Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ପାଖାପାଖି ରାଜାବଳୀ ଓ ବଂଶାବଳୀ › ଯିହୁଦାର ରାଜାଗଣ

ପାଖାପାଖି ରାଜାବଳୀ ଓ ବଂଶାବଳୀ · ଯିହୁଦାର ରାଜାଗଣ

ଇସ୍ରାଏଲ ରିହବୀୟାମଙ୍କ ବିରୁଦ୍ଧରେ ବିଦ୍ରୋହ କରେ

ପ୍ର.ରା 12:1–19 · ଦ୍ଵି.ବଂ 10:1–19

ପ୍ରଥମ ରାଜାବଳୀ

ପ୍ର.ରା 12:1–19

1ଏଥିଉତ୍ତାରେ ରିହବୀୟାମ ଶିଖିମକୁ ଗଲେ; କାରଣ ସମୁଦାୟ ଇସ୍ରାଏଲ ତାଙ୍କୁ ରାଜା କରିବା ନିମନ୍ତେ ଶିଖିମରେ ଉପସ୍ଥିତ ହୋଇଥିଲେ।

2ଏଥିମଧ୍ୟରେ ନବାଟର ପୁତ୍ର ସେହି ଯେ ଯାରବୀୟାମ ଶଲୋମନ ରାଜାଙ୍କର ଛାମୁରୁ ପଳାଇ ମିସରରେ ଏଯାଏ ଥିଲେ, ସେ ତାଙ୍କର ମୃତ୍ୟୁ ସମ୍ବାଦ ପାଇଲେ; ସେ ମିସରରେ ବାସ କରୁଥିବା ବେଳେ ଲୋକମାନେ ତାଙ୍କୁ ଡକାଇ ପଠାଇଲେ।

3ତହିଁରେ ଯାରବୀୟାମ ଓ ଇସ୍ରାଏଲର ସମସ୍ତ ସମାଜ ରିହବୀୟାମଙ୍କ ନିକଟକୁ ଆସି ଏହି କଥା କହିଲେ,

4“ଆପଣଙ୍କ ପିତା ଆମ୍ଭମାନଙ୍କ ଯୁଆଳି ଅସହ୍ୟ କରିଥିଲେ; ଏହେତୁ ଆପଣଙ୍କ ପିତା ଆମ୍ଭମାନଙ୍କ ଉପରେ ଯେଉଁ ଅସହ୍ୟ ଦାସ୍ୟକର୍ମର ଭାର ଓ ଭାରୀ ଯୁଆଳି ଦେଇଥିଲେ, ତାହା ଆପଣ ହାଲୁକା କରନ୍ତୁ; ତହିଁରେ ଆମ୍ଭେମାନେ ଆପଣଙ୍କ ସେବା କରିବୁ।”

5ତହୁଁ ସେ ସେମାନଙ୍କୁ କହିଲେ, “ଏବେ ଯାଅ, ତିନି ଦିନ ଉତ୍ତାରେ ପୁନର୍ବାର ମୋʼ ନିକଟକୁ ଆସ।” ତହିଁରେ ଲୋକମାନେ ଚାଲିଗଲେ।

6ଏଥିଉତ୍ତାରେ ରିହବୀୟାମ ରାଜା ଆପଣା ପିତା ଶଲୋମନଙ୍କର ଜୀବନ କାଳରେ ଯେଉଁ ପ୍ରାଚୀନମାନେ ତାଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ, ସେମାନଙ୍କ ସହିତ ପରାମର୍ଶ କରି କହିଲେ, “ଏହି ଲୋକମାନଙ୍କୁ ଉତ୍ତର ଦେବା ପାଇଁ ତୁମ୍ଭେମାନେ ମୋତେ କି ପରାମର୍ଶ ଦେଉଅଛ?”

7ତେବେ ସେମାନେ ତାଙ୍କୁ କହିଲେ, “ତୁମ୍ଭେ ଯେବେ ଆଜି ଏହି ଲୋକମାନଙ୍କର ସେବକ ହେବ ଓ ସେମାନଙ୍କର ସେବା କରି ସେମାନଙ୍କୁ ଉତ୍ତର ଦେବ ଓ ସେମାନଙ୍କୁ ଉତ୍ତମ ବାକ୍ୟ କହିବ, ତେବେ ସେମାନେ ସର୍ବଦା ତୁମ୍ଭର ଦାସ ହୋଇ ରହିବେ।”

8ମାତ୍ର ସେ ସେହି ପ୍ରାଚୀନମାନଙ୍କ ଦତ୍ତ ପରାମର୍ଶ ତ୍ୟାଗ କରି ଯେଉଁ ଯୁବାମାନେ ତାଙ୍କ ସଙ୍ଗେ ବଢ଼ି ତାଙ୍କ ସମ୍ମୁଖରେ ଛିଡ଼ା ହେଉଥିଲେ, ସେମାନଙ୍କ ସଙ୍ଗେ ପରାମର୍ଶ କଲେ।

9ପୁଣି, ସେ ସେମାନଙ୍କୁ କହିଲେ, “ଏହି ଲୋକମାନେ ମୋତେ କହୁଛନ୍ତି, ‘ତୁମ୍ଭ ପିତା ଆମ୍ଭମାନଙ୍କ ଉପରେ ଯେଉଁ ଯୁଆଳି ଥୋଇଅଛନ୍ତି, ତାହା ହାଲୁକା କର; ସେମାନଙ୍କୁ ଉତ୍ତର ଦେବା ପାଇଁ ତୁମ୍ଭେମାନେ ଆମ୍ଭଙ୍କୁ କି ପରାମର୍ଶ ଦେଉଅଛ?’”

10ତହିଁରେ ତାଙ୍କ ସଙ୍ଗେ ବଢ଼ିଥିବା ଯୁବାମାନେ ତାଙ୍କୁ କହିଲେ, “ତୁମ୍ଭ ପିତା ଆମ୍ଭମାନଙ୍କ ଯୁଆଳି ଭାରୀ କରିଅଛନ୍ତି, ‘ତୁମ୍ଭେ ଆମ୍ଭମାନଙ୍କ ପାଇଁ ତାହା ହାଲୁକା କର ବୋଲି କହୁଛନ୍ତି ଏହି ଯେଉଁ ଲୋକମାନେ, ସେମାନଙ୍କୁ ତୁମ୍ଭେ ଏପରି କହିବ; ମୋର କନିଷ୍ଠ ଅଙ୍ଗୁଳି ମୋʼ ପିତାଙ୍କ କଟିଠାରୁ ମୋଟ।

11ଏଥିପାଇଁ ମୋʼ ପିତା ଯେଉଁ ଭାରୀ ଯୁଆଳି ତୁମ୍ଭମାନଙ୍କ ଉପରେ ଥୋଇଅଛନ୍ତି, ମୁଁ ତାହା ଆହୁରି ଭାରୀ କରିବି; ମୋʼ ପିତା କୋରଡ଼ାରେ ତୁମ୍ଭମାନଙ୍କୁ ଶାସ୍ତି ଦେଲେ, ମାତ୍ର ମୁଁ ବିଚ୍ଛାରେ ତୁମ୍ଭମାନଙ୍କୁ ଶାସ୍ତି ଦେବି।’”

12ତୃତୀୟ ଦିନରେ ମୋʼ ନିକଟକୁ ପୁଣି, ଆସ ବୋଲି ରାଜା ଯେଉଁ ଆଜ୍ଞା ଦେଇଥିଲେ, ତଦନୁସାରେ ଯାରବୀୟାମ ଓ ସମସ୍ତ ଲୋକ ରିହବୀୟାମଙ୍କ ନିକଟକୁ ଆସିଲେ।

13ତହିଁରେ ପ୍ରାଚୀନମାନଙ୍କ ଦତ୍ତ ପରାମର୍ଶ ତ୍ୟାଗ କରି ରାଜା ଲୋକମାନଙ୍କୁ କଟୁ ଉତ୍ତର ଦେଲେ;

14ପୁଣି, ଯୁବାମାନଙ୍କ ପରାମର୍ଶନୁସାରେ ଲୋକମାନଙ୍କୁ କହିଲେ, “ମୋʼ ପିତା ତୁମ୍ଭମାନଙ୍କ ଉପରେ ଭାରୀ ଯୁଆଳି ଥୋଇଥିଲେ, ମାତ୍ର ମୁଁ ତୁମ୍ଭମାନଙ୍କ ଯୁଆଳି ଆହୁରି ଭାରୀ କରିବି; ମୋʼ ପିତା କୋରଡ଼ାରେ ତୁମ୍ଭମାନଙ୍କୁ ଶାସ୍ତି ଦେଇଥିଲେ, ମାତ୍ର ମୁଁ ବିଚ୍ଛାରେ ତୁମ୍ଭମାନଙ୍କୁ ଶାସ୍ତି ଦେବି।”

15ଏହିରୂପେ ରାଜା ଲୋକମାନଙ୍କ କଥା ଶୁଣିଲେ ନାହିଁ; କାରଣ ସଦାପ୍ରଭୁ ଶୀଲୋନୀୟ ଅହୀୟ ଦ୍ୱାରା ନବାଟର ପୁତ୍ର ଯାରବୀୟାମଙ୍କୁ ଯାହା କହିଥିଲେ, ଆପଣାର ସେହି କଥା ସଫଳ କରିବା ନିମନ୍ତେ ଏହା ସଦାପ୍ରଭୁଙ୍କ ଆଡ଼ୁ ଘଟିଲା।

16ଯେତେବେଳେ ସମଗ୍ର ଇସ୍ରାଏଲ ଦେଖିଲେ ଯେ, ରାଜା ସେମାନଙ୍କ କଥା ଶୁଣିଲେ ନାହିଁ, ସେତେବେଳେ ଲୋକମାନେ ରାଜାଙ୍କୁ ଉତ୍ତର କରି କହିଲେ, “ଦାଉଦଙ୍କଠାରେ ଆମ୍ଭମାନଙ୍କର କି ଅଂଶ ଅଛି? ଏଣିକି ଯିଶୀର ପୁତ୍ରଠାରେ; ଆମ୍ଭମାନଙ୍କର ଅଧିକାର ନାହିଁ; ହେ ଇସ୍ରାଏଲ, ଆପଣା ଆପଣା ତମ୍ବୁକୁ ଯାଅ; ହେ ଦାଉଦ, ତୁମ୍ଭେ ଏବେ ଆପଣା ଘର କଥା ବୁଝ। ତହୁଁ ଇସ୍ରାଏଲୀୟମାନେ ଆପଣା ଆପଣା ତମ୍ବୁକୁ ଚାଲିଗଲେ।”

17ତଥାପି ଇସ୍ରାଏଲର ଯେଉଁ ସନ୍ତାନମାନେ ଯିହୁଦାର ନାନା ନଗରରେ ବାସ କଲେ, ସେମାନଙ୍କ ଉପରେ ରିହବୀୟାମ ରାଜ୍ୟ କଲେ।

18ଏଥିଉତ୍ତାରେ ରିହବୀୟାମ ରାଜା ବେଠିକର୍ମାଧ୍ୟକ୍ଷ ଅଦୋନୀରାମ୍‍କୁ ପଠାଇଲେ; ମାତ୍ର ସମୁଦାୟ ଇସ୍ରାଏଲ ତାହାକୁ ପ୍ରସ୍ତରାଘାତ କରନ୍ତେ, ସେ ମଲା। ତହିଁରେ ରିହବୀୟାମ ରାଜା ଯିରୂଶାଲମକୁ ପଳାଇବା ପାଇଁ ଶୀଘ୍ର ରଥ ଉପରେ ଚଢ଼ିଲେ।

19ଏହିରୂପେ ଇସ୍ରାଏଲ ଆଜି ପର୍ଯ୍ୟନ୍ତ ଦାଉଦ-ବଂଶର ବିଦ୍ରୋହୀ ହେଲେ।

ଦ୍ୱିତୀୟ ବଂଶାବଳୀ

ଦ୍ଵି.ବଂ 10:1–19

1ଏଥିଉତ୍ତାରେ ରିହବୀୟାମ ଶିଖିମକୁ ଗଲେ; କାରଣ ସମୁଦାୟ ଇସ୍ରାଏଲ ତାଙ୍କୁ ରାଜା କରିବା ନିମନ୍ତେ ଶିଖିମରେ ଉପସ୍ଥିତ ହୋଇଥିଲେ।

2ଏଥିମଧ୍ୟରେ ନବାଟର ପୁତ୍ର ଯାରବୀୟାମ, ଯେ ଶଲୋମନ ରାଜାଙ୍କ ଛାମୁରୁ ପଳାଇ ମିସରରେ ଥିଲେ, ସେହି ଯାରବୀୟାମ ସମ୍ବାଦ ପାଇ ମିସରରୁ ଫେରି ଆସିଲେ।

3ଆଉ, ଲୋକମାନେ ତାଙ୍କୁ ଡକାଇ ପଠାଇଲେ; ତହିଁରେ ଯାରବୀୟାମ ଓ ସମଗ୍ର ଇସ୍ରାଏଲ ଆସି ରିହବୀୟାମଙ୍କୁ ଏହି କଥା କହିଲେ;

4“ଆପଣଙ୍କ ପିତା ଆମ୍ଭମାନଙ୍କ ଯୁଆଳି ଅସହ୍ୟ କରିଥିଲେ; ଏହେତୁ ଆପଣଙ୍କ ପିତା ଆମ୍ଭମାନଙ୍କ ଉପରେ ଯେଉଁ ଅସହ୍ୟ ଦାସ୍ୟକର୍ମର ଭାର ଓ ଭାରୀ ଯୁଆଳି ଦେଇଥିଲେ, ତାହା ଆପଣ ହାଲୁକା କରନ୍ତୁ; ତହିଁରେ ଆମ୍ଭେମାନେ ଆପଣଙ୍କର ସେବା କରିବୁ।”

5ତହୁଁ ସେ ସେମାନଙ୍କୁ କହିଲେ, “ତିନି ଦିନ ଉତ୍ତାରେ ପୁନର୍ବାର ଆମ୍ଭ ନିକଟକୁ ଆସ” ତହିଁରେ ଲୋକମାନେ ଚାଲିଗଲେ।

6ଏଉତ୍ତାରେ ରିହବୀୟାମ ରାଜା ଆପଣା ପିତା ଶଲୋମନଙ୍କର ଜୀବିତ କାଳରେ ଯେଉଁ ପ୍ରାଚୀନମାନେ ତାଙ୍କ ସମ୍ମୁଖରେ ଠିଆ ହେଉଥିଲେ, ସେମାନଙ୍କ ସହିତ ପରାମର୍ଶ କରି କହିଲେ, “ଏହି ଲୋକମାନଙ୍କୁ ଉତ୍ତର ଦେବା ପାଇଁ ତୁମ୍ଭେମାନେ ମୋତେ କି ପରାମର୍ଶ ଦେଉଅଛ?”

7ତେବେ ସେମାନେ ତାଙ୍କୁ କହିଲେ, “ଯେବେ ତୁମ୍ଭେ ଏହି ଲୋକମାନଙ୍କ ପ୍ରତି ଦୟାଳୁ ହୋଇ ସେମାନଙ୍କୁ ସନ୍ତୁଷ୍ଟ କରିବ ଓ ସେମାନଙ୍କୁ ଉତ୍ତମ ବାକ୍ୟ କହିବ, ତେବେ ସେମାନେ ସର୍ବଦା ତୁମ୍ଭର ଦାସ ହୋଇ ରହିବେ।”

8ମାତ୍ର ସେ ସେହି ପ୍ରାଚୀନମାନଙ୍କ ଦତ୍ତ ପରାମର୍ଶ ତ୍ୟାଗ କରି ଯେଉଁ ଯୁବାମାନେ ତାଙ୍କ ସଙ୍ଗେ ବଢ଼ି ତାଙ୍କ ସମ୍ମୁଖରେ ଠିଆ ହେଉଥିଲେ, ସେମାନଙ୍କ ସଙ୍ଗେ ପରାମର୍ଶ କଲେ।

9ପୁଣି, ସେ ସେମାନଙ୍କୁ କହିଲେ, “ଏହି ଲୋକମାନେ ଆମ୍ଭକୁ କହୁଅଛନ୍ତି, ‘ତୁମ୍ଭ ପିତା ଆମ୍ଭମାନଙ୍କ ଉପରେ ଯେଉଁ ଯୁଆଳି ଥୋଇଅଛନ୍ତି, ତାହା ହାଲୁକା କର; ସେମାନଙ୍କୁ ଉତ୍ତର ଦେବା ପାଇଁ ତୁମ୍ଭେମାନେ ଆମ୍ଭକୁ କି ପରାମର୍ଶ ଦେଉଅଛ?’”

10ତହିଁରେ ତାଙ୍କ ସଙ୍ଗେ ବଢ଼ିଥିବା ଯୁବାମାନେ ତାଙ୍କୁ କହିଲେ, “ତୁମ୍ଭ ପିତା ଆମ୍ଭମାନଙ୍କ ଯୁଆଳି ଭାରୀ କରିଅଛନ୍ତି, ‘ତୁମ୍ଭେ ଆମ୍ଭମାନଙ୍କ ପାଇଁ ତାହା ହାଲୁକା କର’ ବୋଲି କହୁଛନ୍ତି ଏହି ଯେଉଁ ଲୋକମାନେ, ସେମାନଙ୍କୁ ତୁମ୍ଭେ ଏପରି କହିବ, ‘ମୋହର କନିଷ୍ଠ ଅଙ୍ଗୁଳି ମୋହର ପିତାଙ୍କ କଟିଠାରୁ ମୋଟା।

11ଏଥିପାଇଁ ମୋର ପିତା ଯେଉଁ ଭାରୀ ଯୁଆଳି ତୁମ୍ଭମାନଙ୍କ ଉପରେ ଥୋଇଅଛନ୍ତି, ମୁଁ ତାହା ଆହୁରି ଭାରୀ କରିବି; ମୋର ପିତା କୋରଡ଼ାରେ ତୁମ୍ଭମାନଙ୍କୁ ଶାସ୍ତି ଦେଲେ, ମାତ୍ର ମୁଁ ବିଚ୍ଛାରେ ତୁମ୍ଭମାନଙ୍କୁ ଶାସ୍ତି ଦେବି।’”

12ଏଥିରେ “ତୃତୀୟ ଦିନରେ ମୋʼ ନିକଟକୁ ପୁଣି ଆସ” ବୋଲି ରାଜା ଯେଉଁ ଆଜ୍ଞା ଦେଇଥିଲେ, ତଦନୁସାରେ ଯାରବୀୟାମ ଓ ସମସ୍ତ ଲୋକ ତୃତୀୟ ଦିନ ରିହବୀୟାମଙ୍କ ନିକଟକୁ ଆସିଲେ

13ତହିଁରେ ରାଜା ସେମାନଙ୍କୁ କଟୁ ଉତ୍ତର ଦେଲେ। ପୁଣି ରିହବୀୟାମ ରାଜା ପ୍ରାଚୀନମାନଙ୍କ ଦତ୍ତ ପରାମର୍ଶ ତ୍ୟାଗ କରି

14ସେହି ଯୁବାମାନଙ୍କ ମନ୍ତ୍ରଣାନୁସାରେ ସେମାନଙ୍କୁ ଏହି କଥା କହିଲେ, “ମୋହର ପିତା ତୁମ୍ଭମାନଙ୍କ ଯୁଆଳି ଭାରୀ କରିଥିଲେ, ମାତ୍ର ମୁଁ ତାହା ଆହୁରି ଭାରୀ କରିବି; ମୋʼ ପିତା କୋରଡ଼ାରେ ତୁମ୍ଭମାନଙ୍କୁ ଶାସ୍ତି ଦେଇଥିଲେ, ମାତ୍ର ମୁଁ ବିଚ୍ଛାରେ ତୁମ୍ଭମାନଙ୍କୁ ଶାସ୍ତି ଦେବି।”

15ଏରୂପେ ରାଜା ଲୋକମାନଙ୍କ କଥା ଶୁଣିଲେ ନାହିଁ; କାରଣ ସଦାପ୍ରଭୁ ଶୀଲୋନୀୟ ଅହୀୟ ହାତରେ ନବାଟର ପୁତ୍ର ଯାରବୀୟାମଙ୍କୁ ଯାହା କହିଥିଲେ, ଆପଣାର ସେହି କଥା ସଫଳ କରିବା ନିମନ୍ତେ ଏହା ପରମେଶ୍ୱରଙ୍କ ଆଡ଼ୁ ଘଟିଲା।

16ଯେତେବେଳେ ସମଗ୍ର ଇସ୍ରାଏଲ ଦେଖିଲେ ଯେ, ରାଜା ସେମାନଙ୍କ କଥା ଶୁଣିଲେ ନାହିଁ, ସେତେବେଳେ ଲୋକମାନେ ରାଜାଙ୍କୁ ଉତ୍ତର କରି କହିଲେ, “ଦାଉଦଙ୍କଠାରେ ଆମ୍ଭମାନଙ୍କର କେଉଁ ଅଂଶ ଅଛି? ଯିଶୀର ପୁତ୍ରଠାରେ ଆମ୍ଭମାନଙ୍କର କୌଣସି ଅଧିକାର ନାହିଁ; ହେ ଇସ୍ରାଏଲ, ପ୍ରତ୍ୟେକେ ଆପଣା ଆପଣା ତମ୍ବୁକୁ ଯାଅ; ହେ ଦାଉଦ, ତୁମ୍ଭେ ଏବେ ଆପଣା ନିଜ ଘର କଥା ବୁଝ।” ତହୁଁ ଇସ୍ରାଏଲ ଲୋକ ସମସ୍ତେ ଆପଣା ଆପଣା ତମ୍ବୁକୁ ଚାଲିଗଲେ।

17ତଥାପି ଇସ୍ରାଏଲର ଯେଉଁ ସନ୍ତାନମାନେ ଯିହୁଦାର ନାନା ନଗରରେ ବାସ କଲେ, ସେମାନଙ୍କ ଉପରେ ରିହବୀୟାମ ରାଜ୍ୟ କଲେ।

18ଏଥିଉତ୍ତାରେ ରିହବୀୟାମ ରାଜା ବେଠିକର୍ମାଧ୍ୟକ୍ଷ ହଦୋରାମକୁ ପଠାଇଲେ; ମାତ୍ର ଇସ୍ରାଏଲ ସନ୍ତାନମାନେ ତାହାକୁ ପ୍ରସ୍ତରାଘାତ କରନ୍ତେ, ସେ ମଲା। ତହିଁରେ ରିହବୀୟାମ ରାଜା ଯିରୂଶାଲମକୁ ପଳାଇବା ପାଇଁ ଶୀଘ୍ର ରଥ ଉପରେ ଚଢ଼ିଲେ।

19ଏହିରୂପେ ଇସ୍ରାଏଲ ଆଜି ପର୍ଯ୍ୟନ୍ତ ଦାଉଦ-ବଂଶର ବିଦ୍ରୋହୀ ହେଲେ।

ଚିହ୍ନିତ: ଆପଣ ପଢ଼ୁଥିବା ଅନୁବାଦରେ ପ୍ରତ୍ୟେକ ବିବରଣରେ ଥିବା ଶବ୍ଦ। ସବୁଠାରୁ ବାରମ୍ବାର ଶବ୍ଦ (“ଓ”, “ସେ”) ଚିହ୍ନିତ ହୁଏ ନାହିଁ; ଅନ୍ୟ ରୂପରେ ଥିବା ଶବ୍ଦ ଚିହ୍ନିତ ନ ହୋଇପାରେ।

ଉତ୍ସ: OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର