Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ସେପ୍ଟେମ୍ବର 2027 › ସେପ୍ଟେମ୍ବର 28

ଅର୍ଥୋଡକ୍ସ ପଞ୍ଜିକା · 15 ସେପ୍ଟେମ୍ବର (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 28 ସେପ୍ଟେମ୍ବର 2027

ମଙ୍ଗଳବାର · ପେଣ୍ଟିକଷ୍ଟ ପରେ 15ତମ ସପ୍ତାହ · ସ୍ୱର 5

ପର୍ବ ଓ ସନ୍ଥ

Afterfeast of the Exaltation of the Cross

ଉପବାସ

ଉପବାସ ନାହିଁ

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ପତ୍ର (ସୋମବାର ପାଇଁ)

ଗାଲା 2:11–16

11ଏବଂ ଯେତେବେଳେ କୈଫା ଆନ୍ତିୟଖିଆକୁ ଆସିଥିଲେ, ସେତେବେଳେ ମୁଁ ମୁଖ ଉପରେ ତାହାଙ୍କୁ ଅନୁଯୋଗ କଲି, କାରଣ ସେ ଦୋଷୀ ଥିଲେ। 12ଯେଣୁ ଯାକୁବଙ୍କଠାରୁ କେତେକ ଜଣ ଆସିବା ପୂର୍ବେ ସେ ଅଣଯିହୁଦୀ ବିଶ୍ୱାସୀମାନଙ୍କ ସହିତ ଭୋଜନ କରୁଥିଲେ, କିନ୍ତୁ ଯେତେବେଳେ ସେମାନେ ଆସିଲେ, ସେତେବେଳେ ସେ ସୁନ୍ନତି ବିଶ୍ୱାସୀମାନଙ୍କ ଭୟରେ ସେମାନଙ୍କର ସଙ୍ଗ ପରିତ୍ୟାଗ କରି ଆପଣାକୁ ପୃଥକ୍ ରଖିଲେ। 13ଆଉ, ଅବଶିଷ୍ଟ ଯିହୁଦୀ ବିଶ୍ୱାସୀମାନେ ମଧ୍ୟ ତାହାଙ୍କ ସହିତ ସେହି ପ୍ରକାରେ କପଟ ବ୍ୟବହାର କଲେ, ଏପରିକି ବର୍ଣ୍ଣବ୍ବା ସୁଦ୍ଧା ସେମାନଙ୍କ କପଟରେ ପଡ଼ିଗଲେ। 14କିନ୍ତୁ ଯେତେବେଳେ ମୁଁ ଦେଖିଲି ଯେ, ସେମାନେ ସୁସମାଚାରର ସତ୍ୟ ଅନୁଯାୟୀ ସରଳ ଭାବରେ ଆଚରଣ କରୁ ନାହାନ୍ତି, ସେତେବେଳେ ମୁଁ ସମସ୍ତଙ୍କ ସାକ୍ଷାତରେ କୈଫାଙ୍କୁ କହିଲି, ତୁମ୍ଭେ ଯିହୁଦୀ ହୋଇ ଯଦି ଯିହୁଦୀମାନଙ୍କ ପରି ବ୍ୟବହାର ନ କରି ଅଣଯିହୁଦୀମାନଙ୍କ ପରି ବ୍ୟବହାର କର, ତେବେ ତୁମ୍ଭେ କିପରି ଅଣଯିହୁଦୀମାନଙ୍କୁ ଯିହୁଦୀମାନଙ୍କ ପରି ବ୍ୟବହାର କରିବା ନିମନ୍ତେ ବାଧ୍ୟ କରୁଅଛ? 15ଆମ୍ଭେମାନେ ଜନ୍ମରେ ଯିହୁଦୀ, ଅଣଯିହୁଦୀ ପାପୀ ନୋହୁଁ, 16ତଥାପି ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ମନୁଷ୍ୟ ଧାର୍ମିକ ଗଣିତ ନ ହୋଇ କେବଳ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଯେ ଧାର୍ମିକ ଗଣିତ ହୁଏ, ଏହା ଜାଣି ଆମ୍ଭେମାନେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛୁ, ଯେପରି ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ଧାର୍ମିକ ଗଣିତ ନ ହୋଇ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେଉ; କାରଣ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ମନୁଷ୍ୟ ଧାର୍ମିକ ଗଣିତ ହେବ ନାହିଁ।

ପତ୍ର

ଗାଲା 2:21–3:7

21ମୁଁ ଈଶ୍ବରଙ୍କ ଅନୁଗ୍ରହକୁ ବ୍ୟର୍ଥ କରୁ ନାହିଁ; କାରଣ ଯଦି ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ଧାର୍ମିକତା ଲାଭ ହୁଏ, ତାହାହେଲେ ଖ୍ରୀଷ୍ଟଙ୍କ ମୃତ୍ୟୁଭୋଗ କରିବା ବୃଥା। 3:1ହେ ନିର୍ବୋଧ ଗାଲାତୀୟମାନେ, କିଏ ତୁମ୍ଭମାନଙ୍କୁ ମୋହିତ କଲା? ତୁମ୍ଭମାନଙ୍କ ଚକ୍ଷୁ ସମ୍ମୁଖରେ ତ କ୍ରୁଶରେ ହତ ଯୀଶୁ ଖ୍ରୀଷ୍ଟଙ୍କ ଚିତ୍ର ଅଙ୍କିତ ହୋଇଥିଲା। 2ମୁଁ ତୁମ୍ଭମାନଙ୍କଠାରୁ କେବଳ ଏହା ଜାଣିବାକୁ ଇଚ୍ଛା କରେ, ତୁମ୍ଭେମାନେ କଅଣ ମୋଶାଙ୍କ ବ୍ୟବସ୍ଥାର କର୍ମ ହେତୁ ନା ବିଶ୍ୱାସରେ ସୁସମାଚାର ଶୁଣିବା ହେତୁ ପବିତ୍ର ଆତ୍ମା ପାଇଥିଲ? 3ତୁମ୍ଭେମାନେ କଅଣ ଏପରି ନିର୍ବୋଧ? ପବିତ୍ର ଆତ୍ମାରେ ଆରମ୍ଭ କରି ତୁମ୍ଭେମାନେ କି ଏବେ ଶରୀରରେ ସିଦ୍ଧ ହେବାକୁ ଯାଉଅଛ? 4ତୁମ୍ଭେମାନେ କି ବ୍ୟର୍ଥରେ ଏତେ କ୍ଳେଶଭୋଗ କରିଅଛ? ତାହା କଅଣ ପ୍ରକୃତରେ ବୃଥା? 5ଅତଏବ, ଯେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଦାନ କରନ୍ତି, ଆଉ ତୁମ୍ଭମାନଙ୍କ ମଧ୍ୟରେ ମହତର କାର୍ଯ୍ୟ ସାଧନ କରନ୍ତି, ସେ କି ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ହେତୁ ତାହା କରନ୍ତି ନା ବିଶ୍ୱାସରେ ସୁସମାଚାର ଶୁଣିବା ହେତୁ କରନ୍ତି? 6ଯେପରି ଅବ୍ରହାମ ଈଶ୍ବରଙ୍କୁ ବିଶ୍ୱାସ କଲେ, ଆଉ ତାହାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା। 7ଅତଏବ ଯେଉଁମାନେ ବିଶ୍ୱାସୀ, ସେମାନେ ଅବ୍ରହାମଙ୍କର ସନ୍ତାନ।

ସୁସମାଚାର (ସୋମବାର ପାଇଁ)

ମାର୍କ 5:24–34

24ଏଥିରେ ସେ ତାହାଙ୍କ ସାଙ୍ଗରେ ଗଲେ, ପୁଣି, ବହୁସଂଖ୍ୟକ ଲୋକ ତାହାଙ୍କ ପଛେ ପଛେ ଯିବାକୁ ଲାଗିଲେ, ଆଉ ସେମାନେ ତାହାଙ୍କ ଉପରେ ମାଡ଼ିପଡ଼ୁଥିଲେ। 25ସେତେବେଳେ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକ, 26ଯେ କି ଅନେକ ବୈଦ୍ୟଙ୍କ ଦ୍ୱାରା ବହୁ କ୍ଲେଶ ଭୋଗ କରି ସର୍ବସ୍ୱ ବ୍ୟୟ କରିଥିଲେ ହେଁ କିଛିମାତ୍ର ଉପକାର ନ ପାଇ ବରଂ ଅଧିକ ପୀଡ଼ିତ ହୋଇ ପଡ଼ିଥିଲା, 27ସେ ଯୀଶୁଙ୍କ ବିଷୟ ଶୁଣି ଲୋକଗହଳି ମଧ୍ୟରେ ପଛଆଡ଼ୁ ଆସି ତାହାଙ୍କ ଲୁଗା ଛୁଇଁଲା; 28କାରଣ ସେ କହୁଥିଲା, କେବଳ ତାହାଙ୍କ ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି। 29ସେହିକ୍ଷଣି ତାହାର ରକ୍ତସ୍ରାବ ବନ୍ଦ ହେଲା, ପୁଣି, ସେ ଯେ ରୋଗରୁ ଆରୋଗ୍ୟ ହୋଇଅଛି, ଏହା ସେ ନିଜ ଶରୀରରେ ଅନୁଭବ କଲା। 30ସେହିକ୍ଷଣି ଯୀଶୁ ଆପଣାଠାରୁ ଶକ୍ତି ନିର୍ଗତ ହେବା ଅନ୍ତରରେ ଜ୍ଞାତ ହୋଇ ଲୋକଗହଳି ମଧ୍ୟରେ ବୁଲିପଡ଼ି କହିଲେ, “କିଏ ମୋହର ଲୁଗା ଛୁଇଁଲା?” 31ତାହାଙ୍କ ଶିଷ୍ୟମାନେ ତାହାଙ୍କୁ କହିଲେ, ଆପଣ ଦେଖୁଅଛନ୍ତି ଯେ, ଲୋକସମୂହ ଆପଣଙ୍କ ଉପରେ ମାଡ଼ିପଡ଼ୁଅଛନ୍ତି, ଆଉ ଆପଣ କହୁଅଛନ୍ତି, “କିଏ ମୋତେ ଛୁଇଁଲା?” 32କିନ୍ତୁ ଯେ ଏହା କରିଥିଲା, ତାହାକୁ ଦେଖିବା ନିମନ୍ତେ ସେ ଚାରିଆଡ଼େ ଦୃଷ୍ଟିପାତ କରିବାକୁ ଲାଗିଲେ। 33ସେଥିରେ ସେହି ସ୍ତ୍ରୀଲୋକଟି ଆପଣା ପ୍ରତି ଯାହା ଘଟିଅଛି, ତାହା ଜାଣି ଭୟରେ ଥରି ଥରି ଆସି ତାହାଙ୍କ ଚରଣ ତଳେ ପଡ଼ି ସମସ୍ତ ସତ୍ୟ କଥା ତାହାଙ୍କୁ କହିଲା। 34ତହିଁରେ ଯୀଶୁ ତାହାକୁ କହିଲେ, “ବତ୍ସେ, ତୋହର ବିଶ୍ୱାସ ତୋତେ ସୁସ୍ଥ କରିଅଛି; ଶାନ୍ତିରେ ଚାଲିଯା ଓ ତୋହର ରୋଗରୁ ଆରୋଗ୍ୟ ହୋଇରହ।”

ସୁସମାଚାର

ମାର୍କ 6:1–7

1ଯୀଶୁ ସେହି ସ୍ଥାନରୁ ପ୍ରସ୍ଥାନ କରି ନିଜ ପୈତୃକ ନଗରକୁ ଆସିଲେ ଓ ତାହାଙ୍କ ଶିଷ୍ୟମାନେ ତାହାଙ୍କର ଅନୁସରଣ କଲେ। 2ବିଶ୍ରାମବାର ଉପସ୍ଥିତ ହୁଅନ୍ତେ ସେ ସମାଜଗୃହରେ ଶିକ୍ଷା ଦେବାକୁ ଲାଗିଲେ; ଆଉ ଅନେକେ ତାହାଙ୍କର କଥା ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ଏ ଲୋକର ଏହିସବୁ କେଉଁଠାରୁ ହେଲା? ପୁଣି, ଏହାକୁ ଯେଉଁ ଜ୍ଞାନ ଦିଆଯାଇଅଛି ଓ ଯେଉଁ ଶକ୍ତିର କାର୍ଯ୍ୟ ଏହାର ହସ୍ତ ଦ୍ୱାରା ସାଧିତ ହେଉଅଛି, ଏସବୁ ବା କଅଣ? 3ଏ କି ସେହି ବଢ଼େଇ ନୁହେଁ? ଏ କି ମରୀୟମର ପୁଅ, ଆଉ ଯାକୁବ, ଯୋସି, ଯିହୂଦା ଓ ଶିମୋନର ଭାଇ ନୁହେଁ? ପୁଣି, ଏହାର ଭଉଣୀମାନେ କି ଏଠାରେ ଆମ୍ଭମାନଙ୍କ ସାଙ୍ଗରେ ନାହାନ୍ତି? ଆଉ ସେମାନେ ତାହାଙ୍କଠାରେ ବିଘ୍ନ ପାଇଲେ। 4ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ନିଜ ପୈତୃକ ନଗର, ନିଜ ଜ୍ଞାତି ଓ ନିଜ ପରିବାର ବିନା ଭାବବାଦୀ ଅନ୍ୟ କୌଣସିଠାରେ ହତାଦର ହୁଅନ୍ତି ନାହିଁ।” 5ପୁଣି, ଅଳ୍ପ କେତେକ ରୋଗୀ ଲୋକଙ୍କ ଉପରେ ହାତ ଥୋଇ ସେମାନଙ୍କୁ ସୁସ୍ଥ କରିବା ବିନା ସେ ସ୍ଥାନରେ ସେ ଆଉ କୌଣସି ମହତର କାର୍ଯ୍ୟ କରିପାରିଲେ ନାହିଁ। 6ପୁଣି, ସେମାନଙ୍କ ଅବିଶ୍ୱାସ ହେତୁ ଚମତ୍କୃତ ହେଲେ। 7ପରେ ସେ ଚାରିଆଡ଼େ ଗ୍ରାମେ ଗ୍ରାମେ ଭ୍ରମଣ କରି ଶିକ୍ଷା ଦେବାକୁ ଲାଗିଲେ। ଇତିମଧ୍ୟରେ ସେ ବାର ଶିଷ୍ୟମାନଙ୍କୁ ନିକଟକୁ ଡାକି ସେମାନଙ୍କୁ ଦୁଇ ଦୁଇ ଜଣ କରି ପ୍ରେରଣ କରିବାକୁ ଆରମ୍ଭ କଲେ ଏବଂ ଅଶୁଚି ଆତ୍ମାମାନଙ୍କ ଉପରେ ସେମାନଙ୍କୁ ଅଧିକାର ଦେଲେ,

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ସେପ୍ଟେମ୍ବର 15 ନାଗରିକ ପଞ୍ଜିକାର ସେପ୍ଟେମ୍ବର 28। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର