ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅଗଷ୍ଟ 2027 › ଅଗଷ୍ଟ 4
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 4 ଅଗଷ୍ଟ 2027
ବୁଧବାର · ସାଧାରଣ କାଳର 18ତମ ସପ୍ତାହ
ପର୍ବ ଓ ସନ୍ଥ
ସାଧାରଣ କାଳର 18ତମ ସପ୍ତାହର ବୁଧବାର
ସ୍ମୃତି ଦିବସ · ଉପାସନାର ରଙ୍ଗ: ଧଳା
ସନ୍ଥ ଜନ୍ ଭିଆନି, ପୁରୋହିତ · ସ୍ମୃତି ଦିବସ
ଦିନର ପାଠ
ପ୍ରଥମ ପାଠ
ଗଣ 13:1–2, 25–14:1, 26–30, 34–35
1ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 2“ଆମ୍ଭେ ଇସ୍ରାଏଲ-ସନ୍ତାନଗଣଙ୍କୁ ଯେଉଁ କିଣାନ ଦେଶ ଦେବା, ତାହା ଅନୁସନ୍ଧାନ କରିବାକୁ ତୁମ୍ଭେ ଲୋକ ପଠାଅ, ସେମାନଙ୍କର ପ୍ରତ୍ୟେକ ପିତୃବଂଶ ମଧ୍ୟରେ ଯେଉଁମାନେ ଅଧିପତି, ସେମାନଙ୍କୁ ପଠାଅ।” 25ଆଉ ଚାଳିଶ ଦିନ ଉତ୍ତାରେ ସେମାନେ ଦେଶ ଅନୁସନ୍ଧାନ କରି ଫେରି ଆସିଲେ। 26ଏଥିଉତ୍ତାରେ ସେମାନେ ଆସି ପାରଣ ପ୍ରାନ୍ତରସ୍ଥ କାଦେଶ ନାମକ ସ୍ଥାନରେ ମୋଶା, ହାରୋଣ ଓ ଇସ୍ରାଏଲ-ସନ୍ତାନଗଣଙ୍କର ସମସ୍ତ ମଣ୍ଡଳୀ ନିକଟରେ ଉପସ୍ଥିତ ହୋଇ ସେମାନଙ୍କୁ ଓ ସମସ୍ତ ମଣ୍ଡଳୀକୁ ସମାଚାର ଦେଲେ ଓ ସେମାନଙ୍କୁ ସେହି ଦେଶର ଫଳ ଦେଖାଇଲେ। 27ପୁଣି, ସେମାନେ ବର୍ଣ୍ଣନା କରି ତାଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କୁ ଯେଉଁ ଦେଶକୁ ପଠାଇଥିଲ, ଆମ୍ଭେମାନେ ସେଠାକୁ ଯାଇଥିଲୁ; ଆଉ ତାହା ଦୁଗ୍ଧ ଓ ମଧୁ ପ୍ରବାହୀ ଅଟେ ଓ ଏହା ତହିଁର ଫଳ। 28ତଥାପି ସେହି ଦେଶ ନିବାସୀମାନେ ବଳବାନ ଓ ନଗରସବୁ ପ୍ରାଚୀର-ବେଷ୍ଟିତ ଓ ଅତି ବଡ଼; ଆହୁରି ଆମ୍ଭେମାନେ ସେଠାରେ ଅନାକର ସନ୍ତାନଗଣକୁ ଦେଖିଲୁ। 29ଦକ୍ଷିଣ ଦେଶରେ ଅମାଲେକ ବାସ କରନ୍ତି; ପୁଣି, ପର୍ବତରେ ହିତ୍ତୀୟ, ଯିବୂଷୀୟ ଓ ଇମୋରୀୟ ଲୋକମାନେ ବାସ କରନ୍ତି; ଆଉ ସମୁଦ୍ର ନିକଟରେ ଓ ଯର୍ଦ୍ଦନ ତୀରରେ କିଣାନୀୟ ଲୋକମାନେ ବାସ କରନ୍ତି।” 30ତହିଁରେ କାଲେବ ମୋଶାଙ୍କ ପକ୍ଷରୁ ଲୋକମାନଙ୍କୁ କ୍ଷାନ୍ତ କରି କହିଲେ, “ଆସ, ଆମ୍ଭେମାନେ ଏହିକ୍ଷଣି ଉଠିଯାଇ ତାହା ଅଧିକାର କରୁ; ତାହା ପରାସ୍ତ କରିବାକୁ ଆମ୍ଭେମାନେ ସକ୍ଷମ ଅଟୁ।” 31ମାତ୍ର ଯେଉଁ ଲୋକମାନେ ତାଙ୍କ ସହିତ ଯାଇଥିଲେ, ସେମାନେ କହିଲେ, “ଆମ୍ଭେମାନେ ସେହି ଲୋକମାନଙ୍କ ବିରୁଦ୍ଧରେ ଯାଇ ନ ପାରୁ, କାରଣ ସେମାନେ ଆମ୍ଭମାନଙ୍କଠାରୁ ବଳବାନ।” 32ଏହିରୂପେ ସେମାନେ ଯେଉଁ ଦେଶ ଅନୁସନ୍ଧାନ କରିଥିଲେ, ଇସ୍ରାଏଲ-ସନ୍ତାନଗଣ ନିକଟରେ ସେହି ଦେଶର ଅଖ୍ୟାତି କରି କହିଲେ, “ଆମ୍ଭେମାନେ ଯେଉଁ ଦେଶର ମଧ୍ୟଦେଇ ଅନୁସନ୍ଧାନ କରିବାକୁ ଯାଇଥିଲୁ, ସେହି ଦେଶ ସ୍ୱନିବାସୀମାନଙ୍କୁ ଗ୍ରାସ କରେ, ପୁଣି, ତହିଁ ମଧ୍ୟରେ ଆମ୍ଭେମାନେ ଯେତେ ଲୋକଙ୍କୁ ଦେଖିଲୁ, ସେମାନେ ବଡ଼ ଡେଙ୍ଗା। 33ଆଉ ସେ ସ୍ଥାନରେ ଆମ୍ଭେମାନେ ମହାବୀରଜାତ ଅନାକର ସନ୍ତାନ ମହାବୀରଗଣକୁ ଦେଖିଲୁ; ଆଉ ଆମ୍ଭେମାନେ ଆପଣାମାନଙ୍କ ଦୃଷ୍ଟିରେ ଫଡ଼ିଙ୍ଗ ପରି ହେଲୁ ଓ ସେମାନଙ୍କ ଦୃଷ୍ଟିରେ ମଧ୍ୟ ସେରୂପ ଥିଲୁ।” 14:1ଏଥିରେ ସମସ୍ତ ମଣ୍ଡଳୀ ଉଚ୍ଚସ୍ୱରରେ କୋଳାହଳ କଲେ ଓ ଲୋକମାନେ ସେହି ରାତ୍ରି ରୋଦନ କଲେ। 26ଏଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ କହିଲେ, 27“ଆମ୍ଭ ବିରୁଦ୍ଧରେ ବଚସା କରୁଅଛି, ଏହି ଯେଉଁ ଦୁଷ୍ଟ ମଣ୍ଡଳୀ, ତାହାକୁ ଆମ୍ଭେ କେତେ କାଳ ସହିବା? ଇସ୍ରାଏଲ-ସନ୍ତାନଗଣ ଆମ୍ଭ ପ୍ରତିକୂଳରେ ଯେଉଁ ବଚସା କରୁଅଛନ୍ତି, ତାହା ଆମ୍ଭେ ଶୁଣିଅଛୁ। 28ସେମାନଙ୍କୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ‘ଆମ୍ଭେ ଯଦି ଜୀବିତ ହେଉ, ତେବେ ତୁମ୍ଭେମାନେ ଆମ୍ଭ କର୍ଣ୍ଣଗୋଚରରେ ଯାହା କହିଅଛ, ତାହା ହିଁ ଆମ୍ଭେ ତୁମ୍ଭମାନଙ୍କ ପ୍ରତି କରିବା। 29ତୁମ୍ଭମାନଙ୍କର ଶବ ଏହି ପ୍ରାନ୍ତରରେ ପଡ଼ିବ; ତୁମ୍ଭମାନଙ୍କ ମଧ୍ୟରେ କୋଡ଼ିଏ ବର୍ଷ ଓ ତହିଁରୁ ଅଧିକ ବର୍ଷ ବୟସ୍କ ଲୋକମାନଙ୍କର ସମ୍ପୂର୍ଣ୍ଣ ସଂଖ୍ୟାନୁସାରେ ଗଣିତ ଯେତେ ଲୋକ, ତୁମ୍ଭେମାନେ ଆମ୍ଭ ବିରୁଦ୍ଧରେ ବଚସା କରିଅଛ, 30ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶରେ ବାସ କରାଇବାକୁ ପ୍ରତିଜ୍ଞା କରିଅଛୁ, ନିଶ୍ଚୟ ସେହି ଦେଶରେ ଯିଫୁନ୍ନିର ପୁତ୍ର କାଲେବ ଓ ନୂନର ପୁତ୍ର ଯିହୋଶୂୟଙ୍କ ବ୍ୟତୀତ ତୁମ୍ଭେମାନେ କେହି ପ୍ରବେଶ କରିବ ନାହିଁ। 34ତୁମ୍ଭେମାନେ ଯେଉଁ ଚାଳିଶ ଦିନ ଦେଶ ଅନୁସନ୍ଧାନ କରିଅଛ, ସେହି ଦିନର ସଂଖ୍ୟାନୁସାରେ ଏକ ଏକ ଦିନ ପାଇଁ ଏକ ଏକ ବର୍ଷ, ଏରୂପେ ଚାଳିଶ ବର୍ଷ ପର୍ଯ୍ୟନ୍ତ ତୁମ୍ଭେମାନେ ଆପଣା ଆପଣା ଅପରାଧର ଦଣ୍ଡ ଭୋଗିବ ଓ ଆମ୍ଭର ବିପକ୍ଷତା କିପରି, ତାହା ଜ୍ଞାତ ହେବ। 35ଆମ୍ଭେ ସଦାପ୍ରଭୁ ଏହା କହିଅଛୁ, ଆମ୍ଭ ବିରୁଦ୍ଧରେ ଯେଉଁ ଦୁଷ୍ଟ ମଣ୍ଡଳୀ ଏକତ୍ରିତ ହୋଇଅଛି, ତାହା ପ୍ରତି ଆମ୍ଭେ ତାହା ନିଶ୍ଚୟ କରିବା, ପୁଣି, ସେମାନେ ଏହି ପ୍ରାନ୍ତରରେ ନଷ୍ଟ ହେବେ ଓ ଏହି ସ୍ଥାନରେ ସେମାନେ ମରିବେ।’”
ପ୍ରତିଉତ୍ତର ଗୀତ
6ଆମ୍ଭେମାନେ ଆପଣାମାନଙ୍କ ପୂର୍ବପୁରୁଷଗଣ ତୁଲ୍ୟ ପାପ କରିଅଛୁ, ଆମ୍ଭେମାନେ ଅପରାଧ କରିଅଛୁ, ଆମ୍ଭେମାନେ ଅଧର୍ମ କରିଅଛୁ। 7ଆମ୍ଭମାନଙ୍କ ପିତୃପୁରୁଷମାନେ ମିସରରେ ତୁମ୍ଭର ଆଶ୍ଚର୍ଯ୍ୟକ୍ରିୟାସବୁ ବୁଝିଲେ ନାହିଁ; ସେମାନେ ତୁମ୍ଭ ଦୟାର ବାହୁଲ୍ୟ ସ୍ମରଣ କଲେ ନାହିଁ; ମାତ୍ର ସମୁଦ୍ର ନିକଟରେ, ସୂଫ ସାଗର ନିକଟରେ ହେଁ ବିଦ୍ରୋହାଚରଣ କଲେ। 13ସେମାନେ ତାହାଙ୍କ କର୍ମସକଳ ଶୀଘ୍ର ପାସୋରିଗଲେ; ସେମାନେ ତାହାଙ୍କ ମନ୍ତ୍ରଣାର ଅପେକ୍ଷା କଲେ ନାହିଁ; 14ମାତ୍ର ପ୍ରାନ୍ତରରେ ଅତିଶୟ ଲୋଭାକ୍ରାନ୍ତ ହେଲେ ଓ ମରୁଭୂମିରେ ପରମେଶ୍ୱରଙ୍କୁ ପରୀକ୍ଷା କଲେ। 21ଯେ ମିସରରେ ବିବିଧ ମହତ କର୍ମ, ହାମ୍ ଦେଶରେ ନାନା ଆଶ୍ଚର୍ଯ୍ୟକର୍ମ ଓ ସୂଫ ସାଗର ନିକଟରେ ଭୟଙ୍କର କର୍ମ ସାଧନ କରିଥିଲେ; 22ସେମାନେ ଆପଣାମାନଙ୍କ ସେହି ତ୍ରାଣକର୍ତ୍ତା ପରମେଶ୍ୱରଙ୍କୁ ପାସୋରିଲେ। 23ଏହେତୁ ସେ ସେମାନଙ୍କୁ ସଂହାର କରିବେ ବୋଲି କହିଲେ, ମାତ୍ର ସେ ଯେପରି ସେମାନଙ୍କୁ ସଂହାର ନ କରିବେ, ଏଥିପାଇଁ ତାହାଙ୍କ କୋପ ଫେରାଇବା ନିମନ୍ତେ ତାହାଙ୍କ ମନୋନୀତ ମୋଶା ଭଗ୍ନସ୍ଥାନରେ ତାହାଙ୍କ ସମ୍ମୁଖରେ ଠିଆ ହେଲେ।
ସୁସମାଚାର
21ଯୀଶୁ ସେହି ସ୍ଥାନରୁ ଅଲଗା ହୋଇ ସୋର ଓ ସୀଦୋନ ଅଞ୍ଚଳକୁ ଚାଲିଗଲେ। 22ଆଉ ଦେଖ, ସେହି ସୀମାରୁ ଜଣେ କିଣାନୀୟ ସ୍ତ୍ରୀ ଆସି ଉଚ୍ଚସ୍ୱରରେ କହିବାକୁ ଲାଗିଲା, ହେ ପ୍ରଭୁ, ଦାଉଦଙ୍କ ସନ୍ତାନ, ମୋତେ ଦୟା କରନ୍ତୁ, ମୋହର ଝିଅଟି ଅତି ଭୟଙ୍କର ଭାବରେ ଭୂତ ଦ୍ୱାରା କଷ୍ଟ ପାଉଅଛି। 23କିନ୍ତୁ ଯୀଶୁ ତାହାକୁ ପଦେ ହେଲେ ଉତ୍ତର ଦେଲେ ନାହିଁ। ଆଉ ତାହାଙ୍କ ଶିଷ୍ୟମାନେ ଆସି ତାହାଙ୍କୁ ଅନୁରୋଧ କରି କହିବାକୁ ଲାଗିଲେ, ଏହାକୁ ବିଦାୟ କରନ୍ତୁ, କାରଣ ଏ ଆମ୍ଭମାନଙ୍କ ପଛେ ପଛେ ଚିତ୍କାର କରୁଅଛି। 24କିନ୍ତୁ ଯୀଶୁ ଉତ୍ତର ଦେଲେ, “ମୁଁ ଇସ୍ରାଏଲ ବଂଶର ହଜିଯାଇଥିବା ମେଷମାନଙ୍କ ବିନା ଆଉ କାହା ନିକଟକୁ ପ୍ରେରିତ ହୋଇ ନାହିଁ।” 25କିନ୍ତୁ ସେହି ସ୍ତ୍ରୀ ଆସି ତାହାଙ୍କୁ ପ୍ରଣାମ କରି କହିବାକୁ ଲାଗିଲା, ହେ ପ୍ରଭୁ, ମୋହର ଉପକାର କରନ୍ତୁ। 26ମାତ୍ର ସେ ଉତ୍ତର ଦେଲେ, “ସନ୍ତାନମାନଙ୍କ ଆହାର ନେଇ କୁକୁରମାନଙ୍କ ପାଖରେ ପକାଇବା ଉଚିତ୍ ନୁହେଁ।” 27କିନ୍ତୁ ସେ କହିଲା, ହଁ, ପ୍ରଭୁ, କାରଣ କୁକୁରମାନେ ତ ନିଜ ନିଜ ପ୍ରଭୁଙ୍କ ମେଜରୁ ପଡ଼ିବା ଅଇଁଠା ଖାଆନ୍ତି। 28ସେଥିରେ ଯୀଶୁ ଉତ୍ତର ଦେଲେ, “ଗୋ ନାରୀ, ତୁମ୍ଭର ବଡ଼ ବିଶ୍ୱାସ, ତୁମ୍ଭର ଇଚ୍ଛାନୁସାରେ ତୁମ୍ଭ ପ୍ରତି ଘଟୁ।” ସେହି ମୁହୂର୍ତ୍ତରୁ ତାହାର କନ୍ୟା ସୁସ୍ଥ ହେଲା।
ଆଜିର ସନ୍ଥ
- ସନ୍ଥ ଜନ୍ ଭିଆନି, ପୁରୋହିତ
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର