ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅପ୍ରେଲ 2027 › ଅପ୍ରେଲ 1
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 1 ଅପ୍ରେଲ 2027
ଗୁରୁବାର · ପାସ୍କା ଅଷ୍ଟାହ
ପର୍ବ ଓ ସନ୍ଥ
ପାସ୍କା ଅଷ୍ଟାହର ଗୁରୁବାର
ମହାପର୍ବ · ଉପାସନାର ରଙ୍ଗ: ଧଳା
ଦିନର ପାଠ
ପ୍ରଥମ ପାଠ
11ସେ ପିତର ଓ ଯୋହନଙ୍କୁ ଧରି ରହିଥିବା ସମୟରେ ଲୋକ ସମସ୍ତେ ଅତିଶୟ ବିସ୍ମୟାପନ୍ନ ହୋଇ ଶଲୋମନଙ୍କ ମଣ୍ଡପରେ ସେମାନଙ୍କ ନିକଟକୁ ଏକତ୍ର ଦୌଡ଼ିଆସିଲେ। 12ପିତର ତାହା ଦେଖି ଲୋକମାନଙ୍କୁ ଉତ୍ତର ଦେଲେ, ହେ ଇସ୍ରାଏଲୀୟ ଲୋକମାନେ, ଆପଣମାନେ କାହିଁକି ଏହି ଲୋକ ବିଷୟରେ ଚମତ୍କୃତ ହେଉଅଛନ୍ତି? କିମ୍ବା ଆମ୍ଭେମାନେ ଯେପରି ନିଜ ଶକ୍ତି ଅବା ଭକ୍ତି ବଳରେ ଏହାକୁ ଚାଲିବା ଶକ୍ତି ଦେଇଅଛୁ, ତାହା ଭାବି ଆମ୍ଭମାନଙ୍କ ପ୍ରତି କାହିଁକି ଏକଦୃଷ୍ଟିରେ ଚାହୁଁଅଛନ୍ତି? 13ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ଈଶ୍ବର, ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ଈଶ୍ବର, ଆପଣା ଦାସ ଯୀଶୁଙ୍କୁ ଗୌରବାନ୍ୱିତ କରିଅଛନ୍ତି; ସେହି ଯୀଶୁଙ୍କୁ ଆପଣମାନେ ସମର୍ପଣ କଲେ, ପୁଣି, ଯେତେବେଳେ ପୀଲାତ ତାହାଙ୍କୁ ମୁକ୍ତ କରିବାକୁ ମନସ୍ଥ କରିଥିଲେ, ସେତେବେଳେ ତାହାଙ୍କୁ ଆପଣମାନେ ତାହାଙ୍କ ସାକ୍ଷାତରେ ଅସ୍ୱୀକାର କଲେ। 14ଆପଣମାନେ ସେହି ପବିତ୍ର ଓ ଧାର୍ମିକ ବ୍ୟକ୍ତିଙ୍କୁ ଅସ୍ୱୀକାର କଲେ, ଆଉ ଜଣେ ନରଘାତକ ଯେପରି ଆପଣମାନଙ୍କ ନିମନ୍ତେ ମୁକ୍ତ କରାଯାଏ, ଏହା ଆପଣ ପୀଲାତଙ୍କ ନିକଟରେ ପ୍ରାର୍ଥନା କଲେ, 15କିନ୍ତୁ ଜୀବନର କର୍ତ୍ତାଙ୍କୁ ବଧ କଲେ; ତାହାଙ୍କୁ ଈଶ୍ବର ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି, ଆମ୍ଭେମାନେ ସେଥିର ସାକ୍ଷୀ। 16ପୁଣି, ତାହାଙ୍କ ନାମରେ ବିଶ୍ୱାସ କରିବାରୁ ଏହି ଯେଉଁ ଲୋକକୁ ଆପଣମାନେ ଦେଖୁଅଛନ୍ତି ଓ ଜାଣିଅଛନ୍ତି, ଏହାକୁ ତାହାଙ୍କ ନାମ ବଳବାନ କରିଅଛି; ହଁ, ତାହାଙ୍କ ଦ୍ୱାରା ଦିଆଯାଇଥିବା ବିଶ୍ୱାସ ଆପଣ ସମସ୍ତଙ୍କ ସାକ୍ଷାତରେ ଏହାକୁ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଦାନ କରିଅଛି। 17ଆଉ ଏବେ, ହେ ଭାଇମାନେ, ଆପଣମାନଙ୍କ ଅଧ୍ୟକ୍ଷମାନେ ଯେପରି, ଆପଣମାନେ ମଧ୍ୟ ସେପରି ଅଜ୍ଞାନତା ହେତୁ ଏହା କରିଅଛନ୍ତି ବୋଲି ମୁଁ ଜାଣେ। 18କିନ୍ତୁ ଈଶ୍ବର ଆପଣା ଖ୍ରୀଷ୍ଟଙ୍କ ଦୁଃଖଭୋଗ ବିଷୟରେ ସମସ୍ତ ଭାବବାଦୀଙ୍କ ମୁଖ ଦ୍ୱାରା ଯାହା ଯାହା ପୂର୍ବରୁ ପ୍ରଚାର କରିଥିଲେ, ସେହିସବୁ ସେ ଏହି ପ୍ରକାରେ ସଫଳ କରିଅଛନ୍ତି। 19ଅତଏବ, ଯେପରି ଆପଣମାନଙ୍କର ପାପମୋଚନ ହୋଇପାରେ, ଏଥିନିମନ୍ତେ ମନ-ପରିବର୍ତ୍ତନ କରି ଫେରି ଆସନ୍ତୁ, 20ତାହାହେଲେ ପ୍ରଭୁଙ୍କ ଛାମୁରୁ ସାନ୍ତ୍ୱନାର ସମୟ ଉପସ୍ଥିତ ହେବ; ପୁଣି, ଆପଣମାନଙ୍କ ନିମନ୍ତେ ପୂର୍ବନିରୂପିତ ଖ୍ରୀଷ୍ଟଙ୍କୁ ଅର୍ଥାତ୍ ଯୀଶୁଙ୍କୁ ସେ ପ୍ରେରଣ କରିବେ। 21ସମସ୍ତ ବିଷୟ ପୁନଃସ୍ଥାପନର ଯେଉଁ ସମୟର କଥା ଅତି ପ୍ରାଚୀନକାଳରୁ ଈଶ୍ବର ଆପଣା ପବିତ୍ର ଭାବବାଦୀମାନଙ୍କ ମୁଖ ଦ୍ୱାରା କହିଅଛନ୍ତି, ସେହି ସମୟ ଉପସ୍ଥିତ ନ ହେବା ପର୍ଯ୍ୟନ୍ତ ତାହାଙ୍କୁ ନିଶ୍ଚୟ ସ୍ୱର୍ଗରେ ଗୃହୀତ ହେବାକୁ ହେବ। 22ମୋଶା ତ କହିଥିଲେ, ପ୍ରଭୁ ଈଶ୍ବର ତୁମ୍ଭମାନଙ୍କର ଭାଇମାନଙ୍କ ମଧ୍ୟରୁ ତୁମ୍ଭମାନଙ୍କ ନିମନ୍ତେ ମୋହର ସଦୃଶ ଜଣେ ଭାବବାଦୀଙ୍କୁ ଉତ୍ପନ୍ନ କରିବେ; ଯେଉଁ ଯେଉଁ ବିଷୟରେ ସେ ତୁମ୍ଭମାନଙ୍କୁ କହିବେ, ସେହିସବୁ ବିଷୟରେ ତୁମ୍ଭେମାନେ ତାହାଙ୍କ କଥା ଶୁଣିବ। 23କିନ୍ତୁ ଏପରି ଘଟିବ ଯେ, ଯେଉଁ ପ୍ରାଣୀ ସେହି ଭାବବାଦୀଙ୍କର କଥା ଶୁଣିବ ନାହିଁ, ସେ ଲୋକମାନଙ୍କ ମଧ୍ୟରେ ବିନଷ୍ଟ ହେବ। 24ହଁ, ଶାମୁୟେଲ ଓ ତାହାଙ୍କ ପରବର୍ତ୍ତୀ ସମୟଠାରୁ ଯେତେ ଭାବବାଦୀ କଥା କହିଅଛନ୍ତି, ସେମାନେ ସମସ୍ତେ ମଧ୍ୟ ଏହି କାଳର ବିଷୟ ପ୍ରଚାର କରିଅଛନ୍ତି 25ଆପଣମାନେ ସେହି ଭାବବାଦୀମାନଙ୍କର ସନ୍ତାନ, ପୁଣି, ତୁମ୍ଭର ବଂଶ ଦ୍ୱାରା ପୃଥିବୀର ସମସ୍ତ ଗୋଷ୍ଠୀ ଆଶୀର୍ବାଦ ପ୍ରାପ୍ତ ହେବେ, ଏହି ବାକ୍ୟ ଈଶ୍ବର ଅବ୍ରହାମଙ୍କୁ କହି ଆପଣମାନଙ୍କ ପିତୃ-ପୁରୁଷମାନଙ୍କ ସହିତ ଯେଉଁ ନିୟମ ସ୍ଥାପନ କରିଥିଲେ, ଆପଣମାନେ ସେହି ନିୟମର ସନ୍ତାନ ଅଟନ୍ତି। 26ଈଶ୍ବର ପ୍ରଥମେ ଆପଣମାନଙ୍କ ନିମନ୍ତେ ଆପଣାର ସେହି ଦାସଙ୍କୁ ଉତ୍ପନ୍ନ କରି ପ୍ରେରଣ କଲେ, ଯେପରି ସେ ଆପଣମାନଙ୍କର ପ୍ରତ୍ୟେକ ଜଣଙ୍କୁ ନିଜ ନିଜ ଦୁଷ୍ଟତାରୁ ଫେରାଇ ଆଶୀର୍ବାଦ କରନ୍ତି।
ପ୍ରତିଉତ୍ତର ଗୀତ
1ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍ ସ୍ୱରରେ ଦାଉଦଙ୍କର ଗୀତ। ହେ ସଦାପ୍ରଭୋ, ଆମ୍ଭମାନଙ୍କର ପ୍ରଭୋ, ସମୁଦାୟ ପୃଥିବୀରେ ତୁମ୍ଭର ନାମ କିପରି ମହିମାନ୍ୱିତ! ତୁମ୍ଭେ ଆକାଶମଣ୍ଡଳ ଉପରେ ଆପଣା ଗୌରବ ସ୍ଥାପନ କରିଅଛ। 4ମନୁଷ୍ୟ କିଏ ଯେ, ତୁମ୍ଭେ ତାହା ବିଷୟରେ ମନୋଯୋଗୀ ହେଉଅଛ? ଓ ମାନବଜାତି କିଏ ଯେ, ତୁମ୍ଭେ ସେମାନଙ୍କର ତତ୍ତ୍ୱାବଧାନ କରୁଅଛ? 5ପୁଣି, ତୁମ୍ଭେ ତାହାକୁ ଦୂତଗଣଙ୍କ ଅପେକ୍ଷା ଅଳ୍ପମାତ୍ର ନ୍ୟୂନ କରିଅଛ, ଆଉ ଗୌରବ ଓ ସମ୍ଭ୍ରମରୂପ ମୁକୁଟରେ ତାହାକୁ ଭୂଷିତ କରୁଅଛ। 6ତୁମ୍ଭେ ଆପଣା ହସ୍ତକୃତ ସକଳ କର୍ମ ଉପରେ ତାହାକୁ କର୍ତ୍ତୃତ୍ୱ ଦେଇଅଛ; ତୁମ୍ଭେ ତାହାର ପଦ ତଳେ ସମୁଦାୟ ବିଷୟ ରଖିଅଛ; 7ଗୋମେଷାଦିସକଳ, ହଁ, ବନ୍ୟ ପଶୁଗଣ; 8ଆକାଶର ପକ୍ଷୀଗଣ ଓ ସମୁଦ୍ରର ମତ୍ସ୍ୟଗଣ, ସମୁଦ୍ରପଥଗାମୀ ସକଳ ହିଁ ରଖିଅଛ।
ସୁସମାଚାର
35ଆଉ ସେମାନେ ମଧ୍ୟ ବାଟର ସମସ୍ତ ଘଟଣା ଓ ରୁଟି ଭାଙ୍ଗିବାରେ ସେ କିପରି ସେମାନଙ୍କ ଦ୍ୱାରା ଚିହ୍ନାଗଲେ, ସେହିସବୁ ବର୍ଣ୍ଣନା କରିବାକୁ ଲାଗିଲେ। 36କିନ୍ତୁ ସେମାନେ ଏହିସବୁ କଥା କହୁଥିବା ସମୟରେ ସେ ଆପେ ଏମାନଙ୍କ ମଧ୍ୟରେ ଉପସ୍ଥିତ ହେଲେ, ଏବଂ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପ୍ରତି ଶାନ୍ତି ବର୍ତ୍ତୁ।” 37ମାତ୍ର ସେମାନେ ଆତଙ୍କିତ ଓ ଭୀତ ହୋଇ ଗୋଟିଏ ଭୂତ ଦେଖୁଅଛନ୍ତି ବୋଲି ମନେ କଲେ। 38ସେଥିରେ ସେ ସେମାନଙ୍କୁ କହିଲେ, “କାହିଁକି ଉଦ୍ବିଗ୍ନ ହେଉଅଛ, ପୁଣି, ତୁମ୍ଭମାନଙ୍କ ମନରେ କାହିଁକି ତର୍କବିତର୍କ ଉଠୁଅଛି? 39ଏ ଯେ ସ୍ୱୟଂ ମୁଁ, ମୋହର ହାତ ଓ ପାଦ ଦେଖ, ମୋତେ ସ୍ପର୍ଶ କରି ଦେଖ, କାରଣ ମୋହର ଯେପରି ମାଂସ ଓ ଅସ୍ଥି ଥିବାର ତୁମ୍ଭେମାନେ ଦେଖୁଅଛ, ଭୂତର ସେପରି ନାହିଁ।” 40[ଆଉ ସେ ଏହା କହି ସେମାନଙ୍କୁ ଆପଣା ହାତ ଓ ପାଦ ଦେଖାଇଲେ।] 41ତେବେ ମଧ୍ୟ ସେମାନେ ଆନନ୍ଦ ହେତୁ ଅବିଶ୍ୱାସ କରି ଚମତ୍କୃତ ହେବାରୁ ସେ ସେମାନଙ୍କୁ ପଚାରିଲେ, “ଏଠାରେ ତୁମ୍ଭମାନଙ୍କ ପାଖରେ କଅଣ ଖାଦ୍ୟ ଅଛି?” 42ସେଥିରେ ସେମାନେ ତାହାଙ୍କୁ ଖଣ୍ଡେ ଭଜା ମାଛ ଦେଲେ। 43ଆଉ, ସେ ତାହା ଘେନି ସେମାନଙ୍କ ସାକ୍ଷାତରେ ଭୋଜନ କଲେ। 44ପୁଣି, ସେ ସେମାନଙ୍କୁ କହିଲେ, “ମୋଶାଙ୍କ ବ୍ୟବସ୍ଥାରେ ଏବଂ ଭାବବାଦୀମାନଙ୍କ ଓ ଗୀତସଂହିତା ଧର୍ମଶାସ୍ତ୍ରରେ ମୋʼ ବିଷୟରେ ଯାହା ଯାହା ଲେଖାଅଛି, ସେହିସବୁ ସଫଳ ହେବା ଆବଶ୍ୟକ, ମୁଁ ତୁମ୍ଭମାନଙ୍କ ସଙ୍ଗରେ ଥିବା ସମୟରେ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଥିଲି।” 45ସେତେବେଳେ ସେମାନେ ଯେପରି ଧର୍ମଶାସ୍ତ୍ର ବୁଝି ପାରନ୍ତି, ସେଥିପାଇଁ ସେ ସେମାନଙ୍କର ମନ ଉନ୍ମୁକ୍ତ କଲେ; 46ଆଉ ସେମାନଙ୍କୁ କହିଲେ, “ଏହି ପ୍ରକାରେ ଲେଖାଅଛି, ଖ୍ରୀଷ୍ଟ ଦୁଃଖଭୋଗ କରିବେ ଓ ତୃତୀୟ ଦିନରେ ମୃତମାନଙ୍କ ମଧ୍ୟରୁ ପୁନର୍ବାର ଜୀବିତ ହେବେ, 47ପୁଣି, ଯିରୂଶାଲମ ସହରରୁ ଆରମ୍ଭ କରି ସମସ୍ତ ଜାତିଙ୍କ ନିକଟରେ ତାହାଙ୍କ ନାମରେ ପାପ କ୍ଷମା ନିମନ୍ତେ ମନ-ପରିବର୍ତ୍ତନର ପ୍ରସଙ୍ଗ ଘୋଷଣା କରାଯିବ। 48ତୁମ୍ଭେମାନେ ଏହି ସମସ୍ତ ବିଷୟର ସାକ୍ଷୀ ଅଟ
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର