Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅପ୍ରେଲ 2027 › ଅପ୍ରେଲ 2

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 2 ଅପ୍ରେଲ 2027

ଶୁକ୍ରବାର · ପାସ୍କା ଅଷ୍ଟାହ

ପର୍ବ ଓ ସନ୍ଥ

ପାସ୍କା ଅଷ୍ଟାହର ଶୁକ୍ରବାର

ମହାପର୍ବ · ଉପାସନାର ରଙ୍ଗ: ଧଳା

ଦିନର ପାଠ

ପ୍ରଥମ ପାଠ

ପ୍ରେରି 4:1–12

1ପିତର ଏବଂ ଯୋହନ ଲୋକମାନଙ୍କ ନିକଟରେ କଥା କହୁଥିବା ସମୟରେ ଯାଜକମାନେ, ମନ୍ଦିର ସେନାପତି ଓ ସାଦ୍ଦୂକୀମାନେ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ; 2ସେମାନେ ବିରକ୍ତ ହୋଇଥିଲେ, କାରଣ ପ୍ରେରିତମାନେ ଲୋକମାନଙ୍କୁ ଶିକ୍ଷା ଦେଉଥିଲେ ଓ ଯୀଶୁଙ୍କ କଥା ଧରି ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ବିଷୟ ପ୍ରଚାର କରୁଥିଲେ। 3ପୁଣି, ସେମାନେ ଶିଷ୍ୟମାନଙ୍କୁ ଧରି ପରଦିନ ପର୍ଯ୍ୟନ୍ତ କାରାଗାରରେ ରଖିଲେ, କାରଣ ସେତେବେଳେ ସନ୍ଧ୍ୟା ହୋଇଥିଲା। 4ତଥାପି ବାକ୍ୟ ଶୁଣିବା ଲୋକମାନଙ୍କ ମଧ୍ୟରୁ ଅନେକେ ବିଶ୍ୱାସ କଲେ, ଆଉ ପୁରୁଷମାନଙ୍କର ସଂଖ୍ୟା ପ୍ରାୟ ପାଞ୍ଚ ହଜାର ହେଲା। 5ପରଦିନ ଲୋକମାନଙ୍କର ଅଧ୍ୟକ୍ଷ, ପ୍ରାଚୀନ ଓ ଶାସ୍ତ୍ରୀମାନେ ଯିରୂଶାଲମ ସହରରେ ଏକତ୍ରିତ ହେଲେ; 6ସେଠାରେ ମହାଯାଜକ ହାନାନ, କୟାଫା, ଯୋହନ, ଆଲେକ୍‌ଜାଣ୍ଡର, ପୁଣି, ମହାଯାଜକୀୟ ବଂଶର ସମସ୍ତ ଲୋକ ଉପସ୍ଥିତ ଥିଲେ। 7ସେମାନେ ପ୍ରେରିତମାନଙ୍କୁ ମଧ୍ୟ ସ୍ଥାନରେ ଠିଆ କରାଇ ପଚାରିବାକୁ ଲାଗିଲେ, କି ଶକ୍ତିରେ ବା କେଉଁ ନାମରେ ତୁମ୍ଭେମାନେ ଏହା କରିଅଛ? 8ସେଥିରେ ପିତର ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ସେମାନଙ୍କୁ କହିଲେ, ହେ ଲୋକମାନଙ୍କର ଅଧ୍ୟକ୍ଷ ଓ ପ୍ରାଚୀନମାନେ, 9ଆଜି ଯଦି ଜଣେ ରୋଗୀ ପ୍ରତି କରାଯାଇଥିବା ଉତ୍ତମ କାର୍ଯ୍ୟ ବିଷୟରେ ଆମ୍ଭମାନଙ୍କୁ ପଚରାଯାଏ ଯେ, ଏହି ଲୋକ କି ଉପାୟରେ ସୁସ୍ଥ ହୋଇଅଛି? 10ତାହାହେଲେ ଆପଣମାନେ ସମସ୍ତେ ଓ ସମସ୍ତ ଇସ୍ରାଏଲ ଲୋକ ଜ୍ଞାତ ହେଉନ୍ତୁ ଯେ, ଯେଉଁ ନାଜରିତୀୟ ଯୀଶୁ ଖ୍ରୀଷ୍ଟଙ୍କୁ ଆପଣମାନେ କ୍ରୁଶରେ ବଧ କରିଅଛନ୍ତି, ଯାହାଙ୍କୁ ଈଶ୍ବର ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି, ତାହାଙ୍କ ନାମରେ, ହଁ, ତାହାଙ୍କ ଦ୍ୱାରା ଏହି ଲୋକଟି ସୁସ୍ଥ ହୋଇ ଆପଣମାନଙ୍କ ସାକ୍ଷାତରେ ଠିଆ ହୋଇଅଛି। 11“‘ଗୃହ ନିର୍ମାଣକାରୀ ଯେ ଆପଣମାନେ, ଆପଣମାନଙ୍କ ଦ୍ୱାରା ଯେଉଁ ପ୍ରସ୍ତର ଅଗ୍ରାହ୍ୟ ହୋଇଥିଲା, ଯାହା କୋଣର ପ୍ରଧାନ ପ୍ରସ୍ତର ହେଲା, ସେ ସେହି ପ୍ରସ୍ତର।’ 12ତାହାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ; କାରଣ ଯାହା ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ।”

ପ୍ରତିଉତ୍ତର ଗୀତ

ଗୀତ 118:1–2, 4, 22–27

1ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମଙ୍ଗଳମୟ; ହଁ; ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। 2ଇସ୍ରାଏଲ ଏବେ କହନ୍ତୁ ଯେ, ତାହାଙ୍କ କରୁଣା ଅନନ୍ତକାଳସ୍ଥାୟୀ। 4ଏବେ ସଦାପ୍ରଭୁଙ୍କର ଭୟକାରୀମାନେ କହନ୍ତୁ ଯେ, ତାହାଙ୍କ କରୁଣା ଅନନ୍ତକାଳସ୍ଥାୟୀ। 22ଗାନ୍ଥକମାନେ ଯେଉଁ ପଥର ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପଥର ହୋଇଅଛି। 23ଏହା ସଦାପ୍ରଭୁଙ୍କ କର୍ମ; ଏହା ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟ। 24ଏହା ସଦାପ୍ରଭୁଙ୍କ କୃତ ଦିନ; ଆମ୍ଭେମାନେ ଏଥିରେ ଆନନ୍ଦ ଓ ଉଲ୍ଲାସ କରିବା। 25ହେ ସଦାପ୍ରଭୋ, ଆମ୍ଭେମାନେ ବିନୟ କରୁଅଛୁ, ଏବେ ପରିତ୍ରାଣ କର; ହେ ସଦାପ୍ରଭୋ, ଆମ୍ଭେମାନେ ବିନୟ କରୁଅଛୁ, ଏବେ ସଫଳତା ଆଜ୍ଞା କର। 26ସଦାପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ; ଆମ୍ଭେମାନେ ସଦାପ୍ରଭୁଙ୍କ ଗୃହରୁ ତୁମ୍ଭକୁ ଆଶୀର୍ବାଦ କରିଅଛୁ। 27ସଦାପ୍ରଭୁ ପରମେଶ୍ୱର ଅଟନ୍ତି ଓ ସେ ଆମ୍ଭମାନଙ୍କୁ ଦୀପ୍ତି ଦେଇଅଛନ୍ତି; ବେଦିର ଶୃଙ୍ଗରେ ରଜ୍ଜୁ ଦ୍ୱାରା ବଳିକୁ ବାନ୍ଧ।

ସୁସମାଚାର

ଯୋହ 21:1–14

1ଏଥିଉତ୍ତାରେ ଯୀଶୁ ତିବିରୀୟା ହ୍ରଦର କୂଳରେ ଶିଷ୍ୟମାନଙ୍କୁ ପୁନର୍ବାର ଦର୍ଶନ ଦେଲେ। ସେ ଏହି ପ୍ରକାରେ ଦର୍ଶନ ଦେଲେ; 2ଶିମୋନ ପିତର, ଥୋମା, ଯାହାଙ୍କୁ ଦିଦୁମ କହନ୍ତି, ଗାଲିଲୀର କାନ୍ନାନିବାସୀ ନିଥନିୟେଲ, ଜେବଦୀଙ୍କ ପୁତ୍ରମାନେ ଓ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଆଉ ଦୁଇ ଜଣ ଏକତ୍ର ଥିଲେ। 3ଶିମୋନ ପିତର ସେମାନଙ୍କୁ କହିଲେ, ମୁଁ ମାଛ ଧରିବାକୁ ଯାଉଅଛି। ସେମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ମଧ୍ୟ ତୁମ୍ଭ ସାଙ୍ଗରେ ଯିବୁ। ସେମାନେ ବାହାରିଯାଇ ନୌକାରେ ଚଢ଼ିଲେ, ଆଉ ସେହି ରାତିରେ କିଛି ଧରି ପାରିଲେ ନାହିଁ। 4କିନ୍ତୁ ପାହାନ୍ତା ହେଲା ଉତ୍ତାରେ ଯୀଶୁ କୂଳରେ ଠିଆ ହେଲେ; ତଥାପି ସେ ଯୀଶୁ ବୋଲି ଶିଷ୍ୟମାନେ ଜାଣିଲେ ନାହିଁ। 5ଯୀଶୁ ସେମାନଙ୍କୁ କହିଲେ, “ପିଲାମାନେ ତୁମ୍ଭମାନଙ୍କ ପାଖରେ କଅଣ କିଛି ଖାଇବାର ଅଛି?” ସେମାନେ ତାହାଙ୍କୁ ଉତ୍ତର ଦେଲେ, ନାହିଁ। 6ସେ ସେମାନଙ୍କୁ କହିଲେ, “ନୌକାର ଡାହାଣ ପାଖରେ ଜାଲ ପକାଅ, ଆଉ ତୁମ୍ଭେମାନେ ପାଇବ।” ସେଥିରେ ସେମାନେ ଜାଲ ପକାଇଲେ, ଆଉ ଏତେ ମାଛ ପଡ଼ିଲା ଯେ, ସେମାନେ ତାହା ଟାଣି ପାରିଲେ ନାହିଁ। 7ସେଥିରେ ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ସେ ପିତରଙ୍କୁ କହିଲେ, ଏ ତ ପ୍ରଭୁ। ଶିମୋନ ପିତର ଏ ତ ପ୍ରଭୁ ବୋଲି ଶୁଣି ଅଙ୍ଗରଖା ନ ପିନ୍ଧି ଥିବାରୁ ଆପଣା ଅଙ୍ଗରଖା ପିନ୍ଧି ସମୁଦ୍ରକୁ ଡେଇଁପଡ଼ିଲେ; 8କିନ୍ତୁ ଅନ୍ୟ ଶିଷ୍ୟମାନେ ନୌକାରେ ଭର୍ତ୍ତି ହୋଇଥିବା ମାଛର ଜାଲ ଟାଣି ଟାଣି ନୌକାକୁ ଆସିଲେ, କାରଣ ସେମାନେ କୂଳରୁ ଅଧିକ ଦୂରରେ ନ ଥିଲେ, କେବଳ ପ୍ରାୟ ଦୁଇ ଶହ ହାତ ଦୂରରେ ଥିଲେ। 9ସେମାନେ କୂଳରେ ଓହ୍ଲାଇ ସେଠାରେ ଅଙ୍ଗାରର ନିଆଁ, ପୁଣି, ତାହା ଉପରେ ଭଜା ମାଛ ଓ ରୁଟି ଥୁଆ ହୋଇଥିବା ଦେଖିଲେ। 10ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏବେ ଯେଉଁ ମାଛ ଧରିଅଛ, ସେଥିରୁ କିଛି ଆଣ।” 11ଶିମୋନ ପିତର ଯାଇ ଏକ ଶହ ତେପନ ବଡ଼ ବଡ଼ ମାଛରେ ଭର୍ତ୍ତି ହୋଇଥିବା ଜାଲ କୂଳକୁ ଟାଣି ଆଣିଲେ; ଆଉ ଏତେ ମାଛରେ ସୁଦ୍ଧା ଜାଲ ଛିଣ୍ଡିଲା ନାହିଁ। 12ଯୀଶୁ ସେମାନଙ୍କୁ କହିଲେ, “ଆସି ଭୋଜନ କର।” ଶିଷ୍ୟମାନଙ୍କ ମଧ୍ୟରୁ କେହି ତୁମ୍ଭେ କିଏ ବୋଲି ତାହାଙ୍କୁ ପଚାରିବାକୁ ସାହସ କରୁ ନ ଥିଲେ, କାରଣ ସେ ଯେ ପ୍ରଭୁ, ଏହା ସେମାନେ ଜାଣିଥିଲେ। 13ଯୀଶୁ ଆସି ରୁଟି ଘେନି ସେମାନଙ୍କୁ ଦେଲେ, ଆଉ ସେହି ପ୍ରକାରେ ମାଛ ମଧ୍ୟ ଦେଲେ। 14ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲା ଉତ୍ତାରେ ଯୀଶୁ ଶିଷ୍ୟମାନଙ୍କୁ ଏହି ତୃତୀୟ ଥର ଦର୍ଶନ ଦେଲେ।

ଆଜିର ସନ୍ଥ

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର