ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅକ୍ଟୋବର 2027 › ଅକ୍ଟୋବର 31
ଅର୍ଥୋଡକ୍ସ ପଞ୍ଜିକା · 18 ଅକ୍ଟୋବର (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 31 ଅକ୍ଟୋବର 2027
ରବିବାର · ସ୍ୱର 2
ପର୍ବ ଓ ସନ୍ଥ
ପେଣ୍ଟିକଷ୍ଟ ପରେ 19ତମ ରବିବାର
ଉପବାସ
ଉପବାସ ନାହିଁ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ସନ୍ଧ୍ୟା ପ୍ରାର୍ଥନା: ପାଠ
1ଆଦ୍ୟରୁ ଯେ ଥିଲେ, ଯାହାଙ୍କ ବାକ୍ୟ ଆମ୍ଭେମାନେ ଶୁଣିଅଛୁ, ଯାହାଙ୍କୁ ସ୍ୱଚକ୍ଷୁରେ ଦେଖିଅଛୁ, ଯାହାଙ୍କୁ ନିରୀକ୍ଷଣ କରିଅଛୁ ଓ ସ୍ୱହସ୍ତରେ ସ୍ପର୍ଶ କରିଅଛୁ, ସେହି ଜୀବନ ସ୍ୱରୂପ ବାକ୍ୟ ସମ୍ବନ୍ଧରେ ଜଣାଉଅଛୁ। 2ସେହି ଜୀବନ ପ୍ରକାଶିତ ହେଲେ, ଆଉ ଆମ୍ଭେମାନେ ଦେଖିଅଛୁ ଓ ସାକ୍ଷ୍ୟ ଦେଉଅଛୁ; ଯେଉଁ ଅନନ୍ତ ଜୀବନ ପିତାଙ୍କ ସଙ୍ଗରେ ଥିଲେ ଓ ଆମ୍ଭମାନଙ୍କ ନିକଟରେ ପ୍ରକାଶିତ ହେଲେ, ତାହାଙ୍କ ବିଷୟରେ ତୁମ୍ଭମାନଙ୍କୁ ଜଣାଉଅଛୁ। 3ଯାହା ଆମ୍ଭେମାନେ ଦେଖିଅଛୁ ଓ ଶୁଣିଅଛୁ, ତାହା ତୁମ୍ଭମାନଙ୍କୁ ମଧ୍ୟ ଜଣାଉଅଛୁ, ଯେପରି ତୁମ୍ଭମାନଙ୍କର ମଧ୍ୟ ଆମ୍ଭମାନଙ୍କ ସହିତ ସହଭାଗିତା ହୋଇପାରେ; ଆଉ ଆମ୍ଭମାନଙ୍କର ସହଭାଗିତା ପିତା ଓ ତାହାଙ୍କର ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହିତ ଅଛି। 4ଆମ୍ଭମାନଙ୍କର ଆନନ୍ଦ ଯେପରି ପରିପୂର୍ଣ୍ଣ ହୁଏ, ଏଥିନିମନ୍ତେ ଆମ୍ଭେମାନେ ଏହିସବୁ ଲେଖୁଅଛୁ। 5ଆମ୍ଭେମାନେ ତାହାଙ୍କଠାରୁ ଯେଉଁ ସମ୍ବାଦ ଶୁଣିଅଛୁ ଓ ତୁମ୍ଭମାନଙ୍କୁ ଜଣାଉଅଛୁ, ତାହା ଏହି, ଈଶ୍ବର ଜ୍ୟୋତିଃସ୍ୱରୂପ, ଆଉ ତାହାଙ୍କଠାରେ ଅନ୍ଧକାରର ଲେଶ ନାହିଁ। 6ତାହାଙ୍କ ସହିତ ଆମ୍ଭମାନଙ୍କର ସହଭାଗିତା ଅଛି, ଏହା କହି ଯଦି ଆମ୍ଭେମାନେ ଅନ୍ଧକାରରେ ଆଚରଣ କରୁ ତାହାହେଲେ ଆମ୍ଭେମାନେ ମିଥ୍ୟାବାଦୀ, ଆଉ ସତ୍ୟ ଆଚରଣ କରୁ ନ ଥାଉ। 7କିନ୍ତୁ ସେ ଯେପରି ଜ୍ୟୋତିର୍ନିବାସୀ, ଆମ୍ଭେମାନେ ଯଦି ସେହିପରି ଜ୍ୟୋତିଃରେ ଆଚରଣ କରୁ, ତେବେ ଆମ୍ଭମାନଙ୍କର ପରସ୍ପର ସହଭାଗିତା ଅଛି, ପୁଣି, ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ସମସ୍ତ ପାପରୁ ଆମ୍ଭମାନଙ୍କୁ ପରିଷ୍କାର କରେ।
ସନ୍ଧ୍ୟା ପ୍ରାର୍ଥନା: ପାଠ
1ଈଶ୍ବରଙ୍କ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦାସ ଯାକୁବର ଛିନ୍ନଭିନ୍ନ ଦ୍ୱାଦଶ ଗୋଷ୍ଠୀଙ୍କୁ ନମସ୍କାର। 2ହେ ମୋହର ଭାଇମାନେ, ତୁମ୍ଭେମାନେ ଯେତେବେଳେ ନାନା ପ୍ରକାର ପରୀକ୍ଷାରେ ପରୀକ୍ଷିତ ହୁଅ, 3ସେତେବେଳେ ତାହା ବିଶେଷ ଆନନ୍ଦର ବିଷୟ ବୋଲି ମନେ କର; ପରୀକ୍ଷାସିଦ୍ଧ ବିଶ୍ୱାସ ଯେ ସହିଷ୍ଣୁତା ଉତ୍ପନ୍ନ କରେ, ଏହା ତ ଜାଣିଅଛ। 4ଆଉ, ତୁମ୍ଭେମାନେ ଯେପରି କୌଣସି ବିଷୟରେ ଊଣା ନ ପଡ଼ି ସିଦ୍ଧ ଓ ସମ୍ପୂର୍ଣ୍ଣ ହୁଅ, ଏଥିପାଇଁ ସହିଷ୍ଣୁତା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ ସାଧନ କରୁ। 5କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ଯେବେ କାହାରି ଜ୍ଞାନର ଅଭାବ ଥାଏ, ତେବେ ଯେଉଁ ଈଶ୍ବର ଦୋଷ ନ ଧରି ମୁକ୍ତ ହସ୍ତରେ ସମସ୍ତଙ୍କୁ ଦାନ କରନ୍ତି, ତାହାଙ୍କ ଛାମୁରେ ସେ ପ୍ରାର୍ଥନା କରୁ, ସେଥିରେ ତାହାକୁ ଦିଆଯିବ। 6କିନ୍ତୁ ସେ କିଛିମାତ୍ର ସନ୍ଦେହ ନ କରି ବିଶ୍ୱାସ ସହ ପ୍ରାର୍ଥନା କରୁ, କାରଣ ଯେ ସନ୍ଦେହ କରେ, ସେ ବାୟୁରେ ଇତଃସ୍ତତଃ ଚାଳିତ ସମୁଦ୍ରର ତରଙ୍ଗ ସଦୃଶ। 7ସେପରି ଲୋକ ପ୍ରଭୁଙ୍କଠାରୁ କିଛି ପାଇବ ବୋଲି ମନେ ନ କରୁ; 8ସେ ତ ଦ୍ୱିମନା ଲୋକ, ଆପଣାର ସମସ୍ତ ଗତିରେ ଅସ୍ଥିର। 9ଦୀନ ଅବସ୍ଥାର ଭ୍ରାତା ଆପଣାର ଉନ୍ନତ ଅବସ୍ଥାରେ ଦର୍ପ କରୁ, 10ଧନୀ ଆପଣା ଦୀନାବସ୍ଥାରେ ଦର୍ପ କରୁ, କାରଣ ଘାସର ଫୁଲ ପରି ସେ ଝଡ଼ିପଡ଼ିବ। 11ଯେଣୁ ସୂର୍ଯ୍ୟ ସତାପରେ ଉଦୟ ହୁଅନ୍ତେ, ଘାସ ଯେପରି ଶୁଖିଯାଏ ଓ ତାହାର ଫୁଲ ଝଡ଼ିପଡ଼େ ପୁଣି, ତାହାର ରୂପର ସୌନ୍ଦର୍ଯ୍ୟ ନାଶ ହୁଏ, ସେହିପରି ଧନୀ ଲୋକ ହିଁ ଆପଣାର ସବୁ ଗତିରେ ଝାଉଁଳି ପଡ଼ିବ। 12ଯେଉଁ ଲୋକ ପରୀକ୍ଷା ସହ୍ୟ କରେ, ସେ ଧନ୍ୟ, କାରଣ ପ୍ରଭୁ ଆପଣା ପ୍ରେମ କରୁଥିବା ଲୋକମାନଙ୍କୁ ଯେଉଁ ଜୀବନରୂପ ମୁକୁଟ ଦେବାକୁ ପ୍ରତିଜ୍ଞା କରିଅଛନ୍ତି, ପରୀକ୍ଷାସିଦ୍ଧ ହେଲା ଉତ୍ତାରେ ସେହି ଲୋକ ସେହି ମୁକୁଟ ପ୍ରାପ୍ତ କରିବ।
ସନ୍ଧ୍ୟା ପ୍ରାର୍ଥନା: ପାଠ
1ଯିହୂଦା, ଯୀଶୁ ଖ୍ରୀଷ୍ଟଙ୍କ ଜଣେ ଦାସ ଓ ଯାକୁବଙ୍କ ଭାଇ, ଯେଉଁମାନେ ଆହୂତ ଓ ପିତା ଈଶ୍ବରଙ୍କ ପ୍ରିୟପାତ୍ର, ପୁଣି, ଯୀଶୁ ଖ୍ରୀଷ୍ଟଙ୍କ ନିମନ୍ତେ ସୁରକ୍ଷିତ, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି। 2ତୁମ୍ଭମାନଙ୍କ ପ୍ରତି ଦୟା, ଶାନ୍ତି ଓ ପ୍ରେମ ପ୍ରଚୁରଭାବେ ବର୍ତ୍ତୁ। 3ହେ ପ୍ରିୟମାନେ, ମୁଁ ଆମ୍ଭମାନଙ୍କର ସାଧାରଣ ପରିତ୍ରାଣ ସମ୍ବନ୍ଧରେ ତୁମ୍ଭମାନଙ୍କ ନିକଟକୁ କିଛି ଲେଖିବାକୁ ବିଶେଷ ଯତ୍ନଶୀଳ ହୋଇ ସାଧୁମାନଙ୍କ ନିକଟରେ ଏକାଥରକେ ସମର୍ପିତ ବିଶ୍ୱାସ ସପକ୍ଷରେ ପ୍ରାଣପଣରେ ଯୁଦ୍ଧ କରିବା ଓ ତୁମ୍ଭମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଲେଖିବା ଆବଶ୍ୟକ ମନେ କଲି। 4କାରଣ ପ୍ରାଚୀନ ଶାସ୍ତ୍ରମାନଙ୍କରେ ଦଣ୍ଡର ପାତ୍ର ବୋଲି ବର୍ଣ୍ଣିତ ହୋଇଥିବା କେତେକ ଲୋକ ତୁମ୍ଭମାନଙ୍କ ମଧ୍ୟରେ ଗୁପ୍ତରେ ପ୍ରବେଶ କରିଅଛନ୍ତି; ସେମାନେ ଅଧାର୍ମିକ, ଆମ୍ଭମାନଙ୍କ ଈଶ୍ବରଙ୍କ ଅନୁଗ୍ରହକୁ ବିପରୀତ ଭାବରେ କାମୁକତାରେ ବ୍ୟବହାର କରନ୍ତି, ପୁଣି, ଆମ୍ଭମାନଙ୍କର ଏକମାତ୍ର କର୍ତ୍ତା ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଅସ୍ୱୀକାର କରନ୍ତି। 5ଯଦ୍ୟପି ତୁମ୍ଭେମାନେ ସମସ୍ତ ବିଷୟ ସମ୍ପୂର୍ଣ୍ଣ ରୂପେ ଜାଣିଅଛ, ତଥାପି ମୁଁ ତୁମ୍ଭମାନଙ୍କୁ ସ୍ମରଣ କରାଇବାକୁ ଇଚ୍ଛା କରେ ଯେ, ପ୍ରଭୁ ମିସର ଦେଶରୁ ଲୋକମାନଙ୍କୁ ଉଦ୍ଧାର କଲେ, ଆଉ ଯେଉଁମାନେ ବିଶ୍ୱାସ କଲେ ନାହିଁ, ପରେ ସେମାନଙ୍କୁ ବିନାଶ କଲେ। 6ପୁଣି, ଯେଉଁ ଦୂତମାନେ ଆପଣା ଆପଣା ଉଚ୍ଚପଦ ନ ରଖି ନିଜ ନିଜ ବାସସ୍ଥାନ ପରିତ୍ୟାଗ କଲେ, ସେମାନଙ୍କୁ ସେ ମହା ବିଚାର ଦିନ ପର୍ଯ୍ୟନ୍ତ ଅନନ୍ତସ୍ଥାୟୀ ବନ୍ଧନରେ ଆବଦ୍ଧ କରି ଅନ୍ଧକାରମୟ ସ୍ଥାନରେ ରଖିଅଛନ୍ତି। 7ସେହିପରି ସଦୋମ ଓ ଗମୋରା ପୁଣି, ସେମାନଙ୍କ ଚତୁର୍ଦ୍ଦିଗସ୍ଥ ନଗରନିବାସୀମାନେ ବ୍ୟଭିଚାର ଓ ଅସ୍ୱାଭାବିକ କାମୁକତାରେ ଆସକ୍ତ ହେବାରୁ ଅନନ୍ତ ଅଗ୍ନିରୂପ ଦଣ୍ଡ ଭୋଗ କରି ଦୃଷ୍ଟାନ୍ତ ସ୍ୱରୂପ ହୋଇଅଛନ୍ତି। 17କିନ୍ତୁ, ହେ ପ୍ରିୟମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତମାନେ ପୂର୍ବେ ଯେଉଁସବୁ କଥା କହିଅଛନ୍ତି, ସେହିସବୁ ସ୍ମରଣ କର; 18ସେମାନେ କିପରି ତୁମ୍ଭମାନଙ୍କୁ କହୁଥିଲେ, ଶେଷକାଳରେ ଆପଣା ଆପଣା କୁଅଭିଳାଷାନୁସାରେ ଚାଳିତ ପରିହାସକ ଲୋକେ ଉପସ୍ଥିତ ହେବେ। 19ସେମାନେ ଦଳଭେଦ ସୃଷ୍ଟି କରନ୍ତି, ସେମାନେ ସାଂସାରିକମନା ଓ ଈଶ୍ବରଙ୍କ ଆତ୍ମାବିହୀନ। 20କିନ୍ତୁ, ହେ ପ୍ରିୟମାନେ, ତୁମ୍ଭେମାନେ ଆପଣା ଅତି ପବିତ୍ର ବିଶ୍ୱାସ ଉପରେ ଧର୍ମ ଜୀବନରୂପ ଗୃହ ନିର୍ମାଣ କର, ପବିତ୍ର ଆତ୍ମାରେ ପ୍ରାର୍ଥନା କର, 21ପୁଣି, ଅନନ୍ତ ଜୀବନ ନିମନ୍ତେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦୟାର ଅପେକ୍ଷା କରି ଈଶ୍ବରଙ୍କ ପ୍ରେମରେ ଆପଣାମାନଙ୍କୁ ସ୍ଥିର କରି ରଖ। 22ଯେଉଁମାନେ ସନ୍ଦେହରେ ପଡ଼ିଥାଆନ୍ତି, ଏପରି କେତେକଙ୍କୁ ଦୟା କରି ଅଗ୍ନିରୁ କାଢ଼ିଲା ପରି ରକ୍ଷା କର। 23ଶାରୀରିକ ପାପକର୍ମରେ କଳଙ୍କିତ ବସ୍ତ୍ରକୁ ମଧ୍ୟ ଘୃଣା କରି ଭୟ ସହକାରେ ଆଉ କେତେକଙ୍କୁ ଦୟା କର। 24ଯେ ତୁମ୍ଭମାନଙ୍କୁ ଝୁଣ୍ଟିବାରୁ ରକ୍ଷା କରିବାକୁ ପୁଣି, ଆପଣା ଗୌରବ ସମ୍ମୁଖରେ ମହାନନ୍ଦରେ ନିର୍ଦ୍ଦୋଷ ରୂପେ ଉପସ୍ଥିତ କରିବାକୁ ସକ୍ଷମ, 25ଯେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଏକମାତ୍ର ଈଶ୍ବର, ଗୌରବ, ପ୍ରତାପ, ପରାକ୍ରମ ଓ କର୍ତ୍ତାପଣ ଅନାଦିକାଳ, ବର୍ତ୍ତମାନ ଓ ଯୁଗେ ଯୁଗେ ତାହାଙ୍କର। ଆମେନ୍।
ପ୍ରଭାତୀ ପ୍ରାର୍ଥନାର ଅଷ୍ଟମ ସୁସମାଚାର
11କିନ୍ତୁ ମରୀୟମ ରୋଦନ କରୁ କରୁ ବାହାରେ ସମାଧି ନିକଟରେ ଠିଆ ହୋଇ ରହିଲେ; ପୁଣି, ରୋଦନ କରୁ କରୁ ସେ ନଇଁପଡ଼ି ସମାଧି ଭିତରକୁ ଚାହିଁ, 12ଯୀଶୁଙ୍କ ଶରୀର ଯେଉଁ ସ୍ଥାନରେ ରଖାଯାଇଥିଲା, ସେଥିର ମୁଣ୍ଡ ପାଖରେ ଜଣେ ଓ ପାଦ ପାଖରେ ଆଉ ଜଣେ, ଏହିପରି ଦୁଇ ଜଣ ଶୁକ୍ଳ ବସ୍ତ୍ର ପରିହିତ ଦୂତଙ୍କୁ ବସିଥିବା ଦେଖିଲେ। 13ସେମାନେ ତାହାଙ୍କୁ କହିଲେ, ଗୋ ନାରୀ, କାହିଁକି ରୋଦନ କରୁଅଛ? ସେ ସେମାନଙ୍କୁ କହିଲେ, କେଉଁମାନେ ମୋହର ପ୍ରଭୁଙ୍କୁ ଘେନିଯାଇଅଛନ୍ତି, ଆଉ ତାହାଙ୍କୁ କେଉଁ ସ୍ଥାନରେ ରଖିଅଛନ୍ତି, ତାହା ମୁଁ ଜାଣେ ନାହିଁ। 14ସେ ଏହା କହି ପଛକୁ ବୁଲିପଡ଼ି ଯୀଶୁଙ୍କୁ ଠିଆ ହୋଇଥିବା ଦେଖିଲେ, କିନ୍ତୁ ସେ ଯେ ଯୀଶୁ, ତାହା ଜାଣିଲେ ନାହିଁ। 15ଯୀଶୁ ତାହାଙ୍କୁ କହିଲେ, “ଗୋ ନାରୀ, କାହିଁକି ରୋଦନ କରୁଅଛ? କାହାର ଅନ୍ୱେଷଣ କରୁଅଛ?” ସେ ତାହାଙ୍କୁ ଉଦ୍ୟାନର ମାଳୀ ବୋଲି ମନେ କରି କହିଲେ, ମହାଶୟ, ଆପଣ ଯଦି ତାହାଙ୍କୁ ଘେନିଯାଇଅଛନ୍ତି, ତାହାହେଲେ ତାହାଙ୍କୁ କେଉଁ ସ୍ଥାନରେ ରଖିଅଛନ୍ତି, ମୋତେ କୁହନ୍ତୁ, ଆଉ ମୁଁ ତାହାଙ୍କୁ ଘେନିଯିବି। 16ଯୀଶୁ ତାହାଙ୍କୁ କହିଲେ, “ମରୀୟମ।” ସେ ବୁଲିପଡ଼ି ଏବ୍ରୀ ଭାଷାରେ ତାହାଙ୍କୁ କହିଲେ, ରାବ୍ବୂନୀ, ଅର୍ଥାତ୍, ହେ ଗୁରୁ। 17ଯୀଶୁ ତାହାଙ୍କୁ କହିଲେ, “ମୋତେ ଧରି ରଖ ନାହିଁ, କାରଣ ମୁଁ ଏପର୍ଯ୍ୟନ୍ତ ପିତାଙ୍କ ନିକଟକୁ ଆରୋହଣ କରି ନାହିଁ; କିନ୍ତୁ ମୋହର ଭାଇମାନଙ୍କ ନିକଟକୁ ଯାଇ ସେମାନଙ୍କୁ କୁହ, ‘ମୁଁ ମୋହର ପିତା ଓ ତୁମ୍ଭମାନଙ୍କର ପିତା, ମୋହର ଈଶ୍ବର ଓ ତୁମ୍ଭମାନଙ୍କର ଈଶ୍ବରଙ୍କ ନିକଟକୁ ଆରୋହଣ କରୁଅଛି।’” 18ମଗ୍ଦଲୀନୀ ମରୀୟମ ଯାଇ, ମୁଁ ପ୍ରଭୁଙ୍କୁ ଦେଖିଅଛି, ଆଉ ସେ ମୋତେ ଏହିସବୁ କହିଅଛନ୍ତି ବୋଲି ଶିଷ୍ୟମାନଙ୍କୁ ସମ୍ବାଦ ଦେଲେ।
ପତ୍ର
31ମୁଁ ଯେ ମିଥ୍ୟା କହୁ ନାହିଁ, ଏହା ପ୍ରଭୁ ଯୀଶୁଙ୍କ ଈଶ୍ବର ଓ ପିତା ଜାଣନ୍ତି; ସେ ଯୁଗେ ଯୁଗେ ଧନ୍ୟ। 32ଦମ୍ମେଶକରେ ହାରେତା ରାଜାଙ୍କ ଶାସନକର୍ତ୍ତା ମୋତେ ଧରିବା ନିମନ୍ତେ ଉକ୍ତ ସହରରେ ପ୍ରହରୀମାନଙ୍କୁ ଜଗାଇଥିଲେ, 33ଆଉ ଟୋକାଇରେ ଗୋଟିଏ ଝରକା ବାଟେ ପ୍ରାଚୀର ଦେଇ ମୋତେ ଓହ୍ଲାଇ ଦିଆଗଲା, ପୁଣି, ମୁଁ ତାହାଙ୍କ ହସ୍ତରୁ ରକ୍ଷା ପାଇଲି। 12:1ଯଦ୍ୟପି ଦର୍ପ କରିବା ହିତକର ନୁହେଁ, ତଥାପି ମୋତେ ଦର୍ପ କରିବାକୁ ପଡ଼ୁଅଛି; ମୁଁ ପ୍ରଭୁଙ୍କ ଦର୍ଶନ ଓ ପ୍ରକାଶିତ ବିଷୟ କହିବି। 2ମୁଁ ଖ୍ରୀଷ୍ଟାଶ୍ରିତ ଜଣେ ଲୋକକୁ ଜାଣେ, ସେ ଚଉଦ ବର୍ଷ ପୂର୍ବେ ତୃତୀୟ ସ୍ୱର୍ଗ ପର୍ଯ୍ୟନ୍ତ ନୀତ ହେଲା, (ସେ ଶରୀରରେ ଥିଲା କି ଶରୀରର ବାହାରେ ଥିଲା, ମୁଁ ଜାଣେ ନାହିଁ; ଈଶ୍ବର ଜାଣନ୍ତି)। 3ହଁ, ମୁଁ ଏହିପରି ଜଣେ ଲୋକକୁ ଜାଣେ, ସେ ପାରଦୀଶକୁ ନୀତ ହେଲା (ସେ ଶରୀରରେ ଥିଲା କି ଶରୀରର ବାହାରେ ଥିଲା, ମୁଁ ଜାଣେ ନାହିଁ; ଈଶ୍ବର ଜାଣନ୍ତି)। 4ଆଉ ଯାହା ମନୁଷ୍ୟ ପକ୍ଷରେ କହିବା ବିଧେୟ ନୁହେଁ, ଏପରି ଅକଥନୀୟ ବାକ୍ୟ ଶ୍ରବଣ କଲା। 5ଏହିପରି ଜଣକ ବିଷୟରେ ମୁଁ ଦର୍ପ କରିବି, କିନ୍ତୁ ମୋʼ ନିଜ ବିଷୟରେ ମୋହର ଦୁର୍ବଳତା ବିନା ଆଉ କାହିଁରେ ଦର୍ପ କରିବି ନାହିଁ। 6ଆଉ ଦର୍ପ କରିବାକୁ ଇଚ୍ଛା କଲେ ହେଁ ମୁଁ ନିର୍ବୋଧ ହେବି ନାହିଁ, ଯେଣୁ ମୁଁ ସତ୍ୟ କହିବି କିନ୍ତୁ କାଳେ କୌଣସି ଲୋକ ମୋତେ ଯେପ୍ରକାର ଦେଖେ କିମ୍ବା ମୋʼଠାରୁ ଯେପ୍ରକାର ଶୁଣେ, ମୋʼ ପ୍ରତି ପ୍ରକାଶିତ ବିଷୟରେ ଅତ୍ୟଧିକ ଶ୍ରେଷ୍ଠତା ହେତୁ ଯେପରି ମୋʼ ବିଷୟରେ ଅଧିକ ବୋଧ ନ କରେ, ଏଥିପାଇଁ ମୁଁ କ୍ଷାନ୍ତ ହୋଇଥାଏ। 7ଏଣୁ ମୁଁ ଯେପରି ଅତିଶୟ ଗର୍ବୀ ନ ହୁଏ, ଏଥିନିମନ୍ତେ ମୋହର ଶରୀରରେ ଗୋଟିଏ କଣ୍ଟକ ଦିଆଗଲା, ମୋତେ ପ୍ରହାର କରିବା ପାଇଁ ଶୟତାନର ଦୂତକୁ ପଠାଗଲା, ଯେପରି ମୁଁ ଅତିଶୟ ଗର୍ବୀ ନ ହୁଏ। 8ଯେପରି ତାହା ମୋʼଠାରୁ ଦୂର ହୁଏ, ଏଥିପାଇଁ ମୁଁ ପ୍ରଭୁଙ୍କୁ ସେ ବିଷୟରେ ତିନି ଥର ବିନତି କଲି। 9ଆଉ, ସେ ମୋତେ କହିଅଛନ୍ତି, “ଆମ୍ଭର ଅନୁଗ୍ରହ ତୁମ୍ଭ ନିମନ୍ତେ ଯଥେଷ୍ଟ, କାରଣ ଦୁର୍ବଳତାରେ ଆମ୍ଭର ଶକ୍ତି ସିଦ୍ଧ ହୁଏ।” ଅତଏବ, ଯେପରି ଖ୍ରୀଷ୍ଟଙ୍କ ଶକ୍ତି ମୋ ଉପରେ ଅବସ୍ଥାନ କରେ, ଏଥିପାଇଁ ମୁଁ ଅତି ଆନନ୍ଦରେ ବରଂ ମୋହର ଦୁର୍ବଳତାରେ ଦର୍ପ କରିବି।
ପତ୍ର (ସନ୍ଥ ଲୂକଙ୍କ ପାଇଁ)
5ସୁଯୋଗର ସଦ୍ବ୍ୟବହାର କରି ବାହାରର ଲୋକମାନଙ୍କ ନିକଟରେ ବୁଦ୍ଧି ସହ ଆଚରଣ କର। 6ତୁମ୍ଭମାନଙ୍କ ବାକ୍ୟ ସର୍ବଦା ମନୋହର ପୁଣି, ଲବଣରେ ଅନୁଗ୍ରହଯୁକ୍ତ ହେଉ, ଯେପରି କାହାକୁ କିପରି ଉତ୍ତର ଦେବାକୁ ହୁଏ, ତାହା ଜାଣି ପାର। 7ପ୍ରିୟ ଭ୍ରାତା, ପୁଣି, ପ୍ରଭୁଙ୍କ କାର୍ଯ୍ୟରେ ବିଶ୍ୱସ୍ତ ସେବକ ଓ ସହଦାସ ଯେ ତୁଖିକ ସେ ମୋହର ସମସ୍ତ ବିଷୟ ତୁମ୍ଭମାନଙ୍କୁ ଜଣାଇବେ; 8ଏହି ଉଦ୍ଦେଶ୍ୟରେ ହିଁ ମୁଁ ତାହାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଲି, ଯେପରି ତୁମ୍ଭେମାନେ ଆମ୍ଭମାନଙ୍କ ଅବସ୍ଥା ବିଷୟ ଜାଣି ପାର ଓ ତୁମ୍ଭମାନଙ୍କ ହୃଦୟ ତାହାଙ୍କ ଦ୍ୱାରା ଉତ୍ସାହ ପ୍ରାପ୍ତ ହୁଏ। 9ତାହାଙ୍କ ସଙ୍ଗରେ ମୁଁ ବିଶ୍ୱସ୍ତ ଓ ପ୍ରିୟ ଭ୍ରାତା ଅନୀସିମଙ୍କୁ ପଠାଇଲି, ସେ ତୁମ୍ଭମାନଙ୍କ ମଧ୍ୟରୁ ଜଣେ। ସେମାନେ ଏହି ସ୍ଥାନର ସମସ୍ତ ବିଷୟ ତୁମ୍ଭମାନଙ୍କୁ ଜଣାଇବେ। 14ପ୍ରିୟ ବୈଦ୍ୟ ଲୂକ ଓ ଦୀମା ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି। 18ମୁଁ ପାଉଲ ମୋହର ନିଜ ହସ୍ତରେ ଏହି ନମସ୍କାର ଲେଖୁଅଛି। ମୋହର ବନ୍ଧନ ସ୍ମରଣ କର। ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ।
ସୁସମାଚାର
5“ଜଣେ ବୁଣାଳୀ ଆପଣା ବିହନ ବୁଣିବାକୁ ବାହାରିଲା। ସେ ବୁଣୁ ବୁଣୁ କେତେକ ବିହନ ବାଟ ପାଖରେ ପଡ଼ିଲା ଓ ପାଦ ତଳେ ଦଳି ହୋଇଗଲା, ପୁଣି, ଆକାଶର ଚଢ଼େଇମାନେ ସେଗୁଡ଼ିକ ଖାଇଗଲେ। 6ଆଉ କେତେକ ପଥର ଉପରେ ପଡ଼ିଲା, ପୁଣି, ଗଜା ହୋଇ ରସ ନ ପାଇବାରୁ ଶୁଖିଗଲା। 7ଆଉ କେତେକ କଣ୍ଟାଗଛଗୁଡ଼ାକ ମଧ୍ୟରେ ପଡ଼ିଲା, ପୁଣି, କଣ୍ଟାଗଛଗୁଡ଼ାକ ସାଙ୍ଗେ ସାଙ୍ଗେ ବଢ଼ି ସେଗୁଡ଼ିକୁ ଚାପି ପକାଇଲା। 8ଅନ୍ୟ କେତେକ ଭଲ ଭୂମିରେ ପଡ଼ିଲା ଆଉ ବଢ଼ି ଶହେ ଗୁଣ ଫଳ ଫଳିଲା।” ସେ ଏହା କହୁ କହୁ ଉଚ୍ଚସ୍ୱରରେ କହିଲେ, “ଯାହାର ଶୁଣିବା ପାଇଁ କାନ ଅଛି, ସେ ଶୁଣୁ।” 9ତାହାଙ୍କ ଶିଷ୍ୟମାନେ ଏହି ଦୃଷ୍ଟାନ୍ତର ଅର୍ଥ କଅଣ ବୋଲି ପଚାରିବାକୁ ଲାଗିଲେ। 10ସେଥିରେ ସେ କହିଲେ, ଈଶ୍ବରଙ୍କ ରାଜ୍ୟର ରହସ୍ୟ ଜାଣିବା ନିମନ୍ତେ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ଅନ୍ୟମାନଙ୍କୁ ଦୃଷ୍ଟାନ୍ତରେ କୁହାଯାଏ, “‘ଯେପରି ସେମାନେ ଦେଖୁ ଦେଖୁ ଦେଖିପାରିବେ ନାହିଁ ଓ ଶୁଣୁ ଶୁଣୁ ବୁଝିପାରିବେ ନାହିଁ।’” 11“ଦୃଷ୍ଟାନ୍ତର ଅର୍ଥ ଏହି, ବିହନ ଈଶ୍ବରଙ୍କ ବାକ୍ୟ, 12ଆଉ ଯେଉଁମାନେ ବାଟ ପାଖରେ ଅଛନ୍ତି, ସେମାନେ ବାକ୍ୟ ଶୁଣନ୍ତି; ତାହା ପରେ ଶୟତାନ ଆସି, ଯେପରି ସେମାନେ ବିଶ୍ୱାସ କରି ପରିତ୍ରାଣ ନ ପାଆନ୍ତି, ଏଥିନିମନ୍ତେ ସେମାନଙ୍କ ହୃଦୟରୁ ବାକ୍ୟ ନେଇଯାଏ। 13ପୁଣି, ଯେଉଁମାନେ ପଥର ଉପରେ ଅଛନ୍ତି, ସେମାନେ ବାକ୍ୟ ଶୁଣି ଆନନ୍ଦରେ ଗ୍ରହଣ କରନ୍ତି; କିନ୍ତୁ ସେମାନଙ୍କର ଚେର ନ ଥିବାରୁ ସେମାନେ ଅଳ୍ପ ସମୟ ବିଶ୍ୱାସ କରନ୍ତି ଓ ପରୀକ୍ଷା ସମୟରେ ଧର୍ମତ୍ୟାଗୀ ହୁଅନ୍ତି। 14ଆଉ, କଣ୍ଟାଗଛଗୁଡ଼ାକ ମଧ୍ୟରେ ଯାହା ପଡ଼ିଲା, ତାହା ଏପରି ଲୋକେ, ଯେଉଁମାନେ ଶୁଣି ସାଂସାରିକ ଚିନ୍ତା, ଧନ ଓ ସୁଖଭୋଗର ବଶବର୍ତ୍ତୀ ହୋଇ ଜୀବନ ଯାତ୍ରା କରୁ କରୁ ଚାପି ହୋଇଯାନ୍ତି, ପୁଣି, ପରିପକ୍ୱ ଫଳ ଉତ୍ପନ୍ନ କରନ୍ତି ନାହିଁ। 15ଆଉ, ଉତ୍ତମ ଭୂମିରେ ଯାହା ପଡ଼ିଲା, ତାହା ଏପରି ଲୋକେ, ଆଉ, ଯେଉଁମାନେ ଉତ୍ତମ ଓ ସରଳ ହୃଦୟରେ ବାକ୍ୟ ଶୁଣି ତାହା ଧରି ରଖନ୍ତି ଏବଂ ଧୈର୍ଯ୍ୟ ସହକାରେ ଫଳ ଫଳନ୍ତି।”
ସୁସମାଚାର (ସନ୍ଥ ଲୂକଙ୍କ ପାଇଁ)
16ଯେ ତୁମ୍ଭମାନଙ୍କର କଥା ଶୁଣେ, ସେ ମୋʼ କଥା ଶୁଣେ, ପୁଣି, ଯେ ତୁମ୍ଭମାନଙ୍କୁ ଅଗ୍ରାହ୍ୟ କରେ, ସେ ମୋତେ ଅଗ୍ରାହ୍ୟ କରେ, ଆଉ ଯେ ମୋତେ ଅଗ୍ରାହ୍ୟ କରେ, ସେ ମୋʼ ପ୍ରେରଣକର୍ତ୍ତାଙ୍କୁ ଅଗ୍ରାହ୍ୟ କରେ। 17ଏଥିଉତ୍ତାରେ ସେହି ସତୁରି ଜଣ ଫେରିଆସି ଆନନ୍ଦରେ କହିଲେ, ପ୍ରଭୁ, ଭୂତମାନେ ସୁଦ୍ଧା ଆପଣଙ୍କ ନାମରେ ଆମ୍ଭମାନଙ୍କ ବଶୀଭୂତ ଅଟନ୍ତି। 18କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ବିଜୁଳି ପରି ସ୍ୱର୍ଗରୁ ଶୟତାନକୁ ପଡ଼ିବା ମୁଁ ଦେଖୁଥିଲି। 19ଦେଖ, ମୁଁ ତୁମ୍ଭମାନଙ୍କୁ ସାପ ଓ ବିଛା ଉପରେ ଚାଲିବାକୁ କ୍ଷମତା ଦେଇଅଛି, ପୁଣି, ଶତ୍ରୁର ସମସ୍ତ ଶକ୍ତି ଉପରେ ମଧ୍ୟ କ୍ଷମତା ଦେଇଅଛି, ଆଉ କିଛି ହେଲେ କୌଣସି ପ୍ରକାରେ ତୁମ୍ଭମାନଙ୍କର କ୍ଷତି କରିବ ନାହିଁ। 20ତଥାପି ଆତ୍ମାମାନେ ଯେ ତୁମ୍ଭମାନଙ୍କର ବଶୀଭୂତ ଅଟନ୍ତି, ଏଥିରେ ଆନନ୍ଦ କର ନାହିଁ, କିନ୍ତୁ ତୁମ୍ଭମାନଙ୍କ ନାମ ଯେ ସ୍ୱର୍ଗରେ ଲେଖାଅଛି, ଏଥିରେ ଆନନ୍ଦ କର।” 21ସେହି ସମୟରେ ସେ ପବିତ୍ର ଆତ୍ମାଙ୍କଠାରେ ଉଲ୍ଲସିତ ହୋଇ କହିଲେ, “ପିତା ସ୍ୱର୍ଗ ଓ ପୃଥିବୀର ପ୍ରଭୁ, ତୁମ୍ଭେ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କଠାରୁ ଏହି ସମସ୍ତ ବିଷୟ ଗୁପ୍ତ ରଖି ଶିଶୁମାନଙ୍କ ନିକଟରେ ପ୍ରକାଶ କଲ, ଏଥିନିମନ୍ତେ ତୁମ୍ଭର ପ୍ରଶଂସା କରୁଅଛି; ହଁ, ପିତା, କାରଣ ଏହା ତୁମ୍ଭ ଦୃଷ୍ଟିରେ ସନ୍ତୋଷର ବିଷୟ ହେଲା।”
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଅକ୍ଟୋବର 18 ନାଗରିକ ପଞ୍ଜିକାର ଅକ୍ଟୋବର 31। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର