ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ସେପ୍ଟେମ୍ବର 2027 › ସେପ୍ଟେମ୍ବର 30
ଅର୍ଥୋଡକ୍ସ ପଞ୍ଜିକା · 17 ସେପ୍ଟେମ୍ବର (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 30 ସେପ୍ଟେମ୍ବର 2027
ଗୁରୁବାର · ପେଣ୍ଟିକଷ୍ଟ ପରେ 15ତମ ସପ୍ତାହ · ସ୍ୱର 5
ପର୍ବ ଓ ସନ୍ଥ
Afterfeast of the Exaltation of the Cross
ଉପବାସ
ଉପବାସ ନାହିଁ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ପତ୍ର
23ମାତ୍ର ସେହି ବିଶ୍ୱାସ ଆସିବା ପୂର୍ବେ, ପ୍ରକାଶିତ ହେବାକୁ ଯାଉଥିବା ସେହି ବିଶ୍ୱାସ ପ୍ରାପ୍ତି ଉଦ୍ଦେଶ୍ୟରେ, ଆମ୍ଭେମାନେ ମୋଶାଙ୍କ ବ୍ୟବସ୍ଥାର ଅଧୀନରେ ବନ୍ଦୀ ହୋଇ ରକ୍ଷିତ ହେଉଥିଲୁ। 24ଏହି ପ୍ରକାରେ ବିଶ୍ୱାସ ହେତୁ ଆମ୍ଭମାନଙ୍କର ଧାର୍ମିକ ଗଣିତ ହେବା ନିମନ୍ତେ ଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ, ମୋଶାଙ୍କ ବ୍ୟବସ୍ଥା ଆମ୍ଭମାନଙ୍କର ଶିକ୍ଷକ ସ୍ୱରୂପ ହୋଇଥିଲା। 25କିନ୍ତୁ ଏବେ ସେହି ବିଶ୍ୱାସ ଉପସ୍ଥିତ ହେଲା ପରେ ଆମ୍ଭେମାନେ ଆଉ ସେହି ଶିକ୍ଷକର ଅଧୀନରେ ନାହୁଁ। 26କାରଣ ତୁମ୍ଭେମାନେ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଈଶ୍ବରଙ୍କର ସନ୍ତାନ ହୋଇଅଛ; 27ଯେଣୁ ତୁମ୍ଭେମାନେ ଯେତେ ଲୋକ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛ, ତୁମ୍ଭେମାନେ ସମସ୍ତେ ଖ୍ରୀଷ୍ଟଙ୍କୁ ପରିଧାନ କରିଅଛ। 28ଯିହୁଦୀ କି ଗ୍ରୀକ୍, ଦାସ କି ସ୍ୱାଧୀନ, ପୁରୁଷ କି ସ୍ତ୍ରୀ, ତୁମ୍ଭମାନଙ୍କ ମଧ୍ୟରେ କିଛିର ହିଁ ପ୍ରଭେଦ ନାହିଁ, କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭେମାନେ ଏକ। 29ଆଉ ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କର, ତେବେ ତୁମ୍ଭେମାନେ ତ ଅବ୍ରହାମଙ୍କ ବଂଶ, ପ୍ରତିଜ୍ଞା ଅନୁସାରେ ଉତ୍ତରାଧିକାରୀ। 4:1କିନ୍ତୁ ମୁଁ କହୁଅଛି, ଯେତେ ଦିନ ପର୍ଯ୍ୟନ୍ତ ଉତ୍ତରାଧିକାରୀ ନାବାଳକ ଥାଏ, ସେତେ ଦିନ ପର୍ଯ୍ୟନ୍ତ ସେ ସମସ୍ତ ବିଷୟର କର୍ତ୍ତା ହେଲେ ହେଁ କୌଣସି ପ୍ରକାରେ ଦାସଠାରୁ ଭିନ୍ନ ନୁହେଁ, 2କିନ୍ତୁ ପିତାଙ୍କ ନିରୂପିତ ସମୟ ପର୍ଯ୍ୟନ୍ତ ସେ ଅଭିଭାବକ ଓ ବେବର୍ତ୍ତାମାନଙ୍କ ଅଧୀନରେ ଥାଏ। 3ସେହିପରି ଆମ୍ଭେମାନେ ମଧ୍ୟ ଯେତେବେଳେ ଧର୍ମରେ ନାବାଳକ ଥିଲୁ, ସେତେବେଳେ ଜଗତର ମୌଳିକ ବିଷୟଗୁଡ଼ାକର ଦାସ ଥିଲୁ 4କିନ୍ତୁ କାଳ ସମ୍ପୂର୍ଣ୍ଣ ହୁଅନ୍ତେ, ଈଶ୍ବର ଆପଣା ନିକଟରୁ ନିଜ ପୁତ୍ରଙ୍କୁ ପ୍ରେରଣ କଲେ; ସେ ସ୍ତ୍ରୀଜାତ ହୋଇ ମୋଶାଙ୍କ ବ୍ୟବସ୍ଥାର ଅଧୀନ ହେଲେ, 5ଯେପରି ସେ ମୂଲ୍ୟ ଦେଇ ମୋଶାଙ୍କ ବ୍ୟବସ୍ଥାଧୀନ ଲୋକମାନଙ୍କୁ ମୁକ୍ତ କରନ୍ତି, ପୁଣି, ଆମ୍ଭେମାନେ ପୁତ୍ରତ୍ୱର ଅଧିକାରପ୍ରାପ୍ତ ହେଉ।
ସୁସମାଚାର
30ପରେ ପ୍ରେରିତମାନେ ଯୀଶୁଙ୍କ ନିକଟରେ ଏକତ୍ର ହେଲେ, ଆଉ ସେମାନେ ଯାହା ଯାହା କରିଥିଲେ ଓ ଯାହା ଯାହା ଶିକ୍ଷା ଦେଇଥିଲେ, ସେହିସବୁ ତାହାଙ୍କୁ ଜଣାଇଲେ। 31ସେଥିରେ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଅଲଗା ହୋଇ ଗୋଟିଏ ନିର୍ଜନ ସ୍ଥାନକୁ ଯାଇ କିଛି ସମୟ ବିଶ୍ରାମ କର।” କାରଣ ଅନେକ ଲୋକ ଯିବା ଆସିବା କରୁଥିବାରୁ ସେମାନଙ୍କର ଭୋଜନ କରିବାକୁ ସୁଦ୍ଧା ସୁଯୋଗ ନ ଥିଲା। 32ତହିଁରେ ସେମାନେ ଅଲଗା ହୋଇ ନୌକାରେ ଗୋଟିଏ ନିର୍ଜନ ସ୍ଥାନକୁ ବାହାରିଗଲେ। 33କିନ୍ତୁ ଅନେକେ ସେମାନଙ୍କୁ ବାହାରି ଯିବାର ଦେଖିଲେ ଓ ଚିହ୍ନିଲେ, ପୁଣି, ଲୋକମାନେ ସମସ୍ତ ନଗରରୁ ପାଦଗତିରେ ସେଠାକୁ ଏକତ୍ର ଦୌଡ଼ିଯାଇ ସେମାନଙ୍କ ଆଗରେ ପହଞ୍ଚିଲେ। 34ସେ ନୌକାରୁ ବାହାରି ବହୁସଂଖ୍ୟକ ଲୋକଙ୍କୁ ଦେଖି ସେମାନଙ୍କ ପ୍ରତି ଦୟାରେ ବିଗଳିତ ହେଲେ, କାରଣ ସେମାନେ ଅରକ୍ଷକ ମେଷ ପରି ଥିଲେ; ପୁଣି, ସେ ସେମାନଙ୍କୁ ଅନେକ ବିଷୟ ଶିକ୍ଷା ଦେବାକୁ ଲାଗିଲେ। 35ବେଳ ବହୁତ ହେବାରୁ ତାହାଙ୍କ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଏ ସ୍ଥାନ ତ ନିର୍ଜନ, ପୁଣି, ବହୁତ ବେଳ ହେଲାଣି; 36ଲୋକମାନେ ଯେପରି ଚତୁର୍ଦ୍ଦିଗରେ ପଲ୍ଲୀ ଓ ଗ୍ରାମମାନଙ୍କୁ ଯାଇ ଆପଣା ଆପଣା ନିମନ୍ତେ ଖାଇବା ପାଇଁ କିଛି କିଣନ୍ତି, ଏଥିନିମନ୍ତେ ସେମାନଙ୍କୁ ବିଦାୟ ଦିଅନ୍ତୁ। 37କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ସେମାନଙ୍କୁ ଭୋଜନ କରାଅ।” ସେମାନେ ତାହାଙ୍କୁ କହିଲେ, ଆମ୍ଭେମାନେ କଅଣ ଯାଇ ଦୁଇ ଶହ ଦିନର ମଜୁରୀ ସମାନ ମୂଲ୍ୟର ରୁଟି କିଣି ଏମାନଙ୍କୁ ଭୋଜନ କରାଇବା? 38ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପାଖରେ କେତୋଟି ରୁଟି ଅଛି? ଯାଇ ଦେଖ।” ସେମାନେ ବୁଝି ଆସି ତାହାଙ୍କୁ କହିଲେ, ପାଞ୍ଚୋଟି, ପୁଣି, ଦୁଇଟି ମାଛ। 39ସେଥିରେ ସମସ୍ତେ ଯେପରି ଦଳ ଦଳ ହୋଇ କଅଁଳ ଘାସ ଉପରେ ବସନ୍ତି, ଏଥିପାଇଁ ସେ ସେମାନଙ୍କୁ ଆଜ୍ଞା ଦେଲେ। 40ତହିଁରେ ସେମାନେ ଶହ ଶହ ଓ ପଚାଶ ପଚାଶ ଜଣ କରି ଦଳ ଦଳ ହୋଇ ବସିଲେ। 41ପୁଣି ଯୀଶୁ ସେହି ପାଞ୍ଚୋଟି ରୁଟି ଓ ଦୁଇଟି ମାଛ ଘେନି ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି ଆଶୀର୍ବାଦ କଲେ ଏବଂ ରୁଟିଗୁଡ଼ିକ ଭାଙ୍ଗି ଲୋକମାନଙ୍କୁ ପରିବେଷଣ କରିବା ନିମନ୍ତେ ଶିଷ୍ୟମାନଙ୍କୁ ଦେବାକୁ ଲାଗିଲେ। ପୁଣି, ସେହି ଦୁଇ ମାଛ ସେ ସମସ୍ତଙ୍କ ମଧ୍ୟରେ ଭାଗ କରିଦେଲେ। 42ସେଥିରେ ସମସ୍ତେ ଭୋଜନ କରି ତୃପ୍ତ ହେଲେ, 43ଆଉ ସେମାନେ ଭଙ୍ଗା ରୁଟିର ବଳକା ଉଠାଇ ବାର ଟୋକେଇ ଭର୍ତ୍ତି କଲେ ଏବଂ ଭାଗ କରାଯାଇଥିବା ମାଛରୁ ମଧ୍ୟ କିଛି କିଛି ଗୋଟାଇଲେ। 44ରୁଟି ଖାଇବା ଲୋକମାନେ ପାଞ୍ଚ ହଜାର ପୁରୁଷ ଥିଲେ। 45ସେହିକ୍ଷଣି ସେ ଆପଣା ଶିଷ୍ୟମାନଙ୍କୁ ନୌକାରେ ଚଢ଼ି ବେଥ୍ସାଇଦା ଆଡ଼କୁ ଅପର ପାରିକୁ ଆଗରେ ଯିବା ପାଇଁ ବଳାଇଲେ, ପୁଣି, ସେ ଇତିମଧ୍ୟରେ ଲୋକସମୂହକୁ ବିଦାୟ ଦେଲେ।
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ସେପ୍ଟେମ୍ବର 17 ନାଗରିକ ପଞ୍ଜିକାର ସେପ୍ଟେମ୍ବର 30। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର