ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅପ୍ରେଲ 2027 › ଅପ୍ରେଲ 30
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 30 ଅପ୍ରେଲ 2027
ଶୁକ୍ରବାର · ପାସ୍କା କାଳର ପଞ୍ଚମ ସପ୍ତାହ
ପର୍ବ ଓ ସନ୍ଥ
ପାସ୍କା କାଳର ପଞ୍ଚମ ସପ୍ତାହର ଶୁକ୍ରବାର
ଇଚ୍ଛାଧୀନ ସ୍ମୃତି ଦିବସ · ଉପାସନାର ରଙ୍ଗ: ଧଳା
ସନ୍ଥ ପିୟୁସ୍ ପଞ୍ଚମ, ପୋପ୍ · ଇଚ୍ଛାଧୀନ ସ୍ମୃତି ଦିବସ
ଉପବାସ ଓ ପ୍ରାୟଶ୍ଚିତ୍ତ
ପ୍ରାୟଶ୍ଚିତ୍ତର ଦିନ
ପ୍ରତ୍ୟେକ ଶୁକ୍ରବାର ପ୍ରାୟଶ୍ଚିତ୍ତର ଦିନ; ପ୍ରତ୍ୟେକ ବିଶପ୍ ସମ୍ମିଳନୀ ଏହା କିପରି ପାଳିବାକୁ ହେବ ସ୍ଥିର କରେ: ମାଂସରୁ ବିରତି କିମ୍ବା ପ୍ରାୟଶ୍ଚିତ୍ତର ଅନ୍ୟ କାର୍ଯ୍ୟ। ଉପବାସ 18ରୁ 59 ବର୍ଷ ପର୍ଯ୍ୟନ୍ତ, ବିରତି 14 ବର୍ଷରୁ ବାଧ୍ୟତାମୂଳକ।
ଦିନର ପାଠ
ପ୍ରଥମ ପାଠ
22ସେତେବେଳେ ପ୍ରେରିତ ଓ ପ୍ରାଚୀନମାନେ ସମସ୍ତ ମଣ୍ଡଳୀ ସହିତ ଆପଣାମାନଙ୍କ ମଧ୍ୟରୁ ଲୋକ, ଅର୍ଥାତ୍ ଭ୍ରାତୃବୃନ୍ଦଙ୍କ ମଧ୍ୟରେ ଅଗ୍ରଗଣ୍ୟ ବର୍ଶବ୍ବା ନାମରେ ଖ୍ୟାତ ଯିହୂଦା ଓ ଶୀଲାଙ୍କୁ ମନୋନୀତ କରି ପାଉଲ ଓ ବର୍ଣ୍ଣବ୍ବାଙ୍କ ସହିତ ଆନ୍ତିୟଖିଆକୁ ପଠାଇବାକୁ ନିଷ୍ପତ୍ତି ନେଲେ, 23ଆଉ, ସେମାନେ ସେମାନଙ୍କ ହାତରେ ଏହା ଲେଖି ପଠାଇଲେ, ଆନ୍ତିୟଖିଆ, ସିରିୟା ଓ କିଲିକିୟାସ୍ଥ ଅଣଯିହୁଦୀ ଭ୍ରାତୃବୃନ୍ଦଙ୍କୁ ପ୍ରେରିତ ଓ ପ୍ରାଚୀନ ଭ୍ରାତୃବୃନ୍ଦଙ୍କର ନମସ୍କାର। 24ଆମ୍ଭେମାନେ ଶୁଣିଅଛୁ ଯେ, ଆମ୍ଭେମାନେ ଯେଉଁ ଲୋକମାନଙ୍କୁ କୌଣସି ଆଜ୍ଞା ଦେଇ ନାହୁଁ, ଆମ୍ଭମାନଙ୍କ ମଧ୍ୟରୁ ଏପ୍ରକାର କେତେକ ଲୋକ କଥା ଦ୍ୱାରା ଆପଣମାନଙ୍କର ମନକୁ ଅସ୍ଥିର କରି ଆପଣମାନଙ୍କୁ ବିଚଳିତ କରିଅଛନ୍ତି; 25ଏଥିନିମନ୍ତେ ଆମ୍ଭମାନଙ୍କର ପ୍ରିୟପାତ୍ର ଯେଉଁ ବର୍ଣ୍ଣବ୍ବା ଓ ପାଉଲ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ନିମନ୍ତେ ପ୍ରାଣପଣ କରିଅଛନ୍ତି, 26ଆମ୍ଭେମାନେ ଏକମତ ହୋଇ କେତେକ ଲୋକଙ୍କୁ ମନୋନୀତ କରି ସେମାନଙ୍କ ସହିତ ଆପଣମାନଙ୍କ ନିକଟକୁ ପଠାଇବା ବିହିତ ବୁଝିଲୁ। 27ଏଣୁ ଆମ୍ଭେମାନେ ଯିହୂଦା ଓ ଶୀଲାଙ୍କୁ ପଠାଇଲୁ, ଏମାନେ ମଧ୍ୟ ମୁଖରେ ଆପଣମାନଙ୍କୁ ସେହି ସମସ୍ତ କଥା ଜଣାଇଦେବେ। 28କାରଣ ପ୍ରତିମା ନିକଟରେ ଉତ୍ସର୍ଗୀକୃତ ପ୍ରସାଦ, ରକ୍ତ, ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀର ମାଂସ ଓ ଯୌନକ୍ରିୟାଠାରୁ ପୃଥକ୍ ରହିବା, ଏହି କେତୋଟି ଆବଶ୍ୟକୀୟ ବିଷୟ ବ୍ୟତୀତ ଆପଣମାନଙ୍କ ଉପରେ ଆଉ ଅଧିକ ଭାର ନ ଦେବାକୁ, ପବିତ୍ର ଆତ୍ମା ଓ ଆମ୍ଭମାନଙ୍କ ଦୃଷ୍ଟିରେ ଉତ୍ତମ ଦେଖାଗଲା; 29ଏହିସବୁରୁ ଆପଣା ଆପଣାକୁ ଯତ୍ନ ସହ ରକ୍ଷା କଲେ ଆପଣମାନଙ୍କର ଭଲ ହେବ। ଆପଣମାନଙ୍କର ମଙ୍ଗଳ ହେଉ। 30ସେମାନେ ବିଦାୟ ହୋଇ ଆନ୍ତିୟଖିଆକୁ ଆସିଲେ ଆଉ ଶିଷ୍ୟସମୂହକୁ ଏକତ୍ର କରି ପତ୍ର ଖଣ୍ଡିକ ଦେଲେ। 31ସେମାନେ ତାହା ପାଠ କରି ଆଶ୍ୱାସନା ପାଇ ଆନନ୍ଦିତ ହେଲେ।
ପ୍ରତିଉତ୍ତର ଗୀତ
7ହେ ପରମେଶ୍ୱର, ମୋʼ ଚିତ୍ତ ସୁସ୍ଥିର ଅଛି, ମୋʼ ଚିତ୍ତ ସୁସ୍ଥିର ଅଛି; ମୁଁ ଗାନ କରିବି, ହଁ, ମୁଁ ପ୍ରଶଂସା ଗାନ କରିବି। 8ହେ ମୋହର ଗୌରବ, ଜାଗ୍ରତ ହୁଅ; ହେ ନେବଲ ଓ ବୀଣେ, ଜାଗ୍ରତ ହୁଅ; ମୁଁ ନିଜେ ଅତି ପ୍ରଭାତରେ ଜାଗ୍ରତ ହେବି। 9ହେ ପ୍ରଭୋ, ମୁଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭକୁ ଧନ୍ୟବାଦ ଦେବି; ମୁଁ ଦେଶୀୟଗଣ ମଧ୍ୟରେ ତୁମ୍ଭର ପ୍ରଶଂସା ଗାନ କରିବି। 10କାରଣ ତୁମ୍ଭର ଦୟା ସ୍ୱର୍ଗ ପର୍ଯ୍ୟନ୍ତ ମହତ ଓ ତୁମ୍ଭର ସତ୍ୟତା ଆକାଶ ପର୍ଯ୍ୟନ୍ତ। 11ହେ ପରମେଶ୍ୱର, ତୁମ୍ଭେ ସ୍ୱର୍ଗ ଉପରେ ଉନ୍ନତ ହୁଅ; ସମୁଦାୟ ଭୂମଣ୍ଡଳ ଉପରେ ତୁମ୍ଭର ମହିମା ହେଉ।
ସୁସମାଚାର
12ମୁଁ ଯେପରି ତୁମ୍ଭମାନଙ୍କୁ ପ୍ରେମ କରିଅଛି, ତୁମ୍ଭେମାନେ ସେହିପରି ପରସ୍ପରକୁ ପ୍ରେମ କର, ଏହି ମୋହର ଆଜ୍ଞା। 13ଆପଣା ବନ୍ଧୁମାନଙ୍କ ନିମନ୍ତେ ନିଜ ପ୍ରାଣ ଦାନ କରିବା ଅପେକ୍ଷା କାହାରି ଆଉ ଅଧିକ ଶ୍ରେଷ୍ଠ ପ୍ରେମ ନାହିଁ। 14ମୁଁ ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦେଉଅଛି, ତାହା ଯଦି ପାଳନ କର, ତେବେ ତୁମ୍ଭେମାନେ ମୋହର ବନ୍ଧୁ। 15ମୁଁ ତୁମ୍ଭମାନଙ୍କୁ ଆଉ ଦାସ ବୋଲି କହୁ ନାହିଁ, କାରଣ କର୍ତ୍ତା କଅଣ କରନ୍ତି, ଦାସ ତାହା ଜାଣେ ନାହିଁ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହିଅଛି, କାରଣ ମୁଁ ମୋହର ପିତାଙ୍କଠାରୁ ଯାହା ଯାହା ଶୁଣିଅଛି, ସେହିସବୁ ତୁମ୍ଭମାନଙ୍କୁ ଜଣାଇଅଛି। 16ତୁମ୍ଭେମାନେ ମୋତେ ମନୋନୀତ କରି ନାହଁ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ମନୋନୀତ କରିଅଛି, ଆଉ ତୁମ୍ଭେମାନେ ଯେପରି ଯାଇ ଫଳ ଉତ୍ପନ୍ନ କର ଓ ତୁମ୍ଭମାନଙ୍କର ଫଳ ସ୍ଥାୟୀ ହୁଏ, ଏଥିନିମନ୍ତେ ତୁମ୍ଭମାନଙ୍କୁ ନିଯୁକ୍ତ କରିଅଛି। ସେଥିରେ ତୁମ୍ଭେମାନେ ମୋʼ ନାମରେ ପିତାଙ୍କୁ ଯାହା କିଛି ମାଗିବ, ସେ ତାହା ତୁମ୍ଭମାନଙ୍କୁ ଦେବେ; 17ତୁମ୍ଭେମାନେ ଯେପରି ପରସ୍ପରକୁ ପ୍ରେମ କର, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହି ସମସ୍ତ ଆଜ୍ଞା ଦେଉଅଛି।”
ଆଜିର ସନ୍ଥ
- ସନ୍ଥ ପିୟୁସ୍ ପଞ୍ଚମ, ପୋପ୍
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର