ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜାନୁଆରୀ 2027 › ଜାନୁଆରୀ 3
ଅର୍ଥୋଡକ୍ସ ପଞ୍ଜିକା · 21 ଡିସେମ୍ବର (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 3 ଜାନୁଆରୀ 2027
ରବିବାର · ସ୍ୱର 6
ପର୍ବ ଓ ସନ୍ଥ
ପେଣ୍ଟିକଷ୍ଟ ପରେ 31ତମ ରବିବାର
ଜନ୍ମ ପର୍ବ ପୂର୍ବର ରବିବାର
ଜନ୍ମ ପର୍ବର ଉପବାସ
ଉପବାସ: ତେଲ ସହିତ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ସନ୍ଧ୍ୟା ପ୍ରାର୍ଥନା: ପାଠ
14ସେତେବେଳେ ଅବ୍ରାମ ଆପଣା ଜ୍ଞାତି ଧରା ହୋଇ ଯିବାର ସମାଚାର ଶୁଣିବା ମାତ୍ରକେ (ଯୁଦ୍ଧ ବିଦ୍ୟାରେ) ଶିକ୍ଷିତ ଆପଣା ଗୃହଜାତ ତିନି ଶହ ଅଠର ଜଣ ଲୋକଙ୍କୁ ସଙ୍ଗରେ ଘେନି ଶତ୍ରୁଗଣର ପଛେ ପଛେ ଦୌଡ଼ି ଦାନ୍ ନଗର ପର୍ଯ୍ୟନ୍ତ ଗଲେ। 15ଏଥିଉତ୍ତାରେ ସେ ଆପଣା ଦାସମାନଙ୍କୁ ଦୁଇ ଦଳ କରି ରାତ୍ରିକାଳରେ ଶତ୍ରୁମାନଙ୍କୁ ଆକ୍ରମଣ କଲେ, ପୁଣି, ଦମ୍ମେଶକର ଉତ୍ତରସ୍ଥିତ ହୋବା ପର୍ଯ୍ୟନ୍ତ ସେମାନଙ୍କର ପଛେ ପଛେ ଗୋଡ଼ାଇଲେ। 16ଆଉ, ସବୁ ସମ୍ପତ୍ତି ଓ ଆପଣାର ଜ୍ଞାତି ଲୋଟ ଓ ତାଙ୍କର ସମ୍ପତ୍ତି, ପୁଣି, ସ୍ତ୍ରୀଗଣ ଓ ଲୋକସମୂହକୁ ବାହୁଡ଼ାଇ ଆଣିଲେ। 17ଏହିରୂପେ ଅବ୍ରାମ କଦର୍ଲାୟୋମରକୁ ଓ ତାଙ୍କର ସହାୟ ରାଜାଗଣକୁ ଜୟ କରି ବାହୁଡ଼ିଲା ଉତ୍ତାରେ, ସଦୋମର ରାଜା ତାଙ୍କ ସହିତ ସାକ୍ଷାତ କରିବାକୁ ଶାବୀ ପଦା, ଅର୍ଥାତ୍, ରାଜାର ପଦାକୁ ଗମନ କଲେ। 18ପୁଣି, ଶାଲେମ୍ର ରାଜା ମଲ୍କୀଷେଦକ ରୁଟି ଓ ଦ୍ରାକ୍ଷାରସ ଘେନି ଆସିଲେ; ସେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ଯାଜକ; 19ସେ ଅବ୍ରାମଙ୍କୁ ଆଶୀର୍ବାଦ କରି କହିଲେ, “ଅବ୍ରାମ ସ୍ୱର୍ଗ ଓ ପୃଥିବୀର ଅଧିକାରୀ ସର୍ବୋପରିସ୍ଥ ପରମେଶ୍ୱରଙ୍କର ଆଶୀର୍ବାଦ-ପାତ୍ର ହେଉନ୍ତୁ; 20ସର୍ବୋପରିସ୍ଥ ପରମେଶ୍ୱର ଧନ୍ୟ ହେଉନ୍ତୁ, ସେ ତୁମ୍ଭର ଶତ୍ରୁଗଣଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କଲେ।” ସେତେବେଳେ (ଅବ୍ରାମ) ସବୁ ଦ୍ରବ୍ୟର ଦଶମାଂଶ ତାଙ୍କୁ ଦେଲେ।
ସନ୍ଧ୍ୟା ପ୍ରାର୍ଥନା: ପାଠ
8ଦେଖ, ଆମ୍ଭେ ତୁମ୍ଭମାନଙ୍କ ଆଗରେ ଏହି ଦେଶ ସମର୍ପଣ କରିଅଛୁ; ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମଙ୍କୁ ଓ ଇସ୍ହାକକୁ ଓ ଯାକୁବକୁ ଓ ସେମାନଙ୍କ ଉତ୍ତାରେ ସେମାନଙ୍କ ବଂଶକୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଥିଲେ, ତୁମ୍ଭେମାନେ ସେହି ଦେଶକୁ ଯାଇ ତାହା ଅଧିକାର କର।’” 9ପୁଣି ସେସମୟରେ ମୁଁ ତୁମ୍ଭମାନଙ୍କୁ କହିଲି, “ମୁଁ ଏକାକୀ ତୁମ୍ଭମାନଙ୍କ ଭାର ବହିବାକୁ ଅସମର୍ଥ; 10ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ବୃଦ୍ଧି କରିଅଛନ୍ତି, ଏଣୁ ଦେଖ, ତୁମ୍ଭେମାନେ ଆଜି ଆକାଶର ତାରାଗଣ ତୁଲ୍ୟ ବହୁସଂଖ୍ୟକ ହୋଇଅଛ। 11ତୁମ୍ଭେମାନେ ଏବେ ଯେତେ ଅଛ, ସଦାପ୍ରଭୁ ତୁମ୍ଭମାନଙ୍କ ପୈତୃକ ପରମେଶ୍ୱର ତୁମ୍ଭମାନଙ୍କୁ ତହିଁର ସହସ୍ର ଗୁଣ କରନ୍ତୁ ଓ ସେ ଯେରୂପ ତୁମ୍ଭମାନଙ୍କୁ ପ୍ରତିଜ୍ଞା କରିଅଛନ୍ତି, ତଦ୍ରୂପ ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ। 15ତହୁଁ ମୁଁ ତୁମ୍ଭମାନଙ୍କ ବଂଶ ଅନୁସାରେ ପ୍ରଧାନ, ଜ୍ଞାନୀ ଓ ବିଖ୍ୟାତ ଲୋକମାନଙ୍କୁ ନେଇ ତୁମ୍ଭମାନଙ୍କ ବଂଶାନୁସାରେ ତୁମ୍ଭମାନଙ୍କ ଉପରେ ପ୍ରଧାନ, ସହସ୍ରପତି, ଶତପତି, ପଚାଶପତି, ଦଶପତି ଓ ଅଧ୍ୟକ୍ଷମାନଙ୍କୁ ନିଯୁକ୍ତ କଲି। 16ପୁଣି ମୁଁ ସେସମୟରେ ତୁମ୍ଭମାନଙ୍କର ବିଚାରକର୍ତ୍ତୃଗଣକୁ ଆଜ୍ଞା ଦେଇ କହିଲି, “ତୁମ୍ଭେମାନେ ଆପଣା ଆପଣା ଭାଇମାନଙ୍କ ମଧ୍ୟରେ ବିବାଦ ଶୁଣ, ପୁଣି ମନୁଷ୍ୟ ଓ ତାହାର ଭାଇ ଓ ତାହାର ସହବାସୀ ବିଦେଶୀ ମଧ୍ୟରେ ଯଥାର୍ଥ ବିଚାର କର। 17ତୁମ୍ଭେମାନେ ବିଚାରରେ କାହାରି ମୁଖାପେକ୍ଷା କରିବ ନାହିଁ; ତୁମ୍ଭେମାନେ ସାନ ଓ ବଡ଼ ଲୋକର କଥା ସମଭାବରେ ଶୁଣିବ; ତୁମ୍ଭେମାନେ ମନୁଷ୍ୟର ମୁଖକୁ ଭୟ କରିବ ନାହିଁ; କାରଣ ବିଚାର ପରମେଶ୍ୱରଙ୍କର ଅଟେ; ପୁଣି ଯେଉଁ କଥା ତୁମ୍ଭମାନଙ୍କ ପ୍ରତି କଠିନ ହୁଏ, ତାହା ତୁମ୍ଭେମାନେ ମୋʼ ନିକଟକୁ ଆଣିବ, ମୁଁ ତାହା ଶୁଣିବି।”
ସନ୍ଧ୍ୟା ପ୍ରାର୍ଥନା: ପାଠ
14ଦେଖ, ଆକାଶମଣ୍ଡଳ ଓ ତହିଁ ଉପରିସ୍ଥ ସ୍ୱର୍ଗ, ପୁଣି ପୃଥିବୀ ଓ ତହିଁ ମଧ୍ୟସ୍ଥିତ ସମସ୍ତ ବସ୍ତୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଅଟେ। 15କେବଳ ତୁମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ସ୍ନେହ କରିବାକୁ ସଦାପ୍ରଭୁଙ୍କର ସନ୍ତୋଷ ଥିବାରୁ ସେମାନଙ୍କ ଉତ୍ତାରେ ସେମାନଙ୍କ ବଂଶ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ଆଜି ଦିନ ପରି ସେ ସର୍ବଗୋଷ୍ଠୀୟ ଲୋକମାନଙ୍କଠାରୁ ମନୋନୀତ କଲେ। 16ଏଥିପାଇଁ ତୁମ୍ଭେମାନେ ଆପଣା ଆପଣା ହୃଦୟର ଅଗ୍ରଚର୍ମ ସୁନ୍ନତ କର, ଆଉ ଶକ୍ତଗ୍ରୀବ ହୁଅ ନାହିଁ। 17କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର, ସେ ଦେବଗଣର ଦେବ, ପ୍ରଭୁମାନଙ୍କର ପ୍ରଭୁ, ମହାନ, ସର୍ବଶକ୍ତିମାନ ଓ ଭୟଙ୍କର ପରମେଶ୍ୱର ଅଟନ୍ତି, ସେ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ, କିଅବା ଲାଞ୍ଚ ଗ୍ରହଣ କରନ୍ତି ନାହିଁ। 18ସେ ପିତୃହୀନ, ବିଧବାର ବିଚାର ନିଷ୍ପତ୍ତି କରନ୍ତି ଓ ବିଦେଶୀକୁ ଅନ୍ନ ଓ ବସ୍ତ୍ର ଦେଇ ପ୍ରେମ କରନ୍ତି। 19ଏଥିପାଇଁ ତୁମ୍ଭେମାନେ ବିଦେଶୀକୁ ପ୍ରେମ କର, କାରଣ ତୁମ୍ଭେମାନେ ମିସର ଦେଶରେ ବିଦେଶୀ ଥିଲ। 20ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ଭୟ କରିବ; ତାହାଙ୍କର ତୁମ୍ଭେ ସେବା କରିବ ଓ ତାହାଙ୍କଠାରେ ତୁମ୍ଭେ ଆସକ୍ତ ହେବ, ପୁଣି ତାହାଙ୍କ ନାମରେ ତୁମ୍ଭେ ଶପଥ କରିବ। 21ସେ ତୁମ୍ଭର ପ୍ରଶଂସାର ଯୋଗ୍ୟ, ପୁଣି ସେ ତୁମ୍ଭର ପରମେଶ୍ୱର ଅଟନ୍ତି, ତୁମ୍ଭର ଚକ୍ଷୁ ଯାହା ଯାହା ଦେଖିଅଛି, ସେହି ସବୁ ମହତ୍ ଓ ଭୟଙ୍କର କର୍ମ ସେ ତୁମ୍ଭ ନିମନ୍ତେ କରିଅଛନ୍ତି।
ପ୍ରଭାତୀ ପ୍ରାର୍ଥନାର ନବମ ସୁସମାଚାର
19ସେହି ଦିନ, ଅର୍ଥାତ୍, ସପ୍ତାହର ପ୍ରଥମ ଦିନ ସନ୍ଧ୍ୟା ସମୟରେ ଯେତେବେଳେ ଶିଷ୍ୟମାନେ ଯେଉଁ ଗୃହରେ ଥିଲେ, ସେଥିର ଦ୍ୱାରଗୁଡ଼ିକ ଯିହୁଦୀମାନଙ୍କ ଭୟରେ ରୁଦ୍ଧ ଥିଲା, ସେତେବେଳେ ଯୀଶୁ ଆସି ମଧ୍ୟସ୍ଥଳରେ ଠିଆ ହୋଇ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।” 20ପୁଣି, ଏହା କହି ସେ ସେମାନଙ୍କୁ ଆପଣା ହସ୍ତ ଓ କକ୍ଷଦେଶ ଦେଖାଇଲେ। ସେଥିରେ ଶିଷ୍ୟମାନେ ପ୍ରଭୁଙ୍କୁ ଦେଖି ଆନନ୍ଦିତ ହେଲେ। 21ଯୀଶୁ ସେମାନଙ୍କୁ ପୁନର୍ବାର କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ; ପିତା ଯେପ୍ରକାରେ ମୋତେ ପ୍ରେରଣ କରିଅଛନ୍ତି, ମୁଁ ମଧ୍ୟ ସେପ୍ରକାରେ ତୁମ୍ଭମାନଙ୍କୁ ପ୍ରେରଣ କରୁଅଛି।” 22ସେ ଏହା କହି ସେମାନଙ୍କ ଉପରେ ପ୍ରଶ୍ୱାସ ଛାଡ଼ି ସେମାନଙ୍କୁ କହିଲେ, “ପବିତ୍ର ଆତ୍ମାଙ୍କୁ ଗ୍ରହଣ କର। 23ତୁମ୍ଭେମାନେ ଯଦି କାହାରି ପାପ କ୍ଷମା କରିବ, ତାହାର ପାପ କ୍ଷମା ହେବ; ପୁଣି, ଯଦି କାହାରି ପାପ କ୍ଷମା ନ କରିବ, ତାହାର ପାପ କ୍ଷମା ହେବ ନାହିଁ।” 24କିନ୍ତୁ ଯୀଶୁ ଯେତେବେଳେ ଆସିଥିଲେ, ସେତେବେଳେ ଦ୍ୱାଦଶଙ୍କ ମଧ୍ୟରୁ ଥୋମା ନାମକ ଜଣେ, ଯାହାଙ୍କୁ ଦିଦୁମ କହନ୍ତି, ସେ ସେମାନଙ୍କ ସାଙ୍ଗରେ ନ ଥିଲେ। 25ଅତଏବ, ଅନ୍ୟ ଶିଷ୍ୟମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ପ୍ରଭୁଙ୍କୁ ଦେଖିଅଛୁ। କିନ୍ତୁ ସେ ସେମାନଙ୍କୁ କହିଲେ, ତାହାଙ୍କ ହାତରେ କଣ୍ଟାର ଚିହ୍ନସବୁ ନ ଦେଖିଲେ ଓ ସେହିସବୁ ସ୍ଥାନରେ ମୋହର ଅଙ୍ଗୁଳି ନ ଦେଲେ ଏବଂ ତାହାଙ୍କ କକ୍ଷଦେଶରେ ମୋହର ହାତ ନ ଦେଲେ ମୁଁ କଦାପି ବିଶ୍ୱାସ କରିବି ନାହିଁ। 26ଆଠ ଦିନ ପରେ ତାହାଙ୍କ ଶିଷ୍ୟମାନେ ପୁନର୍ବାର ଭିତରେ ଥିଲେ ଓ ଥୋମା ସେମାନଙ୍କ ସାଙ୍ଗରେ ଥିଲେ। ଦ୍ୱାରସବୁ ରୁଦ୍ଧ ଥିବା ସମୟରେ ଯୀଶୁ ଆସି ମଧ୍ୟସ୍ଥଳରେ ଠିଆ ହୋଇ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।” 27ପରେ ସେ ଥୋମାଙ୍କୁ କହିଲେ, “ଏଆଡ଼େ ତୁମ୍ଭର ଅଙ୍ଗୁଳି ବଢ଼ାଇ ମୋହର ହାତ ଦେଖ ଓ ହାତ ବଢ଼ାଇ ମୋହର କକ୍ଷଦେଶରେ ଦିଅ; ଅବିଶ୍ୱାସୀ ନ ହୋଇ ବିଶ୍ୱାସୀ ହୁଅ।” 28ଥୋମା ତାହାଙ୍କୁ ଉତ୍ତର ଦେଲେ, ମୋହର ପ୍ରଭୁ, ମୋହର ଈଶ୍ବର। 29ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେ ମୋତେ ଦେଖିବାରୁ ବିଶ୍ୱାସ କରିଅଛ? ଯେଉଁମାନେ ନ ଦେଖି ବିଶ୍ୱାସ କରିଅଛନ୍ତି, ସେମାନେ ଧନ୍ୟ।” 30ଯୀଶୁ ଶିଷ୍ୟମାନଙ୍କ ସାକ୍ଷାତରେ ଏହିପରି ଅନେକ ଓ ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟକର୍ମ ସାଧନ କଲେ, ସେହିସବୁ ଏହି ପୁସ୍ତକରେ ଲେଖା ହୋଇ ନାହିଁ; 31କିନ୍ତୁ ତୁମ୍ଭେମାନେ ଯେପରି ବିଶ୍ୱାସ କର ଯେ, ଯୀଶୁ ଈଶ୍ବରଙ୍କ ପୁତ୍ର ଖ୍ରୀଷ୍ଟ ଅଟନ୍ତି, ପୁଣି, ବିଶ୍ୱାସ କରି ଯେପରି ତୁମ୍ଭେମାନେ ତାହାଙ୍କ ନାମରେ ଜୀବନ ପ୍ରାପ୍ତ ହୁଅ, ଏଥିନିମନ୍ତେ ଏସମସ୍ତ ଲେଖାଯାଇଅଛି।
ପତ୍ର (ଖ୍ରୀଷ୍ଟଙ୍କ ଜନ୍ମ ପୂର୍ବର ରବିବାର ପାଇଁ)
9ବିଶ୍ୱାସ ଦ୍ୱାରା ସେ ବିଦେଶୀ ସ୍ୱରୂପେ ପ୍ରତିଜ୍ଞାତ ଦେଶରେ ପ୍ରବାସୀ ହୋଇ ପ୍ରତିଜ୍ଞାର ସହାଧିକାରୀ ଇସ୍ହାକ ଓ ଯାକୁବଙ୍କ ସହିତ ତମ୍ବୁରେ ବାସ କଲେ; 10କାରଣ ଯେଉଁ ନଗର ଭିତ୍ତିମୂଳବିଶିଷ୍ଟ, ପୁଣି, ଯାହାର ଶିଳ୍ପୀ ଓ ନିର୍ମାତା ସ୍ୱୟଂ ଈଶ୍ବର, ଅବ୍ରହାମ ତହିଁର ଅପେକ୍ଷାରେ ଥିଲେ। 17ବିଶ୍ୱାସ ଦ୍ୱାରା ଅବ୍ରହାମ ପରୀକ୍ଷିତ ହୋଇ ଇସ୍ହାକଙ୍କୁ ଉତ୍ସର୍ଗ କଲେ, ହଁ, ଯେଉଁ ବ୍ୟକ୍ତି ପ୍ରତିଜ୍ଞାସମୂହ ପ୍ରାପ୍ତ ହୋଇଥିଲେ, ଯାହାଙ୍କୁ କୁହାଯାଇଥିଲା ଯେ, 18ଇସ୍ହାକଙ୍କଠାରୁ ତୁମ୍ଭର ବଂଶ ଖ୍ୟାତ ହେବ, ସେହି ବ୍ୟକ୍ତି ଆପଣାର ଅଦ୍ୱିତୀୟ ପୁତ୍ରଙ୍କୁ ଉତ୍ସର୍ଗ କରିବାକୁ ଯାଉଥିଲେ, 19କାରଣ ଈଶ୍ବର ଯେ ମୃତମାନଙ୍କ ମଧ୍ୟରୁ ସୁଦ୍ଧା ଉତ୍ଥାପନ କରିବାକୁ ସମର୍ଥ, ଆକ୍ଷରିକ ଭାବେ, ସେ ମଧ୍ୟ ତାହାଙ୍କୁ ଦୃଷ୍ଟାନ୍ତଭାବେ ମୃତ୍ୟୁରୁ ଫେରି ପାଇଲେ। 20ବିଶ୍ୱାସ ଦ୍ୱାରା ଇସ୍ହାକ ଭବିଷ୍ୟତ ବିଷୟରେ ମଧ୍ୟ ଯାକୁବ ଓ ଏଷୌଙ୍କୁ ଆଶୀର୍ବାଦ କଲେ। 21ବିଶ୍ୱାସ ଦ୍ୱାରା ଯାକୁବ ମୃତ୍ୟୁ ସମୟରେ ଯୋଷେଫଙ୍କର ପ୍ରତ୍ୟେକ ପୁତ୍ରଙ୍କୁ ଆଶୀର୍ବାଦ କଲେ, ପୁଣି, ଆପଣା ଯଷ୍ଟିର ଅଗ୍ରଭାଗରେ ଆଉଜିପଡ଼ି ପ୍ରଣାମ କଲେ। 22ବିଶ୍ୱାସ ଦ୍ୱାରା ଯୋଷେଫ ମୃତ୍ୟୁ ସମୟରେ ଇସ୍ରାଏଲ ସନ୍ତାନମାନଙ୍କର ପ୍ରସ୍ଥାନ ବିଷୟ ଉଲ୍ଲେଖ କଲେ, ପୁଣି, ଆପଣା ଅସ୍ଥି ସମ୍ବନ୍ଧରେ ଆଜ୍ଞା ଦେଲେ। 23ବିଶ୍ୱାସ ଦ୍ୱାରା ମୋଶାଙ୍କ ପିତାମାତା ତାହାଙ୍କ ଜନ୍ମ ହେବା ସମୟରେ ତାହାଙ୍କୁ ଗୋଟିଏ ସୁନ୍ଦର ପିଲା ବୋଲି ଦେଖି ରାଜାଜ୍ଞାକୁ ଭୟ ନ କରି ତିନି ମାସ ପର୍ଯ୍ୟନ୍ତ ତାହାଙ୍କୁ ଗୋପନରେ ରଖିଲେ। 32ଆଉ ଅଧିକ କଅଣ କହିବି? ଗିଦିୟୋନ, ବାରକ, ଶାମ୍ଶୋନ୍, ଯିପ୍ତହ, ଦାଉଦ, ଶାମୁୟେଲ ଓ ଭାବବାଦୀମାନଙ୍କ ବିଷୟ ଯଦି ମୁଁ ବର୍ଣ୍ଣନା କରେ, ତେବେ ସମୟ ଅଣ୍ଟିବ ନାହିଁ; 33ବିଶ୍ୱାସ ଦ୍ୱାରା ସେମାନେ ରାଜ୍ୟଗୁଡ଼ିକ ଜୟ କଲେ, ଧର୍ମ ସାଧନ କଲେ, ପ୍ରତିଜ୍ଞାର ଫଳପ୍ରାପ୍ତ ହେଲେ, ସିଂହମାନଙ୍କ ମୁଖରୁ ବଞ୍ଚିତ ହେଲେ, 34ଅଗ୍ନିର ତେଜ ନିବାରଣ କଲେ, ଖଡ୍ଗଧାରରୁ ରକ୍ଷା ପାଇଲେ, ଦୁର୍ବଳ ସମୟରେ ସବଳ ହେଲେ, ଯୁଦ୍ଧରେ ବିଜୟୀ ହେଲେ, ପୁଣି, ଅଣଯିହୁଦୀମାନଙ୍କର ସୈନ୍ୟମାନଙ୍କୁ ବିତାଡ଼ିତ କଲେ। 35ସ୍ତ୍ରୀଲୋକମାନେ ଆପଣା ଆପଣା ମୃତମାନଙ୍କୁ ପୁନରୁତ୍ଥାନ ଦ୍ୱାରା ପ୍ରାପ୍ତ ହେଲେ; ଅନ୍ୟମାନେ ଉତ୍କୃଷ୍ଟତର ପୁନରୁତ୍ଥାନ ପ୍ରାପ୍ତ ହେବା ନିମନ୍ତେ ଉଦ୍ଧାର ପାଇବାକୁ ଇଚ୍ଛା ନ କରି ମହାଯନ୍ତ୍ରଣା ଭୋଗ କଲେ। 36ଅନ୍ୟମାନେ ବିଦ୍ରୂପ, କୋରଡ଼ା ପ୍ରହାର, ହଁ, ବନ୍ଧନ ଓ କାରାବାସ ଦ୍ୱାରା ସୁଦ୍ଧା ପରୀକ୍ଷିତ ହେଲେ; 37କେହି ଅବା ପ୍ରସ୍ତରାଘାତରେ ହତ, କେହି ଅବା ନିର୍ଯ୍ୟାତିତ, କେହି କରତ ଦ୍ୱାରା ଦ୍ୱିଖଣ୍ଡିତ, ପୁଣି, କେହି ଅବା ଖଡ୍ଗ ଦ୍ୱାରା ନିହତ ହେଲେ, କେହି କେହି ମେଷ ଓ ଛାଗଳର ଚର୍ମରେ ଆଚ୍ଛାଦିତ, ଅଭାବଗ୍ରସ୍ତ, କ୍ଳିଷ୍ଟ ଓ ତାଡନାପ୍ରାପ୍ତ ହୋଇ 38ପ୍ରାନ୍ତର, ପର୍ବତ, ଗୁହା, ପୁଣି, ପୃଥିବୀର ଗହ୍ୱର ଭ୍ରମଣ କଲେ; ଜଗତ ସେମାନଙ୍କର ଯୋଗ୍ୟ ନ ଥିଲା। 39ବିଶ୍ୱାସ ଦ୍ୱାରା ଏହି ସମସ୍ତେ ସୁଖ୍ୟାତି ଲାଭ କରି ସୁଦ୍ଧା ପ୍ରତିଜ୍ଞାର ଫଳପ୍ରାପ୍ତ ହେଲେ ନାହିଁ, 40ଯେଣୁ ଈଶ୍ବର ଆମ୍ଭମାନଙ୍କ ନିମନ୍ତେ ଉତ୍କୃଷ୍ଟତର ବିଷୟ ପ୍ରସ୍ତୁତ କରି ରଖିଥିଲେ, ଯେପରି ସେମାନେ ଆମ୍ଭମାନଙ୍କ ବିନା ସିଦ୍ଧ ଲାଭ ନ କରନ୍ତି।
ସୁସମାଚାର (ଖ୍ରୀଷ୍ଟଙ୍କ ଜନ୍ମ ପୂର୍ବର ରବିବାର ପାଇଁ)
1ଅବ୍ରହାମଙ୍କ ସନ୍ତାନ ଓ ଦାଉଦଙ୍କ ସନ୍ତାନ ଯୀଶୁ ଖ୍ରୀଷ୍ଟଙ୍କ ବଂଶାବଳୀ। 2ଅବ୍ରହାମ ଇସ୍ହାକଙ୍କୁ ଜନ୍ମ ଦେଲେ, ଇସ୍ହାକ ଯାକୁବଙ୍କୁ ଜନ୍ମ ଦେଲେ, ଯାକୁବ, ଯିହୂଦା ଓ ତାହାଙ୍କ ଭାଇମାନଙ୍କୁ ଜନ୍ମ ଦେଲେ, 3ଯିହୂଦା ତାମରଙ୍କ ଗର୍ଭରୁ ପେରସ ଓ ସେରହଙ୍କୁ ଜନ୍ମ ଦେଲେ, ପେରସ ହିଷ୍ରୋଣଙ୍କୁ ଜନ୍ମ ଦେଲେ, 4ହିଷ୍ରୋଣ ଅରାମଙ୍କୁ ଜନ୍ମ ଦେଲେ, ଅରାମ ଅମ୍ମୀନାଦବଙ୍କୁ ଜନ୍ମ ଦେଲେ, ଅମ୍ମୀନାଦାବ ନହଶୋନଙ୍କୁ ଜନ୍ମ ଦେଲେ, ନହଶୋନ ସଲମୋନଙ୍କୁ ଜନ୍ମ ଦେଲେ, 5ସଲମୋନ ରାହାବଙ୍କ ଗର୍ଭରୁ ବୋୟଜଙ୍କୁ ଜନ୍ମ ଦେଲେ, ବୋୟଜ ରୂତଙ୍କ ଗର୍ଭରୁ ଓବେଦଙ୍କୁ ଜନ୍ମ ଦେଲେ, ଓବେଦ ଯିଶୀଙ୍କୁ ଜନ୍ମ ଦେଲେ, 6ଯିଶୀ ଦାଉଦ ରାଜାଙ୍କୁ ଜନ୍ମ ଦେଲେ। ଦାଉଦ ଉରୀୟଙ୍କ ଭାର୍ଯ୍ୟାଙ୍କ ଗର୍ଭରୁ ଶଲୋମନଙ୍କୁ ଜନ୍ମ ଦେଲେ, 7ଶଲୋମନ ରିହବୀୟାମଙ୍କୁ ଜନ୍ମ ଦେଲେ, ରିହବୀୟାମ ଅବୀୟଙ୍କୁ ଜନ୍ମ ଦେଲେ, 8ଅବୀୟ ଆସାଙ୍କୁ ଜନ୍ମ ଦେଲେ, ଆସା ଯିହୋଶାଫଟଙ୍କୁ ଜନ୍ମ ଦେଲେ, ଯିହୋଶାଫଟ ଯୋରାମଙ୍କୁ ଜନ୍ମ ଦେଲେ, ଯୋରାମ ଉଜୀୟଙ୍କୁ ଜନ୍ମ ଦେଲେ, 9ଉଜୀୟ ଯୋଥମଙ୍କୁ ଜନ୍ମ ଦେଲେ, ଯୋଥମ ଆହସ୍ଙ୍କୁ ଜନ୍ମ ଦେଲେ, ଆହସ୍ ହିଜକୀୟଙ୍କୁ ଜନ୍ମ ଦେଲେ, 10ହିଜକୀୟ ମନଃଶିଙ୍କୁ ଜନ୍ମ ଦେଲେ, ମନଃଶି ଆମୋନଙ୍କୁ ଜନ୍ମ ଦେଲେ, ଆମୋନ ଯୋଶୀୟଙ୍କୁ ଜନ୍ମ ଦେଲେ, 11ବାବିଲକୁ ନିର୍ବାସିତ ହେବା ସମୟରେ ଯୋଶୀୟ ଯିକନୀୟ ଓ ତାହାଙ୍କ ଭାଇମାନଙ୍କୁ ଜନ୍ମ ଦେଲେ। 12ବାବିଲକୁ ନିର୍ବାସିତ ହେବା ପରେ ଯିକନୀୟ ଶଲ୍ଟୀୟେଲଙ୍କୁ ଜନ୍ମ ଦେଲେ, ଶଲ୍ଟୀୟେଲ୍ ଜିରୁବାବିଲଙ୍କୁ ଜନ୍ମ ଦେଲେ, 13ଜିରୁବାବିଲ ଅବୀହୁଦଙ୍କୁ ଜନ୍ମ ଦେଲେ, ଅବୀହୁଦ ଏଲୀୟାକିମଙ୍କୁ ଜନ୍ମ ଦେଲେ, ଏଲୀୟାକିମ ଆସୋରଙ୍କୁ ଜନ୍ମ ଦେଲ, 14ଆସୋର ସାଦୋକଙ୍କୁ ଜନ୍ମ ଦେଲେ, ସାଦୋକ ଆଖିମଙ୍କୁ ଜନ୍ମ ଦେଲେ, ଆଖିମ ଏଲିହୁଦଙ୍କୁ ଜନ୍ମ ଦେଲେ, 15ଏଲିହୁଦ ଏଲୀୟାଜରଙ୍କୁ ଜନ୍ମ ଦେଲେ, ଏଲୀୟାଜର ମତ୍ତାନଙ୍କୁ ଜନ୍ମ ଦେଲେ, 16ମତ୍ତାନ ଯାକୁବଙ୍କୁ ଜନ୍ମ ଦେଲେ, ଯାକୁବ ମରୀୟମଙ୍କ ସ୍ୱାମୀ ଯୋଷେଫଙ୍କୁ ଜନ୍ମ ଦେଲେ, ଏହି ମରୀୟମଙ୍କ ଗର୍ଭରୁ ଯୀଶୁ ଜନ୍ମ ହେଲେ, ତାହାଙ୍କୁ ଖ୍ରୀଷ୍ଟ କୁହାଯାଏ। 17ଏହି ପ୍ରକାରେ ସମସ୍ତେ ଅବ୍ରହାମଙ୍କଠାରୁ ଦାଉଦଙ୍କ ପର୍ଯ୍ୟନ୍ତ ଚଉଦ ପୁରୁଷ, ଆଉ ଦାଉଦଙ୍କ ଠାରୁ ବାବିଲ ନିର୍ବାସନ ପର୍ଯ୍ୟନ୍ତ ଚଉଦ ପୁରୁଷ, ପୁଣି, ବାବିଲ ନିର୍ବାସନଠାରୁ ଖ୍ରୀଷ୍ଟଙ୍କ ପର୍ଯ୍ୟନ୍ତ ଚଉଦ ପୁରୁଷ। 18ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଏହି ପ୍ରକାରେ ହେଲା। ତାହାଙ୍କ ମାତା ମରୀୟମଙ୍କର ଯୋଷେଫଙ୍କ ସହିତ ବିବାହ ନିର୍ବନ୍ଧ ହେଲା ପରେ ସେମାନଙ୍କ ସହବାସ ପୂର୍ବେ ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭବତୀ ହୋଇଅଛନ୍ତି ବୋଲି ଜଣାପଡ଼ିଲା। 19ଏଥିରେ ତାହାଙ୍କ ସ୍ୱାମୀ ଯୋଷେଫ ଧାର୍ମିକ ଥିବାରୁ ଏବଂ ତାହାଙ୍କୁ ପ୍ରକାଶରେ ନିନ୍ଦାର ପାତ୍ର କରିବାକୁ ଇଚ୍ଛା ନ କରିବାରୁ ଗୋପନରେ ତାହାଙ୍କୁ ପରିତ୍ୟାଗ କରିବାକୁ ସ୍ଥିର କଲେ। 20କିନ୍ତୁ ସେ ଏହା ମନସ୍ଥ କଲା ପରେ, ଦେଖ, ପ୍ରଭୁଙ୍କର ଜଣେ ଦୂତ ସ୍ୱପ୍ନରେ ତାହାଙ୍କୁ ଦର୍ଶନ ଦେଇ କହିଲେ, “ହେ ଦାଉଦଙ୍କ ସନ୍ତାନ ଯୋଷେଫ, ତୁମ୍ଭର ଭାର୍ଯ୍ୟା ମରୀୟମଙ୍କୁ ଗ୍ରହଣ କରିବାକୁ ଭୟ କର ନାହିଁ, କାରଣ ତାହାଙ୍କର ଗର୍ଭ ପବିତ୍ର ଆତ୍ମାଙ୍କ ଦ୍ୱାରା ହୋଇଅଛି। 21ସେ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ।” 22ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥିନିମନ୍ତେ ଏସମସ୍ତ ଘଟିଲା, 23“ଦେଖ, ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ, ଆଉ ଲୋକେ ତାହାଙ୍କ ନାମ ଇମ୍ମାନୁଏଲ ଦେବେ,” ଏହି ନାମର ଅର୍ଥ “ଆମ୍ଭମାନଙ୍କ ସହିତ ଈଶ୍ବର।” 24ଏଥିରେ ଯୋଷେଫ ନିଦରୁ ଉଠି ପ୍ରଭୁଙ୍କ ଦୂତ ତାହାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ସେହିପରି କଲେ ଓ ନିଜ ଭାର୍ଯ୍ୟାଙ୍କୁ ଗ୍ରହଣ କଲେ; 25କିନ୍ତୁ ସେ ପୁତ୍ର ପ୍ରସବ ନ କରିବା ପର୍ଯ୍ୟନ୍ତ ତାହାଙ୍କ ସହିତ ସହବାସ କଲେ ନାହିଁ, ଆଉ ସେ ପୁତ୍ରଙ୍କ ନାମ ଯୀଶୁ ଦେଲେ।
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଡିସେମ୍ବର 21 ନାଗରିକ ପଞ୍ଜିକାର ଜାନୁଆରୀ 3। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର