ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜାନୁଆରୀ 2027 › ଜାନୁଆରୀ 2
ଅର୍ଥୋଡକ୍ସ ପଞ୍ଜିକା · 20 ଡିସେମ୍ବର (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 2 ଜାନୁଆରୀ 2027
ଶନିବାର · ପେଣ୍ଟିକଷ୍ଟ ପରେ 31ତମ ସପ୍ତାହ · ସ୍ୱର 5
ପର୍ବ ଓ ସନ୍ଥ
ଜନ୍ମ ପର୍ବ ପୂର୍ବର ଶନିବାର
ଜନ୍ମ ପର୍ବର ଉପବାସ
ଉପବାସ: ତେଲ ସହିତ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ପତ୍ର
3ଆମ୍ଭେମାନେ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରି ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ଈଶ୍ବରଙ୍କୁ ସର୍ବଦା ଧନ୍ୟବାଦ ଦେଉଅଛୁ। 4କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କ ବିଶ୍ୱାସ ଏବଂ ସ୍ୱର୍ଗରେ ତୁମ୍ଭମାନଙ୍କ ପାଇଁ ରଖାଯାଇଥିବା ଭରସା ସକାଶେ ସମସ୍ତ ସାଧୁଙ୍କ ପ୍ରତି ତୁମ୍ଭମାନଙ୍କର ପ୍ରେମ ବିଷୟ ଶୁଣିଅଛୁ। 5ସେହି ଭରସା ବିଷୟରେ ତୁମ୍ଭେମାନେ ସୁସମାଚାରର ସତ୍ୟ ବାକ୍ୟ ଦ୍ୱାରା ପୂର୍ବେ ଶୁଣିଅଛ। 6ସେହି ବାକ୍ୟ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇଅଛି, ପୁଣି, ତାହା ଯେପରି ସମସ୍ତ ଜଗତରେ ଫଳବନ୍ତ ଓ ବର୍ଦ୍ଧିଷ୍ଣୁ ହୋଇ ଆସୁଅଛି, ତୁମ୍ଭେମାନେ ଯେଉଁ ଦିନ ତାହା ଶୁଣି ସତ୍ୟ ରୂପେ ଈଶ୍ବରଙ୍କ ଅନୁଗ୍ରହର ବୋଧ ପାଇଲ, ସେହି ଦିନଠାରୁ ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ସେହିପରି ହୋଇ ଆସୁଅଛି।
ପତ୍ର (ଖ୍ରୀଷ୍ଟଙ୍କ ଜନ୍ମ ପୂର୍ବର ଶନିବାର ପାଇଁ)
8ଆଉ ଈଶ୍ବର ଅଣଯିହୁଦୀମାନଙ୍କୁ ବିଶ୍ୱାସ ହେତୁ ଧାର୍ମିକ ଗଣନା କରିବେ, ଏହା ଧର୍ମଶାସ୍ତ୍ର ପୂର୍ବରୁ ଦେଖି ଅବ୍ରହାମଙ୍କ ନିକଟରେ ସୁସମାଚାର ପ୍ରଚାର କରି କହିଲେ, “ତୁମ୍ଭ ଦେଇ ସମସ୍ତ ଜାତି ଆଶୀର୍ବାଦ ପ୍ରାପ୍ତ ହେବେ।” 9ଏଣୁ ଯେଉଁମାନେ ବିଶ୍ୱାସୀ, ସେମାନେ ବିଶ୍ୱାସର ପୁରୁଷ ଅବ୍ରହାମଙ୍କ ସହିତ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି। 10କାରଣ ଯେତେ ଲୋକ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ କରନ୍ତି, ସେମାନେ ଶାପଗ୍ରସ୍ତ, ଯେଣୁ ଲେଖାଅଛି, “ଯେ କେହି ମୋଶାଙ୍କ ବ୍ୟବସ୍ଥା ପୁସ୍ତକରେ ଲିଖିତ ସମସ୍ତ କଥା ପାଳନ କରିବା ପାଇଁ ସେଥିରେ ନିତ୍ୟ ପ୍ରବୃତ୍ତ ନ ହୁଏ, ସେ ଶ୍ରାପଗ୍ରସ୍ତ।” 11ମୋଶାଙ୍କ ବ୍ୟବସ୍ଥା ଦ୍ୱାରା କେହି ଯେ ଈଶ୍ବରଙ୍କ ସାକ୍ଷାତରେ ଧାର୍ମିକ ଗଣିତ ହୁଏ ନାହିଁ, ଏହା ତ ପବିତ୍ର ଶାସ୍ତ୍ରରେ ସ୍ପଷ୍ଟ, “କାରଣ ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ।” 12ଆଉ ବିଶ୍ୱାସ ମୋଶାଙ୍କ ବ୍ୟବସ୍ଥାର ମୂଳ ବିଷୟ ନୁହେଁ; ମୋଶାଙ୍କ ବ୍ୟବସ୍ଥାର ମୂଳ ବିଷୟ ଏହି, ଯେ ଏହିସବୁ ପାଳନ କରେ, ସେ ସେଥିରେ ବଞ୍ଚିବ।
ସୁସମାଚାର
1ଥରେ ସେ ବିଶ୍ରାମବାର ଦିନରେ ଭୋଜନ କରିବା ନିମନ୍ତେ ଫାରୂଶୀମାନଙ୍କର ଜଣେ ନେତାଙ୍କ ଗୃହରେ ପ୍ରବେଶ କରନ୍ତେ ସେମାନେ ତାହାଙ୍କୁ ଲକ୍ଷ୍ୟ କରି ରହିଲେ। 2ଆଉ ଦେଖ, ତାହାଙ୍କ ସମ୍ମୁଖରେ ଜଣେ ଜଳୋଦର ରୋଗରେ ପୀଡ଼ିତ ଲୋକ ଥିଲେ। 3ସେଥିରେ ଯୀଶୁ ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞ ଓ ଫାରୂଶୀମାନଙ୍କୁ ଉତ୍ତର ଦେଲେ, “ବିଶ୍ରାମବାର ଦିନରେ ସୁସ୍ଥ କରିବା ବିଧିସଙ୍ଗତ କି ନୁହେଁ? କିନ୍ତୁ ସେମାନେ ନୀରବ ରହିଲେ।” 4ପୁଣି, ସେ ତାହାକୁ ଧରି ସୁସ୍ଥ କଲେ ଓ ବିଦାୟ ଦେଲେ। 5ଆଉ, ସେ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ମଧ୍ୟରୁ କେହି ଆପଣା ପୁଅ ବା ବଳଦ କୂଅରେ ପଡ଼ିଲେ କଅଣ ତାହାକୁ ବିଶ୍ରାମବାର ଦିନରେ ସେହିକ୍ଷଣି ଉଠାଇବ ନାହିଁ?” 6ଆଉ ସେମାନେ ଏହି ସମସ୍ତ କଥାର କୌଣସି ଉତ୍ତର ଦେଇ ପାରିଲେ ନାହିଁ। 7ପୁଣି, ନିମନ୍ତ୍ରିତ ଲୋକମାନେ କେମିତି ପ୍ରଧାନ ପ୍ରଧାନ ଆସନ ବାଛୁଥିଲେ, ଏହା ଲକ୍ଷ୍ୟ କରି ସେ ସେମାନଙ୍କୁ ଏହି ଦୃଷ୍ଟାନ୍ତ ଦେଇ କହିଲେ, 8“ଯେତେବେଳେ ତୁମ୍ଭେ କୌଣସି ଲୋକ ଦ୍ୱାରା ବିବାହ ଭୋଜକୁ ନିମନ୍ତ୍ରିତ ହୁଅ, ସେତେବେଳେ ପ୍ରଧାନ ଆସନରେ ବସ ନାହିଁ, କାଳେ ତୁମ୍ଭଠାରୁ ଅଧିକ ମାନ୍ୟଗଣ୍ୟ ବ୍ୟକ୍ତି ତାହାଙ୍କ ଦ୍ୱାରା ନିମନ୍ତ୍ରିତ ହୋଇଥିବେ, 9ଆଉ ଯେ ତୁମ୍ଭକୁ ଓ ତାହାଙ୍କୁ ନିମନ୍ତ୍ରଣ କଲେ, ସେ ଆସି ତୁମ୍ଭକୁ କହିବେ, ‘ଏହାଙ୍କୁ ସ୍ଥାନ ଦିଅ;’ ଆଉ, ସେତେବେଳେ ତୁମ୍ଭେ ଲଜ୍ଜାରେ ନିମ୍ନତମ ସ୍ଥାନ ଗ୍ରହଣ କରିବାକୁ ଯିବ। 10କିନ୍ତୁ ଯେତେବେଳେ ତୁମ୍ଭେ ନିମନ୍ତ୍ରିତ ହୁଅ, ସେତେବେଳେ ଯାଇ ନିମ୍ନତମ ସ୍ଥାନରେ ବସ, ଯେପରି ତୁମ୍ଭର ନିମନ୍ତ୍ରଣକାରୀ ବ୍ୟକ୍ତି ଆସି ତୁମ୍ଭକୁ କହିବେ, ‘ହେ ବନ୍ଧୁ, ଉଚ୍ଚତର ସ୍ଥାନକୁ ଆସ;’ ସେତେବେଳେ ତୁମ୍ଭ ସହିତ ଭୋଜନରେ ବସୁଥିବା ସମସ୍ତ ଲୋକଙ୍କ ଆଗରେ ତୁମ୍ଭର ଗୌରବ ହେବ। 11କାରଣ ଯେ କେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ, ପୁଣି, ଯେ ଆପଣାକୁ ନତ କରେ, ତାହାକୁ ଉନ୍ନତ କରାଯିବ।”
ସୁସମାଚାର (ଖ୍ରୀଷ୍ଟଙ୍କ ଜନ୍ମ ପୂର୍ବର ଶନିବାର ପାଇଁ)
18ସେଥିରେ ସେ କହିଲେ, “ଈଶ୍ବରଙ୍କ ରାଜ୍ୟ କାହା ପରି? ପୁଣି, କାହା ସହିତ ମୁଁ ତାହାର ତୁଳନା କରିବି? 19ତାହା ଏପ୍ରକାର ଗୋଟିଏ ସୋରିଷ ଦାନା ପରି, ଯାହା ନେଇ ଜଣେ ଲୋକ ଆପଣା ବଗିଚାରେ ବୁଣିଲା, ଆଉ ତାହା ବଢ଼ି ଗଛ ହେଲା, ପୁଣି, ଆକାଶର ଚଢ଼େଇମାନେ ଆସି ତାହାର ଡାଳରେ ବାସ କଲେ।” 20ସେ ଆହୁରି କହିଲେ, “ମୁଁ କାହା ସହିତ ଈଶ୍ବରଙ୍କ ରାଜ୍ୟର ତୁଳନା କରିବି? 21ତାହା ଖମୀର ପରି, ଜଣେ ସ୍ତ୍ରୀ ତାହା ଘେନି ମହଣେ ମଇଦା ମଧ୍ୟରେ ଘୋଡ଼ାଇ ରଖିଲା, ଆଉ ଶେଷରେ ସମସ୍ତ ଖମୀରମୟ ହେଲା।” 22ଏହାପରେ ସେ ନଗରେ ନଗରେ ଓ ଗ୍ରାମେ ଗ୍ରାମେ ଭ୍ରମଣ କରି ଶିକ୍ଷା ଦେଉ ଦେଉ ଯିରୂଶାଲମ ଆଡ଼କୁ ଯାତ୍ରା କରୁଥିଲେ। 23ଆଉ, ଜଣେ ତାହାଙ୍କୁ କହିଲେ, ପ୍ରଭୁ, ପରିତ୍ରାଣ ପାଇବା ଲୋକମାନଙ୍କ ସଂଖ୍ୟା କଅଣ ଅଳ୍ପ? ସେଥିରେ ସେ ସେମାନଙ୍କୁ କହିଲେ, 24“ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବାକୁ ପ୍ରାଣପଣ କର, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅନେକ ପ୍ରବେଶ କରିବା ନିମନ୍ତେ ଚେଷ୍ଟା କରିବେ, କିନ୍ତୁ ପାରିବେ ନାହିଁ। 25ଘରର ମୁଖ୍ୟ ଲୋକ ଉଠି ଦ୍ୱାର ବନ୍ଦ କଲା ପରେ ଯେତେବେଳେ ତୁମ୍ଭେମାନେ ବାହାରେ ଠିଆ ହୋଇ ରହିବ ଓ ‘ହେ ପ୍ରଭୁ, ଆମ୍ଭମାନଙ୍କ ନିମନ୍ତେ ଦ୍ୱାର ଫିଟାନ୍ତୁ,’ ଏହା କହି ଦ୍ୱାରରେ ମାରିବାକୁ ଲାଗିବ, ସେତେବେଳେ ସେ ତୁମ୍ଭମାନଙ୍କୁ ଉତ୍ତର ଦେବେ, ‘ତୁମ୍ଭେମାନେ କେଉଁ ସ୍ଥାନର ଲୋକ, ତାହା ମୁଁ ଜାଣେ ନାହିଁ।’ 26ସେହି ସମୟରେ ତୁମ୍ଭେମାନେ କହିବାକୁ ଲାଗିବ, ଆମ୍ଭେମାନେ ଆପଣଙ୍କ ସାକ୍ଷାତରେ ଭୋଜନପାନ କଲୁ, ପୁଣି, ଆପଣ ଆମ୍ଭମାନଙ୍କ ଦାଣ୍ଡମାନଙ୍କରେ ଶିକ୍ଷା ଦେଲେ; 27ଆଉ, ସେ ତୁମ୍ଭମାନଙ୍କୁ କହିବେ, ତୁମ୍ଭେମାନେ କେଉଁ ସ୍ଥାନର ଲୋକ, ତାହା ମୁଁ ଜାଣେ ନାହିଁ; ହେ ଅଧର୍ମାଚାରୀ ସମସ୍ତେ ମୋʼ ପାଖରୁ ଦୂର ହୁଅ। 28ଯେତେବେଳେ ତୁମ୍ଭେମାନେ ଅବ୍ରହାମ, ଇସ୍ହାକ, ଯାକୁବ ପୁଣି, ସମସ୍ତ ଭାବବାଦୀଙ୍କୁ ଈଶ୍ବରଙ୍କ ରାଜ୍ୟରେ ଥିବା ଓ ଆପଣା ଆପଣାକୁ ବାହାରେ ପକାଉଥିବା ଦେଖିବ, ସେତେବେଳେ ସେଠାରେ ରୋଦନ ଓ ଦାନ୍ତର କିଡ଼ିମିଡ଼ି ହେବ। 29ପୁଣି, ପୂର୍ବ ଓ ପଶ୍ଚିମ, ଉତ୍ତର ଓ ଦକ୍ଷିଣରୁ ଲୋକେ ଆସି ଈଶ୍ବରଙ୍କ ରାଜ୍ୟରେ ଭୋଜନରେ ବସିବେ।
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଡିସେମ୍ବର 20 ନାଗରିକ ପଞ୍ଜିକାର ଜାନୁଆରୀ 2। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର