Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅପ୍ରେଲ 2027 › ଅପ୍ରେଲ 1

ଅର୍ଥୋଡକ୍ସ ପଞ୍ଜିକା · 19 ମାର୍ଚ୍ଚ (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 1 ଅପ୍ରେଲ 2027

ଗୁରୁବାର · ମହା ଉପବାସର ତୃତୀୟ ସପ୍ତାହ · ସ୍ୱର 2

ପର୍ବ ଓ ସନ୍ଥ

Holy Martyrs Chrysanthus and Daria and with them Martyrs Claudius the Tribune with his wife Hilaria and their sons Jason and Maurus, and Diodorus the Priest and Marianus the Deacon at Rome († 283)

ମହା ଉପବାସ

କଠୋର ଉପବାସ (ଶୁଖିଲା ଆହାର: ରୁଟି, ପନିପରିବା, ଫଳ)

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ଷଷ୍ଠ ଘଣ୍ଟା

ଯିଶା 11:10–12:2

10ଆଉ, ସେହି ଦିନରେ ଗୋଷ୍ଠୀଗଣର ଧ୍ୱଜା ରୂପେ ସ୍ଥାପିତ ଯେ ଯିଶୀର ମୂଳ, ନାନା ଦେଶୀୟମାନେ ତାହାଙ୍କର ଅନ୍ଵେଷଣ କରିବେ; ଆଉ, ତାହାଙ୍କର ବିଶ୍ରାମ-ସ୍ଥାନ ଗୌରବାନ୍ୱିତ ହେବ। 11ଆହୁରି, ସେହି ଦିନରେ ପ୍ରଭୁ ଆପଣା ଲୋକମାନଙ୍କର ଅବଶିଷ୍ଟାଂଶକୁ ଅଶୂରରୁ, ମିସରରୁ ଓ ପଥ୍ରୋଷରୁ, କୂଶରୁ, ଏଲମ୍‍, ଶିନୀୟରରୁ ଓ ହମାତରୁ ଓ ସମୁଦ୍ରର ଦ୍ୱୀପସମୂହରୁ ମୁକ୍ତ କରି ଆଣିବା ନିମନ୍ତେ ପୁନର୍ବାର ଦ୍ୱିତୀୟ ଥର ଆପଣା ହସ୍ତ ସ୍ଥାପନ କରିବେ। 12ପୁଣି, ସେ ଗୋଷ୍ଠୀବର୍ଗ ନିମନ୍ତେ ଗୋଟିଏ ଧ୍ୱଜା ଉଠାଇବେ ଓ ପୃଥିବୀର ଚତୁଷ୍କୋଣରୁ ଇସ୍ରାଏଲର ତାଡ଼ିତ ଲୋକମାନଙ୍କୁ ଏକତ୍ର କରିବେ ଓ ଯିହୁଦାର ଛିନ୍ନଭିନ୍ନ ଲୋକମାନଙ୍କୁ ସଂଗ୍ରହ କରିବେ। 13ଆହୁରି, ଇଫ୍ରୟିମର ଈର୍ଷା ଦୂର ହେବ ଓ ଯିହୁଦାକୁ କ୍ଲେଶ ଦେବା ଲୋକମାନେ ଉଚ୍ଛିନ୍ନ ହେବେ; ଇଫ୍ରୟିମ ଯିହୁଦାକୁ ଈର୍ଷା କରିବ ନାହିଁ ଓ ଯିହୁଦା ଇଫ୍ରୟିମକୁ କ୍ଲେଶ ଦେବ ନାହିଁ। 14ପୁଣି, ସେମାନେ ପଶ୍ଚିମ ଦିଗରେ ପଲେଷ୍ଟୀୟମାନଙ୍କ ସ୍କନ୍ଧ ଉପରେ ଝାମ୍ପ ମାରିବେ; ସେମାନେ ଏକତ୍ର ହୋଇ ପୂର୍ବଦେଶୀୟ ସନ୍ତାନଗଣର ଦ୍ରବ୍ୟ ଲୁଟିତ କରିବେ; ସେମାନେ ଇଦୋମ ଓ ମୋୟାବ ଉପରେ ହସ୍ତକ୍ଷେପ କରିବେ ଓ ଅମ୍ମୋନର ଲୋକମାନେ ସେମାନଙ୍କର ଆଜ୍ଞାବହ ହେବେ। 15ପୁଣି, ସଦାପ୍ରଭୁ ମିସରୀୟ ସମୁଦ୍ରର ଜିହ୍ୱା ସମ୍ପୂର୍ଣ୍ଣ ରୂପେ ବିନାଶ କରିବେ ଓ ଆପଣାର ଉତ୍ତପ୍ତ ବାୟୁ ଦ୍ୱାରା ନଦୀ ଉପରେ ଆପଣା ହସ୍ତ ହଲାଇବେ, ଆଉ ତାହାକୁ ପ୍ରହାର କରି ସପ୍ତସ୍ରୋତ କରିବେ ଓ ଲୋକମାନଙ୍କୁ ଶୁଷ୍କ ପଦରେ ତହିଁ ମଧ୍ୟଦେଇ ଗମନ କରାଇବେ। 16ପୁଣି, ଇସ୍ରାଏଲ ମିସର ଦେଶରୁ ବାହାର ହୋଇ ଆସିବା ବେଳେ ଯେପରି ତାହା ନିମନ୍ତେ ହୋଇଥିଲା, ସେହିପରି ତାହାଙ୍କ ଲୋକମାନଙ୍କ ଅବଶିଷ୍ଟାଂଶ ନିମନ୍ତେ, ଅର୍ଥାତ୍‍, ଅଶୂର ଦେଶରୁ ଅବଶିଷ୍ଟାଂଶ ଲୋକମାନଙ୍କ ନିମନ୍ତେ ଏକ ରାଜପଥ ହେବ। 12:1ସେହି ଦିନରେ ତୁମ୍ଭେ କହିବ, “ହେ ସଦାପ୍ରଭୋ, ମୁଁ ତୁମ୍ଭର ଧନ୍ୟବାଦ କରିବି; କାରଣ ତୁମ୍ଭେ ଆମ୍ଭ ପ୍ରତି କ୍ରୁଦ୍ଧ ଥିଲ, ତୁମ୍ଭର କ୍ରୋଧ ନିବୃତ୍ତ ହୋଇଅଛି ଓ ତୁମ୍ଭେ ଆମ୍ଭକୁ ସାନ୍ତ୍ୱନା କରୁଅଛ।” 2ଦେଖ, “ପରମେଶ୍ୱର ଆମ୍ଭର ପରିତ୍ରାଣ; ଆମ୍ଭେ ବିଶ୍ୱାସ କରିବା ଓ ଭୀତ ହେବା ନାହିଁ; କାରଣ ଯିହୋବାଃ ସଦାପ୍ରଭୁ ଆମ୍ଭର ବଳ ଓ ଗାନ; ପୁଣି, ସେ ଆମ୍ଭର ପରିତ୍ରାଣ ହୋଇଅଛନ୍ତି।”

ସନ୍ଧ୍ୟା ପ୍ରାର୍ଥନା: ପାଠ

ଆଦି 7:11–8:3

11ନୋହଙ୍କର ବୟସର ଛଅ ଶହ ବର୍ଷ ଦ୍ୱିତୀୟ ମାସର ସପ୍ତଦଶ ଦିନରେ ମହାସମୁଦ୍ରର ସମସ୍ତ ଜଳାକର ଭାଙ୍ଗିଗଲା, ପୁଣି, ଆକାଶସ୍ଥ ଦ୍ୱାରସବୁ ମୁକ୍ତ ହେଲା। 12ତହିଁରେ ଚାଳିଶ ଦିବାରାତ୍ର ପୃଥିବୀରେ ବୃଷ୍ଟି ହେଲା। 13ସେହି ଦିନରେ ନୋହ, ପୁଣି, ଶେମ ଓ ହାମ ଓ ଯେଫତ୍‍ ନାମକ ନୋହଙ୍କର ପୁତ୍ରମାନେ, ଆଉ ସେମାନଙ୍କ ସହିତ ନୋହଙ୍କର ଭାର୍ଯ୍ୟା ଓ ତିନି ପୁତ୍ରବଧୂ ଜାହାଜରେ ପ୍ରବେଶ କଲେ। 14ପୁଣି, ସବୁ ଜାତୀୟ ଗ୍ରାମ୍ୟ ଓ ବନ୍ୟ ପଶୁ ଓ ସବୁ ଜାତୀୟ ଉରୋଗାମୀ ଓ ସବୁ ଜାତୀୟ ଭୂଚର ଓ ଖେଚର ପକ୍ଷୀ; 15ଅର୍ଥାତ୍‍, ପ୍ରାଣବାୟୁ ବିଶିଷ୍ଟ ସର୍ବପ୍ରକାର ଜୀବଜନ୍ତୁ ଯୋଡ଼ା ଯୋଡ଼ା ହୋଇ ନୋହଙ୍କ ନିକଟକୁ ଯାଇ ଜାହାଜରେ ପ୍ରବେଶ କଲେ। 16ପରମେଶ୍ୱରଙ୍କ ଆଜ୍ଞାନୁସାରେ ସର୍ବପ୍ରକାର ପ୍ରାଣୀ ଦମ୍ପତିକ୍ରମେ ପ୍ରବେଶ କଲେ; ତହୁଁ ସଦାପ୍ରଭୁ ତାହାର ପାର୍ଶ୍ୱ-ଦ୍ୱାର ବନ୍ଦ କଲେ। 17ଏଥିଉତ୍ତାରେ ଚାଳିଶ ଦିନ ପର୍ଯ୍ୟନ୍ତ ପୃଥିବୀରେ ଜଳପ୍ଳାବନ ହେଲା; ପୁଣି, ଜଳ ବଢ଼ୁ ବଢ଼ୁ ଜାହାଜ ଭୂମିକୁ ଛାଡ଼ି ଭାସି ଉଠିଲା। 18ଆଉ ପୃଥିବୀରେ କ୍ରମଶଃ ଜଳ ପ୍ରବଳ ହୋଇ ଅତିଶୟ ବଢ଼ୁ ବଢ଼ୁ ଜାହାଜ ଜଳ ଉପରେ ଭାସିଲା। 19ପୃଥିବୀ ଉପରେ ଜଳ ଅତିଶୟ ବଢ଼ି ଆକାଶ ତଳସ୍ଥ ସବୁ ଉଚ୍ଚ ପର୍ବତ ମଗ୍ନ କଲା। 20ତହିଁ ଉପରେ ପନ୍ଦର ହାତ ପର୍ଯ୍ୟନ୍ତ ଜଳ ଉଠିଲା; ତହୁଁ ପର୍ବତମାନ ମଗ୍ନ ହେଲେ। 21ତେଣୁ ସମଗ୍ର ଭୂଚର ପ୍ରାଣୀ ପ୍ରାଣତ୍ୟାଗ କଲେ, ଅର୍ଥାତ୍‍, ପକ୍ଷୀ, ଗ୍ରାମ୍ୟ ଓ ବନ୍ୟ ପଶୁ ଓ ପୃଥିବୀରେ ଗମନଶୀଳ ଉରୋଗାମୀ ଜନ୍ତୁ ଓ ପ୍ରତ୍ୟେକ ମନୁଷ୍ୟ, 22ଆଉ ଶୁଷ୍କଭୂମିସ୍ଥ ଯେତେ ପ୍ରାଣୀର ନାସିକାରେ ପ୍ରାଣବାୟୁ ଥିଲା, ସମସ୍ତେ ମଲେ। 23ଏହିରୂପେ ପୃଥିବୀର ଉପରିସ୍ଥ ସମୁଦାୟ ପ୍ରାଣୀ ଲୁପ୍ତ ହେଲେ, ଅର୍ଥାତ୍‍, ମନୁଷ୍ୟ, ପଶୁ, ଉରୋଗାମୀ ଜନ୍ତୁ, ଖେଚର ପକ୍ଷୀ, ସମସ୍ତେ ପୃଥିବୀରୁ ଲୁପ୍ତ ହେଲେ; କେବଳ ନୋହ ଓ ଜାହାଜସ୍ଥ ତାଙ୍କର ସଙ୍ଗୀ ସମସ୍ତେ ବଞ୍ଚିଲେ। 24ଏହିରୂପେ ପୃଥିବୀ ଏକ ଶହ ପଚାଶ ଦିନ ପର୍ଯ୍ୟନ୍ତ ଜଳରେ ବୁଡ଼ି ରହିଲା। 8:1ଏଥିଉତ୍ତାରେ ପରମେଶ୍ୱର ନୋହଙ୍କୁ ଓ ତାଙ୍କ ସହିତ ଜାହାଜସ୍ଥ ପଶ୍ୱାଦି ସମସ୍ତ ପ୍ରାଣୀଙ୍କୁ ସ୍ମରଣ କରି ପୃଥିବୀରେ ବାୟୁ ବୁହାଇଲେ, ତହୁଁ ଜଳ ଥମିଲା; 2ମହାସମୁଦ୍ରର ଜଳାକାର ଓ ଆକାଶସ୍ଥ ଦ୍ୱାରସକଳ ରୁଦ୍ଧ ହେଲା, ପୁଣି, ଆକାଶରୁ ବୃଷ୍ଟି ନିବୃତ୍ତ ହେଲା। 3ତହିଁରେ ପୃଥିବୀରୁ ଜଳ ବହିଯାଇ ଏକ ଶହ ପଚାଶ ଦିନର ଶେଷରେ ହ୍ରାସ ହେଲା।

ସନ୍ଧ୍ୟା ପ୍ରାର୍ଥନା: ପାଠ

ହିତୋ 10:1–22

1ଶଲୋମନଙ୍କର ହିତୋପଦେଶ। ଜ୍ଞାନବାନ ପୁତ୍ର ପିତାର ଆନନ୍ଦ ଜନ୍ମାଏ; କିନ୍ତୁ ହୀନବୁଦ୍ଧି ପୁତ୍ର ତାହା ମାତାର ଶୋକର କାରଣ। 2ଦୁଷ୍ଟତା-ଜାତ ଧନ କିଛି ଫଳ ଦିଏ ନାହିଁ; ମାତ୍ର ଧାର୍ମିକତା ମୃତ୍ୟୁରୁ ଉଦ୍ଧାର କରେ। 3ସଦାପ୍ରଭୁ ଧାର୍ମିକର ପ୍ରାଣକୁ କ୍ଷୁଧାରେ କ୍ଷୀଣ ହେବାକୁ ଦେବେ ନାହିଁ; ମାତ୍ର ସେ ଦୁଷ୍ଟର କାମନା ସଫଳ କରନ୍ତି ନାହିଁ। 4ଯେଉଁ ଲୋକ ଶିଥିଳ ହସ୍ତରେ କର୍ମ କରେ, ସେ ଦରିଦ୍ର ହୁଅଇ; ମାତ୍ର କର୍ମଶୀଳର ହସ୍ତ ଧନବାନ କରେ। 5ଗ୍ରୀଷ୍ମକାଳରେ ଯେ ସଞ୍ଚୟ କରେ, ସେ ବୁଦ୍ଧିମାନ ପୁତ୍ର; ମାତ୍ର ଫସଲ ସମୟରେ ଯେ ନିଦ୍ରିତ ଥାଏ, ସେହି ପୁତ୍ର ଲଜ୍ଜାଜନକ। 6ଧାର୍ମିକର ମସ୍ତକରେ ଆଶୀର୍ବାଦ ବର୍ତ୍ତେ; ମାତ୍ର ଦୁଷ୍ଟର ମୁଖ ଦୌରାତ୍ମ୍ୟ ଢାଙ୍କେ। 7ଧାର୍ମିକର ସ୍ମରଣ ଧନ୍ୟ, ମାତ୍ର ଦୁଷ୍ଟର ନାମ ପଚିଯିବ। 8ଯେ ଅନ୍ତଃକରଣରେ ଜ୍ଞାନୀ, ସେ ଆଜ୍ଞା ଗ୍ରହଣ କରିବ; ମାତ୍ର ମୂର୍ଖ ପତିତ ହେବ। 9ସରଳାଚାରୀ ନିର୍ଭୟରେ ଚାଲେ, ମାତ୍ର ବକ୍ରଗାମୀ ଜଣା ପଡ଼ିବ। 10ଯେ ଆଖିରେ ଠାର ମାରେ, ସେ ଦୁଃଖ ଜନ୍ମାଏ, ପୁଣି, ଅଜ୍ଞାନ ବକୁଆ ପତିତ ହେବ। 11ଧାର୍ମିକର ମୁଖ ଜୀବନର ନିର୍ଝର, ମାତ୍ର ଦୁଷ୍ଟର ମୁଖ ଦୌରାତ୍ମ୍ୟ ଢାଙ୍କେ। 12ହିଂସା କଳି ଜନ୍ମାଏ, ମାତ୍ର ପ୍ରେମ ସବୁ ଅଧର୍ମ ଢାଙ୍କେ। 13ସୁବିବେକୀର ଓଷ୍ଠରେ ଜ୍ଞାନ ଥାଏ, ମାତ୍ର ନିର୍ବୋଧର ପିଠି ପାଇଁ ବାଡ଼ି। 14ଜ୍ଞାନୀମାନେ ବିଦ୍ୟା ସଞ୍ଚୟ କରନ୍ତି, ମାତ୍ର ଅଜ୍ଞାନର ମୁଖ ଉପସ୍ଥିତ ବିନାଶ ସ୍ୱରୂପ। 15ଧନୀର ଧନ ତାହାର ଦୃଢ଼ ନଗର, ଦରିଦ୍ରମାନଙ୍କ ଦରିଦ୍ରତା ସେମାନଙ୍କର ବିନାଶ। 16ଧାର୍ମିକର ପରିଶ୍ରମ ଜୀବନଜନକ, ପୁଣି, ଅଧାର୍ମିକର ଆୟ ପାପଜନକ। 17ଉପଦେଶ ଯେ ମାନେ, ସେ ଜୀବନ-ପଥରେ ଚାଲେ; ମାତ୍ର ଯେ ଅନୁଯୋଗ ତ୍ୟାଗ କରେ, ସେ ଭ୍ରାନ୍ତ ହୁଏ। 18ଯେ ହିଂସା ଆଚ୍ଛାଦନ କରେ, ତାହାର ଓଷ୍ଠାଧର ମିଥ୍ୟାବାଦୀ; ପୁଣି, ଯେ ଅପବାଦ ରଚନା କରେ, ସେ ଅଜ୍ଞାନ। 19ବହୁ ବାକ୍ୟରେ ଅଧର୍ମର ଅଭାବ ନ ଥାଏ, ମାତ୍ର ଯେ ଆପଣା ଓଷ୍ଠାଧରକୁ ଦମନ କରେ, ସେ ବୁଦ୍ଧିମାନ। 20ଧାର୍ମିକର ଜିହ୍ୱା ମନୋନୀତ ରୂପା ତୁଲ୍ୟ, ମାତ୍ର ଦୁଷ୍ଟର ହୃଦୟ ଅଳ୍ପ ମୂଲ୍ୟ। 21ଧାର୍ମିକର ଓଷ୍ଠାଧର ଅନେକଙ୍କୁ ପ୍ରତିପାଳନ କରେ, ମାତ୍ର ଅଜ୍ଞାନମାନେ ନିର୍ବୋଧତା ସକାଶୁ ମରନ୍ତି। 22ସଦାପ୍ରଭୁଙ୍କ ଆଶୀର୍ବାଦ ଧନବାନ କରେ, ପୁଣି, ସେ ତାହା ସଙ୍ଗରେ ଦୁଃଖ ଯୋଗ କରନ୍ତି ନାହିଁ।

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ମାର୍ଚ୍ଚ 19 ନାଗରିକ ପଞ୍ଜିକାର ଅପ୍ରେଲ 1। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର