Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ପାଖାପାଖି ସୁସମାଚାର › ଗାଲିଲୀରେ

ପାଖାପାଖି ସୁସମାଚାର · ଗାଲିଲୀରେ

କାରାଗାରରୁ ବାପ୍ତିଜକ ଯୋହନଙ୍କ ପ୍ରଶ୍ନ

ମାଥି 11:2–19 · ଲୂକ 7:18–35

ମାଥିଉ

ମାଥି 11:2–19

2ଏଥିମଧ୍ୟରେ ବାପ୍ତିଜକ ଯୋହନ ଖ୍ରୀଷ୍ଟଙ୍କ କର୍ମର ବିବରଣ କାରାଗାରରେ ଶୁଣି ଆପଣା ଶିଷ୍ୟମାନଙ୍କ ଦ୍ୱାରା ତାହାଙ୍କୁ ପଚାରି ପଠାଇଲେ,

3ଯାହାଙ୍କର ଆଗମନ ହେବ, ସେହି ବ୍ୟକ୍ତି କି ଆପଣ, ଅବା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ?

4ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ଯାଇ, ଯାହା ଯାହା ଶୁଣିଅଛ ଓ ଦେଖିଅଛ, ସେହିସବୁ ଯୋହନଙ୍କୁ ଜଣାଅ;

5ଅନ୍ଧମାନେ ଦୃଷ୍ଟି ପାଆନ୍ତି, ଖଞ୍ଜମାନେ ଗମନ କରନ୍ତି, କୁଷ୍ଠରୋଗୀମାନେ ଶୁଚି ହୁଅନ୍ତି, ବଧିରମାନେ ଶ୍ରବଣ କରନ୍ତି, ମୃତମାନେ ଉତ୍ଥାପିତ ହୁଅନ୍ତି, ପୁଣି, ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ;

6ଆଉ, ଯେ କେହି ମୋʼ ଠାରେ ବିଘ୍ନର କାରଣ ନ ପାଏ, ସେ ଧନ୍ୟ।”

7ସେମାନେ ଚାଲିଯାଉଥିବା ସମୟରେ ଯୀଶୁ ଯୋହନଙ୍କ ସମ୍ବନ୍ଧରେ ଲୋକସମୂହକୁ କହିବାକୁ ଲାଗିଲେ, “ତୁମ୍ଭେମାନେ କଅଣ ଦେଖିବା ପାଇଁ ପ୍ରାନ୍ତରକୁ ବାହାରିଯାଇଥିଲ? କଅଣ ପବନରେ ଦୋହଲୁଥିବା ଗୋଟିଏ ନଳ?

8ତାହାହେଲେ ତୁମ୍ଭେମାନେ କଅଣ ଦେଖିବା ପାଇଁ ବାହାରିଯାଇଥିଲ? କଅଣ ସୂକ୍ଷ୍ମ ବସ୍ତ୍ର ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ? ଦେଖ, ଯେଉଁମାନେ ସୂକ୍ଷ୍ମ ବସ୍ତ୍ର ପିନ୍ଧନ୍ତି, ସେମାନେ ରାଜପ୍ରାସାଦରେ ଥାଆନ୍ତି।

9ତାହା ନ ହେଲେ କି ନିମନ୍ତେ ବାହାରିଯାଇଥିଲ? କଅଣ ଜଣେ ଭାବବାଦୀଙ୍କୁ ଦେଖିବାକୁ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଭାବବାଦୀଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ ବ୍ୟକ୍ତିଙ୍କୁ;

10ଯାହାଙ୍କ ବିଷୟରେ ଏହା ଲେଖାଅଛି, ‘ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପଠାଉଅଛୁ, ସେ ତୁମ୍ଭ ସମ୍ମୁଖରେ ତୁମ୍ଭର ପଥ ପ୍ରସ୍ତୁତ କରିବ, ଏ ସେହି ବ୍ୟକ୍ତି।’

11ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସ୍ତ୍ରୀଗର୍ଭଜାତ ସମସ୍ତଙ୍କ ମଧ୍ୟରେ ବାପ୍ତିଜକ ଯୋହନଙ୍କଠାରୁ ମହାନ କେହି ଉତ୍ପନ୍ନ ହୋଇ ନାହାନ୍ତି; ତଥାପି ସ୍ୱର୍ଗରାଜ୍ୟରେ ଯେ କ୍ଷୁଦ୍ରତମ, ସେ ତାହାଙ୍କଠାରୁ ମହାନ।

12ଆଉ, ବାପ୍ତିଜକ ଯୋହନଙ୍କ ସମୟଠାରୁ ଆଜି ପର୍ଯ୍ୟନ୍ତ ସ୍ୱର୍ଗରାଜ୍ୟ ବଳରେ ଆକ୍ରାନ୍ତ ହେଉଅଛି; ପୁଣି, ବଳରେ ଆକ୍ରମଣକାରୀମାନେ ପରାକ୍ରମରେ ତାହା ଅଧିକାର କରୁଅଛନ୍ତି।

13କାରଣ ସମସ୍ତ ଭାବବାଦୀ ଓ ମୋଶାଙ୍କ ବ୍ୟବସ୍ଥା ବାପ୍ତିଜକ ଯୋହନଙ୍କ ସମୟ ପର୍ଯ୍ୟନ୍ତ ଭାବବାଣୀ କରୁଥିଲେ।

14ଆଉ, ତୁମ୍ଭେମାନେ ଯେବେ ଗ୍ରହଣ କରିବାକୁ ଇଚ୍ଛା କର, ତେବେ ଯେଉଁ ଏଲୀୟଙ୍କ ଆସିବାର ଅଛି, ଏ ସେହି।

15ଯାହାର କାନ ଅଛି, ସେ ଶୁଣୁ।

16କିନ୍ତୁ ମୁଁ କାହା ସାଙ୍ଗରେ ବର୍ତ୍ତମାନ ପୁରୁଷର ତୁଳନା କରିବି? ପିଲାମାନଙ୍କ ପରି ଯେଉଁମାନେ ହାଟବଜାରରେ ବସି ଅନ୍ୟମାନଙ୍କୁ ଡାକି କହନ୍ତି,

17‘ଆମ୍ଭେମାନେ ତୁମ୍ଭମାନଙ୍କ ପାଖରେ ବଂଶୀ ବଜାଇଲୁ, ତୁମ୍ଭେମାନେ ନାଚିଲ ନାହିଁ; ଆମ୍ଭେମାନେ ବିଳାପ କଲୁ, ତୁମ୍ଭେମାନେ ଛାତିରେ ମାରି ହେଲ ନାହିଁ ବର୍ତ୍ତମାନ ପୁରୁଷ ସେମାନଙ୍କ ପରି।’

18କାରଣ ଯୋହନ ଆସି ଭୋଜନପାନ କଲେ ନାହିଁ, ଆଉ ଲୋକେ କହନ୍ତି, ‘ସେ ଭୂତଗ୍ରସ୍ତ।’

19ମନୁଷ୍ୟପୁତ୍ର ଆସି ଭୋଜନପାନ କରନ୍ତି, ଆଉ ଲୋକେ କହନ୍ତି, ଦେଖ, ଏ ଜଣେ ପେଟୁକ ଓ ମଦୁଆ, କରଗ୍ରାହୀ ଓ ପାପୀମାନଙ୍କର ବନ୍ଧୁ; ମାତ୍ର ଜ୍ଞାନ ଆପଣା କର୍ମ ଦ୍ୱାରା ଯଥାର୍ଥ ବୋଲି ପ୍ରମାଣିତ ହେଲା।”

ଲୂକ

ଲୂକ 7:18–35

18ପରେ ବାପ୍ତିଜକ ଯୋହନଙ୍କ ଶିଷ୍ୟମାନେ ଏହି ସମସ୍ତ ବିଷୟ ତାହାଙ୍କୁ ଜଣାଇଲେ।

19ସେଥିରେ ଯୋହନ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ପାଖକୁ ଡାକି ପ୍ରଭୁଙ୍କ ନିକଟକୁ ଏହା କହି ପଠାଇଲେ, ଆପଣ କଅଣ ସେହି ବ୍ୟକ୍ତି ଯାହାଙ୍କର ଆଗମନ ହେବ, ନା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ?

20ସେହି ଲୋକମାନେ ତାହାଙ୍କ ନିକଟକୁ ଆସି କହିଲେ, ବାପ୍ତିଜକ ଯୋହନ ଆମ୍ଭମାନଙ୍କୁ ଆପଣଙ୍କ ନିକଟକୁ ଏହା କହି ପଠାଇଅଛନ୍ତି, ଯାହାଙ୍କର ଆଗମନ ହେବ, ସେହି ବ୍ୟକ୍ତି କି ଆପଣ, ଅବା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ?

21ସେହି ସମୟରେ ସେ ଅନେକଙ୍କୁ ରୋଗ, କଷ୍ଟ ଓ ମନ୍ଦ-ଆତ୍ମାମାନଙ୍କଠାରୁ ସୁସ୍ଥ କଲେ, ପୁଣି, ଅନେକ ଅନ୍ଧମାନଙ୍କୁ ଦେଖିବାର ଶକ୍ତି ଦେଲେ।

22ସେ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ଯାଇ, ଯାହା ଯାହା ଦେଖିଅଛ ଓ ଶୁଣିଅଛ, ସେହିସବୁ ଯୋହନଙ୍କୁ ଜଣାଅ; ଅନ୍ଧମାନେ ଦେଖି ପାରନ୍ତି, ଖଞ୍ଜମାନେ ଚାଲି ପାରନ୍ତି, କୁଷ୍ଠରୋଗୀମାନେ ଶୁଚି ହୁଅନ୍ତି, ବଧିରମାନେ ଶୁଣି ପାରନ୍ତି, ମୃତମାନେ ଜୀବିତ ହୁଅନ୍ତି, ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ;

23ଆଉ, ଯେଉଁ ବ୍ୟକ୍ତି ମୋʼ ଠାରେ ବାଧାର କାରଣ ପାଏ ନାହିଁ, ସେ ଧନ୍ୟ।

24ଯୋହନଙ୍କ ଦୂତମାନେ ଯିବା ପରେ ଯୀଶୁ ଯୋହନଙ୍କ ବିଷୟରେ ଲୋକମାନଙ୍କୁ କହିବାକୁ ଲାଗିଲେ, ତୁମ୍ଭେମାନେ କଅଣ ଦେଖିବା ପାଇଁ ମରୁଭୂମିକୁ ବାହାରିଯାଇଥିଲ, କଅଣ ପବନରେ ଦୋହଲୁଥିବା ଗୋଟିଏ ନଳ?

25ତାହା ନ ହେଲେ ତୁମ୍ଭେମାନେ କଅଣ ଦେଖିବା ପାଇଁ ବାହାରିଯାଇଥିଲ? କଅଣ ଦାମୀ ବସ୍ତ୍ର ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ? ଦେଖ, ଯେଉଁମାନେ ସୁନ୍ଦର ବସ୍ତ୍ର ପିନ୍ଧନ୍ତି ଏବଂ ସୁଖରେ ସମୟ କଟାନ୍ତି, ସେମାନେ ରାଜପ୍ରାସାଦରେ ଥାଆନ୍ତି।

26ତାହା ନ ହେଲେ କଅଣ ଦେଖିବା ନିମନ୍ତେ ବାହାରି ଯାଇଥିଲ? କଅଣ ଜଣେ ଭାବବାଦୀଙ୍କୁ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଭାବବାଦୀଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ ବ୍ୟକ୍ତିଙ୍କୁ।

27ଯାହାଙ୍କ ବିଷୟରେ ଏହା ଲେଖାଅଛି, ‘ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପଠାଉଅଛୁ, ସେ ତୁମ୍ଭ ସମ୍ମୁଖରେ ତୁମ୍ଭର ପଥ ପ୍ରସ୍ତୁତ କରିବ, ଏ ସେହି ବ୍ୟକ୍ତି।’

28ମୁଁ ତୁମ୍ଭମାନଙ୍କୁ କହୁଅଛି, ସ୍ତ୍ରୀଗର୍ଭରୁ ଜନ୍ମ ହୋଇଥିବା ସମସ୍ତଙ୍କ ମଧ୍ୟରେ ଯୋହନଙ୍କଠାରୁ ମହାନ କେହି ନାହାନ୍ତି; ତଥାପି ଈଶ୍ବରଙ୍କ ରାଜ୍ୟରେ ଯେ କ୍ଷୁଦ୍ରତମ, ସେ ତାହାଙ୍କଠାରୁ ମହାନ।”

29ଏହା ଶୁଣି ସମସ୍ତ ଲୋକ, ଏପରିକି କରଗ୍ରାହୀମାନେ ସୁଦ୍ଧା ଯୋହନଙ୍କ ବାପ୍ତିସ୍ମରେ ବାପ୍ତିଜିତ ହୋଇଥିବାରୁ ଈଶ୍ବରଙ୍କୁ ଯଥାର୍ଥ ବୋଲି ସ୍ୱୀକାର କଲେ;

30କିନ୍ତୁ ଫାରୂଶୀମାନେ ଓ ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞମାନେ ତାହାଙ୍କ ଦ୍ୱାରା ବାପ୍ତିଜିତ ନ ହୋଇ ନିଜ ନିଜ ବିଷୟରେ ଈଶ୍ବରଙ୍କ ଯୋଜନା ଅଗ୍ରାହ୍ୟ କଲେ।

31“ତେବେ ମୁଁ କାହା ସାଙ୍ଗରେ ବର୍ତ୍ତମାନ ପୁରୁଷର ଲୋକମାନଙ୍କୁ ତୁଳନା କରିବି, ପୁଣି, ସେମାନେ କାହାରି ତୁଲ୍ୟ?

32ଯେଉଁ ପିଲାମାନେ ହାଟବଜାରରେ ବସି ପରସ୍ପରକୁ ଡାକି କହନ୍ତି, ‘ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ବଂଶୀ ବଜାଇଲୁ, ତୁମ୍ଭେମାନେ ନାଚିଲ ନାହିଁ; ଆମ୍ଭେମାନେ ବିଳାପ କଲୁ, ତୁମ୍ଭେମାନେ କାନ୍ଦିଲ ନାହିଁ, ସେମାନେ ସେମାନଙ୍କ ପରି।’

33କାରଣ ବାପ୍ତିଜକ ଯୋହନ ଆସି ରୁଟି ଖାଇଲେ ନାହିଁ ଓ ଦ୍ରାକ୍ଷାରସ ପିଇଲେ ନାହିଁ, ଆଉ ତୁମ୍ଭେମାନେ କହୁଅଛ, ‘ସେ ଭୂତଗ୍ରସ୍ତ।’

34ମନୁଷ୍ୟପୁତ୍ର ଆସି ଭୋଜନପାନ କରନ୍ତି, ଆଉ ତୁମ୍ଭେମାନେ କହୁଅଛ, ‘ଦେଖ, ଏ ଜଣେ ପେଟୁକ ଓ ମଦୁଆ, କରଗ୍ରାହୀ ଓ ପାପୀମାନଙ୍କର ବନ୍ଧୁ।’

35ମାତ୍ର ଜ୍ଞାନ ଆପଣା ସମସ୍ତ ସନ୍ତାନମାନଙ୍କ ଦ୍ୱାରା ଯଥାର୍ଥ ବୋଲି ପ୍ରମାଣିତ ହୋଇଅଛି।”

ଚିହ୍ନିତ: ଆପଣ ପଢ଼ୁଥିବା ଅନୁବାଦରେ ପ୍ରତ୍ୟେକ ବିବରଣରେ ଥିବା ଶବ୍ଦ। ସବୁଠାରୁ ବାରମ୍ବାର ଶବ୍ଦ (“ଓ”, “ସେ”) ଚିହ୍ନିତ ହୁଏ ନାହିଁ; ଅନ୍ୟ ରୂପରେ ଥିବା ଶବ୍ଦ ଚିହ୍ନିତ ନ ହୋଇପାରେ।

ଉତ୍ସ: OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର