Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ପାଖାପାଖି ରାଜାବଳୀ ଓ ବଂଶାବଳୀ › ଶଲୋମନ

ପାଖାପାଖି ରାଜାବଳୀ ଓ ବଂଶାବଳୀ · ଶଲୋମନ

ସଦାପ୍ରଭୁ ପୁନର୍ବାର ଶଲୋମନଙ୍କୁ ଦର୍ଶନ ଦିଅନ୍ତି

ପ୍ର.ରା 9:1–9 · ଦ୍ଵି.ବଂ 7:11–22

ପ୍ରଥମ ରାଜାବଳୀ

ପ୍ର.ରା 9:1–9

1ଏଥିଉତ୍ତାରେ ଶଲୋମନ ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ଓ ଆପଣାର ଇଚ୍ଛାମତ ଯେଉଁ ସମସ୍ତ କର୍ମ କରିବାକୁ ସନ୍ତୁଷ୍ଟ ହେଲେ, ସେସବୁର ନିର୍ମାଣ ସମାପ୍ତ କରନ୍ତେ,

2ସଦାପ୍ରଭୁ ଯେପରି ଶଲୋମନଙ୍କୁ ଗିବୀୟୋନ୍‍ରେ ଦର୍ଶନ ଦେଇଥିଲେ, ସେପରି ଦ୍ୱିତୀୟ ଥର ତାଙ୍କୁ ଦର୍ଶନ ଦେଲେ।

3ପୁଣି, ସଦାପ୍ରଭୁ ତାଙ୍କୁ କହିଲେ, “ତୁମ୍ଭେ ଆମ୍ଭ ସାକ୍ଷାତରେ ଯେଉଁ ପ୍ରାର୍ଥନା ଓ ବିନତି କରିଅଛ, ତାହା ଆମ୍ଭେ ଶୁଣିଲୁ; ଆମ୍ଭର ନାମ ସଦାକାଳ ସ୍ଥାପନ କରିବା ନିମନ୍ତେ ତୁମ୍ଭେ ଏହି ଯେଉଁ ଗୃହ ନିର୍ମାଣ କରିଅଛ, ତାହା ଆମ୍ଭେ ପବିତ୍ର କଲୁ, ପୁଣି, ତହିଁ ପ୍ରତି ଆମ୍ଭ ଦୃଷ୍ଟି ଓ ଆମ୍ଭ ଅନ୍ତଃକରଣ ନିତ୍ୟ ରହିବ।

4ଆଉ ଆମ୍ଭେ ତୁମ୍ଭକୁ ଯେଉଁ ସମସ୍ତ ଆଜ୍ଞା ଦେଇଅଛୁ, ତଦନୁସାରେ କର୍ମ କରିବା ପାଇଁ ଯଦି ତୁମ୍ଭେ ଆପଣା ପିତା ଦାଉଦ ପରି ଏକାନ୍ତ ଚିତ୍ତରେ ଓ ସରଳ ଭାବରେ ଆମ୍ଭ ସାକ୍ଷାତରେ ଚାଲିବ, ପୁଣି, ଆମ୍ଭ ବିଧି ଓ ଶାସନ ପାଳନ କରିବ;

5‘ତେବେ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବା ପାଇଁ ତୁମ୍ଭ ବଂଶରେ ଲୋକର ଅଭାବ ହେବ ନାହିଁ,’ ଏହି ଯେଉଁ ପ୍ରତିଜ୍ଞା ଆମ୍ଭେ ତୁମ୍ଭ ପିତା ଦାଉଦ ପ୍ରତି କରିଅଛୁ, ତଦନୁସାରେ ଆମ୍ଭେ ଇସ୍ରାଏଲ ଉପରେ ତୁମ୍ଭ ରାଜସିଂହାସନ ଅନନ୍ତକାଳ ସ୍ଥିର କରିବା।

6ମାତ୍ର ଯଦି ତୁମ୍ଭେମାନେ, ଅବା ତୁମ୍ଭମାନଙ୍କ ସନ୍ତାନମାନେ ଆମ୍ଭ ପଶ୍ଚାତ୍‍ଗମନରୁ ଫେରିବ ଓ ତୁମ୍ଭମାନଙ୍କ ସମ୍ମୁଖରେ ଆମ୍ଭ ସ୍ଥାପିତ ଆଜ୍ଞା ଓ ବିଧି ପାଳନ ନ କରିବ, ମାତ୍ର ଯାଇ ଅନ୍ୟ ଦେବଗଣକୁ ସେବା କରିବ ଓ ସେମାନଙ୍କୁ ପ୍ରଣାମ କରିବ;

7ତେବେ ଆମ୍ଭେ ଇସ୍ରାଏଲକୁ ଯେଉଁ ଦେଶ ଦେଇଅଛୁ, ତହିଁରୁ ସେମାନଙ୍କୁ ଉଚ୍ଛିନ୍ନ କରିବା; ପୁଣି, ଆପଣା ନାମ ନିମନ୍ତେ ଏହି ଯେଉଁ ଗୃହ ପବିତ୍ର କଲୁ, ତାହା ଆପଣା ଦୃଷ୍ଟିରୁ ଦୂର କରିବା ଓ ଇସ୍ରାଏଲ ସମୁଦାୟ ଗୋଷ୍ଠୀ ମଧ୍ୟରେ ଗଳ୍ପର ଓ ଉପହାସର ଏକ ବିଷୟ ହେବ;

8ଆଉ ଏହି ଗୃହ ଏଡ଼େ ଉଚ୍ଚ ହେଲେ ହେଁ, ତହିଁ ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ଚମତ୍କୃତ ହୋଇ ବିଦ୍ରୂପ କରି କହିବେ, ‘ସଦାପ୍ରଭୁ କାହିଁକି ଏହି ଦେଶ ଓ ଏହି ଗୃହ ପ୍ରତି ଏପରି କଲେ?’

9ତହିଁରେ ଲୋକମାନେ ଉତ୍ତର କରିବେ, ‘ସଦାପ୍ରଭୁ ସେମାନଙ୍କ ପରମେଶ୍ୱର, ଯେ ସେମାନଙ୍କ ପିତୃଗଣକୁ ମିସର ଦେଶରୁ ବାହାର କରି ଆଣିଲେ, ତାହାଙ୍କୁ ସେମାନେ ତ୍ୟାଗ କଲେ ଓ ଅନ୍ୟ ଦେବଗଣର ଆଶ୍ରୟ ନେଇ ସେମାନଙ୍କୁ ପ୍ରଣାମ ଓ ସେବା କଲେ; ଏହି ହେତୁ ସଦାପ୍ରଭୁ ସେମାନଙ୍କ ଉପରେ ଏହିସବୁ ଅମଙ୍ଗଳ ଘଟାଇଅଛନ୍ତି।’”

ଦ୍ୱିତୀୟ ବଂଶାବଳୀ

ଦ୍ଵି.ବଂ 7:11–22

11ଏହିରୂପେ ଶଲୋମନ ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ସମାପ୍ତ କଲେ; ପୁଣି ସଦାପ୍ରଭୁଙ୍କ ଗୃହରେ ଓ ଆପଣା ଗୃହରେ ଯାହା ଯାହା କରିବା ପାଇଁ ଶଲୋମନଙ୍କର ମନକୁ ଆସିଲା, ତାହାସବୁ ସେ କୁଶଳରେ ସାଧନ କଲେ।

12ଏଥିଉତ୍ତାରେ ସଦାପ୍ରଭୁ ଶଲୋମନଙ୍କୁ ରାତ୍ରିରେ ଦର୍ଶନ ଦେଇ କହିଲେ, “ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଲୁ ଓ ଏହି ସ୍ଥାନକୁ ବଳିଦାନର ଗୃହ ରୂପେ ଆପଣା ପାଇଁ ମନୋନୀତ କଲୁ।

13ଆମ୍ଭେ ବୃଷ୍ଟି ନୋହିବା ପାଇଁ ଆକାଶ ରୁଦ୍ଧ କଲେ, କିଅବା ଦେଶ ବିନାଶ କରିବା ପାଇଁ ପଙ୍ଗପାଳମାନଙ୍କୁ ଆଜ୍ଞା ଦେଲେ, ଅଥବା ଆମ୍ଭେ ଆପଣା ଲୋକମାନଙ୍କ ମଧ୍ୟକୁ ମହାମାରୀ ପଠାଇଲେ,

14ଯେବେ ଆମ୍ଭ ନାମରେ ବିଖ୍ୟାତ ଆମ୍ଭ ଲୋକମାନେ ଆପଣାମାନଙ୍କୁ ନମ୍ର କରି ପ୍ରାର୍ଥନା କରିବେ ଓ ଆମ୍ଭର ମୁଖ ଅନ୍ୱେଷଣ କରି ଆପଣା ଆପଣା କୁପଥରୁ ଫେରିବେ, ତେବେ ଆମ୍ଭେ ସ୍ୱର୍ଗରୁ ଶୁଣିବା ଓ ସେମାନଙ୍କର ପାପ କ୍ଷମା କରିବା ଓ ସେମାନଙ୍କ ଦେଶ ସୁସ୍ଥ କରିବା।

15ଏହି ସ୍ଥାନରେ ଯେଉଁ ପ୍ରାର୍ଥନା କରାଯାଏ, ତହିଁ ପ୍ରତି ଆମ୍ଭର ଚକ୍ଷୁ ମୁକ୍ତ ଓ ଆମ୍ଭର କର୍ଣ୍ଣ ନିବିଷ୍ଟ ଥିବ।

16କାରଣ ଏହି ଗୃହରେ ଆମ୍ଭର ନାମ ଅନନ୍ତକାଳ ରହିବା ପାଇଁ ଆମ୍ଭେ ତାହା ମନୋନୀତ ଓ ପବିତ୍ର କଲୁ; ଆଉ, ଏହି ସ୍ଥାନ ପ୍ରତି ଆମ୍ଭର ଚକ୍ଷୁ ଓ ଆମ୍ଭର ଚିତ୍ତ ନିରନ୍ତର ଥିବ।

17ପୁଣି ତୁମ୍ଭ ପିତା ଦାଉଦ ଯେପରି ଚାଲିଲେ, ସେପରି ଯେବେ ତୁମ୍ଭେ ଆମ୍ଭ ସମ୍ମୁଖରେ ଚାଲିବ ଓ ଆମ୍ଭେ ତୁମ୍ଭକୁ ଯେସବୁ ଆଜ୍ଞା ଦେଇଅଛୁ, ତଦନୁସାରେ କରିବ, ପୁଣି ଆମ୍ଭର ବିଧି ଓ ଶାସନସବୁ ପାଳନ କରିବ;

18ତେବେ ଇସ୍ରାଏଲ ଉପରେ କର୍ତ୍ତୃତ୍ୱ କରିବା ପାଇଁ ତୁମ୍ଭ ସମ୍ବନ୍ଧୀୟ ଲୋକର ଅଭାବ ନୋହିବ ବୋଲି ଯେଉଁ ନିୟମ ଆମ୍ଭେ ତୁମ୍ଭ ପିତା ଦାଉଦ ସଙ୍ଗେ କରିଅଛୁ, ତଦନୁସାରେ ଆମ୍ଭେ ତୁମ୍ଭର ରାଜସିଂହାସନ ସ୍ଥିର କରିବା।

19ମାତ୍ର ଯେବେ ତୁମ୍ଭେମାନେ ବିମୁଖ ହେବ ଓ ତୁମ୍ଭମାନଙ୍କ ସମ୍ମୁଖରେ ଆମ୍ଭର ସ୍ଥାପିତ ବିଧି ଓ ଆଜ୍ଞାସବୁ ପରିତ୍ୟାଗ କରିବ, ପୁଣି ଯାଇ ଅନ୍ୟ ଦେବଗଣକୁ ସେବା ଓ ପ୍ରଣାମ କରିବ;

20ତେବେ ଆମ୍ଭେ ସେମାନଙ୍କୁ ଦତ୍ତ ଆମ୍ଭ ଦେଶରୁ ସମୂଳେ ଉତ୍ପାଟନ କରିବା; ପୁଣି ଆମ୍ଭ ନାମ ନିମନ୍ତେ ଏହି ଯେଉଁ ଗୃହକୁ ଆମ୍ଭେ ପବିତ୍ର କରିଅଛୁ, ତାହା ଆମ୍ଭ ଦୃଷ୍ଟିରୁ ଦୂର କରିବା ଓ ସକଳ ଗୋଷ୍ଠୀ ମଧ୍ୟରେ ଗଳ୍ପ ଓ ଉପହାସର ବିଷୟ କରିବା।

21ଆଉ, ଏହି ଯେ ଗୃହ ଏଡ଼େ ଉଚ୍ଚ ହୋଇଅଛି, ତହିଁ ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ଚମତ୍କୃତ ହୋଇ ପଚାରିବେ, ‘ଏହି ଦେଶ ଓ ଗୃହ ପ୍ରତି ସଦାପ୍ରଭୁ କାହିଁକି ଏପରି କଲେ?’

22ତହିଁରେ ଲୋକେ ଉତ୍ତର କରି କହିବେ, ‘ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷଗଣର ଯେଉଁ ପରମେଶ୍ୱର ସେମାନଙ୍କୁ ମିସର ଦେଶରୁ ବାହାର କରି ଆଣିଥିଲେ, ତାହାଙ୍କୁ ସେମାନେ ପରିତ୍ୟାଗ କରି ଅନ୍ୟ ଦେବଗଣକୁ ଅବଲମ୍ବନ କଲେ ଓ ସେମାନଙ୍କୁ ପ୍ରଣାମ କରି ସେବା କଲେ; ଏହେତୁ ସେ ସେମାନଙ୍କ ଉପରେ ଏହିସବୁ ଅମଙ୍ଗଳ ବର୍ତ୍ତାଇଅଛନ୍ତି।’”

ଚିହ୍ନିତ: ଆପଣ ପଢ଼ୁଥିବା ଅନୁବାଦରେ ପ୍ରତ୍ୟେକ ବିବରଣରେ ଥିବା ଶବ୍ଦ। ସବୁଠାରୁ ବାରମ୍ବାର ଶବ୍ଦ (“ଓ”, “ସେ”) ଚିହ୍ନିତ ହୁଏ ନାହିଁ; ଅନ୍ୟ ରୂପରେ ଥିବା ଶବ୍ଦ ଚିହ୍ନିତ ନ ହୋଇପାରେ।

ଉତ୍ସ: OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର