Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅଗଷ୍ଟ 2027 › ଅଗଷ୍ଟ 5

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 5 ଅଗଷ୍ଟ 2027

ଗୁରୁବାର · ସାଧାରଣ କାଳର 18ତମ ସପ୍ତାହ

ପର୍ବ ଓ ସନ୍ଥ

ସାଧାରଣ କାଳର 18ତମ ସପ୍ତାହର ଗୁରୁବାର

ଇଚ୍ଛାଧୀନ ସ୍ମୃତି ଦିବସ · ଉପାସନାର ରଙ୍ଗ: ସବୁଜ

ସନ୍ଥ ମେରୀ ମେଜର୍ ବାସିଲିକାର ଉତ୍ସର୍ଗ · ଇଚ୍ଛାଧୀନ ସ୍ମୃତି ଦିବସ

ଦିନର ପାଠ

ପ୍ରଥମ ପାଠ

ଗଣ 20:1–13

1ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣଙ୍କର ସମସ୍ତ ମଣ୍ଡଳୀ ପ୍ରଥମ ମାସରେ ସୀନ୍‍ ପ୍ରାନ୍ତରରେ ଉପସ୍ଥିତ ହେଲେ ଓ ଲୋକମାନେ କାଦେଶରେ ବାସ କଲେ; ପୁଣି, ସେହି ସ୍ଥାନରେ ମରୀୟମ ମଲେ ଓ ସେଠାରେ ତାଙ୍କୁ କବର ଦିଆଗଲା। 2ଆଉ ସେହି ସ୍ଥାନରେ ମଣ୍ଡଳୀ ନିମନ୍ତେ ଜଳ ନ ଥିଲା; ତହିଁରେ ଲୋକମାନେ ମୋଶାଙ୍କ ଓ ହାରୋଣଙ୍କ ବିରୁଦ୍ଧରେ ଏକତ୍ର ହେଲେ। 3ପୁଣି, ଲୋକମାନେ ମୋଶାଙ୍କ ସହିତ ବିବାଦ କରି କହିଲେ, “ହାୟ, ଆମ୍ଭମାନଙ୍କ ଭାଇମାନେ ଯେତେବେଳେ ସଦାପ୍ରଭୁଙ୍କ ସମ୍ମୁଖରେ ମଲେ, ସେହି ସମୟରେ ଯଦି ଆମ୍ଭେମାନେ ମରିଥାʼନ୍ତୁ। 4ତୁମ୍ଭେମାନେ କାହିଁକି ସଦାପ୍ରଭୁଙ୍କ ସମାଜକୁ ବାହାର କରି ଏହି ପ୍ରାନ୍ତରକୁ ଆଣିଲ, ଯେପରିକି ଆମ୍ଭେମାନେ ଓ ଆମ୍ଭମାନଙ୍କର ପଶୁମାନେ ଏହିଠାରେ ମରିବୁ? 5ଆଉ ତୁମ୍ଭେମାନେ କାହିଁକି ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲ, କି ଏହି କଦର୍ଯ୍ୟ ସ୍ଥାନକୁ ଆଣିବାକୁ? ଏ ତ ଶସ୍ୟ କି ଡିମ୍ବିରି କି ଦ୍ରାକ୍ଷା କି ଡାଳିମ୍ବର ସ୍ଥାନ ନୁହେଁ; କିଅବା ଏଠାରେ ପିଇବାକୁ ଜଳ ନାହିଁ।” 6ଏଥିରେ ମୋଶା ଓ ହାରୋଣ ସମାଜ ସାକ୍ଷାତରୁ ସମାଗମ-ତମ୍ବୁ ଦ୍ୱାରକୁ ଯାଇ ମୁହଁ ମାଡ଼ି ପଡ଼ିଲେ; ତହୁଁ ସଦାପ୍ରଭୁଙ୍କ ପ୍ରତାପ ସେମାନଙ୍କ ପ୍ରତି ପ୍ରକାଶ ପାଇଲା। 7ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 8“ତୁମ୍ଭେ ଯଷ୍ଟି ନିଅ, ପୁଣି, ତୁମ୍ଭେ ଓ ତୁମ୍ଭ ଭାଇ ହାରୋଣ ମଣ୍ଡଳୀକୁ ଏକତ୍ର କର, ଆଉ ତୁମ୍ଭେମାନେ ସେମାନଙ୍କ ଦୃଷ୍ଟିଗୋଚରରେ ସେହି ଶୈଳକୁ ଆପଣା ଜଳ ଦେବା ପାଇଁ ଆଜ୍ଞା ଦିଅ; ତହିଁରେ ତୁମ୍ଭେ ସେମାନଙ୍କ ନିମନ୍ତେ ଶୈଳରୁ ଜଳ ବାହାର କରି ମଣ୍ଡଳୀକୁ ଓ ସେମାନଙ୍କ ପଶୁଗଣକୁ ପାନ କରାଇବ।” 9ତହୁଁ ମୋଶା ସଦାପ୍ରଭୁଙ୍କ ସମ୍ମୁଖରୁ ତାହାଙ୍କ ଆଜ୍ଞା ପ୍ରମାଣେ ଯଷ୍ଟି ନେଲେ। 10ପୁଣି, ମୋଶା ଓ ହାରୋଣ ସେହି ଶୈଳ ସମ୍ମୁଖରେ ସମାଜକୁ ଏକତ୍ର କଲେ, ଆଉ ସେ ସେମାନଙ୍କୁ କହିଲେ, “ହେ ବିଦ୍ରୋହୀଗଣ, ଶୁଣ, ଆମ୍ଭେମାନେ କି ତୁମ୍ଭମାନଙ୍କ ନିମନ୍ତେ ଏହି ଶୈଳରୁ ଜଳ ବାହାର କରିବା?” 11ଏଉତ୍ତାରେ ମୋଶା ହସ୍ତ ଉଠାଇ ଆପଣା ଯଷ୍ଟିରେ ସେହି ଶୈଳକୁ ଦୁଇ ଥର ଆଘାତ କଲେ; ତହିଁରେ ପ୍ରଚୁର ଜଳ ବାହାରିଲା, ପୁଣି, ମଣ୍ଡଳୀ ଓ ସେମାନଙ୍କ ପଶୁଗଣ ପାନ କଲେ। 12ଏଥିରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, “ତୁମ୍ଭେମାନେ ଇସ୍ରାଏଲ ସନ୍ତାନମାନଙ୍କ ସାକ୍ଷାତରେ ଆମ୍ଭକୁ ପବିତ୍ର ବୋଲି ମାନ୍ୟ କରିବାକୁ ଆମ୍ଭଠାରେ ବିଶ୍ୱାସ କଲ ନାହିଁ, ଏହେତୁ ଆମ୍ଭେ ଏହି ମଣ୍ଡଳୀକୁ ଯେଉଁ ଦେଶ ଦେଇଅଛୁ, ସେହି ଦେଶରେ ତୁମ୍ଭେମାନେ ସେମାନଙ୍କୁ ପ୍ରବେଶ କରାଇବ ନାହିଁ।” 13ଏହିସବୁ ମିରୀବାଃ ଜଳ, (ବିବାଦର ଜଳ); ଯେହେତୁ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ସହିତ ବିବାଦ କଲେ ଓ ସେମାନଙ୍କ ମଧ୍ୟରେ ପବିତ୍ର ରୂପେ ମାନ୍ୟ ହେଲେ।

ପ୍ରତିଉତ୍ତର ଗୀତ

ଗୀତ 95:1–2, 6–9

1ଆହେ, ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରୁ; ଆମ୍ଭମାନଙ୍କ ପରିତ୍ରାଣର ଶୈଳଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କରୁ। 2ଆମ୍ଭେମାନେ ଧନ୍ୟବାଦ କରି ତାହାଙ୍କ ଛାମୁକୁ ଆସୁ, ଆମ୍ଭେମାନେ ଗୀତ ଦ୍ୱାରା ତାହାଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କରୁ। 6ଆହେ, ଆସ, ଉବୁଡ଼ ହୋଇ ପ୍ରଣାମ କରୁ; ଆମ୍ଭମାନଙ୍କ ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କ ଛାମୁରେ ଆଣ୍ଠୁ ପାତୁ; 7କାରଣ ସେ ଆମ୍ଭମାନଙ୍କର ପରମେଶ୍ୱର, ପୁଣି, ଆମ୍ଭେମାନେ ତାହାଙ୍କ ଚରାସ୍ଥାନର ଲୋକ ଓ ତାହାଙ୍କ ହସ୍ତଗତ ମେଷ। ଆହା, ଯଦି ଆଜି ତୁମ୍ଭେମାନେ ତାହାଙ୍କ ରବ ଶୁଣନ୍ତ। 8ଯେପରି ମିରୀବାଃ ନିକଟରେ ଉତ୍ତେଜିତ ହେବା ସମୟରେ, ଯେପରି ପ୍ରାନ୍ତର ମଧ୍ୟରେ ମଃସା ନିକଟରେ ପରୀକ୍ଷା ସମୟରେ, ସେପରି ତୁମ୍ଭେମାନେ ଅନ୍ତଃକରଣ କଠିନ କର ନାହିଁ; 9ସେସମୟରେ ତୁମ୍ଭମାନଙ୍କ ପୂର୍ବପୁରୁଷଗଣ ଆମ୍ଭଙ୍କୁ ପରୀକ୍ଷା କଲେ, ଆମ୍ଭର ପ୍ରମାଣ ନେଲେ ଓ ଆମ୍ଭର କର୍ମ ଦେଖିଲେ।

ସୁସମାଚାର

ମାଥି 16:13–23

13ପରେ ଯୀଶୁ କାଇସରିୟା ଫିଲିପ୍ପୀ ଅଞ୍ଚଳକୁ ଆସି ଆପଣା ଶିଷ୍ୟମାନଙ୍କୁ ପଚାରିବାକୁ ଲାଗିଲେ, “ମନୁଷ୍ୟପୁତ୍ର କିଏ ବୋଲି ଲୋକେ କଅଣ କହନ୍ତି?” 14ଏଥିରେ ସେମାନେ କହିଲେ, କେହି କେହି କହନ୍ତି, ବାପ୍ତିଜକ ଯୋହନ, କେହି କେହି ଏଲୀୟ, ଆଉ କେହି କେହି ଯିରିମୀୟ ଅବା ଭାବବାଦୀମାନଙ୍କ ମଧ୍ୟରୁ ଜଣେ। 15ସେ ସେମାନଙ୍କୁ ପଚାରିଲେ, “କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କଅଣ କହୁଅଛ?” 16ଶିମୋନ ପିତର ଉତ୍ତର ଦେଲେ, ଆପଣ ଖ୍ରୀଷ୍ଟ, ଜୀବନ୍ତ ଈଶ୍ବରଙ୍କ ପୁତ୍ର। 17ଏଥିରେ ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ହେ ଯୂନସର ପୁତ୍ର ଶିମୋନ, ତୁମ୍ଭେ ଧନ୍ୟ, କାରଣ ମନୁଷ୍ୟ ତୁମ୍ଭ ନିକଟରେ ଏହା ପ୍ରକାଶ କରି ନାହିଁ, ବରଂ ମୋହର ସ୍ୱର୍ଗସ୍ଥ ପିତା ଈଶ୍ବର ପ୍ରକାଶ କରିଅଛନ୍ତି। 18ଆଉ ମୁଁ ମଧ୍ୟ ତୁମ୍ଭକୁ କହୁଅଛି, ତୁମ୍ଭେ ପିତର, ପୁଣି, ଏହି ପଥର ଉପରେ ମୁଁ ଆପଣା ମଣ୍ଡଳୀ ତୋଳିବି, ଆଉ ପାତାଳର ବଳ ତାହାକୁ ପରାଜୟ କରିବ ନାହିଁ। 19ମୁଁ ତୁମ୍ଭଙ୍କୁ ସ୍ୱର୍ଗରାଜ୍ୟର ଚାବି ଦେବି, ଆଉ ତୁମ୍ଭେ ପୃଥିବୀରେ ଯାହା କିଛି ବନ୍ଦ କରିବ, ସ୍ୱର୍ଗରେ ତାହା ବନ୍ଦ ରହିବ, ପୁଣି, ପୃଥିବୀରେ ଯାହା କିଛି ମୁକ୍ତ କରିବ, ସ୍ୱର୍ଗରେ ତାହା ମୁକ୍ତ ରହିବ।” 20ସେତେବେଳେ ସେ ଯେ ଖ୍ରୀଷ୍ଟ ଅଟନ୍ତି, ଏହା କାହାକୁ ନ କହିବା ପାଇଁ ସେ ଶିଷ୍ୟମାନଙ୍କୁ ଦୃଢ଼ ଆଜ୍ଞା ଦେଲେ। 21ସେହି ସମୟଠାରୁ ଯୀଶୁ ଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ବୁଝାଇବାକୁ ଲାଗିଲେ ଯେ, ତାହାଙ୍କୁ ଅବଶ୍ୟ ଯିରୂଶାଲମ ସହରକୁ ଯିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରୁ ଅନେକ ଦୁଃଖଭୋଗ କରି ହତ ହେବାକୁ ହେବ, ପୁଣି, ତୃତୀୟ ଦିବସରେ ପୁନରୁତ୍ଥାନ ହେବାକୁ ହେବ। 22ସେଥିରେ ପିତର ତାହାଙ୍କୁ ଅନ୍ୟ ଆଡ଼କୁ ଘେନିଯାଇ ଅନୁଯୋଗ କରି କହିବାକୁ ଲାଗିଲେ, ହେ ପ୍ରଭୁ, ଈଶ୍ବର ଆପଣଙ୍କୁ ଦୟା କରନ୍ତୁ, ଏହା ଆପଣଙ୍କ ପ୍ରତି କେବେ ହେଁ ନ ଘଟୁ। 23କିନ୍ତୁ ଯୀଶୁ ବୁଲିପଡ଼ି ପିତରଙ୍କୁ କହିଲେ, “ମୋ ଆଗରୁ ଦୂର ହୁଅ, ଶୟତାନ, ତୁମ୍ଭେ ମୋହର ବିଘ୍ନସ୍ୱରୂପ, କାରଣ ତୁମ୍ଭେ ଈଶ୍ବରଙ୍କ ବିଷୟ ନ ଭାବି ମନୁଷ୍ୟର ବିଷୟ ଭାବୁଅଛ।”

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର