Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ମାର୍ଚ୍ଚ 2027 › ମାର୍ଚ୍ଚ 11

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 11 ମାର୍ଚ୍ଚ 2027

ଗୁରୁବାର · ଉପବାସ କାଳର ଚତୁର୍ଥ ସପ୍ତାହ

ପର୍ବ ଓ ସନ୍ଥ

ଉପବାସ କାଳର ଚତୁର୍ଥ ସପ୍ତାହର ଗୁରୁବାର

ସାଧାରଣ ଦିନ · ଉପାସନାର ରଙ୍ଗ: ବାଇଗଣୀ

ଦିନର ପାଠ

ପ୍ରଥମ ପାଠ

ଯାତ୍ରା 32:7–14

7ତେବେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଓହ୍ଲାଇ ଯାଅ, କାରଣ ତୁମ୍ଭର ଯେଉଁ ଲୋକମାନଙ୍କୁ ତୁମ୍ଭେ ମିସରରୁ ବାହାର କରି ଆଣିଲ, ସେମାନେ ଆପଣାମାନଙ୍କୁ ଭ୍ରଷ୍ଟ କରିଅଛନ୍ତି। 8ଆମ୍ଭେ ସେମାନଙ୍କୁ ଯେଉଁ ପଥ ବିଷୟରେ ଆଜ୍ଞା ଦେଲୁ, ସେମାନେ ଶୀଘ୍ର ତହିଁରୁ ବିମୁଖ ହେଲେ; ସେମାନେ ଆପଣାମାନଙ୍କ ନିମନ୍ତେ ଏକ ଛାଞ୍ଚରେ ଢଳା ବାଛୁରି ନିର୍ମାଣ କରି ତାକୁ ପୂଜା କଲେ, ପୁଣି, ତାହା ନିକଟରେ ବଳିଦାନ କରି କହିଲେ, ‘ହେ ଇସ୍ରାଏଲ, ଯେଉଁ ଦେବତା ତୁମ୍ଭଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ସେ ଏହି।’” 9ସଦାପ୍ରଭୁ ମୋଶାଙ୍କୁ ଆହୁରି କହିଲେ, “ଆମ୍ଭେ ଏହି ଲୋକମାନଙ୍କୁ ଦେଖିଅଛୁ; ଦେଖ, ସେମାନେ ଅତିଶୟ ଶକ୍ତଗ୍ରୀବ ଲୋକ। 10ଏଣୁ ତୁମ୍ଭେ ଏବେ ଆମ୍ଭଙ୍କୁ ଛାଡ଼ିଦିଅ, ମୋହର କ୍ରୋଧ ସେମାନଙ୍କ ପ୍ରତିକୂଳରେ ପ୍ରଜ୍ୱଳିତ ହେଉ, ତହିଁରେ ଆମ୍ଭେ ସେମାନଙ୍କୁ ସଂହାର କରିବା; ମାତ୍ର ଆମ୍ଭେ ତୁମ୍ଭକୁ ମହାଗୋଷ୍ଠୀ କରିବା।” 11ତହିଁରେ ମୋଶା ଆପଣା ସଦାପ୍ରଭୁ ପରମେଶ୍ୱରଙ୍କୁ ନିବେଦନ କରି କହିଲେ, “ହେ ସଦାପ୍ରଭୋ, ତୁମ୍ଭେ ଆପଣାର ଯେଉଁ ଲୋକମାନଙ୍କୁ ଆପଣା ମହାପରାକ୍ରମ ଓ ବାହୁ ବଳରେ ମିସର ଦେଶରୁ ବାହାର କରି ଆଣିଅଛ, ସେମାନଙ୍କ ପ୍ରତିକୂଳରେ ତୁମ୍ଭର କ୍ରୋଧ କାହିଁକି ପ୍ରଜ୍ୱଳିତ ହେବ? 12‘ସେ ପର୍ବତମୟ ଅଞ୍ଚଳରେ ସେମାନଙ୍କୁ ନଷ୍ଟ କରି ପୃଥିବୀରୁ ଲୋପ କରିବା ପାଇଁ, ଅନିଷ୍ଟ ନିମନ୍ତେ ବାହାର କରି ଆଣିଲେ,’ ଏପରି କଥା ମିସରୀୟମାନେ କାହିଁକି ଗଳ୍ପ କରିବେ? ତୁମ୍ଭେ ଆପଣା ପ୍ରଚଣ୍ଡ କ୍ରୋଧରୁ ଫେର ଓ ଆପଣା ଲୋକମାନଙ୍କ ପ୍ରତିକୂଳରେ ଏପରି ଅନିଷ୍ଟ ବିଷୟରୁ ନିବୃତ୍ତ ହୁଅ। 13ଆପଣା ଦାସ ଅବ୍ରହାମ ଓ ଇସ୍‌ହାକ ଓ ଇସ୍ରାଏଲଙ୍କୁ ସ୍ମରଣ କର, ତୁମ୍ଭେ ଆପଣା ନିଜ ନାମରେ ଶପଥ କରି ସେମାନଙ୍କୁ କହିଅଛ, ‘ଆମ୍ଭେ ଆକାଶର ତାରାଗଣ ନ୍ୟାୟ ତୁମ୍ଭମାନଙ୍କ ବଂଶ ବୃଦ୍ଧି କରିବା ଓ ଏହି ଯେଉଁସବୁ ଦେଶର କଥା କହିଲୁ, ତାହା ତୁମ୍ଭମାନଙ୍କ ବଂଶକୁ ଦେବା, ସେମାନେ ଅନନ୍ତକାଳ ପର୍ଯ୍ୟନ୍ତ ତାହା ଅଧିକାର କରିବେ।’” 14ତେବେ ସଦାପ୍ରଭୁ ଆପଣା ଲୋକମାନଙ୍କ ପ୍ରତି ଯେଉଁ ଅନିଷ୍ଟ କରିବାର କଥା କହିଥିଲେ, ତହିଁରୁ ନିବୃତ୍ତ ହେଲେ।

ପ୍ରତିଉତ୍ତର ଗୀତ

ଗୀତ 106:19–23

19ସେମାନେ ହୋରେବରେ ଗୋଟିଏ ଗୋବତ୍ସ ନିର୍ମାଣ କଲେ ଓ ଛାଞ୍ଚରେ ଢଳା ପ୍ରତିମାକୁ ପ୍ରଣାମ କଲେ। 20ଏହିରୂପେ, ସେମାନେ ତୃଣଭକ୍ଷକ ଗୋରୁର ପ୍ରତିମା ସହିତ ଆପଣାମାନଙ୍କ ଗୌରବସ୍ୱରୂପଙ୍କୁ ପରିବର୍ତ୍ତନ କଲେ। 21ଯେ ମିସରରେ ବିବିଧ ମହତ କର୍ମ, ହାମ୍‍ ଦେଶରେ ନାନା ଆଶ୍ଚର୍ଯ୍ୟକର୍ମ ଓ ସୂଫ ସାଗର ନିକଟରେ ଭୟଙ୍କର କର୍ମ ସାଧନ କରିଥିଲେ; 22ସେମାନେ ଆପଣାମାନଙ୍କ ସେହି ତ୍ରାଣକର୍ତ୍ତା ପରମେଶ୍ୱରଙ୍କୁ ପାସୋରିଲେ। 23ଏହେତୁ ସେ ସେମାନଙ୍କୁ ସଂହାର କରିବେ ବୋଲି କହିଲେ, ମାତ୍ର ସେ ଯେପରି ସେମାନଙ୍କୁ ସଂହାର ନ କରିବେ, ଏଥିପାଇଁ ତାହାଙ୍କ କୋପ ଫେରାଇବା ନିମନ୍ତେ ତାହାଙ୍କ ମନୋନୀତ ମୋଶା ଭଗ୍ନସ୍ଥାନରେ ତାହାଙ୍କ ସମ୍ମୁଖରେ ଠିଆ ହେଲେ।

ସୁସମାଚାର

ଯୋହ 5:31–47

31ଯଦି ମୁଁ ନିଜ ବିଷୟରେ ସାକ୍ଷ୍ୟ ଦିଏ, ତାହାହେଲେ ମୋହର ସାକ୍ଷ୍ୟ ସତ୍ୟ ନୁହେଁ। 32ମୋʼ ବିଷୟରେ ଯେ ସାକ୍ଷ୍ୟ ଦିଅନ୍ତି, ସେ ଆଉ ଜଣେ; ପୁଣି, ମୋʼ ବିଷୟରେ ତାହାଙ୍କର ସାକ୍ଷ୍ୟ ଯେ ସତ୍ୟ, ତାହା ମୁଁ ଜାଣେ। 33ତୁମ୍ଭେମାନେ ଯୋହନଙ୍କ ନିକଟକୁ ଲୋକ ପଠାଇଅଛ ଓ ସେ ସତ୍ୟ ସପକ୍ଷରେ ସାକ୍ଷ୍ୟ ଦେଇଅଛନ୍ତି; 34କିନ୍ତୁ ମୁଁ ମନୁଷ୍ୟଠାରୁ ସାକ୍ଷ୍ୟ ଗ୍ରହଣ କରେ ନାହିଁ, ବରଂ ତୁମ୍ଭେମାନେ ଯେପରି ପରିତ୍ରାଣ ପ୍ରାପ୍ତ ହୁଅ, ସେଥିପାଇଁ ଏହିସବୁ କହୁଅଛି। 35ସେ ଜ୍ୱଳନ୍ତ ଓ ତେଜୋମୟ ପ୍ରଦୀପ ଥିଲେ, ଆଉ ତୁମ୍ଭେମାନେ ଅଳ୍ପ କାଳ ତାହାଙ୍କ ଜ୍ୟୋତିଃରେ ଉଲ୍ଲାସ କରିବା ନିମନ୍ତେ ଇଚ୍ଛୁକ ହେଲ। 36କିନ୍ତୁ ଯୋହନଙ୍କର ସାକ୍ଷ୍ୟ ଅପେକ୍ଷା ମୋହର ଗୁରୁତର ସାକ୍ଷ୍ୟ ଅଛି, କାରଣ ପିତା ମୋତେ ଯେ ଯେ କାର୍ଯ୍ୟ ସମାପ୍ତ କରିବାକୁ ଦେଇଅଛନ୍ତି, ଯେ ସମସ୍ତ କର୍ମ ମୁଁ କରୁଅଛି, ପିତା ମୋତେ ପ୍ରେରଣ କରିଅଛନ୍ତି ବୋଲି ସେହିସବୁ ମୋʼ ବିଷୟରେ ସାକ୍ଷ୍ୟ ଦେଉଅଛି। 37ଆଉ, ଯେଉଁ ପିତା ମୋତେ ପ୍ରେରଣ କଲେ, ସେ ମୋʼ ବିଷୟରେ ସାକ୍ଷ୍ୟ ଦେଇଅଛନ୍ତି। ତୁମ୍ଭେମାନେ କେବେ ହେଁ ତାହାଙ୍କର ସ୍ୱର ଶୁଣି ନାହଁ ବା ତାହାଙ୍କର ଆକାର ଦେଖି ନାହଁ, 38ପୁଣି, ତାହାଙ୍କ ବାକ୍ୟ ତୁମ୍ଭମାନଙ୍କ ଅନ୍ତରରେ ସ୍ଥାନ ପାଇ ନାହିଁ, କାରଣ ସେ ଯାହାଙ୍କୁ ପ୍ରେରଣ କଲେ, ତାହାଙ୍କୁ ତୁମ୍ଭେମାନେ ବିଶ୍ୱାସ କରୁ ନାହଁ। 39ତୁମ୍ଭେମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କରୁଅଛ, କାରଣ ସେଥିରେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛ ବୋଲି ମନେ କରୁଅଛ; ଆଉ, ସେହି ଧର୍ମଶାସ୍ତ୍ର ମୋʼ ବିଷୟରେ ସାକ୍ଷ୍ୟ ଦେଉଅଛି। 40କିନ୍ତୁ ତୁମ୍ଭେମାନେ ଜୀବନ ପ୍ରାପ୍ତ ହେବା ନିମନ୍ତେ ମୋʼ ନିକଟକୁ ଆସିବାକୁ ଇଚ୍ଛା କରୁ ନାହଁ। 41ମୁଁ ମନୁଷ୍ୟମାନଙ୍କଠାରୁ ଗୌରବ ଗ୍ରହଣ କରେ ନାହିଁ, 42ମାତ୍ର ମୁଁ ତୁମ୍ଭମାନଙ୍କୁ ଜାଣିଅଛି, ତୁମ୍ଭମାନଙ୍କ ଅନ୍ତରରେ ଈଶ୍ବରଙ୍କ ପ୍ରେମ ନାହିଁ। 43ମୁଁ ମୋହର ପିତାଙ୍କ ନାମରେ ଆସିଅଛି, ଆଉ ତୁମ୍ଭେମାନେ ତ ମୋତେ ଗ୍ରହଣ କରୁ ନାହଁ; ଅନ୍ୟ ଜଣେ ଯଦି ନିଜ ନାମରେ ଆସିବ, ତେବେ ତୁମ୍ଭେମାନେ ତାହାକୁ ଗ୍ରହଣ କରିବ। 44ତୁମ୍ଭେମାନେ କିପରି ବିଶ୍ୱାସ କରିପାର? ତୁମ୍ଭେମାନେ ତ ପରସ୍ପରଠାରୁ ଗୌରବ ଗ୍ରହଣ କରୁଅଛ, ପୁଣି, ଏକମାତ୍ର ଈଶ୍ବରଙ୍କଠାରୁ ଯେଉଁ ଗୌରବ, ତାହା ପାଇବା ପାଇଁ ଚେଷ୍ଟା କରୁ ନାହଁ। 45ମୁଁ ଯେ ପିତାଙ୍କ ଛାମୁରେ ତୁମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ କରିବି, ଏହା ମନେ କର ନାହିଁ; ଯେଉଁ ମୋଶାଙ୍କଠାରେ ତୁମ୍ଭେମାନେ ଭରସା ରଖିଅଛ, ସେ ତୁମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ କରୁଅଛନ୍ତି। 46କାରଣ ତୁମ୍ଭେମାନେ ଯଦି ମୋଶାଙ୍କୁ ବିଶ୍ୱାସ କରିଥାଆନ୍ତ, ତେବେ ମୋତେ ବିଶ୍ୱାସ କରିଥାଆନ୍ତ, ଯେଣୁ ସେ ମୋʼ ବିଷୟରେ ଲେଖିଅଛନ୍ତି। 47କିନ୍ତୁ ତୁମ୍ଭେମାନେ ଯଦି ତାହାଙ୍କ ଲିଖିତ ବାକ୍ୟ ବିଶ୍ୱାସ କରୁ ନାହଁ, ତେବେ କିପରି ମୋହର ବାକ୍ୟ ବିଶ୍ୱାସ କରିବ?”

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର