ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଡିସେମ୍ବର 2026 › ଡିସେମ୍ବର 27
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 27 ଡିସେମ୍ବର 2026
ରବିବାର · ବଡ଼ଦିନ କାଳ
ପର୍ବ ଓ ସନ୍ଥ
ପବିତ୍ର ପରିବାର: ଯୀଶୁ, ମରୀୟମ ଓ ଯୋଷେଫ
ପର୍ବ · ଉପାସନାର ରଙ୍ଗ: ଧଳା
ଦିନର ପାଠ
ପ୍ରଥମ ପାଠ
1ସେହି ଘଟଣା ଉତ୍ତାରେ ଦର୍ଶନ ଦ୍ୱାରା ସଦାପ୍ରଭୁଙ୍କର ବାକ୍ୟ ଅବ୍ରାମଙ୍କ ନିକଟରେ ଉପସ୍ଥିତ ହେଲା, “ହେ ଅବ୍ରାମ, ଭୟ କର ନାହିଁ, ଆମ୍ଭେ ତୁମ୍ଭର ଢାଲ ଓ ମହାପୁରସ୍କାର ସ୍ୱରୂପ।” 2ତହିଁରେ ଅବ୍ରାମ ଉତ୍ତର କଲେ, “ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ମୋତେ କʼଣ ଦେବ? ମୁଁ ତ ନିଃସନ୍ତାନ ହୋଇ ପ୍ରସ୍ଥାନ କରୁଅଛି, ପୁଣି, ଦମ୍ମେଶକୀୟ ଇଲୀୟେଜର ମୋʼ ଗୃହର ଧନାଧିକାରୀ ଅଟେ।” 3ପୁଣି, ଅବ୍ରାମ କହିଲେ, “ଦେଖ, ତୁମ୍ଭେ ମୋତେ ସନ୍ତାନ ଦେଲ ନାହିଁ, ଏଣୁ ମୋʼ ଗୃହଜାତ କୌଣସି ଲୋକ ମୋହର ଉତ୍ତରାଧିକାରୀ ହେବ।” 4ସେତେବେଳେ ତାଙ୍କ ପ୍ରତି ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, “ଦେଖ, ସେହି ବ୍ୟକ୍ତି ତୁମ୍ଭର ଉତ୍ତରାଧିକାରୀ ହେବ ନାହିଁ; ମାତ୍ର ଯେ ତୁମ୍ଭ ଔରସରେ ଜାତ ହେବ, ସେହି ତୁମ୍ଭର ଉତ୍ତରାଧିକାରୀ ହେବ।” 5ଏଥିଉତ୍ତାରେ ସଦାପ୍ରଭୁ ତାଙ୍କୁ ବାହାରକୁ ଆଣି କହିଲେ, “ତୁମ୍ଭେ ଆକାଶକୁ ଦୃଷ୍ଟି କରି ଯଦି ତାରାସମୂହ ଗଣିପାର, ତେବେ ଗଣି କୁହ।” ସେ ଆହୁରି କହିଲେ, “ଏହି ପ୍ରକାର ତୁମ୍ଭର ବଂଶ ହେବ।” 6ସେତେବେଳେ ଅବ୍ରାମ ସଦାପ୍ରଭୁଙ୍କଠାରେ ବିଶ୍ୱାସ କରନ୍ତେ, ସେ ତାଙ୍କ ପକ୍ଷରେ ତାକୁ ଧାର୍ମିକତା ବୋଲି ଗଣନା କଲେ। 21:1ଏଥିଉତ୍ତାରେ ସଦାପ୍ରଭୁ ଆପଣା ବାକ୍ୟାନୁସାରେ ସାରାର ତତ୍ତ୍ୱାବଧାନ କଲେ; ପୁଣି, ସଦାପ୍ରଭୁ ଯାହା କହିଥିଲେ, ସାରା ପ୍ରତି ତାହା କଲେ। 2ତହିଁରେ ସାରା ଅବ୍ରହାମଙ୍କର ବୃଦ୍ଧାବସ୍ଥାରେ ଗର୍ଭବତୀ ହୋଇ ପରମେଶ୍ୱରଙ୍କ ଦ୍ୱାରା ନିରୂପିତ ସମୟରେ ପୁତ୍ର ପ୍ରସବ କଲେ। 3ସେତେବେଳେ ଅବ୍ରହାମ ସାରାର ଗର୍ଭଜାତ ନିଜ ପୁତ୍ରର ନାମ ଇସ୍ହାକ ରଖିଲେ।
ପ୍ରତିଉତ୍ତର ଗୀତ
1ସଦାପ୍ରଭୁଙ୍କର ଧନ୍ୟବାଦ କର, ତାହାଙ୍କ ନାମରେ ପ୍ରାର୍ଥନା କର, ଗୋଷ୍ଠୀବର୍ଗ ମଧ୍ୟରେ ତାହାଙ୍କ କ୍ରିୟାସକଳ ଜଣାଅ। 2ତାହାଙ୍କ ଉଦ୍ଦେଶ୍ୟରେ ଗାନ କର, ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର; ତୁମ୍ଭେମାନେ ତାହାଙ୍କର ସକଳ ଆଶ୍ଚର୍ଯ୍ୟକ୍ରିୟା ବିଷୟରେ କଥୋପକଥନ କର। 3ତୁମ୍ଭେମାନେ ତାହାଙ୍କ ପବିତ୍ର ନାମରେ ଦର୍ପ କର; ଯେଉଁମାନେ ସଦାପ୍ରଭୁଙ୍କର ଅନ୍ୱେଷଣ କରନ୍ତି, ସେମାନଙ୍କ ଚିତ୍ତ ଆନନ୍ଦିତ ହେଉ। 4ତୁମ୍ଭେମାନେ ସଦାପ୍ରଭୁଙ୍କର ଓ ତାହାଙ୍କ ପରାକ୍ରମର ଅନ୍ୱେଷଣ କର; ସଦାସର୍ବଦା ତାହାଙ୍କ ମୁଖ ଅନ୍ୱେଷଣ କର। 5ହେ ତାହାଙ୍କ ଦାସ ଅବ୍ରହାମର ବଂଶ, ହେ ତାହାଙ୍କର ମନୋନୀତ ଲୋକେ, ଯାକୁବର ସନ୍ତାନଗଣ, 6ତୁମ୍ଭେମାନେ ତାହାଙ୍କ କୃତ ଆଶ୍ଚର୍ଯ୍ୟକର୍ମ, ତାହାଙ୍କ ଅଦ୍ଭୁତ ଲକ୍ଷଣ ଓ ତାହାଙ୍କ ମୁଖନିର୍ଗତ ଶାସନସକଳ ସ୍ମରଣ କର। 8ସେ ଆପଣା ନିୟମ, ଅର୍ଥାତ୍, ଯେଉଁ ବାକ୍ୟ ସେ ସହସ୍ର ପୁରୁଷ-ପରମ୍ପରା ପ୍ରତି ଆଦେଶ କରିଥିଲେ, 9ଯେଉଁ ନିୟମ ସେ ଅବ୍ରହାମ ସଙ୍ଗେ କରିଥିଲେ ଓ ଆପଣାର ଯେଉଁ ଶପଥ ସେ ଇସ୍ହାକ ନିକଟରେ କରିଥିଲେ, ତାହା ସେ ସଦାକାଳ ସ୍ମରଣ କରିଅଛନ୍ତି।
ଦ୍ୱିତୀୟ ପାଠ
8ବିଶ୍ୱାସ ଦ୍ୱାରା ଅବ୍ରହାମ ଆହ୍ୱାନ ପ୍ରାପ୍ତ ହୁଅନ୍ତେ, ଯେଉଁ ଦେଶ ସେ ଅଧିକାରସ୍ୱରୂପେ ପାଇବାକୁ ଯାଉଥିଲେ, ଆଜ୍ଞାବହ ହୋଇ ସେଠାକୁ ବାହାରିଗଲେ, ପୁଣି, ସେ କେଉଁଠାକୁ ଯାଉଅଛନ୍ତି, ତାହା ନ ଜାଣି ସୁଦ୍ଧା ବାହାରିଗଲେ। 11ବିଶ୍ୱାସ ଦ୍ୱାରା ସାରା ନିଜେ ମଧ୍ୟ ପ୍ରତିଜ୍ଞାକାରୀଙ୍କୁ ବିଶ୍ୱସ୍ତ ଜ୍ଞାନ କରି ଗତବୟସ୍କା ହେଲେ ହେଁ ଗର୍ଭଧାରଣ କରିବାକୁ ଶକ୍ତି ପ୍ରାପ୍ତ ହେଲେ; 12ଏହେତୁରୁ ମଧ୍ୟ ମୃତକଳ୍ପ ଜଣେ ବ୍ୟକ୍ତିଙ୍କଠାରୁ ଆକାଶର ନକ୍ଷତ୍ରଗଣ ପରି ଅସଂଖ୍ୟ ଓ ସମୁଦ୍ରତୀରସ୍ଥ ବାଲୁକା ପରି ଅଗଣ୍ୟ ଏକ ଜାତି ଉତ୍ପନ୍ନ ହେଲା। 17ବିଶ୍ୱାସ ଦ୍ୱାରା ଅବ୍ରହାମ ପରୀକ୍ଷିତ ହୋଇ ଇସ୍ହାକଙ୍କୁ ଉତ୍ସର୍ଗ କଲେ, ହଁ, ଯେଉଁ ବ୍ୟକ୍ତି ପ୍ରତିଜ୍ଞାସମୂହ ପ୍ରାପ୍ତ ହୋଇଥିଲେ, ଯାହାଙ୍କୁ କୁହାଯାଇଥିଲା ଯେ, 18ଇସ୍ହାକଙ୍କଠାରୁ ତୁମ୍ଭର ବଂଶ ଖ୍ୟାତ ହେବ, ସେହି ବ୍ୟକ୍ତି ଆପଣାର ଅଦ୍ୱିତୀୟ ପୁତ୍ରଙ୍କୁ ଉତ୍ସର୍ଗ କରିବାକୁ ଯାଉଥିଲେ, 19କାରଣ ଈଶ୍ବର ଯେ ମୃତମାନଙ୍କ ମଧ୍ୟରୁ ସୁଦ୍ଧା ଉତ୍ଥାପନ କରିବାକୁ ସମର୍ଥ, ଆକ୍ଷରିକ ଭାବେ, ସେ ମଧ୍ୟ ତାହାଙ୍କୁ ଦୃଷ୍ଟାନ୍ତଭାବେ ମୃତ୍ୟୁରୁ ଫେରି ପାଇଲେ।
ସୁସମାଚାର
22ପରେ ଯେତେବେଳେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ମରୀୟମଙ୍କ ଶୁଚି ହେବା ସମୟ ପୂର୍ଣ୍ଣ ହେଲା, 23ସେତେବେଳେ ପ୍ରତ୍ୟେକ ପ୍ରଥମଜାତ ପୁତ୍ରସନ୍ତାନ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ବୋଲି ଗଣିତ ହେବେ, 24ପ୍ରଭୁଙ୍କ ବ୍ୟବସ୍ଥାରେ ଲିଖିତ ଏହି ଆଜ୍ଞାନୁସାରେ ସେମାନେ ତାହାଙ୍କୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ନିମନ୍ତେ ଓ ପ୍ରଭୁଙ୍କ ବ୍ୟବସ୍ଥାରେ ଲେଖାଯାଇଥିବା ଅନୁସାରେ ଦୁଇଟି ଘୁଘୁ ବା ଦୁଇଟି କାପ୍ତାଛୁଆ ବଳିଦାନ କରିବା ସକାଶେ ତାହାଙ୍କୁ ଯିରୂଶାଲମ ସହରକୁ ନେଇଗଲେ। 25ଆଉ ଦେଖ, ଯିରୂଶାଲମ ସହରରେ ଶିମିୟୋନ ନାମକ ଜଣେ ଧାର୍ମିକ ଓ ଭକ୍ତ ବ୍ୟକ୍ତି ଥିଲେ; ସେ ଇସ୍ରାଏଲର ସାନ୍ତ୍ୱନା ଅପେକ୍ଷା କରୁଥିଲେ, ପୁଣି, ପବିତ୍ର ଆତ୍ମା ତାହାଙ୍କଠାରେ ଅଧିଷ୍ଠାନ କରିଥିଲେ। 26ପ୍ରଭୁ ଖ୍ରୀଷ୍ଟଙ୍କର ଦର୍ଶନ ନ ପାଇଲେ ତାହାଙ୍କର ଯେ ମୃତ୍ୟୁ ହେବ ନାହିଁ, ପବିତ୍ର ଆତ୍ମାଙ୍କ ଦ୍ୱାରା ତାହାଙ୍କୁ ଏହି ପ୍ରତ୍ୟାଦେଶ ଦିଆଯାଇଥିଲା। 27ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ ମନ୍ଦିରକୁ ଆସିଲେ, ପୁଣି, ଶିଶୁ ଯୀଶୁଙ୍କ ପିତାମାତା ଯେତେବେଳେ ତାହାଙ୍କ ବିଷୟରେ ମୋଶାଙ୍କ ବ୍ୟବସ୍ଥାର ନିୟମ ଅନୁଯାୟୀ କର୍ମ କରିବା ନିମନ୍ତେ ତାହାଙ୍କୁ ଭିତରକୁ ଆଣିଲେ, 28ସେତେବେଳେ ସେ ତାହାଙ୍କୁ କୋଳରେ ଘେନି ଈଶ୍ବରଙ୍କ ପ୍ରଶଂସା କରି କହିଲେ, 29“ହେ ପ୍ରଭୁ, ଏବେ ତୁମ୍ଭେ ଆପଣା ବାକ୍ୟ ଅନୁସାରେ ନିଜ ଦାସକୁ ଶାନ୍ତିରେ ଯିବାକୁ ଦେଉଅଛ; 30କାରଣ ମୋହର ଚକ୍ଷୁ ତୁମ୍ଭର ପରିତ୍ରାଣ ଦେଖିଅଛି, 31ଯାହା ତୁମ୍ଭେ ସମସ୍ତ ଲୋକମାନଙ୍କ ସମ୍ମୁଖରେ ପ୍ରସ୍ତୁତ କରି, 32ଅଣଯିହୁଦୀମାନଙ୍କ ପ୍ରତି ସତ୍ୟ ପ୍ରକାଶକ ଆଲୋକ, ପୁଣି, ତୁମ୍ଭ ଲୋକ ଇସ୍ରାଏଲର ଗୌରବସ୍ୱରୂପ କରିଅଛ।” 33ତାହାଙ୍କ ସମ୍ବନ୍ଧୀୟ କୁହାଯାଇଥିବା ସମସ୍ତ ବିଷୟରେ ତାହାଙ୍କ ପିତାମାତା ଚମତ୍କୃତ ହେଉଥିଲେ। 34ଆଉ, ଶିମିୟୋନ ସେମାନଙ୍କୁ ଆଶୀର୍ବାଦ କରି ତାହାଙ୍କ ମାତା ମରୀୟମଙ୍କୁ କହିଲେ, ଦେଖ, ଯେପରି ଅନେକଙ୍କ ହୃଦୟର ଭାବନା ପ୍ରକାଶିତ ହୁଏ, 35ସେଥିପାଇଁ ଏହି ଶିଶୁ ଇସ୍ରାଏଲ ମଧ୍ୟରେ ଅନେକଙ୍କ ପତନ ଓ ଉତ୍ଥାନ ନିମନ୍ତେ ଏବଂ ଯାହା ବିରୁଦ୍ଧରେ କଥା କୁହାଯିବ, ଏପରି ଚିହ୍ନ ହେବା ନିମନ୍ତେ ନିରୂପିତ, ପୁଣି, ତୁମ୍ଭ ନିଜ ପ୍ରାଣକୁ ମଧ୍ୟ ଖଡ୍ଗ ବିଦ୍ଧ କରିବ। 36ଆଉ ହାନ୍ନା ନାମ୍ନୀ ଜଣେ ଭାବବାଦିନୀ ଥିଲେ; ସେ ଆଶେର ବଂଶଜ ଫିନୂୟେଲଙ୍କ କନ୍ୟା। ତାହାଙ୍କର ଅନେକ ବୟସ ହୋଇଥିଲା; ସେ କୁମାରୀ ଅବସ୍ଥା ପରେ ସାତ ବର୍ଷ ସ୍ୱାମୀଙ୍କ ସହିତ ବାସ କରିଥିଲେ ଓ ଚଊରାଅଶୀ ବର୍ଷ ପର୍ଯ୍ୟନ୍ତ ବିଧବା ହୋଇ ରହିଥିଲେ। 37ସେ ମନ୍ଦିର ନ ଛାଡ଼ି ଉପବାସ ଓ ନିବେଦନ ସହ ଦିନରାତି ଉପାସନା କରୁଥିଲେ। 38ସେହି ଦଣ୍ଡରେ ସେ ଉପସ୍ଥିତ ହୋଇ ଈଶ୍ବରଙ୍କ ପ୍ରଶଂସା କରୁ କରୁ ଯିରୂଶାଲମ ସହରର ମୁକ୍ତି ଅପେକ୍ଷାରେ ଥିବା ସମସ୍ତଙ୍କୁ ତାହାଙ୍କ ବିଷୟ କହିବାକୁ ଲାଗିଲେ। 39ପରେ ସେମାନେ ପ୍ରଭୁଙ୍କ ବ୍ୟବସ୍ଥାନୁଯାୟୀ ସମସ୍ତ କାର୍ଯ୍ୟ ସମାପ୍ତ କରି ଗାଲିଲୀକୁ, ନିଜ ନଗର ନାଜରିତକୁ ଫେରିଗଲେ। 40ଆଉ, ଶିଶୁ ବୃଦ୍ଧି ପାଇବାକୁ ଲାଗିଲେ ଓ ଜ୍ଞାନରେ ପୂର୍ଣ୍ଣ ହେଉ ହେଉ ଶକ୍ତିମାନ ହେଲେ, ପୁଣି, ଈଶ୍ବରଙ୍କ ଅନୁଗ୍ରହ ତାହାଙ୍କ ଉପରେ ଥିଲା।
ଆଜିର ସନ୍ଥ
- ସନ୍ଥ ଯୋହନ, ପ୍ରେରିତ ଓ ସୁସମାଚାର ଲେଖକ
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର