Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜୁନ 2027 › ଜୁନ 6

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 6 ଜୁନ 2027

ରବିବାର · ସାଧାରଣ କାଳର ଦଶମ ସପ୍ତାହ

ପର୍ବ ଓ ସନ୍ଥ

ସାଧାରଣ କାଳର ଦଶମ ରବିବାର

ରବିବାର · ଉପାସନାର ରଙ୍ଗ: ସବୁଜ

ଦିନର ପାଠ

ପ୍ରଥମ ପାଠ

ଆଦି 3:9–15

9ତହିଁରେ ସଦାପ୍ରଭୁ ପରମେଶ୍ୱର ଆଦମଙ୍କୁ ଡାକି କହିଲେ, “ତୁମ୍ଭେ କେଉଁଠାରେ?” 10ସେ ଉତ୍ତର କଲେ, “ମୁଁ ଉଦ୍ୟାନ ମଧ୍ୟରେ ତୁମ୍ଭ ରବ ଶୁଣି ଆପଣା ଉଲଙ୍ଗତା ସକାଶେ ଭୀତ ହୋଇ ଲୁଚିଲି।” 11ପରମେଶ୍ୱର କହିଲେ, “ତୁମ୍ଭେ ଉଲଙ୍ଗ ଅଛ, ଏହା କିଏ ତୁମ୍ଭକୁ ଜଣାଇଲା? ଆମ୍ଭେ ଯେଉଁ ବୃକ୍ଷର ଫଳ ଖାଇବାକୁ ନିଷେଧ କରିଥିଲୁ, ତାହା କି ତୁମ୍ଭେ ଖାଇଅଛ?” 12ଆଦମ କହିଲେ, “ତୁମ୍ଭେ ଯେଉଁ ସ୍ତ୍ରୀଙ୍କୁ ମୋହର ସଙ୍ଗିନୀ ହେବାକୁ ଦେଇଅଛ, ସେ ମୋତେ ସେହି ବୃକ୍ଷର ଫଳ ଦେଲେ, ତହିଁରେ ମୁଁ ଖାଇଲି।” 13ସେତେବେଳେ ସଦାପ୍ରଭୁ ପରମେଶ୍ୱର ନାରୀଙ୍କୁ କହିଲେ, “ଏ କି କଲ?” ନାରୀ କହିଲେ, “ସର୍ପ ମୋତେ ଭୁଲାଇଲା, ତହିଁରେ ମୁଁ ଖାଇଲି।” 14ତହୁଁ ସଦାପ୍ରଭୁ ପରମେଶ୍ୱର ସର୍ପକୁ କହିଲେ, “ଏହି କାର୍ଯ୍ୟ କରିବା ହେତୁ ତୁମ୍ଭେ ସମସ୍ତ ଗ୍ରାମ୍ୟ ଓ ବନ୍ୟପଶୁଠାରୁ ଅଧିକ ଶାପଗ୍ରସ୍ତ ହେଲ, ତୁମ୍ଭେ ଆପଣା ପେଟ ଦେଇ ଗମନ କରିବ ଓ ଯାବଜ୍ଜୀବନ ଧୂଳି ଖାଇବ। 15ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ, ପୁଣି, ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ଶତ୍ରୁତା ଜନ୍ମାଇବା; ସେ ତୁମ୍ଭର ମସ୍ତକକୁ ଆଘାତ କରିବେ ଓ ତୁମ୍ଭେ ତାହାଙ୍କ ଗୋଇଠିକୁ ଆଘାତ କରିବ।”

ପ୍ରତିଉତ୍ତର ଗୀତ

ଗୀତ 130:1–8

1ଆରୋହଣ ଗୀତ। ହେ ସଦାପ୍ରଭୋ, ମୁଁ ଗଭୀର ଜଳରେ ଥାଇ ତୁମ୍ଭ ନିକଟରେ ଡାକ ପକାଇଅଛି। 2ହେ ପ୍ରଭୋ, ମୋʼ ରବ ଶୁଣ; ତୁମ୍ଭ କର୍ଣ୍ଣ ମୋʼ ବିନତି-ରବରେ ମନୋଯୋଗ କରୁ। 3ହେ ସଦାପ୍ରଭୋ, ତୁମ୍ଭେ ଯଦି ଅପରାଧସବୁ ଧରିବ, ତେବେ ହେ ପ୍ରଭୋ, କିଏ ଠିଆ ହେବ? 4ମାତ୍ର ତୁମ୍ଭଙ୍କୁ ଯେପରି ଭୟ କରାଯାଏ, ଏଥିପାଇଁ ତୁମ୍ଭଠାରେ କ୍ଷମା ଅଛି। 5ମୁଁ ସଦାପ୍ରଭୁଙ୍କର ଅପେକ୍ଷା କରୁଅଛି, ମୋʼ ପ୍ରାଣ ଅପେକ୍ଷା କରୁଅଛି, ପୁଣି, ମୁଁ ତାହାଙ୍କ ବାକ୍ୟରେ ଭରସା ରଖୁଅଛି। 6ପ୍ରହରୀମାନେ ପ୍ରଭାତ ପାଇଁ ଚାହିଁ ରହିବା ଅପେକ୍ଷା ମୋʼ ପ୍ରାଣ ପ୍ରଭୁଙ୍କ ପାଇଁ ଅଧିକ ଚାହିଁ ରହେ; ହଁ, ପ୍ରହରୀମାନଙ୍କର ପ୍ରଭାତ ପାଇଁ ଚାହିଁ ରହିବା ଅପେକ୍ଷା ଅଧିକ। 7ହେ ଇସ୍ରାଏଲ, ସଦାପ୍ରଭୁଙ୍କଠାରେ ଭରସା ରଖ; କାରଣ ସଦାପ୍ରଭୁଙ୍କଠାରେ ଦୟା ଅଛି ଓ ତାହାଙ୍କଠାରେ ପ୍ରଚୁର ମୁକ୍ତି ଅଛି। 8ପୁଣି, ସେ ଇସ୍ରାଏଲକୁ ତାହାର ସମସ୍ତ ଅପରାଧରୁ ମୁକ୍ତ କରିବେ।

ଦ୍ୱିତୀୟ ପାଠ

ଦ୍ଵି.କରି 4:13–5:1

13“ମୁଁ ବିଶ୍ୱାସ କଲି, ଏଣୁ କଥା କହିଲି,” ଶାସ୍ତ୍ରରେ ଏହି ଲିଖିତ ବାକ୍ୟ ଅନୁସାରେ ସେହି ବିଶ୍ୱାସଜନକ ଆତ୍ମା ପାଇଥିବାରୁ ଆମ୍ଭେମାନେ ମଧ୍ୟ ବିଶ୍ୱାସ କରୁ, ଏଣୁ ମଧ୍ୟ କଥା କହୁ; 14କାରଣ ଆମ୍ଭେମାନେ ଜାଣୁ, ପ୍ରଭୁ ଯୀଶୁଙ୍କୁ ଯେ ଉଠାଇଲେ, ସେ ଆମ୍ଭମାନଙ୍କୁ ମଧ୍ୟ ଯୀଶୁଙ୍କ ସହିତ ଉଠାଇବେ ଓ ତାହାଙ୍କ ଛାମୁରେ ତୁମ୍ଭମାନଙ୍କ ସହିତ ଉପସ୍ଥିତ କରିବେ। 15ଯେଣୁ ସମସ୍ତ ବିଷୟ ତୁମ୍ଭମାନଙ୍କ ସକାଶେ ହେଉଅଛି, ସେହିପରି ଅନେକ ଲୋକଙ୍କଠାରେ ଅନୁଗ୍ରହ ଅତ୍ୟଧିକ ବୃଦ୍ଧି ପାଇ ଈଶ୍ବରଙ୍କ ଗୌରବାର୍ଥେ ବହୁଳ ଧନ୍ୟବାଦର କାରଣ ହେଉ। 16ତେଣୁ ଆମ୍ଭେମାନେ କ୍ଳାନ୍ତ ହେଉ ନାହୁଁ, କିନ୍ତୁ ଆମ୍ଭମାନଙ୍କର ବାହ୍ୟିକ ପୁରୁଷ କ୍ଷୟ ପାଇଲେ ସୁଦ୍ଧା ଆମ୍ଭମାନଙ୍କ ଆନ୍ତରିକ ପୁରୁଷ ଦିନକୁ ଦିନ ନୂତନୀକୃତ ହେଉଅଛି। 17କାରଣ ଏହି କ୍ଷଣକାଳସ୍ଥାୟୀ ଲଘୁ କ୍ଳେଶ ଅତ୍ୟଧିକ ବାହୁଲ୍ୟ ରୂପେ ଆମ୍ଭମାନଙ୍କ ନିମନ୍ତେ ଅନନ୍ତକାଳସ୍ଥାୟୀ ମହା ଗୌରବ ସାଧନ କରୁଅଛି; 18ଯେଣୁ ଆମ୍ଭେମାନେ ଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ ନ କରି ଅଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ କରୁଅଛୁ; କାରଣ ଦୃଶ୍ୟ ବିଷୟ କ୍ଷଣକାଳସ୍ଥାୟୀ, କିନ୍ତୁ ଅଦୃଶ୍ୟ ବିଷୟ ଅନନ୍ତକାଳସ୍ଥାୟୀ। 5:1କାରଣ ଯଦି ଆମ୍ଭମାନଙ୍କର ଏହି ତମ୍ବୁରୂପ ପାର୍ଥିବ ଗୃହ ଭାଙ୍ଗିଯାଏ, ତେବେ ଈଶ୍ବରକୃତ ଅହସ୍ତନିର୍ମିତ ଆମ୍ଭମାନଙ୍କର ଏକ ଅନନ୍ତକାଳସ୍ଥାୟୀ ଗୃହ ଯେ ସ୍ୱର୍ଗରେ ଅଛି, ଏହା ଆମ୍ଭେମାନେ ଜାଣୁ।

ସୁସମାଚାର

ମାର୍କ 3:20–35

20ପରେ ସେ ଘରକୁ ଆସିଲେ; ପୁନର୍ବାର ଲୋକସମୂହର ଏତେ ସମାଗମ ହେଲା ଯେ, ସେମାନେ ଭୋଜନ ସୁଦ୍ଧା କରିପାରିଲେ ନାହିଁ। 21ତାହାଙ୍କ ଆତ୍ମୀୟମାନେ ଏହା ଶୁଣି ତାହାଙ୍କୁ ଧରି ଘେନିଯିବାକୁ ବାହାରି ଆସିଲେ, କାରଣ ସେମାନେ କହିଲେ, ତାହାଙ୍କର ମତିଭ୍ରମ ହେଲାଣି। 22ଆଉ, ଯିରୂଶାଲମ ସହରରୁ ଆସିଥିବା ଶାସ୍ତ୍ରୀମାନେ କହିଲେ, ଏହାକୁ ବାଲ୍‌ଜିବୂଲ୍ ଲାଗିଛି, ପୁଣି, ଭୂତପତିର ସାହାଯ୍ୟରେ ସେ ଭୂତ ଛଡ଼ାଏ। 23ଏଥିରେ ଯୀଶୁ ସେମାନଙ୍କୁ ପାଖକୁ ଡାକି ଦୃଷ୍ଟାନ୍ତ କଥାରେ ସେମାନଙ୍କୁ କହିଲେ, “ଶୟତାନ କିପ୍ରକାରେ ଶୟତାନକୁ ଛଡ଼ାଇ ପାରେ? 24ଯଦି କୌଣସି ରାଜ୍ୟ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତେବେ ସେହି ରାଜ୍ୟ ସ୍ଥିର ହୋଇ ରହି ପାରେ ନାହିଁ। 25ପୁଣି, ଯଦି କୌଣସି ଗୃହ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତେବେ ସେହି ଗୃହ ସ୍ଥିର ହୋଇ ରହି ପାରିବ ନାହିଁ। 26ସେହି ପ୍ରକାରେ, ଶୟତାନ ଯଦି ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠିଲାଣି, ତେବେ ସେ ସ୍ଥିର ହୋଇ ରହି ପାରେ ନାହିଁ, କିନ୍ତୁ ତାହାର ସର୍ବନାଶ ଘଟିଲାଣି। 27ମାତ୍ର କେହି ପ୍ରଥମେ ବଳବାନ ଲୋକକୁ ନ ବାନ୍ଧିଲେ ତାହାର ଗୃହରେ ପ୍ରବେଶ କରି ତାହାର ଅସ୍ତ୍ରଶସ୍ତ୍ର ସବୁ ଲୁଣ୍ଠନ କରିପାରେ ନାହିଁ; ତାହାକୁ ଆଗେ ବାନ୍ଧିଲେ ସିନା ସେ ତାହାର ଗୃହ ଲୁଣ୍ଠନ କରିବ। 28ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ଲୋକମାନଙ୍କର ସମସ୍ତ ପାପ ଓ ସେମାନେ ଯେତେ ନିନ୍ଦାକଥା କହି ଈଶ୍ବର ନିନ୍ଦା କରନ୍ତି, ସେ ସମସ୍ତ କ୍ଷମା କରାଯିବ; 29କିନ୍ତୁ ଯେ କେହି ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦାକଥା କହେ, ତାହାର କୌଣସି କାଳେ ହିଁ କ୍ଷମା ନାହିଁ, ମାତ୍ର ସେ ଅନନ୍ତ ପାପରେ ଦୋଷୀ ଅଟେ। 30ତାହାକୁ ଅଶୁଚି ଆତ୍ମା ଲାଗିଛି, ଏହା ସେମାନେ କହିବାରୁ ସେ ଏହି କଥା କହିଲେ।” 31ସେତେବେଳେ ତାହାଙ୍କ ମାଆ ଓ ଭାଇମାନେ ଆସି ବାହାରେ ଠିଆ ହୋଇ ତାହାଙ୍କୁ ଡକାଇ ପଠାଇଲେ। 32ସେଥିରେ ତାହାଙ୍କ ଚତୁର୍ଦ୍ଦିଗରେ ବସିଥିବା ଲୋକସମୂହ ତାହାଙ୍କୁ କହିଲେ, ଦେଖନ୍ତୁ, ଆପଣଙ୍କ ମା, ଭାଇ ଓ ଭଉଣୀମାନେ ବାହାରେ ଥାଇ ଆପଣଙ୍କୁ ଖୋଜୁଅଛନ୍ତି। 33ସେ ସେମାନଙ୍କୁ ଉତ୍ତର ଦେଲେ, “ମୋହର ମାଆ ଓ ଭାଇମାନେ କିଏ?” 34ଆଉ, ସେ ଆପଣା ଚାରିଆଡ଼େ ବସିଥିବା ଲୋକମାନଙ୍କ ପ୍ରତି ଦୃଷ୍ଟିପାତ କରି କହିଲେ, “ଦେଖ, ମୋହର ମାଆ ଓ ମୋହର ଭାଇମାନେ। 35ଯେ କେହି ଈଶ୍ବରଙ୍କ ଇଚ୍ଛା ସାଧନ କରେ, ସେ ମୋହର ଭାଇ, ଭଉଣୀ ଓ ମା।”

ଆଜିର ସନ୍ଥ

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର