cross

ଉପବାସ ଦିନ

ଉପବାସ: ତେଲ ସହିତ

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ପତ୍ର

ଗାଲା 3:15–22

15ହେ ଭାଇମାନେ, ମୁଁ ମନୁଷ୍ୟ ଭାବରେ କହୁଅଛି; ଚୁକ୍ତି ମନୁଷ୍ୟ ଦ୍ୱାରା କରାଗଲେ ସୁଦ୍ଧା ଯେତେବେଳେ ତାହା ସ୍ଥିରୀକୃତ ହୁଏ, ସେତେବେଳେ କେହି ତାହା ଅନ୍ୟଥା କରିପାରେ ନାହିଁ ବା ସେଥିରେ କିଛି ଯୋଗ କରିପାରେ ନାହିଁ। 16ଅବ୍ରହାମ ଓ ତାହାଙ୍କ ସନ୍ତାନ ପ୍ରତି ପ୍ରତିଜ୍ଞାସମୂହ ଉକ୍ତ ହୋଇଥିଲା। ଅନେକଙ୍କୁ ଲକ୍ଷ୍ୟ କରି ସନ୍ତାନମାନଙ୍କୁ ବୋଲି କୁହାଯାଏ ନାହିଁ, କିନ୍ତୁ ଜଣଙ୍କୁ ଅର୍ଥାତ୍‍ ଖ୍ରୀଷ୍ଟଙ୍କୁ ଲକ୍ଷ୍ୟ କରି ତୁମ୍ଭର ସନ୍ତାନକୁ ବୋଲି କୁହାଯାଏ। 17ମୋହର ଭାବ ଏହି, ଯେଉଁ ନିୟମ ଈଶ୍ବରଙ୍କ କର୍ତ୍ତୃକ ପୂର୍ବରୁ ସ୍ଥିରୀକୃତ ହୋଇଥିଲା, ଚାରି ଶହ ତିରିଶ ବର୍ଷ ପରେ ଦିଆଯାଇଥିବା ମୋଶାଙ୍କ ବ୍ୟବସ୍ଥା ତାହା ବ୍ୟର୍ଥ କରେ ନାହିଁ, ଯେପରି ତଦ୍ୱାରା ପ୍ରତିଜ୍ଞା ନିଷ୍ଫଳ କରାଯାଏ। 18କାରଣ ଅଧିକାର ଯଦି ମୋଶାଙ୍କ ବ୍ୟବସ୍ଥାମୂଳକ ହୁଏ, ତେବେ ତାହା ଆଉ ପ୍ରତିଜ୍ଞାମୂଳକ ନୁହେଁ; କିନ୍ତୁ ଈଶ୍ବର ପ୍ରତିଜ୍ଞା ଦ୍ୱାରା ଅବ୍ରହାମଙ୍କୁ ତାହା ଦାନ କରିଅଛନ୍ତି। 19ତେବେ ମୋଶାଙ୍କ ବ୍ୟବସ୍ଥା କାହିଁକି ଦିଆଗଲା? ଯେଉଁ ସନ୍ତାନଙ୍କୁ ଲକ୍ଷ୍ୟ କରି ପ୍ରତିଜ୍ଞା କରାଯାଇଥିଲା, ତାହାଙ୍କ ନ ଆସିବା ପର୍ଯ୍ୟନ୍ତ ତାହା ଆଜ୍ଞାଲଙ୍ଘନ ହେତୁ ଯୋଗ କରାଗଲା, ପୁଣି, ତାହା ଦୂତମାନଙ୍କ ଦ୍ୱାରା ଜଣେ ମଧ୍ୟସ୍ଥଙ୍କ ହସ୍ତରେ ସ୍ଥାପିତ ହୋଇଥିଲା। 20ମଧ୍ୟସ୍ଥ ଗୋଟିଏ ପକ୍ଷର ପ୍ରତିନିଧି ନୁହଁନ୍ତି, କିନ୍ତୁ ଈଶ୍ବର ଏକ। 21ତେବେ ମୋଶାଙ୍କ ବ୍ୟବସ୍ଥା କି ଈଶ୍ବରଙ୍କ ପ୍ରତିଜ୍ଞାସମୂହର ବିରୁଦ୍ଧ? ତାହା କେବେ ହେଁ ନ ହେଉ; କାରଣ ଯଦି ଜୀବନ ଦେବାକୁ ସମର୍ଥ ଏପରି ମୋଶାଙ୍କ ବ୍ୟବସ୍ଥା ଦିଆଯାଇଥାଆନ୍ତା, ତେବେ ଧାର୍ମିକତା ପ୍ରକୃତରେ ମୋଶାଙ୍କ ବ୍ୟବସ୍ଥାମୂଳକ ହୁଅନ୍ତା। 22କିନ୍ତୁ ଯେପରି ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ହେତୁ ପ୍ରତିଜ୍ଞା ବିଶ୍ୱାସ କରୁଥିବା ଲୋକମାନଙ୍କୁ ଦିଆଯାଏ, ଏଥିପାଇଁ ଧର୍ମଶାସ୍ତ୍ର ସମସ୍ତ ବିଷୟକୁ ପାପର ଅଧୀନ ବୋଲି ଗଣନା କରିଅଛି।

ପତ୍ର (ସନ୍ଥ ଇଉଫେମିଆଙ୍କ ପାଇଁ)

ଦ୍ଵି.କରି 6:1–10

1ଆହୁରି ମଧ୍ୟ ଈଶ୍ବରଙ୍କ ଅନୁଗ୍ରହ ପ୍ରାପ୍ତି ଯେପରି ତୁମ୍ଭମାନଙ୍କଠାରେ ବୃଥା ନ ହୁଏ, ଏଥିପାଇଁ ତାହାଙ୍କ ସହିତ ଏକତ୍ର କର୍ମ କରୁ କରୁ ଆମ୍ଭେମାନେ ନିବେଦନ କରୁଅଛୁ। 2କାରଣ ସେ କହନ୍ତି, “ଆମ୍ଭେ ଅନୁଗ୍ରହର ସମୟରେ ତୁମ୍ଭର ପ୍ରାର୍ଥନା ଶ୍ରବଣ କଲୁ, ଆଉ ପରିତ୍ରାଣର ଦିନରେ ଆମ୍ଭେ ତୁମ୍ଭର ସାହାଯ୍ୟ କଲୁ।” ଦେଖ, ଏବେ ମହା-ଅନୁଗ୍ରହର ସମୟ; ଦେଖ, ଏବେ ପରିତ୍ରାଣର ଦିନ। 3ଯେପରି ଆମ୍ଭମାନଙ୍କ ସେବକପଦ ନିନ୍ଦିତ ନ ହୁଏ, ସେଥିପାଇଁ ଆମ୍ଭେମାନେ କୌଣସି ବିଷୟରେ ବାଧା ନ ଦେଉ, 4ବରଂ ବହୁ ଧୈର୍ଯ୍ୟରେ, କ୍ଳେଶରେ, ଦୁର୍ଦ୍ଦଶାରେ, ସଙ୍କଟରେ, 5ପ୍ରହାରରେ, କାରାବାସରେ, ବିପ୍ଳବରେ, ପରିଶ୍ରମରେ, ଜାଗରଣରେ, ଉପବାସରେ, 6ପବିତ୍ରତାରେ, ଜ୍ଞାନରେ, ଦୀର୍ଘସହିଷ୍ଣୁତାରେ, କୋମଳଭାବରେ, ପବିତ୍ର ଆତ୍ମାଙ୍କଠାରେ, ନିଷ୍କପଟ ପ୍ରେମରେ, 7ସତ୍ୟ ବାକ୍ୟରେ, ଈଶ୍ବରଙ୍କ ଶକ୍ତିରେ, ଦକ୍ଷିଣ ଓ ବାମହସ୍ତରେ ଧାର୍ମିକତାର ଅସ୍ତ୍ରଶସ୍ତ୍ର ଦ୍ୱାରା, 8ଗୌରବ ଓ ଅନାଦର ଦ୍ୱାରା, ଅଖ୍ୟାତି ଓ ସୁଖ୍ୟାତି ଦ୍ୱାରା, ପ୍ରତାରକ ତୁଲ୍ୟ, ଅଥବା ସତ୍ୟବାଦୀ, 9ଅପରିଚିତ ତୁଲ୍ୟ, ଅଥବା ସୁପରିଚିତ, ମୃତକଳ୍ପ ତୁଲ୍ୟ, ଅଥବା ଦେଖ, ଆମ୍ଭେମାନେ ଜୀବିତ, ଶାସ୍ତିପ୍ରାପ୍ତ ତୁଲ୍ୟ, 10ଅଥବା ନିହତ ନୋହୁଁ, ଦୁଃଖିତ ତୁଲ୍ୟ, କିନ୍ତୁ ସର୍ବଦା ଆନନ୍ଦିତ, ଦୀନହୀନର ତୁଲ୍ୟ, କିନ୍ତୁ ଅନେକଙ୍କ ପ୍ରତି ଧନଦାୟକ, ଅକିଞ୍ଚନ ତୁଲ୍ୟ, ଅଥବା ସର୍ବାଧିକାରୀ; ଏହି ସମସ୍ତରେ ଆମ୍ଭେମାନେ ଈଶ୍ବରଙ୍କ ସେବକ ସଦୃଶ ଆପଣା ଆପଣାକୁ ଯୋଗ୍ୟ ବୋଲି ପ୍ରକାଶ କରୁଅଛୁ।

ସୁସମାଚାର

ମାର୍କ 6:7–13

7ପରେ ସେ ଚାରିଆଡ଼େ ଗ୍ରାମେ ଗ୍ରାମେ ଭ୍ରମଣ କରି ଶିକ୍ଷା ଦେବାକୁ ଲାଗିଲେ। ଇତିମଧ୍ୟରେ ସେ ବାର ଶିଷ୍ୟମାନଙ୍କୁ ନିକଟକୁ ଡାକି ସେମାନଙ୍କୁ ଦୁଇ ଦୁଇ ଜଣ କରି ପ୍ରେରଣ କରିବାକୁ ଆରମ୍ଭ କଲେ ଏବଂ ଅଶୁଚି ଆତ୍ମାମାନଙ୍କ ଉପରେ ସେମାନଙ୍କୁ ଅଧିକାର ଦେଲେ, 8ଆଉ ଯାତ୍ରା ନିମନ୍ତେ କେବଳ ଖଣ୍ଡେ ବାଡ଼ି ବିନା ରୁଟି କି ଝୋଲି କି ଗାଞ୍ଜିଆରେ ପଇସା ନ ନେବାକୁ ସେମାନଙ୍କୁ ଆଜ୍ଞା ଦେଲେ; 9କିନ୍ତୁ ସେମାନଙ୍କୁ ପାଦୁକା ପିନ୍ଧିବାକୁ କହିଲେ, ଦୁଇଟି ଅଙ୍ଗରଖା ପିନ୍ଧିବାକୁ ବାରଣ କଲେ। 10ପୁଣି, ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯେକୌଣସି ଗୃହରେ ପ୍ରବେଶ କରିବ, ସେ ସ୍ଥାନରୁ ପ୍ରସ୍ଥାନ ନ କରିବା ପର୍ଯ୍ୟନ୍ତ ସେଠାରେ ରୁହ। 11ମାତ୍ର ଯେକୌଣସି ସ୍ଥାନରେ ଲୋକମାନେ ତୁମ୍ଭମାନଙ୍କୁ ଗ୍ରହଣ କରିବେ ନାହିଁ, ବା ତୁମ୍ଭମାନଙ୍କ କଥା ଶୁଣିବେ ନାହିଁ, ସେ ସ୍ଥାନରୁ ପ୍ରସ୍ଥାନ ସମୟରେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କ ପାଦଧୂଳି ଝାଡି଼ଦିଅ।” 12ସେଥିରେ ସେମାନେ ପ୍ରସ୍ଥାନ କରି ମନ-ପରିବର୍ତ୍ତନ କରିବା ଯେ କର୍ତ୍ତବ୍ୟ, ଏହା ପ୍ରଚାର କଲେ, 13ପୁଣି, ଅନେକ ଭୂତ ଛଡ଼ାଇଲେ ଓ ଅନେକ ରୋଗୀ ଲୋକଙ୍କୁ ତୈଳ ଲଗାଇ ସୁସ୍ଥ କଲେ।

ସୁସମାଚାର (ସନ୍ଥ ଇଉଫେମିଆଙ୍କ ପାଇଁ)

ଲୂକ 7:36–50

36ଆଉ ଫାରୂଶୀମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ଆପଣା ସହିତ ଭୋଜନ କରିବାକୁ ନିମନ୍ତ୍ରଣ କଲେ। ସେଥିରେ ସେ ଫାରୂଶୀଙ୍କ ଗୃହରେ ପ୍ରବେଶ କରି ଭୋଜନରେ ବସିଲେ। 37ଆଉ ଦେଖ, ସେହି ନଗରରେ ଜଣେ ପାପିନୀ ସ୍ତ୍ରୀ ଥିଲା; ଯୀଶୁ ସେହି ଫାରୂଶୀଙ୍କ ଗୃହରେ ଭୋଜନରେ ବସିଅଛନ୍ତି, ଏହା ଜାଣି ପାରି ସେ ଗୋଟିଏ ପାତ୍ରରେ ସୁଗନ୍ଧି ତୈଳ ଆଣି, 38ପଛଆଡ଼େ ତାହାଙ୍କ ପାଦ ପାଖରେ ଠିଆ ହୋଇ ରୋଦନ କରୁ କରୁ ଲୁହରେ ତାହାଙ୍କ ପାଦ ଓଦା କରି ନିଜ ମସ୍ତକର କେଶରେ ତାହା ପୋଛିବାକୁ ଲାଗିଲା, ଆଉ ତାହାଙ୍କ ପାଦକୁ ଚୁମ୍ବନ କରୁ କରୁ ସେହି ସୁଗନ୍ଧି ତୈଳ ଲଗାଇ ଦେବାକୁ ଲାଗିଲା। 39ତାହା ଦେଖି, ଯେଉଁ ଫାରୂଶୀ ତାହାଙ୍କୁ ନିମନ୍ତ୍ରଣ କରିଥିଲେ, ସେ ମନେ ମନେ କହିଲେ, ଏ ଯଦି ଭାବବାଦୀ ହୋଇଥାଆନ୍ତା, ତାହାହେଲେ ଏହାକୁ ଯେ ସ୍ପର୍ଶ କରୁଅଛି, ସେ କିଏ ଓ କି ପ୍ରକାର ସ୍ତ୍ରୀ, ଅର୍ଥାତ୍‍, ସେ ଯେ ପାପିନୀ, ଏହା ଜାଣିଥାଆନ୍ତା। 40ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ଶିମୋନ, ତୁମ୍ଭକୁ ମୋହର କିଛି କହିବାର ଅଛି।” ସେ କହିଲେ, ଗୁରୁ, କୁହନ୍ତୁ। 41“ଜଣେ ମହାଜନଙ୍କର ଦୁଇ ଜଣ ଋଣୀ ଥିଲେ; ଜଣେ ପାଞ୍ଚଶହ ଦିନର ମଜୁରୀ ସମାନ ମୂଲ୍ୟ ଓ ଆଉ ଜଣେ ପଚାଶ ଦିନର ମଜୁରୀ ସମାନ ମୂଲ୍ୟ ଋଣ କରିଥିଲା। 42ଋଣ ସୁଝିବାକୁ ସେମାନଙ୍କର କିଛି ନ ଥିବାରୁ ସେ ଉଭୟଙ୍କର ଋଣ କ୍ଷମା କଲେ। ଏଣୁ ସେମାନଙ୍କ ମଧ୍ୟରୁ କିଏ ତାହାଙ୍କୁ ଅଧିକ ପ୍ରେମ କରିବ?” 43ଶିମୋନ ଉତ୍ତର ଦେଲେ, ମୁଁ ଜାଣିବାରେ, ସେ ଯାହାର ଅଧିକ ଋଣ କ୍ଷମା କଲେ, ସେ। ସେ ତାହାଙ୍କୁ କହିଲେ, “ତୁମ୍ଭେ ଠିକ୍ ବିଚାର କଲ।” 44ଆଉ, ସେ ସେହି ସ୍ତ୍ରୀ ପ୍ରତି ମୁଖ ଫେରାଇ ଶିମୋନଙ୍କୁ କହିଲେ, “ଏହି ସ୍ତ୍ରୀକୁ ଦେଖୁଅଛ? ମୁଁ ତୁମ୍ଭ ଗୃହକୁ ଆସିଲି, ତୁମ୍ଭେ ମୋ ପାଦ ପାଇଁ ପାଣି ଦେଲ ନାହିଁ, କିନ୍ତୁ ଏ ଲୁହରେ ମୋହର ପାଦ ସିକ୍ତ କରି ନିଜ କେଶରେ ତାହା ପୋଛିଦେଲା। 45ତୁମ୍ଭେ ମୋତେ ଚୁମ୍ବନ କଲ ନାହିଁ? କିନ୍ତୁ ମୁଁ ଭିତରକୁ ଆସିବା ସମୟଠାରୁ ଏ ମୋହର ପାଦ ଚୁମ୍ବନ କରିବାକୁ ବନ୍ଦ କରି ନାହିଁ। 46ତୁମ୍ଭେ ମୋହର ମସ୍ତକରେ ତୈଳ ଲଗାଇଲ ନାହିଁ? କିନ୍ତୁ ଏ ମୋହର ପାଦରେ ସୁଗନ୍ଧି ତୈଳ ଲଗାଇଲା। 47ଏଣୁ ମୁଁ ତୁମ୍ଭକୁ କହୁଅଛି, ଏହାର ଅନେକ ପାପ କ୍ଷମା ହୋଇଅଛି, କାରଣ ସେ ବହୁତ ପ୍ରେମ କଲା; କିନ୍ତୁ ଯାହାକୁ ଅଳ୍ପ କ୍ଷମା ଦିଆଯାଏ, ସେ ଅଳ୍ପ ପ୍ରେମ କରେ।” 48ଆଉ ସେ ସେହି ସ୍ତ୍ରୀକୁ କହିଲେ, “ତୋହର ପାପସବୁ କ୍ଷମା ହୋଇଅଛି।” 49ସେଥିରେ ତାହାଙ୍କ ସାଙ୍ଗରେ ଭୋଜନରେ ବସିଥିବା ଲୋକମାନେ ମନେ ମନେ କହିବାକୁ ଲାଗିଲେ, ପାପ ସୁଦ୍ଧା କ୍ଷମା କରୁଅଛି ଯେ, ଏ କିଏ? 50କିନ୍ତୁ ସେ ସେହି ସ୍ତ୍ରୀକୁ କହିଲେ, “ତୋହର ବିଶ୍ୱାସ ତୋତେ ରକ୍ଷା କରିଅଛି; ଶାନ୍ତିରେ ଚାଲିଯାଅ।”

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ସେପ୍ଟେମ୍ବର 16 ନାଗରିକ ପଞ୍ଜିକାର ସେପ୍ଟେମ୍ବର 29। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର