Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ପାଖାପାଖି ରାଜାବଳୀ ଓ ବଂଶାବଳୀ › ଯିହୁଦାର ରାଜାଗଣ

ପାଖାପାଖି ରାଜାବଳୀ ଓ ବଂଶାବଳୀ · ଯିହୁଦାର ରାଜାଗଣ

ଯିହୋଶାଫଟ୍‍ଙ୍କ ରାଜତ୍ୱ

ପ୍ର.ରା 22:41–50 · ଦ୍ଵି.ବଂ 20:31–37; 21:1

ପ୍ରଥମ ରାଜାବଳୀ

ପ୍ର.ରା 22:41–50

41ଇସ୍ରାଏଲର ରାଜା ଆହାବଙ୍କ ରାଜତ୍ଵର ଚତୁର୍ଥ ବର୍ଷରେ ଆସାଙ୍କର ପୁତ୍ର ଯିହୋଶାଫଟ୍‍ ଯିହୁଦା ଉପରେ ରାଜତ୍ୱ କରିବାକୁ ଆରମ୍ଭ କଲେ।

42ରାଜ୍ୟ କରିବାର ଆରମ୍ଭରେ ଯିହୋଶାଫଟ୍‍ଙ୍କର ବୟସ ପଞ୍ଚତିରିଶ ବର୍ଷ ହୋଇଥିଲା ଓ ସେ ଯିରୂଶାଲମରେ ପଚିଶ ବର୍ଷ ରାଜ୍ୟ କଲେ। ତାଙ୍କର ମାତାର ନାମ ଅସୂବା, ସେ ଶିଲ୍‍ହିର କନ୍ୟା।

43ଯିହୋଶାଫଟ୍‍ ଆପଣା ପିତା ଆସାଙ୍କର ସମସ୍ତ ପଥରେ ଚାଲିଲେ; ସେ ତହିଁରୁ ବିମୁଖ ନ ହୋଇ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଯଥାର୍ଥ, ତାହା କଲେ; ତଥାପି ଉଚ୍ଚସ୍ଥଳୀମାନ ଉଚ୍ଛିନ୍ନ ନୋହିଲା; ଲୋକମାନେ ସେସମୟରେ ହେଁ ଉଚ୍ଚସ୍ଥଳୀମାନରେ ବଳିଦାନ କଲେ ଓ ଧୂପ ଜ୍ୱଳାଇଲେ।

44ପୁଣି, ଯିହୋଶାଫଟ୍‍ ଇସ୍ରାଏଲର ରାଜାଙ୍କ ସଙ୍ଗେ ସନ୍ଧି ସ୍ଥାପନ କଲେ।

45ଏହି ଯିହୋଶାଫଟ୍‍ଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ପ୍ରକାଶିତ ପରାକ୍ରମ ଓ ସେ କି ପ୍ରକାର ଯୁଦ୍ଧ କଲେ, ତାହାସବୁ କʼଣ ଯିହୁଦାର ରାଜାମାନଙ୍କର ଇତିହାସ ପୁସ୍ତକରେ ଲେଖା ନାହିଁ?

46ତାଙ୍କର ପିତା ଆସାଙ୍କର ସମୟରେ ଯେଉଁ ସଦୋମୀମାନେ ଅବଶିଷ୍ଟ ରହିଥିଲେ, ସେମାନଙ୍କୁ ସେ ଦେଶରୁ ଦୂର କରିଦେଲେ।

47ସେହି ସମୟରେ ଇଦୋମରେ କେହି ରାଜା ନ ଥିଲା; ଜଣେ ପ୍ରତିନିଧି ରାଜ୍ୟ କଲା।

48ଯିହୋଶାଫଟ୍‍ ସୁନା ପାଇଁ ଓଫୀରକୁ ଯିବା ସକାଶେ ତର୍ଶୀଶର ଜାହାଜମାନ ନିର୍ମାଣ କଲେ; ମାତ୍ର ତାହାସବୁ ଗଲା ନାହିଁ; କାରଣ ଇତ୍‍ସିୟୋନ-ଗେବରରେ ଜାହାଜମାନ ଭାଙ୍ଗିଗଲା।

49ତେବେ ଆହାବଙ୍କର ପୁତ୍ର ଅହସୀୟ ଯିହୋଶାଫଟ୍‍ଙ୍କୁ କହିଲେ, “ମୋʼ ଦାସମାନେ ତୁମ୍ଭ ଦାସମାନଙ୍କ ସଙ୍ଗେ ଜାହାଜରେ ଯାଉନ୍ତୁ।” ମାତ୍ର ଯିହୋଶାଫଟ୍‍ ସମ୍ମତ ହେଲେ ନାହିଁ।

50ଏଥିଉତ୍ତାରେ ଯିହୋଶାଫଟ୍‍ ଆପଣା ପିତୃଗଣ ସହିତ ଶୟନ କରି ଆପଣା ପୂର୍ବପୁରୁଷ ଦାଉଦଙ୍କର ନଗରରେ ଆପଣା ପିତୃଲୋକଙ୍କ ସହିତ କବରପ୍ରାପ୍ତ ହେଲେ; ତହୁଁ ତାଙ୍କର ପୁତ୍ର ଯିହୋରାମ୍‍ ତାଙ୍କର ପଦରେ ରାଜ୍ୟ କଲେ।

ଦ୍ୱିତୀୟ ବଂଶାବଳୀ

ଦ୍ଵି.ବଂ 20:31–37; 21:1

20:31ଯିହୋଶାଫଟ୍‍ ଯିହୁଦା ଉପରେ ରାଜ୍ୟ କଲେ; ସେ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଞ୍ଚତିରିଶ ବର୍ଷ ବୟସ୍କ ହୋଇଥିଲେ ଓ ଯିରୂଶାଲମରେ ପଚିଶ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କ ନାମ ଅସୂବା, ଯେ ଶିଲ୍‍ହିର କନ୍ୟା ଥିଲେ।

20:32ଯିହୋଶାଫଟ୍‍ ଆପଣା ପିତା ଆସାଙ୍କର ପଥରେ ଚାଲିଲେ ଓ ତହିଁରୁ ବିମୁଖ ନ ହୋଇ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ।

20:33ତଥାପି ଉଚ୍ଚସ୍ଥଳୀସକଳ ଦୂରୀକୃତ ନୋହିଲା; କିଅବା ଲୋକମାନେ ସେତେବେଳେ ହେଁ ଆପଣାମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱରଙ୍କ ପ୍ରତି ଆପଣା ଆପଣା ଅନ୍ତଃକରଣ ନିବିଷ୍ଟ କଲେ ନାହିଁ।

20:34ଏହି ଯିହୋଶାଫଟ୍‍ଙ୍କର ଅବଶିଷ୍ଟ ବୃତ୍ତାନ୍ତର ଆଦ୍ୟନ୍ତ କଥା, ଦେଖ, ଇସ୍ରାଏଲ-ରାଜାବଳୀ ପୁସ୍ତକର ଅନ୍ତର୍ଗତ ହନାନିର ପୁତ୍ର ଯେହୂର ଇତିହାସ ପୁସ୍ତକରେ ଲେଖାଅଛି।

20:35ଏଥିଉତ୍ତାରେ ଯିହୁଦାର ରାଜା ଯିହୋଶାଫଟ୍‍ ଇସ୍ରାଏଲର ରାଜା ଅହସୀୟଙ୍କ ସଙ୍ଗେ ମିଶିଲେ; ଅହସୀୟ ଅତି ଦୁରାଚାରୀ ଥିଲେ;

20:36ଯିହୋଶାଫଟ୍‍ ତର୍ଶୀଶକୁ ଯିବାର ଜାହାଜ ନିର୍ମାଣ କରିବା ପାଇଁ ତାଙ୍କ ସଙ୍ଗେ ମିଶିଲେ; ଆଉ ସେମାନେ ଇତ୍‍ସିୟୋନ-ଗେବରରେ ଜାହାଜମାନ ନିର୍ମାଣ କଲେ।

20:37ସେତେବେଳେ ମାରେଶା-ନିବାସୀ ଦୋଦବାହୁର ପୁତ୍ର ଇଲୀୟେଜର ଯିହୋଶାଫଟ୍‍ଙ୍କ ବିରୁଦ୍ଧରେ ଏହି ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କହିଲା, “ତୁମ୍ଭେ ଅହସୀୟ ସଙ୍ଗେ ମିଶିଅଛ, ଏହେତୁ ସଦାପ୍ରଭୁ ତୁମ୍ଭର କର୍ମସବୁ ବିନାଶ କରିଅଛନ୍ତି।” ତହିଁରେ ସେହି ସବୁ ଜାହାଜ ଭାଙ୍ଗିଗଲା ଓ ତର୍ଶୀଶକୁ ଯାଇ ପାରିଲା ନାହିଁ।

21:1ଏଥିଉତ୍ତାରେ ଯିହୋଶାଫଟ୍‍ ମୃତ୍ୟୁବରଣ କଲେ ଓ ଦାଉଦ-ନଗରରେ ଆପଣା ପିତୃଲୋକଙ୍କ ସଙ୍ଗେ କବର ପାଇଲେ; ତହୁଁ ତାଙ୍କର ପୁତ୍ର ଯିହୋରାମ୍‍ ତାଙ୍କର ପଦରେ ରାଜ୍ୟ କଲେ।

ଚିହ୍ନିତ: ଆପଣ ପଢ଼ୁଥିବା ଅନୁବାଦରେ ପ୍ରତ୍ୟେକ ବିବରଣରେ ଥିବା ଶବ୍ଦ। ସବୁଠାରୁ ବାରମ୍ବାର ଶବ୍ଦ (“ଓ”, “ସେ”) ଚିହ୍ନିତ ହୁଏ ନାହିଁ; ଅନ୍ୟ ରୂପରେ ଥିବା ଶବ୍ଦ ଚିହ୍ନିତ ନ ହୋଇପାରେ।

ଉତ୍ସ: OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର