1ଏଥିଉତ୍ତାରେ ଶିବା ଦେଶର ରାଣୀ ସଦାପ୍ରଭୁଙ୍କ ନାମ ସମ୍ବନ୍ଧରେ ଶଲୋମନଙ୍କର ସୁଖ୍ୟାତି ଶୁଣି ନିଗୂଢ଼ ପ୍ରଶ୍ନ ଦ୍ୱାରା ତାଙ୍କୁ ପରୀକ୍ଷା କରିବା ପାଇଁ ଆସିଲେ।
2ସେ ସୁଗନ୍ଧି ଦ୍ରବ୍ୟ ଓ ଅତି ପ୍ରଚୁର ସ୍ୱର୍ଣ୍ଣ ଓ ମଣିବାହକ ଉଷ୍ଟ୍ରଗଣ ସଙ୍ଗେ ନେଇ ମହାସମାରୋହରେ ଯିରୂଶାଲମକୁ ଆସିଲା; ପୁଣି, ସେ ଶଲୋମନଙ୍କ ନିକଟକୁ ଆସି ଆପଣା ମନରେ ଯାହା ଯାହା ଥିଲା, ସେସବୁ ବିଷୟରେ ତାଙ୍କ ସଙ୍ଗେ କଥାବାର୍ତ୍ତା କଲେ।
3ତହିଁରେ ଶଲୋମନ ତାହାର ସମସ୍ତ ପ୍ରଶ୍ନର ଉତ୍ତର ଦେଲେ; ରାଜାଙ୍କର ବୋଧଗମ୍ୟ କୌଣସି ବିଷୟ ନ ଥିଲା, ସେ ତାହାକୁ ସବୁ କହିଲେ।
4ପୁଣି, ଶିବାର ରାଣୀ ଶଲୋମନଙ୍କର ସମସ୍ତ ଜ୍ଞାନ, ତାଙ୍କର ନିର୍ମିତ ଗୃହ,
5ତାଙ୍କର ମେଜର ଖାଦ୍ୟଦ୍ରବ୍ୟ, ତାଙ୍କର ଭୃତ୍ୟମାନଙ୍କ ଆସନ, ତାଙ୍କ ମନ୍ତ୍ରୀମାନଙ୍କ ସେବା, ସେମାନଙ୍କ ବସ୍ତ୍ର, ପାନପାତ୍ରବାହକଗଣ ଓ ସେ ସଦାପ୍ରଭୁଙ୍କ ଗୃହରେ କିପରି ଭାବେ ହୋମବଳି ଉତ୍ସର୍ଗ କଲେ, ଏହିସବୁ ଦେଖି ସେ ହତଜ୍ଞାନ ହେଲା।
6ତହୁଁ ସେ ରାଜାଙ୍କୁ କହିଲେ, “ମୁଁ ଆପଣା ଦେଶରେ ଥାଇ ଆପଣଙ୍କ କାର୍ଯ୍ୟ ଓ ଆପଣଙ୍କ ଜ୍ଞାନ ବିଷୟରେ ଯେଉଁ ସମ୍ବାଦ ପାଇଥିଲି, ତାହା ସତ୍ୟ।
7ତଥାପି ମୁଁ ଆସି ଆପଣା ଚକ୍ଷୁରେ ନ ଦେଖିବା ଯାଏ ସେ କଥା ବିଶ୍ୱାସ ନ କଲି; ଆଉ ଦେଖନ୍ତୁ, ଅର୍ଦ୍ଧେକ ମୋତେ କୁହାଯାଇ ନ ଥିଲା; ମୁଁ ଯେଉଁ ସୁଖ୍ୟାତି ଶୁଣିଲି, ତଦପେକ୍ଷା ଆପଣଙ୍କ ଜ୍ଞାନ ଓ ଐଶ୍ୱର୍ଯ୍ୟ ଅଧିକ।
8ଆପଣଙ୍କ ଲୋକମାନେ ଧନ୍ୟ, ଆପଣଙ୍କ ଏହି ଦାସମାନେ ଧନ୍ୟ, ସେମାନେ ନିତ୍ୟ ଆପଣଙ୍କ ସମ୍ମୁଖରେ ଛିଡ଼ା ହୋଇ ଆପଣଙ୍କ ଜ୍ଞାନର କଥା ଶୁଣନ୍ତି।
9ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଧନ୍ୟ, ସେ ଆପଣଙ୍କୁ ଇସ୍ରାଏଲର ସିଂହାସନରେ ଉପବିଷ୍ଟ କରାଇବା ପାଇଁ ଆପଣଙ୍କ ପ୍ରତି ସନ୍ତୁଷ୍ଟ ହେଲେ; ସଦାପ୍ରଭୁ ଇସ୍ରାଏଲକୁ ସଦାକାଳ ପ୍ରେମ କରନ୍ତି, ଏହେତୁ ବିଚାର ଓ ନ୍ୟାୟ କରିବାକୁ ଆପଣଙ୍କୁ ରାଜା କଲେ।”
10ଏଉତ୍ତାରେ ସେ ରାଜାଙ୍କୁ ଏକ ଶହ କୋଡ଼ିଏ ତାଳନ୍ତ ସୁନା, ଆଉ ଅତି ପ୍ରଚୁର ସୁଗନ୍ଧି ଦ୍ରବ୍ୟ ଓ ମଣି ଦେଲା; ଶିବାର ରାଣୀ ଶଲୋମନ ରାଜାଙ୍କୁ ଯେତେ ସୁଗନ୍ଧି ଦ୍ରବ୍ୟ ଦେଲା, ସେତେ ବହୁଳ ପରିମାଣରେ ଆଉ କେବେ ଆସି ନାହିଁ।
11ଆଉ ହୂରମ୍ର ଯେଉଁ ଯେଉଁ ଜାହାଜରେ ଓଫୀରରୁ ସୁନା ଆସିଲା, ସେହି ସବୁରେ ମଧ୍ୟ ଓଫୀରରୁ ଅତି ପ୍ରଚୁର ଚନ୍ଦନ କାଷ୍ଠ ଓ ମଣି ଆସିଲା।
12ସେହି ଚନ୍ଦନ କାଷ୍ଠରେ ରାଜା ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ପାଇଁ ସ୍ତମ୍ଭ ଓ ଗାୟକମାନଙ୍କ ନିମନ୍ତେ ବୀଣା ଓ ନେବଲ ନିର୍ମାଣ କଲେ; ଏରୂପ ଚନ୍ଦନ କାଷ୍ଠ ଆଜି ପର୍ଯ୍ୟନ୍ତ କେବେ ଆସି ନାହିଁ କି ଦେଖାଯାଇ ନାହିଁ।
13ଶିବାର ରାଣୀ ଯାହା ଯାହା ମାଗିଲା, ତାହାର ମନୋବାଞ୍ଛାନୁସାରେ ଶଲୋମନ ରାଜା ତାହାସବୁ ତାହାକୁ ଦେଲେ, ତାହା ଛଡ଼ା ଶଲୋମନ ରାଜଯୋଗ୍ୟ ଦାନାନୁସାରେ ତାହାକୁ ଦେଲେ। ଏଉତ୍ତାରେ ରାଣୀ ଓ ତାହାର ଦାସମାନେ ଫେରି ଆପଣା ଦେଶକୁ ଗଲେ।