ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଫେବୃଆରୀ 2027 › ଫେବୃଆରୀ 27
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 27 ଫେବୃଆରୀ 2027
ଶନିବାର · ଉପବାସ କାଳର ଦ୍ୱିତୀୟ ସପ୍ତାହ
ପର୍ବ ଓ ସନ୍ଥ
ଉପବାସ କାଳର ଦ୍ୱିତୀୟ ସପ୍ତାହର ଶନିବାର
ଇଚ୍ଛାଧୀନ ସ୍ମୃତି ଦିବସ · ଉପାସନାର ରଙ୍ଗ: ବାଇଗଣୀ
ନାରେକର ସନ୍ଥ ଗ୍ରେଗୋରୀ, ମଠାଧ୍ୟକ୍ଷ ଓ ମଣ୍ଡଳୀର ଆଚାର୍ଯ୍ୟ · ସ୍ମରଣ
ଦିନର ପାଠ
ପ୍ରଥମ ପାଠ
14ତୁମ୍ଭେ ଆପଣା ପାଞ୍ଚଣ ନେଇ ଆପଣା ଲୋକମାନଙ୍କୁ, ଅର୍ଥାତ୍, ଏକାକୀ ବାସକାରୀ ଆପଣା ପୈତୃକ ଅଧିକାର ସ୍ୱରୂପ ପଲକୁ, କର୍ମିଲର ମଧ୍ୟସ୍ଥିତ ଅରଣ୍ୟରେ ଚରାଅ; ସେମାନେ ପୂର୍ବକାଳର ନ୍ୟାୟ ବାଶନରେ ଓ ଗିଲୀୟଦରେ ଚରନ୍ତୁ। 15ମିସର ଦେଶରୁ ତୁମ୍ଭର ବାହାର ହୋଇ ଆସିବା ଦିନର ନ୍ୟାୟ ଆମ୍ଭେ ତାହାକୁ ଆଶ୍ଚର୍ଯ୍ୟ ବିଷୟମାନ ଦେଖାଇବା। 18ତୁମ୍ଭ ତୁଲ୍ୟ ପରମେଶ୍ୱର କିଏ? ତୁମ୍ଭେ ଅଧର୍ମ କ୍ଷମା କରିଥାଅ ଓ ଆପଣା ଅଧିକାରର ଅବଶିଷ୍ଟାଂଶ ଲୋକଙ୍କର ଆଜ୍ଞା-ଲଙ୍ଘନର ପ୍ରତି ଉପେକ୍ଷା କରିଥାଅ; ସେ ଚିରକାଳ ଆପଣା କ୍ରୋଧ ରଖନ୍ତି ନାହିଁ, କାରଣ ସେ ଦୟାରେ ସନ୍ତୁଷ୍ଟ ଥାଆନ୍ତି। 19ସେ ପୁନର୍ବାର ଫେରି ଆମ୍ଭମାନଙ୍କ ପ୍ରତି କୃପା କରିବେ; ସେ ଆମ୍ଭମାନଙ୍କର ଅଧର୍ମସକଳ ପଦ ତଳେ ଦଳିବେ; ଆଉ, ତୁମ୍ଭେ ସେମାନଙ୍କର ଯାବତୀୟ ପାପ ସମୁଦ୍ରର ଆଗାଧ ଜଳରେ ନିକ୍ଷେପ କରିବ। 20ତୁମ୍ଭେ ପୂର୍ବକାଳଠାରୁ ଆମ୍ଭମାନଙ୍କର ପୂର୍ବପୁରୁଷଗଣ ପ୍ରତି ଯାହା ଶପଥ କରିଅଛ, ଯାକୁବ ପ୍ରତି ସେହି ସତ୍ୟ ଓ ଅବ୍ରହାମ ପ୍ରତି ସେହି ଦୟା ପାଳନ କରିବ।
ପ୍ରତିଉତ୍ତର ଗୀତ
1ଦାଉଦଙ୍କର ଗୀତ। ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର; ହେ ମୋହର ଅନ୍ତରସ୍ଥ ସମସ୍ତ, ତାହାଙ୍କ ପବିତ୍ର ନାମର ଧନ୍ୟବାଦ କର। 2ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର ଓ ତାହାଙ୍କର ମଙ୍ଗଳଦାନସବୁ ପାସୋର ନାହିଁ; 3ସେ ତୁମ୍ଭର ଅଧର୍ମସବୁ କ୍ଷମା କରନ୍ତି; ସେ ତୁମ୍ଭର ରୋଗସବୁ ସୁସ୍ଥ କରନ୍ତି; 4ସେ ବିନାଶରୁ ତୁମ୍ଭ ଜୀବନ ମୁକ୍ତ କରନ୍ତି; ସେ ସ୍ନେହପୂର୍ଣ୍ଣ କରୁଣା ଓ ଦୟାରୂପ ମୁକୁଟରେ ତୁମ୍ଭକୁ ଭୂଷିତ କରନ୍ତି; 9ସେ ନିରନ୍ତର ଧମକାଇବେ ନାହିଁ; କିଅବା ସଦାକାଳ ଆପଣା କ୍ରୋଧ ରଖିବେ ନାହିଁ। 10ସେ ଆମ୍ଭମାନଙ୍କ ପାପ ପ୍ରମାଣେ ଆମ୍ଭମାନଙ୍କ ପ୍ରତି ବ୍ୟବହାର କରି ନାହାନ୍ତି, କିଅବା ଆମ୍ଭମାନଙ୍କ ଅଧର୍ମାନୁସାରେ ଆମ୍ଭମାନଙ୍କୁ ପ୍ରତିଫଳ ଦେଇ ନାହାନ୍ତି। 11କାରଣ ପୃଥିବୀରୁ ଆକାଶମଣ୍ଡଳ ଯେପରି ଉଚ୍ଚ, ସେପରି ତାହାଙ୍କ ଭୟକାରୀମାନଙ୍କ ପ୍ରତି ତାହାଙ୍କ ଦୟା ମହତ। 12ପୂର୍ବରୁ ପଶ୍ଚିମ ଯେତେ ଦୂର, ସେ ଆମ୍ଭମାନଙ୍କଠାରୁ ଆମ୍ଭମାନଙ୍କ ଅପରାଧ ସେତେ ଦୂର କରିଅଛନ୍ତି।
ସୁସମାଚାର
1ଆଉ, କରଗ୍ରାହୀ ଓ ପାପୀ ଲୋକ ସମସ୍ତେ ତାହାଙ୍କ ବାକ୍ୟ ଶୁଣିବା ପାଇଁ ତାହାଙ୍କ ପାଖକୁ ଆସୁଥିଲେ। 2ସେଥିରେ ଫାରୂଶୀମାନେ ଓ ଶାସ୍ତ୍ରୀମାନେ ବଚସା କରୁ କରୁ କହିଲେ, ଏ ଲୋକଟା ପାପୀମାନଙ୍କୁ ଗ୍ରହଣ କରେ ଓ ସେମାନଙ୍କ ସହିତ ଭୋଜନ କରେ! 3ତହିଁରେ ସେ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ, 11ସେ ଆହୁରି କହିଲେ, “ଜଣେ ବ୍ୟକ୍ତିଙ୍କର ଦୁଇଟି ପୁଅ ଥିଲେ। 12ସେମାନଙ୍କ ମଧ୍ୟରୁ ସାନ ପୁଅ ବାପାଙ୍କୁ କହିଲା, ବାପା, ସମ୍ପତ୍ତିର ଯେଉଁ ଭାଗ ମୋ ଭାଗରେ ପଡ଼ୁଅଛି, ତାହା ମୋତେ ଦେଇଦିଅ। ସେଥିରେ ସେ ଆପଣାର ସବୁ କିଛି ସେମାନଙ୍କୁ ଭାଗ କରିଦେଇ ଦେଲେ। 13ଅଳ୍ପ ଦିନ ପରେ ସାନ ପୁଅ ସବୁ ଏକାଠି କରି ଦୂର ଦେଶକୁ ଚାଲିଗଲା, ଆଉ ସେଠାରେ ମନ୍ଦ ବିଷୟରେ ଆପଣାର ସମ୍ପତ୍ତି ଉଡ଼ାଇଦେଲା। 14କିନ୍ତୁ ସମସ୍ତ ଅପବ୍ୟୟ କଲା ପରେ ସେ ଦେଶରେ ମହାଦୁର୍ଭିକ୍ଷ ପଡ଼ିବାରୁ ତାହାର ଅଭାବ ହେବାକୁ ଲାଗିଲା। 15ସେଥିରେ ସେ ଯାଇ ସେହି ଦେଶର ଜଣେ ଲୋକଙ୍କର ଆଶ୍ରୟ ନେଲା, ଆଉ ସେ ତାହାକୁ ଘୁଷୁରି ଚରାଇବା ପାଇଁ ଆପଣା ପଡ଼ିଆକୁ ପଠାଇଲେ; 16ପୁଣି, ଘୁଷୁରିମାନେ ଯେଉଁ ଶିମ ଖାଉଥିଲେ, ସେଥିରେ ସେ ଆପଣା ପେଟ ପୁରାଇବାକୁ ବାଞ୍ଛା କରୁଥିଲା, କିନ୍ତୁ କେହି ତାହାକୁ କିଛି ଦେଉ ନ ଥିଲେ। 17ମାତ୍ର ସେ ଚେତନା ପାଇ କହିଲା, ମୋହର ବାପାଙ୍କ କେତେ ମୂଲିଆଙ୍କର ଖାଦ୍ୟ ବଳିପଡ଼ୁଅଛି, କିନ୍ତୁ ମୁଁ ଏଠାରେ ଭୋକରେ ମରୁଅଛି। 18ମୁଁ ଉଠି ମୋହର ବାପାଙ୍କ ପାଖକୁ ଯିବି ଓ ତାହାଙ୍କୁ କହିବି, ବାପା, ଈଶ୍ବରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି; 19ତୁମ୍ଭ ପୁଅ ବୋଲି ଡକାଯିବାର ମୁଁ ଆଉ ଯୋଗ୍ୟ ନୁହେଁ; ମୋତେ ତୁମ୍ଭର ଜଣେ ମୂଲିଆ ପରି ରଖ। 20ସେଥିରେ ସେ ଉଠି ଆପଣା ପିତାଙ୍କ ନିକଟକୁ ଗଲା। କିନ୍ତୁ ସେ ଦୂରରେ ଥାଉ ଥାଉ ତାହାର ପିତା ତାହାକୁ ଦେଖି ଦୟାରେ ବିଗଳିତ ହେଲେ ଓ ଦୌଡ଼ିଯାଇ ତାହାକୁ ଆଲିଙ୍ଗନ କରି ଅତି ସ୍ନେହରେ ଚୁମ୍ବନ ଦେଲେ। 21ପୁତ୍ର ତାହାଙ୍କୁ କହିଲା, ବାପା, ଈଶ୍ବରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି, ତୁମ୍ଭ ପୁଅ ବୋଲି ଡକାଯିବାର ମୁଁ ଆଉ ଯୋଗ୍ୟ ନୁହେଁ। 22କିନ୍ତୁ ପିତା ଆପଣା ଦାସମାନଙ୍କୁ କହିଲେ, ସବୁଠାରୁ ଭଲ ବସ୍ତ୍ର ଶୀଘ୍ର ନେଇ ଆସି ଏହାକୁ ପିନ୍ଧାଅ, ଏହାର ହାତରେ ମୁଦି ଓ ପାଦରେ ପାଦୁକା ଦିଅ, 23ପୁଣି, ହୃଷ୍ଟ ପୃଷ୍ଟ ପଶୁଟି ଆଣି ମାର; ଆସ, ଆମ୍ଭେମାନେ ଭୋଜନ କରି ଉତ୍ସବ କରୁ, 24କାରଣ ମୋହର ଏହି ପୁଅ ମୃତ ହୋଇଥିଲା, ପୁନର୍ବାର ବଞ୍ଚିଅଛି; ହଜିଯାଇଥିଲା, ଆଉ ମିଳିଅଛି। ସେଥିରେ ସେମାନେ ଉତ୍ସବ କରିବାକୁ ଲାଗିଲେ। 25ସେତେବେଳେ ତାହାଙ୍କ ବଡ଼ ପୁଅ କ୍ଷେତରେ ଥିଲା। ସେ ଯେତେବେଳେ ଆସି ଘର ପାଖରେ ପହଞ୍ଚିଲା, ସେତେବେଳେ ବାଦ୍ୟ ଓ ନୃତ୍ୟର ଶବ୍ଦ ଶୁଣି, 26ଦାସମାନଙ୍କ ମଧ୍ୟରୁ ଜଣକୁ ପାଖକୁ ଡାକି ସେହିସବୁ କଅଣ ବୋଲି ପଚାରିବାକୁ ଲାଗିଲା। 27ସେ ତାହାକୁ କହିଲା, ତୁମ୍ଭର ଭାଇ ଆସିଅଛନ୍ତି, ଆଉ ତୁମ୍ଭର ବାପା ତାହାଙ୍କୁ ସୁସ୍ଥ ଶରୀରରେ ପାଇବାରୁ ହୃଷ୍ଟ ପୃଷ୍ଟ ପଶୁଟିଏ ମାରିଅଛନ୍ତି। 28ସେଥିରେ ସେ ରାଗିଯାଇ ଭିତରକୁ ଗଲା ନାହିଁ; କିନ୍ତୁ ତାହାର ପିତା ବାହାରକୁ ଆସି ତାହାକୁ ବହୁତ ବୁଝାଇବାକୁ ଲାଗିଲେ। 29ମାତ୍ର ସେ ପିତାଙ୍କୁ ଉତ୍ତର ଦେଲେ, ଦେଖ, ଏତେ ବର୍ଷ ହେଲା ମୁଁ ତୁମ୍ଭର ଦାସ ପରି ଖଟି ଆସିଅଛି, ପୁଣି, କେବେହେଲେ ତୁମ୍ଭର ଆଜ୍ଞା ଅମାନ୍ୟ କରି ନାହିଁ, ତଥାପି ମୋହର ବନ୍ଧୁମାନଙ୍କ ସହିତ ଉତ୍ସବ କରିବାକୁ ତୁମ୍ଭେ ମୋତେ କେବେହେଲେ ଛେଳି ଛୁଆଟିଏ ସୁଦ୍ଧା ଦେଇ ନାହଁ; 30କିନ୍ତୁ ତୁମ୍ଭର ଏହି ଯେଉଁ ପୁଅ ବେଶ୍ୟାମାନଙ୍କ ସହିତ ତୁମ୍ଭର ସବୁ ଧନ ଖାଇ ଉଡ଼ାଇ ଦେଇଅଛି, ଯେତେବେଳେ ସେ ଆସିଲା, ସେତେବେଳେ ତୁମ୍ଭେ ତାହା ପାଇଁ ହୃଷ୍ଟ ପୃଷ୍ଟ ପଶୁଟି ମାରିଲ। 31ସେଥିରେ ସେ ତାହାକୁ କହିଲେ, ପୁଅରେ, ତୁ ତ ସବୁବେଳେ ମୋ ସାଙ୍ଗରେ ଅଛୁ, ଆଉ ଯାହାସବୁ ମୋହର, ସେହିସବୁ ତୋହର; 32କିନ୍ତୁ ଏହି ଯେ ତୋହର ଭାଇଟି ମୃତ ହୋଇଥିଲା, ପୁନର୍ବାର ବଞ୍ଚିଲା, ହଜିଯାଇଥିଲା, ଆଉ ମିଳିଲା, ସେହି ହେତୁରୁ ଉତ୍ସବ ଓ ଆନନ୍ଦ କରିବା ଉଚିତ୍ ଥିଲା।”
ଆଜିର ସନ୍ଥ
- ନାରେକର ସନ୍ଥ ଗ୍ରେଗୋରୀ, ମଠାଧ୍ୟକ୍ଷ ଓ ମଣ୍ଡଳୀର ଆଚାର୍ଯ୍ୟ
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର