ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅପ୍ରେଲ 2027 › ଅପ୍ରେଲ 2
ଅର୍ଥୋଡକ୍ସ ପଞ୍ଜିକା · 20 ମାର୍ଚ୍ଚ (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 2 ଅପ୍ରେଲ 2027
ଶୁକ୍ରବାର · ମହା ଉପବାସର ତୃତୀୟ ସପ୍ତାହ · ସ୍ୱର 2
ପର୍ବ ଓ ସନ୍ଥ
Venerable Fathers slain at the Monastery of Saint Sabbas: John, Sergius, Patrick and others († 796)
ମହା ଉପବାସ
କଠୋର ଉପବାସ (ଶୁଖିଲା ଆହାର: ରୁଟି, ପନିପରିବା, ଫଳ)
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ଷଷ୍ଠ ଘଣ୍ଟା
2ତୁମ୍ଭେମାନେ ବୃକ୍ଷଶୂନ୍ୟ ପର୍ବତ ଉପରେ ଧ୍ୱଜା ଟେକ, ଲୋକମାନଙ୍କ ପ୍ରତି ରବ ଉଠାଅ, ହସ୍ତ ହଲାଅ, ସେମାନେ ଅଧିପତିମାନଙ୍କର ନଗର-ଦ୍ୱାରରେ ପ୍ରବେଶ କରନ୍ତୁ। 3ଆମ୍ଭେ ଆପଣା ପବିତ୍ର ଲୋକମାନଙ୍କୁ ଆଦେଶ କରିଅଛୁ, ହଁ, ଆମ୍ଭେ ଆପଣା କ୍ରୋଧ ସଫଳାର୍ଥେ ଆମ୍ଭର ବୀରମାନଙ୍କୁ, ଅର୍ଥାତ୍, ଆମ୍ଭର ଦର୍ପିତ ଉଲ୍ଲାସକାରୀଗଣଙ୍କୁ ଆହ୍ୱାନ କରିଅଛୁ। 4ପର୍ବତମାନରେ ମହାଜନତାର ନ୍ୟାୟ ଲୋକସମୂହର ରବ ହେଉଅଛି! ଏକତ୍ରୀକୃତ ଗୋଷ୍ଠୀୟମାନଙ୍କ ରାଜ୍ୟସମୂହର କଳରବ ହେଉଅଛି! ସୈନ୍ୟାଧିପତି ସଦାପ୍ରଭୁ ଯୁଦ୍ଧାର୍ଥେ ସେନା ସଂଗ୍ରହ କରୁଅଛନ୍ତି। 5ସେମାନେ, ଅର୍ଥାତ୍, ସଦାପ୍ରଭୁ ଓ ତାହାଙ୍କ କ୍ରୋଧରୂପ ଅସ୍ତ୍ରସବୁ ସମୁଦାୟ ଦେଶ ଉଚ୍ଛିନ୍ନ କରିବା ନିମନ୍ତେ ଦୂର ଦେଶରୁ, ଆକାଶମଣ୍ଡଳର ପ୍ରାନ୍ତଭାଗରୁ ଆସୁଅଛନ୍ତି। 6ତୁମ୍ଭେମାନେ ହାହାକାର କର; କାରଣ ସଦାପ୍ରଭୁଙ୍କର ଦିନ ନିକଟବର୍ତ୍ତୀ; ସର୍ବଶକ୍ତିମାନଙ୍କ ନିକଟରୁ ପ୍ରଳୟର ନ୍ୟାୟ ତାହା ଆସିବ। 7ଏହେତୁ ସକଳ ହସ୍ତ ଦୁର୍ବଳ ହେବ ଓ ପ୍ରତ୍ୟେକ ମାନବ ହୃଦୟ ତରଳି ଯିବ; 8ପୁଣି, ସେମାନେ ଭୟଭୀତ ହେବେ; ଯନ୍ତ୍ରଣା ଓ ବେଦନା ସେମାନଙ୍କୁ ଆକ୍ରାନ୍ତ କରିବ; ସେମାନେ ପ୍ରସବକାରିଣୀ ସ୍ତ୍ରୀ ତୁଲ୍ୟ ବେଦନାଗ୍ରସ୍ତ ହେବେ; ସେମାନେ ପରସ୍ପରର ବିଷୟରେ ଚମତ୍କୃତ ହେବେ; ସେମାନଙ୍କର ମୁଖ ଅଗ୍ନିଶିଖା ତୁଲ୍ୟ ହେବ। 9ଦେଖ, ଦେଶ ଧ୍ୱଂସ କରିବାକୁ ଓ ତହିଁ ମଧ୍ୟରୁ ପାପୀମାନଙ୍କୁ ବିନାଶ କରିବାକୁ ସଦାପ୍ରଭୁଙ୍କର ଦିନ ଭୟଙ୍କର; କ୍ରୋଧ ଓ ପ୍ରଚଣ୍ଡ କ୍ରୋଧ ସଂଯୁକ୍ତ ହୋଇ ଆସୁଅଛି। 10କାରଣ ଆକାଶମଣ୍ଡଳର ତାରାଗଣ ଓ ତହିଁର ନକ୍ଷତ୍ରଗଣ ଦୀପ୍ତି ଦେବେ ନାହିଁ; ସୂର୍ଯ୍ୟ ଆପଣା ଉଦୟ ସମୟରେ ଅନ୍ଧାରଗ୍ରସ୍ତ ହେବ ଓ ଚନ୍ଦ୍ର ଆପଣା ଜ୍ୟୋତ୍ସ୍ନା ପ୍ରକାଶ କରିବ ନାହିଁ। 11ପୁଣି, ଆମ୍ଭେ ଜଗତକୁ ଦୁଷ୍ଟତା ସକାଶେ ଓ ଦୁଷ୍ଟମାନଙ୍କୁ ସେମାନଙ୍କ ଅଧର୍ମ ସକାଶେ ଶାସ୍ତି ଦେବା ଓ ଆମ୍ଭେ ଅହଙ୍କାରୀମାନଙ୍କର ଦର୍ପ ନିବୃତ୍ତ କରାଇବା ଓ ଭୟଙ୍କର ଲୋକର ଗର୍ବ ଖର୍ବ କରିବା। 12ଆମ୍ଭେ ଉତ୍ତମ ସୁବର୍ଣ୍ଣ ଅପେକ୍ଷା ମର୍ତ୍ତ୍ୟକୁ ଓ ଓଫୀରର ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ମନୁଷ୍ୟକୁ ଅଳ୍ପ କରିବା। 13ଏହେତୁ ଆମ୍ଭେ ଆକାଶମଣ୍ଡଳକୁ କମ୍ପାନ୍ୱିତ କରିବା, ଆଉ ସୈନ୍ୟାଧିପତି ସଦାପ୍ରଭୁଙ୍କ କୋପରେ ଓ ତାହାଙ୍କ ପ୍ରଚଣ୍ଡ କ୍ରୋଧର ଦିନରେ ପୃଥିବୀ ଟଳି ସ୍ୱସ୍ଥାନ ଚ୍ୟୁତ ହେବ।
ସନ୍ଧ୍ୟା ପ୍ରାର୍ଥନା: ପାଠ
4ଏଥିଉତ୍ତାରେ ସପ୍ତମ ମାସର ସପ୍ତଦଶ ଦିନରେ ଆରାରାଟ୍ ପର୍ବତ ଉପରେ ଜାହାଜ ଲାଗି ରହିଲା। 5ଏହିରୂପେ ଦଶମ ମାସ ପର୍ଯ୍ୟନ୍ତ ଜଳ କ୍ରମଶଃ ଊଣା ପଡ଼ିଲା; ସେହି ଦଶମ ମାସର ପ୍ରଥମ ଦିନରେ ପର୍ବତଗଣର ଶୃଙ୍ଗ ଦେଖାଗଲା। 6ଏଥିଉତ୍ତାରେ ଆଉ ଚାଳିଶ ଦିନ ଉତ୍ତାରେ ନୋହ ସ୍ୱନିର୍ମିତ ଜାହାଜର ଝରକା ଫିଟାଇ ଗୋଟିଏ ଡାମରା କାଉକୁ ଉଡ଼ାଇ ଦେଲେ; 7ତହିଁରେ ପୃଥିବୀର ଜଳ ଶୁଷ୍କ ହେବା ପର୍ଯ୍ୟନ୍ତ ସେ ଏଣେତେଣେ ଗତାୟାତ କଲା। 8ପୁନଶ୍ଚ, ନୋହ ଭୂମିରେ ଜଳର ହ୍ରାସ ବୁଝିବା ପାଇଁ ଗୋଟିଏ କାପ୍ତା ଉଡ଼ାଇ ଦେଲେ; 9ସେତେବେଳେ ପୃଥିବୀ ଜଳାଚ୍ଛାଦିତ ଥିବାରୁ କାପ୍ତା ଆପଣା ପାଦ ରଖିବାର ସ୍ଥାନ ନ ପାଇ ଜାହାଜରେ ତାଙ୍କ ନିକଟକୁ ନେଉଟି ଆସିଲା; ତହୁଁ ସେ ହାତ ବଢ଼ାଇ ତାକୁ ଧରି ଜାହାଜ ଭିତରେ ଆପଣା ନିକଟକୁ ଆଣିଲେ। 10ଆଉ ସାତ ଦିନ ବିଳମ୍ବ କଲା ଉତ୍ତାରେ ସେ ସେହି କାପ୍ତାକୁ ପୁନର୍ବାର ଜାହାଜରୁ ଉଡ଼ାଇ ଦେଲେ; 11ତହିଁରେ କାପ୍ତା ସନ୍ଧ୍ୟା ବେଳେ ତାଙ୍କ ନିକଟକୁ ଫେରି ଆସିଲା; ଆଉ ଦେଖ, ତାହାର ଚଞ୍ଚୁରେ ଜୀତବୃକ୍ଷର ନବୀନ ପଲ୍ଲବ ଥିଲା; ଏଣୁ ପୃଥିବୀର ଜଳ ହ୍ରାସ ହୋଇଅଛି, ଏହା ନୋହ ଜାଣିଲେ। 12ଆଉ ସାତ ଦିନ ବିଳମ୍ବ କରି ସେ ସେହି କାପ୍ତାକୁ ପୁନର୍ବାର ଉଡ଼ାଇ ଦେଲେ, ମାତ୍ର ସେ ଆଉ ଥରେ ତାଙ୍କ ନିକଟକୁ ନେଉଟି ଆସିଲା ନାହିଁ। 13(ନୋହଙ୍କ ବୟସର) ଛଅ ଶହ ଏକ ବର୍ଷ ପ୍ରଥମ ମାସର ପ୍ରଥମ ଦିନରେ ପୃଥିବୀ ଉପରୁ ଜଳ ଶୁଷ୍କ ହେଲା; ସେତେବେଳେ ନୋହ ଜାହାଜର ଛାତ ଉଠାଇ ଅନାନ୍ତେ, ଭୂମିକୁ ଶୁଷ୍କ ଦେଖିଲେ। 14ଏହିରୂପେ ଦ୍ୱିତୀୟ ମାସର ସତାଇଶ ଦିନରେ ପୃଥିବୀ ଶୁଷ୍କ ହେଲା। 15ଏଥିଉତ୍ତାରେ ପରମେଶ୍ୱର ନୋହଙ୍କୁ କହିଲେ, 16“ତୁମ୍ଭେ ଆପଣା ଭାର୍ଯ୍ୟା ଓ ପୁତ୍ରଗଣ ଓ ପୁତ୍ରବଧୂଗଣଙ୍କୁ ସଙ୍ଗେ ଘେନି ଜାହାଜରୁ ବାହାର ହୋଇଯାଅ। 17ପୁଣି, ଆପଣା ସଙ୍ଗେ ଥିବା ପଶୁ, ପକ୍ଷୀ ଓ ଭୂଚର, ଉରୋଗାମୀ ଆଦି ସବୁ ଜୀବଜନ୍ତୁ ବାହାରକୁ ଘେନିଯାଅ; ସେମାନେ ପୃଥିବୀକୁ ପରିପୂର୍ଣ୍ଣ କରନ୍ତୁ, ପୁଣି, ପୃଥିବୀରେ ପ୍ରଜାବନ୍ତ ଓ ବହୁବଂଶ ହେଉନ୍ତୁ।” 18ତହୁଁ ନୋହ ଆପଣା ଭାର୍ଯ୍ୟା, ପୁତ୍ର ଓ ପୁତ୍ରବଧୂମାନଙ୍କୁ ସଙ୍ଗରେ ଘେନି ବାହାରକୁ ଆସିଲେ; 19ପୁଣି, ସ୍ୱ ସ୍ୱ ଜାତି ଅନୁସାରେ ପ୍ରତ୍ୟେକ ପଶୁ, ପ୍ରତ୍ୟେକ ଉରୋଗାମୀ ଜନ୍ତୁ ଓ ପ୍ରତ୍ୟେକ ପକ୍ଷୀ ପ୍ରଭୃତି ସମସ୍ତ ଭୂଚର ପ୍ରାଣୀ ଜାହାଜରୁ ବାହାରି ଆସିଲେ। 20ଏଥିଉତ୍ତାରେ ନୋହ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯଜ୍ଞବେଦି ନିର୍ମାଣ କଲେ, ପୁଣି, ସର୍ବପ୍ରକାର ଶୁଚି ପଶୁ ଓ ଶୁଚି ପକ୍ଷୀଗଣ ମଧ୍ୟରୁ କେତେକ ନେଇ ବେଦି ଉପରେ ହୋମବଳି ଉତ୍ସର୍ଗ କଲେ। 21ତହିଁରେ ସଦାପ୍ରଭୁ ତହିଁର ସୁଗନ୍ଧ ଆଘ୍ରାଣ କରି ମନେ ମନେ କହିଲେ, “ଆମ୍ଭେ ମନୁଷ୍ୟ ସକାଶୁ ଆଉ ପୃଥିବୀକୁ ଅଭିଶାପ ଦେବା ନାହିଁ; ଯଦ୍ୟପି ବାଲ୍ୟକାଳଠାରୁ ମନୁଷ୍ୟ ମନର କଳ୍ପନା ମନ୍ଦ, ତଥାପି ଆମ୍ଭେ ଯେପରି କରିଅଛୁ, ସେହିପରି ଆଉ ଥରେ କେବେ ହେଁ ସବୁ ପ୍ରାଣୀଙ୍କୁ ବିନଷ୍ଟ କରିବା ନାହିଁ।
ସନ୍ଧ୍ୟା ପ୍ରାର୍ଥନା: ପାଠ
31ଧାର୍ମିକର ମୁଖ ଜ୍ଞାନ ଜନ୍ମାଏ, ମାତ୍ର କୁଟିଳବାଦୀ ଜିହ୍ୱା ଉଚ୍ଛିନ୍ନ ହେବ। 32ଧାର୍ମିକର ଓଷ୍ଠାଧର ତୁଷ୍ଟିକର କଥା ଜାଣେ, ମାତ୍ର ଦୁଷ୍ଟର ମୁଖ କୁଟିଳ କଥା କହେ। 11:1ଅଯଥାର୍ଥ ନିକ୍ତି ସଦାପ୍ରଭୁଙ୍କର ଘୃଣା ବିଷୟ। ମାତ୍ର ଯଥାର୍ଥ ବଟଖରା ତାହାଙ୍କର ତୁଷ୍ଟିକର। 2ଅହଙ୍କାର ଆସିଲେ ଲଜ୍ଜା ଆସେ; ମାତ୍ର ନମ୍ରଶୀଳ ଲୋକଠାରେ ଜ୍ଞାନ ଥାଏ। 3ସରଳାଚାରୀମାନଙ୍କ ସରଳତା ସେମାନଙ୍କୁ ପଥ ଦେଖାଇବ, ମାତ୍ର ବିଶ୍ୱାସଘାତକମାନଙ୍କ କୁଟିଳାଚରଣ ସେମାନଙ୍କୁ ନାଶ କରିବ। 4ପରମେଶ୍ୱରଙ୍କ କ୍ରୋଧର ଦିନରେ ଧନ ନିଷ୍ଫଳ, ମାତ୍ର ଧାର୍ମିକତା ମୃତ୍ୟୁରୁ ରକ୍ଷା କରେ। 5ସାଧୁର ଧାର୍ମିକତା ତାହାର ପଥ ନିର୍ଦ୍ଦେଶ କରିବ, ମାତ୍ର ଦୁଷ୍ଟ ଆପଣା ଦୁଷ୍ଟତାରେ ନିପାତିତ ହେବ। 6ସରଳ ଲୋକଙ୍କର ଧାର୍ମିକତା ସେମାନଙ୍କୁ ଉଦ୍ଧାର କରେ, ମାତ୍ର ବିଶ୍ୱାସଘାତକମାନେ ଆପଣା ଆପଣା କୁଅଭିଳାଷରେ ଧରା ପଡ଼ିବେ। 7ଦୁଷ୍ଟ ମଲେ, ତାହାର ଭରସା ନଷ୍ଟ ହୁଏ ଓ ଅଧାର୍ମିକମାନଙ୍କର ଆଶା ବିନଷ୍ଟ ହୁଏ। 8ଧାର୍ମିକ ଦୁଃଖରୁ ଉଦ୍ଧାର ପାଏ, ପୁଣି, ଦୁଷ୍ଟ ତାହା ବଦଳେ ତହିଁକୁ ଆସେ। 9ଭକ୍ତିହୀନ ଲୋକ ଆପଣା ମୁଖରେ ପ୍ରତିବାସୀକୁ ନାଶ କରେ, ମାତ୍ର ଧାର୍ମିକ ଜ୍ଞାନରେ ଉଦ୍ଧାର ପ୍ରାପ୍ତ ହୁଏ। 10ଧାର୍ମିକର ମଙ୍ଗଳ ହେଲେ, ନଗର ଆନନ୍ଦ କରେ; ପୁଣି, ଦୁଷ୍ଟର ବିନାଶ ହେଲେ, ଜୟଧ୍ୱନି ହୁଏ। 11ସରଳ ଲୋକର ଆଶୀର୍ବାଦରେ ନଗର ଉନ୍ନତ ହୁଏ, ମାତ୍ର ଦୁଷ୍ଟ ଲୋକର ମୁଖରେ ତାହାର ନିପାତ ହୁଏ। 12ଯେ ଆପଣା ପ୍ରତିବାସୀକୁ ତୁଚ୍ଛ କରେ, ସେ ନିର୍ବୋଧ; ମାତ୍ର ବୁଦ୍ଧିମାନ ତୁନି ହୋଇ ରହେ।
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ମାର୍ଚ୍ଚ 20 ନାଗରିକ ପଞ୍ଜିକାର ଅପ୍ରେଲ 2। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର