ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ମାର୍ଚ୍ଚ 2027 › ମାର୍ଚ୍ଚ 9
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 9 ମାର୍ଚ୍ଚ 2027
ମଙ୍ଗଳବାର · ଉପବାସ କାଳର ଚତୁର୍ଥ ସପ୍ତାହ
ପର୍ବ ଓ ସନ୍ଥ
ଉପବାସ କାଳର ଚତୁର୍ଥ ସପ୍ତାହର ମଙ୍ଗଳବାର
ଇଚ୍ଛାଧୀନ ସ୍ମୃତି ଦିବସ · ଉପାସନାର ରଙ୍ଗ: ବାଇଗଣୀ
ରୋମର ସନ୍ଥ ଫ୍ରାନ୍ସେସ୍, ସନ୍ନ୍ୟାସିନୀ · ସ୍ମରଣ
ଦିନର ପାଠ
ପ୍ରଥମ ପାଠ
1ଏଥିଉତ୍ତାରେ ସେ ମୋତେ ଫେରାଇ ଗୃହର ଦ୍ୱାର ନିକଟକୁ ଆଣିଲେ; ଆଉ ଦେଖ, ଗୃହ-ପ୍ରବେଶ ସ୍ଥାନର ତଳରୁ ଜଳ ନିର୍ଗତ ହୋଇ ପୂର୍ବ ଦିଗରେ ବହିଲା, କାରଣ ଗୃହର ଅଗ୍ରଭାଗ ପୂର୍ବାଭିମୁଖ ଥିଲା; ଆଉ, ସେହି ଜଳ ତଳରୁ ଗୃହର ଦକ୍ଷିଣ ପାର୍ଶ୍ୱ ଦେଇ ଯଜ୍ଞବେଦିର ଦକ୍ଷିଣ ଦିଗରେ ବହିଲା। 2ତେବେ ସେ ମୋତେ ଉତ୍ତର ଦ୍ୱାରର ପଥ ଦେଇ ବାହାର କରାଇ ଆଣିଲେ, ଆଉ ବାହାର ପଥ ଦେଇ ବୁଲାଇ ପୂର୍ବାଭିମୁଖ ଦ୍ୱାରର ପଥ ଦେଇ ବାହାର ଦ୍ୱାରକୁ ନେଇଗଲେ; ଆଉ ଦେଖ, ସେହି ସ୍ଥାନରେ ଦକ୍ଷିଣ ପାର୍ଶ୍ୱରେ ଜଳ ବହୁଥିଲା। 3ସେହି ବ୍ୟକ୍ତି ଯେତେବେଳେ ପରିମାପକ ରଜ୍ଜୁ ଆପଣା ହସ୍ତରେ ଧରି ପୂର୍ବ ଆଡ଼େ ବାହାରିଲେ, ସେତେବେଳେ ସେ ଏକ ହଜାର ହାତ ମାପିଲେ, ପୁଣି, ମୋତେ ଜଳ ମଧ୍ୟଦେଇ ଗମନ କରାଇଲେ, ଜଳ ବଳାଗଣ୍ଠି ପର୍ଯ୍ୟନ୍ତ ହେଲା। 4ପୁନର୍ବାର ସେ ଏକ ହଜାର ହାତ ମାପିଲେ ଓ ମୋତେ ଜଳ ମଧ୍ୟଦେଇ ଗମନ କରାଇଲେ, ଜଳ ଆଣ୍ଠୁ ପର୍ଯ୍ୟନ୍ତ ହେଲା। ପୁନର୍ବାର ସେ ଏକ ହଜାର ହାତ ମାପିଲେ, ଜଳ ମଧ୍ୟଦେଇ ମୋତେ ଗମନ କରାଇଲେ, ଜଳ କଟି ପର୍ଯ୍ୟନ୍ତ ହେଲା। 5ତହିଁ ଉତ୍ତାରେ ସେ ଏକ ହଜାର ହାତ ମାପିଲେ; ସେତେବେଳେ ତାହା ଗୋଟିଏ ନଦୀ ହେଲା, ମୁଁ ତହିଁ ମଧ୍ୟଦେଇ ଗମନ କରି ପାରିଲି ନାହିଁ, କାରଣ ଜଳ ବଢ଼ି ଉଠିଥିଲା, ତାହା ପହଁରିବା ଭଳି ଜଳ, ପାର ହେବାକୁ ଅଗମ୍ୟ ନଦୀ ହୋଇଥିଲା। 6ପୁଣି, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ କି ଏହା ଦେଖିଲ?” ତହିଁରେ ସେ ମୋତେ ଫେରାଇ ନଦୀତୀରକୁ ଆଣିଲେ। 7ମୁଁ ଫେରି ଆସିଲା ବେଳେ ଦେଖ, ନଦୀତୀରର ଏପାଖରେ ଓ ସେପାଖରେ ଅନେକ ଅନେକ ବୃକ୍ଷ ଥିଲା। 8ତହିଁରେ ସେ ମୋତେ କହିଲେ, “ଏହି ଜଳସବୁ ପୂର୍ବ ଅଞ୍ଚଳ ଆଡ଼େ ବହୁଅଛି ଓ ତାହା ଗଡ଼ି ଆରବାକୁ ଯିବ; ଆଉ, ତାହା ସମୁଦ୍ର ଆଡ଼କୁ ଯିବ; ଯେଉଁ ଜଳସବୁ ନିର୍ଗତ ହେଲା, ତାହାସବୁ ସମୁଦ୍ରରେ ପ୍ରବେଶ କରିବ; ତହୁଁ ସେ ଜଳ ଉତ୍ତମ ହେବ। 9ପୁଣି, ଏହି ନଦୀସବୁ ଯେସକଳ ସ୍ଥାନ ଦେଇ ବହିବ, ସେସ୍ଥାନସ୍ଥିତ ବହୁସଂଖ୍ୟକ ଜୀବଜନ୍ତୁ ସବୁ ବଞ୍ଚିବେ ଓ ସେହି ସ୍ଥାନରେ ଅପାର ମତ୍ସ୍ୟ ହେବେ; କାରଣ ଏହିସବୁ ଜଳ ସେସ୍ଥାନକୁ ଆସିଅଛି ଓ ସମୁଦ୍ରର ଜଳ ଉତ୍ତମ ହେବ, ଆଉ ଯେକୌଣସି ସ୍ଥାନ ଦେଇ ଏହି ନଦୀ ବହେ, ସେସ୍ଥାନର ସକଳ ହିଁ ସଞ୍ଜୀବିତ ହେବେ। 12ଆଉ, ନଦୀ ନିକଟରେ ତହିଁର ତୀର ଉପରେ, ଏପାଖରେ ଓ ସେପାଖରେ ସର୍ବପ୍ରକାର ଭୋଜନାର୍ଥ ଫଳବୃକ୍ଷ ହେବ, ତହିଁର ପତ୍ର ମଳିନ ହେବ ନାହିଁ, କିଅବା ତହିଁର ଫଳର ଅଭାବ ହେବ ନାହିଁ; ସେହି ଜଳସବୁ ପବିତ୍ର ସ୍ଥାନରୁ ନିର୍ଗତ ହେବା ସକାଶୁ ବୃକ୍ଷ ପ୍ରତି ମାସ ନୂତନ ଫଳ ଫଳିବ ଓ ତହିଁର ଫଳ ଆହାରାର୍ଥେ ଓ ତହିଁର ପତ୍ର ଆରୋଗ୍ୟାର୍ଥେ ହେବ।”
ପ୍ରତିଉତ୍ତର ଗୀତ
1ପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ଗୀତ; ଅଲ୍ମୋତ୍ ସ୍ୱରର ଗୀତ। ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଓ ବଳ, ଦୁର୍ଦ୍ଦଶାକାଳରେ ଅତି ନିକଟବର୍ତ୍ତୀ ସହାୟ। 2ଏଥିପାଇଁ ପୃଥିବୀ ପରିବର୍ତ୍ତିତ ହେଲେ ହେଁ ଓ ପର୍ବତଗଣ ସମୁଦ୍ର ମଧ୍ୟରେ ବିଚଳିତ ହେଲେ ହେଁ; 4ନଦୀ ଗୋଟିଏ ଅଛି, ତହିଁର ସ୍ରୋତସମୂହ ପରମେଶ୍ୱରଙ୍କ ନଗରକୁ, ସର୍ବୋପରିସ୍ଥଙ୍କ ଆବାସର ପବିତ୍ର ସ୍ଥାନକୁ ଆନନ୍ଦିତ କରେ। 5ପରମେଶ୍ୱର ସେହି ନଗରର ମଧ୍ୟବର୍ତ୍ତୀ; ତାହା ବିଚଳିତ ହେବ ନାହିଁ। ପରମେଶ୍ୱର ଅତି ପ୍ରଭାତରେ ତାହାର ସାହାଯ୍ୟ କରିବେ। 7ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କର ସହବର୍ତ୍ତୀ, ଯାକୁବର ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଅଟନ୍ତି। 8ଆସ, ସଦାପ୍ରଭୁଙ୍କର କାର୍ଯ୍ୟସବୁ ଦେଖ, ସେ ପୃଥିବୀରେ କି ପ୍ରକାର ଉଜାଡ଼ କରିଅଛନ୍ତି!
ସୁସମାଚାର
1ଏଥିଉତ୍ତାରେ ଯିହୁଦୀମାନଙ୍କର ଗୋଟିଏ ପର୍ବ ପଡ଼ିଲା, ଆଉ ଯୀଶୁ ଯିରୂଶାଲମ ସହରକୁ ଯାତ୍ରା କଲେ। 2ଯିରୂଶାଲମ ସହରର ମେଷଦ୍ୱାର ନିକଟରେ ଗୋଟିଏ ପୋଖରୀ ଅଛି; ଏବ୍ରୀ ଭାଷାରେ ତାହାକୁ ବେଥେସ୍ଦା ବୋଲି କହନ୍ତି, ତାହାର ପାଞ୍ଚୋଟି ମଣ୍ଡପ। 3ସେଗୁଡ଼ିକରେ ଅନେକ ଅନେକ ପୀଡ଼ିତ, ଅନ୍ଧ, ଖଞ୍ଜ ଓ ଶୁଷ୍କାଙ୍ଗ ପଡ଼ିରହୁଥିଲେ। [ସେମାନେ ଜଳସଞ୍ଚଳନ ଅପେକ୍ଷାରେ ରହୁଥିଲେ; 5ସେଠାରେ ଅଠତିରିଶି ବର୍ଷାବଧି ରୋଗଗ୍ରସ୍ତ ଜଣେ ଲୋକ ଥିଲା। 6ଯୀଶୁ ତାହାକୁ ପଡ଼ିରହିଥିବା ଦେଖି ବହୁକାଳର ରୋଗୀ ବୋଲି ଜାଣି ତାହାକୁ ପଚାରିଲେ, “ତୁମ୍ଭେ କଅଣ ସୁସ୍ଥ ହେବାକୁ ଇଚ୍ଛା କରୁଅଛ?” 7ରୋଗୀଟି ତାହାଙ୍କୁ ଉତ୍ତର ଦେଲା, ମହାଶୟ, ଜଳ କମ୍ପିବା ସମୟରେ ମୋତେ ପୋଖରୀ ଭିତରକୁ ଘେନିଯିବା ପାଇଁ ମୋହର କେହି ନାହିଁ; ଆଉ, ମୁଁ ଯାଉ ଯାଉ ଅନ୍ୟ ଜଣେ ମୋʼ ଆଗରୁ ପଶିଯାଏ। 8ଯୀଶୁ ତାହାଙ୍କୁ କହିଲେ, “ଉଠ, ତୁମ୍ଭର ଖଟିଆ ଘେନି ଚାଲ।” 9ସେହିକ୍ଷଣି ସେ ଲୋକଟି ସୁସ୍ଥ ହେଲା ଓ ଆପଣାର ଖଟିଆ ଘେନି ଚାଲିବାକୁ ଲାଗିଲା। ସେହି ଦିନ ବିଶ୍ରାମବାର ଥିଲା। 10ଅତଏବ, କେତେକ ଯିହୁଦୀ ନେତାମାନେ ସୁସ୍ଥ ହୋଇଥିବା ଲୋକକୁ କହିବାକୁ ଲାଗିଲେ, ଆଜି ବିଶ୍ରାମବାର, ଖଟିଆ ବୋହିନେଇଯିବା ତୁମ୍ଭ ନିମନ୍ତେ ବିଧିସଙ୍ଗତ ନୁହେଁ। 11କିନ୍ତୁ, ସେ ସେମାନଙ୍କୁ ଉତ୍ତର ଦେଲା, ଯେ ମୋତେ ସୁସ୍ଥ କଲେ, ସେ ମୋତେ କହିଲେ, “ତୁମ୍ଭର ଖଟିଆ ଘେନି ଚାଲ।” 12ସେମାନେ ତାହାକୁ ପଚାରିଲେ, ତୁମ୍ଭର ଖଟିଆ ଘେନି ଚାଲ ବୋଲି ଯେ ତୁମ୍ଭକୁ କହିଲା, ସେ ଲୋକ କିଏ? 13କିନ୍ତୁ ସେ କିଏ, ତାହା ସେହି ସୁସ୍ଥ ହୋଇଥିବା ଲୋକ ଜାଣି ନ ଥିଲା, କାରଣ ସେ ସ୍ଥାନରେ ବହୁତ ଲୋକ ଥିବାରୁ ଯୀଶୁ ଅଗୋଚରରେ ଚାଲିଯାଇଥିଲେ। 14ଏହାପରେ ଯୀଶୁ ମନ୍ଦିରରେ ତାହାର ଦେଖା ପାଇ ତାହାକୁ କହିଲେ, “ଦେଖ, ତୁମ୍ଭେ ସୁସ୍ଥ ହୋଇଅଛ, ଆଉ ପାପ କର ନାହିଁ, ଯେପରି ତୁମ୍ଭ ପ୍ରତି ଅଧିକ ଦୁର୍ଦ୍ଦଶା ନ ଘଟେ।” 15ସେହି ଲୋକ ଚାଲିଯାଇ, ଯେ ତାହାକୁ ସୁସ୍ଥ କରିଥିଲେ, ସେ ଯୀଶୁ ବୋଲି ଯିହୁଦୀମାନଙ୍କୁ କହିଲା। 16ତେଣୁ ଯୀଶୁ ବିଶ୍ରାମବାର ଦିନରେ ଏହା କରୁଥିବାରୁ ଯିହୁଦୀମାନେ ତାହାଙ୍କୁ ତାଡ଼ନା କରିବାକୁ ଲାଗିଲେ।
ଆଜିର ସନ୍ଥ
- ରୋମର ସନ୍ଥ ଫ୍ରାନ୍ସେସ୍, ସନ୍ନ୍ୟାସିନୀ
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର