ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ମାର୍ଚ୍ଚ 2027 › ମାର୍ଚ୍ଚ 11
ଅର୍ଥୋଡକ୍ସ ପଞ୍ଜିକା · 26 ଫେବୃଆରୀ (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 11 ମାର୍ଚ୍ଚ 2027
ଗୁରୁବାର · ପନିର-ତ୍ୟାଗ ସପ୍ତାହ · ସ୍ୱର 7
ପର୍ବ ଓ ସନ୍ଥ
ପନିର-ତ୍ୟାଗ ସପ୍ତାହର ଗୁରୁବାର
ପନିର ସପ୍ତାହ
ମାଂସ ନାହିଁ; ଦୁଗ୍ଧଜାତ, ଅଣ୍ଡା ଓ ମାଛ ଚଳିବ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ପତ୍ର
11ହାୟ, ସେମାନେ ସନ୍ତାପର ପାତ୍ର, କାରଣ ସେମାନେ କୟିନର ପଥରେ ଚାଲିଯାଇଅଛନ୍ତି, ଅର୍ଥଲୋଭ ସକାଶେ ବିଲୀୟାମ ଭ୍ରାନ୍ତିରେ ପଡ଼ିଯାଇଅଛନ୍ତି ଓ କୋରହ ସଦୃଶ ବିଦ୍ରୋହ କରି ବିନଷ୍ଟ ହୋଇଅଛନ୍ତି। 12ସେମାନେ ନିର୍ଭୟରେ ତୁମ୍ଭମାନଙ୍କ ସହିତ ଭୋଜନପାନ କରି ତୁମ୍ଭମାନଙ୍କ ପ୍ରେମଭୋଜିର କଳଙ୍କ ସ୍ୱରୂପ ଅଟନ୍ତି; ସେମାନେ ଆପଣା ଆପଣା ଉଦର ପରିପୂର୍ଣ୍ଣ କରନ୍ତି; ସେମାନେ ବାୟୁଚାଳିତ ଜଳଶୂନ୍ୟ ମେଘ ତୁଲ୍ୟ; ସେମାନେ ଦୁଇ ଥର ମୃତ, ମୂଳରୁ ଉତ୍ପାଟିତ ହେମନ୍ତ କାଳର ଫଳଶୂନ୍ୟବୃକ୍ଷ ସଦୃଶ; 13ସେମାନେ ଆପଣା ଆପଣା ଲଜ୍ଜା ସ୍ୱରୂପ ଫେଣ ଉଦ୍ଗାରକାରୀ ସମୁଦ୍ରର ଉତ୍ତାଳ ତରଙ୍ଗ ସଦୃଶ; ସେମାନେ ଭ୍ରମଣକାରୀ ତାରା ତୁଲ୍ୟ; ସେମାନଙ୍କ ନିମନ୍ତେ ଘୋର ଅନ୍ଧକାର ଅନନ୍ତକାଳ ରଖାଯାଇଅଛି। 14ଆଦମଙ୍କଠାରୁ ସପ୍ତମ ପୁରୁଷ ଯେ ହନୋକ, ସେ ମଧ୍ୟ ସେମାନଙ୍କ ବିଷୟରେ ଭାବବାଣୀ ପ୍ରଚାର କରି କହିଥିଲେ, 15ଦେଖ, ପ୍ରଭୁ ସମସ୍ତଙ୍କର ବିଚାର କରିବା ନିମନ୍ତେ, ପୁଣି, ଅଧାର୍ମିକ ଲୋକ ସମସ୍ତେ ନିଜ ନିଜ ଅଧାର୍ମିକତାରେ ଯେଉଁସବୁ ଅଧର୍ମ କର୍ମ କରିଅଛନ୍ତି ଓ ଅଧାର୍ମିକ ପାପୀମାନେ ତାହାଙ୍କ ବିରୁଦ୍ଧରେ ଯେଉଁସବୁ କଟୁ କଥା କହିଅଛନ୍ତି, ସେ ସମସ୍ତ ବିଷୟରେ ସେମାନଙ୍କୁ ଦୋଷୀ କରି ଦଣ୍ଡ ଦେବା ନିମନ୍ତେ ଆପଣା ଅୟୁତ ଅୟୁତ ସାଧୁଙ୍କ ସହିତ ଆସୁଅଛନ୍ତି। 16ସେମାନେ ବଚସାକାରୀ, ଆପଣା ଆପଣା ଅବସ୍ଥାରେ ଅସନ୍ତୁଷ୍ଟ ଓ ନିଜ ନିଜ କୁଅଭିଳାଷରେ ଚାଳିତ; ସେମାନଙ୍କ ମୁଖ ବଡ଼ ବଡ଼ କଥା କହେ ଓ ସ୍ୱାର୍ଥସିଦ୍ଧି ନିମନ୍ତେ ସେମାନେ ଲୋକଙ୍କ ମୁହଁ ଉପରେ ପ୍ରଶଂସା କରନ୍ତି। 17କିନ୍ତୁ, ହେ ପ୍ରିୟମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତମାନେ ପୂର୍ବେ ଯେଉଁସବୁ କଥା କହିଅଛନ୍ତି, ସେହିସବୁ ସ୍ମରଣ କର; 18ସେମାନେ କିପରି ତୁମ୍ଭମାନଙ୍କୁ କହୁଥିଲେ, ଶେଷକାଳରେ ଆପଣା ଆପଣା କୁଅଭିଳାଷାନୁସାରେ ଚାଳିତ ପରିହାସକ ଲୋକେ ଉପସ୍ଥିତ ହେବେ। 19ସେମାନେ ଦଳଭେଦ ସୃଷ୍ଟି କରନ୍ତି, ସେମାନେ ସାଂସାରିକମନା ଓ ଈଶ୍ବରଙ୍କ ଆତ୍ମାବିହୀନ। 20କିନ୍ତୁ, ହେ ପ୍ରିୟମାନେ, ତୁମ୍ଭେମାନେ ଆପଣା ଅତି ପବିତ୍ର ବିଶ୍ୱାସ ଉପରେ ଧର୍ମ ଜୀବନରୂପ ଗୃହ ନିର୍ମାଣ କର, ପବିତ୍ର ଆତ୍ମାରେ ପ୍ରାର୍ଥନା କର, 21ପୁଣି, ଅନନ୍ତ ଜୀବନ ନିମନ୍ତେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦୟାର ଅପେକ୍ଷା କରି ଈଶ୍ବରଙ୍କ ପ୍ରେମରେ ଆପଣାମାନଙ୍କୁ ସ୍ଥିର କରି ରଖ। 22ଯେଉଁମାନେ ସନ୍ଦେହରେ ପଡ଼ିଥାଆନ୍ତି, ଏପରି କେତେକଙ୍କୁ ଦୟା କରି ଅଗ୍ନିରୁ କାଢ଼ିଲା ପରି ରକ୍ଷା କର। 23ଶାରୀରିକ ପାପକର୍ମରେ କଳଙ୍କିତ ବସ୍ତ୍ରକୁ ମଧ୍ୟ ଘୃଣା କରି ଭୟ ସହକାରେ ଆଉ କେତେକଙ୍କୁ ଦୟା କର। 24ଯେ ତୁମ୍ଭମାନଙ୍କୁ ଝୁଣ୍ଟିବାରୁ ରକ୍ଷା କରିବାକୁ ପୁଣି, ଆପଣା ଗୌରବ ସମ୍ମୁଖରେ ମହାନନ୍ଦରେ ନିର୍ଦ୍ଦୋଷ ରୂପେ ଉପସ୍ଥିତ କରିବାକୁ ସକ୍ଷମ, 25ଯେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଏକମାତ୍ର ଈଶ୍ବର, ଗୌରବ, ପ୍ରତାପ, ପରାକ୍ରମ ଓ କର୍ତ୍ତାପଣ ଅନାଦିକାଳ, ବର୍ତ୍ତମାନ ଓ ଯୁଗେ ଯୁଗେ ତାହାଙ୍କର। ଆମେନ୍।
ସୁସମାଚାର
1ପରେ ସଭାରେ ସମସ୍ତେ ଉଠି ପୀଲାତଙ୍କ ନିକଟକୁ ଯୀଶୁଙ୍କୁ ଘେନିଗଲେ। 2ଆଉ ସେମାନେ ଯୀଶୁଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ଲାଗିଲେ, ଆମ୍ଭେମାନେ ଦେଖିଲୁ, ଏ ଲୋକଟା ଆମ୍ଭମାନଙ୍କ ଜାତିକୁ ରାଜଦ୍ରୋହ କରୁଅଛି ଏବଂ କାଇସରଙ୍କୁ କର ଦେବା ନିଷେଧ କରୁଅଛି ଓ ଆପଣାକୁ ଖ୍ରୀଷ୍ଟ, ରାଜା ବୋଲି କହୁଅଛି। 3ଏଥିରେ ପୀଲାତ ଯୀଶୁଙ୍କୁ ପଚାରିଲେ, ତୁମ୍ଭେ କି ଯିହୁଦୀମାନଙ୍କର ରାଜା? ସେ ତାହାଙ୍କୁ ଉତ୍ତର ଦେଲେ, “ଆପଣ କହୁଅଛନ୍ତି।” 4ଏଥିରେ ପୀଲାତ ପ୍ରଧାନ ଯାଜକ ଓ ଲୋକସମୂହକୁ କହିଲେ, ଆମ୍ଭେ ଏହି ଲୋକଠାରେ କୌଣସି ଦୋଷ ପାଉ ନାହୁଁ। 5କିନ୍ତୁ ସେମାନେ ଆହୁରି ଦୃଢ଼ରୂପେ କହିବାକୁ ଲାଗିଲେ, ଏ ତ ଗାଲିଲୀ ପ୍ରଦେଶଠାରୁ ଆରମ୍ଭ କରି ସମଗ୍ର ଯିହୂଦିୟା ପ୍ରଦେଶରେ ଶିକ୍ଷା ଦେଇ ଲୋକସାଧାରଣଙ୍କୁ ମତାଉଅଛି। 6କିନ୍ତୁ ପୀଲାତ ଏହା ଶୁଣି ପଚାରିଲେ, ଏ ଲୋକଟା କଅଣ ଜଣେ ଗାଲିଲୀୟ? 7ପୁଣି, ସେ ଯେ ହେରୋଦଙ୍କ ଅଧିକାର ଅଧୀନରେ ଅଛନ୍ତି, ଏହା ଜ୍ଞାତ ହୋଇ ସେ ତାହାଙ୍କୁ ହେରୋଦଙ୍କ ନିକଟକୁ ପଠାଇଦେଲେ, ଯେଣୁ ସେ ମଧ୍ୟ ଏହି ସମୟରେ ଯିରୂଶାଲମ ସହରରେ ଥିଲେ। 8ହେରୋଦ ଯୀଶୁଙ୍କୁ ଦେଖି ଅତ୍ୟନ୍ତ ଆନନ୍ଦିତ ହେଲେ, କାରଣ ସେ ତାହାଙ୍କ ବିଷୟ ଶୁଣିଥିବାରୁ ତାହାଙ୍କୁ ବହୁକାଳରୁ ଦେଖିବାକୁ ଇଚ୍ଛା କରୁଥିଲେ, ପୁଣି, ତାହାଙ୍କ ଦ୍ୱାରା କୌଣସି ଆଶ୍ଚର୍ଯ୍ୟକର୍ମ ସାଧିତ ହେବା ଦେଖିବାକୁ ଆଶା କରୁଥିଲେ। 9ଏଣୁ ସେ ତାହାଙ୍କୁ ଅନେକ କଥା ପଚାରିବାକୁ ଲାଗିଲେ, କିନ୍ତୁ ସେ ତାହାଙ୍କୁ କୌଣସି ଉତ୍ତର ଦେଲେ ନାହିଁ। 10ଆଉ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଠିଆ ହୋଇ ତାହାଙ୍କ ବିରୁଦ୍ଧରେ ତୀବ୍ର ଭାବରେ ଅଭିଯୋଗ କରୁଥିଲେ। 11ପୁଣି, ହେରୋଦ ଆପଣା ସୈନ୍ୟମାନଙ୍କ ସହିତ ତାହାଙ୍କୁ ତୁଚ୍ଛ କରି ପରିହାସପୂର୍ବକ ଚାକଚକ୍ୟ ବସ୍ତ୍ର ପିନ୍ଧାଇ ପୀଲାତଙ୍କ ନିକଟକୁ ପୁନର୍ବାର ପଠାଇଦେଲେ। 12ସେହି ଦିନ ହେରୋଦ ଓ ପୀଲାତ ପରସ୍ପର ବନ୍ଧୁ ହେଲେ; ଏଥିପୂର୍ବେ ସେମାନଙ୍କ ପରସ୍ପର ମଧ୍ୟରେ ଶତ୍ରୁତା ଥିଲା। 13ଏଥିଉତ୍ତାରେ ପୀଲାତ ପ୍ରଧାନ ଯାଜକ, ଅଧ୍ୟକ୍ଷ ଓ ଜନସାଧାରଣଙ୍କୁ ଡାକି ଏକତ୍ର କରି ସେମାନଙ୍କୁ କହିଲେ, 14ଏ ଲୋକସାଧାରଣଙ୍କୁ ବିଦ୍ରୋହୀ କରୁଅଛି ବୋଲି ତୁମ୍ଭେମାନେ ଏହାକୁ ଆମ୍ଭ ନିକଟକୁ ଆଣିଥିଲ; ଆଉ ଦେଖ, ଆମ୍ଭେ ତୁମ୍ଭମାନଙ୍କ ସାକ୍ଷାତରେ ଏହାକୁ ପ୍ରଶ୍ନ କରି, ତାହା ବିରୁଦ୍ଧରେ ତୁମ୍ଭେମାନେ ଯେ ସମସ୍ତ ଅଭିଯୋଗ କରୁଅଛ, ସେପରି କୌଣସି ଦୋଷ ଏହାଠାରେ ପାଇଲୁ ନାହିଁ। 15ହେରୋଦ ମଧ୍ୟ ପାଇ ନାହାନ୍ତି କାରଣ ସେ ତାହାକୁ ଆମ୍ଭମାନଙ୍କ ନିକଟକୁ ପୁଣି ପଠାଇଦେଲେ; ଆଉ ଦେଖ, ଏହି ବ୍ୟକ୍ତି ପ୍ରାଣଦଣ୍ଡ ଯୋଗ୍ୟ କୌଣସି କର୍ମ କରି ନାହିଁ; 16ଅତଏବ ଆମ୍ଭେ ଏହାକୁ ଶାସ୍ତି ଦେଇ ମୁକ୍ତ କରିଦେବୁ 17[ପର୍ବ ସମୟରେ ସେମାନଙ୍କ ନିମନ୍ତେ ତାହାଙ୍କୁ ଜଣେ ବନ୍ଦୀକୁ ମୁକ୍ତ କରିବାକୁ ହେଉଥିଲା।] 18ମାତ୍ର ସେମାନେ ସମସ୍ତେ ଏକତ୍ର ଚିତ୍କାର କରି କହିଲେ, ଏହାକୁ ବଧ କର, ଆମ୍ଭମାନଙ୍କ ନିମନ୍ତେ ବାରବ୍ବାକୁ ମୁକ୍ତ କର। 19ଏହି ବାରବ୍ବା ନଗରରେ ଘଟିଥିବା କୌଣସି ବିପ୍ଳବ ଯୋଗୁଁ ଓ ନରହତ୍ୟା ହେତୁ କାରାଗାରରେ ପକାଯାଇଥିଲା। 20ମାତ୍ର ପୀଲାତ ଯୀଶୁଙ୍କୁ ମୁକ୍ତ କରିବାକୁ ଇଚ୍ଛା କରି ସେମାନଙ୍କୁ ପୁନର୍ବାର ବୁଝାଇଲେ। 21କିନ୍ତୁ ସେମାନେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ତାହାକୁ କ୍ରୁଶରେ ଚଢ଼ାଅ, କ୍ରୁଶରେ ଚଢ଼ାଅ। 22ପୁଣି, ସେ ସେମାନଙ୍କୁ ତୃତୀୟ ଥର କହିଲେ, କାହିଁକି, ସେ କି ଦୋଷ କରିଅଛି? ଆମ୍ଭେ ତାହାଠାରେ ପ୍ରାଣଦଣ୍ଡର କୌଣସି ଦୋଷ ପାଇ ନାହୁଁ; ଅତଏବ, ଆମ୍ଭେ ତାହାକୁ ଶାସ୍ତି ଦେଇ ଛାଡ଼ିଦେବା। 23ମାତ୍ର ସେ କ୍ରୁଶରେ ଚଢ଼ାଯାଉ ବୋଲି ଦାବି କରି ସେମାନେ ବଡ଼ ପାଟିରେ ଜିଦ୍ କରିବାକୁ ଲାଗିଲେ, ଆଉ ସେମାନଙ୍କ କୋଳାହଳର ଜୟ ହେଲା। 24ପୁଣି, ସେମାନଙ୍କର ଦାବି ଅନୁସାରେ କରାଯାଉ ବୋଲି ପୀଲାତ ଆଦେଶ ଦେଲେ; 25କିନ୍ତୁ ବିପ୍ଳବ ଓ ନରହତ୍ୟା ହେତୁ କାରାଗାରରେ ପକାଯାଇଥିବା ଯେଉଁ ଲୋକ ନିମନ୍ତେ ସେମାନେ ଦାବି କରିଥିଲେ, ତାହାକୁ ସେ ମୁକ୍ତ କରିଦେଲେ, ଆଉ ଯୀଶୁଙ୍କୁ ସେ ସେମାନଙ୍କ ଇଚ୍ଛାର ଅଧୀନରେ ସମର୍ପଣ କଲେ। 26ସେମାନେ ତାହାଙ୍କୁ ଘେନିଯିବା ସମୟରେ ପଲ୍ଲୀରୁ ଆସୁଥିବା ଶିମୋନ ନାମକ ଜଣେ କୂରୀଣୀୟ ଲୋକଙ୍କୁ ଧରି ଯୀଶୁଙ୍କ ପଛେ ପଛେ କ୍ରୁଶ ବହିବା ନିମନ୍ତେ ତାହାଙ୍କ କାନ୍ଧରେ ତାହା ଥୋଇଲେ। 27ପୁଣି, ଲୋକମାନଙ୍କର ଓ ତାହାଙ୍କ ନିମନ୍ତେ ବକ୍ଷାଘାତ କରି ବିଳାପ କରୁଥିବା ସ୍ତ୍ରୀଲୋକମାନଙ୍କର ମହାଜନତା ତାହାଙ୍କର ପଶ୍ଚାଦ୍ଗମନ କରୁଥିଲେ। 28କିନ୍ତୁ ଯୀଶୁ ସେମାନଙ୍କ ଆଡ଼କୁ ବୁଲିପଡ଼ି କହିଲେ, “ଗୋ ଯିରୂଶାଲମ ସହରର କନ୍ୟାମାନେ, ମୋʼ ନିମନ୍ତେ ରୋଦନ କର ନାହିଁ, ବରଂ ଆପଣା ଆପଣା ନିମନ୍ତେ ଓ ଆପଣା ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କର; 29କାରଣ ଦେଖ, ଯେଉଁମାନେ ବନ୍ଧ୍ୟା, ପୁଣି, ଯେଉଁମାନେ କେବେ ହେଁ ଗର୍ଭବତୀ ହୋଇ ନାହାନ୍ତି ଓ ସ୍ତନ୍ୟପାନ କରାଇ ନାହାନ୍ତି, ସେମାନଙ୍କୁ ଲୋକେ ଯେତେବେଳେ ଧନ୍ୟ ଧନ୍ୟ ବୋଲି କହିବେ ଏପରି ସମୟ ଆସୁଅଛି। 30ସେତେବେଳେ ‘ଲୋକେ ପର୍ବତମାନଙ୍କୁ କହିବାକୁ ଲାଗିବେ, ଆମ୍ଭମାନଙ୍କ ଉପରେ ପଡ଼,’ ‘ଆଉ ଉପପର୍ବତମାନଙ୍କୁ କହିବାକୁ ଲାଗିବେ, ଆମ୍ଭମାନଙ୍କୁ ଘୋଡ଼ାଇ ପକାଅ।’ 31କାରଣ ଲୋକେ ଯଦି ସତେଜ ବୃକ୍ଷ ପ୍ରତି ଏହା କରନ୍ତି, ତେବେ ଶୁଷ୍କ ବୃକ୍ଷ ପ୍ରତି କଅଣ ନ ଘଟିବ?” 32ପୁଣି, ପ୍ରାଣଦଣ୍ଡ ଭୋଗିବା ନିମନ୍ତେ ଦୁଇ ଜଣ ଦୁଷ୍କର୍ମକାରୀ ମଧ୍ୟ ତାହାଙ୍କ ସାଙ୍ଗରେ ନିଆଯାଉଥିଲେ। 33ଆଉ ସେମାନେ କପାଳ ନାମକ ସ୍ଥାନରେ ଉପସ୍ଥିତ ହୋଇ ସେଠାରେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ, ପୁଣି, ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣକୁ ଦକ୍ଷିଣରେ ଓ ଅନ୍ୟ ଜଣକୁ ବାମରେ କ୍ରୁଶରେ ଚଢ଼ାଇଲେ। 34ସେତେବେଳେ ଯୀଶୁ କହିଲେ, “ପିତଃ, ଏମାନଙ୍କୁ କ୍ଷମା କର, କାରଣ ଏମାନେ କଅଣ କରୁଅଛନ୍ତି, ତାହା ଜାଣନ୍ତି ନାହିଁ।” ଆଉ ସେମାନେ ତାହାଙ୍କ ବସ୍ତ୍ରସବୁ ଭାଗ କରିବା ନିମନ୍ତେ ଗୁଲିବାଣ୍ଟ କଲେ। 44ସେତେବେଳେ ପ୍ରାୟ ବାର ଘଣ୍ଟା ସମୟ ହୋଇଥିଲା, ଆଉ ସୂର୍ଯ୍ୟର କିରଣ ନିସ୍ତେଜ ହେବାରୁ ତିନି ଘଣ୍ଟା ପର୍ଯ୍ୟନ୍ତ ଦେଶଯାକ ଅନ୍ଧକାର ଘୋଟିଗଲା, 45ପୁଣି, ମନ୍ଦିରର ବିଚ୍ଛେଦବସ୍ତ୍ର ମଝିରୁ ଚିରିଗଲା। 46ଆଉ ଯୀଶୁ ଉଚ୍ଚସ୍ୱରରେ ଡାକି କହିଲେ, “ହେ ପିତା, ତୁମ୍ଭ ହସ୍ତରେ ମୁଁ ଆପଣାର ଆତ୍ମା ସମର୍ପଣ କରୁଅଛି।” ଏହା କହି ସେ ପ୍ରାଣତ୍ୟାଗ କଲେ। 47ଶତ-ସେନାପତି ଏହି ଘଟଣା ଦେଖି ଈଶ୍ବରଙ୍କ ଗୌରବ କରି କହିଲେ, ନିଶ୍ଚୟ ଏ ବ୍ୟକ୍ତି ଧାର୍ମିକ ଥିଲେ। 48ପୁଣି, ଯେଉଁ ଲୋକସମୂହ ଦେଖିବାକୁ ଏକତ୍ରିତ ହୋଇଥିଲେ, ସେମାନେ ସମସ୍ତେ ସେହିସବୁ ଘଟଣା ଦେଖି ବକ୍ଷାଘାତ କରୁ କରୁ ବାହୁଡ଼ି ଯିବାକୁ ଲାଗିଲେ। 49କିନ୍ତୁ ତାହାଙ୍କର ପରିଚିତ ସମସ୍ତେ ଓ ଗାଲିଲୀରୁ ଏକତ୍ର ମିଳି ତାହାଙ୍କ ପଛେ ପଛେ ଆସିଥିବା ସ୍ତ୍ରୀଲୋକମାନେ ଦୂରରେ ଠିଆ ହୋଇ ଏହିସବୁ ଦେଖୁଥିଲେ। 50ଆଉ ଦେଖ, ଯିହୂଦିୟା ପ୍ରଦେଶରେ ହାରାମାଥୀୟା ନଗରର ଯୋଷେଫ ନାମକ ଜଣେ ବ୍ୟକ୍ତି ଯିହୁଦୀମାନଙ୍କର ମହାସଭାର ସଭ୍ୟ ଥିଲେ; ସେ ଜଣେ ଉତ୍ତମ ଓ ଧାର୍ମିକ ଲୋକ, 51ଆଉ ସେମାନଙ୍କର ମନ୍ତ୍ରଣା ଓ କର୍ମରେ ସମ୍ମତ ହୋଇ ନ ଥିଲେ ପୁଣି, ଈଶ୍ବରଙ୍କ ରାଜ୍ୟର ଅପେକ୍ଷାରେ ଥିଲେ। 52ସେ ପୀଲାତଙ୍କ ନିକଟକୁ ଯାଇ ଯୀଶୁଙ୍କ ଶରୀର ମାଗିଲେ, 53ପୁଣି, ତାହା ଓହ୍ଲାଇ ଆଣି ସୂକ୍ଷ୍ମ ବସ୍ତ୍ରରେ ଗୁଡ଼ାଇ, ଯହିଁରେ କେହି କେବେ ରଖାଯାଇ ନ ଥିଲା, ପାହାଡ଼ରେ ଖୋଳା ହୋଇଥିବା ଏପରି ଗୋଟିଏ ସମାଧି-ସ୍ଥାନରେ ତାହାଙ୍କୁ ଥୋଇଲେ। 54ସେହି ଦିନ ଆୟୋଜନ ଦିନ ଥିଲା, ପୁଣି, ବିଶ୍ରାମବାର ନିକଟ ହୋଇ ଆସୁଥିଲା 55ଆଉ ଗାଲିଲୀରୁ ତାହାଙ୍କ ସହିତ ଆସିଥିବା ସ୍ତ୍ରୀଲୋକମାନେ ପଛେ ପଛେ ଯାଇ ସମାଧି ସ୍ଥଳ ଓ ତାହାଙ୍କ ଶରୀର କିପରି ରଖାଗଲା, ତାହା ଦେଖିଲେ, 56ପୁଣି, ସେମାନେ ବାହୁଡ଼ିଯାଇ ସୁଗନ୍ଧିଦ୍ରବ୍ୟ ଓ ତୈଳ ପ୍ରସ୍ତୁତ କଲେ।
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଫେବୃଆରୀ 26 ନାଗରିକ ପଞ୍ଜିକାର ମାର୍ଚ୍ଚ 11। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର