ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ମାର୍ଚ୍ଚ 2027 › ମାର୍ଚ୍ଚ 1
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 1 ମାର୍ଚ୍ଚ 2027
ସୋମବାର · ଉପବାସ କାଳର ତୃତୀୟ ସପ୍ତାହ
ପର୍ବ ଓ ସନ୍ଥ
ଉପବାସ କାଳର ତୃତୀୟ ସପ୍ତାହର ସୋମବାର
ସାଧାରଣ ଦିନ · ଉପାସନାର ରଙ୍ଗ: ବାଇଗଣୀ
ଦିନର ପାଠ
ପ୍ରଥମ ପାଠ
1ଅରାମୀୟ ରାଜାର ନାମାନ୍ ନାମକ ସେନାପତି ଆପଣା ପ୍ରଭୁଙ୍କ ଦୃଷ୍ଟିରେ ମହାନ ଓ ସମ୍ଭ୍ରାନ୍ତ ଲୋକ ଥିଲା, କାରଣ ତାହା ଦ୍ୱାରା ସଦାପ୍ରଭୁ ଅରାମୀୟମାନଙ୍କୁ ଜୟ ପ୍ରଦାନ କରିଥିଲେ; ସେ ମଧ୍ୟ ମହାବିକ୍ରମଶାଳୀ ଲୋକ ଥିଲା, ମାତ୍ର ସେ କୁଷ୍ଠୀ। 2ଅରାମୀୟମାନେ ଦଳ ଦଳ ହୋଇ ବାହାରି ଇସ୍ରାଏଲ ଦେଶରୁ ଏକ କ୍ଷୁଦ୍ର ବାଳିକାକୁ ବନ୍ଦୀ କରି ଆଣିଥିଲେ; ଆଉ ସେ ନାମାନ୍ର ଭାର୍ଯ୍ୟାର ସେବା କରୁଥିଲା। 3ପୁଣି ସେ ଆପଣା କର୍ତ୍ତ୍ରୀକୁ କହିଲା, “ଆଃ, ଶମରୀୟାରେ ଯେଉଁ ଭବିଷ୍ୟଦ୍ବକ୍ତା ଅଛନ୍ତି, ତାଙ୍କ ସଙ୍ଗେ ଯେବେ ମୋʼ ପ୍ରଭୁ ଥାଆନ୍ତେ, ତେବେ ତାଙ୍କୁ ସେ ତାଙ୍କ କୁଷ୍ଠରୋଗରୁ ସୁସ୍ଥ କରନ୍ତେ।” 4ଏଥିରେ ଜଣେ ଭିତରକୁ ଯାଇ ତାହାର ପ୍ରଭୁଙ୍କୁ ଜଣାଇ କହିଲା, “ଇସ୍ରାଏଲ ଦେଶର ବାଳିକା ଏପରି ଏପରି କହେ।” 5ତହୁଁ ଅରାମର ରାଜା କହିଲା, “ତୁମ୍ଭେ ସେଠାକୁ ଯାଅ, ଆଉ ମୁଁ ଇସ୍ରାଏଲ ରାଜାଙ୍କ ନିକଟକୁ ଖଣ୍ଡେ ପତ୍ର ପଠାଇବି।” ତହୁଁ ସେ ଆପଣା ସଙ୍ଗେ ଦଶ ତାଳନ୍ତ ରୂପା ଓ ଛଅ ସହସ୍ର ସ୍ୱର୍ଣ୍ଣମୁଦ୍ରା ଓ ଦଶ ସାଜ ପୋଷାକ ନେଇ ପ୍ରସ୍ଥାନ କଲା। 6ଆଉ ସେ ଇସ୍ରାଏଲର ରାଜାଙ୍କ ନିକଟକୁ ପତ୍ର ନେଇଗଲା; ତହିଁରେ ଏହା ଲେଖାଥିଲା, ଯଥା, “ପୁଣି ଏହି ପତ୍ର ତୁମ୍ଭ ନିକଟରେ ପହଞ୍ଚିଲେ ଦେଖିବ ଯେ, ମୁଁ ଆପଣା ଦାସ ନାମାନ୍କୁ ତୁମ୍ଭ ନିକଟକୁ ପଠାଇଲି, ଯେପରି ତୁମ୍ଭେ ତାହାକୁ ତାହାର କୁଷ୍ଠରୋଗରୁ ସୁସ୍ଥ କରିବ।” 7ତହୁଁ ଇସ୍ରାଏଲର ରାଜା ଏହି ପତ୍ର ପାଠ କରନ୍ତେ, ଆପଣା ବସ୍ତ୍ର ଚିରି କହିଲା, “ମାରିବାକୁ ଓ ବଞ୍ଚାଇବାକୁ ସମର୍ଥ ପରମେଶ୍ୱର କି ମୁଁ, ଯେ ଏହି ଲୋକ ଏକ ମନୁଷ୍ୟକୁ ତାହାର କୁଷ୍ଠରୋଗରୁ ସୁସ୍ଥ କରିବା ପାଇଁ ମୋʼ ନିକଟକୁ ପଠାଇଅଛି? କିନ୍ତୁ ମୁଁ ବିନୟ କରୁଅଛି, ତୁମ୍ଭେମାନେ ବିବେଚନା କର, ସେ କିପରି ଆମ୍ଭ ବିରୁଦ୍ଧରେ ଛିଦ୍ର ଖୋଜୁଅଛି।” 8ଏଥିଉତ୍ତାରେ ଇସ୍ରାଏଲର ରାଜା ଆପଣା ବସ୍ତ୍ର ଚିରିଅଛନ୍ତି, ଏହା ଶୁଣି ପରମେଶ୍ୱରଙ୍କ ଲୋକ ଇଲୀଶାୟ, ରାଜାଙ୍କ ନିକଟକୁ ଏହି କଥା କହି ପଠାଇଲେ, “ତୁମ୍ଭେ କାହିଁକି ଆପଣା ବସ୍ତ୍ର ଚିରିଲ? ସେ ଏବେ ମୋʼ ନିକଟକୁ ଆସୁ, ତହିଁରେ ଇସ୍ରାଏଲ ମଧ୍ୟରେ ଯେ ଏକ ଭବିଷ୍ୟଦ୍ବକ୍ତା ଅଛି, ଏହା ସେ ଜାଣିବ।” 9ଏଣୁ ନାମାନ୍ ଆପଣା ଅଶ୍ୱ ଓ ରଥ ଇତ୍ୟାଦି ସହିତ ଆସି ଇଲୀଶାୟଙ୍କ ଗୃହର ଦ୍ୱାର ନିକଟରେ ଠିଆ ହେଲା। 10ତହୁଁ ଇଲୀଶାୟ ଏକ ଦୂତ ପଠାଇ ତାହାଙ୍କୁ କହିଲେ, “ତୁମ୍ଭେ ଯାଇ ଯର୍ଦ୍ଦନରେ ସାତ ଥର ସ୍ନାନ କର, ତହିଁରେ ତୁମ୍ଭର ନୂତନ ମାଂସ ହେବ ଓ ତୁମ୍ଭେ ଶୁଚି ହେବ।” 11ମାତ୍ର ନାମାନ୍ କ୍ରୁଦ୍ଧ ହୋଇ ଚାଲିଗଲା, ଆଉ କହିଲା, “ଦେଖ, ମୁଁ ଭାବିଥିଲି, ସେ ଅବଶ୍ୟ ବାହାରି ମୋʼ ନିକଟକୁ ଆସିବ ଓ ଠିଆ ହୋଇ ସଦାପ୍ରଭୁ ତାହାର ପରମେଶ୍ୱରଙ୍କ ନାମରେ ପ୍ରାର୍ଥନା କରି କୁଷ୍ଠ ସ୍ଥାନରେ ହସ୍ତ ହଲାଇ ତାହା ସୁସ୍ଥ କରିବ। 12ଇସ୍ରାଏଲର ସମୁଦାୟ ଜଳ ଅପେକ୍ଷା କି ଦମ୍ମେଶକର ଅବାନା ଓ ପର୍ପର ନଦୀ ଉତ୍ତମ ନୁହେଁ? ମୁଁ କି ତହିଁରେ ସ୍ନାନ କରି ଶୁଚି ହୋଇ ନ ପାରନ୍ତି?” ଏଣୁ ସେ ଫେରି କ୍ରୋଧରେ ଚାଲିଗଲା। 13ଏଥିରେ ତାହାର ଦାସମାନେ ନାମାନ୍ ନିକଟକୁ ଆସି କହିଲେ, “ଆମ୍ଭ ପିତଃ, ଯଦି ସେହି ଭବିଷ୍ୟଦ୍ବକ୍ତା କୌଣସି ବଡ଼ କାର୍ଯ୍ୟ କରିବାକୁ ଆପଣଙ୍କୁ ଆଜ୍ଞା କରିଥାʼନ୍ତେ, ତେବେ କି ଆପଣ ତାହା କରି ନ ଥାଆନ୍ତେ? ତେବେ ସ୍ନାନ କରି ଶୁଚି ହୁଅ, ଏହି କଥା ଯେତେବେଳେ ସେ ଆପଣଙ୍କୁ କହନ୍ତି, ତାହା ମାନିବା କେତେ ଅଧିକ କର୍ତ୍ତବ୍ୟ।” 14ତହୁଁ ସେ ପରମେଶ୍ୱରଙ୍କ ଲୋକଙ୍କ ବାକ୍ୟାନୁସାରେ ଯାଇ ଯର୍ଦ୍ଦନରେ ଆପଣାକୁ ସାତ ଥର ବୁଡ଼ାଇଲା; ଏଥିରେ ତାହାର ମାଂସ ପୁନର୍ବାର କ୍ଷୁଦ୍ର ବାଳକର ମାଂସ ତୁଲ୍ୟ ହେଲା ଓ ସେ ଶୁଚି ହେଲା। 15ଏଥିଉତ୍ତାରେ ନାମାନ୍ ଓ ତାହାର ସଙ୍ଗୀ ସମସ୍ତେ ପରମେଶ୍ୱରଙ୍କ ଲୋକଙ୍କ ନିକଟକୁ ଫେରିଆସି ତାଙ୍କ ସମ୍ମୁଖରେ ଠିଆ ହେଲେ; ଆଉ ନାମାନ୍ କହିଲା, “ଦେଖନ୍ତୁ, ଏବେ ମୁଁ ଜାଣିଲି ଯେ, ଇସ୍ରାଏଲ ପରମେଶ୍ୱରଙ୍କ ବ୍ୟତୀତ ସମୁଦାୟ ପୃଥିବୀରେ ପରମେଶ୍ୱର କେହି ନାହାନ୍ତି; ଏହେତୁ ଏବେ ମୁଁ ଆପଣଙ୍କୁ ବିନୟ କରୁଅଛି, ଆପଣା ଦାସଠାରୁ ଉପହାର ଗ୍ରହଣ କରନ୍ତୁ।”
ପ୍ରତିଉତ୍ତର ଗୀତ
1ପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ମସ୍କୀଲ୍ (ପ୍ରବୋଧନ)। ହରିଣୀ ଯେପରି ଜଳସ୍ରୋତ ପାଇଁ ଧକାଏ, ସେହିପରି ହେ ପରମେଶ୍ୱର, ମୋʼ ପ୍ରାଣ ତୁମ୍ଭ ପାଇଁ ଧକାଏ। 2ପରମେଶ୍ୱରଙ୍କ ନିମନ୍ତେ, ଜୀବିତ ପରମେଶ୍ୱରଙ୍କ ନିମନ୍ତେ ମୋʼ ପ୍ରାଣ ତୃଷିତ; ମୁଁ କେବେ ଆସି ପରମେଶ୍ୱରଙ୍କ ଛାମୁରେ ଉପସ୍ଥିତ ହେବି? 43:3ତୁମ୍ଭର ଦୀପ୍ତି ଓ ତୁମ୍ଭର ସତ୍ୟତା ପଠାଅ; ତାହା ମୋହର ପଥଦର୍ଶକ ହେଉ; ତାହା ତୁମ୍ଭ ପବିତ୍ର ପର୍ବତରେ ଓ ତୁମ୍ଭ ଆବାସରେ ମୋତେ ପ୍ରବେଶ କରାଉ। 4ତହିଁରେ ମୁଁ ପରମେଶ୍ୱରଙ୍କ ବେଦି ନିକଟକୁ ଓ ମୋହର ପରମାନନ୍ଦଜନକ ପରମେଶ୍ୱରଙ୍କ ନିକଟକୁ ଯିବି; ଆଉ, ହେ ପରମେଶ୍ୱର, ମୋହର ପରମେଶ୍ୱର, ମୁଁ ବୀଣା ଯନ୍ତ୍ରରେ ତୁମ୍ଭର ପ୍ରଶଂସା କରିବି।
ସୁସମାଚାର
24ପୁଣି, ସେ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, କୌଣସି ଭାବବାଦୀ ନିଜ ପିତାଙ୍କ ନଗରରେ ଗ୍ରାହ୍ୟ ହୁଅନ୍ତି ନାହିଁ। 25କିନ୍ତୁ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏଲୀୟଙ୍କ ସମୟରେ ଯେତେବେଳେ ତିନି ବର୍ଷ ଛଅ ମାସ ପର୍ଯ୍ୟନ୍ତ ଆକାଶ ବନ୍ଦ ହେବାରୁ ସମସ୍ତ ଦେଶରେ ମହାଦୁର୍ଭିକ୍ଷ ପଡ଼ିଥିଲା, ସେତେବେଳେ ଇସ୍ରାଏଲ ମଧ୍ୟରେ ଅନେକ ବିଧବା ଥିଲେ; 26ତଥାପି ଏଲୀୟ ସେମାନଙ୍କର କାହାରି ନିକଟକୁ ପ୍ରେରିତ ନ ହୋଇ କେବଳ ସୀଦୋନ ଦେଶର ସାରିଫତକୁ ଜଣେ ବିଧବା ସ୍ତ୍ରୀ ନିକଟକୁ ପଠାଗଲେ। 27ପୁଣି, ଭାବବାଦୀ ଇଲୀଶାୟଙ୍କ ସମୟରେ ଇସ୍ରାଏଲ ମଧ୍ୟରେ ଅନେକ କୁଷ୍ଠରୋଗୀମାନେ ଥିଲେ; ତଥାପି ସେମାନଙ୍କ ମଧ୍ୟରୁ କେହି ଶୁଚି କରାଯାଇ ନ ଥିଲେ, କେବଳ ସିରିୟା ଦେଶୀୟ ନାମାନ ଶୁଚି କରାଯାଇଥିଲେ।” 28ସମାଜଗୃହରେ ଏହିସବୁ କଥା ଶୁଣୁ ଶୁଣୁ ସମସ୍ତେ କ୍ରୋଧରେ ପରିପୂର୍ଣ୍ଣ ହେଲେ, 29ପୁଣି, ସେମାନେ ଉଠି ତାହାଙ୍କୁ ନଗରରୁ ବାହାର କରିଦେଲେ ଏବଂ ସେମାନଙ୍କର ନଗର ଯେଉଁ ପର୍ବତ ଉପରେ ସ୍ଥାପିତ ଥିଲା, ସେହି ପର୍ବତ ଉପରୁ ତଳକୁ ପକାଇଦେବା ନିମନ୍ତେ ତାହାକୁ ସେଠାକୁ ନେଇଗଲେ; 30କିନ୍ତୁ ସେ ସେମାନଙ୍କ ମଧ୍ୟ ଦେଇ ଗମନ କରି ଚାଲିଗଲେ।
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର