Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ପାଖାପାଖି ରାଜାବଳୀ ଓ ବଂଶାବଳୀ › ଶଲୋମନ

ପାଖାପାଖି ରାଜାବଳୀ ଓ ବଂଶାବଳୀ · ଶଲୋମନ

ସିନ୍ଦୁକ ମନ୍ଦିରକୁ ଅଣାଯାଏ

ପ୍ର.ରା 8:1–11 · ଦ୍ଵି.ବଂ 5:2–14

ପ୍ରଥମ ରାଜାବଳୀ

ପ୍ର.ରା 8:1–11

1ଏଥିଉତ୍ତାରେ ଶଲୋମନ ଦାଉଦ-ନଗର ସିୟୋନରୁ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଣିବା ପାଇଁ ଇସ୍ରାଏଲର ପ୍ରାଚୀନବର୍ଗଙ୍କୁ ଓ ବଂଶସମୂହର ପ୍ରଧାନବର୍ଗଙ୍କୁ, ଅର୍ଥାତ୍‍, ଇସ୍ରାଏଲ-ସନ୍ତାନଗଣଙ୍କର ପିତୃଗୃହାଧିପତି ସମସ୍ତଙ୍କୁ ଯିରୂଶାଲମରେ ଶଲୋମନ ରାଜାଙ୍କ ନିକଟରେ ଏକତ୍ର କଲେ।

2ତହିଁରେ ଏଥାନୀମ ନାମକ ସପ୍ତମ ମାସରେ ପର୍ବ ସମୟରେ ସମସ୍ତ ଇସ୍ରାଏଲ ଲୋକ ଶଲୋମନ ରାଜାଙ୍କ ନିକଟରେ ଏକତ୍ର ହେଲେ।

3ପୁଣି, ଇସ୍ରାଏଲର ପ୍ରାଚୀନ ସମସ୍ତେ ଉପସ୍ଥିତ ହୁଅନ୍ତେ, ଯାଜକମାନେ ସିନ୍ଦୁକ ଉଠାଇଲେ।

4ଆଉ ସେମାନେ ସଦାପ୍ରଭୁଙ୍କ ସିନ୍ଦୁକ ଓ ସମାଗମ-ତମ୍ବୁ ଓ ତମ୍ବୁରେ ଥିବା ସମସ୍ତ ପବିତ୍ର ପାତ୍ର ଆଣିଲେ; ଯାଜକ ଓ ଲେବୀୟମାନେ ଏହିସବୁ ଆଣିଲେ।

5ତହୁଁ ରାଜା ଶଲୋମନ ଓ ତାଙ୍କ ସହିତ ତାଙ୍କ ନିକଟରେ ଏକତ୍ରିତ ସମଗ୍ର ଇସ୍ରାଏଲ-ମଣ୍ଡଳୀ ସିନ୍ଦୁକ ସମ୍ମୁଖରେ ମେଷ ଓ ଗୋରୁ ବଳିଦାନ କଲେ, ତାହା ବାହୁଲ୍ୟ ହେତୁ ଅସଂଖ୍ୟ ଓ ଅପରିମେୟ ଥିଲା।

6ଏଉତ୍ତାରେ ଯାଜକମାନେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ତାହାର ସ୍ୱ ସ୍ଥାନକୁ, ଅର୍ଥାତ୍‍, ଗୃହର ମହାପବିତ୍ର ସ୍ଥାନ ମହାପବିତ୍ର ସ୍ଥାନସ୍ଥ କିରୂବମାନଙ୍କ ପକ୍ଷ ତଳକୁ ଆଣିଲେ।

7କାରଣ, କିରୂବମାନେ ସିନ୍ଦୁକର ସ୍ଥାନ ଉପରେ ଆପଣାମାନଙ୍କ ପକ୍ଷ ବିସ୍ତାର କରିଥିଲେ, ପୁଣି, କିରୂବମାନେ ସିନ୍ଦୁକ ଓ ତହିଁ ସାଙ୍ଗୀ ଉପର ଆଚ୍ଛାଦନ କରିଥିଲେ।

8ଆଉ ସେହି ସାଙ୍ଗୀ ଏତେ ଦୀର୍ଘ ଥିଲା ଯେ, ତହିଁର ଅଗ୍ରଭାଗ ମହାପବିତ୍ର ସ୍ଥାନ ସମ୍ମୁଖସ୍ଥ ପବିତ୍ର ସ୍ଥାନରୁ ଦେଖାଗଲା; ମାତ୍ର ବାହାରେ ଦେଖାଗଲା ନାହିଁ। ଆଜି ପର୍ଯ୍ୟନ୍ତ ତାହା ସେଠାରେ ଅଛି।

9ଇସ୍ରାଏଲ-ସନ୍ତାନଗଣ ମିସର ଦେଶରୁ ବାହାରି ଆସିବା ବେଳେ ଓ ସଦାପ୍ରଭୁ ସେମାନଙ୍କ ସହିତ ନିୟମ କଲା ବେଳେ ହୋରେବ ନିକଟରେ ମୋଶା ଯେଉଁ ଦୁଇ ପ୍ରସ୍ତର ଫଳକ ସିନ୍ଦୁକ ମଧ୍ୟରେ ରଖିଥିଲେ, ତାହା ଛଡ଼ା ଆଉ କିଛି ତହିଁରେ ନ ଥିଲା।

10ଆଉ, ଯାଜକମାନେ ପବିତ୍ର ସ୍ଥାନ ମଧ୍ୟରୁ ବାହାରି ଆସିଲା ଉତ୍ତାରେ ସଦାପ୍ରଭୁଙ୍କ ଗୃହ ମେଘରେ ପରିପୂର୍ଣ୍ଣ ହେଲା;

11ତହିଁରେ ସେହି ମେଘ ସକାଶୁ ଯାଜକମାନେ ପରିଚର୍ଯ୍ୟା କରିବାକୁ ଠିଆ ହୋଇ ପାରିଲେ ନାହିଁ; କାରଣ, ସଦାପ୍ରଭୁଙ୍କ ଗୃହ ସଦାପ୍ରଭୁଙ୍କ ପ୍ରତାପରେ ପରିପୂର୍ଣ୍ଣ ହେଲା।

ଦ୍ୱିତୀୟ ବଂଶାବଳୀ

ଦ୍ଵି.ବଂ 5:2–14

2ତହୁଁ ଶଲୋମନ ଦାଉଦ-ନଗର ସିୟୋନରୁ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଣିବା ପାଇଁ ଇସ୍ରାଏଲର ପ୍ରାଚୀନବର୍ଗଙ୍କୁ ଓ ବଂଶୀୟ ପ୍ରଧାନ ସମସ୍ତଙ୍କୁ, ଇସ୍ରାଏଲ-ସନ୍ତାନଗଣର ପିତୃବଂଶାଧିପତିମାନଙ୍କୁ ଯିରୂଶାଲମରେ ଏକତ୍ର କଲେ।

3ତହିଁରେ ସପ୍ତମ ମାସର ପର୍ବ ସମୟରେ ସମସ୍ତ ଇସ୍ରାଏଲ ଲୋକ ରାଜାଙ୍କ ନିକଟରେ ଏକତ୍ର ହେଲେ।

4ପୁଣି ଇସ୍ରାଏଲର ସମସ୍ତ ପ୍ରାଚୀନବର୍ଗ ଉପସ୍ଥିତ ହୁଅନ୍ତେ, ଲେବୀୟମାନେ ସିନ୍ଦୁକ ଉଠାଇଲେ।

5ପୁଣି ସେମାନେ ସିନ୍ଦୁକ ଓ ସମାଗମ-ତମ୍ବୁ ଓ ତମ୍ବୁସ୍ଥିତ ସମସ୍ତ ପବିତ୍ର ପାତ୍ର ଆଣିଲେ; ଲେବୀୟ ଯାଜକମାନେ ତାହାସବୁ ଆଣିଲେ।

6ଆଉ ଶଲୋମନ ରାଜା ଓ ତାଙ୍କ ନିକଟରେ ଏକତ୍ରିତ ଇସ୍ରାଏଲର ସମଗ୍ର ମଣ୍ଡଳୀ ସିନ୍ଦୁକ ସମ୍ମୁଖରେ ଥାଇ ଏତେ ପରିମାଣରେ ମେଷ ଓ ଗୋରୁ ବଳିଦାନ କଲେ, ଯେ ତାହାସବୁ ଅସଂଖ୍ୟ ଓ ଅଗଣ୍ୟ ଥିଲା।

7ତହୁଁ ଯାଜକମାନେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ତହିଁର ସ୍ଥାନକୁ, ଅର୍ଥାତ୍‍, ଗୃହର ଗର୍ଭାଗାର, ମହାପବିତ୍ର ସ୍ଥାନ, କିରୂବଦ୍ୱୟର ପକ୍ଷ ତଳକୁ ଆଣିଲେ।

8ସେହି କିରୂବମାନେ ସିନ୍ଦୁକ-ସ୍ଥାନ ଉପରେ ପକ୍ଷ ବିସ୍ତାର କରିଥିଲେ ଓ କିରୂବମାନେ ଊର୍ଦ୍ଧ୍ୱରୁ ସିନ୍ଦୁକ ଓ ତହିଁର ସାଙ୍ଗୀ ଆଚ୍ଛାଦନ କଲେ।

9ପୁଣି ସେହି ସାଙ୍ଗୀ ଏତେ ଲମ୍ବ ଥିଲା ଯେ, ତହିଁର ଅଗ୍ରଭାଗ ଗର୍ଭାଗାର ସମ୍ମୁଖରେ ସିନ୍ଦୁକଠାରୁ ଦେଖାଗଲା; ମାତ୍ର ବାହାରକୁ ଦେଖାଗଲା ନାହିଁ; ଆଜି ପର୍ଯ୍ୟନ୍ତ ତାହା ସେହି ସ୍ଥାନରେ ଅଛି।

10ଇସ୍ରାଏଲ-ସନ୍ତାନଗଣ ମିସର ଦେଶରୁ ବାହାର ହୋଇ ଆସିବା ବେଳେ ସଦାପ୍ରଭୁ ସେମାନଙ୍କ ସହିତ ନିୟମ କରିବା ସମୟରେ ମୋଶା ହୋରେବ ନିକଟରେ ଯେଉଁ ଦୁଇ ପ୍ରସ୍ତର ଫଳକ ସିନ୍ଦୁକ ମଧ୍ୟରେ ରଖିଥିଲେ, ତାହା ବ୍ୟତୀତ ତହିଁରେ ଆଉ କିଛି ନ ଥିଲା।

11ଉପସ୍ଥିତ ଯାଜକ ସମସ୍ତେ ଆପଣାମାନଙ୍କୁ ପବିତ୍ର କରିଥିଲେ ଓ ଆପଣା ଆପଣା ପାଳିର କର୍ମ କରୁ ନ ଥିଲେ।

12ମଧ୍ୟ ଲେବୀୟ ଗାୟକ ସମସ୍ତେ, ଅର୍ଥାତ୍‍, ଆସଫ, ହେମନ, ଯିଦୂଥୂନ୍‍ ଓ ସେମାନଙ୍କ ପୁତ୍ର ଓ ଭାଇଗଣ କ୍ଷୌମବସ୍ତ୍ର ପିନ୍ଧି କରତାଳ ଓ ନେବଲ ଓ ବୀଣା ଧରି ଯଜ୍ଞବେଦିର ପୂର୍ବ ଦିଗରେ ଠିଆ ହୋଇଥିଲେ ଓ ସେମାନଙ୍କ ସଙ୍ଗେ ତୂରୀବାଦକ ଏକ ଶହ କୋଡ଼ିଏ ଜଣ ଯାଜକ ଥିଲେ; ତହୁଁ ଯାଜକମାନେ ପବିତ୍ର ସ୍ଥାନରୁ ବାହାର ହୋଇ ଆସନ୍ତେ,

13ସେହି ତୂରୀବାଦକ ଓ ଗାୟକ ସମସ୍ତେ ଏକସ୍ୱରରେ ସଦାପ୍ରଭୁଙ୍କ ପ୍ରଶଂସା ଓ ଧନ୍ୟବାଦ କରିବାକୁ ଏକ ହୁଅନ୍ତେ, “ପୁଣି ସଦାପ୍ରଭୁ ମଙ୍ଗଳମୟ, କାରଣ ତାହାଙ୍କର କରୁଣା ସଦାକାଳସ୍ଥାୟୀ,” ଏହା ବୋଲି ସେମାନେ ତୂରୀ ଓ କରତାଳ ଓ ବାଦ୍ୟଯନ୍ତ୍ର ସହିତ ଉଚ୍ଚସ୍ୱରରେ ତାହାଙ୍କର ପ୍ରଶଂସାଧ୍ୱନି କରନ୍ତେ, ସେହି ଗୃହ, ଅର୍ଥାତ୍‍, ସଦାପ୍ରଭୁଙ୍କ ଗୃହ ଏକ ମେଘରେ ଏରୂପ ପରିପୂର୍ଣ୍ଣ ହେଲା

14ଯେ, ଯାଜକମାନେ ସେହି ମେଘ ସକାଶୁ ପରିଚର୍ଯ୍ୟା କରିବାକୁ ଠିଆ ହୋଇ ପାରିଲେ ନାହିଁ; କାରଣ ସଦାପ୍ରଭୁଙ୍କ ପ୍ରତାପ ପରମେଶ୍ୱରଙ୍କ ଗୃହକୁ ପରିପୂର୍ଣ୍ଣ କଲା।

ଚିହ୍ନିତ: ଆପଣ ପଢ଼ୁଥିବା ଅନୁବାଦରେ ପ୍ରତ୍ୟେକ ବିବରଣରେ ଥିବା ଶବ୍ଦ। ସବୁଠାରୁ ବାରମ୍ବାର ଶବ୍ଦ (“ଓ”, “ସେ”) ଚିହ୍ନିତ ହୁଏ ନାହିଁ; ଅନ୍ୟ ରୂପରେ ଥିବା ଶବ୍ଦ ଚିହ୍ନିତ ନ ହୋଇପାରେ।

ଉତ୍ସ: OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର