Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ମଇ 2027 › ମଇ 16

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 16 ମଇ 2027

ରବିବାର · ପାସ୍କା କାଳର ସପ୍ତମ ସପ୍ତାହ

ପର୍ବ ଓ ସନ୍ଥ

ପେଣ୍ଟିକଷ୍ଟ ରବିବାର

ମହାପର୍ବ · ଉପାସନାର ରଙ୍ଗ: ନାଲି

ଦିନର ପାଠ

ପ୍ରଥମ ପାଠ

ପ୍ରେରି 2:1–11

1ପେଣ୍ଟିକଷ୍ଟ ଦିବସ ଉପସ୍ଥିତ ହୁଅନ୍ତେ, ସମସ୍ତେ ଏକ ସ୍ଥାନରେ ଏକାଠି ଥିଲେ। 2ଆଉ, ପ୍ରବଳ ବେଗରେ ବହୁଥିବା ପ୍ରଚଣ୍ଡ ପବନର ଶବ୍ଦ ତୁଲ୍ୟ ଗୋଟିଏ ଶବ୍ଦ ହଠାତ୍‍ ଆକାଶରୁ ଆସି, ଯେଉଁ ଗୃହରେ ସେମାନେ ବସିଥିଲେ, ସେହି ଗୃହର ଚାରିଆଡ଼େ ବ୍ୟାପିଗଲା, 3ଆଉ ନିଆଁ ଭଳି ଜିହ୍ୱାଗୁଡ଼ିକ ସେମାନଙ୍କ ଦୃଷ୍ଟିଗୋଚର ହୋଇ ଗୋଟି ଗୋଟି କରି ସେମାନଙ୍କ ପ୍ରତ୍ୟେକ ଜଣଙ୍କ ଉପରକୁ ଓହ୍ଲାଇ ଆସିଲା। 4ସେଥିରେ ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ, ପୁଣି, ଆତ୍ମା ସେମାନଙ୍କୁ ଯେପରି କହିବାକୁ ଶକ୍ତି ଦେଲେ, ତଦନୁସାରେ ସେମାନେ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ। 5ଏହି ସମୟରେ ପେଣ୍ଟିକଷ୍ଟ ପର୍ବ ପାଳନ ଉଦ୍ଦେଶ୍ୟରେ ଆକାଶ ତଳେ ଥିବା ପ୍ରତ୍ୟେକ ଜାତିରୁ ଭକ୍ତ ଯିହୁଦୀମାନେ ଆସି ଯିରୂଶାଲମ ସହରରେ ବାସ କରୁଥିଲେ। 6ଆଉ, ସେହି ଶବ୍ଦ ହୁଅନ୍ତେ, ବହୁ ଜନତା ଏକାଠି ହୋଇ ପ୍ରତ୍ୟେକ ଜଣ ଆପଣା ଆପଣା ଭାଷାରେ ସେମାନଙ୍କୁ କଥା କହୁଥିବା ଶୁଣିବାରୁ ଅବାକ୍ ହୋଇଗଲେ। 7ପୁଣି, ସେମାନେ ଆଚମ୍ଭିତ ଓ ଚମତ୍କୃତ ହୋଇ କହିବାକୁ ଲାଗିଲେ, ଦେଖ, ଏହି ଯେଉଁ ଲୋକମାନେ କଥା କହୁଛନ୍ତି, ସେମାନେ ସମସ୍ତେ କଅଣ ଗାଲିଲୀୟ ନୁହଁନ୍ତି? 8ତେବେ, ଆମ୍ଭେମାନେ କିପରି ପ୍ରତ୍ୟେକ ଜଣ ଆପଣା ଆପଣା ଜନ୍ମଭୂମିର ଭାଷାରେ କଥା ଶୁଣୁଅଛୁ? 9ପାର୍ଥୀୟ, ମାଦୀୟ ଓ ଏଲାମୀୟ, ପୁଣି, ମେସୋପଟାମିଆ, ଯିହୂଦିୟା ପ୍ରଦେଶ, କାପ୍ପାଦକିଆ, ପନ୍ତ ଓ ଏସିଆ, 10ଫ୍ରୁଗିଆ ଓ ପଂଫୂଲିଆ, ମିସର ଓ କୂରୀଣୀ ନିକଟବର୍ତ୍ତୀ ଲିବିଆ ଅଞ୍ଚଳ ନିବାସୀ ଏବଂ ରୋମରୁ ଆସିଥିବା ଯିହୁଦୀ ଓ ଯିହୁଦୀ ଧର୍ମାବଲମ୍ବୀ ପ୍ରବାସୀ, 11ପୁଣି, ଆମ୍ଭେମାନେ କ୍ରୀତୀୟ ଓ ଆରବୀୟ ଲୋକେ, ଆପଣା ଆପଣା ଭାଷାରେ ଏମାନଙ୍କୁ ଈଶ୍ବରଙ୍କ ମହତ ମହତ କର୍ମର କଥା କହିବା ଶୁଣୁଅଛୁ।

ପ୍ରତିଉତ୍ତର ଗୀତ

ଗୀତ 104:1, 24, 29–31, 34

1ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର। ହେ ସଦାପ୍ରଭୋ, ମୋʼ ପରମେଶ୍ୱର, ତୁମ୍ଭେ ଅତି ମହାନ; ତୁମ୍ଭେ ସମ୍ଭ୍ରମ ଓ ଐଶ୍ୱର୍ଯ୍ୟରେ ବିଭୂଷିତ। 24ହେ ସଦାପ୍ରଭୋ, ତୁମ୍ଭର କାର୍ଯ୍ୟସକଳ କିପରି ବହୁବିଧ! ତୁମ୍ଭେ ଜ୍ଞାନରେ ସେସବୁ ନିର୍ମାଣ କରିଅଛ; ପୃଥିବୀ ତୁମ୍ଭ ସମ୍ପତ୍ତିରେ ପରିପୂର୍ଣ୍ଣ। 29ତୁମ୍ଭେ ଆପଣା ମୁଖ ଲୁଚାଇଲେ, ସେମାନେ ବ୍ୟାକୁଳ ହୁଅନ୍ତି; ତୁମ୍ଭେ ସେମାନଙ୍କ ନିଃଶ୍ୱାସ ହରଣ କଲେ, ସେମାନେ ମରନ୍ତି ଓ ପୁନର୍ବାର ଧୂଳିରେ ମିଶିଯାʼନ୍ତି। 30ତୁମ୍ଭେ ଆପଣା ଆତ୍ମା ପଠାଇଲେ, ସେମାନେ ସୃଷ୍ଟ ହୁଅନ୍ତି; ଆଉ, ତୁମ୍ଭେ ଭୂମିର ମୁଖ ନୂତନ କରୁଥାଅ। 31ସଦାପ୍ରଭୁଙ୍କ ଗୌରବ ଅନନ୍ତକାଳ ଥାଉ; ସଦାପ୍ରଭୁ ଆପଣା କାର୍ଯ୍ୟସକଳରେ ଆନନ୍ଦ କରନ୍ତୁ। 34ତାହାଙ୍କ ପ୍ରତି ମୋʼ ଧ୍ୟାନ ସୁମିଷ୍ଟ ହେଉ; ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବି।

ଦ୍ୱିତୀୟ ପାଠ

ଗାଲା 5:16–25

16ମୋହର ଭାବ ଏହି, ଆତ୍ମାଙ୍କ ଦ୍ୱାରା ଆଚରଣ କର, ତାହାହେଲେ ତୁମ୍ଭେମାନେ ଶରୀରର ଅଭିଳାଷ ପୂର୍ଣ୍ଣ କରିବ ନାହିଁ। 17କାରଣ ଶରୀରର ଅଭିଳାଷ ଆତ୍ମାଙ୍କ ପ୍ରତିକୂଳ, ଆଉ ଆତ୍ମାଙ୍କ ଅଭିଳାଷ ଶରୀରର ପ୍ରତିକୂଳ, ଯେଣୁ ଏହି ଦୁଇ ପରସ୍ପରର ବିପରୀତ; ଫଳତଃ ତୁମ୍ଭେମାନେ ଯାହା ଯାହା ଇଚ୍ଛା କର, ସେହିସବୁ କରିପାର ନାହିଁ। 18କିନ୍ତୁ ଯଦି ତୁମ୍ଭେମାନେ ଈଶ୍ବରଙ୍କ ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୁଅ, ତେବେ ମୋଶାଙ୍କ ବ୍ୟବସ୍ଥାର ଅଧୀନ ନୁହଁ। 19ଶରୀରର କାର୍ଯ୍ୟଗୁଡ଼ାକ ତ ସ୍ପଷ୍ଟ ରୂପେ ଜଣା, ବ୍ୟଭିଚାର, ଅଶୁଚିତା 20କାମୁକତା, ପ୍ରତିମାପୂଜା, ନରହତ୍ୟା, କୁହୁକ, ଶତ୍ରୁତା, ବିବାଦ, ଦ୍ୱେଷ, କ୍ରୋଧ, ସ୍ୱାର୍ଥପରତା, ଦଳଭେଦ, ମତଭେଦ, ଈର୍ଷା, 21ମତ୍ତତା, ରଙ୍ଗରସ, ଇତ୍ୟାଦି ପ୍ରକାର କର୍ମଗୁଡ଼ାକ; ମୁଁ ପୂର୍ବରେ ଯେପରି ତୁମ୍ଭମାନଙ୍କୁ କହିଥିଲି, ସେହିପରି ଆଗରୁ କହୁଅଛି ଯେ, ଯେଉଁମାନେ ଏହି ସବୁପ୍ରକାର କର୍ମ କରନ୍ତି, ସେମାନେ ଈଶ୍ବରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ। 22କିନ୍ତୁ ପବିତ୍ର ଆତ୍ମାଙ୍କ ଫଳ ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘସହିଷ୍ଣୁତା, ପରୋପକାରିତା, 23ଭଦ୍ରତା, ବିଶ୍ୱସ୍ତତା, ମୃଦୁତା ଓ ଆତ୍ମସଂଯମ; ଏହି ସମସ୍ତ ବିରୁଦ୍ଧରେ କୌଣସି ମୋଶାଙ୍କ ବ୍ୟବସ୍ଥା ନାହିଁ। 24ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କର, ସେମାନେ ଶରୀରକୁ ସେଥିର କାମନା ଓ ଅଭିଳାଷ ସହିତ କ୍ରୁଶରେ ହତ କରିଅଛନ୍ତି। 25ଯଦି ଆମ୍ଭେମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ଜୀବନ ପ୍ରାପ୍ତ କରିଅଛୁ, ତେବେ ପବିତ୍ର ଆତ୍ମାଙ୍କ ଦ୍ୱାରା ମଧ୍ୟ ଆଚରଣ କରୁ।

ସୁସମାଚାର

ଯୋହ 15:26–27; 16:12–15

26ପିତାଙ୍କ ନିକଟରୁ ମୁଁ ତୁମ୍ଭମାନଙ୍କ ନିକଟକୁ ଯେଉଁ ସାହାଯ୍ୟକାରୀଙ୍କୁ ପ୍ରେରଣ କରିବି, ପିତାଙ୍କଠାରୁ ବର୍ହିଗତ ସେହି ସତ୍ୟମୟ ଆତ୍ମା ଆସିଲେ ମୋʼ ବିଷୟରେ ସାକ୍ଷ୍ୟ ଦେବେ; 27ଆଉ, ତୁମ୍ଭେମାନେ ମଧ୍ୟ ସାକ୍ଷୀ, କାରଣ ତୁମ୍ଭେମାନେ ଆରମ୍ଭରୁ ମୋʼ ସହିତ ରହିଅଛ।” 16:12ମୋହର ତୁମ୍ଭମାନଙ୍କୁ ଆହୁରି ଅନେକ କଥା କହିବାର ଅଛି, ମାତ୍ର ତୁମ୍ଭେମାନେ ଏବେ ସେହିସବୁ ସହି ପାର ନାହିଁ। 13କିନ୍ତୁ ସେ, ଅର୍ଥାତ୍‍, ସତ୍ୟମୟ ଆତ୍ମା ଆସିଲେ ସେ ପଥ ଦେଖାଇ ତୁମ୍ଭମାନଙ୍କୁ ସମସ୍ତ ସତ୍ୟରେ ପ୍ରବେଶ କରାଇବେ, କାରଣ ସେ ଆପଣାଠାରୁ କଥା କହିବେ ନାହିଁ, ମାତ୍ର ଯାହା ଯାହା ଶୁଣିବେ, ସେହିସବୁ କହିବେ, ପୁଣି, ଆଗାମୀ ବିଷୟସବୁ ତୁମ୍ଭମାନଙ୍କୁ ଜଣାଇବେ। 14ସେ ମୋତେ ଗୌରବାନ୍ୱିତ କରିବେ, କାରଣ ସେ ମୋʼ ବିଷୟ ଘେନି ତୁମ୍ଭମାନଙ୍କୁ ଜଣାଇବେ। 15ଯାହା ଯାହା ପିତାଙ୍କର, ସେହିସବୁ ମୋହର; ଏହି ହେତୁ ମୁଁ କହିଲି, ସେ ମୋହର ବିଷୟ ଘେନି ତୁମ୍ଭମାନଙ୍କୁ ଜଣାଇବେ।”

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର